ବାଣିଜ୍ୟ

ସୁନା ଆମଦାନୀ ଶୁଳ୍କ ୪%କୁ କମାଇବାକୁ ଦାବି
ସୁନା ଉପରେ ଆମଦାନୀ ଶୁଳ୍କ ବର୍ତ୍ତମାନ ୧୦% ଥିବାବେଳେ ଆସନ୍ତା ବଜେଟରେ ଏହାକୁ ୪%କୁ ଖସାଇବାକୁ ରତ୍ନପଥର ଏବଂ ଗହଣା ଶିଳ୍ପ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି।

ରିଟେଲ ମୁଦ୍ରାସ୍ଫୀତି ୫.୨୧%କୁ ବୃଦ୍ଧି
ନୂଆଦିଲ୍ଲୀ,୧୨-୧(ପି.ଟି.)-ଖାଦ୍ୟ ସାମଗ୍ରୀ, ଅଣ୍ଡା ଏବଂ ପନିପରିବା ଦର ମହଙ୍ଗା ହେବା ଫଳରେ ଗତ ଡିସେମ୍ବରରେ ଦେଶର ରିଟେଲ ମୁଦ୍ରାସ୍ଫୀତି ଆର୍ବିଆଇର କମ୍ଫର୍ଟ ସ୍ତର ଅତିକ୍ରମ କରିଛି।

କୃଷି ଗବେଷଣା ବ୍ୟୟବରାଦ ୧୫% ବଢ଼ିପାରେ
ଫେବୃୟାରୀ ୧ ତାରିଖରେ ଉପସ୍ଥାପନ ହେବାକୁ ଥିବା ବଜେଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କୃଷି ଗବେଷଣା ପାଇଁ ବ୍ୟୟବରାଦରେ ୧୫% ବୃଦ୍ଧି ଘଟାଇପାରନ୍ତି। ୨୦୧୮-୧୯ ଆର୍ଥିକବର୍ଷ ପାଇଁ ଏହି କ୍ଷେତ୍ର ନିମନ୍ତେ ପାଖାପାଖି ୮,୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇପାରେ ବୋଲି ସୂତ୍ରରୁ ଜଣାଯାଇଛି।

ଇଣ୍ଡିଆନ୍ ବ୍ୟାଙ୍କ୍ର ୧୦୦ ତମ ଶାଖା ଉଦ୍ଘାଟିତ
ଭୁବନେଶ୍ୱର,୧୨-୧-ଇଣ୍ଡିଆନ୍ ବ୍ୟାଙ୍କ ପକ୍ଷରୁ ଖଣ୍ଡଗିରିଠାରେ ରାଜ୍ୟର ୧୦୦ ତମ ଶାଖା ସହିତ ଏଟିଏମ୍ ଉଦ୍ଘାଟିତ ହୋଇଯାଇଛି।

ଓଜିବିର ନୂତନ ଏଟିଏମ୍ ସେବା
ଭୁବନେଶ୍ୱର,୧୨-୧-ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି) ବାରିପଦା ଶାଖାର ଏଟିଏମ୍ ଏଠାକାର ବଡବଜାରଠାରେ ଓ ସାନକେରୋକ ଶାଖାର ଏଟିଏମ୍ ସାନକେରୋକଠାରେ ବ୍ୟାଙ୍କର ଅଧ୍ୟକ୍ଷ ବୃନ୍ଦାବନ ନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି।

ପିଏନ୍ବିର ମୋଟ ବ୍ୟବସାୟ ୧୧ ଲକ୍ଷ କୋଟି ଟପିଲା
ଭୁବନେଶ୍ୱର,୧୨-୧-ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ(ପିଏନ୍ବି)ର ମୋଟ ବ୍ୟବସାୟ ୧୧ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି। ଗ୍ରାହକ ସେବା ଏବଂ ଜନସାଧାରଣଙ୍କ ନିରନ୍ତର ବିଶ୍ୱାସଭାଜନ ହୋଇ ରାଷ୍ଟ୍ର ସେବାରେ ବ୍ୟାଙ୍କ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରିଛି।

ବଜାରରେ ଲାମ୍ବୋରଗିନିର ‘ୟୁରୁସ୍’ ସୁପର ସ୍ପୋଟର୍ସ ୟୁଟିଲିଟି ଭେଇକିଲ୍
ମୁମ୍ବାଇ,୧୨।୧ ଇଟାଲି ଭିତ୍ତିକ ପ୍ରମୁଖ ସୁପର୍ ସ୍ପୋଟର୍ସ କାର୍ ନିର୍ମାଣକାରୀ କମ୍ପାନି ଲାମ୍ବୋର୍ଗିନି ଗୁରୁବାର ନିଜର ପ୍ରଥମ ସୁପର ସ୍ପୋଟର୍ସ ୟୁଟିଲିଟି ଭେଇକିଲ୍(ଏସ୍ୟୁଭି) ‘ୟୁରୁସ୍’ର ବଜାର ପ୍ରବେଶ କରାଇଛି । ଏହି ମଡେଲଟିର ବଜାର ଦର ୩ କୋଟି ଟଙ୍କା ରହିଛି । ଉକ୍ତ ମଡେଲ୍ର ବଜାର ପ୍ରବେଶ ସହ ରାଜସ୍ବକୁ ୨.୫-୩ ଗୁଣା ବୃଦ୍ଧି କରିବାର ଯୋଜନା ରହିଥିବା ଲାମ୍ବୋର୍ଗିନି ସୂଚନା ଦେଇଛି ।

ସାମ୍ସଙ୍ଗ୍ର ଗାଲାକ୍ସି ଏ୮ ପ୍ଲସ୍
ନୂଆଦିଲ୍ଲୀ,୧୨-୧ ଦେଶର ପ୍ରମୁଖ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ସାମସଙ୍ଗ୍ ଇଣ୍ଡିଆ ଏହାର ଗାଲାକ୍ସି ଏ୮ ପ୍ଲସ୍ ସ୍ମାର୍ଟଫୋନ୍କୁ ବଜାର ପ୍ରବେଶ କରାଇଛି। ଏହା କମ୍ପାନୀର ପ୍ରଥମ ଡୁଆଲ୍ ଫ୍ରଣ୍ଟ କ୍ୟାମେରା ଆଧାରିତ ଫୋନ୍ ହୋଇଥିବା ବେଳେ ଏଥିରେ ୬ଜିବି ରାମ୍, ୬୪ ଜିବି ଇଣ୍ଟରନାଲ୍ ମେମୋରି ରହିଛି। ଏହା ୨୫୬ ଜିବି ପର୍ଯ୍ୟନ୍ତ ଏକ୍ସପାଣ୍ଡ୍ କରି ହେବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ।

ଫ୍ରିଡମ୍ର ଜାର୍କାର୍ ଅଫର ବିଜେତାଙ୍କ ନାମ ଘୋଷଣା
ବାଙ୍ଗାଲୋର,୧୨-୧ ଫ୍ରିଡମ୍ ରିଫାଇନ୍ଡ୍ ସନ୍ଫ୍ଲାଓ୍ବାର୍ ଅଏଲ୍ ଗୁରୁବାର ଏହାର ‘ଫ୍ରିଡମ୍ ଜାର୍କାର୍ ଅଫର’ ଦ୍ୱିତୀୟ ମାସର ବିଜେତାଙ୍କ ନାମ ଘୋଷଣା କରିଛି। ଏଥିରେ ୧୦୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୫ ଗ୍ରାମ୍ ଲେଖାଏଁ ସୁନାମୁଦ୍ରା ପ୍ରଦାନ କରାଯିବ। ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ପକ୍ଷରୁ ଏହି ଅଫର ୨୦୧୭ ନଭେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଚାଲିବ।

ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ରେ ଭାଗ ନେବେ ଏଲ୍ପିୟୁ ଛାତ୍ରୀ ଅମ୍ବିକା ମିଶ୍ର
ଜଲନ୍ଧର, ୧୨-୧ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍ଠାରେ ଜାନୁୟାରୀ ୨୬ (ସାଧାରଣତନ୍ତ୍ର ଦିବସ ) ଅବସରରେ ଅନୁଷ୍ଠିତ ହେବାକୁ ଥିବା ପ୍ୟାରେଡ୍ରେ ଲଭ୍ଲି ପ୍ରଫେସନାଲ୍ ୟୁନିଭର୍ସିଟିର ଛାତ୍ରୀ ଅମ୍ବିକା ମିଶ୍ର ଅଂଶଗ୍ରହଣ କରିବେ। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରର ବିଶିଷ୍ଟ ବ୍ୟକ୍ତି ସମବେତ ଅଭିବାଦନ ଗ୍ରହଣ କରିବାକୁ ଥିବା ବେଳେ ଅମ୍ବିକା ପରେଡ୍ରେ ଅଂଶଗ୍ରହଣ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ଏପ୍ରିଲ୍ ୨ ଯାଏଁ ମାଲ୍ୟାଙ୍କୁ ବେଲ୍
ଲଣ୍ଡନ, ୧୨-୧ ପଳାତକ ଘୋଷିତ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବେଲ୍ ଅବଧିକୁ ଲଣ୍ଡନ୍ର ଓ୍ବେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ ଏପ୍ରିଲ୍ ୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଆଧାରରେ କୌଣସି ନିର୍ଯାସ ବାହାରି ନାହିଁ।

ଓଡ଼ିଶା ଜନ୍ମିତ ଅଜିତ୍ ଜୈନ୍ ହୋଇପାରନ୍ତି ଓ୍ବାରେନ୍ ବଫେଙ୍କ ଉତ୍ତରାଧିକାରୀ
ନୂଆଦିଲ୍ଲୀ,୧୧-୧ ଆମେରିକାଭିତ୍ତିକ ବହୁରାଷ୍ଟ୍ରୀୟ କମ୍ପାନୀ ବର୍କଶାୟାର୍ ହାଥାଓ୍ବେର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ପଦରେ ଓଡ଼ିଶା ଜନ୍ମିତ ଅଜିତ୍ ଜୈନ ଅବସ୍ଥାପିତ ହୋଇପାରନ୍ତି। ଏହା ହେଲେ ସେ ହେବେ ବର୍ତ୍ତମାନର ସିଇଓ ଓ୍ବାରେନ୍ ବଫେଙ୍କ ଉତ୍ତରାଧିକାରୀ। ସୂଚନା ଅନୁଯାୟୀ, ବର୍କଶାୟାର୍ ହାଥାଓ୍ବେ ବୁଧବାର ଜୈନ୍ଙ୍କ ସହିତ କମ୍ପାନୀର ଆଉ ଜଣେ ଅଧିକାରୀ ଗ୍ରେଗରୀ ଏବଲ୍ଙ୍କୁ ପଦୋନ୍ନତି ଦେଇଛି। ଉଭୟଙ୍କୁ କମ୍ପାନୀର ବୋର୍ଡରେ ଅବସ୍ଥାପିତ କରାଯାଇଛି। ଏବେ ଏହି ଦୁଇ ଜଣ ଓ୍ବାରେନ୍ ବଫେଙ୍କ ଉତ୍ତରାଧୀକାର ହାସଲ କରିବାର ଅତ୍ୟନ୍ତ ନିକଟତ୍ତର ହୋଇଛନ୍ତି।

ଜିଏସ୍ଟି ଯୋଗୁ ଫିକା ହେବ ବଜେଟ୍
ଚଳିତ ବର୍ଷ ଜୁଲାଇ ପହିଲାରେ ଲାଗୁ ହୋଇଥିବା ଏକକ ପରୋକ୍ଷ ଟିକସ ବ୍ୟବସ୍ଥା ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ଦେଶର ଅର୍ଥ ବ୍ୟବସ୍ଥାରେ ବଡ ପରିବର୍ତ୍ତନ ଆଣିଛି। ଜିଏସ୍ଟି ଯୋଗୁ ଏଥରର ବଜେଟକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଉତ୍କଣ୍ଠା ଫିକା ପଡିଯାଇଛି। ବର୍ତ୍ତମାନ ସାମଗ୍ରୀ ତଥା ସେବାକୁ ନେଇ ଜିଏସ୍ଟି ପରିଷଦ ଟିକସ ହାର ନିର୍ଦ୍ଧାରଣ କରୁଛି। ବଜେଟ୍ରେ ପରୋକ୍ଷ ଟିକସ ନେଇ କୌଣସି ନିଷ୍ପତ୍ତି ଆସିବ ନାହିଁ।

ଡବ୍ଲ୍ୟୁଇଏଫ୍ ସମିଟ୍ରେ ପୁରସ୍କୃତ ହେବେ ଶାହରୁଖ
ନୂଆଦିଲ୍ଲୀ/ଜେନେଭା,୧୧-୧(ପି.ଟି.) ଚଳିତ ମାସର ଶେଷ ଭାଗରେ ଡାଭୋସ୍ଠାରେ ହେବାକୁ ଥିବା ବିଶ୍ୱ ଅର୍ଥନୈତିକ ଫୋରମ୍(ଡବ୍ଲ୍ୟୁଇଏଫ୍)ର ବାର୍ଷିକ ବୈଠକରେ ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ କ୍ରିଷ୍ଟାଲ୍ ଆଓ୍ବାର୍ଡ ପାଇବେ। ତାଙ୍କ ସହିତ ହଲିଉଡ୍ ଅଭିନେତା କେଟ୍ ବ୍ଲାନ୍ଚେଟ୍ ଏବଂ ପ୍ରଶିଦ୍ଧ ସଙ୍ଗୀତଜ୍ଞ ସାର୍ ଏଲ୍ଟନ୍ ଜନ୍ ମଧ୍ୟ ଏହି ପୁରସ୍କାର ପାଇବେ।

ଦେଶରେ ୨୦% ଶିକ୍ଷିତ ଯୁବକ ବେକାର
ନୂଆଦିଲ୍ଲୀ,୧୧-୧ ଦେଶରେ ପ୍ରାୟ ୨୦% ଶିକ୍ଷିତ ଯୁବକ ବେକାର ଅଛନ୍ତି। ଏହାକୁ ଧ୍ୟାନରେ ରଖି ସରକାର ଆସନ୍ତା ବଜେଟ୍ରେ ନିଯୁକ୍ତି ଅଭିବୃଦ୍ଧି ଲାଗି ପଦକ୍ଷେପ ନେବା ଦରକାର ବୋଲି ଦେଶର ପ୍ରମୁଖ ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି। ବଜେଟ୍କୁ ଆଉ ପାଖାପାଖି ୩ ସପ୍ତାହ ରହିଛି। ବର୍ତ୍ତମାନର ସରକାରଙ୍କ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ। ତେଣୁ ଏଥିରେ ନିଯୁକ୍ତି ସୃଷ୍ଟି ପାଇଁ ସକ୍ରିୟ ପଦକ୍ଷେପ ଘୋଷଣା ଆଶା ରଖାଯାଇଛି।

୩,୫୦୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଜବତ
ନୂଆଦିଲ୍ଲୀ,୧୧-୧ ୯୦୦ ବେନାମୀ ସମ୍ପତ୍ତି ଜବତ କରାଯାଇଥିବା ଆୟକର ବିଭାଗ ଗୁରୁବାର ସୂଚନା ଦେଇଛି। ଜବତ ହୋଇଥିବା ଏହି ସମ୍ପତ୍ତି ମଧ୍ୟରେ ଫ୍ଲାଟ, ଦୋକାନ, ଜୁଏଲେରୀ ଏବଂ ଯାନ ରହିଛି। ଏଗୁଡିକର ମୋଟ ମୂଲ୍ୟ ୩,୫୦୦ କୋଟି ଟଙ୍କା ହେବ ବୋଲି ଜଣା ଯାଇଛି।

କ୍ରିପ୍ଟୋ କରେନ୍ସି ସଂକ୍ରାନ୍ତ ରିପୋର୍ଟ ଦେଲା କମିଟି
ନୂଆଦିଲ୍ଲୀ,୧୧-୧ ବିଟ୍ କଏନ୍ ଭଳି ଭର୍ଚୁଆଲ କରେନ୍ସିର ବିଭିନ୍ନ ଦିଗକୁ ତର୍ଜମା କରିବା ଲାଗି ସରକାର ଗତ ବର୍ଷ ଗଠନ କରିଥିବା କମିଟି ଏହାର ରିପୋର୍ଟ ପ୍ରଦାନ କରିଛି। କମିଟି ଭର୍ଚୁଆଲ କରେନ୍ସିର ଥିବା ବିଭିନ୍ନ ଦିଗକୁ ପର୍ଯ୍ୟାଲୋଚନା କରିବା ସହ ଘରୋଇ ବଜାରରେ ନିଜସ୍ବ କ୍ରିପ୍ଟୋକରେନ୍ସି ଶୁଭାରମ୍ଭକୁ ମଧ୍ୟ ବିଚାର କରୁଛି।

ଜିଏସଟି ଟିକସଦାତାଙ୍କ ସଂଖ୍ୟା ୧ କୋଟି ଛୁଇଁବ
ନୂଆଦିଲ୍ଲୀ,୧୧-୧ ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ପ୍ରଦାନ କରୁଥିବା ଟିକସଦାତାଙ୍କ ସଂଖ୍ୟା ୧ କୋଟି ଛୁଇଁବ। ଜୁଲାଇରେ ଜିଏସ୍ଟି ଲାଗୁ ହେବା ପରଠାରୁ ଟିକସଦାତାଙ୍କ ସଂଖ୍ୟାରେ ବର୍ତ୍ତମାନ ସୁଦ୍ଧା ୨୫% ବୃଦ୍ଧି ଘଟିଛି। ଆଗାମୀ କିଛି ଦିନରେ ଟିକସଦାତାଙ୍କ ସଂଖ୍ୟା ୧ କୋଟି ଛୁଇଁବ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।

ପତଞ୍ଜଳି ସହ ମିଳିତ ହୋଇପାରେ ଫ୍ରାନ୍ସର ଲକଜ୍ୟୁରୀ ମେଜର ଏଲ୍ଭିଏମ୍ଏଚ୍
ନୂଆଦିଲ୍ଲୀ,୧୧-୧ ଫ୍ରାନ୍ସର ପ୍ରମୁଖ ଲକଜ୍ୟୁରୀ ଗ୍ରୁପ୍ ଏଲଭିଏମଏଚ୍ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ସହ ମିଳିତ ହୋଇପାରେ। ପତଞ୍ଜଳି ସହ ମିଳିତ ହୋଇ କାର୍ଯ୍ୟ କରିବାକୁ ଆଗ୍ରହୀ ଥିବା ଏଲ କ୍ୟାଟରଟନ ଏସିଆର ପରିଚାଳନା ପାର୍ଟନର ରବି ଥାକରନ୍ କହିଛନ୍ତି। ପତଞ୍ଜଳୀର ମଡେଲ ବହୁ ଦେଶୀୟ କମ୍ପାନୀର ମଡେଲ କିମ୍ବା ବିଦେଶୀ ପୁଞ୍ଜି ସହ କାର୍ଯ୍ୟ କରୁ ନାହିଁ। ଯଦି କୌଣସି ସୁଯୋଗ ମିଳେ ତେବେ ପତଞ୍ଜଳୀ ସହ ମିଳିତ ହୋଇ କାର୍ଯ୍ୟ କରିବୁ ବୋଲି ଥାକରନ୍ କହିଛନ୍ତି।

କର୍ପୋରେଟ ଟିକସ ହାର ହ୍ରାସ ଆଶାରେ ଶିଳ୍ପ କ୍ଷେତ୍ର
ନୂଆଦିଲ୍ଲୀ,୧୧-୧ ସରକାର କର୍ପୋରେଟ ଟିକସକୁ ହ୍ରାସ କରି ୨୫% କରିବା ପାଇଁ ଗତ ୩ ବର୍ଷ ତଳେ କହିଥିଲେ। କର୍ପୋରେଟ ଟିକସ ହାରକୁ ହ୍ରାସ କରିବା ନେଇ ସରକାରଙ୍କ ଉପରେ ଚାପ ରହିବ ବୋଲି ବିଶେଷଜ୍ଞ କହିଛନ୍ତି। ଆମେରିକା ବର୍ତ୍ତମାନ ଧିରେ ଧିରେ କର୍ପୋରେଟ ଟିକସ ହାର ହ୍ରାସ କରୁଛି। ଅନ୍ତର୍ଜାତୀୟ ବଜାରକୁ ନଜରରେ ରଖି ଘରୋଇ ବଜାରରେ ମଧ୍ୟ ଏହି ଭଳି ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।
ଏନ୍ଆଇଟିଟିଟିଆର୍ ଚଣ୍ଡିଗଡ ସିଭି ରମଣ ଇଞ୍ଜିନିୟରିଂ କଲେଜ୍, ମଧ୍ୟରେ ଚୁକ୍ତି
ଭୁବନେଶ୍ୱର,୧୧-୧ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧିନସ୍ଥ ଶିକ୍ଷକ ତାଲିମ ପ୍ରତିଷ୍ଠାନ ଏନ୍ଆଇଟିଟିଟିଆର୍, ଚଣ୍ଡିଗଡ ଏବଂ ସି.ଭି.ରମଣ ଇଞ୍ଜିନିୟରିଂ କଲେଜ୍, ଭୁବନେଶ୍ୱର ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଏନ୍ଆଇଟିଟିଟିଆର ନିର୍ଦ୍ଦେଶକ ଡ. ଶ୍ୟାମସୁନ୍ଦର ପଟ୍ଟନାୟକ ଏବଂ ସି.ଭି.ରମଣ ଇଞ୍ଜିନିୟରିଂ କଲେଜ୍ର ଚେୟାରମ୍ୟାନ ସଞ୍ଜୀବ କୁମାର ରାଉତଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।

ଗୁଣବତ୍ତା କ୍ଷେତ୍ରରେ ଓମ୍ଫେଡ୍କୁ ଆଇଏସ୍ଓ ପ୍ରମାଣପତ୍ର
ଭୁବନେଶ୍ୱର,୧୧।୧ ଦି ଓଡିଶା ଷ୍ଟେଟ୍ କୋ-ଓପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ ଲିମିଟେଡ୍(ଓମ୍ଫେଡ୍)ର ସମସ୍ତ ଡାଏରିକୁ ଆଇଏସ୍ଓ ୨୨୦୦୦-୨୦୦୫ ପ୍ରମାଣପତ୍ର ମିଳିଛି। ଓମ୍ଫେଡ୍ ପ୍ରସ୍ତୁତ କରୁଥିବା ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ଖାଦ୍ୟ ନିରାପତ୍ତା ଓ ସୁରକ୍ଷା ପରିଚାଳନା ପଦ୍ଧତିକୁ ଅନୁସରଣ କରି ଏହି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ବଜାରରେ ନୂଆ ଡିସକଭର ୧୧୦, ୧୨୫
ନୂଆଦିଲ୍ଲୀ,୧୧-୧ ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ବଜାଜ ଅଟୋ ଲିମିଟେଡ୍ ପକ୍ଷରୁ ନୂଆ ପ୍ରିମିୟମ ଏକଜେକ୍ୟୁଟିଭ୍ ଡିସକଭର ୧୧୦, ଡିସକଭର ୧୨୫ ବଜାର ପ୍ରବେଶ ଘୋଷଣା କରାଯାଇଛି। ଏହି ନୂଆ ମଡେଲରେ ଗ୍ରାହକମାନେ ଷ୍ଟାଇଲିସ ଲୁକ୍ସ, ପାଓ୍ବାରଫୁଲ ପରଫରମାନ୍ସ, ଫାଷ୍ଟ ଇନ୍ କ୍ଲାସ ଡବଲ ଡିଆରଏଲ ଏଲଇଡି ହେଡଲ୍ୟାମ୍ପ, ଭଳି ଅନ୍ୟାନ୍ୟ ପ୍ରମୁଖ ବୈଶିଷ୍ଟ୍ୟ ଲାଭ କରିବାକୁ ସକ୍ଷମ ହୋଇ ପାରିବେ।

ଏଫ୍ଡିଆଇ ନୀତି କୋହଳ
ନୂଆଦିଲ୍ଲୀ,୧୦-୧(ପି.ଟି.) ଆଗକୁ ବଜେଟ ଥିବାବେଳେ ଏହା ପୂର୍ବରୁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ(ଏଫ୍ଡିଆଇ) ନୀତିରେ ବଡ ଧରଣର ପରିବର୍ତ୍ତନ ଆଣିଛନ୍ତି। ନିଷ୍ପତ୍ତି ଅନୁଯାୟୀ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର୍ ଇଣ୍ଡିଆରେ ବିଦେଶୀ ଏୟାର୍ଲାଇନ୍ସଗୁଡିକ ୪୯% ପର୍ଯ୍ୟନ୍ତ ନିବେଶ କରିପାରିବେ। ଏହାସହିତ ସିଙ୍ଗଲ୍ ବ୍ରାଣ୍ଡ ରିଟେଲ୍, ନିର୍ମାଣ ଏବଂ ପାଓ୍ବାର୍ ଏକ୍ସଚେଞ୍ଜଗୁଡିକରେ ନିବେଶ ପାଇଁ ଥିବା ଏଫ୍ଡିଆଇ ନିୟମକୁ କୋହଳ କରାଯାଇଛି।