ସମ୍ପାଦକୀୟ

ଏଇ ଭାରତରେ

ଶାରୀରିକ ଓ ମାନସିକ ଭିନ୍ନକ୍ଷମ ଛାତ୍ରୀଛାତ୍ର ପରୀକ୍ଷା ଦେବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବିଶେଷକରି ଦୃଷ୍ଟିହୀନ ଓ ମାନସିକ ସ୍ତରରେ ଦୁର୍ବଳ ଥିବା ପରୀକ୍ଷାର୍ଥୀଙ୍କ ଖାତାରେ ଲେଖିବା ପାଇଁ ଲେଖକଙ୍କୁ ଅନୁମତି ଦିଆଯାଇଥାଏ। ପରୀକ୍ଷାର୍ଥୀ ଯାହା ଡାକନ୍ତି ଲେଖକ ତାହା ଖାତାରେ ଲେଖିଥାନ୍ତି। କର୍ନାଟକ ରାଜଧାନୀ ବାଙ୍ଗାଲୋରଠାରେ ଏନ୍‌ ଏମ୍‌ ପୁଷ୍ପା ପ୍ରେୟା ନାମ୍ନୀ ଜଣେ ମହିଳା ୧୦ ବର୍ଷ ମଧ୍ୟରେ ୬୫୭ଟି ପରୀକ୍ଷାରେ ଅନ୍ୟମାନଙ୍କ ପାଇଁ ଲେଖି ଉଦାହରଣ ପାଲଟିଛନ୍ତି।

କଶ୍ମୀର ହିଂସା

କଶ୍ମୀର ହିଂସା

ଆକାର ପଟେଲ/ ମୁଁ କଶ୍ମୀର ହିଂସା ବିଷୟରେ ଲେଖୁଛି ଏବଂ ବିଶେଷତଃ ଭାରତୀୟ ତରୁଣମାନଙ୍କୁ ସମ୍ବୋଧିତ କରିବାକୁ ଚାହୁଁଛି, ଯେଉଁମାନେ ଏକପାଖିଆ କାହାଣୀ ଶୁଣିଛନ୍ତି। ଗତ କିଛିଦିନ ହେଲା କଶ୍ମୀରର ତିନିଜଣ ଲୋକଙ୍କୁ ହତ୍ୟାକରିବା ଅଭିଯୋଗରେ କେତେକ ସେନା କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିବାକୁ କେନ୍ଦ୍ର କରି କ୍ରୋଧ ଓ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିକ୍ରିୟାରେ ସୈନିକମାନଙ୍କର କେତେକ ପିଲା ମଧ୍ୟ ପଦକ୍ଷେପ ନେବା ପାଇଁ ଆଗେଇ ଆସିଛନ୍ତି। ଯବାନଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦିଆଯିବା ଏବଂ ପଥର ଫିଙ୍ଗାଳିଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବା ଯେତେବେଳେ ଜମ୍ମୁ-କଶ୍ମୀରରେ ଏକ ସରଗରମ ପ୍ରସଙ୍ଗରେ ପରିଣତ ହୋଇଛି, ସେତେବେଳେ ଦୁଇଜଣ ସେନା ଅଧିକାରୀଙ୍କ ପିଲା ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଯବାନଙ୍କ ମାନବାଧିକାର ସୁରକ୍ଷା ପାଇଁ ଦାବି କରିଛନ୍ତି, କାରଣ ପଥର ଫିଙ୍ଗାଳିଙ୍କ ଦ୍ୱାରା ଏହି ଅଧିକାର ପ୍ରତିଦିନ ଉଲ୍ଲଂଘନ ହେଉଛି। ପ୍ରୀତି, କାଜଲ ଓ ପ୍ରଭବ ହେଉଛନ୍ତି ଦୁଇଜଣ ଲ୍ୟୁଟନାଣ୍ଟ କଲୋନେଲ ଓ ଜଣେ ଅବସରପ୍ରାପ୍ତ ନାଏବ ସୁବେଦାରଙ୍କ ଝିଅପୁଅ। ସେମାନେ ଜାତୀୟ ମାନବାଧିକାର କମିଶନ ମୁଖ୍ୟ ଜଷ୍ଟିସ୍‌ ଏଚ୍‌.ଏଲ୍‌. ଦତ୍ତୁଙ୍କ ଆଗରେ ଯେଉଁ ଅଭିଯୋଗ ଦାଖଲ କରିଛନ୍ତି, ସେଥିରେ କମିଶନ ତଥା ଆମ୍‌ନେଷ୍ଟି ଇଣ୍ଟରନ୍ୟାଶ୍‌ନାଲ ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କ ମାନବାଧିକାର ସୁରକ୍ଷା ନେଇ ଯେଉଁ ପଦକ୍ଷେପ ନିଆଯାଉଛି, ତାକୁ ସ୍ବାଗତ କରିଛନ୍ତି। କିନ୍ତୁ ପଥର ଫିଙ୍ଗାଳିମାନଙ୍କ ଦ୍ୱାରା ସେନା କର୍ମଚାରୀଙ୍କ ଜୀବନ ପ୍ରତିଦିନ ବିପନ୍ନ ହେଉଥିଲେ ମଧ୍ୟ ମାନବାଧିକାର ସଂସ୍ଥା ତାହାକୁ ଅଣଦେଖା କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ, ସ୍ବାଧୀନତା ପରଠାରୁ ଜମ୍ମୁ-କଶ୍ମୀରରେ ଏକ ପ୍ରକାର ଛୋଟକାଟର ଯୁଦ୍ଧ ଚାଲିଛି ଏବଂ ରାଜ୍ୟର ଆଇନଶୃଙ୍ଖଳା ରକ୍ଷା କରିବା ଓ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସେନା ମୁତୟନ ସହ ଆଫ୍‌ସ୍ପା ଆଇନ ଲାଗୁ କରାଯାଇଛି। ...

ପରୋପକାରଃ ସ୍ବର୍ଗାୟ

ପରୋପକାରଃ ସ୍ବର୍ଗାୟ

ପ୍ରକାଶ ତ୍ରିପାଠୀ/ ଗତ ଏପ୍ରିଲ ମାସର କଥା। ସମୟ ପୂର୍ବାହ୍ନ ସାଢେ ଏଗାରଟା। ମୁଣ୍ଡଫଟା ଖରା ସାଙ୍ଗକୁ ଗରମପବନରେ ଦେହ-ମୁହଁ ପୋଡିଯାଉଥାଏ। ରାମ ମନ୍ଦିର ଛକରୁ ବାଣୀବିହାର ରାସ୍ତାରେ ମୁଁ ଯାଉଥାଏ। ରୁପାଲିଛକ ଟ୍ରାଫିକରେ ଅଟକିବାକୁ ପଡିଲା। ମୋର ଡାହାଣପଟେ ଗୋଟିଏ ବାଇକ ଅଟକିଲା। ସେଥିରେ ବସିଥାନ୍ତି ଦୁଇଜଣ ଯୁବକ। ବୟସ ଅତି ବେଶି ହେଲେ କୋଡିଏ କିମ୍ବା ଏକୋଇଶ ହେବ। କାନ୍ଧରେ ଏକ ଝୁଲାମୁଣି ଓ ହାତରେ କେତୋଟି ଲମ୍ବା ଡଟ୍‌ପେନ୍‌ ଧରି ଜଣେ ବୃଦ୍ଧା ସେହି ଯୁବକଦ୍ୱୟଙ୍କୁ ଡଟ୍‌ପେନ୍‌ କିଣିବାକୁ ଅନୁରୋଧ କଲେ। ଆଜିକାଲି ଟ୍ରାଫିକ ପୋଷ୍ଟ ପାଖରେ ବହୁ ଜିନିଷ କିଣିବାକୁ ମିଳୁଛି। ବାଇକ ପଛରେ ବସିଥିବା ଯୁବକ ଜଣକ ପଚାରିଲେ-ମାଉସୀ, ତୁମ ପାଖରେ ଥିବା ସବୁ ଡଟ୍‌ପେନ୍‌ ମୋତେ ଦେଇଦିଅ ଓ କେତେଟଙ୍କା ଦେବି ଶୀଘ୍ର କୁହ। ବୃଦ୍ଧା ଜଣକ ନିଜ ଝୁଲାମୁଣିରେ ଥିବା ସମସ୍ତ ପ୍ୟାକେଟ ଓ ହାତରେ ଧରିଥିବା ପେନ୍‌ ତକ ଯୁବକଙ୍କୁ ଧରାଇଦେଇ ୯୮୦ ଟଙ୍କା ହେଉଛି ବୋଲି କହିଲେ। ତତ୍‌କ୍ଷଣାତ୍‌ ନିଜ ପର୍ସରୁ ଦୁଇଟି ପାଞ୍ଚଶହ ଟଙ୍କିଆ ନୋଟ୍‌ କାଢି ବୃଦ୍ଧାଙ୍କୁ ଧରାଇଦେଲେ ଓ ବଳକା ଟଙ୍କାରେ ସେ ଅନ୍ୟ କେଉଁଦିନ ପେନ୍‌ ନେଇଯିବେ ବୋଲି ଯୁବକ ଜଣକ କହିଲାବେଳକୁ ଟ୍ରାଫିକ ପୋଷ୍ଟରେ ଗ୍ରୀନ୍‌ ଲାଇଟ ଜଳିସାରିଥିଲା। ରୁପାଲିଛକରୁ କିଛିବାଟ ମୁଁ ସେହି ଯୁବକଦ୍ୱୟଙ୍କ ବାଇକ ସହ ସମାନ୍ତରାଳ ଭାବେ ଗାଡି ଚଳାଇଥିଲି ଓ ପେନ୍‌ କିଣା ପରବର୍ତ୍ତୀ ସେମାନଙ୍କର କଥୋପକଥନ ଶୁଣିବାକୁ ଚେଷ୍ଟା କଲି। ସେମାନଙ୍କ କଥା ଶୁଣି ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ଏତେ ଛୋଟ ବୟସରେ ଏତେ ଉତ୍କୃଷ୍ଟ ଚିନ୍ତା, ଉନ୍ନତ ଭାବନା। ସେମାନଙ୍କ କଥାବାର୍ତ୍ତାର ସାରାଂଶ ଥିଲା ଏହିପରି। ଏପ୍ରିଲ ମାସ ଖରାରେ ଫ୍ୟାନ୍‌ ତଳେ ଘରେ ରହିହେଉନି। ସତୁରିବର୍ଷର ବୁଢ଼ୀଟିଏ କିପରି ଗୋଟିଏ ଛକ ଉପରେ ବିନା ଛତାରେ ଠିଆହୋଇ ଟ୍ରାଫିକରେ ଅଟକୁଥିବା ଯାତ୍ରୀମାନଙ୍କୁ ଡଟ୍‌ପେନ୍‌ ବିକ୍ରି କରିପାରୁଛି। ଗୋଟିଏ ଦିନ ପାଇଁ ହେଲେ ମଧ୍ୟ ସମସ୍ତ ଡଟ୍‌ପେନ୍‌ କିଣିନେଇ ବୃଦ୍ଧାଙ୍କୁ ବିଶ୍ରାମ କରାଇବାକୁ ପରୋକ୍ଷ ଭାବେ ବାଧ୍ୟ କରିଥିଲେ ଯୁବକ। ହଜାର ଟଙ୍କାର ଡଟ୍‌ପେନ୍‌କୁ ସେ ନିଜ କଲେଜ ହଷ୍ଟେଲର ଅନ୍ତେବାସୀମାନଙ୍କୁ ଦେଇ ପଇସା ଫେରିପାଇଯିବେ। ସାଙ୍ଗମାନେ ନିଜ ରୁମ୍‌ରେ ରହି ପେନ୍‌ ପାଇପାରିଲେ, ଯୁବକ ଜଣକ ନିଜ ପଇସା ବି ଫେରିପାଇଲେ ଓ ଖରାରେ ଦିନଯାକ ଠିଆହୋଇ ପେନ୍‌ ବିକୁଥିବା ବୃଦ୍ଧା ବି ଖରାଜନିତ ଯନ୍ତ୍ରଣାରୁ ଗୋଟିଏ ଦିନ ମୁକ୍ତି ପାଇଗଲେ। ବାଃ, କି ଚମତ୍କାର ଚିନ୍ତାଧାରା। ଯୁବକ ଜଣକ କାହାକୁ କିଛି ଦାନ କରିନାହାନ୍ତି। କେବଳ ଏକ ମହତ୍‌ ଉଦ୍ଦେଶ୍ୟରେ ଜଣେ ସତୁରିବର୍ଷର ବୃଦ୍ଧାଙ୍କୁ ଛୋଟ ଉପକାରଟିଏ କରିଛନ୍ତି। ...

କ୍ରୀଡ଼ା ପ୍ରଶାସିକା

କ୍ରୀଡ଼ା ପ୍ରଶାସିକା

ବ୍ୟକ୍ତିତ୍ୱ-ଜିତେନ୍ଦ୍ର/ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ହେବା ପାଇଁ ଦରକାର କଠୋର ଅଧ୍ୟବସାୟ। ଜୀବନରେ ଯେଉଁମାନେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଆଗେଇ ଚାଲିଥାନ୍ତି, ସେହିମାନେ ହିଁ ସଫଳତା ପାଇଥାନ୍ତି। ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ତଥା ପେପ୍‌ସିକୋ ଅଧ୍ୟକ୍ଷା ଇନ୍ଦ୍ରା ନୁୟି ଏବେ ଚର୍ଚ୍ଚାକୁ ଆସିଛନ୍ତି। ବ୍ୟବସାୟିକ ସଂସ୍ଥାର ମୁଖ୍ୟ ଭାବେ ନୁହେଁ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ପ୍ରଥମ ସ୍ବାଧୀନ ମହିଳା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇବା ପରେ ତାଙ୍କ ବ୍ୟକ୍ତିତ୍ୱ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରିଛି। ଆଇସିସିର ନିୟମ ଅନୁଯାୟୀ ସ୍ବାଧୀନ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଦୁଇ ବର୍ଷ। ଅବଧି ବଢ଼ାଯାଇ ଜଣେ ଏହି ପଦବୀରେ ୬ ବର୍ଷ ରହିପାରିବାର ବ୍ୟବସ୍ଥା ରହିଛି। ନୁୟିଙ୍କ ନିଯୁକ୍ତି ପରେ ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହର କହିଛନ୍ତି ଯେ ତାଙ୍କ ଭଳି ଜଣେ ଦକ୍ଷ ମହିଳା ଅନ୍ତର୍ଜାତୀୟ କ୍ରିକେଟ ପ୍ରଶାସନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଇନ୍ଦ୍ରା କ୍ରିଷ୍ଣାମୂର୍ତ୍ତି ନୁୟି ୧୯୫୫ ଅକ୍ଟୋବର ୨୮ରେ ତାମିଲନାଡୁ ରାଜଧାନୀ ମାଡ୍ରାସର ଏକ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିଲେ। ହୋଲି ଏଞ୍ଜେଲ୍‌ ଆଙ୍ଗ୍‌ଲୋ ଇଣ୍ଡିଆନ୍‌ ହାୟର ସେକେଣ୍ଡାରୀ ସ୍କୁଲରୁ ପଢ଼ା ସାରି ମାଡ୍ରାସ ଖ୍ରୀଷ୍ଟିଆନ୍‌ କଲେଜରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ୧୯୭୬ରେ କଲିକତାସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ (ଆଇଆଇଏମ୍‌)ରୁ ଏମ୍‌ବିଏ ଡିଗ୍ରୀ ଅର୍ଜନ କରିଥିଲେ। ବୃତ୍ତିଗତ ଶିକ୍ଷାରେ ଉତ୍କର୍ଷ ଲାଭ କରିବା ପରେ ସେ ଭାରତରେ ଜନ୍‌ସନ ଆଣ୍ଡ୍‌ ଜନ୍‌ସନ ଏବଂ ବୟନ କମ୍ପାନୀ ମେଟୁର ବର୍ଡସେଲ୍‌ରେ ପ୍ରଡକ୍ଟ ମ୍ୟାନେଜର ପଦବୀରେ ଅବସ୍ଥାପିତ ହୋଇଥିଲେ। ୧୯୭୮ରେ ଆମେରିକାର ୟେଲ୍‌ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟରେ ନାମ ଲେଖାଇ ପବ୍ଲିକ୍‌ ଆଣ୍ଡ୍‌ ପ୍ରାଇଭେଟ ମ୍ୟାନେଜମେଣ୍ଟ ଡିଗ୍ରୀ କରିଥିଲେ। ପରେ ବୁଜ୍‌ ଏଲେନ୍‌ ହାମିଲ୍‌ଟନରେ ଇଣ୍ଟର୍ନଶିପ୍‌ କରିବାର ସୁଯୋଗ ପାଇଥିଲେ। ୧୯୮୦ରେ ନୁୟି ବୋଷ୍ଟନ କନ୍‌ସଲ୍ଟିଂ ଗ୍ରୁପ୍‌ (ବିସିଜି)ରେ ଯୋଗଦେଇଥିଲେ। ବାଣିଜ୍ୟ ଦୁନିଆର ବିଭିନ୍ନ ବିଭାଗରେ ଅଭିଜ୍ଞତା ହାସଲ କରିଚାଲିଥିବା ନୁୟି ମୋଟୋରୋଲା ଓ ବ୍ରାଉନ୍‌ ବେଭେରିର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମଣ୍ଡନ କରି ଜଣେ କର୍ପୋରେଟ ମହିଳା ଭାବେ ପାରଦର୍ଶିତା ଲାଭ କରିଥିଲେ। ୧୯୯୪ରେ ତାଙ୍କୁ ପେପ୍‌ସିକୋରେ ଯୋଗଦେବାର ସୁଯୋଗ ମିଳିଥିଲା। ୨୦୦୧ରେ ସେ ଏହାର ସିଏଫ୍‌ଓ ହୋଇଥିଲେ। ତେବେ ୨୦୦୬ରେ ଷ୍ଟିଭେନ୍‌ ରିନେମଣ୍ଡ୍‌ଙ୍କ ସ୍ଥାନରେ ନୁୟି ପେପ୍‌ସିକୋର ଅଧ୍ୟକ୍ଷା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦବୀକୁ ଉନ୍ନୀତ ହୋଇଥିଲେ। କାର୍ଯ୍ୟ ପ୍ରତି ଐକାନ୍ତିକ ନିଷ୍ଠା ବ୍ୟବସାୟିକ ଦୁନିଆରେ ତାଙ୍କୁ ପ୍ରସିଦ୍ଧି ଆଣିଦେଇଥିଲା। ଫଳରେ ୨୦୧୪ରେ ଫର୍ଚୁନ୍‌ ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ତୃତୀୟ ଶ୍ରେଷ୍ଠ କ୍ଷମତାଶାଳୀ ମହିଳା ହେବାର ଗୌରବ ଅର୍ଜନ କରିଥିଲେ। କେବଳ ସେତିକି ନୁହେଁ, ବିଭିନ୍ନ ସମୟରେ ଫୋର୍ବସ ପତ୍ରିକାଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରରେ ବହୁ ପୁରସ୍କାର ଓ ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି। ...

ଏଇ ଭାରତରେ

ଏଇ ଭାରତରେ

ସରକାରଙ୍କ ଆଧାର ଭୂତ ସମ୍ଭବତଃ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଘାରିଛି। ସୁପ୍ରିମକୋର୍ଟରେ ଆଧାର ମାମଲା ଝୁଲୁଥିବାବେଳେ ସରକାର ସର୍ବତ୍ର ଏହାକୁ ପ୍ରାୟତଃ ବାଧ୍ୟତାମୂଳକ କରିସାରିଲେଣି। ଆଧାର ନମ୍ବର ସଂଯୋଗ ନ ହେଲେ କିମ୍ବା ଆଧାର କାର୍ଡ ନ ଦେଖାଇ କୌଣସି କାମ ହେଉନାହିଁ। ଏପରି କି ଅସହ୍ୟ ପ୍ରସବ କଷ୍ଟ ଭୋଗ କରୁଥିବା ମହିଳାଙ୍କୁ ମଧ୍ୟ ପ୍ରସୂତି କୋଠରିକୁ ଯିବାକୁ ଅନୁମତି ମିଳୁନାହିଁ । ଏମିତି ଘଟଣା ଘଟିଛି ଗୁର୍‌ଗାଓଁସ୍ଥିତ ଏକ ହସ୍ପିଟାଲରେ। ଆଧାର କାର୍ଡ ନ ଥିବାରୁ ଜଣେ ଆସନ୍ନପ୍ରସବାଙ୍କୁ ପ୍ରସୂତି ଗୃହକୁ ପଶାଇ ଦିଆ ନ ଯିବାରୁ ସେ ଡାକ୍ତରଖାନାର ଜରୁରିକାଳୀନ ଓ୍ବାର୍ଡ ବାହାରେ ସନ୍ତାନ ଜନ୍ମ ଦେଇଛନ୍ତି। ଶନିବାର ସକାଳେ ମୁନି କଓ୍ବୋଟ ନାମକ ଜଣେ ମହିଳା ପ୍ରସବ କଷ୍ଟ ପାଇ ଉକ୍ତ ହସ୍ପିଟାଲକୁ ଆସିଥିଲେ। ଲେବର ରୁମ୍‌ରେ ତାଙ୍କୁ ଭର୍ତ୍ତି କରିବା ସକାଶେ ଡାକ୍ତର ଆଧାର କାର୍ଡ ଦେଖାଇବାକୁ ବାଧ୍ୟ କରିଥିଲେ। ମାତ୍ର ତାଙ୍କ ନିକଟରେ ଆଧାର କାର୍ଡ ନ ଥିଲା। ମୁନିଙ୍କ ସ୍ବାମୀ ଅରୁଣ ଆଧାର ନମ୍ବର ଦେଇପାରିବେ ବୋଲି କହିଥିଲେ ଏବଂ ପରେ ଆଧାରକାର୍ଡର ନକଲ ଦାଖଲ କରିଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଦାୟିତ୍ୱରେ ଥିବା ଡାକ୍ତର ଓ ନର୍ସ ତାହା ମାନିଲେ ନାହିଁ। କାର୍ଡର ଜେରକ୍ସ କପି ଦରକାର ବୋଲି ଡାକ୍ତର ଅଡିବସିଲେ। ଶେଷରେ ଅରୁଣ ତାଙ୍କ ଆଧାରକାର୍ଡର ନକଲ ଆଣିବା ସକାଶେ ନିକଟବର୍ତ୍ତୀ ଏକ କମ୍ପ୍ୟୁଟର ଦୋକାନକୁ ଯାଇଥିଲେ। ଏହି ସମୟରେ ହିଁ ମୁନି ଜରୁରିକାଳୀନ ଓ୍ବାର୍ଡ ସମ୍ମୁଖରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସେଠାରେ ଉପସ୍ଥିତ ଅନ୍ୟ ଲୋକମାନେ ଏ ସମ୍ପର୍କରେ ଗୁର୍‌ଗାଓଁ ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ସେହି ଡାକ୍ତର ଓ ନର୍ସଙ୍କୁ ନିଲମ୍ବିତ କରାଯାଇଛି।

କ୍ଷେତ୍ରାଧିକାର ଲଢ଼େଇ

କ୍ଷେତ୍ରାଧିକାର ଲଢ଼େଇ

ଦିଲ୍ଲୀକା ବାବୁ-ଦିଲୀପ ଚେରିଏନ୍‌/ ମହାରାଷ୍ଟ୍ରରେ ପରିବହନ କମିଶନର ଓ ଅବକାରୀ କମିଶନର ପଦବୀକୁ ନେଇ ଦୁଇମାସ ହେଲା ଆଇଏଏସ୍‌ ଓ ଆଇପିଏସ୍‌ ଲବି ମଧ୍ୟରେ ଲଢ଼େଇ ଲାଗି ରହିଛି। ଆଇପିଏସ୍‌ ଲବି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କୁ ଦେଇଥିବା ବିବୃତି ଅନୁସାରେ, ଅନ୍ୟ କେତେକ ରାଜ୍ୟ ପରି ଏହି ପଦବୀଗୁଡ଼ିକରେ ଆଇପିଏସ୍‌ ଅଫିସର ନିଯୁକ୍ତି ପାଇବା ଉଚିତ। କିନ୍ତୁ ଆଇଏଏସ୍‌ ଲବି ଦଖଲ ଛାଡ଼ିବାକୁ ନାରାଜ। ସୂଚନା ଅନୁସାରେ, ଦୁଇମାସ ତଳେ ପୋଲିସ ମହାନିର୍ଦ୍ଦେଶକ ସତୀଶ ମାଥୁର ଆଇପିଏସ୍‌ ଅଫିସରଙ୍କ ନିଯୁକ୍ତି ସପକ୍ଷରେ ପ୍ରସ୍ତାବ ଦେଇଥିଲେ। ମାଥୁରଙ୍କ ଯୁକ୍ତି ଥିଲା ପରିବହନ ଓ ଅବକାରୀ ଉଭୟ ସେବା ଏକା ପ୍ରକାରର, ପୋଲିସ ସେବା ପରି। ଏଥିରେ ମଧ୍ୟ ଆଇନଶୃଙ୍ଖଳା ରକ୍ଷା କରିବାକୁ ପଡ଼ିଥାଏ। ତେଣୁ ଆଇନଶୃଙ୍ଖଳା ରକ୍ଷାର ଅଭିଜ୍ଞତା ଥିବା ଅଫିସରଙ୍କ ଦ୍ୱାରା ଏହି ବିଭାଗଗୁଡ଼ିକ ଅଧିକ ଭଲ ଭାବରେ ପରିଚାଳିତ ହୋଇପାରିବ। କିନ୍ତୁ ଆଇଏଏସ୍‌ ଲବି ନିଜ କ୍ଷେତ୍ରାଧିକାରକୁ ସୁରକ୍ଷା ଦେବାକୁ ସତତ ଚେଷ୍ଟିତ। ତାଙ୍କର ଯୁକ୍ତି ହେଲା, ଯେହେତୁ ପରିବହନ ଓ ଅବକାରୀ କମିଶନର ପଦବୀ ଆଇଏଏସ୍‌ ଅଫିସରଙ୍କୁ ଦିଆଯାଇଛି, ଏଥିରେ କିଛି ପରିବର୍ତ୍ତନ କରିବାକୁ ହେଲେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)ର ଅନୁମତି ଦରକାର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ପ୍ରସଙ୍ଗରେ ସତର୍କତାର ସହ ପଦକ୍ଷେପ ନେଉଛନ୍ତି। ତେବେ ପ୍ରୋଟୋକଲ ବିଭାଗରେ ଜଣେ ଆଇପିଏସ୍‌ ଅଫିସରଙ୍କ ପାଇଁ ଏକ ପଦବୀ ସୃଷ୍ଟି କରିବା ଏବଂ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରରେ ଜଣେ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କୁ ନିଯୁକ୍ତି ଦେବା ପ୍ରସ୍ତାବ ଗୃହୀତ ହୋଇସାରିଛି। ...

ଶିବଙ୍କ ସାପ

ଶିବଙ୍କ ସାପ

ମନମାନଚିତ୍ର-ଡ. ନରହରି ବେହେରା/ ଶିବଙ୍କ ପରିବାରକୁ ଦେଖି କେହି ଜଣେ ପଣ୍ଡିତ ନିଜ ମଗଜରୁ ଶ୍ଳୋକଟିଏ ଲେଖିଥିଲେ- ‘ସ୍ମାରଂ ସ୍ମାରଂ ସ୍ବଗୃହଚରିତଂ ଶିଳାଭୂତୋ ମହେଶଃ।’ ଅର୍ଥାତ୍‌ ଘର ଭିତରେ ବିଭିନ୍ନ ବିପରୀତଧର୍ମୀ ଚରିତ୍ରମାନଙ୍କ ବିଷୟରେ ଚିନ୍ତା କରି କରି କାଳେ ଶିବ ମହାପୁରୁ ପଥର ପାଲଟିଗଲେଣି। ଶିବଙ୍କ ଗଳାରେ ସାପ, ତାଙ୍କ ବାହନ ବୃଷଭ, ମାଆ ପାର୍ବତୀଙ୍କ ବାହନ ସିଂହ, ସାନପୁଅ ଗଣେଶଙ୍କ ବାହନ ମୂଷା ପୁଣି ବଡ଼ପୁଅ କାର୍ତ୍ତିକେୟଙ୍କ ବାହନ ମୟୂର ଗୋଟିଏ ପରିବାର ଭିତରେ ଅଛନ୍ତି। ସାପ-ମୂଷା, ବୃଷଭ-ସିଂହ ଏବଂ ମୟୂର-ସାପ ମଧ୍ୟରେ ଖାଦ୍ୟ-ଖାଦକ ସମ୍ପର୍କ। ସେମାନେ ପରସ୍ପରର ଶତ୍ରୁ। ତେଣୁ ଏମାନଙ୍କୁ ସମ୍ଭାଳିବା ବହୁତ କଷ୍ଟକର ବ୍ୟାପାର। ଆମ ଘରେ ଗୋଟିଏ ରକ୍ତର ହୋଇ ବି ଭାଇଭଉଣୀ, କକାଖୁଡ଼ୀଙ୍କ ସହିତ ପ୍ରତ୍ୟେକ ଦିନ ମାରପିଟ୍‌ କଳିତକରାଳ ଲାଗୁଛି। ଶିବ ତାଙ୍କ ପରିବାରରେ ଏପରି ବିରୋଧୀ ଚରିତ୍ରଗୁଡ଼ିକ କଥା ଭାବି ଭାବି ଚିନ୍ତାରେ ପଥର ପରି ନିଶ୍ଚୟ ହୋଇ ଯାଉଥିବେ। ପଣ୍ଡିତଙ୍କ ମଗଜ ପରି ଆମର ବହଳିଆ ମଗଜ ନାହିଁ। ଆମେ ଜାଣୁ, ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନାକରି ସୁଖରେ ଜିଇବା ହିଁ ମହାପୁରୁଷଙ୍କର ଧର୍ମ- ଜଗତ୍‌ବାସୀଙ୍କୁ ଏ ଶିକ୍ଷା ଦେବା ପାଇଁ ଶିବ ମହାପୁରୁଙ୍କର ହିଁ ଏହି ପରିବାର। ଶିବ ତ ଭୋଳା ଲୋକ। ଜପଧ୍ୟାନରେ ତାଙ୍କର ମନ। ସେ କାହିଁକି ବା ଏମିତି ବାଉଳା ହେବେ? ସେ ତ ସ୍ଥିର ଧ୍ୟାନମଗ୍ନ। ଶିବବାବା ସିନା ସ୍ଥିର ହେଲେ ତାଙ୍କ ଗଳାରେ ଥିବା ସାପଟା ସବୁବେଳେ ଏଣେତେଣେ ଚାହିଁ ଫଁ ଫଁ ହେଉଥାଏ। ଏମିତି ହେବା ସ୍ବାଭାବିକ। ସେ ପରା ଶିବଙ୍କର ସାପ! ପଣ୍ଡିତେ ଆଜ୍ଞା ସିନା ଶିବଙ୍କ କଥା ଲେଖିପକାଇଲେ ହେଲେ ତାଙ୍କ ଗଳାରେ ଥାଇ ନିଜର ବହପ ଦେଖାଉଥିବା ସାପ କଥାଟିକୁ ଭୁଲିଗଲେ। ଓଲଟି ସେ ପ୍ରଶ୍ନ କରିପାରନ୍ତି ସାପ ତ ସାପ ଫେର୍‌ ଏ ଶିବଙ୍କ ସାପ କ’ଣ ଯେ ତାଙ୍କ ବିଷୟରେ ପୁଣି ଲେଖିବୁ? ଆମେ ଜାଣୁ ଦେଶ ବିଦେଶରେ ଅନେକ ପ୍ରଜାତିର ସାପ ଅଛନ୍ତି। ସେମାନେ ସମସ୍ତେ ଶିବଙ୍କ ଗଳାରେ ସ୍ଥାନ ପାଇ ନାହାନ୍ତି। ତେଣୁ ସେମାନେ ଶିବଙ୍କ ସାପ ହୋଇ ନ ପାରି ଭୟରେ କୋଉ ଗାତ କି ଗଛ କୋରଡ଼ରେ ଜୀବନ ବିତାଉଛନ୍ତି। କିନ୍ତୁ ଯେଉଁମାନେ ଶିବଙ୍କ ଦୟାରୁ ତା’ଙ୍କ ଗଳାରେ ସ୍ଥାନ ପାଇଗଲେ ସେମାନେ ଶିବଙ୍କ ସାପର ମାନ୍ୟତା ପାଇଗଲେ, ତାଙ୍କର ବହପ ବଢ଼ିଗଲା। ସେମାନେ କାହାକୁ ଡରିବେ କିଆଁ? ନିପଟ ମଫସଲରୁ ଆସି ହାକିମ କି ନାମକରା ଡାକ୍ତରଙ୍କ ଦୁଆର ଜଗୁଥିବା ନଡ଼ବଡ଼ିଆ ଟୋକାଟାଠାରୁ ଯେଉଁମାନେ ତା’ର ପାନଖିଆ ଦାନ୍ତ ଦେଖିଥିବେ, ଆଉ ତାଙ୍କଠାରୁ ଖିଙ୍କାରି ହୋଇ ମରମଜଳା କଥା ଶୁଣିଥିବେ ସେମାନେ ନିଶ୍ଚୟ ଏ ଶିବଙ୍କ ସାପ କଥା ଅନୁମାନ କରି ପାରୁଥିବେ। ସାଧାରଣ ମଣିଷ ସଂସ୍ପର୍ଶରେ ଆସି ଯଦି ଏ ଟୋକାଟା ଏପରି ବହପ ଦେଖାଇପାରେ, ସ୍ବୟଂ ମହାଦେବ, ବିଶ୍ୱକୁ ମୁହୂର୍ତ୍ତକ ମଧ୍ୟରେ ପାଉଁଶ କରିଦେବାର କ୍ଷମତା ଯାହାଙ୍କର ଅଛି, ତାଙ୍କ ଗଳାରେ ହାରପରି ଶୋଭାପାଉଥିବା ସାପବାପୁଡ଼ାର କି ବହପ ହେଉ ନ ଥିବ ଏକଥା ଅନୁମାନ କରିବା କଥା। ପଣ୍ଡିତେ ସିନା ଏତେବଡ଼ ଦୃଶ୍ୟଟାକୁ ଅଣଦେଖା କରିଦେଲେ, କିନ୍ତୁ ଓଡ଼ିଶାର କବିବର ରାଧାନାଥଙ୍କ ଆଖିରୁ ସେ ଦୃଶ୍ୟଟା ଖସିଗଲା ନାହିଁ। ସେ ଦେଖିଲେ ଏବଂ ଲେଖିଲେ- ‘ଗରୁଡ଼ ଉପରେ ଦେଖାନ୍ତି ପ୍ରତାପ, ସେ ଯେଣୁ ଅଟନ୍ତି ଶିବଙ୍କର ସାପ।’ ...

ସତ୍‌ସଙ୍ଗ ଚାହେଁ ମଣିଷ

ସତ୍‌ସଙ୍ଗ ଚାହେଁ ମଣିଷ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ/ ଭାରତବର୍ଷକୁ ଧର୍ମଭୂମି ବା ଦେବଭୂମି କୁହାଯାଏ। ପ୍ରାଚୀନ ଭାରତୀୟ ସଂସ୍କୃତି ଥିଲା ଗୁରୁକୈନ୍ଦ୍ରିକ ବା ଆଦର୍ଶକୈନ୍ଦ୍ରିକ। ସେହି ଋଷିପ୍ରତୀମ ଗୁରୁମାନଙ୍କୁ ବାସ୍ତବ ଜୀବନରେ ଅନୁସରଣ କରି ଧର୍ମର ନୀତିନିୟମଗୁଡିକ ଭାରତୀୟମାନଙ୍କ ଜୀବନ ଏବଂ ଚରିତ୍ରରେ ବାସ୍ତବାୟିତ ହୋଇଉଠିଥିଲା। ଫଳରେ ସେମାନେ ସମ୍ପଦରେ, ସମୃଦ୍ଧିରେ, ଜ୍ଞାନରେ, ବିଜ୍ଞାନରେ, ଶୌର୍ଯ୍ୟ-ବୀର୍ଯ୍ୟରେ, ଆଚାର-ଆଚରଣରେ, ସର୍ବୋପରି ଚରିତ୍ରରେ ମହାନ୍‌ ହୋଇଉଠିଥିଲେ। କାରଣ ଧର୍ମ ହିଁ ଜୀବନକୁ ଧରି ରଖେ ଏବଂ ବୃଦ୍ଧିପଥରେ ନେଇଯାଏ, ତେଣୁ ଧର୍ମର ପାଳନ ଯଥାର୍ଥ ହେଲେ ଧର୍ମର ଅନୁଚର ଅର୍ଥାତ୍‌ ଅର୍ଥ, ଐଶ୍ୱର୍ଯ୍ୟ, ବୀର୍ଯ୍ୟ ଏବଂ ଅଭିବୃଦ୍ଧି ସ୍ବତଃ ହୋଇଉଠେ। ଆଜି କିନ୍ତୁ ଆମେ ଯେଉଁ ପୂଜାଉପାସନା ଏବଂ ଅନୁଷ୍ଠାନ-ସର୍ବସ୍ବ ଧର୍ମକୁ ସମ୍ବଳ କରିନେଇଛୁ, ତାହାକୁ ପ୍ରକୃତ ଧର୍ମର ସ୍ବରୂପ କୁହାଯାଇ ନ ପାରେ। ତେଣୁ ଆମର ଜୀବନ ଏବଂ ସମାଜର ଏହି ଦୟନୀୟ ଅବସ୍ଥାର ପରିବର୍ତ୍ତନ ପାଇଁ ବହୁ ଚିନ୍ତା କରି ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ମଣିଷର ବ୍ୟକ୍ତିଗତ, ପାରିବାରିକ ଏବଂ ସାମାଜିକ ଜୀବନରେ ଧର୍ମ ବା ଜୀବନବର୍ଦ୍ଧନର ନୀତିନିୟମଗୁଡିକ ବାସ୍ତବାୟିତ କରିବା ଉଦ୍ଦେଶ୍ୟରେ ସତ୍‌ସଙ୍ଗ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେ କହିଛନ୍ତି- ”ଧର୍ମ ଯଦି ନ ଫୁଟିଲା ତୋର ଜୀବନର ପ୍ରତି କର୍ମେ/ବାତିଲ କରି ରଖିଲୁ ତାକୁ, କି ହେବ ସେପରି ଧର୍ମେ?“ ଆମ ଜୀବନର ଛୋଟ ଛୋଟ କଥା ଭିତରେ ଲୁଚିରହିଛି ଧର୍ମର ପ୍ରକୃତ ତତ୍ତ୍ୱ। ଉଦାହରଣ ସ୍ବରୂପ ନିଜର ମାତାପିତାଙ୍କୁ ଶ୍ରଦ୍ଧା, ଭକ୍ତି, ସେବାଯତ୍ନ କଲେ ମଣିଷ ନିଜର କୃତଜ୍ଞତା ଧର୍ମ ପାଳନ କରି ଉନ୍ନତ ଜୀବନ ଓ ଚରିତ୍ରର ଅଧିକାରୀ ହୁଏ, କିନ୍ତୁ ମାତାପିତାଙ୍କୁ ଅବଜ୍ଞା ବା ଅବହେଳା କଲେ ଅକୃତଜ୍ଞତା ଦୋଷରୁ ତାହାର ଜୀବନ ଏବଂ ଚରିତ୍ରରେ ଅବକ୍ଷୟ ଘଟିଥାଏ। ଈଶ୍ୱର ହେଲେ ଧର୍ମସ୍ବରୂପ ଏବଂ ଈଶ୍ୱରାନତ ଆଚାର୍ଯ୍ୟ ବା ସଦ୍‌ଗୁରୁ ହିଁ ତାଙ୍କର ବ୍ୟକ୍ତମୂର୍ତ୍ତି। ଶ୍ରୀଶ୍ରୀଠାକୁର ସହଜ ଭାବରେ ପ୍ରତିଟି ମଣିଷକୁ ଜୀବନ ଧର୍ମର ଶିକ୍ଷା ଦେଇଛନ୍ତି- ପୁତ୍ରକନ୍ୟାଙ୍କୁ ଶିଖାଇଛନ୍ତି ପିତୃମାତୃ ଭକ୍ତି, ମାତାପିତାଙ୍କୁ ଶିଖାଇଛନ୍ତି ସନ୍ତାନଚର୍ଯ୍ୟା, ସ୍ତ୍ରୀକୁ ଶିଖାଇଛନ୍ତି ସ୍ବାମିନିଷ୍ଠା, ସ୍ବାମୀକୁ ଶିଖାଇଛନ୍ତି ପତ୍ନୀପ୍ରେମ, ଛାତ୍ରକୁ ଶିଖାଇଛନ୍ତି ଗୁରୁଭକ୍ତି, ଶିକ୍ଷକକୁ ଶିଖାଇଛନ୍ତି ଶିକ୍ଷକତା, କୃଷକକୁ କୃଷି, ବ୍ୟବସାୟୀକୁ ବ୍ୟବସାୟ, ନେତାକୁ ରାଜନୀତି, ରାଷ୍ଟ୍ରନୀତି, ଅର୍ଥନୀତି, ବୈଜ୍ଞାନିକକୁ ବିଜ୍ଞାନ, ଶାସକକୁ ଶାସନ, ବିଚାରକକୁ ବିଚାର, ଗୁରୁକୁ ଗୁରୁତ୍ୱ, ଶିଷ୍ୟକୁ ଶିଷ୍ୟତ୍ୱ, ତାପସକୁ ଶିଖାଇଛନ୍ତି ତପସ୍ୟା, ଅଧ୍ୟାତ୍ମବାଦୀକୁ ଅଧ୍ୟାତ୍ମଜ୍ଞାନ- ଏହିପରି ସମସ୍ତଙ୍କୁ ସବୁକିଛି। ତାଙ୍କର ଧର୍ମ-ଆନ୍ଦୋଳନ ହେଲା- ଏକ ଯୁକ୍ତିଯୁକ୍ତ, ବାସ୍ତବଧର୍ମୀ, ବିଜ୍ଞାନସମ୍ମତ, ଉଦାର, ପାରସ୍ପରିକ ପ୍ରୀତିସୌହାର୍ଦ୍ଦ୍ୟପୂର୍ଣ୍ଣ ମାନବିକତାର ଆନ୍ଦୋଳନ। ସେଥିରେ ସଂକୀର୍ଣ୍ଣ ସାମ୍ପ୍ରଦାୟିକତା ବା ଭେଦବୁଦ୍ଧିର ସ୍ଥାନ ନାହିଁ। ...

ଏଇ ଭାରତରେ

ଅବୋଧ ଶିଶୁର ଦରୋଟି ଓଠର ଖିଲିଖିଲି ହସ ଦେଖିବାକୁ ସୁନ୍ଦର। ଅବାଧ୍ୟ ଶିଶୁର ଅଝଟ, ଅଳିଅର୍ଦ୍ଦଳି ମଧ୍ୟ ମା’ ପାଇଁ ସୁଖ ଆଉ ସମ୍ପଦ। କିନ୍ତୁ ଶିଶୁ କୌଣସି କାରଣ ପାଇଁ ଯଦି ଅଝଟିଆ ହୋଇ କାନ୍ଦେ ତା’ ମନର କଥା ଆଉ ବ୍ୟଥାକୁ ବୁଝେ କିଏ? ମା’ ଛଡା ତା’ର ବା କିଏ ଅଛି ଅତି ଆପଣାର, ଅତି ନିଜର। କିନ୍ତୁ ଶିଶୁ କାନ୍ଦ କେତେକ ମା’ଙ୍କ ପାଇଁ ସମସ୍ୟାର କାରଣ ହୋଇଥାଏ। ସେଥିପାଇଁ ମା’ ଶତ୍ରୁ ପାଲଟିଯାଏ। ମା’ ଏତେମାତ୍ରାରେ ରାଗିଯାଏ ଯେ, ନିଜ ଛୁଆକୁ ମାରିଦେବାକୁ ମଧ୍ୟ ପଛାଏ ନାହିଁ। ଏପରି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଧର୍‌ ଜିଲାରେ। ଏହି ଜିଲା ଅନ୍ତର୍ଗତ ତାଲଓ୍ବାଡି ଗଁାର ଘଟଣା। ବର୍ଷକର ଏକ ଶିଶୁକନ୍ୟା ବାରମ୍ବାର କାନ୍ଦିବାରୁ ତା’ର ମା’ ତାକୁ ମାରୁମାରୁ ମାରିଦେଇଛି। ଉକ୍ତ ମହିଳାଙ୍କ ନାମ ଅନୀତା ସିଂ (୨୫)। ଫେବୃୟାରୀ ୭ରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବା ଅତିରିକ୍ତ ଏସ୍‌ପି ରାୟସିଂ ନରଭରିଆ ପ୍ରକାଶ କରିଛନ୍ତି। ଉକ୍ତ ମହିଳାଙ୍କ ଶାଶୁଙ୍କ କହିବାନୁଯାୟୀ, ଗେହ୍ଲା ନାତୁଣୀ ତା’ ମା’ କୋଳକୁ ଯିବାକୁ ରାହା ଧରୁଥିଲା। ଏଥିରେ ଅନୀତା ରାଗିଯାଇ ଘର ଭିତରକୁ ନେଇଗଲା। ନାତୁଣୀର କାନ୍ଦ ବନ୍ଦ ହୋଇଯିବା ପରେ ସେ ତରବର ହୋଇ ବାହାରକୁ ଚାଲିଆସିଲା। ସନ୍ଦେହ ହେବାରୁ ଯାଇ ଦେଖିବା ବେଳକୁ ସବୁକିଛି ସରିଯାଇଥିଲା। ନାତୁଣୀ ଆଉ ଜୀବନରେ ନ ଥିଲା। ଏ କଥା ଶୁଣି ପାଖପଡୋଶୀ ଲୋକେ ଠୁଳ ହୋଇଗଲେ। ଶିଶୁକନ୍ୟାର ଗଳା ଦଉଡ଼ିରେ ଭିଡାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ପୋଲିସ ଅନୀତାକୁ ଗିରଫ କରିଛି। ବାରମ୍ବାର ଝିଅ କାନ୍ଦିବାରୁ ଏଥିରେ ଅସହ୍ୟ ହୋଇ ତାକୁ ମାରିଦେଇଥିବା ଅନୀତା ସ୍ବୀକାର କରିଛି। ପରବର୍ତ୍ତୀ ତଦନ୍ତ ଜାରି ରହିଛି।

ଆଜିର ଅର୍ଥନୀତି/ ଏମ୍‌ଏସ୍‌ପି ଢିଙ୍କିଆ

ଆଜିର ଅର୍ଥନୀତି/ ଏମ୍‌ଏସ୍‌ପି ଢିଙ୍କିଆ

କେନ୍ଦ୍ର ସରକାର କୃଷକଙ୍କ ଉତ୍ପାଦିତ ଖାଦ୍ୟଶସ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉତ୍ପାଦନ ମୂଲ୍ୟର ଦେଢ଼ଗୁଣକୁ ବୃଦ୍ଧି କରିବାକୁ ଯାହା ଘୋଷଣା କରିଛନ୍ତି, ତାହା ଲୋକଦେଖାଣିଆ ଓ ବାସ୍ତବତାଠାରୁ ଦୂରରେ। ଏହି ନିଷ୍ପତ୍ତି କେବେଠାରୁ କାର୍ଯ୍ୟକାରୀ ହେବ, ତା’ର ନିଶ୍ଚୟତା ନାହିଁ। ଏଥିରେ ଯେଉଁସବୁ ଜଟିଳତା ରହିଛି, ସେଥିରୁ ମନେହୁଏ ଏହା ଆଗାମୀ ଖରିଫ ଋତୁରେ କାର୍ଯ୍ୟକାରୀ ହେବାର ସମ୍ଭାବନା ନାହିଁ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏ ବାବଦ ଅର୍ଥବ୍ୟବସ୍ଥା ବିଷୟରେ କିଛି ଘୋଷଣା କରିନାହାନ୍ତି। ଏଥିପାଇଁ ବଜେଟ୍‌ରେ ନିର୍ଦ୍ଦିଷ୍ଟ ପାଣ୍ଠି ବ୍ୟବସ୍ଥା କରାଯାଇ ନ ଥିବାରୁ ଏହା ହିତାଧିକାରୀମାନଙ୍କ ମନରେ ଭରସା ଆଣିପାରୁ ନାହିଁ। ଯୋଜନାର ସଫଳତା ପାଇଁ ପ୍ରାଥମିକ ଆବଶ୍ୟକତା ହେଉଛି, ଉତ୍ପାଦନ ମୂଲ୍ୟ ନିର୍ଦ୍ଧାରଣ ନିମନ୍ତେ ଏକ ସ୍ବଚ୍ଛ ସଂଯନ୍ତ୍ରର ବ୍ୟବସ୍ଥା କରିବା। ବର୍ତ୍ତମାନ ଉତ୍ପାଦନ ମୂଲ୍ୟ ନିର୍ଦ୍ଧାରଣ ଏକ ଗୋଳମାଳିଆ ବିଷୟ ହୋଇ ରହିଛି। ବିଭିନ୍ନ କୃଷିଜାତ ପଦାର୍ଥର ସହାୟକ ମୂଲ୍ୟ ନିର୍ଦ୍ଧାରଣରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ରାଜିନାମା ନାହିଁ। କମିଶନ ଫର୍‌ ଏଗ୍ରିକଲ୍‌ଚରାଲ କଷ୍ଟସ୍‌ ଆଣ୍ଡ୍‌ ପ୍ରାଇସେସ୍‌ (ସିଏସିପି) କୃଷିଜାତ ପଦାର୍ଥର ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ଯେଉଁ ମାପଦଣ୍ଡ ଗ୍ରହଣ କରିଛି, ତାହା ପ୍ରକୃତ ଉତ୍ପାଦନ ମୂଲ୍ୟଠାରୁ ଫରକ ରହୁଛି। ବର୍ତ୍ତମାନ ବଜେଟ୍‌ରେ ନୀତି ଆୟୋଗକୁ ଏମ୍‌ଏସ୍‌ପି ନୀତି ନିର୍ଦ୍ଧାରଣର ଦାୟିତ୍ୱ ଦିଆଯାଇଛି। ତେବେ ଆୟୋଗ ପ୍ରକୃତ ଉତ୍ପାଦନ ମୂଲ୍ୟ ଅନୁସାରେ ଏମ୍‌ଏସ୍‌ପି ହିସାବ କରିବ କି ସ୍ବାମୀନାଥନ୍‌ ଆୟୋଗଙ୍କ ସୁପାରିସ ଭିତ୍ତିରେ ଏକ ସର୍ବଗ୍ରାହ୍ୟ ମୂଲ୍ୟ ନିର୍ଦ୍ଧାରଣ କରିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ସରକାର ଏମ୍‌ଏସ୍‌ପି ବୃଦ୍ଧି କରିବାକୁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାକୁ କାର୍ଯ୍ୟକାରୀ କରିବାକୁ ଗଲାବେଳେ କୃଷକମାନଙ୍କ ପାଇଁ ତଥା ରାଜ୍ୟ ସରକାରଗୁଡ଼ିକ ପାଇଁ ଅନେକ ସମସ୍ୟା ସୃଷ୍ଟି କରିବ। ପ୍ରଥମତଃ ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ଏମ୍‌ଏସ୍‌ପି ବଳବତ୍ତର ରହିପାରେ। ଏପରି କି ଗୋଟିଏ ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ଉତ୍ପାଦନ ମୂଲ୍ୟ ଭିନ୍ନ ଭିନ୍ନ ହୋଇଥିବାରୁ ଏମ୍‌ଏସ୍‌ପି ମଧ୍ୟ ଅଲଗା ଅଲଗା ନିର୍ଦ୍ଧାରଣ କରାଯାଇପାରେ। ଉତ୍ପାଦନ ମୂଲ୍ୟ ବିଭିନ୍ନ କାରକ ଉପରେ ନିର୍ଭର କରେ, ଯଥା- କୃଷି ଶ୍ରମିକଙ୍କ ମଜୁରି, ଜମିର ମୂଲ୍ୟ, ବିହନ, ସାର, ଜଳ ଓ ପରିବାର ଲୋକଙ୍କ ସମ୍ପୃକ୍ତି। ଯେହେତୁ କେନ୍ଦ୍ର ସରକାର ଖାଦ୍ୟଶସ୍ୟର ମୌଳିକ ମୂଲ୍ୟ ଉପରେ ଏମ୍‌ଏସ୍‌ପି ଘୋଷଣା କରିଛନ୍ତି, ବିଭିନ୍ନ ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ ଉତ୍ପାଦନ ମୂଲ୍ୟ ନିର୍ଦ୍ଧାରଣ କରିବେ। କେନ୍ଦ୍ର ସରକାର ଖାଦ୍ୟଶସ୍ୟର ଏମ୍‌ଏସ୍‌ପି ବାବଦକୁ ଖର୍ଚ୍ଚ ରାଜ୍ୟଗୁଡ଼ିକୁ ଦେଇଥାନ୍ତି। ଯେହେତୁ କୃଷି ଏକ ରାଜ୍ୟ ବିଷୟ, ପ୍ରତ୍ୟେକ ରାଜ୍ୟ ସରକାର ନିଜ କୃଷକଙ୍କ ପାଇଁ ଅଧିକ ଏମ୍‌ଏସ୍‌ପି ଆଦାୟ କରିବାକୁ ଉତ୍ପାଦନ ମୂଲ୍ୟକୁ ବଢ଼େଇ ଚଢ଼େଇ କହିବାର ସମ୍ଭାବନା ଅଛି। ପୁଣି ଭୋଟରମାନଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଶାସକ ଦଳର ନେତାମାନେ ଏମ୍‌ଏସ୍‌ପି କାର୍ଯ୍ୟକ୍ରମକୁ ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରିପାରନ୍ତି। ...

ଦାମ୍ପତ୍ୟ ପ୍ରେମର ବୈଜ୍ଞାନିକ ରହସ୍ୟ

ଦାମ୍ପତ୍ୟ ପ୍ରେମର ବୈଜ୍ଞାନିକ ରହସ୍ୟ

ଡ. ରମେଶ ଚନ୍ଦ୍ର ପରିଡ଼ା/ ପତି-ପତ୍ନୀଙ୍କ ସମ୍ପର୍କକୁ ନେଇ ପ୍ରଶ୍ନଟିଏ କେବେକେବେ ମନକୁ ଆନ୍ଦୋଳିତ କରିଥାଏ- କାହିଁକି ଏହା ଏତେ ନିବିଡ ? ବିବାହ ବିଚ୍ଛେଦ ବଢି ବଢି ଚାଲିଥିବା ବର୍ତ୍ତମାନ ଯୁଗରେ ମଧ୍ୟ କେବଳ ମା’-ପୁଅ ସମ୍ପର୍କକୁ ବାଦ୍‌ ଦେଲେ ସମ୍ଭବତଃ ତହିଁରୁ ଦୃଢତର ସମ୍ପର୍କ ଅନ୍ୟ କିଛି ନାହିଁ। ମା’ବାପାଙ୍କ ସହିତ ପୁଅଝିଅ ତଥା ଭାଇଭଉଣୀ ମଧ୍ୟରେ ସମ୍ପର୍କର ନିବିଡତାକୁ ଜିନୀୟ ବ୍ୟାଖ୍ୟା ପ୍ରଦାନ କରିବାକୁ ପ୍ରୟାସ ହୋଇଛି। କିନ୍ତୁ ପତି-ପତ୍ନୀଙ୍କ ସମ୍ପର୍କ ରହିଯାଇଛି ଏ ଦିଗରୁ ସମ୍ପୂର୍ଣ୍ଣ ଅବୋଧ। ଅଧିକାଂଶ ସମୟରେ କଳହରତ ରହୁଥିଲେ ହେଁ ଏବଂ ଉଭୟ ପରସ୍ପରର ମତକୁ ବିରୋଧ କରୁଥିଲେ ହେଁ ସେମାନେ କେହି କାହାରିକୁ ଛାଡି ରହିବାକୁ ଚାହାନ୍ତି ନାହିଁ- କମିକ୍‌ ଚରିତ୍ର ଟମ୍‌ ଓ ଜେରୀଙ୍କ ଭଳି। ୟା’ମୂଳରେ କି ରହସ୍ୟ ଲୁକ୍କାୟିତ? ଯଦି କେବଳ ଯୌନ ସମ୍ପର୍କ ଏହା ବ୍ୟାଖ୍ୟା କରିବାକୁ ଯଥେଷ୍ଟ ତା’ହେଲେ ପଶୁମାନଙ୍କଠାରେ ତାହା ଏତେ ଦୃଢ ନୁହେଁ କାହିଁକି ? ପରମ୍ପରାବାଦୀମାନେ ବିଶ୍ୱାସ କରନ୍ତି ଯେ, ଏ ସମ୍ପର୍କ ସ୍ବର୍ଗରେ ତିଆରି ହୋଇଥାଏ, ଯାହାକି ସାତ ଜନ୍ମ ପାଇଁ ଅତୁଟ ରହିବାକୁ ଅଭିପ୍ରେତ। ଏହିଭଳି ବିଶ୍ୱାସ ବା ଅନ୍ଧବିଶ୍ୱାସ କ’ଣ ଆମ ଚିନ୍ତାଧାରାରେ ଏପରି କିଛି ଜୈବିକ ପରିବର୍ତ୍ତନ ଆଣେ, ଯାହାକୁ କି ଏଥିପାଇଁ ଦାୟୀ କରାଯାଇପାରିବ ? କୌଣସି ଯୁକ୍ତି ଯଥାର୍ଥତା କିମ୍ବା ବୈଜ୍ଞାନିକ ବ୍ୟାଖ୍ୟା ମାଧ୍ୟମରେ ଏହାର ସ୍ବୟଂସମ୍ପୂର୍ଣ୍ଣ ଉତ୍ତରଟିଏ ଏଯାବତ୍‌ ମିଳିପାରି ନାହିଁ। ଏଣୁ ଏ ସମ୍ପର୍କର ଅସୀମ ଗଭୀରତାକୁ କେବଳ ଏକ ବିସ୍ମୟ ବୋଲି କୁହାଯାଇପାରିବ। ଏହି ପ୍ରସଙ୍ଗରେ ନିମ୍ନୋକ୍ତ ଦୁଇଟି ଘଟଣାର ଅବତାରଣା।...

ଧାଡ଼ିଠିଆର ଯୁଗ

ଧାଡ଼ିଠିଆର ଯୁଗ

ସୁଧୀର କୁମାର ନାୟକ/ ବାବୁ ଆଉ କେତେ ସମୟ ଠିଆ ହେବି, ଆଣ୍ଠୁ, ଅଣ୍ଟା ବିନ୍ଧିଲାଣି। ଜଣେ ବୟୋଜ୍ୟେଷ୍ଠ ଭଦ୍ରବ୍ୟକ୍ତି ବ୍ୟାଙ୍କ କାଉଣ୍ଟର ସମ୍ମୁଖରେ ଦୀର୍ଘ ସମୟ ଠିଆହେବା ପରେ ଅକ୍ଷମତା ପ୍ରକାଶ କରି ତଳେ ବସିପଡ଼ିଲେ। ତାଙ୍କ ପଛକୁ ଧାଡ଼ିରେ ଠିଆ ହୋଇଥିବା ଅନ୍ୟ ଜଣେ ମଧ୍ୟବୟସ୍କ ବ୍ୟକ୍ତି କାଉଣ୍ଟରରେ କାମ କରୁଥିବା କର୍ମଚାରୀଙ୍କୁ ବିରକ୍ତି ସହକାରେ କହିଲେ, ଯଦି ଗୋଟାଏ କାମକୁ ଏତେ ସମୟ ନିଆ ହୁଏ, ଦିନରେ ଅନ୍ୟାନ୍ୟ କାମ କିପରି ହେବ। କର୍ମଚାରୀ ବାବୁ ପାଟିରେ ପାନଛେପ ଢୋକି ସରଳ ଭାବେ କହିଲେ, ଆଜ୍ଞା! ମଁୁ ଜଣେ ଲୋକ, ତାହା ସହିତ ମଝିରେ ମଝିରେ ନେଟ୍‌ ପ୍ରୋବ୍ଲେମ, ସରଭର ଡାଉନ୍‌, ଲିଙ୍କ୍‌ ଫେଲ୍‌ ଇତ୍ୟାଦି ଇତ୍ୟାଦି। କାମ କେମିତି ହେବ। ବାସ୍ତବରେ ଆମର କର୍ମବହୁଳ ନିତିଦିନିଆ ଜୀବନରେ ଏପରି ସମସ୍ୟା କିଛି ନୂଆ କଥା ନୁହେଁ। ଯେଉଁ କାମଟି ପାଞ୍ଚ ମିନିଟ୍‌ରୁ ଦଶ ମିନିଟ୍‌ ଭିତରେ ସମ୍ପାଦିତ ହେବା କଥା, ସେଠି ବେଳେ ବେଳେ ଆମକୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ିଥାଏ। ଏହାଦ୍ୱାରା କେବଳ ମାନସିକ ଯନ୍ତ୍ରଣା, ଶାରୀରିକ ପୀଡ଼ା ଭୋଗ ହୋଇ ନ ଥାଏ। ବହୁ ଦୁର୍ମୂଲ୍ୟ ସମୟ ମଧ୍ୟ ନଷ୍ଟ ହୁଏ।...

ଏଇ ଭାରତରେ

ଇଏ କେମିତିକା ଦେଶପ୍ରେମ କେଜାଣି। ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ ପାଇଁ ଦିଆଯାଇଥିବା ଦାୟିତ୍ୱକୁ ଅନ୍ୟ ଉପରେ ପକାଇଦେଇ ଘରେ ବସିରହିବାକୁ କ’ଣ ଦେଶପ୍ରେମ କୁହାଯାଇପାରିବ? ବାବୁ କିନ୍ତୁ ସେହି ପ୍ରକାର ଜାତୀୟତା ଦେଖାଇ ସରକାରୀ ପଦବୀରୁ ନିଲମ୍ବିତ ହୋଇଛନ୍ତି। ସରକାରୀ ବାବୁ ଜଣକ ୨୬ ଜାନୁୟାରୀ ଛୁଟି ଦିବସକୁ ମନଭରି ଉପଭୋଗ କରିବା ସକାଶେ ନିଜର ଅଧସ୍ତନ କର୍ମଚାରୀଙ୍କୁ ପଠାଇ ଦେଇଥିଲେ ପତାକା ଉତ୍ତୋଳନ ପାଇଁ । କଶ୍ମୀରର ପ୍ରଚଣ୍ଡ ଶୀତ ଏବଂ ତୁଷାରପାତ ମଧ୍ୟରେ କିଏ ସକାଳୁ ଉଠି ପତାକା ଉଡାଇବାକୁ ଯିବ? ସମ୍ଭବତଃ ସେହି କାରଣରୁ ସେ ଅନ୍ୟ ଜଣଙ୍କୁ ପଠାଇଥିଲେ। ସେ କ’ଣ ଜାଣିଥିଲେ ପରିଣତିସ୍ବରୂପ ତାଙ୍କୁ ଦଣ୍ଡିତ ହେବାକୁ ପଡିବ ବୋଲି। ଘଟଣାଟି ଘଟିଛି ଜମ୍ମୁ-କଶ୍ମୀରର ଦୁରୁ ତହସିଲ ସଦର ଦପ୍ତରରେ। ମୁଜାଫର ଅହମଦ ମାଲ୍ଲିକ ନାମକ ଜଣେ ସରକାରୀ ବାବୁଙ୍କୁ ଏହି ତହସିଲ ସଦର ଦପ୍ତରରେ ପତାକା ଉତ୍ତୋଳନ ଦାୟିତ୍ୱ ଦିଆଯାଇଥିଲା। ମାଲ୍ଲିକ କିନ୍ତୁ ସେଠାକୁ ନ ଯାଇ ତାଙ୍କର ଜଣେ ଅଧସ୍ତନଙ୍କୁ ପଠାଇ କାମ ସାରିଦେଇଥିଲେ। ଜଣେ ଅଧିକାରୀଙ୍କର ଏହା ନିଶ୍ଚିତ ଭାବେ କର୍ତ୍ତବ୍ୟରେ ଅବହେଳା। ଘଟଣା ସମ୍ପର୍କରେ ଫଟୋ ଭାଇରାଲ ହୋଇଯିବା ପରେ କଶ୍ମୀରର ଡିଭିଜନାଲ କମିଶନର ବସୀର ଅହମଦ ଖାଁ ତୁରନ୍ତ ପଦକ୍ଷେପ ନେଇ ମାଲ୍ଲିକଙ୍କୁ ବୁଧବାର ନିଲମ୍ବିତ କରିଛନ୍ତି। ଏହି ଅଧିକାରୀଙ୍କ କର୍ତ୍ତବ୍ୟରେ ଅବହେଳା ସମ୍ପର୍କରେ ତଦନ୍ତ ପାଇଁ ଜିଲାର ଡେପୁଟି କମିଶନରଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ୧୦ ଦିନ ମଧ୍ୟରେ ତାଙ୍କର ରିପୋର୍ଟ ଦାଖଲ କରିବେ ବୋଲି କୁହାଯାଇଛି। ଅଫିସରଙ୍କ ଅଳସୁଆମିର ଏହା ଏକ ନମୁନା ବୋଲି ଉକ୍ତ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ହଲାଲ, ହରାମ ଓ ମକରୁହ

ହଲାଲ, ହରାମ ଓ ମକରୁହ

ପରିବେଶ ପରିଚିନ୍ତା-ମାନେକା ଗାନ୍ଧୀ/ ହାଇଦ୍ରାବାଦରେ ୧୮୭୬ରେ ପ୍ରତିଷ୍ଠିତ ମୁସଲିମ୍‌ ଶିକ୍ଷାଳୟ ଜାମିଆ ନିଜାମିଆ ପକ୍ଷରୁ ନିକଟରେ ଚିଙ୍ଗୁଡ଼ି ଓ କଙ୍କଡ଼ା ଖାଇବା ଉପରେ ନିଷେଧାଦେଶ ଜାରି କରାଯାଇଛି। କୁହାଯାଇଛି, ଏହା କୁଆଡ଼େ ମକରୁହ ତାହରିମ୍‌ (ଅତି ଘୃଣ୍ୟ)। ଇସ୍‌ଲାମ ମତରେ ଖାଦ୍ୟ ତିନି ପ୍ରକାର: ହଲାଲ (ଅନୁମୋଦିତ), ହରାମ (ନିଷିଦ୍ଧ) ଓ ମକରୁହ (ଘୃଣ୍ୟ ଓ ବର୍ଜନୀୟ)। ଅଧିକାଂଶ ମୁସଲମାନ ମାଂସ ଖାଆନ୍ତି, ଯଦିଚ ରସୁଲ ମହମ୍ମଦ ନିଜେ ଜଣେ ଶୁଦ୍ଧ ନିରାମିଷାଶୀ ଥିଲେ, ଯେ କି ପିଆଜ ଓ ରସୁଣ ମଧ୍ୟ ଖାଉ ନ ଥିଲେ। ତେବେ ଅଧିକାଂଶ ମୁସଲମାନ ସେମାନଙ୍କୁ ଧର୍ମଶାସ୍ତ୍ରରେ କ’ଣ ଖାଇବାକୁ ଅନୁମତି ଦିଆଯାଇଛି, ତାହା ଜାଣନ୍ତି ନାହିଁ। ସେମାନେ କେବଳ ଏତିକି ଜାଣିଛନ୍ତି ଯେ, ପଶୁ ମାରି ମାଂସ ଖାଇବା ଦୁଇ ପ୍ରକାର- ମୁସଲମାନମାନେ ଯାହା ଖାଆନ୍ତି, ତାହା ହଲାଲ ଏବଂ ଅଣ-ମୁସଲମାନ ଯାହା ଖାଆନ୍ତି, ତାହା ଝଟ୍‌କା। ବାସ୍ତବରେ ଭାରତରେ ପ୍ରାଣୀମାନଙ୍କୁ ଯେପରି ମରାଯାଉଛି, ତାହା ହଲାଲ ନୁହେଁ ବା ଝଟ୍‌କା ବି ନୁହେଁ।...

ନ୍ୟାୟ ଅପେକ୍ଷାରେ ନାରୀ ନିଗ୍ରହ

ନ୍ୟାୟ ଅପେକ୍ଷାରେ ନାରୀ ନିଗ୍ରହ

ବିଚିତ୍ର ବିଶ୍ୱାଳ/ ଗୋଟିଏ ରାଷ୍ଟ୍ରର ସମ୍ବେଦନଶୀଳତା ଓ ଦାୟିତ୍ୱବୋଧର ପ୍ରମାଣ ମିଳିଥାଏ, ନାରୀମାନଙ୍କ ପ୍ରତି ସଂପୃକ୍ତ ରାଷ୍ଟ୍ର କିପରି ବ୍ୟବହାର କରୁଛି। କିନ୍ତୁ ଆଜି ଆମେ ଯଦି ଆମ ଦେଶର ଓ ରାଜ୍ୟର ନାରୀମାନଙ୍କ ଅବସ୍ଥାକୁ ନିରପେକ୍ଷ ଭାବେ ଅନୁଧ୍ୟାନ କରିବା ତେବେ ଖୁବ୍‌ ନିରାଶ ହିଁ ହେବା। ବଳାତ୍କାର, ହତ୍ୟା, ପାରିବାରିକ ହିଂସା ଓ କର୍ମସ୍ଥଳୀରେ ଅଶ୍ଳୀଳ ଆଚରଣ ଆଦିର ପରିସଂଖ୍ୟାନକୁ ଦେଖିଲେ ଆମେ ଅତ୍ୟନ୍ତ ସଂକଟଜନକ ସ୍ଥିତି ଦେଇ ଯେ ଗତି କରୁଛେ, ଏହା ହୃଦ୍‌ବୋଧ ହେବ। ବିଭିନ୍ନ କ୍ଷେତ୍ରରେ ଅତ୍ୟାଚାରିତା ନାରୀମାନଙ୍କୁ ନ୍ୟାୟ ଦେବାରେ ଶାସନ ବ୍ୟବସ୍ଥା ଗୁରୁତର ଭାବେ ବିଫଳ ହେଉଥିବାର ଗୋଟିଏ ପରେ ଗୋଟିଏ ନଜିର ଦେଖିବାକୁ ମିଳୁଛି। ସମାଜରେ ଭଲ ଓ ଖରାପ ଉଭୟ ରହିବ ହଁି ରହିବ। ଖରାପ ଘଟଣା ଯଥା ଅନ୍ୟାୟ, ଅତ୍ୟାଚାର, ହତ୍ୟା, ବଳାତ୍କାର ଆଦିକୁ ରାତାରାତି ବନ୍ଦ କରିଦେଇ ହେବ ନାହଁି। କିନ୍ତୁ ଅପରାଧ ଘଟିବା ପରେ ଓ ନାରୀ ବଳାତ୍କାର ପରି ଅମାନୁଷିକ କାଣ୍ଡର ବିଚାର ହେବା ପରେ ଯଦି ଆମ ବ୍ୟବସ୍ଥା ନ୍ୟାୟ ଦେଇପାରୁନି, ତେବେ ଏହି ବ୍ୟବସ୍ଥା ( ଉଭୟ ଶାସନ ବ୍ୟବସ୍ଥା ଓ ନ୍ୟାୟପାଳିକା) ନିକମା ବୋଲି ଆମକୁ ବୁଝିବାକୁ ହେବ। ଭାରତୀୟ ପିଙ୍ଗଳ କୋଡ୍‌ ଦସ୍ତାବିଜ୍‌ରେ କେତେ ସୁନ୍ଦର ସୁନ୍ଦର କଥା ଲେଖାହୋଇଛି, ସେଥିରେ ଆମର କିଛି ବାହାଦୁରି ନାହଁି। ଅସହାୟ ସମୂହ ଓ ନାରୀମାନଙ୍କ ଉପରେ ଅତ୍ୟାଚାର କରୁଥିବା ଅପରାଧୀମାନଙ୍କୁ ଦଣ୍ଡିତ କରି ସେମାନଙ୍କୁ ଯଥାର୍ଥ ସୁରକ୍ଷା ଦେଇପାରିବା ହଁି ଆମ ବ୍ୟବସ୍ଥାର ଅସଲ ବାହାଦୁରି ହେବ। ...

ପ୍ରେମ ଓ କରୁଣାର କବୀ

ପ୍ରେମ ଓ କରୁଣାର କବୀ

ଅଞ୍ଜନ କୁମାର ସାହୁ/ କୁନ୍ତଳା କୁମାରୀ ସାବତ ଓଡିଆ ସାହିତ୍ୟର ଏକ ବିରଳ ଅର୍ଜନ। ଝରା ଶେଫାଳି ପରି ଯଦିଓ ସେ ଝରିପଡିଥିଲେ ମାତ୍ର ୩୮ବର୍ଷ ବୟସରେ, କିନ୍ତୁ ଛାଡିଯାଇଥିଲେ ତାଙ୍କର ଅନନ୍ୟ ସୃଷ୍ଟି। ତାଙ୍କ ଲେଖା ପାଠକ ହୃଦୟରେ ସୃଷ୍ଟି କରେ ନୂତନ ଭାବନା। କୁନ୍ତଳାଙ୍କ କାବ୍ୟକବିତା ଜୀବନର ବ୍ୟଥା, ପ୍ରେମ, ପ୍ରଣୟ, ଦେଶାମତ୍ବୋଧ ତଥା ବିଭୁ ଚେତନାର କଥା କହେ। ପୁଣି କହେ ମାଟିର କଥା। ତାଙ୍କ କାବ୍ୟକବିତାରେ ଓଡିଶାର ଭାଷା, ସଂସ୍କୃତି ଓ ପରମ୍ପରାର ଚିତ୍ର ଅତି ନିଖୁଣ ଭାବେ ଚିତ୍ରିତ । ଏହି ମହାନ୍‌ କବୟିତ୍ରୀଙ୍କ ଜନ୍ମ ୧୯୦୧ ଫେବୃୟାରୀ ୮ ତାରିଖ ଖୋର୍ଦ୍ଧାରେ। ପିତାଙ୍କ ନାମ ଦାନିଏଲ ସାବତ ଓ ମାତାଙ୍କ ନାମ ମନିକା। ବର୍ମାରେ ତାଙ୍କ ଶୈଶବ ଅତିବାହିତ ହୋଇଥିଲା। କିଛି କାଳ ପରେ ପିତାମାତାଙ୍କ ମଧ୍ୟରେ ବିଚ୍ଛେଦ କାରଣରୁ ସେ ତାଙ୍କ ମାତାଙ୍କ ପାଖରେ ଦୁଃଖରେ କାଳାତିପାତ କରୁଥିଲେ। ୧୦ ବର୍ଷ ବୟସରେ କବିତା ଲେଖିବାରେ ପ୍ରୟାସୀ କୁନ୍ତଳା ମାତ୍ର ୨୨ବର୍ଷ ବୟସରେ ଓଡିଆ ସାହିତ୍ୟରେ ଜଣେ କବି ଭାବେ ଜଣାଶୁଣା ହୋଇଗଲେ। ତା’ ପରେ ରଚନା କରିଚାଲିଲେ ଗୋଟିକ ପରେ ଗୋଟିଏ କବିତା ଓ ଉପନ୍ୟାସ। ତାଙ୍କ ଲେଖନୀରୁ ଜନ୍ମ ନେଇଥିଲା ୮ଟି କାବ୍ୟ ଗ୍ରନ୍ଥ ଓ ୬ଟି ଉପନ୍ୟାସ। ଛାତ୍ରାବସ୍ଥାରୁ ପାଠ୍ୟପୁସ୍ତକ ବାହାରେ ଅନ୍ୟ ପୁସ୍ତକ ସବୁ ପଢିବାରେ ସେ ଆଗ୍ରହୀ ଥିଲେ। ବଙ୍ଗୀୟ ଲେଖକ ବଙ୍କିମଚନ୍ଦ୍ର, ହେମନ୍ତଚନ୍ଦ୍ର, ନବୀନଚନ୍ଦ୍ର ଓ ରବୀନ୍ଦ୍ରନାଥ ଟାଗୋରଙ୍କ ପୁସ୍ତକକୁ ସେ ଆଗ୍ରହ ସହକାରେ ପାଠ କରୁଥିଲେ। ଇଂଲିଶ ସାହିତ୍ୟର ବିଶିଷ୍ଟ ଲେଖକ ସେକ୍ସପିୟର ଓ ରୋମାଣ୍ଟିକ ଯୁଗର ସେଲି, ୱାର୍ଡସୱର୍ଥ, ବାଇରନ୍‌ ପ୍ରମୁଖଙ୍କ ଲେଖା ଦୁରୂହ ହେଲେ ବି ସେଥିପ୍ରତି ସେ ଆଗ୍ରହୀ ଥିଲେ। ପିତାଙ୍କ ସ୍ନେହ, ଶ୍ରଦ୍ଧା ଓ ଆର୍ଥିକ ସାହାଯ୍ୟରୁ ବଞ୍ଚିତା କୁନ୍ତଳା ମାତାଙ୍କ ପ୍ରେରଣାରେ ନବମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣା ହେଲେ। ଆର୍ଥିକ ଅନଟନ ତାଙ୍କ ଶିକ୍ଷାରେ ପ୍ରତିବନ୍ଧକ ସାଜିଲା। ସେଥିପାଇଁ ସେ ମେଡିକାଲ ସ୍କୁଲରେ ଡାକ୍ତରୀ ପଢି ଶୀଘ୍ର ରୋଜଗାରକ୍ଷମ ହେବାପାଇଁ ଚେଷ୍ଟା କଲେ। ମେଡିକାଲ ସ୍କୁଲର ଶିକ୍ଷକ କୈଳାସ ଚନ୍ଦ୍ର ରାଓ କୁନ୍ତଳାଙ୍କ ଅଭିଭାବକ କାର୍ଯ୍ୟ ତୁଲାଉଥିଲେ। ମେଧାବୀ ଶିକ୍ଷାର୍ଥୀର ଦୁଃଖକୁ ସେ ଅତି ପାଖରୁ ଅନୁଭବ କରି ତାଙ୍କୁ ଆର୍ଥିକ ସହାୟତା ଦେଉଥିଲେ। କୁନ୍ତଳା ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣପଦକ ପାଇଥିଲେ। ଏହାପରେ ସେ ସ୍ବାଧୀନ ଭାବରେ ଡାକ୍ତରୀ ବ୍ୟବସାୟ କରି ପରିବାର ପୋଷଣ କଲେ। ୧୯୨୫ ମସିହାରେ ସରକାରୀ ଚାକିରିରେ ନିଯୁକ୍ତି ପାଇଲେ। ତାଙ୍କର କର୍ମକ୍ଷେତ୍ର ଥିଲା ରେଡକ୍ରସ ଦ୍ୱାରା ପରିଚାଳିତ ମାତୃମଙ୍ଗଳ କେନ୍ଦ୍ର। ଅଭିଭାବକ କୈଳାସ ଚନ୍ଦ୍ରଙ୍କ ପ୍ରଚେଷ୍ଟାରେ ତାଙ୍କ ପ୍ରଥମ କବିତା ‘ତାରା ପ୍ରତି’ ପ୍ରକାଶ ପାଇଲା। ତାହା ଉକତ୍ଳ ସାହିତ୍ୟରେ ସ୍ଥାନ ପାଇଥିଲା। କୁନ୍ତଳାଙ୍କ କବିତାରେ ଭକ୍ତି ଓ ପ୍ରୀତି ମୁଖ୍ୟସ୍ଥାନ ଗ୍ରହଣ କରିଛି। ଭଗବାନଙ୍କ ନିକଟରେ ପ୍ରେମିକାଟିଏ ପରି ଆକୁଳ ନିବେଦନ କରି ସେ ଗାଇଛନ୍ତି : ତୁମ ପୂଜା ପାଇଁ ସାଥିରେ ସଜାଡିଛି ବେଦିକା/ ଶୁଦ୍ଧ ଶାନ୍ତ ହୋଇ ବସିଛି ଦୀନତମ ସେବିକା। (ଅଞ୍ଜଳି) କବିଙ୍କ ଅନ୍ୟାନ୍ୟ କବିତା ମଧ୍ୟରେ ରହିଛି ଅର୍ଚ୍ଚନା, ସ୍ଫୁଲିଙ୍ଗ, ଆହ୍ବାନ, ପ୍ରେମଚିନ୍ତାମଣି, ଓଡିଆଙ୍କ କାନ୍ଦଣା, ଗଡଜାତ କୃଷକ ଓ ମଣିକାଞ୍ଚନ। କେତେବେଳେ ତାଙ୍କ କବିତା ନୈରାଶ୍ୟବୋଧ ଓ ହତାଶାର ବାର୍ତ୍ତା ବହନ କରେ ତ ପୁଣି କେତେବେଳେ ଆଶାର ଆଲୋକ ସଞ୍ଚାର କରିଥାଏ। ଜୀବନ ଦର୍ଶନର ମାର୍ମିକ ଅନୁଭବ ମଧ୍ୟ ତାଙ୍କ ଶେଫାଳି ପ୍ରତି କବିତାରେ ଦେଖିବାକୁ ମିଳେ- ଶେଫାଳି, ଶେଷ ଗତି ନୁହେଁ ମୋର ମୃତ୍ୟୁ କେଉଁ କାଳରେ, ମରିବାକୁ ଫୁଟିନାହିଁ ଭବତରୁ ଡାଳରେ। ଅଛି ରମ୍ୟ ଉପବନ ଯହିଁ ଫୁଟେ ଚିରଦିନ, ଅନନ୍ତ ଅମୃତ ପ୍ରେମ ସୁଧାମୟ ସୁବାସେ ମୋହିବି ମୋ ପ୍ରାଣପ୍ରିୟ ଦେବତାଙ୍କୁ ଉଲ୍ଲାସେ। ...

ଏଇ ଭାରତରେ

ପରିବାର ପାଇଁ ଝିଅ ବୋଝ ନୁହନ୍ତି, ସେମାନେ ରତ୍ନ। ଏହି କଥା ବୁଝିପାରନ୍ତି ନାହିଁ ଅନେକ ମାତାପିତା। ତେଣୁ ପରିବାରରେ ଝିଅ ଅଲୋଡ଼ା ହୋଇଯାଆନ୍ତି ଅନେକ କ୍ଷେତ୍ରରେ। କନ୍ୟା ସନ୍ତାନଙ୍କଠାରେ ଯେ ଯଥେଷ୍ଟ ପ୍ରତିଭା ଲୁକ୍କାୟିତ ହୋଇ ରହିଛି, ତାହା ପ୍ରମାଣ କରି ଦେଖାଇ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ରଚକୋଣ୍ଡା ଅଞ୍ଚଳର ୧୬ ବଷର୍ର୍ୀୟା ଝିଅ ବି. ଅନୂଶା। ଗତବର୍ଷ ଏହି ନାବାଳିକାଙ୍କୁ ବିବାହ କରି ଦିଆଯାଉଥିବାବେଳେ ଶିଶୁ ଅଧିକାର କର୍ମୀଙ୍କ ସୂଚନାକ୍ରମେ ପୋଲିସ ଅନୂଶାଙ୍କୁ ଉଦ୍ଧାର କରିଥିଲା। ସେବେଠାରୁ ଏହି ନାବାଳିକା ଜଣେ ପୋଲିସ ତତ୍ତ୍ୱାବଧାନରେ ରହି ପାଠ ପଢୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ମାତାପିତା ଯେଉଁ ଝିଅକୁ ବୋଝ ଭାବି ମୁଣ୍ଡରୁ ଓହ୍ଲାଇବା ପାଇଁ ବିବାହ କରି ଦେବାକୁ ଯାଉଥିଲେ ସେହି ଝିଅ ତାଙ୍କର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ମଧ୍ୟପ୍ରଦେଶରେ ଅନୁଷ୍ଠିତ ଆନ୍ତଃସ୍କୁଲ ଅଣ୍ଡର ୧୯ କ୍ରିକେଟ ମ୍ୟାଚ୍‌ରେ ଅନୂଶା ତାଙ୍କ କ୍ରୀଡ଼ା ଦକ୍ଷତାର ପରିଚୟ ଦେଇଛନ୍ତି। ଜାତୀୟ ସ୍ତରର ଏହି ଟୁର୍ନାମେଣ୍ଟରେ ସଫଳ ହେବା ପରେ ସେ ଏବେ ଅଣ୍ଡର-୧୯ ରଗ୍‌ବୀ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି। କିଛିଦିନ ମଧ୍ୟରେ ଏହି ଟୁର୍ନାମେଣ୍ଟ ହାଇଦ୍ରାବାଦର ଏଲ.ବି. ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ରଚକୋଣ୍ଡା ପୋଲିସ କମିଶନର କୁହନ୍ତି, ଅନୂଶାର ସାମଗ୍ରିକ ଦକ୍ଷତା ଆମକୁ ଅଭିଭୂତ କରିଛି। ସେ କିପରି କ୍ରୀଡ଼ା କ୍ଷେତ୍ରରେ ଆହୁରି ଆଗକୁ ଯିବେ ସେହି ଦାୟିତ୍ୱ ପୋଲିସ ବିଭାଗ ନେଇଛି। ଝିଅକୁ ବାଲ୍ୟ ବିବାହ କରାଇ ଦେବାକୁ ଯୋଜନା କରୁଥିବା ମାତାପିତାଙ୍କ ପାଇଁ ଅନୂଶା ଏକ ଉଦାହରଣ। ସେମାନେ ଜାଣିବା ଦରକାର ଯେ, ଝିଅମାନଙ୍କ ନିକଟରେ ଯେଉଁ ଊର୍ଜା ରହିଛି, ତାହା କେବଳ ପରିବାରକୁ ନୁହେଁ, ସମାଜକୁ ମଧ୍ୟ ଆଲୋକିତ କରିପାରିବ।

ସମ୍ପାଦକୀୟ/ଜିଏସ୍‌ଟି ଦୁର୍ନୀତି

ସମ୍ପାଦକୀୟ/ଜିଏସ୍‌ଟି ଦୁର୍ନୀତି

୨୦୧୭ ଜୁଲାଇ ପହିଲାରେ ଦେଶର ଏକକ ପରୋକ୍ଷ ଟିକସ ବ୍ୟବସ୍ଥା ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ପ୍ରଚଳନ କରାଗଲା। ଏଥିପାଇଁ ଜୁନ୍‌ ୩୦ ମଧ୍ୟରାତ୍ରିରେ ପାର୍ଲାମେଣ୍ଟରେ ଅନୁଷ୍ଠିତ ସ୍ବତନ୍ତ୍ର ଅଧିବେଶନରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ଦୃଢତାର ସହ କହିଥିଲେ ଯେ, ଏହି ବ୍ୟବସ୍ଥା ପରୋକ୍ଷ ଟିକସ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ, ଟିକସ କ୍ଷେତ୍ରରେ ଦୁର୍ନୀତିକୁ ରୋକିବା ସହ କଳାଧନ ସୃଷ୍ଟିରେ ପୂର୍ଣ୍ଣଚ୍ଛେଦ ପକାଇବ। ଏହି ପରିପ୍ରେକ୍ଷୀରେ ମୋଦି ଏହାକୁ ଗୁଡ୍‌ ଆଣ୍ଡ ସିମ୍ପଲ୍‌ ଟ୍ୟାକ୍ସ (ଜିଏସ୍‌ଟି) ବା ଉତ୍ତମ ଏବଂ ସରଳ ଟିକସ ବୋଲି କହିଥିଲେ। ଜିଏସ୍‌ଟି ପ୍ରଚଳନକୁ ୮ମାସ ନ ହେଉଣୁ ଏଥିରେ କିପରି ଦୁର୍ନୀତି ପଶିଲାଣି ତାହା ଭାଜପା ନେତା ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତରପ୍ରଦେଶରୁ ପ୍ରମାଣ ମିଳିଛି। ୨୦୧୮ ଫେବୃୟାରୀ ୨ ତାରିଖ ମଧ୍ୟରାତ୍ରିରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଅଧିକାରୀମାନେ ଲାଞ୍ଚ ନେଉଥିବା ଅଭିଯୋଗରେ କାନପୁର ଅଞ୍ଚଳରୁ ଜଣେ ଜିଏସ୍‌ଟି କମିଶନର ସଂସାର ଚାନ୍ଦ ଓ ଅନ୍ୟ ୩ଜଣ ଟିକସ ଅଧିକାରୀଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛନ୍ତି। ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ଏହା ଏକ ନମୁନା ମାତ୍ର। ସଂସାର ଚାନ୍ଦ ହାଓ୍ବଲା ଜରିଆରେ ବଡ ବ୍ୟବସାୟୀଙ୍କଠାରୁ ଲାଞ୍ଚ ଅର୍ଥ ଗ୍ରହଣ କରୁଥିଲେ । କେବଳ ସେତିକି ନୁହେଁ, ଜିଏସ୍‌ଟି ଲାଗୁ ହେବା ଦିନଠାରୁ ଗତ ୫ ମାସ ମଧ୍ୟରେ ୫.୭୦ କୋଟି ଟଙ୍କାର ଟିକସ ଫାଙ୍କି ହୋଇଛି ବୋଲି ଫେବୃୟାରୀ ୬ତାରିଖରେ କମ୍ପାନୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପି.ପି. ଚୌଧୁରୀ ରାଜ୍ୟ ସଭାରେ ପ୍ରକାଶ କରିଛନ୍ତି । ମୋଦି ସରକାର ଯେତେବେଳେ ଦେଶରେ ଜିଏସ୍‌ଟି ପ୍ରଚଳନ କଲେ ଏବଂ ଏଥିରେ ୫ ପ୍ରକାରର ଟିକସ ସ୍ଲାବ୍‌ ରଖିଲେ, ସେତେବେଳେ ଏହାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା। ଏକାଧିକ ଟିକସ ସ୍ଲାବ୍‌ ବ୍ୟବସ୍ଥା ଇନ୍ସପେକ୍ଟରରାଜକୁ ପ୍ରୋତ୍ସାହିତ କରିବ ବୋଲି ସନ୍ଦେହ ଉପୁଜିଲା। ଅନେକ ସାମଗ୍ରୀ ଉପରେ ଅପେକ୍ଷାକୃତ ଉଚ୍ଚ ଟିକସ ସ୍ଲାବ୍‌ ଲାଗୁ କରାଯାଇଥିବାରୁ ସେହିସବୁ ଦ୍ରବ୍ୟର ମୂଲ୍ୟବୃଦ୍ଧି ଘଟିଲା। ବିଶେଷକରି ବୟନଶିଳ୍ପ, ହସ୍ତଶିଳ୍ପ ସାମଗ୍ରୀ ଉପରେ ୧୮ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଲାଗୁ କରାଯାଇଥିବା କାରଣରୁ ଏକ୍ଷେତ୍ରରେ ନିୟୋଜିତ ବୁଣାକାର ଓ ହସ୍ତଶିଳ୍ପୀମାନେ ହାତବାନ୍ଧି ବସିଲେ। ଇତିମଧ୍ୟରେ ଜିଏସ୍‌ଟି ପରିଷଦର ଏକାଧିକ ବୈଠକ ବସି କେତେକ ସେବା ଓ ସାମଗ୍ରୀ ଉପରୁ ଟିକସ ପ୍ରତିଶତକୁ ନିମ୍ନ ସ୍ଲାବ୍‌କୁ ପରିବର୍ତ୍ତନ କରାଯାଇଛି। ବିମୁଦ୍ରୀକରଣ ଭଳି ଅତି ତରବରିଆ ଭାବେ ଜିଏସ୍‌ଟି ପ୍ରଚଳନ କରିବା ହେତୁ ବ୍ୟବସାୟିକ ପରିବେଶ ଏ ପର୍ଯ୍ୟନ୍ତ ଦ୍ୱନ୍ଦ୍ୱରେ ରହିଛି । ଏତେ ବିପୁଳମାତ୍ରାର ତଥ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦାଖଲ କରିବା ପାଇଁ ଆବଶ୍ୟକୀୟ ଦକ୍ଷତା ସରକାରଙ୍କ ପାଖରେ ନାହିଁ । ସେହି ନିର୍ଦ୍ଦିଷ୍ଟ ସମୟରେ ଜିଏସ୍‌ଟି ସର୍ଭର କାମ ନ କରିବା ଏକ ଜଣାଶୁଣା କଥା ହୋଇଗଲାଣି । ଏପଟେ ଜିଏସ୍‌ଟିକୁ ନେଇ ପ୍ରତିଦିନ ନିୟମ ପରିବର୍ତ୍ତନ ହେଉଥିବାରୁ ଲୋକେ ଏବେ ମଧ୍ୟ ତାହା ସହ ଖାପ ଖୁଆଇ ପାରୁନାହାନ୍ତି । ଏଭଳି ଅସ୍ପଷ୍ଟତା ହିଁ ଦୁର୍ନୀତିର ମୂଳଦୁଆ ସାଜିଥାଏ । ...

ବଜେଟରେ ଉପେକ୍ଷିତ କୃଷି ଓ କୃଷକ

ବଜେଟରେ ଉପେକ୍ଷିତ କୃଷି ଓ କୃଷକ

ଭାଲଚନ୍ଦ୍ର ଷଡ଼ଙ୍ଗୀ / ଦେଶର କୃଷି କ୍ଷେତ୍ରରେ ଦେଖାଯାଇଥିବା ଗଭୀର ସଙ୍କଟ, କୃଷକମାନଙ୍କ କ୍ରମ ବର୍ଦ୍ଧମାନ ଋଣଗ୍ରସ୍ତତା, ଆତ୍ମହତ୍ୟା ଓ ଗଭୀର ଅସନ୍ତୋଷ ପରିପ୍ରେକ୍ଷୀରେ ଚଳିତ ବଜେଟ ନେଇ ମୋଦି ସରକାରଙ୍କଠାରୁ ଅନେକ କିଛି ଆଶା କରାଯାଉଥିଲା। ବିଶେଷକରି ବିମୁଦ୍ରୀକରଣ ଓ ଜିଏସ୍‌ଟି ଲାଗୁହେବା ଫଳରେ ଅର୍ଥନୀତିର ଅନ୍ୟାନ୍ୟ କ୍ଷେତ୍ର ସହିତ କୃଷି କ୍ଷେତ୍ରରେ ମଧ୍ୟ ସଙ୍କଟ ଉତ୍କଟ ହୋଇଥିବାରୁ ଏବଂ ଦେଶବ୍ୟାପୀ କୃଷକ ଅସନ୍ତୋଷର ପ୍ରଭାବ ନିକଟରେ ହେବାକୁ ଯାଉଥିବା କେତେକ ରାଜ୍ୟର ବିଧାନସଭା ଓ ଆଗାମୀ ସାଧାରଣ ନିର୍ବାଚନରେ ଭାଜପା ପାଇଁ ମହଙ୍ଗା ପ୍ରମାଣିତ ହେବାର ଆଶଙ୍କା ଥିବାରୁ ଚଳିତ ବଜେଟରେ ସରକାର କୃଷକଙ୍କ ପାଇଁ କିଛି ବଡ଼ଧରଣର ପ୍ୟାକେଜ୍‌ ଘୋଷଣା କରିବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। କୃଷକ ଏବଂ ଗରିବ ଲୋକଙ୍କୁ ସହାୟତା କରିବାକୁ ଯାଇ ସରକାର ବଜେଟରେ କୃଷିଋଣ ଛାଡ଼, କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ ବୃଦ୍ଧି ଏବଂ ସାର୍ବଜନୀନ ମୌଳିକ ଆୟ ପରି କିଛି ଲୋଭାଣିଆ ଘୋଷଣା କରିବା ନେଇ ଅନେକେ ଅନୁମାନ କରୁଥିଲେ। କିନ୍ତୁ ଅର୍ଥମନ୍ତ୍ରୀ ଜେଟ୍‌ଲୀଙ୍କ ଦ୍ୱାରା ଆଗତ ଏ ବର୍ଷର ବଜେଟ ଉପରୋକ୍ତ ସମସ୍ତ କଳ୍ପନାଜଳ୍ପନାକୁ ଭୁଲ୍‌ ପ୍ରମାଣିତ କରିବା ସହ ଦେଶର କୃଷକ, ଶ୍ରମିକ ଏପରି କି ମଧ୍ୟମବର୍ଗଙ୍କୁ ନିରାଶ କରିଛି। ନିଜର ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ଦେଶର କୃଷି ଓ ଗ୍ରାମାଞ୍ଚଳ ଅର୍ଥନୀତି ପାଇଁ କିଛି ଠୋସ୍‌ ବ୍ୟୟବରାଦ କରିବା ପରିବର୍ତ୍ତେ କେବଳ ନିଜ ସରକାରକୁ କୃଷକଦରଦୀ ଭାବେ ଦେଖାଇବାର ପ୍ରୟାସ କରିଛନ୍ତି। ଏପରି କି ଦେଶର କୃଷକମାନଙ୍କୁ ସିଧାସଳଖ ପ୍ରଭାବିତ କରିବା ପାଇଁ ସେ ତାଙ୍କ ଭାଷଣର ପ୍ରଥମ ୨୦ ମିନିଟ୍‌ କେବଳ କୃଷକଙ୍କ ଉପରେ ହିନ୍ଦୀରେ ଖୁବ୍‌ ବଡ଼ ବଡ଼ କଥା କହିଛନ୍ତି। କିନ୍ତୁ ପର୍ବତର ମୂଷିକ ପ୍ରସବ ପରି ଯଦି ଅର୍ଥମନ୍ତ୍ରୀଙ୍କ ବଜେଟକୁ ତଥ୍ୟର ଆଧାରରେ ବିଚାର କରାଯିବ, ତା’ହେଲେ ତାହା କୃଷି ଓ କୃଷକଙ୍କ ପାଇଁ କାମ କମ୍‌ କଥା ବେଶି ପରି ମନେହେବ। ବଜେଟରେ ଜିଡିପି ଅନୁପାତରେ ସରକାର କୃଷି ଓ ଗ୍ରାମ୍ୟ ଉନ୍ନୟନ ବାବଦରେ ବ୍ୟୟବରାଦ ବଢ଼ାଇବା ପରିବର୍ତ୍ତେ ଗତବର୍ଷର ୧.୧୫%ରୁ ୧.୦୮%କୁ ହ୍ରାସ କରିଛନ୍ତି। ...

ହଜିଯିବ ବୋଉ ଡାକ

ହଜିଯିବ ବୋଉ ଡାକ

ଅଲେଖଚନ୍ଦ୍ର ମିଶ୍ର/ ନିଜର ସ୍ବାସ୍ଥ୍ୟକୁ ହେୟଜ୍ଞାନ କରି ଯିଏ ସନ୍ତାନକୁ କ୍ଷୀରପାନ କରାଏ, ଧୂଳିଧୂସରିତ ଦେହକୁ ନିଜର ପଣତକାନିରେ ଝାଡିଝୁଡି କୋଳକୁ ଟେକିନିଏ, ଖାଇବା ପାଇଁ ଅଝଟ କଲେ କୁଆ, ଚଢେଇଙ୍କୁ ଦେଖେଇ, ମାମୁର ବାଣ୍ଟେ, ଆଈର ବାଣ୍ଟେ କହି ଖୋଇଦିଏ, ନାନାବାୟା ଗୀତ ଗାଇ କୋଳରେ ଶୋଇପକାଏ, ଦେହ ଅସୁସ୍ଥ ହେଲେ ରାତିଦିନ ପାଖରେ ଜଗି ବସିଥାଏ, ସନ୍ତାନର ଆଖିରୁ ଲୁହ ବୋହିଲେ ଯାହା ଆଖିରୁ ଲହୁ ଶୁଖେନା, ଘଡିଏ ଅନ୍ତର ହେଲେ ଯାହାକୁ ଯୁଗଟିଏ ପରି ଲାଗେ ସିଏ ବୋଉ। ବୋଉ ଗାଉଁଲି, ଆଲୁରି, ଅପାଠୋଇ ବା ଅଧାପାଠୋଇ। କିନ୍ତୁ ତା’ର ବ୍ୟାବହାରିକ ଜ୍ଞାନ ଓ ସାଂସାରିକ ଅଭିଜ୍ଞତା ଏତେ ପ୍ରଖର ଯେ ସେ ତା’ର ସନ୍ତାନକୁ ଠିକ୍‌ ଭାବରେ ଗଢିତୋଳେ। ତା’ର ମାୟାମମତା, ସ୍ନେହଶ୍ରଦ୍ଧାର ବନ୍ଧନ ଏତେ ଦୃଢ ଯେ ତାକୁ ଏଡେଇ ସନ୍ତାନଟିଏ ସହଜରେ ବିପଥଗାମୀ ହୋଇପାରେନା। ଯେତେବଡ ହେଲେ କିମ୍ବା ଯେତେ ଦୂରରେ ଥିଲେ ବି ବୋଉକୁ ଭୁଲିଯିବାକୁ ବିବେକ ବାଧା ଦିଏ। ଯଦି କେହି ଭୁଲିଯାଏ ମଝିରେ ମଝିରେ ବୋଉର ସ୍ମୃତି ତାକୁ ବ୍ୟଥିତ କରେ ଏବଂ ଅନୁତାପ କରିବାକୁ ବାଧ୍ୟ କରେ। ମାତ୍ର ଗଭୀର ପରିତାପର ବିଷୟ, ବୋଉର ସତ୍ତା କ୍ରମେ ହଜି ହଜି ଯାଉଛି। ପରିବର୍ତ୍ତିତ ସ୍ଥିତିରେ ବୋଉର ସଂସ୍କୃତି ଆଜି ଅଲୋଡା ହୋଇପଡୁଛି ଏବଂ ତା’ର ସ୍ଥାନ ନେଉଛି ମମି, ମମ୍‌ର ଛିନ୍ନମୂଳ ସଂସ୍କୃତି।...

ଏଇ ଭାରତରେ

ଭାରତରେ ଚାକିରି ସମସ୍ୟା ଉଗ୍ର ରୂପ ଧାରଣ କରିଥିବାରୁ ବେକାର ଥିବା ଯୁବତୀଯୁବକ ହତାଶ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି। ଫଳରେ କେତେକ ଅନ୍ୟମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଚାକିରି କରାଇଦେବା ନଁାରେ ଲୁଟୁଥିବା ଠକଙ୍କ ହାବୁଡ଼ରେ ପଡ଼ିଗଲେ କଥା ସରିଲା। ମହାରାଷ୍ଟ୍ରର ବମ୍ବେଠାରେ ଜଣେ ବ୍ୟକ୍ତି ନିଜକୁ ଏସିପି ପରିଚୟ ଦେଇ ଚାକିରି ଦେବାକୁ କହି କେତେକଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଯାଇଥିଲେ। ବୋରିଭିଲ୍‌ ନିକଟରୁ ୫୪ ବର୍ଷୀୟ ଲଲିତ ସାଓ୍ବନ୍ତଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିବା ପରେ ଘଟଣା ପଦାକୁ ଆସିଛି। ଲଲିତ ପେସାରେ ଜଣେ ଫଟୋକପି ସେଣ୍ଟର ଅପରେଟର। ବୃହନ୍‌ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ୍‌ ଓ ରେଲ୍‌ଓ୍ବେରେ ଚାକିରି କରାଇ ଦେବାକୁ କହି ଲଲିତ ଚାକିରି ଅପେକ୍ଷାରେ ଥିବା ଯୁବତୀଯୁବକଙ୍କଠାରୁ ଅଢ଼େଇ ଲକ୍ଷରୁ ୫ ଲକ୍ଷ ଟଙ୍କା ନେଇ ସେମାନଙ୍କୁ ନିଯୁକ୍ତିପତ୍ର ଦେଉଥିଲେ। ପରବର୍ତ୍ତୀ ସମୟରେ ନିଯୁକ୍ତିପତ୍ରଗୁଡ଼ିକ ନକଲି ଥିବା ଜଣାପଡ଼ିବା ପରେ କଥା ପୋଲିସ ପାଖକୁ ଯାଇଥିଲା। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏଭଳି ଘଟଣା କେବଳ ବମ୍ବେରେ ଘଟୁଛି ତାହା ନୁହେଁ, ଦେଶର ବିଭିନ୍ନ କୋଣରୁ ଅନେକ ସମୟରେ ଶୁଣିବାକୁ ମିଳୁଛି। ଶିକ୍ଷିତ ଯୁବତୀଯୁବକ ସଚେତନ ନ ହେଲେ ସେମାନେ ଏମିତି ଠକି ଚାଲୁଥିବେ।

ସମ୍ପାଦକୀୟ/ ଚୟନାତ୍ମକ ସ୍ବାଧୀନତା

ସମ୍ପାଦକୀୟ/ ଚୟନାତ୍ମକ ସ୍ବାଧୀନତା

ଭାରତ ଜନସଂଖ୍ୟାର ୬୦ରୁ ୭୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ। ତେବେ ଯେଉଁମାନେ ଆନୁଷ୍ଠାନୀକରଣ ବା ବୈଧୀକରଣ, ସହରୀକରଣ ଏବଂ ଉଦ୍ୟୋଗୀକରଣ ବିଷୟରେ ପ୍ରଚାର କରୁଛନ୍ତି, ସେମାନେ ଚିତ୍କାର କଲେଣି ଯେ କୃଷି ଲୋକଙ୍କ ଉପରେ ବୋଝ ସଦୃଶ ଉଭା ହୋଇଛି । ସେମାନଙ୍କ ମତରେ ଜମି ଟୁକୁରା ଟୁକୁରା ହୋଇଯାଉଥିବାରୁ ଏହାର ମାଲିକମାନେ କୃଷିକୁ ଜୀବିକା କରି ଚଳିବା କଷ୍ଟକର ହୋଇପଡ଼ୁଛି । ସେମାନଙ୍କ ଅନୁଯାୟୀ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଚାଷର ଅବଦାନ ମାତ୍ର ୧୫ ପ୍ରତିଶତ। ସାରାଂଶ ହେଉଛି, କୃଷି ସହ ଜଡ଼ିତ ବୃହତ୍‌ ଜନସଂଖ୍ୟାକୁ ଚାଷ କାର୍ଯ୍ୟରୁ ହଟାଇ ବିକଳ୍ପ କର୍ମସଂସ୍ଥାନରେ ନିୟୋଜିତ କରିବା। ଉପରଠାଉରିଆ ଭାବେ ଏହି ଯୁକ୍ତି ଶୁଣିବାକୁ ଭଲ ଲାଗୁଛି। ଇତିହାସ ଦେଖିଲେ କାମ୍ବୋଡିଆର ପୂର୍ବତନ ପ୍ରଧାନମନ୍ତ୍ରୀ ପଲ୍‌ ପଟ୍‌ଙ୍କ ନେତୃତ୍ୱାଧୀନ ଖାଇମର ରୌଗ୍‌ ବାମପନ୍ଥୀ ସରକାର (୧୯୭୬ରୁ ୧୯୭୯) ଅମଳରେ ୧୫ ଲକ୍ଷରୁ ୨୦ ଲକ୍ଷ ଲୋକ ଅନାହାର, ଫାଶୀ ପାଇବା, ରୋଗ ଓ ଅତ୍ୟଧିକ କାର୍ଯ୍ୟଭାର ଯୋଗୁ ମୃତ୍ୟୁମୁଖରେ ପଡ଼ିଥିଲେ। ଭାରତରେ ଏପର୍ଯ୍ୟନ୍ତ ସେଭଳି ବିଷମ ସ୍ଥିତି ଦେଖାଦେଇ ନାହିଁ। ତଥାପି ପରିସ୍ଥିତି ଉପୁଜିଲେ ଚାଷୀଙ୍କୁ ବାଣୀ ଶୁଣାଉଥିବା ବ୍ୟକ୍ତିଙ୍କୁ ନିଜ କର୍ମକ୍ଷେତ୍ର ଛାଡ଼ି ଗାଁକୁ ଯାଇ ଯଦି ଚାଷ କରିବାକୁ କୁହାଯାଏ, ତାହାହେଲେ ସେମାନେ କରିବେ କ’ଣ? ହୁଏତ ଏଭଳି ବ୍ୟକ୍ତି କହିପାରନ୍ତି ଯେ, ସେଭଳି ପରିସ୍ଥିତି ସେମାନଙ୍କ ଜୀବନକାଳରେ ଆସିବ ନାହିଁ। ସେମାନଙ୍କ ମଧ୍ୟରୁ କେତେକ ଅନ୍ୟ ଦେଶକୁ ଯାଇ ନୂଆ ଜାତୀୟତା ଗ୍ରହଣ ପାଇଁ ମଧ୍ୟ ପଛାଇବେ ନାହିଁ। ଅବଶ୍ୟ ଅଧିକାଂଶ ଭାରତୀୟଙ୍କ ପାଖରେ ଏଭଳି ସୁଯୋଗ ନାହିଁ। ଯେଉଁ ମୁହୂର୍ତ୍ତରେ ଜିଡିପିକୁ କମ୍‌ ଅବଦାନ ଦେଉଥିବା ଏହି ଗରିବ ଚାଷୀ ସେମାନଙ୍କ କାର୍ଯ୍ୟରୁ ଓହରିଯିବେ, ସେହି ସମୟରୁ ଭାରତକୁ ଏକ ଉତ୍କଟ ଖାଦ୍ୟ ସଙ୍କଟର ସାମ୍ନା କରିବାକୁ ପଡ଼ିବ। ତୈଳ ଆମଦାନୀ କରି ଭାରତ ପର୍ଯ୍ୟାପ୍ତ ଅର୍ଥ ବୋଝ ମୁଣ୍ଡାଇ ଚାଲିଛି। ଏଭଳି ସ୍ଥଳେ ଯଦିବା ଭାରତକୁ ତା’ର ଅଧା ଜନସଂଖ୍ୟା ଲାଗି ଖାଦ୍ୟ ଆମଦାନୀ କରିବାକୁ ପଡ଼େ, ତାହାହେଲେ ଏହି ଦେଶର ଅର୍ଥନୀତିରେ ଯେ କି ଅବସ୍ଥା ହେବ ତାହା ଅନୁମେୟ। ଏହା ହେଲେ ପରିବର୍ତ୍ତନ ବିଷୟରେ ବଡ଼ବଡ଼ କଥା କହୁଥିବା ଏହି ବୁଦ୍ଧିଜୀବୀମାନେ ସେମାନଙ୍କ ଦାମୀ ଗାଡ଼ିରେ କେଉଁ ବିଳାସପୂର୍ଣ୍ଣ ହୋଟେଲ ବା ରେଷ୍ଟୁରାଣ୍ଟକୁ ଖାଇବାକୁ ଯିବେ ତାହା ଦେଖିବାକୁ ହେବ। କ୍ଷୁଧା ଜର୍ଜରିତ ଉତ୍ତ୍ୟକ୍ତ ଲୋକେ ହୋଟେଲ ସାମ୍ନାରେ ରଖାଯାଇଥିବା ସେମାନଙ୍କ ବିଳାସପୂର୍ଣ୍ଣ କାର୍‌ଗୁଡ଼ିକୁ କେତେବେଳେ ଯେ ଭାଙ୍ଗିଦେବେ କହି ହେବ ନାହିଁ। ଭାରତରେ ଏଭଳି ଏକ ସ୍ଥିତି ଉପୁଜିବା ଅସମ୍ଭବ ନୁହେଁ ବୋଲି ଧରିନେବାକୁ ହେବ। ନିକଟ ଅତୀତରେ କେବଳ ସବ୍‌-ସାହାରା ନୁହେଁ, ଆଫ୍ରିକା ମହାଦେଶର ବିଭିନ୍ନ ରାଷ୍ଟ୍ରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ...

ପୁନଶ୍ଚ ଦୁର୍ଭିକ୍ଷ

ପୁନଶ୍ଚ ଦୁର୍ଭିକ୍ଷ

ବୈକୁଣ୍ଠନାଥ ମିଶ୍ର/ ଊନବିଂଶ ଶତାବ୍ଦୀର ମଧ୍ୟଭାଗ ଓଡ଼ିଶା ପାଇଁ ଥିଲା ଚରମ ଦୁର୍ଦ୍ଦିନର ସମୟ। ୧୮୬୬ର ନ’ଅଙ୍କ ଦୁର୍ଭିକ୍ଷ ସମସ୍ତ ବିପତ୍ତିକୁ ବଳିଗଲା। ୧୮୬୫ରେ ଏକ ଭୟଙ୍କର ମରୁଡ଼ି ହେଲା। କୃଷି ସମ୍ପୂର୍ଣ୍ଣ ଉଜୁଡ଼ିଗଲା। ଲୋକମାନେ ତାଙ୍କ ସଞ୍ଚିତ ଖାଦ୍ୟଶସ୍ୟରେ ଅତି କଷ୍ଟରେ ସେହି ବର୍ଷଟି ଚଳାଇନେଲେ। ୧୮୬୬ର ପ୍ରାରମ୍ଭରୁ ଖାଦ୍ୟାଭାବର ଉତ୍କଟ ସ୍ଥିତି ତିନୋଟି ଉପକୂଳବର୍ତ୍ତୀ ଜିଲା ଯଥା କଟକ, ପୁରୀ ଓ ବାଲେଶ୍ୱରକୁ ସମ୍ପୂର୍ଣ୍ଣ କବଳିତ କରିଦେଲା। ଜଳସେଚନର ସୁବିଧା ନ ଥିବାରୁ କେବଳ ବୃଷ୍ଟିଜଳ ଉପରେ କୃଷି ନିର୍ଭରଶୀଳ ଥିଲା। ଜମିଦାରଙ୍କ ବ୍ୟତୀତ ସାଧାରଣ ଲୋକଙ୍କ ପାଇଁ ଦାନାଗଣ୍ଡାକ ସ୍ବପ୍ନ ହୋଇଗଲା। ଜମିଦାରମାନେ ସେମାନଙ୍କ ଗଚ୍ଛିତ ଧନକୁ ରାଜ୍ୟ ବାହାର ବ୍ୟବସାୟୀଙ୍କୁ ଚଢ଼ା ଦରରେ ବିକ୍ରି କରି ବେଶ୍‌ ଲାଭବାନ ହେଲେ। ଲୋକଙ୍କ ହିତ ଚିନ୍ତା ନ କରି ସେମାନେ ନିଜର ପୁଞ୍ଜି ବୃଦ୍ଧି କରି ଚାଲିଲେ। ତିନି ଜିଲାର ମାଜିଷ୍ଟ୍ରେଟମାନେ କଟକସ୍ଥିତ ଡିଭିଜନାଲ କମିଶନର ଟି.ଇ. ରେଭେନ୍ସାଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପ୍ରତିକାର ପାଇଁ ଅନୁରୋଧ କଲେ। କମିଶନର ସାହେବ କିଛି ତ୍ୱରିତ ପଦକ୍ଷେପ ନେବା ପରିବର୍ତ୍ତେ କେତେକ ଜମିଦାରଙ୍କ ପରାମର୍ଶ ଲୋଡିଲେ। ସ୍ବାର୍ଥପର ଜମିଦାରମାନେ ଶଠତା ଆଚରଣ କରି କମିଶନରଙ୍କୁ ଭ୍ରମିତ କଲେ। ସେମାନଙ୍କ ମତରେ ଲୋକଙ୍କ ନିକଟରେ ପ୍ରଚୁର ଖାଦ୍ୟଶସ୍ୟ ଅଛି, ଯଦ୍ଦ୍ବାରା ବାହାର ରାଜ୍ୟକୁ ଧାନ ବିକ୍ରି କରାଯାଉଛି। ପୁନଶ୍ଚ ପୁରପଲ୍ଲୀରେ ନାରୀମାନଙ୍କ ହାତରେ ଥିବା ସୁନାଚୁଡି ବିକ୍ରି କରି ସେମାନେ ପାଞ୍ଚବର୍ଷ ଖାଦ୍ୟାଭାବ ମେଣ୍ଟାଇପାରିବେ। କମିଶନର ମାଜିଷ୍ଟ୍ରେଟମାନଙ୍କୁ ବିଶ୍ୱାସ ନ କରିବା ଥିଲା ସାଂଘାତିକ ଭୁଲ। ବାଲେଶ୍ୱର ଜିଲା ମାଜିଷ୍ଟ୍ରେଟଙ୍କଠାରୁ ଖବର ପାଇ ବଙ୍ଗର ଗଭର୍ନର ‘ସାର୍‌ ସେସିଲ ବିଡନ’ ସେହିବର୍ଷ ଫେବୃୟାରୀରେ କଟକ ଆସିଲେ। ସେ ମଧ୍ୟ ପ୍ରତାରଣାର ଶିକାର ହୋଇ କଲିକତା ଫେରିଗଲେ। ଏଣେ ଉତ୍କଟ ଖାଦ୍ୟାଭାବ ଭୟଙ୍କର ଅବସ୍ଥା ଧାରଣ କଲା। ଲୋକେ ଅଖାଦ୍ୟ ଖାଇ ହଇଜା ଓ ମହାମାରୀରେ ଆକ୍ରାନ୍ତ ହୋଇ ପୋକମାଛି ପରି ମୃତ୍ୟୁବରଣ କଲେ। ମୃତ୍ୟୁ ଏଭଳି ଆସିଲା ଯେ ଶବବାହକ ମିଳିଲେ ନାହିଁ। ବର୍ତ୍ତମାନର ଶବବାହକ କିଛି ସମୟ ପରେ ନିଜେ ଶବ ପାଲଟିଲା। ସେତେବେଳେ ଉପକୂଳ ଓଡିଶାର ଏହି ତିନୋଟି ଜିଲାର ଲୋକସଂଖ୍ୟା ଥିଲା ମାତ୍ର ୩ ଲକ୍ଷ ୭୦ ହଜାର। ତନ୍ମଧ୍ୟରୁ ପ୍ରାୟ ଏକତୃତୀୟାଂଶ ଅର୍ଥାତ୍‌ ଏକଲକ୍ଷରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କଲା ପରେ କମିଶନରଙ୍କର ଚେତା ପଶିଲା। ସେ ତ୍ୱରିତ ପଦକ୍ଷେପ ସ୍ବରୂପ ଜମିଦାରମାନଙ୍କୁ ମାଗଣା ଖାଦ୍ୟ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଲେ। କେତେକ ଜମିଦାର ଅବଶ୍ୟ ରିଲିଫ କେନ୍ଦ୍ର ଖୋଲିଲେ, ମାତ୍ର ସେଥିରେ ସମୀପବର୍ତ୍ତୀ ଗାଁମାନଙ୍କର କିଛି ଲୋକ ଖାଦ୍ୟ ପାଇଲେ ସିନା, ଆଭ୍ୟନ୍ତରୀଣ ଗ୍ରାମଗୁଡିକର ଅବସ୍ଥା ଶୋଚନୀୟ ହୋଇପଡିଲା। ଏ କରାଳ ଚିତ୍ର ବର୍ଣ୍ଣନା କରିବାକୁ ଭାଷା ନାହିଁ। ଶିଶୁ ସାହିତି୍ୟକ ରାମକୃଷ୍ଣ ନନ୍ଦ ୧୯୩୬ରେ ଲେଖିଥିବା ‘ନ’ଅଙ୍କ ଦୁର୍ଭିକ୍ଷ’ କବିତାଟି ପାଠକଙ୍କ ମାନସପଟରେ ଗଭୀର ରେଖାପାତ କରିଥିଲା। କାବ୍ୟନାୟକ ସନାତନ ପାଠକର ହୃଦୟକୁ ବିଗଳିତ କରିଥିଲା। କବିତାର କିଛି ଅଂଶ ଏହିପରି-...

ବଣଭୋଜିର ମଜା

ବଣଭୋଜିର ମଜା

ପ୍ରକାଶ କୁମାର ସିଂହ/ ବଣଭୋଜିର ମଜା ଏହି ଶୀତଋତୁରେ କାହିଁରେ କ’ଣ! ନୁହେଁ କି ଆଜ୍ଞା? ଯିଏ ଏଥିରେ ଭାଗ ନିଏ ସିଏ ଜାଣେ। କଥାରେ ଅଛି- ‘ହରିନାମେ କି ରସ ଅଛି, ପାନ କଲା ଲୋକ ସିନା ଜାଣିଛି।’ ସେମିତି ‘ବଣଭୋଜିରେ କି ମଜା ଅଛି, ପାନ କଲାବାଲା ଏକା ଜାଣିଛି।’ କ’ଣ, କିଏ ଏମନ୍ତ ଭୋଜିରେ ପାନ କରୁଛନ୍ତି ଅଳ୍ପେ ବହୁତେ ଆପଣଙ୍କୁ ଜଣାଥିବ ସୁଜନେ। ସେଇ ନାଲିପାଣି ମ ଆଜ୍ଞା। ତା’ ମହିମା ତ ଅସରନ୍ତି। ଯାହା ଯେତେ ପାନ କରୁ, ପାଉଚ ହେଉ କି ବୋତଲ ସବୁ ଖୋଲାମେଲାରେ ଏଠି ସେଠି ଫୋପାଡି ଦେଇ ଆସୁ। ଏଥିରେ ଯେଉଁ ଅଜସ୍ର ଧର୍ମ ଅର୍ଜନ ହୁଏ କହିବାର ନାହିଁ। ପାଉଚ, ବୋତଲ ତ ରାସ୍ତା ବିଗାଡେ। ସ୍ବୟଂ ପାନକାରୀ ରାସ୍ତାରେ ଶୋଇରହି ରାସ୍ତାଟାକୁ ନିଜ ବାପା ନାଁରେ କରିନିଅନ୍ତି ଯେମିତି। ଯେତେ ଗାଡିର ହର୍ନ ମାରିଲେ କି ବାହାରକୁ ଯାଇ ପାଣି ଆଣି ମୁହଁରେ ଛାଟିଲେ ଉଠନ୍ତିନି- ଆହାଃ କି ନିଦ୍ରା! କି ନିଶା...! ଏ ହେଲା ବଣଭୋଜିର ନିଶା। ଯିଏ ଏଥିରେ ଭାଗ ନେଇଛି ସିଏ ମଜା ପାଇଛି। ବୁଦ୍ଧି, ବିବେକ ଓ ଦୂରଦର୍ଶିତାର ସୀମା ଡେଇଁ ଆମେ ଜଙ୍ଗଲ କାଟିଲୁ। ଆଜି ସେଥିପାଇଁ ବାଘ, ହାତୀ, ଭାଲୁ, ମାଙ୍କଡ ସବୁ ପିକ୍‌ନିକ୍‌ କରିବାକୁ ଆମ ଗାଁକୁ ଆସୁଛନ୍ତି। ଆଉ ଆମେ ବଣଭୋଜି ପାଇଁ ତାଙ୍କ ଗାଁକୁ ଯାଉଛୁ, ଯେଉଁଠି ଆମେ ବଣବୁଦାଟିଏ ବି ରଖିନୁ। ପ୍ରାଣୀ ଓ ମଣିଷ ମଧ୍ୟରେ ଚାଲିଛି ଟକରାଟକରି। ପ୍ରାଣୀଙ୍କ ଗାଁରେ ଆମ ବଣଭୋଜି- ଆମ ଗାଁରେ ସେମାନଙ୍କ ବଣଭୋଜି। ପରିବେଶ ଅସନ୍ତୁଳିତ ହୋଇଚାଲିଛି।...