ସମ୍ପାଦକୀୟ

ଅତ୍ୟାଧୁନିକ ଯୁଦ୍ଧ

ଅତ୍ୟାଧୁନିକ ଯୁଦ୍ଧ

ଆକାର ପଟେଲ/ ଦୁଇଟି ଦେଶ ମଧ୍ୟରେ ଶେଷ ବଡ଼ ଯୁଦ୍ଧ ସଂଘଟିତ ହୋଇଥିଲା ୧୫ ବର୍ଷ ତଳେ। ୨୦୦୩ ମସିହାରେ ସଦ୍ଦାମ ହୁସେନ ଜର୍ଜ ଡବ୍ଲ୍ୟୁ ବୁଶ୍‌ଙ୍କଠାରୁ ପରାସ୍ତ ହୋଇଥିଲେ। ଇରାକୀମାନଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନ ଥିଲା ଏବଂ ସେମାନଙ୍କର ପୁରୁଣାକାଳିଆ କମାଣ ଓ ଲଢ଼ୁଆ ଜେଟ୍‌ ଆମେରିକାର ସାମରିକ ଶକ୍ତି ଆଗରେ ତିଷ୍ଠିପାରିଲା ନାହିଁ। ଯଦିଚ ଉଭୟ ପକ୍ଷରେ ସମାନ ସଂଖ୍ୟକ ସୈନିକ (ପ୍ରତ୍ୟେକର ପ୍ରାୟ ୩,୫୦,୦୦୦) ଥିଲେ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗୁ ଆମେରିକାର ଯେତିକି ସୈନ୍ୟ ମଲେ, ତା’ର ୧୦ ଗୁଣ ସୈନ୍ୟ ମଲେ ଇରାକର। ପ୍ରତିରକ୍ଷା ବିଭାଗ୨ ପାଇଁ ବିଭିନ୍ନ ଦେଶ ଯେଉଁ ବିପୁଳ ବ୍ୟୟ ବରାଦ କରନ୍ତି, ତା’ର ମୁଖ୍ୟାଂଶ ବ୍ୟୟ ହୁଏ ଅତ୍ୟାଧୁନିକ କମାଣ, ଯୁଦ୍ଧ ଜାହାଜ, ଯୁଦ୍ଧ ବିମାନ ଆଦି କିଣିବାରେ। ସାମରିକ ବିଶେଷଜ୍ଞମାନେ ଜାଣନ୍ତି ଯେ, କେବଳ ସାଧାରଣତନ୍ତ୍ର ଦିବସ ପରେଡ୍‌ ପରି ଦିବସ ବ୍ୟତୀତ ଅନ୍ୟ ସମୟରେ ଏସବୁ ଜିନିଷ ଆଦୌ ବ୍ୟବହୃତ ହୁଏ ନାହିଁ। ଏହାପରେ ଯଦି କୌଣସି ବଡ଼ ଯୁଦ୍ଧ ସଂଘଟିତ ହୁଏ, ତେବେ ତାହା କେବେହେଲେ ଇରାକ ଯୁଦ୍ଧ ପରି ହେବ ନାହିଁ, ଯେପରି ୨୦୦୩ର ଇରାକ ଯୁଦ୍ଧ ୧୭୫୭ର ପଲାସୀ ଯୁଦ୍ଧଠାରୁ ଭିନ୍ନ ଥିଲା। ଦୁଇ ଦେଶ ମଧ୍ୟରେ ସେତେବେଳେ ଯୁଦ୍ଧ ସଂଘଟିତ ହୁଏ, ଯେତେବେଳେ ଗୋଟିଏ ପକ୍ଷ ସ୍ଥିରନିଶ୍ଚିତ ଥାଏ ଯେ, ବଳ ପ୍ରୟୋଗ କରି ସେ ଅନ୍ୟ ଦେଶଠାରୁ ସେ ଚାହୁଁଥିବା କାର୍ଯ୍ୟ ହାସଲ କରାଇପାରିବ। କିନ୍ତୁ ବିନା ହିଂସାରେ ବି ଏହି ଲକ୍ଷ୍ୟ ହାସଲ ହୋଇପାରିବ। ଆମେରିକାର ଗୋଇନ୍ଦା ସଂସ୍ଥା କହିଛି ଯେ, ଆମେରିକାର ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ରୁଷିଆର ପ୍ରଚ୍ଛନ୍ନ ଭୂମିକା ରହିଥିଲା। ଭ୍ଲାଡିମିର ପୁଟିନ୍‌ ଚାହୁଁଥିଲେ ହିଲାରୀ କ୍ଲିଣ୍ଟନ ହାରନ୍ତୁ ଓ ଡୋନାଲ୍‌ଡ ଟ୍ରମ୍ପ ଜିତନ୍ତୁ। ରୁଷିଆର ଏହି ଅଯଥା ହସ୍ତକ୍ଷେପରେ ଟ୍ରମ୍ପ ବି ସହଯୋଗ କରିଥିଲେ ବୋଲି ଅଭିଯୋଗ ହୁଏ। ଏ ବିଷୟରେ ତଦନ୍ତ ଜାରି ରହିଛି। କିନ୍ତୁ ଏହା ନିଶ୍ଚିତ ଯେ, ପୁଟିନ ଓ ତାଙ୍କ ଗୁପ୍ତଚରମାନେ ଆମେରିକା ନିର୍ବାଚନକୁ ପ୍ରଭାବିତ କରି ତାକୁ ନିର୍ଣ୍ଣାୟକ ମୋଡ଼ ଦେଇଥିଲେ। ଫେବୃୟାରୀ ୧୬ ତାରିଖ ଶୁକ୍ରବାର ଟ୍ରମ୍ପଙ୍କ ନ୍ୟାୟ ବିଭାଗ ୧୩ ଜଣ ରୁଷୀୟଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସେଣ୍ଟ ପିଟର୍ସବର୍ଗ, ରୁଷିଆର ଇଣ୍ଟର୍‌ନେଟ୍‌ ରିସର୍ଚ୍ଚ ଏଜେନ୍ସିର ସଦସ୍ୟ। ସେମାନେ ଏକ ଘରୋଇ ନେଟ୍‌ଓ୍ବର୍କରେ ଏକ ସୋସିଆଲ ମିଡ଼ିଆ ଆକାଉଣ୍ଟ ଖୋଲିଥିଲେ, ଯାହା ରୁଷିଆରୁ ପରିଚାଳିତ ହେଉଥିଲେ ହେଁ ଆମେରିକାରୁ ପରିଚାଳିତ ହେଉଛି ବୋଲି ମନେହେଉଥିଲା। ଏହି ମିଡ଼ିଆରେ ପୁଟିନ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରି ଟ୍ରମ୍ପ୍‌ଙ୍କ ସପକ୍ଷରେ ପ୍ରଚାର କରାଇଥିଲେ। ତେବେ ଟ୍ରମ୍ପ ଜିତନ୍ତୁ ବୋଲି ରୁଷିଆ କାହିଁକି ଚାହୁଁଥିଲା? କାରଣ ବିଶ୍ୱ ରାଜନୀତିରେ ରୁଷିଆର ପ୍ରଭାବ ନୂ୍ୟନ କରିବାକୁ ହିଲାରୀ ଚେଷ୍ଟା କରିଥାନ୍ତେ। ଆମେରିକା ବିରୋଧରେ ଯୁଦ୍ଧ ନ କରି ପୁଟିନ ତାଙ୍କର ଲକ୍ଷ୍ୟ ହାସଲ କରିନେଲେ। ...

ଅତି ପାଖରେ ଈଶ୍ୱର

ଅତି ପାଖରେ ଈଶ୍ୱର

ଚିତ୍ର ଚରିତ୍ର-ନିରଞ୍ଜନ ପାଢ଼ୀ/ କାଳେ କାଳେ ଭକ୍ତ ହିଁ ଭଗବାନଙ୍କର ପାଖଲୋକ। ଋଷିମୁନିଙ୍କର କଠୋର ତପସ୍ୟା, ଜ୍ଞାନୀବିଜ୍ଞାନୀଙ୍କ ବୌଦ୍ଧିକ ବିଦ୍‌ବତ୍ତା, ରାଜାମହାରାଜାଙ୍କ ଅପ୍ରମିତ ଐଶ୍ୱର୍ଯ୍ୟ ବା ଧନବାନ୍‌ଙ୍କ ବିପୁଳ ବିଭବ ଯେଉଁ ଈଶ୍ୱରଙ୍କୁ ଆକର୍ଷିତ କରିବାରେ ଅସମର୍ଥ, ପ୍ରକୃତ ଭକ୍ତର ସମର୍ପିତ ଜୀବନଚର୍ଯ୍ୟା ନିକଟରେ ସହଜରେ ବନ୍ଧା ପଡିଯା’ନ୍ତି ସେଇ ଅଦୃଷ୍ଟ ଈଶ୍ୱର। ତେବେ କିଏ ଏହି ଭକ୍ତ? କେମିତି ତାଙ୍କ ଭକ୍ତିଭାବର ସ୍ବରୂପ? ଆଧ୍ୟାତ୍ମିକ ଚେତନାର ଉତ୍କର୍ଷ ଉପଲବ୍ଧି କରିଥିବା ଈଶ୍ୱରଙ୍କ ଏଇ ପାଖଲୋକ କ’ଣ ଅନ୍ୟମାନଙ୍କଠୁ ଅନନ୍ୟ? ସାଧାରଣଙ୍କ ଭିତରେ ଅସାଧାରଣ? ଏ ସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ନିମ୍ନୋକ୍ତ କେତୋଟି ଜଣା ଅଜଣା ଚରିତ୍ରର ଅନୁଶୀଳନ କରାଯାଉ। ପ୍ରଥମ ଚରିତ୍ରର ନାମ ଶ୍ରୀମତୀ ଅନାମିକା। ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ହେବ ଏଇ ମହାଶୟା ଜଣେ ନାମୀଦାମୀ ଧର୍ମଗୁରୁଙ୍କ ସମର୍ପିତା ଅନୁଗାମିନୀ। ଧର୍ମଗୁରୁ ବଞ୍ଚିଥିବା ବେଳେ ତାଙ୍କଦ୍ୱାରା ନିର୍ଦ୍ଧାରିତ ବିଧାନ ଅନୁଯାୟୀ ସବୁଠୁ ଅଧିକ ମୂଲ୍ୟ ଦେଇ ସେ ତାଙ୍କ ପାଦ ତଳେ ବସିବା ଭଳି ମହାର୍ଘ ଅନୁଭବ ହାସଲ କରିଥିଲେ। ‘କେବଳ ଗୁରୁ ହିଁ ଈଶ୍ୱର’ ବୋଲି କହୁଥିବା ସେହି ଧର୍ମଗୁରୁ ଏବେ ଇହଜଗତରେ ନାହାନ୍ତି ସତ, ମାତ୍ର ସେ ଥିଲାବେଳେ ତାଙ୍କର ନିୟମ ଏମିତି ଥିଲା ଯେ ଯିଏ ଯେତେ ଅଧିକ ଅର୍ଥ ଭେଟି ଦେଇପାରୁଥିଲା, ସେ ତାଙ୍କର ସେତେ ଅଧିକ ନିକଟତର ହେବାର ସୌଭାଗ୍ୟପ୍ରାପ୍ତ ହେଉଥିଲା। ଫଳସ୍ବରୂପ, ଧନବାନ୍‌ ଭକ୍ତ ଜଣେ ତାଙ୍କ ସ୍ପର୍ଶ ଲାଭ କରୁଥିଲାବେଳେ ବିଚରା ନିର୍ଦ୍ଧନ ଜଣକ କେବଳ ଦୂରରୁ ତାଙ୍କୁ ଦେଖିପାରୁଥିଲା ସିନା ପାଖକୁ ଯିବାରୁ ବଞ୍ଚିତ ହେଉଥିଲା। ତାଙ୍କ ଦେହାନ୍ତ ପରେ ତାଙ୍କଦ୍ୱାରା ପ୍ରତିଷ୍ଠିତ ଧର୍ମାନୁଷ୍ଠାନକୁ ପ୍ରତି ମାସ ପାଞ୍ଚହଜାର ଟଙ୍କା ପଠାଇ ଶ୍ରୀମତୀ ଅନାମିକା ନିଜ ଆଧ୍ୟାତ୍ମିକ ଉତ୍ତରଣର ନିଷ୍ଠାପର ଉଦ୍ୟମକୁ ଅବ୍ୟାହତ ରଖିଥିଲେ ଓ ବର୍ଷର ବିଭିନ୍ନ ସମୟରେ ବହୁଆଡ଼େ ଗସ୍ତ କରି ଗୁରୁଙ୍କ ଧର୍ମଦର୍ଶନର ବ୍ୟାପକ ପ୍ରଚାର ପ୍ରସାର ପାଇଁ ନିଜକୁ ନିୟୋଜିତ କରୁଥିଲେ। ଅନାମିକାଙ୍କ ଘରେ ତାଙ୍କ ଅଶୀତିପର ବୃଦ୍ଧା ଶାଶୁଙ୍କ ଦେଖାଚାହାଁ କରିବାର ଦାୟିତ୍ୱ ନେଉଥିଲେ ତିନିବର୍ଷ ପୂର୍ବରୁ ବୃତ୍ତିରୁ ଅବସର ନେଇସାରିଥିବା ତାଙ୍କ ନାତିବୃଦ୍ଧ ପୁତ୍ର ଓରଫ ଅନାମିକାଙ୍କ ସ୍ବାମୀ। ବାର୍ଦ୍ଧକ୍ୟର ବିଭିନ୍ନ ବ୍ୟାଧିରେ ଘାଣ୍ଟି ହେଉଥିବା ବୁଢ଼ୀ ଶାଶୁ ତାଙ୍କ ଆଧ୍ୟାତ୍ମିକ ଉତ୍ତରଣରେ ବାଧକ ହେଉଛନ୍ତି ବୋଲି ବାରମ୍ବାର ଅଭିଯୋଗ କରୁଥିବା ଅନାମିକାଙ୍କ ପାଇଁ ଶାଶୁଙ୍କ ସେବା ବା ଚିକିତ୍ସାଠାରୁ ତାଙ୍କ ଗୁରୁ-ନିର୍ଦ୍ଦେଶିତ ଧର୍ମପଥ ଓ ସେଥିପାଇଁ ଲୋଡ଼ା ପଡୁଥିବା ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରିବା ହିଁ ଥିଲା ଅଧିକ ଈପ୍‌ସିତ ମହତ୍ତର ଉପଲବ୍ଧି। ନିଜ ଧାର୍ମିକା ପତ୍ନୀଙ୍କଠାରୁ ବହୁବାର ‘ଅଧର୍ମୀ’, ‘ଗୁରୁଦ୍ରୋହୀ’ ଓ ‘ଈଶ୍ୱରଦ୍ରୋହୀ’ ଆଦି ବହୁବିଧ ବିଶେଷଣରେ ଭୂଷିତ ହୋଇ ପ୍ରାୟତଃ ଚଳତ୍‌ଶକ୍ତିହୀନ ମାଆର ସବୁପ୍ରକାର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରୁଥିଲେ ‘ଧର୍ମ ଓ ଈଶ୍ୱର’ ଭଳି ଶବ୍ଦର ପ୍ରକୃତ ପରିଭାଷା ଖୋଜୁଥିବା ଅସହାୟ ପତିଦେବ। ଏଇ ପ୍ରସଙ୍ଗରେ ଦ୍ୱିତୀୟ ଚରିତ୍ର ସନ୍ଥ ଏକନାଥଙ୍କ କଥା। ପବିତ୍ର ଗଙ୍ଗାନଦୀର ଜଳ କାନ୍ଧରେ ବୋହି ଅନ୍ୟ ବହୁ ଶିବଭକ୍ତଙ୍କ ଗହଣରେ ବଦ୍ରିନାଥ ଯାତ୍ରା କରୁଥାନ୍ତି ସାଧୁ ଏକନାଥ। ପାହାଡ଼ିଆ ବନ୍ଧୁର ରାସ୍ତା ଅତିକ୍ରମ କରୁଥିଲାବେଳେ ସେ ଲକ୍ଷ୍ୟ କଲେ ରୁଗ୍‌ଣ ବୁଢ଼ା ଗଧଟିଏ ପ୍ରବଳ ତୃଷ୍ଣାରେ ଆତୁର ହୋଇ ଏକ ଗିରିଗୁହା ମଧ୍ୟରେ ପଡିରହିଛି। ପାଣି ଟୋପାଏ ବିନା ଯେକୌଣସି ମୁହୂର୍ତ୍ତରେ ମରିଯିବା ଭଳି ତା’ର ଅବସ୍ଥା। ଏକନାଥଙ୍କ ସତୀର୍ଥ ଅନ୍ୟ ଭକ୍ତମାନେ ଗଧଟିର ମୁମୂର୍ଷୁ ଅବସ୍ଥା ଦେଖିଲେ ବି କିଛି ନ ଘଟିଲା ଭଳି ନିଜ ବାଟରେ ଚାଲିଗଲେ। ବଡ଼ କଷ୍ଟରେ ପାହାଡ଼ ଚଢ଼ି ଚଢ଼ି, କାନ୍ଧରେ ଜଳଭାର ବୋହି ଶିବଙ୍କ ଜଳାଭିଷେକ କରିବାକୁ ଯାଉଥିବା ଭକ୍ତଗଣ ଗୋଟିଏ ସାମାନ୍ୟ ଗଧ ପାଇଁ ଜଳ ଖର୍ଚ୍ଚ କରି ନିଜ ପୁଣ୍ୟ ପ୍ରତିହତ କରିବାକୁ ଚାହିଁଲେ ନାହିଁ। ଏକନାଥ କିନ୍ତୁ ଆଗକୁ ବଢିପାରିଲେ ନାହିଁ। ପୁଣ୍ୟ ଅର୍ଜନର ଅଭିଳାଷଠାରୁ ଶୋଷିଲା ଗଧଟିକୁ ପାଣି ପିଆଇବାର ଇଚ୍ଛା ତାଙ୍କ ମଧ୍ୟରେ ବଳବତ୍ତର ହୋଇଉଠିଲା। ଦୁଇ କଳସୀଯାକ ପାଣି ପିଇ ଗଧଟି ସୁସ୍ଥ ହୋଇ ଛିଡାହେଲା ପରେ ପରମ ତୃପ୍ତିରେ ସନ୍ଥ ସେଇଠି ଦୂରବର୍ତ୍ତୀ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ହାତ ଯୋଡିଲେ ଓ ନୀରବରେ ଫେରିବାକୁ ବସିଲେ। ଈପ୍‌ସିତ୍‌ ଜଳାଭିଷେକ ଅପୂର୍ଣ୍ଣ ରହିଗଲା ବୋଲି ମନରେ ତାଙ୍କର ସାମାନ୍ୟ ଅବସୋସ ନ ଥିଲା। ଅରଣ୍ୟର ସେଇ ନିଃଶବ୍ଦ ପରିବେଶ ମଧ୍ୟରେ କିଏ ଯେମିତି କହୁଥିବାର ସେ ଶୁଣିଲେ, ଶହ ଶହ କୁମ୍ଭ ଗଙ୍ଗାଜଳରେ ସେଠି ଗୋଟିଏ ନିର୍ଜୀବ ପଥର ଲିଙ୍ଗ ବୁଡିଯିବ ସିନା ଏଠି କିନ୍ତୁ ଦୁଇ କଳସୀ ପାଣିରେ ସ୍ବୟଂ ମହାଦେବ ଗୋଟାଯାଏ ଗାଧୋଇ ପଡିଛନ୍ତି। ଏମିତି ଏକ ଅଭିନବ ଅନୁଭବ ଏକାନ୍ତରେ କେବଳ ଏକନାଥଙ୍କ ପରି ଭକ୍ତମାନଙ୍କର, ଯେଉଁମାନେ ଜୀବ ମଧ୍ୟରେ ଶିବଙ୍କୁ ଆବିଷ୍କାର କରି ଈଶ୍ୱରଙ୍କ ନିକଟତର ହୁଅନ୍ତି। ଏକ ଦିବ୍ୟଚେତନାରେ ପୁଲକିତ ହୁଏ ଏମାନଙ୍କ ଭକ୍ତସତ୍ତା, ଠିକ୍‌ ଏଇ ନିବନ୍ଧର ତୃତୀୟ ଚରିତ୍ର ଆବୁ ବେନ୍‌ଙ୍କ ପରି। ...

ଶ୍ରମିକ ନେତାରୁ ରାଷ୍ଟ୍ରପତି

ଶ୍ରମିକ ନେତାରୁ ରାଷ୍ଟ୍ରପତି

ବ୍ୟକ୍ତିତ୍ୱ-ଜିତେନ୍ଦ୍ର/ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ଜୀବନରେ ଶୀର୍ଷରେ ପହଞ୍ଚତ୍ଥାନ୍ତି। ବର୍ଣ୍ଣବୈଷମ୍ୟ ବିରୋଧୀ ସଂଗ୍ର୍ରାମର ଅଗ୍ରଦୂତ ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲ୍‌ସନ ମଣ୍ଡେଲା ଏଭଳି ଗୁଣ ସାଇରିଲ ରାମାଫୋସାଙ୍କ ନିକଟରେ ଥିବା ଦେଖିବାକୁ ପାଇଥିଲେ। ଆଶୀର୍ବାଦ ଦେବାକୁ ଯାଇ ଥରେ କହିଥିଲେ, ‘ତୁମେ ହେଉଛ ଏହି ଦେଶର ଭବିଷ୍ୟତ ରାଷ୍ଟ୍ରପତି’। ଆଜି ମଣ୍ଡେଲାଙ୍କ ଭବିଷ୍ୟବାଣୀ ସତ ହୋଇଛି ଓ ରାମାଫୋସା ଦକ୍ଷିଣ ଆଫ୍ରିକାର ୫ମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଜାକୋବ ଜୁମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଦେଶବ୍ୟାପୀ ଅସନ୍ତୋଷ ଦେଖାଦେଇଥିଲା। ଫଳରେ ବାଧ୍ୟ ହୋଇ ସେ ୨୦୧୮ ଫେବୃୟାରୀ ୧୪ରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ଫେବୃୟାରୀ ୧୫ରେ ରାମାଫୋସା ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି। ମାଟାମେଲା ସାଇରିଲ ରାମାଫୋସା ୧୯୫୨ ନଭେମ୍ବର ୧୭ରେ ଜୋହାନ୍ସବର୍ଗର ସୋଓ୍ବେଟୋଠାରେ ଜନ୍ମଗ୍ରହଣ କରିଥିଲେ। ଏର୍ଡୁମୁଥ ଓ ସାମୁଏଲ ରାମାଫୋସାଙ୍କ ୩ ସନ୍ତାନ ମଧ୍ୟରୁ ସାଇରିଲ ରାମାଫୋସା ହେଉଛନ୍ତି ଦ୍ୱିତୀୟ। ପିତା ପୋଲିସ ଅଫିସର ଥିବାରୁ ସେ ଅତି ଶୃଙ୍ଖଳିତ ଭାବେ ବଢ଼ିଥିଲେ। ସୋଓ୍ବେଟୋରୁ ପ୍ରାଥମିକ ଓ ସେକାନୋ ଟୋୟାନେରୁ ମାଧ୍ୟମିକ ଶିକ୍ଷା ସମାପ୍ତ କରି ୧୯୭୧ରେ ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୭୨ରେ ୟୁନିଭର୍ସିଟି ଅଫ୍‌ ନର୍ଥରେ ସେ ଆଇନ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ...

ଏଇ ଭାରତରେ

ଏଇ ଭାରତରେ

ଇଣ୍ଟରନେଟ୍‌ ଜରିଆରେ ସହଜରେ ଅନେକ ତଥ୍ୟ ଉପଲବ୍ଧ ହେଉଛି। ଏହି ମାଧ୍ୟମ ଆଧୁନିକ ମଣିଷ ପାଇଁ ଯେତିକି ସହାୟକ ହେଉଛି, ସେତିକି ସାଂଘାତିକ ସାବ୍ୟସ୍ତ ହେଲାଣି। ୨୦୧୭ରେ ଜଣେ ମହିଳା ଅନ୍‌ଲାଇନ ଅଶ୍ଳୀଳ ଭିଡିଓ ଉପଲବ୍ଧତା ଉପରେ କଟକଣା ଲଗାଇବା ସକାଶେ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ। ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର ମଧ୍ୟ ସମାନ ପ୍ରକାର ଆବେଦନ କରିଥିଲେ ସୁପ୍ରିମ୍‌କୋର୍ଟରେ। ମାତ୍ର ଏହାର କୌଣସି ନିଷ୍ପତ୍ତି ହୋଇପାରିଲା ନାହିଁ। ଏବେ ଦିଲ୍ଲୀର ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ଅଦାଲତର ଆଶ୍ରୟ ନେଇଛନ୍ତି। ମହିଳାଙ୍କ ଅଭିଯୋଗ ହେଉଛି ତାଙ୍କ ସ୍ବାମୀ ଅନ୍‌ଲାଇନ ପର୍ନୋଗ୍ରାଫି (ଅଶ୍ଳୀଳ ଭିଡିଓ) ଦେଖିବାରେ ଏତେ ଆସକ୍ତ ହୋଇଯାଇଛନ୍ତି ଯେ, ଘରେ ସ୍ତ୍ରୀ ଅଛନ୍ତି ବୋଲି ତାଙ୍କର ଧ୍ୟାନ ରହୁନାହିଁ, ଯାହାଫଳରେ ତାଙ୍କର ଦାମ୍ପତ୍ୟ ଜୀବନ ନଷ୍ଟ ହୋଇଗଲାଣି। ଏହିସବୁ ଅଶ୍ଳୀଳ ଭିଡିଓ କେବଳ ଯୁବପିଢିକୁ ନୁହେଁ, ଅନେକ ପରିବାରରେ ଦମ୍ପତିଙ୍କ ଭିତରେ ଫାଟ ସୃଷ୍ଟି କରୁଛି। ସ୍ବାମୀଙ୍କୁ ଏଥିରୁ ନିବୃତ୍ତ କରିବା ସକାଶେ ମହିଳା ଜଣକ ଅନେକ ଚେଷ୍ଟା କରି ବିଫଳ ହୋଇଛନ୍ତି। ଅନ୍‌ଲାଇନ ଅଶ୍ଳୀଳ ଭିଡିଓ ଦେଖି ତାଙ୍କ ସ୍ବାମୀ କିପରି ଅପ୍ରାକୃତିକ ଯୌନସମ୍ପର୍କ ପାଇଁ ତାଙ୍କୁ ବାଧ୍ୟ କରୁଛନ୍ତି ତାହା ସେ ଉଲ୍ଲେଖ କରିଛନ୍ତି। ପର୍ନୋଗ୍ରାଫିରେ ଆସକ୍ତ ସ୍ବାମୀ ଜଣକ ଏବେ ସ୍ତ୍ରୀଙ୍କୁ ଛାଡପତ୍ର ଦେବା ସକାଶେ ମଧ୍ୟ କୋର୍ଟର ଆଶ୍ରୟ ନେଲେଣି।

ବ୍ୟବସ୍ଥାକୁ ନେଇ ବିତର୍କ

ବ୍ୟବସ୍ଥାକୁ ନେଇ ବିତର୍କ

ଦିଲ୍ଲୀକା ବାବୁ-ଦିଲୀପ ଚେରିଏନ୍‌/ ବାବୁମାନଙ୍କ ପାଇଁ ମୋଦି ସରକାରଙ୍କ ୩୬୦ ଡିଗ୍ରୀ ଆପ୍ରେଜାଲ ସିଷ୍ଟମ୍‌ (ଯୋଗ୍ୟତା ନିର୍ଦ୍ଧାରଣ ବ୍ୟବସ୍ଥା) ୨୦୧୫ରେ ଆରମ୍ଭ ହୋଇଥିଲା, ଯାହା ବିଭିନ୍ନ ମହଲରୁ ତୀବ୍ର ସମାଲୋଚନାର ଶରବ୍ୟ ହୋଇଆସୁଛି। ଏପରି କି ଏକ ସଂସଦୀୟ କମିଟି ଗତବର୍ଷ ଏହାକୁ ବେଆଇନ, ସ୍ବେଚ୍ଛାଚାରୀ, ଅସ୍ବଚ୍ଛ ଏବଂ ସନ୍ଦେହଜନକ ବୋଲି ଅଭିହିତ କରିଥିଲା। ଭାଜପା ଦ୍ୱାରା ବିନୀତ ଚୌଧ୍‌ରୀଙ୍କୁ ହିମାଚଳ ପ୍ରଦେଶର ମୁଖ୍ୟ ଶାସନ ସଚିବ କରାଯିବା ଘଟଣାରେ ପୁଣି ଉକ୍ତ ଆପ୍ରେଜାଲ ସିଷ୍ଟମ୍‌କୁ ନେଇ ପ୍ରଶ୍ନ ଉଠିଛି। କେନ୍ଦ୍ର ସରକାରରେ ଏକ ସଚିବସ୍ତରୀୟ ପଦରେ ନିଯୁକ୍ତି ଦିଆ ନ ଯିବାରୁ ଉକ୍ତ ୧୯୮୨ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଜଣକ ଏହି ବ୍ୟବସ୍ଥା ବିରୋଧରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍‌)ର ଦ୍ୱାରସ୍ଥ ହୋଇଥିଲେ। ନଭେମ୍ବର ମାସରେ ସ୍ୟାଟ୍‌ କ୍ୟାବିନେଟ୍‌ ସଚିବାଳୟକୁ ଏହାର କାରଣ ଦର୍ଶାଇବା ଓ ଏ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ଆଦେଶ ଦେଲେ। କିନ୍ତୁ ଚୌଧ୍‌ରୀଙ୍କୁ କେନ୍ଦ୍ରରେ ସଚିବ କରାଇ ଦିଆଗଲା ନାହିଁ ଏବଂ ଉକ୍ତ ବ୍ୟବସ୍ଥା ତଥାପି ବଳବତ୍ତର ରହିଛି। ମଜାର କଥା ହେଲା, କେନ୍ଦ୍ରରେ ସଚିବ ପାହ୍ୟାକୁ ପଦୋନ୍ନତି ଦିଆ ନ ଯିବା ସତ୍ତ୍ୱେ ଡିସେମ୍ବର ମାସରେ ଚୌଧ୍‌ରୀ ଚାହିଁଲେ ହିମାଚଳ ପ୍ରଦେଶର ମୁଖ୍ୟ ଶାସନ ସଚିବ ହେବା ପାଇଁ। କାରଣ କେନ୍ଦ୍ରରେ ସଚିବ ପଦ ପାଇଁ ନଥିଭୁକ୍ତ ହୋଇପାରୁ ନ ଥିବା ଅଫିସର ରାଜ୍ୟରେ ସର୍ବୋଚ୍ଚ ପ୍ରଶାସନିକ ପଦ ପାଇପାରିବେ ବୋଲି ନିୟମ ଅଛି। ତଥାପି ଏହି ଘଟଣା ପରେ ମୋଦି ସରକାରଙ୍କ ଉକ୍ତ ୩୬୦ ଡିଗ୍ରୀ ଆପ୍ରେଜାଲ ସିଷ୍ଟମ୍‌ ନେଇ ବିତର୍କ ବୃଦ୍ଧିପାଇବା ଦେଖାଦେଇଛି। /ସର୍ବୋଚ୍ଚ ପଦ ପାଇଁ ଦୌଡ଼/ କ୍ୟାବିନେଟ୍‌ ସଚିବ ପି.କେ. ସିହ୍ନାଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ୍‌ ମାସରେ ପୂରୁଥିବାରୁ ପ୍ରଧାନମନ୍ତ୍ରୀ ମୋଦି କାହାକୁ ତାଙ୍କର ଉତ୍ତରାଧିକାରୀ ବାଛୁଛନ୍ତି, ତାହାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଯେଉଁମାନଙ୍କ ନାମ ଶୁଣାଯାଉଛି, ସେମାନଙ୍କ ମଧ୍ୟରେ ଅଛନ୍ତି ଅର୍ଥ ସଚିବ ହସ୍‌ମୁଖ ଆଧିଆଙ୍କ ସମେତ ଅନେକ ବରିଷ୍ଠ ଅଫିସର, ଯଥା ପେଟ୍ରୋଲିୟମ୍‌ ସଚିବ କେ.ଡି. ତ୍ରିପାଠୀ, ସୂଚନା ଓ ପ୍ରସାରଣ ସଚିବ ଏନ୍‌.କେ. ସିହ୍ନା, ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ରାଜୀବ କୁମାର, ବେସାମରିକ ବିମାନ ଚଳାଚଳ ସଚିବ ରାଜୀବନୟନ ଚୌବେ ଏବଂ ବିଦ୍ୟାଳୟ ଶିକ୍ଷା ସଚିବ ଅନିଲ ସ୍ବରୂପ ପ୍ରମୁଖ। ଅନିଶ୍ଚିତତା ମୋଦି ସରକାରର ବିଶେଷତ୍ୱ ହୋଇଥିବାରୁ ଆଉ କେହି କେହି ଭାବୁଛନ୍ତି, ଏଥର ହୁଏତ ମୋଦି ଦେଶକୁ ପ୍ରଥମ ମହିଳା କ୍ୟାବିନେଟ୍‌ ସଚିବ ପ୍ରଦାନ କରିବେ। ପର୍ଯ୍ୟବେକ୍ଷକମାନଙ୍କ କହିବା ଅନୁସାରେ, ସିହ୍ନାଙ୍କ ଉତ୍ତରାଧିକାରୀ ହେବା ପାଇଁ ବାଣିଜ୍ୟ ସଚିବ ରୀତା ତଓ୍ବୋଟିଆଙ୍କର ସବୁ ଯୋଗ୍ୟତା ଅଛି। ସିହ୍ନାଙ୍କ କାର୍ଯ୍ୟକାଳ ପୂରିବାର ମାସକ ପରେ ତାଙ୍କର ଅବସର ନେବାର ଅଛି। ସବୁଠାରୁ ବଡ଼କଥା ହେଲା, ସେ ହେଉଛନ୍ତି ଜଣେ ଗୁଜରାଟ କ୍ୟାଡର ଅଫିସର। ତେଣୁ ମୋଦି ତାଙ୍କୁ ପସନ୍ଦ କରିପାରନ୍ତି। ତାଙ୍କ ପରେ ସମ୍ଭାବନା ଆସୁଛି ହରିୟାଣା କ୍ୟାଡର ଆଇଏଏସ୍‌ ଅଫିସର ଅନୁରାଧା ଗୁପ୍ତାଙ୍କର। ତେବେ ସିହ୍ନାଙ୍କ ପରେ ଦେଶର ସର୍ବୋଚ୍ଚ ବାବୁ କିଏ ହେବେ ତାହା ଏତେ ଆଗରୁ ଅନୁମାନ କରିବା ନିଶ୍ଚୟ କଷ୍ଟକର ବ୍ୟାପାର। ...

ଭାଷା-ଅସଙ୍ଗତି, ଭାଷା-ପ୍ରଗତି

ଭାଷା-ଅସଙ୍ଗତି, ଭାଷା-ପ୍ରଗତି

ଶିବରାମ ଶତପଥୀ/ ଯେଉଁ ଭାଷାର କଥିତ ଓ ଲିଖିତ ଭାଷା ଭିତରେ ସାମଞ୍ଜସ୍ୟ ଯେତେ ଅଧିକ ସେ ଭାଷା ସେତେ ସମୃଦ୍ଧ ଓ ମାର୍ଜିତ। ଆମ ଦେଶରେ ସରକାରୀ ଭାଷାର ମାନ୍ୟତା ପାଇଥିବା ଦୁଇଟି ଭାଷା ଇଂଲିଶ ଓ ହିନ୍ଦୀ ଉପରେ ସାମାନ୍ୟ ଆଲୋକପାତ କରିବା ଏ ଆଲେଖ୍ୟର ଉଦ୍ଦେଶ୍ୟ। ଇଂଲିଶ କେବଳ ସରକାରୀ ଭାଷାର ସଂକୀର୍ଣ୍ଣ ଗଣ୍ଡି ଭିତରେ ଆବଦ୍ଧ ନୁହେଁ। ଏହା ଏକ ସୁସମୃଦ୍ଧ ଆନ୍ତର୍ଜାତିକ ଭାଷା। ଇଂଲିଶର ବହୁଳ ପ୍ରଚାର ଓ ପ୍ରସାର ହେତୁ ଏହା ସମଗ୍ର ବିଶ୍ୱର ବ୍ୟବସାୟ, ବାଣିଜ୍ୟ, ସାଂସ୍କୃତିକ ଆଦାନପ୍ରଦାନ, ରାଜନୈତିକ ବୁଝାମଣା ଆଦି ସମସ୍ତ କ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରିଚାଲିଛି। ଏ ସର୍ବତୋମୁଖୀ ପ୍ରସାର ଗର୍ଭରେ ହୁଏତ ବିଭିନ୍ନ ମାତୃଭାଷା କବଳିତ ହେବାର ଭୟ ବେଳେବେଳେ ମନରେ ଜାଗ୍ରତ ହୁଏ। ଶୁଡ୍‌ (should), କୁଡ୍‌ (could) ଓ ଉଡ୍‌ (would) ପରି ଓ୍ବାକ୍‌ (walk), ଟକ୍‌ (talk) ଆଦି ଶବ୍ଦରେ ଏଲ୍‌ ଉହ୍ୟ ହେଲାବେଳକୁ ସାଇକୋଲୋଜି, ସୋରିଆସିସ୍‌, ସ୍ୟୁଡୋ ଆଦି ଶବ୍ଦର ପ୍ରଥମ ଅକ୍ଷର ପି ଅନୁଚ୍ଚାରିତ ରହେ। ପୁନଶ୍ଚ ‘ପୁଟ୍‌’ର ବନାନ ଯେପରି କଟ୍‌, ବଟ୍‌, ଶଟ୍‌, ହଟ୍‌ର ସ୍ପେଲିଙ୍ଗ୍‌ ମଧ୍ୟ ସେପରି। ତେବେ କେଉଁ ବ୍ୟାକରଣ ଅନ୍ତର୍ଗତ ନିୟମାନୁସାରେ ଏହା ସ୍ଥିରୀକୃତ ତାହା କାହାରିକୁ ଜଣାନାହିଁ। ଅଥଚ ଇଂଲିଶ ବ୍ୟାକରଣ ସମୃଦ୍ଧ, ବହୁ ପରୀକ୍ଷିତ ଓ ଅନୁସୃତ।...

‘ନା’ କହିବା ସପକ୍ଷରେ

‘ନା’ କହିବା ସପକ୍ଷରେ

ରାଧାଶ୍ୟାମ ରାଉଳ/ ସାହିତ୍ୟ କ୍ଷେତ୍ରରେ ବିମ୍ବାଧରବାବୁଙ୍କର ବାଙ୍କନିଧିବାବୁଙ୍କ ସାଙ୍ଗେ ବେଶ୍‌ ଅନ୍ତରଙ୍ଗ ଭାବ। ବିମ୍ବାଧରବାବୁଙ୍କ ମତରେ, ସବୁ କିସମର ବନ୍ଧୁ ମିଳିବେ ହେଲେ ସାହିତି୍ୟକ ବନ୍ଧୁ ମିଳିବା ଭାରି କଷ୍ଟକର। ସାହିତି୍ୟକ ବନ୍ଧୁ ହେଉଛନ୍ତି ସମଧର୍ମା ବନ୍ଧୁ। ବାଟରେ, ଘାଟରେ ଅବା ସଭାସମିତିରେ ଯଦି ଜଣେ ସାହିତି୍ୟକ ବନ୍ଧୁ ଦେଖା ହୋଇଯିବେ, ତେବେ ନିଜ ଭିତରେ ଥିବା ଯାବତୀୟ ଦୁଃଖ, ଜଞ୍ଜାଳ, ଅବସାଦ ଅନେକାଂଶରେ ଲାଘବ ହୋଇଯିବ। ଭାରାକ୍ରାନ୍ତ ମନ ହାଲୁକା ହୋଇଯିବ। ବାଙ୍କନିଧି ବାବୁଙ୍କ ଦୃଷ୍ଟିଭଙ୍ଗୀ କିନ୍ତୁ ଅଲଗା। ସାହିତ୍ୟ ସାଧନା ସିନା କରନ୍ତି, ହେଲେ ସ୍ବଭାବରେ ସେ ନମ୍ବର ଓ୍ବାନ୍‌ ଠକ, ମାର୍କାମରା ମତଲବୀ! ଗୋଟିଚାଳନାରେ ଓସ୍ତାଦ୍‌। ଅନ୍ୟମାନଙ୍କ ସହ ମିଠାକଥା କହି ବନ୍ଧୁତ୍ୱ ବଢେଇବେ। ଅତଃପର କିଛି ଫାଇଦା ଉଠେଇ ଛୁ ମାରିବେ। ତାଙ୍କର ଏମନ୍ତ ଧୂର୍ତ୍ତତାକୁ ସହଜେ ଧରିପାରନ୍ତି ନାହିଁ କେହି। ଖଞ୍ଜରେ ଖଞ୍ଜରେ ସେ କହନ୍ତି, ଆମେ ପରା ସମସ୍ତଙ୍କ ହିତ ପାଇଁ ସାହିତ୍ୟ ସୃଷ୍ଟି କରିଚାଲିଛୁ। ଆମ ଭିତରେ ବିଶ୍ୱ ମୈତ୍ରୀଭାବ। ‘ବସୁଧୈବ କୁଟୁମ୍ବକମ୍‌’ ଆମର ଦର୍ଶନ। ବିମ୍ବାଧରବାବୁ ବାଙ୍କନିଧିବାବୁଙ୍କ ବାହ୍ୟ ରୂପରେ ଭଳି ତାଙ୍କ ସହ ବନ୍ଧୁତ୍ୱ ବାନ୍ଧିଛନ୍ତି ସିନା, କିନ୍ତୁ କେବେ ତାଙ୍କର ଅସଲ ସ୍ବରୂପ ବାବଦରେ ହେଜିନାହାନ୍ତି। ବରଂ ଏମନ୍ତ ବିଶିଷ୍ଟ ସାହିତି୍ୟକ ଓ ଶାନ୍ତିମାର୍ଗୀ ବ୍ୟକ୍ତି ସହ ବନ୍ଧୁତ୍ୱ ସୃଷ୍ଟି କରିପାରିଥିବା ହେତୁ ବିମ୍ବାଧରବାବୁ ନିଜକୁ ଧନ୍ୟ ମନେକରନ୍ତି। ...

ଏଇ ଭାରତରେ

‘ପୁଅ ହେଉ ବା ଝିଅ’ ନୀତିକୁ କେତେକ ବାପମା’ ଗ୍ରହଣ କରିନେଉଥିବା ବେଳେ ଆଉ କେତେକ ଦମ୍ପତି ଝିଅକୁ ପସନ୍ଦ କରନ୍ତି ନାହିଁ। ପୁଅଟିଏ ନ ହେଲେ ମନ ପିତା। ବିଶେଷକରି ବାପମା’ଙ୍କ ମଧ୍ୟରୁ ମା’ ଏଥିପାଇଁ ଅଧିକ ନିରାଶ ହୋଇଥାନ୍ତି। ପୁଅଟିଏ ପାଇବା ମାନସିକତା ନେଇ ଝିଅଙ୍କୁ ଅବହେଳା କରାଯାଏ। ମା’ ନିଜ ଜୀବନକୁ ତୁଚ୍ଛ ମନେକରେ। ଏପରି କି ଆତ୍ମହତ୍ୟାର ପନ୍ଥା ବାଛିନିଏ। ତା’ ସହିତ ଝିଅମାନଙ୍କୁ ବି ବଳି ପକାଇଦିଏ। ଏପରି ଏକ ଘଟଣା କର୍ନାଟକରେ ଘଟିଛି। ପୁଅଟିଏ ନ ପାଇ ଜଣେ ମହିଳା ତା’ର ୩ ନାବାଳିକା ଝିଅଙ୍କୁ ଧରି କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଦୁଇବର୍ଷର ଶିଶୁକନ୍ୟାକୁ ବି ଛାଡିନାହାନ୍ତି। ବାଙ୍ଗାଲୋରଠାରୁ ୧୦୦ କିଲୋମିଟର ଦୂର ହନୁମନ୍ଥପୁର ଗଁାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ପୋଲିସର କହିବାନୁଯାୟୀ, ଗୁରୁବାର ଏହି ଗଁାର ନାଗଶ୍ରୀ(୨୫) ତା’ର ଝିଅ ନବ୍ୟାଶ୍ରୀ(୫) ଏବଂ ଦିବ୍ୟାଶ୍ରୀ(୩) ସମେତ ଦୁଇମାସର ଶିଶୁକନ୍ୟାକୁ ଧରି ଆତ୍ମହତ୍ୟା କରିଛନ୍ତି। ପାଖପଡୋଶୀଙ୍କ କହିବାନୁଯାୟୀ, ନାଗଶ୍ରୀ ପିଲାମାନଙ୍କୁ ସାଥିରେ ଧରି ଘର ନିକଟସ୍ଥ ଏକ ଫାର୍ମକୁ ଯିବା ପରେ ଏଭଳି ଚରମ ପଦକ୍ଷେପ ନେଇଥିଲେ। ତେବେ ତାଙ୍କର ପୁଅ ନ ଥିବାରୁ ତାଙ୍କ ସ୍ବାମୀ କିମ୍ବା ପରିବାର ସଦସ୍ୟଙ୍କ ପକ୍ଷରୁ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉ ନ ଥିଲା ବୋଲି ପୋଲିସ କହିଛି। କିନ୍ତୁ ମହିଳା ଜଣକ ଦୀର୍ଘଦିନରୁ ପୁଅ ଆଶା ରଖିଥିଲେ। ସେ ତୃତୀୟ ସନ୍ତାନ ଭାବରେ କନ୍ୟା ଜନ୍ମ କରିବା ପରଠାରୁ ମାନସିକ ଚାପରେ ଥିଲେ ବୋଲି ପଡୋଶୀ କହିଛନ୍ତି।

ଆଜିର ଅର୍ଥନୀତି/କଟା ଘାଆରେ ଚୂନ

ଆଜିର ଅର୍ଥନୀତି/କଟା ଘାଆରେ ଚୂନ

ଗତ କେନ୍ଦ୍ର ବଜେଟ୍‌ରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଘୋଷଣା କଲେ ଯେ, କୃଷକଙ୍କୁ ତାଙ୍କ ଉତ୍ପାଦନର ଦେଢ଼ଗୁଣା ଏମ୍‌ଏସ୍‌ପି (ସର୍ବନିମ୍ନ ସହାୟକ ମୂଲ୍ୟ) ଦିଆଯିବ। ଏହି ଘୋଷଣା କୃଷକମାନଙ୍କ ପାଇଁ କୌଣସି ଅପ୍ରତ୍ୟାଶିତ ବରଦାନ ନ ଥିଲା। ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପୂର୍ବରୁ ଭାଜପା ତା’ର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲା ଯେ ଦଳ କ୍ଷମତାକୁ ଆସିବା ପରେ ଏହା କୃଷକଙ୍କ ଆୟ ଦୁଇଗୁଣ କରିଦେବ। ସେହି ଦୃଷ୍ଟିରୁ କେନ୍ଦ୍ର ସରକାର କୃଷି ଉତ୍ପାଦନର ଏମ୍‌ଏସ୍‌ପିରେ ଯେଉଁ ବୃଦ୍ଧି ଘୋଷଣା କରିଛନ୍ତି, ତାହା ଠିକ୍‌ଭାବେ କାର୍ଯ୍ୟକାରୀ ହେଲେ, ଏହାଦ୍ୱାରା ଭାଜପା ତା’ ନିର୍ବାଚନୀ ପ୍ରତିଶ୍ରୁତିର ଅଧା ପୂରଣ କରିବ। ଓଡ଼ିଶାର ବିଜେଡି ସରକାର ଏମ୍‌ଏସ୍‌ପି ବୃଦ୍ଧିକରିବା ପାଇଁ ଦୁଇବର୍ଷ ହେଲା ଦାବି କରି ଆସୁଥିଲେ ମଧ୍ୟ ଏହାଦ୍ୱାରା ଲଭ୍ୟ ରାଜନୈତିକ ଫାଇଦା ବିଜେଡିକୁ ନ ଦେଇ ନିଜେ ନେବା ପାଇଁ କେନ୍ଦ୍ର ସରକାର ତାହାକୁ ଜାଣିଶୁଣି ପ୍ରତ୍ୟାଖ୍ୟାନ କରିଆସୁଥିଲେ।...

ମଣିଷର ମୂଲ୍ୟ

ମଣିଷର ମୂଲ୍ୟ

ଉପେନ୍ଦ୍ର ବିଶ୍ୱାଳ/ ଅଦ୍ଭୁତ ଅବସ୍ଥା। ଭବ୍ୟ ଭୂଖଣ୍ଡରେ ଆଜି ଭ୍ରଷ୍ଟାଚାରର ବନ୍ୟା। ସମ୍ମାନକୁ ସାଉଁଟି ଚାଲିଥିବା ମଣିଷଟିଏ ସାଜୁଛି ସ୍ବାର୍ଥର ସୌଦାଗର। ଆଗ ଧାଡ଼ିରେ ଥିବା ଆଦରଣୀୟମାନେ ଆଦରୁଛନ୍ତି ଆଦର୍ଶହୀନତାକୁ। ନୀତିନିୟମର ନିର୍ଦ୍ଧାରକମାନେ ନିଜେ ନୈତିକ ଅପପୁଷ୍ଟିର ଶିକାର। ସମ୍ଭ୍ରମହୀନ ସମ୍ଭ୍ରାନ୍ତୀୟ ଏହି ଶଠମାନେ ପର୍ବତ ପ୍ରାୟ ପୁଞ୍ଜି ପାଇଲେ ବି ଆହୁରି ଅତୃପ୍ତ ଅପ୍ରାପ୍ତିର ଅବସୋସରେ। ଲୁଟିବାକୁ ଲାଗିଥିବେ ଜୁଇରେ ଜଳିବା ପର୍ଯ୍ୟନ୍ତ। ନୈତିକ ଅପପୁଷ୍ଟିର ଶିକାର ହୋଇ ମଧ୍ୟ ଭଦ୍ରମୁଖା ପିନ୍ଧି ଏମାନେ ଜିଇ ରହନ୍ତି ଅନ୍ୟକୁ ଭଣ୍ଡେଇ ନିଜ ପାଇଁ ରୁଣ୍ଡେଇବାକୁ। ଦିନେ କିନ୍ତୁ ଏମିତି ସମୟ ଥିଲା, ଯେତେବେଳେ ସାମାନ୍ୟ ଚୋରିଟିଏ ବି ବିବେଚିତ ହେଉଥିଲା ଏକ ଗର୍ହିତ ଅପରାଧ। କଳଙ୍କର ଛିଟା ଲାଖିରହୁଥିଲା ସବୁଦିନ ପାଇଁ। ସମାଜ ଚକ୍ଷୁରେ ନିନ୍ଦିତ, ଅପମାନିତ ହେଉଥିଲା ମଣିଷ। ଘୃଣାର ଶିକାର ହେଉଥିଲା। ଅତଏବ, ମନରେ ରହୁଥିଲା ସମାଜ ପ୍ରତି ଲଜ୍ଜାବୋଧ ଓ ଭୟଭାବ। ତେଣୁ ମ୍ଳେଚ୍ଛ ମନର ମଣିଷ ପରିବର୍ତ୍ତେ ପ୍ରୟାସ କରୁଥିଲା ମର୍ଯ୍ୟାଦାର ମଣିଷଟିଏ ହେବାକୁ। ଚାହୁଁଥିଲା ଭଲ ଭାବନାରେ ଭିଜିବାକୁ, ଭବ୍ୟ ଭାବନାରେ ବୁଡ଼ି ରହିବାକୁ। ମାତ୍ର ସଭ୍ୟ ଶିକ୍ଷିତ ବୋଲାଉଥିବା ଏହି ମଣିଷ ଉପରେ ସତେ ଯେମିତି ଆଜି ସୈତାନ ସବାର। ...

ପ୍ରତିବାଦର ମନ୍ଦ ପନ୍ଥା

ପ୍ରତିବାଦର ମନ୍ଦ ପନ୍ଥା

ହୃଦୟବଲ୍ଲଭ ଦାସ/ ସରକାରଙ୍କ ବିରୋଧରେ ପ୍ରତିବାଦର ସ୍ବର ଉଠାଇବା ପାଇଁ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ ଆଲୋଚନା, ବିଚାରବିମର୍ଶ, ପରାମର୍ଶ ଦ୍ୱାରା ଯେକୌଣସି ସମସ୍ୟାର ସମାଧାନ କରିବା ହେଉଛି ପ୍ରକୃଷ୍ଟ ପନ୍ଥା। ଏହା ମଧ୍ୟ ହେଉଛି ଆମର ସାମ୍ବିଧାନିକ ବ୍ୟବସ୍ଥା। ଯଦିବା କୌଣସି ପ୍ରସଙ୍ଗ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ବର ଉତ୍ତୋଳନ କରିବା ନାଗରିକର ମୌଳିକ ଅଧିକାର, ସେଥିପାଇଁ ପ୍ରତିବାଦ ଓ ଅସନ୍ତୋଷ ପ୍ରଦର୍ଶନ କରିବାର ମାଧ୍ୟମ ସବୁ ସମୟରେ ଶାନ୍ତିପୂର୍ଣ୍ଣ ହେବା ଉଚିତ। କୌଣସି ରାଜନେତା, ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ବା ସମ୍ମାନନୀୟ ବ୍ୟକ୍ତିବିଶେଷଙ୍କୁ କୌଣସି ସ୍ଥାନରେ ଓ ସର୍ବୋପରି ସଭାସମିତି ସ୍ଥଳରେ ଅଣ୍ଡାମାଡ଼ କରିବା ଖାଲି ନିନ୍ଦନୀୟ ଘଟଣା ନୁହେଁ ବରଂ ଏହା ଏକ ଦଣ୍ଡନୀୟ ଅପରାଧ, ଯାହା ଏବେ ସମାଜରେ ଅନେକ ସମୟରେ ଦେଖାଯାଉଛି। ହେଲେ ଏବେ ପ୍ରତିବାଦର ସ୍ବର ଓ ଅସନ୍ତୋଷ ବ୍ୟକ୍ତ କରିବାର ନୂଆ ନୂଆ ତରିକା ଦୃଷ୍ଟିକୁ ଆସୁଛି। ଅନେକ ସମୟରେ ଦେଖାଯାଉଛି ସଭାସ୍ଥଳରେ ରାଜନେତା, ବିରୋଧୀ ରାଜନୈତିକ ଦଳର ନେତା, ମନ୍ତ୍ରୀ, ବିଧାୟକ, ସାଂସଦ ପ୍ରମୁଖ ସାମ୍ବିଧାନିକ ପଦପଦବୀରେ ଥିବା ବ୍ୟକ୍ତିବିଶେଷ ସଭାସ୍ଥଳରେ ପହଞ୍ଚିବା ପରେ ସେମାନେ ଅଭିଭାଷଣ ଦେବା ସମୟରେ ଏବଂ ରାସ୍ତାରେ ସରକାରଙ୍କ ନୀତିକୁ ବିରୋଧ କରୁଥିବା ସଂଗଠନ, ବିରୋଧୀ ରାଜନୈତିକ ଦଳ ଓ ଦଳୀୟ କର୍ମୀମାନେ ଅସନ୍ତୋଷ ଓ ପ୍ରତିବାଦ ଜଣାଇବା ପାଇଁ ରାସ୍ତାରେ ଯାଉଥିବା ବା ସଭାରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ଉଦ୍ଦେଶ୍ୟ କରି ଅଣ୍ଡା, କେତେକ ସ୍ଥଳରେ ପଚା ବିଲାତି ବାଇଗଣ ଓ ଗୋବର ଫିଙ୍ଗିବା ଦେଖାଯାଉଛି। ଏ କଥା ସତ୍ୟ ଯେ ବିରୋଧୀ ସଂଗଠନ ବା ରାଜନୈତିକ ଦଳର କର୍ମୀମାନେ ତାଙ୍କର ନେତୃବୃନ୍ଦଙ୍କ ପ୍ରରୋଚନାରେ ଏଭଳି ମନ୍ଦ କାର୍ଯ୍ୟ କରିଥାନ୍ତି । କିନ୍ତୁ ସର୍ବସାଧାରଣରେ ଏଭଳି କୁତ୍ସିତ ଓ ଅଶାଳୀନ ଆଚରଣ ପ୍ରଦର୍ଶନ କରିବା ଦଳୀୟ ଲୋକଙ୍କ ଦ୍ୱାରା କରାଇବା ନିନ୍ଦନୀୟ। ବିରୋଧ ପ୍ରଦର୍ଶନ କରୁଥିବା ବ୍ୟକ୍ତି ବା ସଂଗଠନର ଏଭଳି ବ୍ୟବହାର ଆମ ଦେଶ ଓ ଜାତିର ମହାନ୍‌ ପରମ୍ପରା ଏବଂ ସଂସ୍କୃତିର ଘୋର ପରିପନ୍ଥୀ। ଭାରତର ପ୍ରାଚୀନ ସଂସ୍କୃତି ଓ ପରମ୍ପରା ହେଉଛି ସର୍ବଦା ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ, ଯାହା ସବୁ ଜାଗାରେ, ସବୁ ସମୟରେ ପ୍ରଯୁଜ୍ୟ। ଭାରତ ହେଉଛି ମହାମତ୍ା ଗାନ୍ଧୀଙ୍କ ଦେଶ। ମହାମତ୍ା ଗାନ୍ଧୀଙ୍କ ଅହିଂସା ନୀତି ଓ ସତ୍ୟାଗ୍ରହର ମନ୍ତ୍ର ଖାଲି ଭାରତବର୍ଷର ଭୌଗୋଳିକ ସୀମା ମଧ୍ୟରେ ଆବଦ୍ଧ ନୁହେଁ, ଏହା ସମଗ୍ର ବିଶ୍ୱରେ ପରିବ୍ୟାପ୍ତ। ମହାମତ୍ା ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ଅନୁସରଣ ଦ୍ୱାରା ଭାରତ ବର୍ଷରେ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ବାତାବରଣ ସମ୍ଭବପର ହୋଇପାରିଛି, ଯାହା ପୃଥିବୀରେ ବିରଳ। ...

ଏଇ ଭାରତରେ

ଫସଲ ଜଗିବା ପାଇଁ ବାଡ଼ ଦିଆଯାଇଥାଏ। କିନ୍ତୁ ବାଡ଼ ଯଦି ଫସଲ ଖାଏ ତା’ହେଲେ କଥା ସରିଲା। ଚୋର ଧରିବା, ଲାଞ୍ଚ ରୋକିବା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ବ୍ୟବସ୍ଥା ଅଛି। କିନ୍ତୁ ପୋଲିସ ଯଦି ଲାଞ୍ଚଖୋର ହୁଏ କାହା ଆଗରେ ଗୁହାରି କରିବା? ପଶ୍ଚିମ ମହାରାଷ୍ଟ୍ର ଅନ୍ତର୍ଗତ କୋହ୍ଲାପୁର ଅଞ୍ଚଳର ଜଣେ ମହିଳା ପୋଲିସ କନଷ୍ଟେବଳ ୩୦୦ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଯିବାରୁ ଟଙ୍କା ଚୋବାଇ ପକାଇଥିଲେ। ଏହି ଘଟଣାଟି କୋହ୍ଲାପୁର ଅଞ୍ଚଳର ଚାନ୍ଦଗଡ଼ ପୋଲିସ ଷ୍ଟେଶନ୍‌ରେ ଘଟିଛି। ସୂଚନା ଅନୁଯାୟୀ, ୨୮ବର୍ଷୀୟ ଜଣେ ଅଭିଯୋଗକାରୀ ଚରିତ୍ର ପ୍ରମାଣପତ୍ର ପାଇବା ପାଇଁ ଥାନାରେ ଦରଖାସ୍ତ ଦେଇଥିଲେ। କାରଣ ପାସପୋର୍ଟ ନିମନ୍ତେ ଆବେଦନ ଲାଗି ଏହା ଆବଶ୍ୟକ ଥିଲା। ପୋଲିସ ଏଥିପାଇଁ ଲାଞ୍ଚ ମାଗିବାରୁ ସେ ଆଣ୍ଟି କରପ୍ସନ୍‌ ବ୍ୟୁରୋ (ଏସିବି)ର କୋହ୍ଲାପୁର ୟୁନିଟ୍‌ରେ ଅଭିଯୋଗ କରିଥିଲେ। ଦୁର୍ନୀତିଗ୍ରସ୍ତ ପୋଲିସକୁ ଧରିବା ପାଇଁ ପୋଲିସ ଷ୍ଟେଶନ୍‌ ରେକର୍ଡରୁମ୍‌ରେ ଆଗରୁ ଜାଲ ବିଛାଯାଇଥିଲା। ପାଞ୍ଚବର୍ଷ ହେବ ଏହି ଥାନାରେ ନିଯୁକ୍ତି ପାଇଥିବା ଦୀପାଳି ଖଡ୍‌କେ ଲାଞ୍ଚ ନେବାବେଳେ ଧରାପଡ଼ିଯିବାରୁ ଆଉ କାଳବିଳମ୍ବ ନ କରି ସେ ନୋଟଗୁଡ଼ିକୁ ପାଟିରେ ପୂରାଇ ଚୋବାଇବାକୁ ଆରମ୍ଭ କରିଥିଲେ। ଏସିବି ଅଧିକାରୀ ଜଣକ ଏହା ଦେଖି ସ୍ତବ୍ଧ ହୋଇଯାଇଥିଲେ। ଅନ୍ୟ ଜଣେ କନଷ୍ଟେବଳ ଚାଲିଆସି ତାଙ୍କ ପାଟିରୁ ଜୋରକରି ନୋଟ୍‌ ବାହାର କରିଦେଇଥିଲେ। ଅଧାଚିରା ନୋଟକୁ ପ୍ରମାଣ ଭାବେ ରଖାଯିବା ସହିତ ପରବର୍ତ୍ତୀ ତଦନ୍ତ ଜାରି ରହିଛି।

ମାଛ ଆପଣଙ୍କୁ ଖାଏ

ମାଛ ଆପଣଙ୍କୁ ଖାଏ

ପରିବେଶ ପରିଚିନ୍ତା-ମାନେକା ଗାନ୍ଧୀ/ ଅନେକ ଲୋକ କହିବାର ଶୁଣାଯାଏ, ଲାଲ୍‌ ମାଂସ ଓ କୁକୁଡ଼ା ମାଂସ ଅପେକ୍ଷା ମାଛ ଅଧିକ ସ୍ବାସ୍ଥ୍ୟକର। ଆମିଷାଶୀମାନଙ୍କୁ ମାଛ ଓ ସମୁଦ୍ରଜାତ ଖାଦ୍ୟ ଖାଇବାକୁ ଉତ୍ସାହିତ କରାଯାଏ। କିନ୍ତୁ ମାଂସ ଅପେକ୍ଷା ମାଛ ଅଧିକ ଚର୍ବିବହୁଳ ଓ ଏଥିରେ ଅଧିକ କ୍ୟାଲୋରି ଥାଏ। ତା’ଛଡ଼ା ମାଛଙ୍କଠାରେ ଅଧିକ ପେଷ୍ଟିସାଇଡ୍‌, ପିସିବି (କ୍ୟାନ୍‌ସର-କାରକ ରାସାୟନିକ) ଏବଂ ମଣିଷ ମଳ ଥାଏ, ଯାହା ଭାରତୀୟ ସାମୁଦ୍ରିକ ବିଜ୍ଞାନ ପ୍ରତିଷ୍ଠାନ ଦର୍ଶାଇଛି। ଆଜିକାଲି ମାଛଚାଷ ବା ଆକ୍ୱାକଲ୍‌ଚର ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଶିଳ୍ପରେ ପରିଣତ ହେଲାଣି। ଭାରତରେ ମାଛ ଉତ୍ପାଦନ ୧୧ଗୁଣ ବୃଦ୍ଧି ପାଇଛି। ଚାଇନା ପରେ ଭାରତ ହେଉଛି ବିଶ୍ୱରେ ଦ୍ୱିତୀୟ ବୃହତ୍ତମ ମତ୍ସ୍ୟ ଉତ୍ପାଦନକାରୀ ଦେଶ। ଭାରତ ସବୁଠାରୁ ଅଧିକ ମାଛ ରପ୍ତାନି କରିଥାଏ ଏବଂ ମାଛ ଓ ତଜ୍ଜାତୀୟ ରପ୍ତାନି ବାର୍ଷିକ ୧୪% ହାରରେ ବୃଦ୍ଧି ପାଉଛି, ଯାହା ଅନ୍ୟ ଦେଶ ତୁଳନାରେ ଦୁଇଗୁଣ ଅଧିକ। ଆମ ଦେଶର ବ୍ଲୁ ରିଭଲ୍ୟୁଶନ ନୀତି ଅନୁସାରେ ମାଛଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଯେହେତୁ ନଦୀ ଓ ସମୁଦ୍ରରେ ମାଛ ସଂଖ୍ୟା କମି କମି ଯାଉଛି, ତେଣୁ ୪୦ ପ୍ରତିଶତ ମାଛ ବ୍ୟବସାୟ ଚାଷ କରାଯାଉଥିବା ମାଛକୁ ନେଇ ହେଉଛି। କିନ୍ତୁ ମାଛ ଫାର୍ମଗୁଡ଼ିକ କେମିତି ଚାଲୁଛି? ଏଗୁଡ଼ିକରେ କୌଣସି ପ୍ରାଣୀ ଚିକିତ୍ସକ ନ ଥାନ୍ତି। ଗାଁ ପୋଖରୀଗୁଡ଼ିକୁ ଘରୋଇ ପରିଚାଳିତ ମାଛ ଫାର୍ମରେ ପରିଣତ କରିବା ପାଇଁ ଗ୍ରାମବାସୀମାନଙ୍କୁ ତାଲିମ ଦେବାର କୌଣସି ବ୍ୟବସ୍ଥା ନାହିଁ। ପୋଖରୀ ଲିଜ୍‌ ନେଇଥିବା ଅଶିକ୍ଷିତ ଗ୍ରାମାବାସୀଟି ମାଛଙ୍କ ଖାଦ୍ୟ, ରୋଗ, ପୋଖରୀର ପରିମଳ, ପୋଖରୀରେ ସର୍ବାଧିକ କେତେ ମାଛ ବଢ଼ିପାରିବେ ଇତ୍ୟାଦି ବିଷୟରେ କିଛି ଜାଣି ନ ଥାଏ। ତା’ଠାରୁ କେବଳ ଏତିକି ଆଶା କରାଯାଏ, ଯେ ସେ ଅଳ୍ପ ସମୟ ଭିତରେ ଅଧିକ ସଂଖ୍ୟକ ବଡ଼ ବଡ଼ ମାଛ ଅମଳ କରିବ। ଫଳରେ ମାଛଙ୍କୁ ମନଇଚ୍ଛା ଖାଇବାକୁ ଦିଆଯାଏ। ଅନେକେ ମଣିଷ ମଳ ବେଶି ପରିମାଣରେ ଖାଇବାକୁ ଦିଅନ୍ତି। ତା’ଛଡ଼ା ବିଭିନ୍ନ ପ୍ରକାର ରାସାୟନିକ ଖାଦ୍ୟ, ଆଣ୍ଟିଫଙ୍ଗାଲ ଓ ଆଣ୍ଟିବାୟୋଟିକ୍ସ ଦିଆଯାଏ। ଫର୍ମାଲିନ୍‌ ଓ ମାଲାକାଇଟ୍‌ ଗ୍ରୀନ୍‌ ରାସାୟନିକକୁ ପୋଖରୀରେ ବିଶୋଧକ ଭାବେ ବ୍ୟବହାର କରାଯାଏ। ଏଗୁଡ଼ିକ ବିଷାକ୍ତ ହେଲେହେଁ ଭାରତରେ ନିଷିଦ୍ଧ ନୁହେଁ। ମାଛ ହେଉଛି ଏକ ଜୀବନ୍ତ ପ୍ରାଣୀ। ତେଣୁ ମଣିଷ ଯେମିତି ପ୍ରାକୃତିକ, କୀଟନାଶକମୁକ୍ତ ଓ ବିଷାକ୍ତ ହୋଇ ନ ଥିବା ଖାଦ୍ୟ ଓ ଜଳ ଆବଶ୍ୟକ କରେ, ଏମାନେ ବି ସେମିତି ଆବଶ୍ୟକ କରନ୍ତି। ଏହାର ଅଭାବ ହେଲେ ସେମାନେ ଅସୁସ୍ଥ ହୋଇପଡ଼ନ୍ତି। ତେଣୁ ମାଛ ଫାର୍ମ ଓ ଯାଅଁାଳ ଉତ୍ପାଦନ କେନ୍ଦ୍ରଗୁଡ଼ିକରେ ଆଣ୍ଟିବାୟୋଟିକ୍ସର ବ୍ୟବହାର ବଢ଼ିଯାଇଛି। ...

ଅପହୃତ ଫୁଟ୍‌ପାଥ

ଅପହୃତ ଫୁଟ୍‌ପାଥ

ଡ. ସୁବାସ ଚନ୍ଦ୍ର ପାତ୍ର/ ଏବେ ସହରର ରାସ୍ତାମାନ ପାଦଚଲା ମଣିଷ ପାଇଁ ନିରାପଦ ହୋଇ ରହିନାହିଁ। ସଂରକ୍ଷିତ ନ ହେଉ ପଛେ ଯେଉଁ ଟିକକ ସ୍ଥାନ ରାସ୍ତା ପାର୍ଶ୍ୱରେ ଖାଲିଥିଲା ତାହା ଏବେ ପଥପ୍ରାନ୍ତ ବିକାଳୀ ବା ଉଠାଦୋକାନୀମାନଙ୍କ ଦ୍ୱାରା କବଳିତ। ପୌରପାଳିକା ବା ପୂର୍ତ୍ତବିଭାଗ ରାସ୍ତାର ନବୀକରଣ ବା ପ୍ରଶସ୍ତୀକରଣ କଲାବେଳେ ଖାଲି ଗାଡ଼ିଗୁଡ଼ିକ କେମିତି ସୁରୁଖୁରୁରେ ଯିବ ସେ ନେଇ ବ୍ୟବସ୍ଥା କରୁଛନ୍ତି, ସତରେ ଯେମିତି ସହରର ରାସ୍ତା ଚକ ଉପରେ ଉପବିଷ୍ଟ ଯାତ୍ରୀମାନଙ୍କର। ପରୋକ୍ଷରେ ସେମାନେ ବାର୍ତ୍ତା ଦେବାକୁ ଚାହାନ୍ତି, ପାଦଚଲା ଯାତ୍ରୀ ବା ସାଇକେଲ ଆରୋହୀଙ୍କ ପାଇଁ ସହରରେ ସ୍ଥାନ ନାହିଁ। ସେମାନେ ଗାଁକୁ ପଳାନ୍ତୁ, ଗ୍ରାମ୍ୟ ସଡ଼କରେ ସେମାନେ ମନଇଚ୍ଛା ଚାଲିବେ, ସାଇକେଲ ଚଢ଼ିବେ! ଏବେ ଯେଉଁ ହାରରେ ଲୋକେ ମଟର ସାଇକେଲ, ସ୍କୁଟର ଏବଂ କାର ବ୍ୟବହାର କଲେଣି, ବିଶେଷତଃ କାର, ଅଟୋଉପତ୍ାଦକ ମହିନ୍ଦ୍ରା ଏଣ୍ଡ୍‌ ମହିନ୍ଦ୍ରାର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଆଶଙ୍କା କରୁଛନ୍ତି ଯେ ଆଉ କିଛି ବର୍ଷ ପରେ ସହରର ରାସ୍ତାମାନ ନରକରେ ପରିଣତ ହେବ। ସେଗୁଡ଼କ ମୃତ୍ୟୁଯନ୍ତା ପାଲଟିଯିବ। ସ୍ବୟଂ କାରନିର୍ମାତା ହୋଇ ମଧ୍ୟ ସେ ତାଙ୍କର ମାନସିକ ଉଦ୍‌ବେଗ ପ୍ରକାଶ କରିବାକୁ ପଛେଇନାହାନ୍ତି। ଅଧିକ ଗାଡ଼ିଘୋଡ଼ା ଯେ ସହରକୁ ପ୍ରଦୂଷିତ କରୁଛି ବା ପଦଯାତ୍ରୀଙ୍କୁ ଅସୁରକ୍ଷିତ କରୁଛି ତା’ ନୁହେଁ, ପରୋକ୍ଷରେ ଏହା ପଦଯାତ୍ରୀମାନଙ୍କୁ ନିରୁତ୍ସାହିତ କରୁଛି ବା ଆତଙ୍କିତ କରୁଛି। ଡାକ୍ତର ବା ଯୋଗଗୁରୁମାନେ ଯେତେ ପ୍ରାତଃ ବା ସାନ୍ଧ୍ୟ ଭ୍ରମଣର କଥା କହିଲେ ବି ଏବଂ ଲୋକଙ୍କର ଇଚ୍ଛା ଥିଲେ ବି, ସେମାନେ ଚାଲିକରି ଯିବାକୁ ସାହସ କରିପାରୁ ନାହାନ୍ତି। ତଥାପି କିଛି ଲୋକ ପାର୍କ ବା ନିଜ ଘରର ଛାତମାନଙ୍କରେ ଚଲାବୁଲା କରି ନିଜକୁ ଆଶ୍ୱାସନା ଦେଉଛନ୍ତି। ତେବେ ଛୋଟିଆ ଛାତ ଉପରେ ପଦଚାରଣାକୁ କେହି କେହି ପାଗଳର ପଦଯାତ୍ରା ବୋଲି ଅଭିହିତ କରନ୍ତି କାରଣ ସେଥିରେ ବେଶି ଅଗ୍ରସର ହେବାର ସୁଯୋଗ ନ ଥାଏ ବା ପାର୍ଶ୍ୱବର୍ତ୍ତୀ ଦୃଶ୍ୟରାଜିର ପରିବର୍ତ୍ତନର ସମ୍ଭାବନା ନ ଥାଏ। ଖାଲି ଯନ୍ତ୍ର ସୁଲଭ ଉତ୍ତରଦକ୍ଷିଣ ବା ପୂର୍ବପଶ୍ଚିମ ହେବାକଥା।...

ସୁସ୍ଥ ମା’, ସୁସ୍ଥ ସମାଜ

ସୁସ୍ଥ ମା’, ସୁସ୍ଥ ସମାଜ

ଅଭିମନ୍ୟୁ ଧଳ/ ନାରୀ ହେଉଛି ଈଶ୍ୱରଙ୍କର ସର୍ବଶ୍ରେଷ୍ଠ ଦାନ। ଜନନୀ, ଭଗିନୀ, ଜାୟା ତିନି ରୂପର ଅଧିକାରିଣୀ। ସେ ଦୁର୍ଗାରୂପ ଧାରଣ କରି ଦୁଷ୍ଟ ନିବାରଣ କରିଥାନ୍ତି। ଏକ ସୁସ୍ଥ, ଶିକ୍ଷିତ ସମାଜ ଗଠନରେ ନାରୀର ଭୂମିକା ଯେ ଅପରିହାର୍ଯ୍ୟ। ଦେଶର ପ୍ରଗତି କେବଳ ନାରୀଶକ୍ତି ଉପରେ ନିର୍ଭର କରେ। ଜଣେ ସୁସ୍ଥ ମା’ ସମାଜକୁ ସୁସ୍ଥ ଶିଶୁ ଦାନ କରେ। କେବଳ ଶାରୀରିକ ଭାବେ ନୁହେଁ, ମା’ମାନେ ମାନସିକ ଭାବେ ସୁସ୍ଥ ରହିବା ଆବଶ୍ୟକ। ଉତ୍ତମ ଖାଦ୍ୟ ସାଙ୍ଗକୁ ଚିକିତ୍ସା ତଥା ଉତ୍ତମ ପରିବେଶ ମା’ମାନଙ୍କ ପାଇଁ ଜରୁରୀ। ମା’ଗର୍ଭରେ ଭ୍ରୂଣ ସଞ୍ଚାର ହେବାଠାରୁ ପାରିପାର୍ଶ୍ୱିକ ପରିବେଶ ପ୍ରତି ଭ୍ରୂଣଟି ପ୍ରତିକ୍ରିୟାଶୀଳ ଥାଏ। ଏହି ବୈଜ୍ଞାନିକ ଉକ୍ତିଟି ଯୁଗଯୁଗରୁ ପରୀକ୍ଷିତ। ଅନ୍ତଃସତ୍ତ୍ୱା ଥିବା ସମୟରେ ଦାସୀ ମନ୍ଥରା ରାବଣର ରୂପ ବିଷୟରେ ମା’ ସୀତାଙ୍କୁ ପଚାରିଲା। ସୀତା ପାଣିରେ ଦେଖିଥିବା ରାବଣର ଛାୟାକୁ ଘର ଅଗଣାରେ ଆଙ୍କିଦେଲେ। ମନ୍ଥରାର ପ୍ରସ୍ଥାନ ପରେ ନିଦ୍ରାଳସା ମା’ ସୀତା ସେହି ଚିତ୍ର ଉପରେ ନିଦ୍ରା ଗଲେ। ପ୍ରଭୁ ରାମଚନ୍ଦ୍ର ସେଠାରେ ପହଞ୍ଚି ଜାଣିପାରିଲେ ରାବଣର କ୍ରୂରତା ସୀତାଙ୍କ ମାନସପଟରେ ରହିଯାଇଛି। ଏହା ଗର୍ଭସ୍ଥ ଶିଶୁ ଉପରେ କୁପ୍ରଭାବ ପକାଇବ, ତେଣୁ ସେ ମା’ ସୀତାଙ୍କୁ ନିର୍ବାସନ ଦଣ୍ଡ ବାହାନାରେ ବାଲ୍ମୀକିଙ୍କ ଆଶ୍ରମ ନିକଟରେ ଛାଡିଦେଲେ। ଋଷି ଆଶ୍ରମରେ ଦିବ୍ୟଜ୍ଞାନ ଗ୍ରହଣ କରି ସୀତା ସର୍ବଗୁଣସମ୍ପନ୍ନ ଦେବୋପମ ଦୁଇ ପୁତ୍ରଙ୍କୁ ଜନ୍ମ ଦେଲେ। ସୁଭଦ୍ରା ଅର୍ଜୁନଙ୍କ ନିକଟରୁ ଚକ୍ରବୂ୍ୟହ ବିଷୟରେ ଶୁଣୁ ଶୁଣୁ ନିଦ୍ରାଗଲେ, ପରନ୍ତୁ ଗର୍ଭରେ ଥିବା ଅଭିମନ୍ୟୁ ଭାରତ ମହାସମରରେ ଗର୍ଭରେ ଥାଇ ଶୁଣିଥିବା ବିଦ୍ୟାକୁ କାର୍ଯ୍ୟକାରୀ କଲେ। ସେଥିପାଇଁ ଅନ୍ତଃସତ୍ତ୍ୱା ନାରୀମାନଙ୍କୁ ମିଠା ମିଠା କଥା କହିବା ସହିତ ଆଧ୍ୟାତ୍ମିକ କଥା, ଧର୍ମ ପୁସ୍ତକ ପଠନ ପାଇଁ ଉପଦେଶ ଦିଆଯାଏ। କଳିତକରାଳ, ହିଂସା, କ୍ରୋଧ ତଥା ଭୟଙ୍କର ଦୃଶ୍ୟ ଦେଖିବାକୁ ବାରଣ କରାଯାଏ। ମନରେ ଆଘାତ ନ ଲାଗିବା ପାଇଁ ସମସ୍ତ ପ୍ରକାର ଯତ୍ନ ନିଆଯାଏ। ଭଗବାନ ନାରୀଙ୍କୁ ପୁରୁଷ ଅପେକ୍ଷା କେତୋଟି ସ୍ବତନ୍ତ୍ର ଗୁଣର ଅଧିକାର ଦେଇଛନ୍ତି। ସ୍ନେହ, ପ୍ରେମ, ମମତାର ଜୀବନ୍ତ ପ୍ରତୀକ ନାରୀ ଅମୃତର ସନ୍ତାନ ଦାନ କରିଥାନ୍ତି।...

ଏଇ ଭାରତରେ

ପ୍ରେମ, ଭଲ ପାଇବା କେବଳ ଗୋଲାପ ଓ ଉପହାରରେ ସୀମିତ ନୁହେଁ। ପରସ୍ପର ପ୍ରତି ସ୍ନେହ ଓ ସଦ୍ଦିଚ୍ଛା ହିଁ ପ୍ରକୃତ ପ୍ରେମ। ପଶ୍ଚିମବଙ୍ଗର ଏକ ଦମ୍ପତି ପ୍ରମାଣ କରି ଦେଖାଇ ଦେଇଛନ୍ତି- ପ୍ରେମ କାହାକୁ କୁହାଯାଏ। ଗୁରୁତର ହୋଇପଡ଼ିଥିବା ସ୍ବାମୀଙ୍କୁ ନିଜର ଅଧାରୁ ଅଧିକ ଯକୃତ ଦାନ କରି ସ୍ତ୍ରୀ ତାଙ୍କ ଅନାବିଳ ଭଲପାଇବାର ନିଦର୍ଶନ ଦେଖାଇଛନ୍ତି। ଭାଲେଣ୍ଟାଇନ୍ସ ଦିବସ ଅବ୍ୟବହିତ ପୂର୍ବରୁ ଏମିତି ଏକ ଖବର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପଶ୍ଚିମବଙ୍ଗ ଲକ୍ଷ୍ମୀକାନ୍ତପୁର ପୋଲେର ହାଟ ବାସିନ୍ଦା ସୁବାସ ଓ ମିଠୁ। ସ୍ବାମୀ ସୁବାସ ଯକୃତ ରୋଗରେ ଆକ୍ରାନ୍ତ ଜାଣିବା ପରେ ସହଧର୍ମିଣୀ ମିଠୁ ତାଙ୍କୁ ନେଇ ଯାଇଥିଲେ କଲିକତାର ଏସ୍‌ଏସ୍‌କେଏମ୍‌ ହସ୍‌ପିଟାଲକୁ। ପରୀକ୍ଷା ନିରୀକ୍ଷା କରି ଡାକ୍ତର କହିଲେ ସୁବାସଙ୍କ ଯକୃତ ନଷ୍ଟ ହୋଇଯାଇଛି। ଯେତେଶୀଘ୍ର ସମ୍ଭବ ଏହାର ପ୍ରତିରୋପଣ ଆବଶ୍ୟକ। ଏକ ଛୋଟ ବ୍ୟବସାୟ କରି ପରିବାରର ଗୁଜୁରାଣ ମେଣ୍ଟାଉଥିବା ସୁବାସଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା। ଏତେ ଟଙ୍କା ଆସିବ କେଉଁଠୁ। ଯକୃତ ଦାନ କରିବ କିଏ? ଅନେକ ଚେଷ୍ଟା କରି ମିଠୁ ଅସଫଳ ରହିବାରୁ ଡାକ୍ତରଙ୍କୁ ଭେଟି ସେ କହିଲେ, ତାଙ୍କ ଯକୃତର କିଛି ଅଂଶ ନେଇ ସୁବାସଙ୍କଠାରେ ପ୍ରତିରୋପଣ କରିଦିଅନ୍ତୁ। ଶେଷରେ ତାହା ହିଁ ହେଲା। ମିଠୁଙ୍କ ଯକୃତର ୬୦ ପ୍ରତିଶତ ନିଆଯାଇ ସୁବାସଙ୍କଠାରେ ପ୍ରତିରୋପଣ କରାଗଲା। ନଭେମ୍ବର ୧ରେ ଏହି ଜଟିଳ ଅସ୍ତ୍ରୋପଚାର ପରେ ଉଭୟ ସ୍ବାମୀ ସ୍ତ୍ରୀ ଡାକ୍ତରଖାନାରେ ରହିଲେ ଏକମାସ। ଏବେ ଉଭୟ ସୁସ୍ଥ। ଭାଲେଣ୍ଟାଇନ୍ସ ଡେ’ର ଅବ୍ୟବହିତ ପୂର୍ବରୁ ଏହି କଥା ଗଣମାଧ୍ୟମକୁ ଜଣାଇ ପରସ୍ପର ପ୍ରତି ସେମାନେ କେତେ ଅନୁରକ୍ତ ତାହା ପରିପ୍ରକାଶ କରିଛନ୍ତି।

ସମ୍ପାଦକୀୟ/ ଭାଷା ଦକ୍ଷତା

ସମ୍ପାଦକୀୟ/ ଭାଷା ଦକ୍ଷତା

ଇଂଲିଶ ଗୀତିକାର ତଥା ସଙ୍ଗୀତଜ୍ଞ ଜାଫ୍ରେ ଉଇଲିୟମ୍‌ସ ଏକଦା କହିଥିଲେ, ଆପଣ ଯେ ପର୍ଯ୍ୟନ୍ତ ଅତିକମ୍‌ରେ ଦୁଇଟି ଭାଷା ଜାଣି ନାହାନ୍ତି ସେ ପର୍ଯ୍ୟନ୍ତ ଗୋଟିଏ ଭାଷା ଠିକ୍‌ ଭାବେ ବୁଝିପାରିବେ ନାହିଁ। ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ସମୟରେ ହୋଇଥିବା ଅଧ୍ୟୟନ ଓ ଗବେଷଣାରୁ ମଧ୍ୟ ସମାନ ନିର୍ଯାସ ବାହାରିଥିବା ଦେଖିବାକୁ ମିଳିଛି। ଏକରୁ ଅଧିକ ଭାଷା ଶିକ୍ଷାର ଉତ୍ତମ ସମୟ ହେଉଛି ଶୈଶବ। ଗବେଷଣାରୁ ଜଣାପଡିଛି ଯେ, ପିଲାବେଳେ ମସ୍ତିଷ୍କର କୋଷିକା ଅଧିକ ସକ୍ରିୟ ଥିବାରୁ ତାହା ଏକାଧିକ ଭାଷା ଶିକ୍ଷାର ସାମର୍ଥ୍ୟ ରଖିଥାଏ। ଅର୍ଥାତ୍‌ ପିଲାମାନେ ହିଁ ମାତୃଭାଷା ସହ ଅନ୍ୟ ଭାଷାକୁ ଶୀଘ୍ର ଓ ସହଜରେ ଗ୍ରହଣ କରି ପାରନ୍ତି। ଏଥିପାଇଁ ସୁଯୋଗ ସୃଷ୍ଟି କରିବା ମାତାପିତା, ଅଭିଭାବକ ଓ ଶିକ୍ଷକମାନଙ୍କର କର୍ତ୍ତବ୍ୟ ବୋଲି କୁହାଯାଇଛି। ନିକଟରେ ନ୍ୟାଶନାଲ କମିଶନ ଫର୍‌ ପ୍ରୋଟେକ୍‌ଶନ ଅଫ ଚାଇଲ୍‌ଡ ରାଇଟ୍ସ ପକ୍ଷରୁ ଦିଲ୍ଲୀର ଘରୋଇ ସ୍କୁଲଗୁଡିକରେ ଏକ ସର୍ଭେ କରାଯାଇଥିଲା । ଏଥିରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ, ୨୦୧୧ରୁ ୨୦୧୪ ମସିହା ମଧ୍ୟରେ ୨୬ ପ୍ରତିଶତ ଛାତ୍ରୀଛାତ୍ର ପାଠପଢା ଛାଡିଦେଇଥିଲେ, ଯାହାକୁ ଡ୍ରପଆଉଟ୍‌ କୁହାଯାଏ । ୨୦୧୪ରେ ଏହି ପରିମାଣ ହ୍ରାସ ହୋଇ ୧୦ ପ୍ରତିଶତରେ ପହଞ୍ଚିଥିଲା । ଦୁଃଖର ବିଷୟ ଯେ, ତାହା ପରବର୍ଷମାନଙ୍କରେ ଏହି ପ୍ରତିଶତରେ କୌଣସି ହ୍ରାସ ଘଟୁଥିବାର ଦେଖାଯାଉନାହିଁ । ଇଂଲିଶ ଭାଷାର ଭୟ ଏବଂ ଖେଳକୁଦ ପାଇଁ ପ୍ରୟୋଜନ ହେଉଥିବା ଅତ୍ୟଧିକ ଅର୍ଥ ଦେବାରେ ମାତା ପିତା ଅସମର୍ଥ ହେଉଥିବାରୁ ଅଧିକାଂଶ ପିଲା ଡ୍ରପ୍‌ଆଉଟ ହେଉଛନ୍ତି । ଇଂଲିଶରେ ପାଠପଢା କାରଣରୁ ପିଲା ସ୍କୁଲ ଛାଡି ଦେଉଥିବା ଘଟଣା ଏକ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ଦିଲ୍ଲୀ ସମେତ ଉତ୍ତର ଭାରତରେ କେବଳ ହିନ୍ଦୀ ଭାଷାକୁ ଯେଉଁଭଳି ଭାବେ ପ୍ରାଧାନ୍ୟ ଦିଆଯାଉଛି ଭବିଷ୍ୟତ ପିଢି କେଉଁ ଢାଞ୍ଚାରେ ଗଢା ହେବେ ତାହା ଚିନ୍ତାର ବିଷୟ ହେଲାଣି। ଏହି ଅଞ୍ଚଳରେ ଧନୀଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତେ ହିନ୍ଦୀକୁ ଗୁରୁତ୍ୱ ଦେଉଛନ୍ତି। ଯାହାଫଳରେ ପିଲାମାନେ ଗୋଟିଏ ଭାଷା ଶିଖି ସନ୍ତୁଷ୍ଟି ଲାଭ କରୁଛନ୍ତି । ସ୍କୁଲଗୁଡିକରେ ଦ୍ୱିତୀୟ ଓ ତୃତୀୟ ଭାଷା ଶିକ୍ଷାର ସୁଯୋଗ ରହିଥିଲେ ମଧ୍ୟ ତାହାକୁ ପ୍ରାଧାନ୍ୟ ଦିଆଯାଉନାହିଁ। ଉତ୍ତର ଭାରତରେ ସାଧାରଣରେ ଏକ ଧାରଣା ବଳବତ୍ତର ହୋଇଛି, ଯେହେତୁ ସେମାନେ ହିନ୍ଦୀ ଜାଣିଛନ୍ତି ତେଣୁ ଅନ୍ୟ କୌଣସି ଭାଷା ଶିଖିବାର ଆବଶ୍ୟକତା ନାହିଁ। ଜନସାଧାରଣଙ୍କ କ୍ଷେତ୍ରରେ ଦେଖା ଦେଉଥିବା ଏହି ବିକୃତ ମନୋଭାବକୁ କେନ୍ଦ୍ର ସରକାର ମଧ୍ୟ ସମର୍ଥନ କରିଆସୁଥିବାରୁ ସରକାରୀ ସ୍ତରରେ ହିନ୍ଦୀକୁ ପ୍ରାଧାନ୍ୟ ଦିଆଯାଉଛି। ହିନ୍ଦୀକୁ ରାଷ୍ଟ୍ରଭାଷାର ଆଖ୍ୟା ଦିଆଯାଇ ତାହାକୁ ସମସ୍ତଙ୍କ ଉପରେ ଲଦି ଦେବାର ଚେଷ୍ଟା ହେଉଛି। ସେମାନେ ଭୁଲି ଯାଉଛନ୍ତି ଯେ, ହିନ୍ଦୀକୁ ସମ୍ବିଧାନ ରାଷ୍ଟ୍ରଭାଷାର ମର୍ଯ୍ୟାଦା ଦେଇନାହିଁ। ଏକାଧିକ ଭାଷା ଶିକ୍ଷାର ସୁଫଳ କ’ଣ ରହିଛି ସେ ନେଇ ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ ସମୟରେ ଗବେଷଣା କରାଯାଇଛି। ପେନ୍‌ସିଲ୍‌ଭାନିଆ ଷ୍ଟେଟ୍‌ ୟୁନିଭରସିଟିର ଗବେଷଣା ଅନୁଯାୟୀ, ଏକାଧିକ ଭାଷା ଜାଣିଥିବା ବ୍ୟକ୍ତି ସହଜରେ ବିଭିନ୍ନ କ୍ଷେତ୍ରରେ ପ୍ରବେଶ କରିପାରିବେ। ସ୍ପେନ୍‌ସ୍ଥିତ ପମ୍ପିଓ ଫାବ୍ରା (Pompeu Fabra) ୟୁନିଭରସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ସ୍ପଷ୍ଟ କରିଛି ଯେ, ବହୁଭାଷା ଜାଣିଥିବା ବ୍ୟକ୍ତି ତାଙ୍କର ପାରିପାର୍ଶ୍ୱିକ ଅବସ୍ଥାକୁ ଉତ୍ତମରୂପେ ବୁଝିପାରିଥାଆନ୍ତି। ବିଭ୍ରାନ୍ତି ସୃଷ୍ଟି କରୁଥିବା ତଥ୍ୟକୁ ଶୀଘ୍ର ଧରିପାରିଥାଆନ୍ତି। ଶିକାଗୋ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ଅନୁଯାୟୀ ଅନେକ ଭାଷା ଜାଣିଥିବା ବ୍ୟକ୍ତି ସକାରାତ୍ମକ ଓ ଯୁକ୍ତିଯୁକ୍ତ ନିଷ୍ପତ୍ତି ନେବାରେ ପାରଙ୍ଗମ। ସେମାନେ ମଧ୍ୟ ନିଜ ପସନ୍ଦକୁ ନେଇ ଅଧିକ ଆସ୍ଥାବାନ। ଏକାଧିକ ଭାଷା ଜାଣିଥିବା ବ୍ୟକ୍ତି ଅର୍ଥନୈତିକ ଉନ୍ନତି କରିବାର ଅଧିକ ସୁଯୋଗ ପାଇଥାନ୍ତି । ଏହା ବ୍ୟତୀତ ବୃଦ୍ଧ କାଳରେ ଆଲଜିମର୍ସ ଏବଂ ଡିମେନ୍‌ଶିଆ (ଉଭୟ ସାଙ୍ଘାତିକ ମାନସିକ ରୋଗ)ରୁ ବିଭିନ୍ନ ଭାଷା ଶିଖିଥିବା ବ୍ୟକ୍ତି ରକ୍ଷା ପାଇବାର ସମ୍ଭାବନା ରହିଛି । ଗବେଷକମାନଙ୍କ ମତରେ, ଏକାଧିକ ଭାଷା ଶିକ୍ଷା କରିବାର ଉପଯୁକ୍ତ ସମୟ ହେଉଛି ଶୈଶବ। ୫ବର୍ଷ ବୟସ ମଧ୍ୟରେ ଶିଶୁ ନିକଟରେ ଏହି ପ୍ରବଣତା ଥାଏ। ଏହି ସମୟରେ ଶିଶୁ ଶିଖୁଥିବା ଭାଷା ତା’ର ମେଧାଶକ୍ତି ବଢାଇବା ସହ ବ୍ୟକ୍ତିତ୍ୱ ବିକାଶରେ ସହାୟକ ହୋଇଥାଏ। ...

ଦେଢ଼ଗୁଣା ସହାୟକ ଦର: ଡାହା ମିଛ

ଦେଢ଼ଗୁଣା ସହାୟକ ଦର: ଡାହା ମିଛ

ତତ୍ତ୍ୱ ଓ ତର୍କ-ବିମଳ ପ୍ରସାଦ ପାଣ୍ଡିଆ/ ଲୋକ ସଭାରେ ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ କହିଲେ ଯେ, ମୋଦି ସରକାର ରବି ଋତୁରେ ହେଉଥିବା ଅଧିକାଂଶ ଫସଲ ପାଇଁ ଏମ୍‌ଏସ୍‌ପି ବା ଫସଲର ସର୍ବନିମ୍ନ ସହାୟକ ଦରକୁ ଚାଷ ଖର୍ଚ୍ଚର ଦେଢ଼ଗୁଣା ବା ଖର୍ଚ୍ଚର ୧୫୦% କରିସାରିଛନ୍ତି। ବାକିଥିବା ସମସ୍ତ ଫସଲ ପାଇଁ ମଧ୍ୟ ତାଙ୍କ ସରକାର ଏମିତି ଏମ୍‌ଏସ୍‌ପି ରଖିବେ, ଯାହା ଉପତ୍ାଦନ ଖର୍ଚ୍ଚର ଅନୂ୍ୟନ ଦେଢ଼ଗୁଣା ହେବ। ତା’ହେଲେ କ’ଣ ସତରେ ସରକାର ଅଧିକାଂଶ ଫସଲ ପାଇଁ ଯାହା ଖର୍ଚ୍ଚ ହୁଏ, ତାହାର ଦେଢ଼ଗୁଣା ଦର ବା ୫୦% ଲାଭ ନିଶ୍ଚିତ କରିସାରିଛନ୍ତି? କେତେଜଣଙ୍କର ମନେଥିବ କେଜାଣି, ତିନି ବର୍ଷ ତଳେ ଏହି ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦେଇ କହିଥିଲେ ଯେ, ସରକାର ଚାଷୀଙ୍କୁ ଚାଷଖର୍ଚ୍ଚ ଉପରେ ୫୦% ଲାଭ ନିଶ୍ଚିତ କରୁଥିବା ସର୍ବନିମ୍ନ ସହାୟକ ଦର ଦେଇପାରିବେ ନାହିଁ, କାରଣ ତାହା ଅର୍ଥନୀତିକୁ ବିଗାଡିଦେବ। ତା’ହେଲେ ସୁପ୍ରିମକୋର୍ଟରେ ତିନିବର୍ଷ ତଳେ ଦେଇଥିବା ହଲଫନାମା ଆଉ ବର୍ତ୍ତମାନ ଭିତରେ କ’ଣ ଏତେ ପରିବର୍ତ୍ତନ ହୋଇଯାଇଛି? ଏଥର ଏହି ପ୍ରସଙ୍ଗରେ ଆମେ କିଛି ସତ୍ୟ ଦରାଣ୍ଡିବା। ଚାଷଖର୍ଚ୍ଚର ହିସାବ କରିବା ପ୍ରଥାକୁ ସରକାର ଖୁବ୍‌ ଜଟିଳ କରି ରଖିଛନ୍ତି। କାହାକୁ ଚାଷ ଖର୍ଚ୍ଚ ବିଚାର କରାଯାଏ ତାହାକୁ ନେଇ ଖୁବ୍‌ ଦ୍ୱନ୍ଦ୍ୱ ରହିଛି। ଏମ୍‌ଏସ୍‌ପି ନିର୍ଦ୍ଧାରଣ ପ୍ରକ୍ରିୟାରେ ଅନେକ ପ୍ରକାର ଚାଷ ଖର୍ଚ୍ଚର ହିସାବ ଦିଆଯାଏ, ତିନୋଟି ତହିଁରୁ ପ୍ରମୁଖ। ଇଂଲିଶରେ ତାହାକୁ (୧) A2, (୨) A2+FL, ଓ (୩) C2 କୁହାଯାଏ। ‘A2’ ହେଲା ଚାଷୀ ବହନ କରିଥିବା ମୂଳ ଖର୍ଚ୍ଚ। ଏଥିରେ ଅନ୍ତର୍ଭୁକ୍ତ ଅଛି ଟଙ୍କା ବା ସାମଗ୍ରୀ ଆକାରରେ ହୋଇଥିବା ସମସ୍ତ ଖର୍ଚ୍ଚ ଯଥା ଶ୍ରମ, ବଳଦ, ଯନ୍ତ୍ର, ବିହନ, ଔଷଧ, ବିଷ, ଖତ, ସାର, ଜଳସେଚନ ଇତ୍ୟାଦି। ଏହା ପାଇଁ ଚାଷୀ ପ୍ରତ୍ୟକ୍ଷଭାବେ ଦେୟ ପ୍ରଦାନ କରିଥାଏ ବା ବ୍ୟୟ କରିଥାଏ। ଏହାପରେ ଆସିଲା ‘A2+FL’। ପ୍ରାୟ ସମସ୍ତ ଚାଷୀ ପରିବାର ଫସଲର ଉପତ୍ାଦନ ପାଇଁ ନିଜେ ଶ୍ରମ ଦିଅନ୍ତି। ‘A2’ରେ ରହିଥିବା ସମସ୍ତ ଖର୍ଚ୍ଚ ସହିତ ଚାଷୀ ପରିବାର ନିଜେ ପ୍ରଦାନ କରିଥିବା ଶ୍ରମର ଖର୍ଚ୍ଚ ମିଶି ‘A2+FL’ ଦର ସ୍ଥିର ହୁଏ। ତୃତୀୟଟି ହେଲା ‘C2’। ‘A2+FL’ ଦରରେ ଜମିର କର ବା ଶୁଳ୍କ ଏବଂ ଚାଷୀ ଚାଷ ତୁଲାଇବା ପାଇଁ କରିଥିବା ଭିତ୍ତିଭୂମି ଯଥା ଟ୍ରାକ୍ଟର, ପମ୍ପ, ବାଡ, ଅନ୍ୟ ଭିତ୍ତିଭୂମି ଇତ୍ୟାଦିରେ ହୋଇଥିବା ନିବେଶର ସୁଧ ଯୋଡି ‘C2’ ଦର ସ୍ଥିର କରାଯାଏ। ....

ଓଷାର ନାଁ ଜାଗର

ଓଷାର ନାଁ ଜାଗର

ଡ. ଭାଗ୍ୟଲିପି ମଲ୍ଲ / ଶିବ ହେଉଛନ୍ତି ଭାରତୀୟ ମନୀଷାର ଏକ ରହସ୍ୟମୟ ପରିକଳ୍ପନା। ବୈଦିକ ଯୁଗରେ ସେ ମହାରୁଦ୍ର। ଅମରକୋଷରେ ତାଙ୍କ ନାଁର ସଂଖ୍ୟା ଅଠଚାଳିଶ। ସେ ଗୃହୀ ପୁଣି ସନ୍ନ୍ୟାସୀ, ଯୋଗୀ ପୁଣି ଭୋଗୀ। ଭୋଳାନାଥ ତେଣୁ ଆଶୁତୋଷ। ସଦା ଶକ୍ତିସଂଲଗ୍ନ ପୁଣି ଜିତେନ୍ଦ୍ରିୟ। ଘର କୈଳାସ ପର୍ବତ। ଆଉ ଏକ ଘର ବି ତାଙ୍କର ରହିଛି- ମଶାଣି। ମାତ୍ର ଭବଘୂରା, ସବୁଠି ରହି ପାରନ୍ତି। ସୌମ୍ୟଦର୍ଶନ, ପୁଣି ଭସ୍ମବିଲେପିତ। ଦେହରେ ସାପର ପଇତା, ଅଣ୍ଟାରେ ବାଘଛାଲ, ହାତରେ ତ୍ରିଶୂଳ ଓ ଡମ୍ବରୁ। ମଥାରେ ଜଟାଭାର। ତେଣୁ ରହସ୍ୟମୟ ନୁହନ୍ତି ତ ଆଉ କ’ଣ? ତାଙ୍କର ପ୍ରିୟ ଫୁଲ ଦୁଦୁରା, ଗଈଶ, ଅରଖ ଓ ବେଲପତ୍ର। ବାହନ ବୃଷଭ। ଆଉ ଏକ ବିଶେଷ ପରିଚୟ ତାଙ୍କର ରହିଛି। ସେ ମହାଜ୍ଞାନୀ ଓ ତ୍ରିକାଳଦର୍ଶୀ ସହ ନୃତ୍ୟପଟୁ। ‘ମହାଶକ୍ତି’ ତାଙ୍କର ପତ୍ନୀ। ଶିବ ଓ ଶକ୍ତିଙ୍କ ସମ୍ମେଳନରେ ସୃଷ୍ଟି ହୁଏ ପବିତ୍ର ଓ ଉତ୍ତରିତ। ସାଧକମାନେ ତାଙ୍କୁ କୃଚ୍ଛ୍ର ତପସ୍ୟା ମାଧ୍ୟମରେ ସନ୍ତୁଷ୍ଟ କରିବାର ପ୍ରୟାସ କରନ୍ତି। ତପସ୍ୟାରେ ତୁଷ୍ଟ ହେଲେ, ଯାହା ମାଗିଲେ ଦେବାରେ ସେ କାର୍ପଣ୍ୟ କରନ୍ତି ନାହିଁ। ତାଙ୍କର ଧର୍ମପତ୍ନୀ ପାର୍ବତୀଙ୍କୁ ମଧ୍ୟ ତାଙ୍କୁ ପାଇବା ପାଇଁ କଠୋର ତପସ୍ୟା କରିବାକୁ ପଡ଼ିଥିଲା। ଏ ସବୁ ଅତି ସୁନ୍ଦର ଭାବରେ କାଳିଦାସଙ୍କ ‘କୁମାର ସମ୍ଭବମ୍‌’ ମହାକାବ୍ୟରେ ବର୍ଣ୍ଣିତ। ଶିବଙ୍କୁ ନେଇ କେତେ କୌତୁକ କଥା ରହିଛି। କିଏ ତିଆରିଛି ଏତେ ସବୁ ମଜା କଥା? ପୁଣି କାହିଁକି? ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଦିନେ କାଳେ କେହି ଜଣେ ରାଗିଯାଇ ତାଙ୍କ ମୁଣ୍ଡରେ ଶୁଖୁଆ ପାଛିଆ ଅଜାଡ଼ି ଦେବାକୁ ଗଲାବେଳେ ଶିବ ତାକୁ ଅଟକାଇ କହିଲେ- ରହ ରହ, ତୋର ଯାହା ଇଚ୍ଛା ମାଗିନେ। ସେ ଯାହା ମାଗିଲା, ପାଇଗଲା ତତ୍‌କ୍ଷଣାତ୍‌। ତେଣୁ ତାଙ୍କୁ କୁହାଯାଏ ଭୋଳାନାଥ, ଆଶୁତୋଷ। ଯିଏ, ଯେମିତି ଚାହିଁଲା- ତାଙ୍କୁ ସେମିତି ସଜ କରି ଦେଲା, ସେମିତି ପୂଜା କଲା। କିଏ ତାଙ୍କୁ ଗଞ୍ଜେଇ ଦେଲା, କିଏ ମଦରେ ଗାଧୋଇ ଦେଲା, କିଏ ମଶାଣି-ପାଉଁଶ ବୋଳିଦେଲା ତ ପୁଣି କିଏ ରାଗୀ-ଦେବତାଟାର ମୁଣ୍ଡ ଥଣ୍ଡା କରିବା ପାଇଁ ମୁଣ୍ଡରେ ନବାତ, କଦଳୀ ଘଷି କ୍ଷୀର ଢାଳିଦେଲା। ଏମିତି ଜଣେ ଦେବତା ରହସ୍ୟମୟ ନିଶ୍ଚୟ।...

ଏଇ ଭାରତରେ

ପିଲା ପାଇଁ ମା’ ସବୁବେଳେ ମମତାମୟୀ। କିନ୍ତୁ ବିଭିନ୍ନ କାରଣ ଯୋଗୁ କେତେକ ମା’ ସେମାନଙ୍କ ଶିଶୁଠାରୁ ଦୂରେଇ ଯାଉଛନ୍ତିି। ଅପନିନ୍ଦାରୁ ବର୍ତ୍ତିବା ଲାଗି କୁମାରୀ ମା’ମାନେ ଏଭଳି ପଦକ୍ଷେପ ନେଉଥିବା ବେଳେ ଶିଶୁକନ୍ୟା ଜନ୍ମ ଦେଇଥିବା ମା’ ପିଲାକୁ ବୁଦା ମୂଳେ କିମ୍ବା ରାସ୍ତାକଡ଼େ ଛାଡ଼ି ଦେଉଥିତ୍ବା ଖବର ଶୁଣିବାକୁ ମିଳିଥାଏ। ହେଲେ ଏବେ କର୍ନାଟକର ଚିକାବାଲାପୁରଠାରେ ଭିନ୍ନ ଏକ କାରଣ ଯୋଗୁ ଜଣେ ମା’ ତାଙ୍କ ଶିଶୁକୁ ଡାକ୍ତରଖାନାରେ ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି। ୫ ଦିନର ଏହି ଶିଶୁର ଗୋଡ଼ ସ୍ବାଭାବିକଠାରୁ ଲମ୍ବା ଥିବା ଅନୁଭବ କରିବା ପରେ ମା’ ତାକୁ ସ୍ତନ୍ୟପାନ କରାଇ ନ ଥିଲେ। କିଛିଦିନ ପରେ ଶିଶୁ ଶରୀରରେ ଦେଖାଦେଇଥିବା ଅସ୍ବାଭାବିକତା ଦୂର ହୋଇଯିବ ବୋଲି ଡାକ୍ତରମାନେ ଯେତେ ବୁଝାଇଥିଲେ ମଧ୍ୟ ସେ ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ଡୋଡା କିରୁଗାନ୍ଦି ଗ୍ରାମର ଏହି ମହିଳା ଶିଶୁ ଜନ୍ମ ଦେବାର ୫ ଦିନ ପରେ କ୍ଲିନିକ୍‌ର ଡାକ୍ତରଙ୍କୁ ଜଣାଇ ଦେଇଥିଲେ ଯେ ସେ ତା’ର ଯତ୍ନ ନେଇପାରିବେ ନାହିଁ। ଏହାପରେ ଡାକ୍ତରଖାନା କର୍ତ୍ତୃପକ୍ଷ ମହିଳା ଓ ଶିଶୁ ମଙ୍ଗଳ ବିଭାଗକୁ ଏ ବିଷୟ ଜଣାଇଥିଲେ। ସରକାରୀ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ସମ୍ପୃକ୍ତ ଦମ୍ପତିଙ୍କୁ ବୁଝାଶୁଝା କରିଥିଲେ। ଏହାସତ୍ତ୍ୱେ ଶିଶୁଟିକୁ ମା’ କ୍ଷୀର ମିଳିପାରି ନ ଥିଲା। ଶେଷରେ ମହିଳା ଓ ଶିଶୁ ବିଭାଗ ୩ ମାସ ପାଇଁ ପିଲାଟିର ଯତ୍ନ ନେବ । ଏହାପରେ ଯଦି ମାତାପିତା ତାକୁ ନ ନିଅନ୍ତି ତେବେ ବାଙ୍ଗାଲୋରସ୍ଥିତ ଏକ ବେସରକାରୀ ସଂସ୍ଥାକୁ ପିଲାକୁ ହସ୍ତାନ୍ତର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେବେ ସେହି ବିଭାଗ ସହ ଜଡ଼ିତ ଥିବା ଜଣେ ଆଇନ ଅଧିକାରୀ କହିଛନ୍ତି, ଦମ୍ପତି ଅତ୍ୟନ୍ତ ଗରିବ ଥିବାରୁ ଶିଶୁକୁ ନେବାକୁ ଚାହୁଁ ନ ଥିଲେ।

ସମ୍ପାଦକୀୟ/ ୨୭ ଜାଗାରେ ୧୬

ସମ୍ପାଦକୀୟ/ ୨୭ ଜାଗାରେ ୧୬

ଓଡ଼ିଶା ହାଇକୋର୍ଟ ଓ୍ବେବ୍‌ସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ, ୯ ଫେବୃୟାରୀ ୨୦୧୮ ସୁଦ୍ଧା ଉଚ୍ଚ ନ୍ୟାୟାଳୟରେ ସର୍ବମୋଟ ୧ ଲକ୍ଷ ୬୯ ହଜାର ୧୫୦ ମାମଲା ପଡ଼ିରହିଛି। ହେଲେ ଓଡ଼ିଶା ହାଇକୋର୍ଟରେ ୨୭ ବିଚାରପତି ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୧୬ ଜଣ। ୧୧ ଜଣ ବିଚାରପତି କମ୍‌ ରହିବା ନିଶ୍ଚିତ ଭାବେ ମାମଲା ପରିଚାଳନାରେ ପାର୍ଥକ୍ୟ ପଡ଼ିବା ସ୍ବାଭାବିକ। ଲୋକସଂଖ୍ୟା ବୃଦ୍ଧି ପାଇବା ସହ ମାମଲାଗୁଡ଼ିକ ବଢ଼ିବାରେ ଲାଗିଛି। ସେହି ଅନୁଯାୟୀ ବିଚାରପତି ନିଯୁକ୍ତ ହୋଇପାରୁ ନ ଥିବାରୁ ବକେୟା ମାମଲା ସହ ନୂଆ ଯୋଡ଼ି ହୋଇଚାଲିଛି। ଦେଶର ଉଚ୍ଚତର ବିଚାର ବ୍ୟବସ୍ଥା ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତିଙ୍କ ନିଯୁକ୍ତି ‘କଲେଜିୟମ୍‌ ବ୍ୟବସ୍ଥା’ ଦ୍ୱାରା କରାଯାଉଛି। ପ୍ରଧାନ ବିଚାରପତି ଓ ସୁପ୍ରିମକୋର୍ଟର ଅନ୍ୟ ଚାରିଜଣ ବରିଷ୍ଠ ବିଚାରପତିଙ୍କୁ ମିଶାଇ ୫ ଜଣିଆ କଲେଜିୟମ ରହିଛି। ଯେହେତୁ ନିକଟରେ ଶୀର୍ଷ ଅଦାଲତରେ ଝଡ଼ ବହିଯାଇଛି, ସେହେତୁ ନିଯୁକ୍ତି ପ୍ରକ୍ରିୟା ଧିମେଇ ଯାଇଛି ବୋଲି କୁହାଯାଉଛି। ଝଡ଼ ସମ୍ପର୍କରେ ସମସ୍ତଙ୍କର ମନେଥିବ। ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ୧୨ ଜାନୁୟାରୀ ୨୦୧୮ ଏକ ଅଭୂତପୂର୍ବ ଦିବସ ଭାବେ ଉଭା ହୋଇଥିଲା। ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ଏକ ଖବରଦାତା ସମ୍ମିଳନୀରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ସଙ୍ଗିନ୍‌ ଅଭିଯୋଗ ଆଣିଥିଲେ। ସର୍ବୋଚ୍ଚ ଅଦାଲତର ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା କନିଷ୍ଠ ବିଚାରପତିଙ୍କୁ ଦିଆଯାଉଛି ବୋଲି କହି ଅଭିଯୋଗକାରୀମାନେ କ୍ଷୋଭ ପ୍ରକାଶ କରିଥିଲେ। ତେବେ ପଡ଼ି ରହିଥିବା ଅସଂଖ୍ୟ ମାମଲାର ସହଜ ଫଇସଲା କିଭଳି ହେବ, ତା’ ଉପରେ ଆଦୌ ଦୃଷ୍ଟିପାତ କରି ନ ଥିଲେ। ବୋଧହୁଏ ଏହିଭଳି କେତେଗୁଡ଼ିକ କାରଣ ପାଇଁ ସେମାନଙ୍କୁ ସବୁଆଡ଼ୁ ସମାଲୋଚିତ ହେବାକୁ ପଡ଼ିଥିଲା। କିଏ କେଉଁ ମାମଲା ପରିଚାଳନା କରିବେ ତାହା ମୁଖ୍ୟଙ୍କ ଉପରେ ନିର୍ଭର କରେ। କିନ୍ତୁ ଯାହାଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି, ତାହାକୁ ସୁଚାରୁ ରୂପେ ପାଳନ କରିବାରେ ଦକ୍ଷତା ଜଣାପଡ଼ିଥାଏ। ନ୍ୟାୟ ବ୍ୟବସ୍ଥାରେ ଶୀଘ୍ର ମାମଲାଗୁଡ଼ିକର ରାୟ ପ୍ରକାଶ ପାଇଗଲେ କୋର୍ଟ ଉପରୁ ବୋଝ କମିଯାଇପାରନ୍ତା। ଉଲ୍ଲେଖ କରାଯାଇପାରେ ଯେ, ଏବେ ସମଗ୍ର ଦେଶରେ ନିମ୍ନ ଅଦାଲତରୁ ଶୀର୍ଷ କୋର୍ଟ ଯାଏ ୩ କୋଟିରୁ ଊର୍ଦ୍ଧ୍ୱ ମାମଲା ପଡ଼ି ରହିଛି। ବର୍ତ୍ତମାନର ପରିସ୍ଥିତି ଦେଖିଲେ ଯେଉଁ ଉଚ୍ଚତର ନ୍ୟାୟ ବ୍ୟବସ୍ଥାରେ ବିଚାରପତି ଅବସର ନେଉଛନ୍ତି, ସେଠାରେ ତତ୍‌କ୍ଷଣାତ୍‌ ନିଯୁକ୍ତି ସମ୍ଭବ ହୋଇପାରୁ ନାହିଁ। ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ ଦେଖାଦେଇଥିବା ବେଳେ ରାଜ୍ୟ ସରକାର ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍‌) ଉଚ୍ଛେଦ କରିବାକୁ ନେଇଥିବା ନିଷ୍ପତ୍ତି ପରିସ୍ଥିତିକୁ ଅଧିକ ଜଟିଳ ଆଡ଼କୁ ନେଉଯାଉଛି। ଏପରିକି ସ୍ୟାଟ୍‌ରେ ପ୍ରଶାସନିକ ଅଧିକାରୀମାନେ ଅବସର ଗ୍ରହଣ କରିବା ପରେ ମଧ୍ୟ ନୂତନ ନିଯୁକ୍ତି ଦିଆଯାଉ ନାହିଁ। ଏଭଳି ସ୍ଥଳେ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେଲେ ପ୍ରଥମେ ଆବଶ୍ୟକ ବିଚାରପତି ପଦବୀ ପୂରଣ। ନଚେତ୍‌ ଯେଭଳି ବକେୟା ମାମଲା ବଢ଼ିଚାଲିଛି ତାହା ଅସ୍ବାଭାବିକ ସ୍ତରକୁ ଚାଲିଯିବ। ସେତେବେଳେ ନ୍ୟାୟକୁ ନେଇ ରହିଥିବା ଆପ୍ତବାଣୀ ‘ବିଳମ୍ବିତ ନ୍ୟାୟ ବିଡ଼ମ୍ବିତ’ ବୋଲି ପ୍ରମାଣିତ ହେବ।

ସରକାରୀ ଭାଷା ବନାମ ଭାଷା ସାହିତ୍ୟ

ସରକାରୀ ଭାଷା ବନାମ ଭାଷା ସାହିତ୍ୟ

ସହଦେବ ସାହୁ/ ଡିସେମ୍ବର ୨୬ରେ ଜଗନ୍ନାଥ ଧାମ ସହିତ ଜଡିତ ଓଡିଆଙ୍କ ମନ ଜିଣିବା ଲାଗି ପୁରୀର ସର୍କିଟ୍‌ ହାଉସ୍‌ରେ କ୍ୟାବିନେଟ୍‌ ବୈଠକ ଡାକି ରାଜ୍ୟ ସରକାର ଏକ ହେରିଟେଜ୍‌ କ୍ୟାବିନେଟ୍‌ ତିଆରି କରିଛନ୍ତି, ଯାହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ କାମ କରିବ। କଲେଜ ଓ ବିଶ୍ୱବିଦ୍ୟାଳୟରେ ମାଗଣାରେ ଓଡ଼ିଆ ସାହିତ୍ୟ ପଢା ହେବ, ଗବେଷଣା ପାଇଁ ପ୍ରୋତ୍ସାହନ ଦିଆଯିବ। ଓଡ଼ିଆ ବହି ସବୁ ସ୍ମାର୍ଟ ଲାଇବ୍ରେରୀରେ ମିଳିବ। ପ୍ରତି ୫ ବର୍ଷରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ କରାଯିବ। ସରକାରଙ୍କ ଏ ନିଷ୍ପତ୍ତିକୁ ଓଡ଼ିଶାର ଲେଖକମାନେ ସ୍ବାଗତ କରିଛନ୍ତି ବୋଲି ଖବରକାଗଜରେ ପ୍ରକାଶ ପାଇଛି। ଲେଖକମାନେ ସାଧାରଣ ଓଡ଼ିଆ ନୁହନ୍ତି। ଓଡ଼ିଆ ସରକାରୀ ଭାଷା ହେଉ କି ନ ହେଉ ଓଡିଆ ସାହିତ୍ୟକୁ ସରକାରୀ ପ୍ରୋତ୍ସାହନ ମିଳିଲେ ସେମାନଙ୍କ ରଚନା ସବୁ ସରକାର କିଣିନେବେ। ସେଗୁଡିକ ଗଦା ଗଦା ବନ୍ଧା ହୋଇ ପାଠାଗାର ବା ବିଦ୍ୟାଳୟର ଚଟାଣରେ ଉଇର ଖାଦ୍ୟ ହେଉ ପଛେ। ଅଣଓଡିଆମାନେ ଓଡିଆ ସାହିତ୍ୟ ଓ ସଂସ୍କୃତି ଜାଣିଲେ କ’ଣ ଓଡିଆଙ୍କ ଦୁଃଖ (ସରକାରୀ ଅବହେଳା) ସରକାରଙ୍କ କାନକୁ ଆସିଯିବ? ପଞ୍ଚବାର୍ଷିକ ବିଶ୍ୱ ଓଡିଆ ସମ୍ମିଳନୀରେ ଯୋଗଦେବେ ସାହିତି୍ୟକମାନେ। ଓଡିଶାର ସାଢେ ଚାରିକୋଟି ଜନତାରୁ ମାତ୍ର ହଜାରେରୁ ଚାରି ହଜାର ଭିତରେ। ଅଧିକାଂଶ ଓଡିଶା ବାହାରୁ, ଯେଉଁମାନେ ଓଡିଆ ସରକାରୀ ଭାଷା ନ ହେଲେ ବି ସରକାରୀ ଫାଇଦା ପାଉଛନ୍ତି ବା ପାଇପାରିବେ। ...

ପ୍ରେମର ପ୍ରତୀକ ହେଉ ପ୍ରେମ ଦିବସ

ପ୍ରେମର ପ୍ରତୀକ ହେଉ ପ୍ରେମ ଦିବସ

ଡ. ପ୍ରଫୁଲ୍ଲ କୁମାର ସାହୁ/ ଭାରତୀୟ ସଂସ୍କୃତି ହେଉଛି ଆଧ୍ୟାମତ୍ିକ ଚେତନା ଅନୁପ୍ରେରିତ ଏକ ଆଚାରବୋଧ। ମୂଲ୍ୟବୋଧ ଭିତ୍ତିକ ଏକ ଜୀବନଶୈଳୀ। ଆମ ଉସତ୍ବ ପରଂପରା ସେହି ସଂସ୍କୃତିରୁ ଉନ୍ମେଷ ଏକ ପ୍ରବହମାନ ଧାରା। ଉଜ୍ଜ୍ୱଳ ବ୍ୟକ୍ତିତ୍ୱ, ଆଦର୍ଶ ପରିବାର, ସମୃଦ୍ଧ ସମାଜ ତଥା କଲ୍ୟାଣମୟ ବିଶ୍ୱ ଗଠନ ହିଁ ତା’ର ଆଭିମୁଖ୍ୟ। ମାତ୍ର ପାଶ୍ଚାତ୍ୟ ସଭ୍ୟତାର ମୋହମୁଦ୍‌ଗର ମାଡ଼ରେ ହଜିଗଲାଣି ଆମ ପାରଂପରିକ ପର୍ବପର୍ବାଣିର ମହକ। ଘରେ ଶିଶୁଟିଏ ଜନ୍ମନେଲେ, ନୂତନ ଅତିଥିକୁ ସ୍ବାଗତ କରିବା ପାଇଁ ଆଉ ଆବଶ୍ୟକ ହେଉନି ଷଷ୍ଠୀପୂଜା, ଏକୋଇଶିଆ ଓ ସତ୍ୟନାରାୟଣ ପାଲା ଆଦି ସଂସ୍କାର କର୍ମ। ଜନ୍ମଦିନରେ ଏବେ କଟାଯାଉଛି କେକ୍‌। ହେଟେଲରେ ଜମୁଛି ନାଚଗୀତର ଆସର। ବିବାହ ଭଳି ଶୁଭକର୍ମରେ ଆଉ ଶୁଭୁନି ଶଙ୍ଖ, କାହାଳି ଓ ହୁଲହୁଳି ଧ୍ୱନି। ବଡ଼ଦିନ ହେଉ କି ଇଂଲିଶ ନୂଆବର୍ଷ ହେଉ, ଏସବୁ ବିଦେଶୀ ଉସତ୍ବ ଆୟୋଜନର ଉଦ୍ଦାମତା ଆଗରେ କୌଣସି ମୂଲ୍ୟ ବହନ କରୁନି ଆପଣା ସଂସ୍କୃତି ଓ ପରଂପରାର ମହତ୍ତ୍ୱ। ବିଶେଷକରି ଆମ ଯୁବପିଢିକୁ ଏବେ ଘାରିଛି ଭାଲେଣ୍ଟଇନ୍‌ ଡେ ବା ପ୍ରେମଦିବସ ମନେଇବାର ଉକତ୍ଟ ନିଶା। ଏହି ବିଦେଶୀ ପର୍ବ ପାଳନର ତରିକାକୁ ଦେଖିଲେ ମନେହୁଏ, ସତେ ଯେପରି ବ୍ୟଭିଚାର ବନ୍ଦୀଶାଳାରେ ବନ୍ଧା ପଡ଼ିଛି ବ୍ୟକ୍ତିର ସଂଯମ ଓ ଶୃଙ୍ଖଳା। ‘ଭାଲେଣ୍ଟାଇନ ଡେ’ ଇତିହାସ କହେ ସୈନ୍ୟବାହିନୀରେ ଯୁବକମାନଙ୍କ ସାମର୍ଥ୍ୟର ପୂର୍ଣ୍ଣ ବିନିଯୋଗ ବିନା ଯୁଦ୍ଧଜୟ ଅସମ୍ଭବ ବୋଲି ଏକଦା ଅନୁଭବ କରିଥିଲେ ରୋମ୍‌ର ସମ୍ରାଟ୍‌ ଗ୍ଲାଡ଼ିୟନ ଦ୍ୱିତୀୟ। ତେଣୁ ବିବାହ ଓ ପ୍ରେମ ବ୍ୟାପାରଠାରୁ ଯୁବକମାନଙ୍କୁ ଦୂରେଇ ରଖିବା ପାଇଁ ତାଙ୍କ ନିର୍ଦ୍ଦେଶରେ ଦେଶରେ ଜାରି ହୋଇଥିଲା କଟକଣା। ଯୁବକମାନଙ୍କ ପ୍ରତି ଏଭଳି ଅନ୍ୟାୟ ଆଦେଶକୁ ଆଦ ଗ୍ରହଣ କରିପାରିଲେନି ସନ୍ଥ ଭାଲେଣ୍ଟାଇନ। ମନେମନେ ଖୋଜିଲେ ପ୍ରତିବାଦର ଉପାୟ। ସେ ଚର୍ଚ୍ଚର ପାଦ୍ରି ଥିବାରୁ ତାଙ୍କ ସହାୟତାରେ ଗୁପ୍ତରେ ସଂପନ୍ନ ହୋଇଚାଲିଲା ଶହ ଶହ ପ୍ରେମୀଯୁଗଳଙ୍କ ବିବାହ କାର୍ଯ୍ୟ। ଏକଥା ଜଣାପଡ଼ିବା ପରେ ସମ୍ରାଟ୍‌ଙ୍କ ଆଦେଶରେ ବନ୍ଦୀ ହେଲେ ସନ୍ଥ ଭାଲେଣ୍ଟାଇନ। ବିଚାରରେ ଦେଶଦ୍ରୋହୀ ସାବ୍ୟସ୍ତ ହୋଇଥିବା ସନ୍ଥଙ୍କୁ ମିଳିଲା ପ୍ରାଣଦଣ୍ଡ। ବନ୍ଦୀ ଭାଲେଣ୍ଟାଇନଙ୍କୁ ଦେଖିବାପାଇଁ ଛୁଟିଲା ଯୁବତୀଯୁବକମାନଙ୍କ ସୁଅ। ସେମାନଙ୍କ ମଧ୍ୟରେ ଥିଲେ ଜେଲ ରକ୍ଷକ ଆଷ୍ଟିରସ୍‌ଙ୍କ ଅନ୍ଧୁଣୀ କନ୍ୟା ଜୁଲିଆ। ସମବେଦନା ଜଣାଇବା ପାଇଁ ଜେଲକୁ ନିୟମିତ ଆସୁଥିବା ଅନ୍ଧୁଣୀ ଜୁଲିଆର ଆନ୍ତରିକତାକୁ ଅନୁଭବ କରି ଭାବଗଦ୍‌ଗଦ ହେଲେ ଭାଲେଣ୍ଟାଇନ। ଉଭୟଙ୍କ ମଧ୍ୟରେ ଗଢିଉଠିଲା ନିବିଡ଼ ସମ୍ପର୍କ। ଶେଷରେ ସେ ସଂପର୍କ ନେଲା ପ୍ରଣୟର ରୂପ ଏବଂ ଭାଲେଣ୍ଟାଇନଙ୍କ ଅଲୌକିକ ଶକ୍ତି ବଳରେ ଜୁଲିଆ ଫେରି ପାଇଲା ଚକ୍ଷୁର ଜ୍ୟୋତି। ଆମ ପୁରାଣରେ ଯେମିତି ସତ୍ୟବାନ ଅଳ୍ପାୟୁ ବୋଲି ଜାଣିଲା ପରେ ବି ତାଙ୍କୁ ବିବାହ କରିବା ନିଷ୍ପତ୍ତିରେ ଅଟଳ ଥିଲେ ସତୀ ସାବିତ୍ରୀ, ସେମିତି ମୃତ୍ୟୁର ଦିନ ଗଣୁଥିବା ଭାଲେଣ୍ଟାଇନଙ୍କ ପାଖରୁ ମୁହଁ ଫେରାଇ ନେଇ ନ ଥିଲା ଜୁଲିଆ। ପ୍ରେମର ଏହି ମହନୀୟତାର ଉତ୍ତର ଦେବାକୁ ଯାଇ ମୃତ୍ୟୁର ଠିକ୍‌ ପୂର୍ବରୁ ଭାଲେଣ୍ଟାଇନ ପ୍ରେମିକା ଜୁଲିଆ ପାଖକୁ ଲେଖିଥିବା ଚିଠିର ଶେଷଧାଡ଼ିଟି ଥିଲା - ‘ଉଇଥ୍‌ ଲଭ୍‌ ଫ୍ରମ୍‌ ୟୋର୍‌ ଭାଲେଣ୍ଟାଇନ’। କେବଳ ଶେଷ ଧାଡ଼ି ନୁହେଁ, ସେ ଚିଠିରେ ଲେଖାଥିବା ପ୍ରତ୍ୟେକଟି ଶବ୍ଦ ଏତେ ପ୍ରଭାବଶାଳୀ ଥିଲା ଯେ, ତାହା ସାର୍ବଜନୀନ ହେଲାପରେ ସମଗ୍ର ବିଶ୍ୱର ପ୍ରେମିକାପ୍ରେମିକଙ୍କ ହୃଦୟରେ ସୃଷ୍ଟିକଲା ଗଭୀର ଆଲୋଡ଼ନ। ପ୍ରେମୀମାନଙ୍କ ପାଇଁ ସମ୍ରାଟ୍‌ଙ୍କ ଆଦେଶକୁ ଅବମାନନା କରି ଜୀବନ ଉସତ୍ର୍ଗ କରିଥିବା ଭାଲେଣ୍ଟାଇନ ପାଲଟିଗଲେ ପ୍ରେମର ପ୍ରତୀକ। ତାଙ୍କ ମହାପ୍ରୟାଣ ଦିବସ (ଫେବୃୟାରୀ ୧୪ ତାରିଖ)କୁ ପ୍ରେମ ଦିବସ ଭାବେ ପାଳନ କଲେ ରୋମ୍‌, ଜାପାନ ଓ ଇରାନ ଆଦି ଦେଶର ଯୁବତୀଯୁବକମାନେ। ବିଗତ ଶତାବ୍ଦୀର ନବେ ଦଶକରେ ଭାରତକୁ ପ୍ରବେଶ କରିଥିବା ଏହି ପର୍ବକୁ ନେଇ ସଂପ୍ରତି ଯୁବସମାଜ ଭିତରେ ଯେଉଁ ଉଚ୍ଛୃଙ୍ଖଳତା ପ୍ରକାଶ ପାଇଛି ତାହା ହିଁ ଆମ ମହାନ୍‌ ସଂସ୍କୃତି ପାଇଁ ଚିନ୍ତାର କାରଣ।...

ରେଡିଓ ଗଣଙ୍କର

ରେଡିଓ ଗଣଙ୍କର

ବସନ୍ତ କୁମାର ଦାସ/ ଦିନ ଥିଲା ଗାଁର ଧନୀଲୋକଙ୍କ ଘରେ ରେଡିଓ ଥିଲା। ସାବେଳେ ତାଙ୍କ ଘର ପିଣ୍ଡାରେ ସାହିର ଆବାଳବୃଦ୍ଧବନିତାଙ୍କର ଭିଡ଼ ଜମୁଥିଲା। ସେଥିରୁ ସଙ୍ଗୀତ, କୃଷି, ନାଟକ ଓ ଖବର ଇତ୍ୟାଦି ଶୁଣୁଥିଲେ। ଚାଷବାସ, ପାଣିପାଗ ବିଷୟରେ ଜାଣୁଥିଲେ। ୧୮୯୫ ମସିହାରେ ମାର୍କୋନୀ ରେଡିଓ ଉଦ୍ଭାବନ କରିଥିଲେ। କିନ୍ତୁ ଭାରତର ବୈଜ୍ଞାନିକ ଜଗଦୀଶ ଚନ୍ଦ୍ର ବୋଷ ରେଡିଓ ପ୍ରଥମେ ଉଦ୍ଭାବନ କରିଥିଲେ ହେଁ ସେ ପ୍ରଚାରଧର୍ମୀ ନ ଥିବାରୁ ତାଙ୍କୁ କ୍ୱଚିତ୍‌ ଲୋକ ରେଡିଓର ଉଦ୍ଭାବକ ବୋଲି ଜାଣନ୍ତି। ଆମ ଦେଶରେ ପ୍ରଥମେ ୧୯୪୭ ମସିହାରେ ୬ଟି ସହର ଯଥା ଦିଲ୍ଲୀ, ବମ୍ବେ, କଲିକତା, ମାଡ୍ରାସ, ଲକ୍ଷ୍ନୌ ଓ ତ୍ରିଚିନାପଲ୍ଲୀରେ ରେଡିଓ ଷ୍ଟେଶନ ସ୍ଥାପନ କରାଯାଇଥିଲା। ୧୯୩୬ ଜୁନ୍‌ ୮ ତାରିଖରେ ଅଲ୍‌ ଇଣ୍ଡିଆ ରେଡିଓର ନାମ ପରିବର୍ତ୍ତନ କରାଯାଇ ‘ଆକାଶବାଣୀ’ ରଖାଗଲା। ୧୯୫୬ ମସିହାରେ ଆକାଶବାଣୀ ପୂର୍ଣ୍ଣମାତ୍ରାରେ ‘ବହୁଜନହିତାୟ, ବହୁଜନସୁଖାୟ’ ଭୂମିକା ନିଭାଇଚାଲିଲା। ୧୯୫୭ରେ ବିବିଧ ଭାରତୀ ଆରମ୍ଭ ହେଲା। ଆଜିକାଲି ଏଫ୍‌ଏମ୍‌ ପ୍ରସାରଣ ସେବା ସବୁଠି ବଢ଼ିଚାଲିଛି। ୧୯୭୭ରେ ମାଡ୍ରାସଠାରେ ଦେଶର ପ୍ରଥମ ଏଫ୍‌ଏମ୍‌ ପ୍ରସାରଣ ସେବା ଆରମ୍ଭ ହୋଇଥିଲା। ଚଳିତବର୍ଷ ବିଶ୍ୱ ରେଡିଓ ଦିବସର ମୁଖ୍ୟ ବିଷୟ ହେଉଛି ‘ରେଡିଓ ଓ ସ୍ପୋର୍ଟସ’।...