ସମ୍ପାଦକୀୟ

କ୍ଷମତା ଓ ଦଳ

କ୍ଷମତା ଓ ଦଳ

ଆକାର ପଟେଲ/ ଉତ୍ତର-ପୂର୍ବାଞ୍ଚଳରେ ଅନୁଷ୍ଠିତ ନିର୍ବାଚନ ପ୍ରତି ସମ୍ପ୍ରତି ଗଣମାଧ୍ୟମରେ ଯେତିକି ଆଗ୍ରହ ଓ ଉତ୍ସାହ ଦେଖିବାକୁ ମିଳିଲା, ତାହା କ୍ୱଚିତ୍‌ ଦେଖାଯାଇଥିଲା। ମୁଁ ଶନିବାର ସକାଳ ୭ଟା ପୂର୍ବରୁ ଦେଖିଲି ସବୁ ନ୍ୟୁଜ୍‌ ଚ୍ୟାନେଲ ତାଙ୍କ ପ୍ୟାନେଲ ଲିଷ୍ଟ ଧରି ପ୍ରସ୍ତୁତ ହୋଇ ରହିଛନ୍ତି ଏବଂ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ନିର୍ବାଚନର ଫଳାଫଳକୁ ଅପେକ୍ଷା କରିଛନ୍ତି। କିଛିବର୍ଷ ତଳେ ଇଣ୍ଡିଆ ଟୁଡେ ପତ୍ରିକାରେ ଭାରତ ସରକାର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଉପେକ୍ଷା କରୁଥିବା ନେଇ ସମ୍ପାଦକୀୟ ସ୍ତମ୍ଭରେ ପ୍ରକାଶ ପାଇଥିଲା। ଅଥଚ ସେହି ସଂଖ୍ୟାରେ ୮ଟି ରାଜ୍ୟରେ ହୋଇଥିବା ନିର୍ବାଚନ ସମ୍ପର୍କରେ ପ୍ରକାଶ ପାଇଥିବା ଲେଖା ଓ ରିପୋର୍ଟରେ ଉତ୍ତରଭାରତର ୫ଟି ରାଜ୍ୟକୁ ଗୁରୁତ୍ୱ ଦିଆଯାଇ ଉତ୍ତର-ପୂର୍ବାଞ୍ଚଳର ୩ଟି ରାଜ୍ୟକୁ ଉପେକ୍ଷା କରାଯାଇଥିଲା। ଏବେ ସେହି ମନୋଭାବ ବଦଳିବାର ଦେଖାଯାଉଛି, ଯାହା ଏକ ଭଲ ଲକ୍ଷଣ। ନିର୍ବାଚନର ଫଳାଫଳ ଅତ୍ୟନ୍ତ ଚିତ୍ତାକର୍ଷକ, ବିଶେଷତଃ ତ୍ରିପୁରାର। ଭାରତ ହେଉଛି ବିଶ୍ୱର ଶେଷ ବୃହତ୍‌ ଗଣତାନ୍ତ୍ରିକ ଦେଶ, ଯେଉଁଠି ବାମପନ୍ଥୀ ଦଳଗୁଡ଼ିକ କ୍ଷୟଶୀଳ ହେଲେହେଁ ଏବେ ବି ସକ୍ରିୟ ଅଛନ୍ତି। ତେବେ ମୁଁ ବର୍ତ୍ତମାନ କଂଗ୍ରେସ ଉପରେ ମୁଖ୍ୟତଃ ଆଲୋଚନା କରୁଛି। ରାଜସ୍ଥାନରେ କେତେକ ଉପନିର୍ବାଚନରେ ଜିତିବା ପରେ କଂଗ୍ରେସ ନେତା ସଚିନ ପାଇଲଟ କହିଥିଲେ- କୌଣସି ରାଜ୍ୟରେ ନିର୍ବାଚନ ଜିତିବାକୁ ହେଲେ ଆମକୁ ସେ ରାଜ୍ୟର ପୌର ନିର୍ବାଚନ ଓ ଓ୍ବାର୍ଡ ନିର୍ବାଚନ ଜିତିବାକୁ ହେବ। ଏହା ଦଳର ତୃଣମୂଳ ସ୍ତରକୁ ମଜଭୁତ କରିବ। ତା’ପରେ ବିଭିନ୍ନ ରାଜ୍ୟ ଓ ଶେଷରେ ଦିଲ୍ଲୀରେ ଶାସନ ଗାଦି ଅକ୍ତିଆର କରିହେବ। ବର୍ତ୍ତମାନ ଅଧିକାଂଶ ରାଜ୍ୟରେ କଂଗ୍ରେସ କ୍ଷମତାଚ୍ୟୁତ ହୋଇପଡ଼ିଛି, ଯାହା ଇତିହାସରେ କେବେ ଘଟି ନ ଥିଲା। ସମ୍ଭବତଃ ଚଳିତବର୍ଷ ଆଗାମୀ ଦିନରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ନିର୍ବାଚନ ହେବା ପରେ ସେଥିରେ ପରିବର୍ତ୍ତନ ଆସିପାରେ। ୨୦୧୯ ପୂର୍ବରୁ ହେବାକୁ ଥିବା ନିର୍ବାଚନଗୁଡ଼ିକରେ ଜିତିବା ରାହୁଲ ଗାନ୍ଧୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କ୍ଷମତାରେ ରହିଲେ ହିଁ କୌଣସି ଦଳ ନିଜ ଆଦର୍ଶର ପରିପାଳନ କରି କାର୍ଯ୍ୟସୂଚୀ ସ୍ଥିର କରିପାରିବ। ଉଦାହରଣସ୍ବରୂପ ଭାଜପା ହରିୟାଣା ଓ ମହାରାଷ୍ଟ୍ରରେ ଗୋମାଂସ ଓ ଗୋହତ୍ୟା ନିଷେଧ କରି ପରେ ଏହାକୁ ଜାତୀୟ ପ୍ରସଙ୍ଗ କରିପାରିବ। ପୁଣି କ୍ଷମତାରେ ରହିଲେ ହିଁ ରାଜନେତାମାନେ ନିଜ ନିର୍ବାଚନମଣ୍ଡଳୀଗୁଡ଼ିକରେ ଜନସାଧାରଣଙ୍କର ସେବା କରିବାର ସୁଯୋଗ ପାଇବେ ଓ ସେମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିପାରିବେ। ...

ପଦବୀର ପଦଚିହ୍ନ

ପଦବୀର ପଦଚିହ୍ନ

ଚିତ୍ର ଚରିତ୍ର-ନିରଞ୍ଜନ ପାଢ଼ୀ/ ‘ସମୟ ବଡ଼ ବଳବାନ’ ବୋଲି ଯେଉଁ ଆପ୍ତବାଣୀଟି କେଉଁ କାଳରୁ ଆମ ଜନମାନସରେ କୁହାହୋଇ ଆସୁଛି ତାହା ଚିରନ୍ତନ ଭାବେ କେତେ ଶକ୍ତିଶାଳୀ, ଏ କଥା ବୁଝାଇ କହିବା ଲୋଡାପଡିବ ନାହିଁ। ଏହି ସମୟ ଦିନେ ଗାଈଆଳ କପିଳାକୁ ଗଜପତି କପିଳେନ୍ଦ୍ର ଦେବରେ ରୂପାନ୍ତରିତ କରିଥିଲା ତ ପୁଣି ମହାମହିମ ମୋଗଲ ସମ୍ରାଟ ସାହଜାହାନଙ୍କୁ କାରାଗାରର କାଳକକ୍ଷରେ କାକୁସ୍ଥ ଜୀବନ ଜିଇବାକୁ ବିବଶ କରିଥିଲା। ସମୟର ପ୍ରଖର ପ୍ରବାହ ମଧ୍ୟରେ ଭାସି ଆସି କେଉଁଠି ଷ୍ଟେଶନରେ ଚା ବିକୁଥିବା ବାଳକଟିଏ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲା ତ ଅନ୍ୟ କେଉଁଠି ଶହ ଶହ ଲୋକଙ୍କ ମୁଣ୍ଡ କାଟିଥିବା କ୍ଷମତାମତ୍ତ ଶାସକ ଜଣେ ନିଜ ମୁଣ୍ଡ ବଞ୍ଚାଇବା ପାଇଁ ମାସ ମାସ ଧରି ବିକଳ ଭାବରେ ମାଟିତଳ ବଙ୍କର ଭିତରେ ଲୁଚି ରହିଥିଲା। ପୁରାଣଠାରୁ ଇତିହାସ ଯାଏ, ପୁଣି ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମୟର ବୈଚିତ୍ର୍ୟମୟ ପ୍ରଭାବ ଓ ପ୍ରତିଷ୍ଠାକୁ ନିରିଖେଇ ଲକ୍ଷ୍ୟ କଲେ ଏ କଥା ସ୍ପଷ୍ଟ ରୂପେ ଜାଣିହେବ ଯେ କେଡେ ଅନିଶ୍ଚିତ ମଣିଷର ଭାଗ୍ୟ। କେତେ ପୁଣି ଅଳୀକ, ଅନିତ୍ୟ ତା’ର ଧନ, ମାନ, ଯଶ ଓ କ୍ଷମତା। ଅଥଚ ବିଡମ୍ବନାର ବିଷୟ, ଜୀବନ କେବଳ ବର୍ତ୍ତମାନରେ ପରିପୂର୍ଣ୍ଣ ବୋଲି ବିଚାରୁଥିବା ଲୋକେ ସମୟର ଏହି ଅପରିମିତ ଶକ୍ତିକୁ ଅସ୍ବୀକାର କରନ୍ତି। ଉଜ୍ଜ୍ୱଳ ବର୍ତ୍ତମାନର ଅନ୍ତରାଳରେ ଅନ୍ଧକାରର କଳାଛାୟାଟିଏ ଭବିଷ୍ୟତ ରୂପରେ ମୁଣ୍ଡ ଟେକୁଛି, ଏ କଥା ଦେଖିପାରନ୍ତି ନାହିଁ। ପରିଣାମ ହୁଏ ଅତ୍ୟନ୍ତ ପ୍ରତ୍ୟାଶିତ। ବର୍ତ୍ତମାନ ଅତୀତ ହୋଇଯାଏ। ଭୟଙ୍କର ଭୂତଟିଏ ହୋଇ ଭବିଷ୍ୟତ ଉଭା ହୁଏ ବର୍ତ୍ତମାନ ରୂପରେ ଓ ମହାକାଳର ପ୍ରବାହକୁ ଅବଜ୍ଞା କରିଥିବା ଲୋକଟି ଉପରେ ନିର୍ମମ ପ୍ରତିଶୋଧ ନିଏ। ଏଇ ଯେମିତି ବିଭିନ୍ନ ବୃତ୍ତିରେ ନିୟୋଜିତ ଥିବା ଆମ ପଦବୀଧାରୀଙ୍କ କଥା।...

ବ୍ୟାଙ୍କିଙ୍ଗ୍‌ ବିଶାରଦ

ବ୍ୟାଙ୍କିଙ୍ଗ୍‌ ବିଶାରଦ

ବ୍ୟକ୍ତିତ୍ୱ-ଜିତେନ୍ଦ୍ର/ ଭାରତୀୟ ବ୍ୟାଙ୍କଗୁଡ଼ିକ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର କର୍ତ୍ତୃତ୍ୱ ରହୁ ନ ଥିବାରୁ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ଠକେଇ ଭଳି ଘଟଣା ଘଟିଲା ବୋଲି କୁହାଯାଉଛି। ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁଦୃଢ଼ ନ ହେଲେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିବା ସ୍ବାଭାବିକ। ବିଶ୍ୱର ଅନେକ ରାଷ୍ଟ୍ରରେ ଆର୍ଥିକ କ୍ଷେତ୍ରରେ ମାନ୍ଦାବସ୍ଥା ଲାଗି ରହିଛି। ଏପରି କି ଆମେରିକାର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଅସ୍ବାଭାବିକତା ଲକ୍ଷ୍ୟ କରାଯାଇଛି। ସେଠାରେ ମୁଦ୍ରାସ୍ଫୀତି ଊର୍ଦ୍ଧ୍ୱମୁଖୀ ହେବା ସହ ବଜାର ଅସ୍ଥିର ରହିଛି। ଏଭଳି ସ୍ଥିତିକୁ ସଜାଡ଼ିବା ସକାଶେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେଡେରାଲ ରିଜର୍ଭ ସିଷ୍ଟମରେ ପରିବର୍ତ୍ତନ ଆଣିବାକୁ ଯାଇ ଜେରୋମ ପାଓ୍ବେଲକୁ ନିଯୁକ୍ତ କରିଛନ୍ତି। ୨୦୧୮ ଫେବୃୟାରୀରେ ସେ ଫେଡେରାଲ ରିଜର୍ଭର ୧୬ତମ ଅଧ୍ୟକ୍ଷ ଭାବେ ଅବସ୍ଥାପିତ ହେବା ପରେ କେତେକ କ୍ଷେତ୍ରରେ ସଂସ୍କାର ଆସିଥିବା ଲକ୍ଷ୍ୟ କରାଯାଇଛି। ଆମେରିକା ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକୁ ପାଓ୍ବେଲ କିଭଳି ସାମ୍ନା କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଫଳରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି। ଜେରୋମ ହେଡେନ୍‌ ପାଓ୍ବେଲ ୧୯୫୩ ଫେବୃୟାରୀ ୪ରେ ଓ୍ବାଶିଂଟନ ଡି.ସି.ଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୧ରେ ଜର୍ଜଟାଉନ୍‌ ପ୍ରିପାରେଟୋରୀ ସ୍କୁଲରୁ ପଢ଼ା ଶେଷ ପରେ ୧୯୭୫ରେ ସେ ପ୍ରିନ୍ସଟନ୍‌ ବିଶ୍ୱବିଦ୍ୟାଳୟରୁ ରାଜନୀତିରେ ବି.ଏ. ଡିଗ୍ରୀ ହାସଲ କରିଥିଲେ। ୧୯୭୫-୭୬ରେ ସେ ତତ୍‌କାଳୀନ ପେନ୍‌ସିଲଭାନିଆ ସିନେଟର ରିଚାର୍ଡ ସ୍କ୍ବିକରଙ୍କ ଲେଜିସ୍‌ଲେଟିଭ୍‌ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରି ଅଭିଜ୍ଞତା ଲାଭ କରିଥିଲେ। ତେବେ ଆଇନ ବିଷୟ ପ୍ରତି ତାଙ୍କ ଆଗ୍ରହ ବଢ଼ିବାରୁ ସେ ୧୯୭୯ରେ ଜର୍ଜଟାଉନ୍‌ ୟୁନିଭର୍ସିଟିରୁ ଜୁରିସ୍‌ ଡକ୍ଟର ଡିଗ୍ରୀ ଅର୍ଜନ କଲେ। ଏପରି କି ସେ ଜର୍ଜଟାଉନ୍‌ ଲ’ ଜର୍ନାଲର ମୁଖ୍ୟ ସମ୍ପାଦକ ହୋଇପାରିଥିଲେ। ଅର୍ଥ ଉପାର୍ଜନ କରିବା ଲାଗି ମନ ବଳାଇବାରୁ ତାଙ୍କୁ ନ୍ୟୁୟର୍କ ଯିବାକୁ ପଡ଼ିଥିଲା। ୟୁନାଇଟେଡ୍‌ ଷ୍ଟେଟସ୍‌ କୋର୍ଟ ଅଫ୍‌ ଅପିଲ୍‌ର ବିଚାରପତି ଇଲ୍‌ସଓ୍ବେର୍ଥ ଭାନ୍‌ ଗ୍ରାଫେଲାଣ୍ଡ୍‌ଙ୍କ ନିକଟରେ ପାଓ୍ବେଲ କିରାଣି ଭାବେ କାର୍ଯ୍ୟ କରିଥିଲେ। ଏହା ପରେ ୧୯୮୧ରୁ ୧୯୮୩ ଯାଏ ସେ ଓକିଲ ହୋଇଥିଲେ ଏବଂ ୧୯୮୩ରୁ ୧୯୮୪ ପର୍ଯ୍ୟନ୍ତ ଓ୍ବେରବେଲ୍‌ ଆଣ୍ଡ୍‌ ମ୍ୟାକ୍‌ମିଲେନ୍‌ ଫାର୍ମରେ ଯୋଗଦେଇ ଆଇନ ପାଠର ପ୍ରୟୋଗାତ୍ମକ ଦିଗ ଉପରେ ଗୁରୁତ୍ୱ ଦେଇଥିଲେ। ଯେଉଁଥିରେ କାର୍ଯ୍ୟ କରିବାକୁ ପାଓ୍ବେଲ ଇଚ୍ଛା କରିଛନ୍ତି ସେଥିରେ କିଭଳି ଉତ୍କର୍ଷ ପ୍ରତିପାଦନ କରିପାରିବେ ସେହି ଦିଗରେ ଧାଇଁଥାନ୍ତି। ୧୯୮୪ରେ ସେ ଆର୍ଥିକ ଓ ବ୍ୟାଙ୍କିଙ୍ଗ ଜଗତ ଆଡ଼କୁ ଯିବାକୁ ନିଜକୁ ପ୍ରସ୍ତୁତ କରିଥିଲେ। ୧୯୮୪ରୁ ୧୯୯୦ ଯାଏ ସେ ଏକ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ ଡିଲନ୍‌, ରିଡ୍‌ ଆଣ୍ଡ୍‌ କମ୍ପାନୀରେ ଯୋଗଦେଇଥିଲେ। ସେଥିରେ ସେ ଫାଇନାନ୍ସିଂ, ମର୍ଚ୍ଚେଣ୍ଟ ବ୍ୟାଙ୍କିଙ୍ଗ୍‌, ମିଶ୍ରଣ ଓ ଅଧିଗ୍ରହଣ ଆଦି କ୍ଷେତ୍ରରେ ନିଜର ଲକ୍ଷ୍ୟ ସ୍ଥିର କରି ଭାଇସ୍‌ ପ୍ରେସିଡେଣ୍ଟ ସ୍ତରକୁ ଉନ୍ନୀତ ହୋଇଥିଲେ। ନିଜ କାର୍ଯ୍ୟ ସୁଚାରୁରୂପେ ତୁଲାଇବା ସହ ଦକ୍ଷତା ପ୍ରତିପାଦନ କରିପାରିବାରୁ ଆମେରିକାର ଟ୍ରେଜେରି ବିଭାଗରେ ତାଙ୍କୁ ନିଯୁକ୍ତି ମିଳିଥିଲା। ୧୯୯୨ରେ ଜର୍ଜ ଡବ୍ଲ୍ୟୁ ବୁଶ୍‌ଙ୍କ ଶାସନ କାଳରେ ପାଓ୍ବେଲ ଟ୍ରେଜେରି ଫର୍‌ ଡୋମେଷ୍ଟିକ୍‌ ଫାଇନାନ୍ସରେ ଅଣ୍ଡର ସେକ୍ରେଟାରୀ ହୋଇଥିଲେ। ସେହି ସମୟରେ ସେ ବହୁ ବିବାଦୀୟ ଅର୍ଥ କାରବାର ତଦନ୍ତ କାର୍ଯ୍ୟର ତଦାରଖ କରି ଆର୍ଥିକ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ...

ଏଇ ଭାରତରେ

ପରିବାରରେ ସ୍ବାମୀ-ସ୍ତ୍ରୀ ଝଗଡା ଏକ ମାମୁଲି କଥା। ସବୁ ଘରେ ଏଭଳି କଳିଗୋଳ ରହିଛି। କେତେକ ଏଥିପାଇଁ କୌତୂହଳରେ କହିଥାଆନ୍ତି, ସ୍ବାମୀ-ସ୍ତ୍ରୀ ଭିତରେ ଛୋଟମୋଟ ଝଗଡା ଯଦି ନାହିଁ ସେ କି ଘର। କିନ୍ତୁ ଦେଖାଯାଇଛି ଯେ, ଏମିତି ଛୋଟଛୋଟ କଥା କଟାକଟି ବେଳେବେଳେ ଉଗ୍ରରୂପ ନିଏ, ଏପରି କି ଛାଡପତ୍ର ପର୍ଯ୍ୟନ୍ତ କଥା ଯାଏ। ବମ୍ବେର ସାନ୍ତାକ୍ରୁଜ ଅଞ୍ଚଳରେ ରହୁଥିବା ଏକ ଦମ୍ପତିଙ୍କ ମଧ୍ୟରେ ଅଜବ ପ୍ରକାରର ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି। ଏପରି କି ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବା ସକାଶେ ଅଦାଲତରେ ଏମିତି ଏକ ଅଭିଯୋଗ ଆଣିଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ସ୍ବାମୀଙ୍କର ଅଭିଯୋଗ- ତାଙ୍କ ସ୍ତ୍ରୀ ସକାଳେ ଡେରିରେ ଉଠୁଛନ୍ତି। ତାଙ୍କୁ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଦେଉନାହାନ୍ତି। ବମ୍ବେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ଉପସ୍ଥିତ ବିଚାରପତି ଓ ଅନ୍ୟ ଆଇନଜୀବୀମାନେ କେବଳ ଆଶ୍ଚର୍ଯ୍ୟ ହୋଇ ନ ଥିଲେ, ପ୍ରଥମ କରି ଏଭଳି ଅଭିଯୋଗ ଅଦାଲତକୁ ଆସିଥିବାରୁ ହାସ୍ୟରୋଳ ମଧ୍ୟ ସୃଷ୍ଟି ହୋଇଥିଲା। ବିଚାରପତି କେ.କେ. ତାତେଡ୍‌ ଏବଂ ସାରଙ୍ଗ କୋଟଓ୍ବାଲଙ୍କୁ ନେଇ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ତାହାକୁ ଖାରଜ କରିଦେଇଛନ୍ତି। ଏହା ପୂର୍ବରୁ ସ୍ବାମୀ ଜଣକ ଏ ନେଇ ପରିବାର ଅଦାଲତରେ ମାମଲା କରିଥିଲେ। ତାହା ଖାରଜ ହୋଇଯିବାରୁ ସ୍ବାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ପରିବାର ଅଦାଲତଙ୍କ ରାୟ କାଏମ୍‌ ରଖିଛନ୍ତି। ଖଣ୍ଡପୀଠ ଦର୍ଶାଇଛନ୍ତି ଯେ, ଏହା କୌଣସି ନିର୍ଯାତନା ପର୍ଯ୍ୟାୟଭୁକ୍ତ ନୁହେଁ, ତେଣୁ ମାମଲା ଖାରଜ କରିଦିଆଯାଉଛି। ଅବଶ୍ୟ ପୂର୍ବରୁ ଖଣ୍ଡପୀଠ ଏହି ଅଭିଯୋଗ ଉପରେ ପର୍ଯ୍ୟବେକ୍ଷଣ କରି ଜାଣିପାରିଥିଲେ ଯେ, ସ୍ତ୍ରୀ ଜଣକ ଘରର ଯାବତୀୟ କାର୍ଯ୍ୟ କରିବା ସହ ବଜାର ଯାଇ ଘର ପାଇଁ ଆବଶ୍ୟକ ସାମଗ୍ରୀ ମଧ୍ୟ କିଣିଆଣନ୍ତି। ସ୍ବାମୀଙ୍କର ଆଳସ୍ୟ ଓ ଅୟସ ଏଭଳି ଅଭିଯୋଗର କାରଣ ବୋଲି ଜାଣି ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି।

ଆଣ୍ଟିବାୟୋଟିକ୍ସ ଓ ମିଥେନ୍‌

ଆଣ୍ଟିବାୟୋଟିକ୍ସ ଓ ମିଥେନ୍‌

ପରିବେଶ ପରିଚିନ୍ତା-ମାନେକା ଗାନ୍ଧୀ/ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପାଇଁ ଅଧିକାଂଶ ସମୟରେ ଅଙ୍ଗାରକାମ୍ଳ ଗ୍ୟାସ୍‌କୁ ଦୋଷ ଦିଆଯାଏ। କିନ୍ତୁ ଏଥିପାଇଁ ଦାୟୀ ଆଉ ଏକ ମାରାତ୍ମକ ଗ୍ୟାସ୍‌ ହେଉଛି ମିଥେନ୍‌ ଯାହା ବିଷୟରେ ବେଶି ଚର୍ଚ୍ଚା କରାଯାଏ ନାହିଁ। ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆନ୍ତଃ-ସରକାରୀ ପ୍ୟାନେଲର ଆକଳନ ଅନୁସାରେ ସମୁଦାୟ ସବୁଜଗୃହ ବାଷ୍ପ ନିର୍ଗମନରେ ମିଥେନ୍‌ର ଭାଗ ହେଉଛି ପ୍ରାୟ ୧୬ ପ୍ରତିଶତ। ତୁଳନାତ୍ମକ ଭାବେ ଏହାର ଭାଗ କମ୍‌ ଥିଲେ ହେଁ ଏହା ଜଳବାୟୁ ପରିବର୍ତ୍ତନ ପାଇଁ ଅଧିକ ମାରାତ୍ମକ। ମିଥେନ୍‌ ଏକ ସୁପର-ଇନ୍‌ସୁଲେଟିଂ ଗ୍ୟାସ୍‌ ହୋଇଥିବାରୁ ପୃଥିବୀର ଜଳବାୟୁକୁ ଉତ୍ତପ୍ତ ରଖିବାରେ ଏହା ଅଙ୍ଗାରକାମ୍ଳଠାରୁ ଅଧିକ ସାହାଯ୍ୟ କରେ। ସୂର୍ଯ୍ୟଙ୍କର ତେଜସ୍କ୍ରିୟ ଶକ୍ତି ଓ ଉତ୍ତାପକୁ ଧରି ରଖିବାରେ ଏହାର କ୍ଷମତା ଅଙ୍ଗାରକାମ୍ଳଠାରୁ ଅଧିକ। ବୈଜ୍ଞାନିକମାନଙ୍କ ଆକଳନ ଅନୁସାରେ ଅଙ୍ଗାରକାମ୍ଳଠାରୁ ବାୟୁମଣ୍ଡଳକୁ ଉତ୍ତପ୍ତ କରିବାରେ ଏହା ୨୮ ଗୁଣ ଦକ୍ଷ। ...

ମଣିଷର ମୁହଁ

ମଣିଷର ମୁହଁ

ଡ. ସୁବାସ ଚନ୍ଦ୍ର ପାତ୍ର/ ମଣିଷର ମୁଖମଣ୍ଡଳ ଶରୀରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ଭଗବାନ ଓ ପ୍ରକୃତି ବି ମଣିଷର ମୁଖ ପ୍ରତି ବେଶ୍‌ ଯତ୍ନବାନ ଏବଂ ଅନ୍ୟ ଅଙ୍ଗଠାରୁ ଏହାକୁ ଅଧିକ ସକ୍ରିୟ ଓ ସତେଜ ରଖିବା ପାଇଁ ଦେହର ଅନ୍ୟ ଅଙ୍ଗ ଅପେକ୍ଷା ଏଠି ଥାଏ ବହୁଗୁଣ ଅଧିକ ରକ୍ତବାହୀ ଶିରାପ୍ରଶିରା। ସୁନ୍ଦର ଫୁଲ ଶୀଘ୍ର ଝରିପଡିଲା ପରି ବୟସ ମଣିଷର ମୁହଁ ଓ ବେକ ଉପରେ ଆଗେ ଆକ୍ରମଣ କରେ। ବେକର ପ୍ରସ୍ଫୁଟିତ ଶିରାପ୍ରଶିରାକୁ ଢାଙ୍କିବାକୁ ମଣିଷ ପିନ୍ଧେ କିଛି ବିଶେଷ ଆଚ୍ଛାଦନ, ଯାହା ଆମେ ଚିତ୍ରତାରକା ଦେବାନନ୍ଦ ଓ ଅମିତାଭ ବଚ୍ଚନଙ୍କୁ ବୟସର ଅପରାହ୍ଣରେ ପିନ୍ଧିବାର ଦେଖୁ। ମୁହଁଟିକୁ କିନ୍ତୁ ସେ ଢାଙ୍କି ପାରେନି। ବୟସ ଓ ସମୟ ସହିତ ଲଢ଼ିବା ପାଇଁ ସେ କିଛି ପେସାଦାର ଲୋକଙ୍କ ସାହାଯ୍ୟ ଲୋଡ଼େ। ସେହି କ୍ରମରେ ପ୍ରସାଧନ ସାମ୍ରାଜ୍ୟର ବିସ୍ତାର। କୋଟିକୋଟି ଲୋକ ଏଥିରେ ଉପତ୍ାଦକ ଓ ଗ୍ରାହକ ହିସାବରେ ଜଡ଼ିତ। ଏହା ଏବେ ଏକ ଶିଳ୍ପ। ନିଯୁକ୍ତି ଓ ଆତ୍ମନିଯୁକ୍ତି ପାଇଁ ଏହା ଏବେ ଏକ ପ୍ରମୁଖ କ୍ଷେତ୍ର। ଯୋଗଗୁରୁମାନେ ମଧ୍ୟ ଏଥିରୁ ବାଦ୍‌ ପଡୁନାହାନ୍ତି। ଆଗରୁ ସେମାନେ କହୁଥିଲେ, ‘ଯୋଗ ଭଗାଏ ରୋଗ, ବୟସ’। ଏବେ ଯୋଗ ସହିତ ସ୍ବଉପତ୍ାଦିତ ପ୍ରସାଧନ ସାମଗ୍ରୀକୁ ଯୋଡ଼ିଲେଣି। ବୋଧହୁଏ ସେମାନେ ଅନୁଭବ କଲେଣି ଖାଲି ଯୋଗ ରୋଗ ଓ ବୟସ ସହିତ ଲଢ଼ିବା ପାଇଁ ଏବଂ ସୌନ୍ଦର୍ଯ୍ୟର ବିକାଶ ଲାଗି ଯଥେଷ୍ଟ ନୁହେଁ। ଏଥି ସହିତ ପ୍ରସାଧନ ବି ଦରକାର। ଯାହାହେଉ ବେପାର ବଢ଼ି ଚାଲିଛି। ଅବଶ୍ୟ ଶିକ୍ଷିତ ଯୁବକ ଯୁବତୀ ‘ପକୁଡ଼ି’ ବିିକିବା ଅପେକ୍ଷା ପ୍ରସାଧନ ସାମଗ୍ରୀ ବିକ୍ରି କରିବାଟାକୁ ଅଧିକ ମର୍ଯ୍ୟାଦାପୂର୍ଣ୍ଣ ‘ନିଯୁକ୍ତି’ ବୋଲି ବିଚାର କରୁଛନ୍ତି। ବୟସକୁ ପରାସ୍ତ କରି ମୁଖମଣ୍ଡଳକୁ ସତେଜ ରଖିବା, ଶରୀରକୁ ‘ଉପହାରଯୋଗ୍ୟ’ କରିବାର ଚେଷ୍ଟା ଏକ ଅପରାଧ ନୁହେଁ। ଅନେକ ବୃତ୍ତି ଅଛି ଯେଉଁଠି ମଣିଷର ଶରୀର, ବିଶେଷତଃ ମୁହଁ ତା’ର ସମ୍ପତ୍ତି ଓ ପେଟପାଟଣାର ଉତ୍ସ। ଅଭିନେତା, ଚିତ୍ରତାରକା, ବିଭିନ୍ନ କାର୍ଯ୍ୟକ୍ରମର ଉପସ୍ଥାପକ, ସଂଚାଳକମାନଙ୍କ ଚେହେରା ହିଁ ତାଙ୍କ ଚାକିରିର ବା ବୃତ୍ତିର ଉତ୍ସ। ମନେପଡ଼େ ବହୁତ ଦିନ ତଳର କଥା। ଦକ୍ଷିଣଭାରତୀୟ ଜଣେ ଚିତ୍ରତାରକା ବିମାନରୁ ଅବତରଣ କଲେ। ବିମାନ ପାଖରୁ ତାଙ୍କୁ ଅପେକ୍ଷାରତ ଗାଡ଼ି ପର୍ଯ୍ୟନ୍ତ ସେ ମୁଖମଣ୍ଡଳକୁ ଏକ ରୁମାଲରେ ଆଚ୍ଛାଦନ କରି ରଖିଥିଲେ। ଯେହେତୁ ସେ ବହୁତ ଲୋକପ୍ରିୟ, ଫଟୋସାମ୍ବାଦିକମାନେ ତାଙ୍କୁ ପରଦା ଉନ୍ମୋଚନ ପାଇଁ ଅନୁରୋଧ କଲେ। ଏପରି କି ଅନୁରୋଧ ଧସ୍ତାଧସ୍ତି ଆଡ଼କୁ ମୁହାଁଇଲା। ସୌଭାଗ୍ୟକ୍ରମେ ସେ ବର୍ତ୍ତିଗଲେ। ତହିଁ ପରଦିନ ସେ ‘ସମ୍ପାଦକଙ୍କୁ ପତ୍ର’ ଏକ ଖବରକାଗଜରେ ଲେଖିଲେ। ଅତି ଆବେଗ ଓ ନମ୍ରତାର ସହ ସେ ଉଲ୍ଲେଖ କରିଥିଲେ ଯେ ସେ ଅସୁସ୍ଥ। ଚିକିତ୍ସିତ ହୋଇ ବିଦେଶରୁ ଫେରିଲେ। ତାଙ୍କର ଚେହେରା, ତାଙ୍କ ମୁହଁ ଏବେ ଆଉ ‘ଉପହାରଯୋଗ୍ୟ’ ଅବସ୍ଥାରେ ନାହିଁ। ତାଙ୍କ ମୁଖମଣ୍ଡଳ ଯେହେତୁ ତାଙ୍କ ବୃତ୍ତିର ମୂଳପିଣ୍ଡ ଓ ପ୍ରଶଂସକମାନଙ୍କ ହୃତ୍‌ସ୍ପନ୍ଦନ, ସେ ସେହି ‘ମୁଖଚନ୍ଦ୍ର’ର ଅପରପାର୍ଶ୍ୱକୁ ଦେଖାଇବାକୁ ପ୍ରସ୍ତୁତ ନୁହନ୍ତି। ସେହି ପ୍ରଶଂସକ, ଫିଲ୍ମ ନିର୍ମାତାମାନେ ତାଙ୍କଠୁ ମୁହଁ ଫେରାଇନେବେ। ତେଣୁ କିଛିଦିନ ପାଇଁ ତାଙ୍କୁ ଆତ୍ମଗୋପନର ବିଳାସ ପ୍ରଦାନ କରାଯାଉ। ଏକ ନିର୍ଦ୍ଦିଷ୍ଟ ବୟସରେ ମଣିଷ ଦର୍ପଣ ସହିତ ବନ୍ଧୁତା ବାନ୍ଧେ। ବହୁ ବଡ଼ବଡ଼ ଲୋକ ବି ଅଯଥାରେ ଏହାର ଶିକାର ହୋଇଯାନ୍ତି, ଯେମିତି ମହାତ୍ମା ଗାନ୍ଧୀ। ଲଣ୍ଡନରେ ବାରିଷ୍ଟରି ପଢ଼ିବାକୁ ଯାଇଥିବାବେଳେ ଆଦ୍ୟ ଅବସ୍ଥାରେ ମସ୍ତକର କେଶ ବିଲକୁଲ ବହଳ ହୋଇ ନ ଥିବା ସତ୍ତ୍ୱେ ସେ ପାନିଆଧରି ବହୁସମୟ ଦର୍ପଣ ଆଗରେ କଟାଉଥିଲେ। ତେବେ ସେ ମହାପୁରୁଷ। ଭୁଲ ବୁଝିପାରିଥିଲେ। ଦର୍ପଣକୁ ପ୍ରତ୍ୟାଖ୍ୟାନ କରି ନିଜକୁ ତାଗିଦ କରି କହିଥିଲେ ଯେ ସେ ଲଣ୍ଡନକୁ ପାଠପଢ଼ିବାକୁ ଆସିଛନ୍ତି, ମୁଣ୍ଡ କୁଣ୍ଡାଇବାକୁ ନୁହେଁ! ଏବେ ପ୍ରସାଧନ କିନ୍ତୁ ଏକ ସାମାଜିକ ବ୍ୟାଧି, ଏକ ମହାମାରିରେ ପରିଣତ ହେଲାଣି। ଏହା ଅତିକ୍ରାନ୍ତ ବୟସ ସହ ଲଢ଼ିବାରେ ଅସ୍ତ୍ର ହୋଇ ରହିନାହିଁ। ବୟସ ଯେତେବେଳେ ତା’ ସପକ୍ଷରେ, ସେ ଯେତେବେଳେ ଯୌବନରେ ଉଦ୍‌ଭାସିତ, ଆଖିରେ ତା’ର ଦେବଶିଶୁର ଜ୍ୟୋତି, ଗାଲରେ ଗୋଲାପର କମନୀୟତା, ତଥାପି ସେ ଯାଉଛି ପ୍ରସାଧନକେନ୍ଦ୍ର କାରଣ ତାକୁ ଆହୁରି କମନୀୟ ହେବାକୁ ପଡ଼ିବ, ନ ହେଲେ ସେ ପ୍ରତିଯୋଗିତାରେ ହାରିଯିବ ବା ତା’ର ପଦ ବା ପାରିବାରିକ ବଂଶମର୍ଯ୍ୟାଦା କ୍ଷୁଣ୍ଣ ହେବ।...

ବିଷ ବଳୟରେ ହୋଲି

ବିଷ ବଳୟରେ ହୋଲି

ଅଜିତ୍‌ କୁମାର ଜେନା/ ରଙ୍ଗ ଉତ୍ସବ ‘ହୋଲି’ ହେଉଛି ହିନ୍ଦୁ ସମ୍ପ୍ରଦାୟର ଆନନ୍ଦ ଉଲ୍ଲାସର ଏକ ଅନନ୍ୟ ଗଣପର୍ବ। ସନାତନ ପରମ୍ପରାର ସବୁ ଉତ୍ସବ ମଧ୍ୟରେ ଏହା ସ୍ବତନ୍ତ୍ରତା ବହନ କରିବା ସହିତ ସାମ୍ୟବାଦର ପ୍ରଚାର କରେ। ମନେ ପକାଇଦିଏ ଈଶ୍ୱରଙ୍କ ସୃଷ୍ଟିରେ ସମସ୍ତେ ସମାନ। ନୈସର୍ଗିକ ସୃଷ୍ଟିରେ ଶାଶ୍ୱତ ଆନନ୍ଦକୁ ଖୋଜି ପାଇବାର ପର୍ବ ହେଉଛି ପବିତ୍ର ହୋଲି। ବସନ୍ତ ଋତୁରେ ଆନନ୍ଦର ମୁହୂର୍ତ୍ତ ହେଉଛି ରଙ୍ଗକୁ ନେଇ ହୋଲି ଖେଳ। ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଦୋଳଯାତ୍ରାର ଶେଷ ସମୟକୁ ହୋଲି ପଡ଼ିଥାଏ। ”ଦୋଳେଚ ଦୋଳ ଗୋବିନ୍ଦଂ ଚାପେ ଚ ମଧୁସୂଦନଂ ରଥେ ତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନ ବିଦ୍ୟତେ।“ ଅର୍ଥାତ୍‌ ଦୋଳରେ ବା ବିମାନରେ ଦୋଳଗୋବିନ୍ଦଙ୍କୁ, ଚାପରେ ମଧୁସୂଦନ ଶ୍ରୀହରିଙ୍କୁ ଓ ରଥରେ ବାମନରୂପୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ମନୁଷ୍ୟର ଆଉ ପୁନର୍ଜନ୍ମ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। ଫାଲ୍‌ଗୁନ ମାସ ଶୁକ୍ଲପକ୍ଷ ଦଶମୀ ତିଥି ଫଗୁ ଦଶମୀ ନାମରେ ଖ୍ୟାତ। ଏହି ଫଗୁଣର ମତୁଆଲା ମଳୟ ଆମକୁ ପହଞ୍ଚାଇଦିଏ ଉତ୍ତୁଙ୍ଗ ଶିଖରରେ। ଋତୁରାଜ ବସନ୍ତର ଆଗମନ ସମସ୍ତଙ୍କ ମନରେ ଭରିଦିଏ ଆନନ୍ଦ ଓ ଉଲ୍ଲାସ। ପ୍ରେମମୟ ମହାପ୍ରଭୁ ଶ୍ରୀକୃଷ୍ଣ ଓ ପ୍ରେମମୟୀ ରାଧାଙ୍କଠାରେ ସମର୍ପିତ ହୁଏ ଭକ୍ତିନୈବେଦ୍ୟ ଏବଂ ତା’ ସାଙ୍ଗକୁ ଲାଲ୍‌ ଅବିର। ଭାରତୀୟ ଧର୍ମଶାସ୍ତ୍ରମାନଙ୍କରେ ଏହି ଉତ୍ସବକୁ ସାମାଜିକ ଏକତା ଓ ସମରସତାର ପର୍ବ ରୂପେ ଚିତ୍ରିତ କରାଯାଇଛି। ଏହା ହେଉଛି ଏକମାତ୍ର ଉତ୍ସବ ଯାହା ହାସ୍ୟ, ବ୍ୟଙ୍ଗ, ଗାୟନ, ବାଦନ ଓ ମୌଜମସ୍ତିକୁ ଆଧାର କରି ପାଳିତ ହୋଇଥାଏ। ଫଗୁଦଶମୀଠାରୁ ଦୋଳ, ହୋଲି, ପଞ୍ଚଦୋଳ, ନବଦୋଳ, ଦଶଦୋଳ ଏପରି କି ଗାଁ ଗାଁରେ ମେଳଣ ଓ ସବୁଠି ହୋଲି ମହୋତ୍ସବ ଭରିଦିଏ ଭାଇଚାରାର ଅପୂର୍ବ ସମ୍ଭାର - ଯେଉଁଥିରେ ପ୍ରକାଶିତ ହୋଇଥାଏ ଉକତ୍ଳୀୟ ଓ ଭାରତୀୟ ସଂସ୍କୃତିର ସତ୍ୟ-ଶିବ-ସୁନ୍ଦରର ଗାଥା। ବୁହାଇ ଦିଏ ପ୍ରେମ ଓ ଫଲ୍‌ଗୁର ଧାରା। କିନ୍ତୁ ଏହି ବୈଦିକ ସଂସ୍କୃତି ଓ ପରମ୍ପରାକୁ ଆଜିର ଆଧୁନିକତା ଏତେ ମାତ୍ରାରେ ଗ୍ରାସ କଲାଣି ଯେ ପୁରୁଣା ସଂସ୍କୃତି ଅବକ୍ଷୟମୁଖୀ ହେଲାଣି। ସେଦିନର ଘଣ୍ଟ, ଘଣ୍ଟା, କାହାଳୀ, ବାଜା, ବାଣ ଓ ବିଭିନ୍ନ ଲୋକନୃତ୍ୟର ପଟୁଆରରେ ବାହାରୁଥିବା ପ୍ରଭୁ ଶ୍ରୀକୃଷ୍ଣ ଓ ପ୍ରାଣପ୍ରିୟା ରାଧାଙ୍କ ଶୋଭାଯାତ୍ରାକୁ ଦେଖି ସମସ୍ତେ ଭକ୍ତି ଓ ପ୍ରେମରେ ମସଗୁଲ୍‌ ହୋଇଉଠୁଥିଲେ। କି ସହର କି ଗାଁ ସବୁଠି ଭକ୍ତମାନେ ଆଧ୍ୟାମତ୍ିକତା ସହ ଉପଲବ୍ଧି କରୁଥିଲେ ମନୋରଞ୍ଜନର ମହକ। ପାରମ୍ପରିକ ରଙ୍ଗ, ଅବିର, ପିଚକାରିରେ ସମସ୍ତେ ହୋଇଉଠୁଥିଲେ ଭାବପ୍ରବଣ। କିନ୍ତୁ ସାମ୍ପ୍ରତିକ ସମାଜରେ ରଙ୍ଗ ଖେଳକୁ ଯେପରି ବିକୃତ କରାଗଲାଣି ତା’ର ସାମାଜିକ ପ୍ରାସଙ୍ଗିକତା ଦୁର୍ବଳ ହୋଇଥିବା ଲକ୍ଷ୍ୟ କରାଯାଉଛି। ବିଷାକ୍ତ ରାସାୟନିକ ଅବିର ସାଙ୍ଗକୁ ଅତ୍ୟାଧୁନିକ ପାଶ୍ଚାତ୍ୟ ସଂସ୍କୃତିରେ ଚାପି ହୋଇଯାଇଛି ଆମ ସଂସ୍କୃତି ଓ ପରମ୍ପରା। ଏକ ଅସ୍ବାସ୍ଥ୍ୟକର ପରିବେଶରେ ଅଣନିଃଶ୍ୱାସୀ ହେବାକୁ ପଡୁଛି। ଆଜିର ଦିନରେ ଆଉ ଫଗୁ ଅବିରର ଖେଳନାହିଁ କି ଘଣ୍ଟ ବା କାହାଳୀର ଶବ୍ଦ ନାହିଁ। ଏହାର ସ୍ଥାନ ନେଇଛି ବିଷାକ୍ତ ରଙ୍ଗ ସାଙ୍ଗକୁ ଅଶ୍ରାବ୍ୟ ପାଶ୍ଚାତ୍ୟ ସଙ୍ଗୀତର ସ୍ବର। ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି ଆଜିର ଏହି ହୋଲି। ଆନନ୍ଦର ପର୍ବ ହୋଲି ଆଜି ହୋଇଉଠିଛି ବିଷମୟ। ଆଉ ବାଣ୍ଟିପାରୁନି ସ୍ନେହଶ୍ରଦ୍ଧା ବରଂ ଅଜାଡ଼ି ଦେଉଛି ଅସୁମାରି ଦୁଃଖ ଆଉ ଯନ୍ତ୍ରଣା। ପୁରୁଣାକାଳିଆ ପରି ଆଜି ମିଳୁନି ହାତତିଆରି ରଙ୍ଗ, ବଜାରରେ ବିକ୍ରି ହେଉଥିବା ଏବଂ ଗ୍ରାହକମାନଙ୍କର ଆକର୍ଷଣ କେନ୍ଦ୍ରବିନ୍ଦୁ ସାଜିଥିବା ଲାଲ୍‌, ହଳଦିଆ, ସବୁଜ ଆଉ ନୀଳରଙ୍ଗର ବିଷାକ୍ତ ରାସାୟନିକ ରଙ୍ଗ ସମସ୍ତଙ୍କୁ ଟାଣି ନେଉଛି ବିପଦ ଆଡ଼କୁ। ଆମେ ଯଦି ସ୍ବାସ୍ଥ୍ୟଗତ ଦିଗକୁ ବିଚାର କରିବା ତାହା ନିଶ୍ଚିତ ଭାବେ ଏହା ଦୁଃଖର କାରଣ।...

ଏଇ ଭାରତରେ

ଘରେ ଶୌଚାଳୟଟିଏ ହୋଇ ପାରୁନାହିଁ ବୋଲି ଦୁଇଦିନ ଅନାହାରରେ ରହିଲେ ୧୩ ବର୍ଷୀୟା ଛାତ୍ରୀ ଜଣକ। ଶେଷରେ ସେ ତାଙ୍କର ଦୃଢ ଇଚ୍ଛାଶକ୍ତି ବଳରେ ସଫଳ ହେଲେ। ଗାଁ ପାଇଁ ମଉଡମଣି ହୋଇଗଲେ। ପ୍ରମାଣିତ କରିଦେଲେ ଯଦି ନିଷ୍ଠା ଅଛି ତେବେ ସଫଳତା ନିଶ୍ଚୟ ମିଳିବ। କର୍ନାଟକ ବଲାରୀ ଜିଲା ସିରଗୁପ୍ପା ତାଲୁକରେ ଅଛି ତାଲୁର ଗ୍ରାମ। ସେହି ଗାଁର ଝିଅ ଏଚ. ମହାଙ୍କାଲୀ। ପ୍ରତି ଘରେ ଶୌଚାଳୟ ନିହାତି ଜରୁରୀ ବୋଲି ସେ ଏକ ସଚେତନତା କାର୍ଯ୍ୟକ୍ରମକୁ ଯାଇ ଜାଣିଲେ। ଏହି କାର୍ଯ୍ୟକୁ ପଞ୍ଚାୟତ ପକ୍ଷରୁ ଆୟୋଜନ କରାଯାଇଥିଲା। ଘରେ ଆସି ଶୌଚାଳୟ ତିଆରି ପାଇଁ କହିଲେ। ଜାଣିବାକୁ ପାଇଲେ ଯେ ୨୦୧୫-୧୬ରୁ ତାଙ୍କ ପରିବାର ପାଇଁ ଶୌଚାଳୟ ମଞ୍ଜୁର ହୋଇଛି। କିନ୍ତୁ ପଞ୍ଚାୟତର ଅବହେଳା ପାଇଁ ହୋଇପାରୁନାହିଁ। ଏହି କଥା ଏହି କୋମଳମତି ବାଳିକାଟିକୁ କ୍ଷୁବ୍‌ଧ କରିଥିଲା। ଯେ ପର୍ଯ୍ୟନ୍ତ ଘରେ ଶୌଚାଳୟ ତିଆରି ହୋଇନାହିଁ ସେ ପର୍ଯ୍ୟନ୍ତ ସେ ଅନ୍ନଜଳ ଗ୍ରହଣ କରିବେ ନାହିଁ ବୋଲି ଜଣାଇଦେଲେ। ମାତାପିତା ଯେତେ ବୁଝାଇଲେ ଯେ, ଆଗକୁ ପରୀକ୍ଷା ଅଛି, ଦେହ ଖରାପ ହୋଇଯିବ, କିନ୍ତୁ ଝିଅ ଆଦୌ ବୁଝିଲା ନାହିଁ। ଏଭଳି ୨ ଦିନ ଅନାହାରରେ ରହିବା ପରେ କଥା ଯାଇ ପହଞ୍ଚିଲା ପଞ୍ଚାୟତରେ। ସରପଞ୍ଚ ବାବୁ ଗାଁକୁ ଆସି ଝିଅର ଅବସ୍ଥା ଦେଖି ଦୁଃଖିତ ହେବା ସହ ତୁରନ୍ତ ତାଙ୍କ ପରିବାର ସକାଶେ ଶୌଚାଳୟ ନିର୍ମାଣର ବନ୍ଦୋବସ୍ତ କରିଦେଲେ। କାମ ଆରମ୍ଭ ହେବା ପରେ ଯାଇ ଖାଦ୍ୟ ଗ୍ରହଣ କଲେ ମହାଙ୍କାଲୀ। ସାନ ଝିଅଟିର ଏଭଳି ଦୃଢତାକୁ ଗାଁ ଲୋକେ ପ୍ରଶଂସା କରିବା ସହ ତାଙ୍କୁ ଗାଁର ମଉଡମଣି ବୋଲି ଆଖ୍ୟା ଦେଇଛନ୍ତି।

ସମ୍ପାଦକୀୟ/ହ୍ବାଟ୍ସଆପ୍‌ରେ କପି

ସମ୍ପାଦକୀୟ/ହ୍ବାଟ୍ସଆପ୍‌ରେ କପି

ଫେବୃୟାରୀ ୨୩ରୁ ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ଓଡ଼ିଶା ମାଧ୍ୟମିକ ଶିକ୍ଷାବୋର୍ଡ ପରିଚାଳିତ ଏହି ପରୀକ୍ଷା ଛାତ୍ରୀଛାତ୍ରଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ସଫଳତା ପିଲାମାନଙ୍କୁ ଉଚ୍ଚ ଶିକ୍ଷାର ବାଟ ଦେଖାଇଥାଏ। ବିଗତ କିଛି ବର୍ଷ ହେବ ଦେଖିବାକୁ ମିଳୁଛି ଯେ, ଏହି ପରୀକ୍ଷା ବିଭ୍ରାଟମୁକ୍ତ ହୋଇପାରୁନାହିଁ। ପ୍ରଶ୍ନପତ୍ର ପ୍ରଘଟଠାରୁ ଆରମ୍ଭକରି ମୂଲ୍ୟାୟନରେ ତ୍ରୁଟି, ଫଳ ପ୍ରକାଶ ବେଳେ କୃତକାର୍ଯ୍ୟ ଘୋଷିତ ଛାତ୍ରୀଛାତ୍ର ମାର୍କଶିଟ୍‌ରେ ଫେଲ୍‌ ହୋଇଥିବା ଭଳି ଘଟଣା ପ୍ରତିବର୍ଷ ଦେଖିବାକୁ ମିଳୁଛି। ବୋର୍ଡର ପରୀକ୍ଷା ପରିଚାଳନାରେ ତ୍ରୁଟି ଏବଂ ଖାତା ଦେଖୁଥିବା ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କର ଖାମଖିଆଲିଭାବ ଏଭଳି ବିଭ୍ରାଟର କାରଣ ସାଜୁଛି। ଏକାଧିକ କଟକଣା, ତ୍ରିସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା ସତ୍ତ୍ୱେ କପିକୁ ରୋକିବା ସମ୍ଭବ ହେଉନାହିଁ। ଚଳିତ ବର୍ଷ ଏକ ନୂଆ ଧାରା ସୃଷ୍ଟି ହୋଇଛି। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ହ୍ବାଟ୍ସଆପ୍‌ ଜରିଆରେ ପ୍ରଶ୍ନପତ୍ର ପଦାକୁ ଆସିଯାଉଛି। ପ୍ରଥମଦିନ ମାତୃଭାଷା ପରୀକ୍ଷାରେ ଏହା ଘଟିବା ପରେ ଗଣଶିକ୍ଷା ବିଭାଗ ଏବଂ ବୋର୍ଡ କର୍ତ୍ତୃପକ୍ଷ ପରୀକ୍ଷା କେନ୍ଦ୍ରରେ ମୋବାଇଲ କଟକଣା ଜାରିକଲେ। କେବଳ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ବ୍ୟତୀତ ଶିକ୍ଷକ, ଛାତ୍ରୀଛାତ୍ର କେହି ପରୀକ୍ଷା ବେଳେ ମୋବାଇଲ ଫୋନ୍‌ ପାଖରେ ରଖିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଗଲା। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ପରୀକ୍ଷା କେନ୍ଦ୍ର ପରିସରକୁ ବାରଣ କରାଗଲା। ଆଦେଶର ଉଲ୍ଲଂଘନ ହେଲେ ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦିଆଯାଇଛି। ହେଲେ ସବୁ ଫସର ଫାଟିଲା। ଦ୍ୱିତୀୟଦିନ ଇଂଲିଶ ପରୀକ୍ଷା ବେଳେ ସମାନ ଢଙ୍ଗରେ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ବ୍ୟବସ୍ଥାରେ କେଉଁଠି ନା କେଉଁଠି ତ୍ରୁଟିକୁ ସାମ୍ନାକୁ ଆଣିଛି। ଆଲୋଚନା ହେଉଛି ମୋବାଇଲରେ ପ୍ରଶ୍ନପତ୍ର ଯାଉଛି କେମିତି। ପରୀକ୍ଷା ଆରମ୍ଭର କିଛି ସମୟ ପୂର୍ବରୁ ପ୍ରଶ୍ନପତ୍ର ସିଲ୍‌ ଖୋଲାଯିବାର ନିୟମ ରହିଛି। ତାହା ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ଖୋଲାଯାଇଥାଏ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ମୋବାଇଲ କଟକଣାକୁ କଡାକଡି କରିବାରେ ନିର୍ଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ରର ମୁଖ୍ୟ ସଫଳ ହୋଇ ନାହାନ୍ତି। ଅନ୍ୟ ଏକ ପ୍ରସଙ୍ଗ ହେଉଛି, ଯେଉଁ ବ୍ୟକ୍ତି ଏଭଳି ଜଘନ୍ୟ କାର୍ଯ୍ୟ କରୁଛନ୍ତି ସେ ଲକ୍ଷାଧିକ ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହ ଖେଳୁଛନ୍ତି। ...

ମହାନଦୀ ଟ୍ରିବ୍ୟୁନାଲ - ସୂତ୍ର ନା ସମାଧାନ

ମହାନଦୀ ଟ୍ରିବ୍ୟୁନାଲ - ସୂତ୍ର ନା ସମାଧାନ

ତତ୍ତ୍ୱ ଓ ତର୍କ-ବିମଳ ପ୍ରସାଦ ପାଣ୍ଡିଆ/ ଗତ ଫେବୃୟାରୀ ୨୦ ତାରିଖରେ କେନ୍ଦ୍ର କ୍ୟାବିନେଟ୍‌ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ମହାନଦୀ ଜଳ ବିବାଦର ସମାଧାନ ଲକ୍ଷ୍ୟରେ ଏକ ଟ୍ରିବ୍ୟୁନାଲ ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି। ମହାନଦୀ ଅବବାହିକାରେ କେତେ ପାଣି ରହିଛି, ବିଭିନ୍ନ ରାଜ୍ୟରେ ଥିବା ଅଞ୍ଚଳ ମହାନଦୀ ଅବବାହିକାକୁ କେତେ ପାଣି ଯୋଗାନ୍ତି, ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ଜଳ ବ୍ୟବହାରର ସ୍ଥିତି କ’ଣ ରହିଛି ଏବଂ ଭବିଷ୍ୟତରେ ଜଳ ବ୍ୟବହାରର କ’ଣ ସମ୍ଭାବନା ଅଛି ଆଦି ତଥ୍ୟ ଓ ପରିସ୍ଥିତିର ବିଚାର କରି ନଦୀ ଜଳରେ କେଉଁ ରାଜ୍ୟର କେତେ ଭାଗ ରହିବ ତାହା ନିର୍ଦ୍ଧାରଣ କରିବେ ଟ୍ରିବ୍ୟୁନାଲ। ଟ୍ରିବ୍ୟୁନାଲଟେ ଗଠନ ହୋଇଗଲେ ଯେ ନଦୀ ଜଳ ବିବାଦର ସମାଧାନ ହୋଇଯିବ, ଏହା କହିହେବ ନାହିଁ, କାରଣ ମହାନଦୀ ଜଳବିବାଦ ଅନ୍ୟ ସବୁ ନଦୀ ବିବାଦଠାରୁ ଭିନ୍ନ। ତେବେ ଟ୍ରିବ୍ୟୁନାଲରେ ବିଚାର ସମୟରେ ଅନେକ କିଛି ତଥ୍ୟ ପଦାକୁ ଆସିବ, ଯାହା ସରକାର ତଥା ସମ୍ପୃକ୍ତ ପକ୍ଷଗୁଡ଼ିକୁ ନିଷ୍ପତ୍ତି ନେବା ଲାଗି ରାସ୍ତା ଦେଖାଇବ।...

ନିର୍ବାଚନରେ ଭାବାବେଗର ଶିକାର

ନିର୍ବାଚନରେ ଭାବାବେଗର ଶିକାର

ବାବୁଲି କରନ/ ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଦିନେ ବାକି ଥିବା ବେଳେ ବିଜେଡି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ କୁତ୍ସାରଟନା କରି ଏକ ବାର୍ତ୍ତା (ଭଏସ୍‌ ମ୍ୟାସେଜ) ସୋସିଆଲ ମିଡିଆରେ ଘୂରି ବୁଲିଲା। ସେହିପରି ଫେବୃୟାରୀ ଦ୍ୱିତୀୟ ପକ୍ଷ ଆରମ୍ଭରେ ଯେତେବେଳେ ଉପନିର୍ବାଚନ ପ୍ରଚାର ଜୋର୍‌ ଧରୁଥଲା, ସେତେବେଳେ ଏକ ଭଏସ୍‌ ମେସେଜ୍‌ ସୋସିଆଲ ମିଡିଆରେ ଚହଳ ପକାଇଥିଲା। କୁନ୍ଦୁଲି ଘଟଣା ସମ୍ବନ୍ଧିତ ଉକ୍ତ ମେସେଜ୍‌ରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଶାସନକୁ ଆକ୍ଷେପ କରାଯାଇଥିଲେ ବି ମୁଖ୍ୟ ଟାର୍ଗେଟ୍‌ ଥିଲେ ପୋଲିସ୍‌ ମହାନିର୍ଦ୍ଦେଶକ। ନିର୍ବାଚନୀ ପ୍ରଚାରକୁ ସୋସିଆଲ ମିଡିଆ ଏବେ ଆଉ ଏକ ସ୍ତରକୁ ନେଇଯାଇଛି। ସବୁଠାରୁ ପ୍ରଭାବଶାଳୀ ଗଣମାଧ୍ୟମ ଭାବେ ଚେର ବିସ୍ତାର କରୁଥିବା ସୋସିଆଲ ମିଡିଆ ଲାଗି ଏବେ ବିଶ୍ୱର କୌଣସି କୋଣ ଅପହଞ୍ଚ ନୁହେଁ। ଯେଉଁଠି ସ୍ମାର୍ଟଫୋନ୍‌ ଅଛି, ଇଣ୍ଟରନେଟ୍‌ ଅଛି, ସେଠି ସୋସିଆଲ ମିଡିଆ କ୍ରିୟାଶୀଳ। ବିଶ୍ୱର ଦୁଇ ବୃହତ୍‌ ଗଣତନ୍ତ୍ର ଭାରତ ଓ ଆମେରିକାର ଶାସନ ଗାଦିରେ ବସିଥିବା ଦୁଇ ବ୍ୟକ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦି ଓ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ବାଚନ ଜିଣାରେ ସୋସିଆଲ ମିଡିଆର ଯୋଗଦାନ ସର୍ବଜନବିଦିତ। ହିଟ୍‌ ଆଣ୍ଡ ରନ୍‌ (ଆକ୍ରମଣ କରି ଧାଇଁ ପଳାଇବା, ଛପିଯିବା), ଏନନିମସ୍‌ ଆମ୍ବୁସ୍‌ (ଅଚିହ୍ନା ଅଜଣା ଅଦୃଶ୍ୟ ଭାବେ ଅତର୍କିତ ଆକ୍ରମଣ) ଶୈଳୀର ପ୍ରଚାର ଲାଗି ଏବେ ସୋସିଆଲ ମିଡିଆ ସବୁଠାରୁ ସହଜିଆ ଅଥଚ ମାରାତ୍ମକ ଆୟୁଧ ପାଲଟିଛି। ଇଣ୍ଟର୍‌ନ୍ୟାଶ୍‌ନାଲ କମ୍ୟୁନିକେଶନ ଜର୍ଣ୍ଣାଲ ‘ମିଡିଆ ୱାଚ୍‌’ରେ ପ୍ରକାଶିତ ଏକ ସନ୍ଦର୍ଭ ମୁତାବକ ଡୋନାଲ୍ଡ ଟ୍ରମ୍ପ୍‌ ରାଷ୍ଟ୍ରପତି ନିର୍ବାଚନରେ ଲମ୍ଫ ଦେବା ସମୟରୁ ହିଁ ଲୁକ୍କାୟିତ ଭାବେ ଏକ ସୋସିଆଲ ମିଡିଆ ଟିମ୍‌ ଗଠନ କରିଥିଲେ। ସେହି ଟିମ୍‌ର କାମ ଥିଲା ଯେତେ ସମ୍ଭବ ଅଧିକ ଭୋଟରଙ୍କ ସୋସିଆଲ ମିଡିଆ ଡାଟା ସଂଗ୍ରହ କରିବା। ସେଥିରୁ ସାଇକୋମେଟ୍ରିକ୍‌ ପ୍ରୋଫାଇଲ ପ୍ରସ୍ତୁତ କରି ତାହାକୁ ନେଇ ଏଭଳି ଆଲ୍‌ଗୋରିଦିମ୍‌ ତିଆରି କରିବା, ଯେଉଁଥିରୁ ଟାର୍ଗେଟ୍‌ ବ୍ୟକ୍ତିର ଗୋଷ୍ଠୀ, କ୍ଷେତ୍ରଭିତ୍ତିକ ମାନସିକତା, ଭାବାବେଗ, ରାଜନୈତିକ ଆଭିମୁଖ୍ୟ ଠଉରାଇହେବ। ଏହାପରେ ସେହି ସୋସିଆଲ ମିଡିଆକୁ ଅସ୍ତ୍ର କରି ସେମାନଙ୍କୁ ଖେଳାଇବା କଷ୍ଟକର ନୁହେଁ ବୋଲି ବେପାରୀ ଟ୍ରମ୍ପ୍‌ ଜାଣିଥିଲେ। ଆମେରିକା ଭଳି ବିକଶିତ ଓ ଶିକ୍ଷିତ ଦେଶରେ ବି ଭୋଟରଙ୍କୁ ଭୂତାଇ ନିର୍ବାଚନ ଜିତିବାରେ ଡୋନାଲ୍ଡ ଟ୍ରମ୍ପ୍‌ ସଫଳ ହେଲେ।...

ଏଇ ଭାରତରେ

ଦେଖାଯାଏ ହଜିଯାଇଥିବା ଜିନିଷକୁ କେତେକେ ପାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫେରାଇ ଦେଇଥାନ୍ତି। କିନ୍ତୁ ଲୋକଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରିବା ସକାଶେ ଅନବରତ ଲାଗିରହିଥିବା ବ୍ୟକ୍ତିଙ୍କୁ ଖୋଜିଲେ କ୍ୱଚିତ୍‌ ମିଳିବେ। ବମ୍ବେର ଅନ୍ଧେରି ଅଞ୍ଚଳରେ ୟାତିନ୍‌ ନାଏକ ନିଜକୁ ଏହି ସେବାରେ ନିୟୋଜିତ କରଛନ୍ତି। ଟ୍ରେନ୍‌ରେ ଯାଉଥିବା ବେଳେ ମନୋଜ ନାମକ ଜଣେ ଡାକ୍ତରଙ୍କ ଓ୍ବାଲେଟ୍‌ ବା ଟଙ୍କାମୁଣିଟି ହଜିଯାଇଥିଲା। ଅନ୍ଧେରି ଷ୍ଟେଶନରେ ଓହ୍ଲାଇବା ପରେ ସେ ଏହା ଜାଣିବାକୁ ପାଇଥିଲେ। ତେବେ ହଜିବାର କିଛିଘଣ୍ଟା ପରେ ତାଙ୍କ ପାଖକୁ ଏକ ଅଜଣା ଫୋନ୍‌ କଲ୍‌ ଆସିଲା। ଏହା ପରେ ସେହି ବ୍ୟକ୍ତି ମନୋଜଙ୍କୁ ଓ୍ବାଲେଟ୍‌ ସହ ସେଥିରେ ଥିବା ୯,୦୦୦ ଟଙ୍କା ଫେରାଇ ମଣିଷପଣିଆ ଦେଖାଇଲେ। ଡାକ୍ତର ଜଣକ ଜାଣିବାକୁ ପାଇଲେ ଯେ, ଦୀର୍ଘ ୧୦ ବର୍ଷ ହେବ ୟାତିନ୍‌ ନିଜ ପସନ୍ଦରେ ଏହି କାର୍ଯ୍ୟ ଦିନକୁ ୩ରୁ ୪ ଘଣ୍ଟା କରିଆସୁଛନ୍ତି। ଯେତେବେଳେ ସେ ୧୦ ବର୍ଷ ତଳେ ଅନ୍ଧେରି ଷ୍ଟେଶନରେ ଓହ୍ଲାଇଥିଲେ ଦେଖିବାକୁ ପାଇଥିଲେ ଯେ ପକେଟମାର କରାଯାଇଥିବା ଏକ ଓ୍ବାଲେଟ୍‌ ଖୋଲାପଡ଼ିଛି। ତାହାକୁ ଖୋଲି ଦେଖିଲା ବେଳକୁ ସେଥିରେ ଟଙ୍କା ନ ଥିଲା। ବାରମ୍ବାର ସେ ଏଭଳି ଦେଖିବା ପରେ ଚିନ୍ତା କରିଥିଲେ ହଜିଯାଇଥିବା ଲୋକଙ୍କୁ ସେମାନଙ୍କ ଜିନିଷ କିଭଳି ଫେରାଇବେ। ଓ୍ବାଲେଟ୍‌ରେ କେବଳ ଜଣଙ୍କର ଟଙ୍କା ନ ଥାଏ ବରଂ ଏଟିଏମ୍‌, ପରିଚୟପତ୍ର ଓ ଅନେକ ସ୍ମୃତି ଜଡ଼ିତ ଥାଏ। ପକେଟ୍‌ମାର କରୁଥିବା ଲୋକ ଏଥିପ୍ରତି ଧ୍ୟାନ ନ ଦେଇ କେବଳ ପଇସା ନେଇ ତାହାକୁ ଫୋପାଡ଼ି ଦେଇଥାଏ। ତେଣୁ ୫୩ ବର୍ଷିୀୟ ୟାତିନ୍‌ ଏଭଳି ସେବା ଯୋଗାଇ ଆସୁଥିବା କହିଛନ୍ତି। ତେବେ ନିଜ ଗୁଜରାଣ ମେଣ୍ଟାଇବା ଲାଗି ରାଜ୍ୟରେ ଥିବା ଚିନି କଳ ପାଇଁ ପ୍ରସ୍ତୁତ ହେଉଥିବା ଡିରେକ୍ଟୋରି ଲାଗି କାର୍ଯ୍ୟ କରୁଛନ୍ତି।

ମନର ବ୍ୟଥା

ମନର ବ୍ୟଥା

ସମ୍ପାଦକୀୟ-ତଥାଗତ ସତପଥୀ/ ୨୦୧୧ ଜନଗଣନା ରିପୋର୍ଟ ଅନୁଯାୟୀ ଭାରତରେ ୧୫ ବର୍ଷ ପର୍ଯ୍ୟନ୍ତ ପୁଅଙ୍କ ତୁଳନାରେ ୧.୮ କୋଟି ଝିଅ କମ୍‌ ଥିଲେ। ଅର୍ଥାତ୍‌ ୧୦୦୦ ପୁଅରେ ଝିଅଙ୍କ ସଂଖ୍ୟା ୯୧୪ ହିସାବ କରାଯାଇଥିଲା। ଇତିମଧ୍ୟରେ ଅଧିକାଂଶ ପରିବାରରେ ସାମାଜିକ, ଅର୍ଥନୈତିକ ଚାପ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ଲିଙ୍ଗଗତ ବୈଷମ୍ୟ ବଢ଼ିବାରେ ଲାଗିଛି। ହରିୟାଣା, ପଞ୍ଜାବ, ରାଜସ୍ଥାନ, ମଧ୍ୟପ୍ରଦେଶର ପରିସଂଖ୍ୟାନ ନୈରାଶ୍ୟଜନକ ଚିତ୍ର ସାମ୍ନାକୁ ଆଣୁଛି। ଓଡ଼ିଶାରେ ୧୦୦୦ ପୁଅରେ ଝିଅଙ୍କ ସଂଖ୍ୟା ୯୭୮ । କେରଳରେ ଏହି ଅନୁପାତ ୧୦୦୦ ପୁଅରେ ୧୦୮୪ ଝିଅ ରହିବା କେବଳ ଏକ ଆଶ୍ୱାସନା। ଚିନ୍ତାଧାରାରେ ସାମାଜିକ ପରିବର୍ତ୍ତନ ଆସିପାରୁ ନ ଥିବା ବେଳେ ଦେଶର ନେତୃତ୍ୱ ବଡ଼ବଡ଼ ଭାଷଣ ଦେବାରେ ବ୍ୟସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ‘ବେଟି ବଚାଓ, ବେଟି ପଢ଼ାଓ’ ସ୍ଲୋଗାନ ଦେଇ ବୁଲୁଥିବା ବେଳେ ଭାଜପାଶାସିତ ରାଜ୍ୟଗୁଡ଼ିକରେ ପୁଅ ଓ ଝିଅଙ୍କ ମଧ୍ୟରେ ତାରତମ୍ୟ ବେଶି ରହିଥିବା ଦେଖିବାକୁ ମିଳୁଛି। ସେହିପରି ଏହି ରାଜ୍ୟଗୁଡ଼ିକରେ ମହିଳାମାନେ ଲିଙ୍ଗଗତ ବୈଷମ୍ୟ ଓ ଯୌନ ନିର୍ଯାତନାର ଅଧିକ ଶିକାର ହେଉଥିବା ସର୍ବଦା ଗଣମାଧ୍ୟମର ଶିରୋନାମା ପାଲଟୁଛି। ଏଭଳି ସମୟରେ ମୋଦି ଫେବୃୟାରୀ ୨୫ରେ ମାସିକିଆ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ସରକାରଙ୍କ ସଫଳତା ବଖାଣିଛନ୍ତି। ସେ କହିଛନ୍ତି, ନାରୀମାନଙ୍କ ବିକାଶ ଆଉ ଏକ ପ୍ରସଙ୍ଗ ହୋଇ ରହିନାହିଁ। ସେମାନେ ସବୁ କ୍ଷେତ୍ରରେ ପାରଦର୍ଶିତା ଲାଭ କଲେଣି। ଏବେ ମହିଳାଙ୍କ ନେତୃତ୍ୱ ନେଇ ଚର୍ଚ୍ଚା ଚାଲିଛି। ପ୍ରଧାନମନ୍ତ୍ରୀ ଏପରି ମତ ଦେଉଥିବା ବେଳେ ଖୋଦ୍‌ ତାଙ୍କ ସରକାରଙ୍କ ପକ୍ଷରୁ ଜାରି ଏକ ରିପୋର୍ଟ ଏଥିରେ ବିରୋଧାଭାସ ଆଣିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପରିସଂଖ୍ୟାନ ଅନୁଯାୟୀ, ଦେଶରେ ପୋଲିସ ବଳରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ହେଉଛି ମାତ୍ର ୭.୨୮ ପ୍ରତିଶତ। ବିଭିନ୍ନ ରାଜ୍ୟରେ ମହିଳା ବିରୋଧୀ ଘରୋଇ ହିଂସା ଓ ଅପରାଧ ବଢ଼ି ଚାଲିଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ସ୍ପଷ୍ଟ କରିଛି। ୨୦୧୫ରେ ଭାରତରେ ୩,୨୯,୨୪୩ ମହିଳା ବିରୋଧୀ ହିଂସା ମାମଲା ରୁଜୁ ହୋଇଥିଲା। ଏହାର ବର୍ଷକ ପରେ ଏହି ସଂଖ୍ୟା ୩,୩୮,୯୫୪ରେ ପହଞ୍ଚତ୍ଥିଲା। ଆଜିର ଭାରତରେ ମହିଳାମାନେ କେତେ ସୁରକ୍ଷିତ ଏହି ରିପୋର୍ଟରୁ ବୁଝାପଡ଼ୁଛି। ଯେଉଁ ଦେଶରେ ନାରୀ ନିର୍ଯାତନା ବଢ଼ିଚାଲିଛି, ସେଠି ପୁରୁଷପ୍ରଧାନ ଥାନାର ଅଳସୁଆ ଓ ଦୁର୍ନୀତିଗ୍ରସ୍ତ ବାବୁଙ୍କଠାରୁ ମହିଳା ନ୍ୟାୟ ଆଶା କରିବା ଏକରକମ ବୃଥା କହିଲେ ଭୁଲ ହେବ ନାହିଁ। ଗୋଟିଏପଟେ ନାରୀ ସଶକ୍ତୀକରଣ ଓ ସହଭାଗିତା କଥା କୁହାଯାଉଛି। ଅପରପକ୍ଷରେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀରେ ମହିଳାଙ୍କ ଉପସ୍ଥିତି ଅତି ନଗଣ୍ୟ ରହିବା କେବଳ ଏକ କ୍ଷୁଦ୍ରତମ ସୂଚନା। ନିଶ୍ଚିତ ଭାବେ ଏହା ସବୁ କିଛି ନୁହେଁ। ...

କୁବେରଙ୍କ ବିଦେଶ ପଳାୟନ

କୁବେରଙ୍କ ବିଦେଶ ପଳାୟନ

ସହଦେବ ସାହୁ/ ”ପୁରୁଣା ଋଣ ଶୁଝି ପାରୁନା, ଅଥଚ ତୁମର ଟଙ୍କା ଦରକାର। ନିୟମ ହେଉଛି ପୁରୁଣା ଋଣ ଶୁଝି ନ ଥିଲେ ନୂଆ ଋ଼ଣ ମିଳିବ ନାହିଁ। ବ୍ୟାଙ୍କର ଋଣ-ଅଧିକାରୀ ହିସାବରେ ଋଣ-ଆଦାୟ ସନ୍ତୋଷଜନକ ନ ହେଲେ ମୋ ଚାକିରିରେ ଆଞ୍ଚ ଆସିବ, ପଦୋନ୍ନତି ତ ମିଳିବ ନାହିଁ, ଚାକିରିରୁ ବିଦାୟ ନେବାକୁ ପଡିପାରେ। ତେଣୁ ଦସ୍ତୁରି ଦିଅ, ମୁଁ ତୁମକୁ ବେଶି ଟଙ୍କାର ଋଣ ଦେଇ ତହିଁରୁ ପୁରୁଣା ଋଣ କାଟି ରଖି ବାକି ଟଙ୍କା ଦେଇଦେବି।“ ଏ ହେଉଛି ନୂଆ ଋଣ ପାଇଁ ବ୍ୟାକୁଳ ଚାଷୀର କରୁଣ ପ୍ରାର୍ଥନା ଉପରେ ସମବାୟ ସମିତିର ବା ବ୍ୟାଙ୍କର ଋଣ-ଅଧିକାରୀଙ୍କ ପରାମର୍ଶ। ଏଥିରେ ଚାଷୀ ରାଜି ହୁଏ, ପ୍ରତି ବର୍ଷ ତାହାର ଋଣଭାର ବଢି ବଢି ଚାଲେ, ଅଥଚ ଋଣ-ରାଶି ତୁଳନାରେ ଖୁବ୍‌ କମ୍‌ ନଗଦ ଟଙ୍କା ମିଳେ। ଏହାକୁ କହନ୍ତି ପେପର୍‌ ଟ୍ରାଞ୍ଜାକ୍ସନ୍‌ ବା କାଗଜପତ୍ରରେ କାରବାର। ଜମି ଉପତ୍ାଦନ ଅନୁପାତରେ ବେଶି ଋଣ, ତାକୁ ଶୁଝିବାର ନୋଟିସ୍‌ ପାଇଲେ ଚାଷୀ ମୁଣ୍ଡରେ ଚଡକ ପଡେ, ସେ ଆତ୍ମହତ୍ୟା କରିବାକୁ ପଛାଏ ନାହିଁ। ବିଦେଶରୁ ଜିନିଷ କିଣୁଥିବା କୁବେରମାନେ ଦେଶୀ ଟଙ୍କାରେ ଋଣ ନିଅନ୍ତି ନାହିଁ, କାରଣ ସୁଧହାର ୧୦ରୁ ବେଶି, ଅଥଚ ବିଦେଶୀ ମୁଦ୍ରାରେ ବିଦେଶୀ ବ୍ୟାଙ୍କରୁ ବା ଭାରତୀୟ ବ୍ୟାଙ୍କର ବିଦେଶୀ ଶାଖାରୁ ଡଲାରରେ ଋଣ ନେଲେ ଶତକଡା ଦେଢ କି ଦୁଇ ଭାଗ ମାତ୍ର ପଡେ। ଭାରତୀୟ ବ୍ୟାଙ୍କ ପ୍ରତିଶ୍ରୁତି ପତ୍ର (ଲେଟର୍‌ ଅଫ୍‌ ଅଣ୍ଡରଟେକିଂ, ଏଲ୍‌ଓୟୁ) ନ ଦେଲେ ଦରିଆପାରି ବ୍ୟାଙ୍କ ବିନା ବନ୍ଧକରେ ଡଲାର ଋଣ ଦେବ ନାହିଁ। ଭାରତୀୟ ବ୍ୟାଙ୍କ (ଯଥା ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ) ଏଲ୍‌ଓୟୁ ଦେବା ଲାଗି ଶତକଡା ଦୁଇ ଗ୍ୟାରେଣ୍ଟି ଫି ନିଏ। କୁବେରଟି ଆଉ ଥରେ ଋଣ ମାଗିଲେ ପୁରୁଣା ଋଣ ନ ଶୁଝି କାଗଜପତ୍ର କାରବାର କରିନିଏ, ନୂଆ ଋଣ ଭିତରେ ପୁରୁଣା ଅଶୁଝା ଋଣ ମିଶିଯାଇଥାଏ, ଆଉଥରେ ଏଲ୍‌ଓୟୁ ଦେଲେ ତହିଁରେ ନୂଆ ଋଣ ପରିମାଣ ସହ ପୁରୁଣା ଋଣ ମିଶାଇ ବଡ ଅଙ୍କର ଋଣ ପାଇଁ ଏଲ୍‌ଓୟୁ ଦିଆଯାଏ, ଦେଉଥିବା ଅଫିସର କିଛି ଦସ୍ତୁରି ନ ପାଇଲେ ଏ ଅନୀତି କାମ କରିବ ନାହିଁ। ସେହି ଅଫିସର ଯୋଗୁ ବ୍ୟାଙ୍କର ଲାଭ (ଏଲ୍‌ଓୟୁ ବାବଦ ୨ ଶତାଂଶ) ହେଉଥିବାରୁ ଅଫିସରଟି ଗେହ୍ଲା ପୁଅ (ବା ଝିଅ) ହୋଇଯାଏ, ତାକୁ ପଦରୁ ବଦଳି କରାଯାଏ ନାହିଁ। ବଦଳି ନ ହେଲେ ଦସ୍ତୁରି ନେଉଥିବା ଅଧିକାରୀଙ୍କ ସାହସ ବଢିବା ସଙ୍ଗେ ସଙ୍ଗେ ଲାଭବାନ୍‌ ହେଉଥିବା ଶିଳ୍ପପତି ଖିଲାପକୁ ଲୁଚାଇବା ଲାଗି ଅଧିକରୁ ଅଧିକ ପେପର୍‌ ଟ୍ରାଞ୍ଜାକ୍ସନ୍‌ କରାଇନିଏ। ୨୦୧୦ ବା ୧୧ରୁ ଏମିତି କାରବାର କରି କରି ଗୀତାଞ୍ଜଳି ଅଳଙ୍କାରର ମାଲିକ ନୀରବ ମୋଦିର ଋଣଭାର ୨୦୧୭ ନଭେମ୍ବରକୁ ସାଢେ ଏଗାର ହଜାର କୋଟି ହେଲାଣି। ସେ ବିଦେଶରେ ଲୁଚିବ ନାହିଁ ତ କ’ଣ ଚାଷୀ ଭଳି ଆତ୍ମହତ୍ୟା କରିବ? ଆଜିକାଲି ସବୁ ଦେଶ ବିଦେଶୀ ପୁଞ୍ଜି ଚାହୁଁଛନ୍ତି, କୋଟି କୋଟି ଡଲାର ନିବେଶ କରୁଥିବା ଲୋକକୁ କେତେକ ଦେଶ ନାଗରିକତ୍ୱ ଯାଚୁଛନ୍ତିି। ଅଷ୍ଟ୍ରେଲିଆ, ବେଲଜିୟମ, ଏପରି କି ଆମେରିକା ଏଭଳି ନାଗରିକତ୍ୱ ଯାଚୁଛି। ବିଲାତ ତ ଆମ ଦେଶର ନାଗରିକଙ୍କୁ କମନ୍‌ୱେଲ୍‌ଥର ଲୋକ ହିସାବରେ ଘର କିଣିବାକୁ ମନାକରେ ନାହିଁ। ଜାନକୀବାବୁଙ୍କ ସମୟର ହଜାରେ ଦିନରେ ହଜାରେ କୋଟିର ହଜାର ଶିଳ୍ପ ବୟାନ ସମୟରେ କେତେକ ନେତା ହୋଟେଲ୍‌ ଶିଳ୍ପ କରିବା ଆଳରେ ଋଣ ଓ ଅନୁଦାନ ନେଇ ବିଲାତରେ ଘର କିଣିଥିବାର ମୁଁ ଦେଖିଛି। ନୀରବ ମୋଦି ବିଦେଶରେ ନାଗରିକତ୍ୱ ଗ୍ରହଣ କରିଥିବା କଥା କ’ଣ ସରକାରଙ୍କ ନଜରକୁ ଆସି ନ ଥିବ? ବ୍ୟାଙ୍କ ଅଧିକାରୀମାନେ କ’ଣ ମୋଦିଙ୍କ ବିଦେଶୀ କମ୍ପାନୀର ଠିକଣା ପଚାରି ନ ଥିବେ ବା ତାଙ୍କ କମ୍ପାନୀର ବାର୍ଷିକ ରିପୋର୍ଟ ଓ ଅଡିଟ୍‌ କାଗଜରୁ ଏ କଥା ଲକ୍ଷ୍ୟ କରି ନ ଥିବେ? ନେତାମାନେ ବିଭିନ୍ନ ପର୍ବପର୍ବାଣିରେ ନାମୀ ଦାମୀ ଜିନିଷ ଉପହାର ପାଉଥିଲା ବେଳେ କ’ଣ ଭାବନ୍ତି ନାହିଁ ଯେ ଲୋକଟି ଏତେ ଉପହାର ଦେଉଥିବାର ଉଦ୍ଦେଶ୍ୟ ମହତ୍‌ ନୁହେଁ ବୋଲି? କର୍ମଚାରୀଟିଏ ଅଫିସ୍‌କୁ ଲାଭ ଦେଖାଉଛି ବୋଲି କ’ଣ ସିଏ ଧରା ନ ପଡିଲା ଯାଏ ସେହି ଗୋଟିଏ ପଦରେ ଥିବ? ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କର ବମ୍ବେର ବ୍ରାଡ଼ି ହାଉସ୍‌ ଶାଖାରେ ଗୋକୁଳନାଥ ସେଟ୍ଟି ବିଦେଶୀ ମୁଦ୍ରା କାରବାରରେ ସ୍ବିଫ୍ଟ (Society for Worldwide Interbank Financial Telecommunication) ଠାର ବ୍ୟବହାର କରିବା କ୍ଷମତା ପାଇଥିବା ଡେପୁଟି ମ୍ୟାନେଜର ପଦବୀରେ ୭ ବର୍ଷ କାଳ ରହି ୨୦୧୮ ଜାନୁୟାରୀରେ ଅବସର ନେଲେ। ତାଙ୍କଠାରୁ ଦାୟିତ୍ୱ ନେଇଥିବା ଅଧିକାରୀ ଜଣକ ଧରିଲେ ଯେ ପ୍ରାୟ ସାଢ଼େ ୧୧ ହଜାର କୋଟି ଟଙ୍କାର ଏକ ଘୋଟାଲା ଘଟିଛି। ସେଟ୍ଟି ଉଚ୍ଚ ଅଧିକାରୀମାନଙ୍କ ସ୍ବୀକୃତି ନ ନେଇ ଲେଟର ଅଫ୍‌ ଅଣ୍ଡରଟେକିଂ ପ୍ରତିଶ୍ରୁତି ପତ୍ର ବାରମ୍ବାର ନୀରବ ମୋଦି ଗୋଷ୍ଠୀ ତଥା ମେହୁଲ ଚୋକ୍ସିଙ୍କ କମ୍ପାନୀ ପାଇଁ ପଠାଇଥିଲେ। ୨୦୧୦ରୁ ଏଭଳି କାଣ୍ଡ ଚାଲିଛି। ସେଟ୍ଟିଙ୍କ ଅବସର ପରେ ଯେଉଁ ନୂଆ ଡେପୁଟି ମ୍ୟାନେଜର ଆସିଲେ ସେ ନୂଆ କରି ଏଲ୍‌ଓୟୁ ପାଇଥିବା ଆଲ୍ଲାହାବାଦ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ଏକ୍ସିସ୍‌ ବ୍ୟାଙ୍କ ଅନୁରୋଧ କରିଥିବା ଏଲ୍‌ଓୟୁର ପୁନରାବୃତ୍ତିକୁ ଗ୍ରହଣ କଲେ ନାହିଁ।...

ଦୋଳଯାତ୍ରା ଓ ପଞ୍ଜିକା ବିଭ୍ରାଟ

ଦୋଳଯାତ୍ରା ଓ ପଞ୍ଜିକା ବିଭ୍ରାଟ

ଦୋଳଗୋବିନ୍ଦ ପଣ୍ଡା/ ଆଜିକାଲି ଓଡ଼ିଶାରେ ପରମ୍ପରା ମତେ ଓ ଅତ୍ୟାଧୁନିକ ପଦ୍ଧତିରେ ଗଣିତ ଅନେକ ପ୍ରକାରର ପଞ୍ଜିକା ପ୍ରକାଶ ପାଉଛି। ପାରମ୍ପରିକ ପଞ୍ଜିକାଗୁଡ଼ିକ ମଧ୍ୟରେ କାହାରି ଗଣନା ସହିତ କାହାର ମେଳ ଖାଉ ନାହିଁ। ଏହି ପଞ୍ଜିକାଗୁଡ଼ିକରେ ପ୍ରତିଦିନ ଗଣନାଗତ ଅନେକ ପ୍ରଭେଦ ରହୁଛି ଏବଂ ସେଥି ମଧ୍ୟରୁ କେଉଁ ଗଣନାଟା ଠିକ୍‌ ତାହା ନିର୍ଦ୍ଧାରଣ କରିବା ପାଇଁ ସର୍ବଜନଗ୍ରାହ୍ୟ କୌଣସି ପଣ୍ଡିତ ନାହାନ୍ତି ତଥା କେହି କାହାର ମତ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଏଣୁ ସମ୍ପ୍ରତି ଭାରତ ସରକାରଙ୍କ ଦ୍ୱାରା ପ୍ରକାଶ ପାଉଥିବା ଇଣ୍ଡିଆନ୍‌ ଆଷ୍ଟ୍ରୋନୋମିକାଲ ଏଫିମେରିଜ୍‌ ଆଧାରରେ ପ୍ରସ୍ତୁତ ଓ ଓଡ଼ିଆ ଭାଷାରେ ପ୍ରକାଶିତ ରାଷ୍ଟ୍ରୀୟ ପଞ୍ଚାଙ୍ଗର ଗଣନା ଯଥା ଗ୍ରହସ୍ଫୁଟ, ତିଥି, ନକ୍ଷତ୍ର, ଯୋଗ, କରଣ ଏବଂ ପୁରୀର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟକୁ ଧରି ଧର୍ମଶାସ୍ତ୍ର ଓ ପରମ୍ପରା ଭିତ୍ତିରେ ଶ୍ରୀମନ୍ଦିରର ସମସ୍ତ ପର୍ବପର୍ବାଣି ନିର୍ଦ୍ଧାରଣ କରାଯିବା ଆମ୍ଭ ମତ ରେ ଏ ସମସ୍ୟାର ଏକମାତ୍ର ସମାଧାନ। ତା’ ନ ହେଲେ ପ୍ରତିବର୍ଷ ଏମିତି ବିବାଦ ଲାଗି ରହିଥିବ ଏବଂ ଯେତେ ସମନ୍ବୟ ବୈଠକ ବସିଲେ ମଧ୍ୟ ପୂଜନୀୟ ଶଙ୍କରାଚାର୍ଯ୍ୟଙ୍କ ଭାଷାରେ ପଞ୍ଜିକାଗୁଡ଼ିକର ‘ଏକରୂପତା ଓ ପ୍ରାମାଣିକତା’ ସମ୍ଭବ ହେବ ନାହିଁ। ଓଡ଼ିଶାରେ ପଞ୍ଜିକା ବିଭ୍ରାଟ କିଛି ନୂଆ କଥା ନୁହେଁ। ପଠାଣି ସାମନ୍ତଙ୍କ ସମୟରେ ପ୍ରଚଳିତ ଓ ତାଙ୍କ ଶିଷ୍ୟମାନଙ୍କ ଦ୍ୱାରା ପ୍ରକାଶିତ ପଞ୍ଜିକାଗୁଡ଼ିକ ସିଦ୍ଧାନ୍ତ ଦର୍ପଣ ଅନୁସରଣରେ ଠିକ୍‌ଭାବରେ ପ୍ରସ୍ତୁତ ହେଉ ନ ଥିବାରୁ ସେ ନିଜେ ‘ସାମନ୍ତ ପଞ୍ଜିକା’ ନାମରେ ଏକ ପଞ୍ଜିକା ପ୍ରକାଶ କରିଥିଲେ ଓ ଏହା ସେତେବେଳେ ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ୱାରା ସ୍ବୀକୃତ ହୋଇ ଶ୍ରୀମନ୍ଦିରରେ ପ୍ରଚଳିତ ହେଉଥିଲା। ପଠାଣି ସାମନ୍ତଙ୍କ ସିଦ୍ଧାନ୍ତ ଦର୍ପଣରେ ଉଲ୍ଲେଖ ରହିଛି ଯେ, ଦୃକ୍‌ ଓ କରଣ (ଗଣିତ)ରେ ଆସୁଥିବା ଗ୍ରହସ୍ଫୁଟଗୁଡ଼ିକ ସମାନ ନ ହେଲେ ଦୃକ୍‌ ଗଣନା ଆଧାରରେ କରଣ ବା ସିଦ୍ଧାନ୍ତ ଶାସ୍ତ୍ରରେ ବୀଜ ସଂସ୍କାର କରିବାକୁ ହେବ। ସାମନ୍ତେ ସର୍ବଦା ଇଂଲିଶ ପାଞ୍ଜି ବା ଏଫିମେରିଜ୍‌ର ଗଣନା ସହ ତୁଳନା କରି ତାଙ୍କ ଗଣନାର ବୈଶିଷ୍ଟ୍ୟ ପ୍ରତିପାଦନ କରୁଥିଲେ ମଧ୍ୟ ଇଂଲିଶ ପାଞ୍ଜିର ଗଣନାକୁ ପ୍ରାମାଣିକ ଭାବରେ ଗ୍ରହଣ କରୁଥିଲେ। ଏ ସମ୍ପର୍କରେ ବିଜ୍ଞ ପାଠକବୃନ୍ଦ ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାରେ ପ୍ରକାଶିତ ପଠାଣି ସାମନ୍ତଙ୍କ ଚିଠିରୁ ସବିଶେଷ ତଥ୍ୟ ହାସଲ କରିପାରିବେ। ସମ୍ପ୍ରତି ଦୋଳପୂର୍ଣ୍ଣିମାର ନିର୍ଦ୍ଧାରଣକୁ ନେଇ ବିବାଦ ଦେଖାଦେଇଛି। ରାଷ୍ଟ୍ରୀୟ ପଞ୍ଚାଙ୍ଗ, ଲାହିଡ଼ି ପଞ୍ଚାଙ୍ଗ, ଶ୍ରୀହରି ପଞ୍ଚାଙ୍ଗ, ପଶ୍ଚିମବଙ୍ଗରେ ପ୍ରକାଶିତ ବିଶୁଦ୍ଧ ସିଦ୍ଧାନ୍ତ ପଞ୍ଜିକା ଏବଂ ସର୍ବଭାରତୀୟ ସ୍ତରରେ ବିଭିନ୍ନ ରାଜ୍ୟରେ ପ୍ରକାଶିତ ସମସ୍ତ ଦୃକ୍‌ସିଦ୍ଧ ପଞ୍ଜିକାରେ ଆଗାମୀ ଫାଲ୍‌ଗୁନ ପୂର୍ଣ୍ଣିମା ତିଥିର ବ୍ୟାପ୍ତି ମାର୍ଚ୍ଚ ୨ ତାରିଖ ଶୁକ୍ରବାର ଦିନ ୬ଟା ୨୧ ପର୍ଯ୍ୟନ୍ତ ରହୁଛି। ଏହା ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାରେ ୬ଟା ୨୧ ମିନିଟ୍‌ ୮ ସେକେଣ୍ଡ, ପରମେଶ୍ୱରୀ ପାଞ୍ଜିରେ ୬ଟା ୨୧, ହିଙ୍ଗୁଳା ପାଞ୍ଜିରେ ୬ଟା ୨୧ ଏବଂ ଅସଲି ଖଡ଼ୀରତ୍ନ ପାଞ୍ଜିରେ ୬ଟା ୨୪ ଅଛି। ସୂର୍ଯ୍ୟୋଦୟ ସମୟ ୬ଟା ୯ ହୋଇଥିବାରୁ ମାର୍ଚ୍ଚ ୨ ତାରିଖରେ ଉଦୟକାଳକୁ ପୂର୍ଣ୍ଣିମା ରହୁଛି। ଅଥଚ ଓଡ଼ିଶାର କେତୋଟି ପାଞ୍ଜିରେ ତାହା (କୋହେନୂର: ୧ ତାରିଖ ନିଶାନ୍ତ ଘ୬ା୦୬, ରାଧାରମଣ: ନିଶାନ୍ତ ଘ୬ା୦୨) ସୂର୍ଯ୍ୟୋଦୟ ପୂର୍ବରୁ ସରିଯାଉଥିବାର ଦର୍ଶାଯାଇ ୧ ତାରିଖରେ ଦୋଳପୂର୍ଣ୍ଣିମା ନିର୍ଦ୍ଧାରଣ କରାଯାଇଛି, ଯାହା ଭୁଲ୍‌। ୧ ତାରିଖରେ ଚତୁର୍ଦ୍ଦଶୀ ଦିବା ୮ଟା ୫୭ ପର୍ଯ୍ୟନ୍ତ ଅଛି ଓ ତା’ ପରେ ପୂର୍ଣ୍ଣିମା ଆରମ୍ଭ। ୧ ତାରିଖରେ ପୂର୍ଣ୍ଣମୀ ଉଦୟଠାରୁ ତିନି ମୁହୂର୍ତ୍ତକୁ ମଧ୍ୟ ପାଉ ନାହିଁ। ଏଣୁ ୨ ତାରିଖର ପୂର୍ଣ୍ଣିମା ତିଥି ଉଦୟା ଓ ସକଳା (କଳାଯୁକ୍ତ ଓ ସକଳ କାର୍ଯ୍ୟରେ ଗ୍ରହଣୀୟ, ୧ କଳା = ୮ ସେକେଣ୍ଡ)। ପୂର୍ଣ୍ଣିମା ତିଥି ୧ ତାରିଖରେ ଚତୁର୍ଦ୍ଦଶୀବିଦ୍ଧା ବା ପୂର୍ବବିଦ୍ଧା ହେଉଛି। ପୂର୍ଣ୍ଣିମା ପ୍ରତିପଦ ଦ୍ୱାରା ୨ ତାରିଖରେ ପରବିଦ୍ଧା ହେଉଛି। ଶୁକ୍ଳପକ୍ଷରେ ତିଥିଗୁଡ଼ିକ ପ୍ରାୟତଃ ପରବିଦ୍ଧା ଗୃହୀତ ହୁଅନ୍ତି। ବିଶେଷତଃ ଦୋଳପୂର୍ଣ୍ଣିମା ଉଦୟବ୍ୟାପିନୀ ହୋଇଥିବାରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଓ ଓଡ଼ିଶାରେ ଜଗନ୍ନାଥଙ୍କ ପରମ୍ପରାକୁ ଅନୁସରଣ କରି ଦୋଳପୂର୍ଣ୍ଣିମା ୨ ତାରିଖରେ ପାଳିତ ହେବା ବିଧେୟ। ଏଠାରେ ଆମେ ଶାସ୍ତ୍ରବାକ୍ୟର କେତେକ ଉଦାହରଣ ନେଇପାରିବା- ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ଓ ପର୍ବପର୍ବାଣି ପୁସ୍ତକରେ ଶ୍ରୀମନ୍ଦିରର ପୁରୋହିତ ସ୍ବର୍ଗତ ପଣ୍ଡିତ ହରିହର ମହାପାତ୍ର ଯାତ୍ରା ଭାଗବତ ପୁସ୍ତକରୁ ଉଦ୍ଧାର କରି ଉଲ୍ଲେଖ କରିଛନ୍ତି: ଦୋଳଯାତ୍ରା ସ୍ବନକ୍ଷତ୍ରଂ ପୁଷ୍ୟା ଚ ପ୍ରଥମାଷ୍ଟମୀ। ବ୍ରତରାଜ ହରିସ୍ନାନଂ ଉଦୟାତ୍‌ ପରିପାଳୟେତ୍‌।ା ଅର୍ଥାତ୍‌ ଦୋଳଯାତ୍ରା, ସ୍ବନକ୍ଷତ୍ର (ଜନ୍ମଦିନ), ପୁଷ୍ୟାଭିଷେକ, ପ୍ରଥମାଷ୍ଟମୀ, ବ୍ରତରାଜ (ଏକାଦଶୀ ବ୍ରତ) ଏବଂ ହରିସ୍ନାନ (ଦେବସ୍ନାନ ପୂର୍ଣ୍ଣିମା ଉଦୟା ତିଥିରେ ପାଳନ କରାଯାଏ। ଉପବାସ, ଚନ୍ଦ୍ରାର୍ଘ୍ୟ ଦାନାଦିରେ ପୂର୍ବବିଦ୍ଧା ପୂର୍ଣ୍ଣିମା (ପୌର୍ଣ୍ଣମୀ ବ୍ରତ) ଗୃହୀତ ହୁଏ। କିନ୍ତୁ ଯାତ୍ରାଦିରେ ପରବିଦ୍ଧା ପୂର୍ଣ୍ଣିମା ଗ୍ରହଣ କରିବା ପାଇଁ ଧର୍ମଶାସ୍ତ୍ରାଦିରେ ଉପଦେଶ ରହିଛି, ଯଥା- ଉଦୟେ ପୌର୍ଣ୍ଣମୀ ଯତ୍ର ସ୍ବଳ୍ପଂ ବା ଯଦି ବା ବହୁ। ଦୋଳଯାତ୍ରାଂ ପ୍ରକୁର୍ବୀତ ଭଗବତ୍‌ ଭକ୍ତିପୂର୍ବକମ୍‌।ା ଏହି ବାକ୍ୟ ଉଦୟବ୍ୟାପିନୀ ପୂର୍ଣ୍ଣମୀ ତିଥି ଦୋଳପୂର୍ଣ୍ଣମୀ ନିମନ୍ତେ ନିର୍ଦ୍ଦେଶ କରୁଥିବା ଜଣାଯାଏ। ଅତଏବ ମାର୍ଚ୍ଚ ୨ ତାରିଖରେ ଫାଲ୍‌ଗୁନ ପୂର୍ଣ୍ଣିମା ତିଥି ଉଦୟବ୍ୟାପିନୀ ହୋଇଥିବାରୁ ଓଡ଼ିଶାରେ ଦୋଳପୂର୍ଣ୍ଣିମା ୨ ତାରିଖରେ ହିଁ ପାଳନୀୟ ଏବଂ ଓଡ଼ିଶାର ପରମ୍ପରା ଅନୁସାରେ ଦୋଳଯାତ୍ରା ପରଦିନ ହୋଲି ପର୍ବ ପାଳନ କରାଯାଉଥିବାରୁ ୩ ତାରିଖରେ ହୋଲି ପର୍ବ ପାଳନୀୟ। ଭାରତବର୍ଷରେ ଅନ୍ୟ କେତେକ ସ୍ଥାନରେ ୧ ତାରିଖରେ ଦୋଳପୂର୍ଣ୍ଣିମା ପାଳନୀୟ ବୋଲି ଉଲ୍ଲେଖ କରାଯିବାର କାରଣ ହେଉଛି ସେମାନଙ୍କର ସୂର୍ଯ୍ୟୋଦୟ ୨ ତାରିଖରେ ୬ଟା ୨୧ ମିନିଟ୍‌ ପରେ ବା ପୂର୍ଣ୍ଣିମା ଶେଷ ହେବା ପରେ ହେଉଛି। କିନ୍ତୁ ଅନ୍ୟତ୍ର ଯଥା ପଶ୍ଚିମବଙ୍ଗରେ ଦୋଳପୂର୍ଣ୍ଣିମା ବା ଗୌରପୂର୍ଣ୍ଣିମା ମାର୍ଚ୍ଚ ୨ ତାରିଖରେ ପାଳନ ହେଉଛି। କାରଣ ସେସବୁ ସ୍ଥାନରେ ୨ ତାରିଖରେ ପୂର୍ଣ୍ଣିମା ଉଦୟବ୍ୟାପିନୀ ହେଉଛି। ପୁରୀ ତଥା ଓଡ଼ିଶାରେ ଦୋଳପୂର୍ଣ୍ଣିମା ୨ ତାରିଖରେ ଉଦୟବ୍ୟାପିନୀ ହେଉଥିବାରୁ ଶ୍ରୀଜଗନ୍ନାଥ ମନ୍ଦିରର ପରମ୍ପରା ଅନୁସାରେ ୨ ତାରିଖରେ ଦୋଳପୂର୍ଣ୍ଣମୀ ଓ ତା’ ପରଦିନ ୩ ତାରିଖରେ ହୋଲି ପାଳିତ ହେବା ବିଧେୟ। (ମୋ-୯୪୩୮୨୯୬୧୩୫, dolagovinda@gmail.com)

ଏଇ ଭାରତରେ

ସ୍ତ୍ରୀଙ୍କୁ ଭଲପାଇବାର ଏକ ଜ୍ୱଳନ୍ତ ନିଦର୍ଶନ ଦେଖାଇଛନ୍ତି କର୍ନାଟକର ଜଣେ କୃଷକ। ନିଜ ସହଧର୍ମିଣୀଙ୍କ ଇଚ୍ଛା ପୂରଣ କରିବା ପାଇଁ ଗଢିଛନ୍ତି ଏକ ମନ୍ଦିର। ଯେଉଁଠାରେ ଅନ୍ୟ ଦେବଦେବୀଙ୍କ ସହ ପୂଜାପାଉଛନ୍ତି ରାଜାମ୍ମାଙ୍କ ମୂର୍ତ୍ତି। କର୍ନାଟକ ଚାମାରାଜନଗର ଜିଲାସ୍ଥିତ ୟେଲାନ୍ଦୁର ତାଲୁକରେ ରହିଛି କ୍ରିଷ୍ଣଗୁରା ଗ୍ରାମ। ଏହି ଗ୍ରାମର ରାଜୁସ୍ବାମୀ ଓରଫ ରାଜୁ ନାମକ ଜଣେ କୃଷକ ଗଢିଛନ୍ତି ରାଜାମ୍ମାଙ୍କ ମନ୍ଦିର। ୨୦୦୬ରୁ ସେ ଏଠାରେ ପୂଜାର୍ଚ୍ଚନା କରିଆସୁଛନ୍ତି। ରାଜୁଙ୍କର ରହିଛି ୩ ଏକର ଜମି। ସେ ବିବାହ କରିଥିଲେ ତାଙ୍କ ଭଉଣୀଙ୍କ ଝିଅକୁ। ଯଦିଓ ଏ ନେଇ ପରିବାରର ସମ୍ମତି ନ ଥିଲା, କିନ୍ତୁ ଭଉଣୀ ଭିଣୋଇଙ୍କ ସହମତି କ୍ରମେ ଏହି ବିବାହ ସମ୍ଭବ ହୋଇଥିଲା। ବିବାହର କିଛିଦିନ ପରେ ଗାଁରେ ଏକ ମନ୍ଦିର ଗଢିବାକୁ ରାଜୁଙ୍କର ସ୍ତ୍ରୀ ଇଚ୍ଛାପ୍ରକାଶ କଲେ। ତାଙ୍କର ଇଚ୍ଛାକୁ ସମ୍ମାନ ଜଣାଇ ରାଜୁ ଗଢିବା ଆରମ୍ଭକଲେ ଏକ ମନ୍ଦିର। ମାତ୍ର ଭାଗ୍ୟର ବିଡମ୍ବନା। ମନ୍ଦିର ନିର୍ମାଣ ଶେଷ ହେବା ପୂର୍ବରୁ ଆରପାରିକୁ ଚାଲିଗଲେ ରାଜୁଙ୍କ ସ୍ତ୍ରୀ। ଦୁଃଖରେ ମ୍ରିୟମାଣ ରାଜୁ ସ୍ଥିର କଲେ, ମନ୍ଦିର ନିଶ୍ଚୟ ସମ୍ପୂର୍ଣ୍ଣ କରିବେ। ସେଥିରେ ଅନ୍ୟ ଦେବଦେବୀଙ୍କ ସହ ତାଙ୍କ ସ୍ତ୍ରୀଙ୍କ ମୂର୍ତ୍ତି ପୂଜା ପାଇବ। ତାହା ହିଁ ହେଲା। ଏ ନେଇ ଗ୍ରାମବାସୀଙ୍କ ବିରୋଧ ମଧ୍ୟ ରାଜୁଙ୍କ ଭଲପାଇବା ଆଗରେ ମିଳେଇଗଲା। ରାଜୁଙ୍କ ଯୁକ୍ତି, ତାଙ୍କ ସ୍ତ୍ରୀ ଥିଲେ ଜଣେ ଆଧ୍ୟାତ୍ମିକ ଚେତନାର ବ୍ୟକ୍ତି। ମନ୍ଦିରଟିଏ ଗଢିବାର ସ୍ବପ୍ନ ଦେଖୁଥିଲେ। ତାଙ୍କର ସ୍ବପ୍ନକୁ ସାକାର କରିଛି। ସ୍ମରଣ ରଖିବା ସକାଶେ ମନ୍ଦିରରେ ତାଙ୍କ ମୂର୍ତ୍ତି ପୂଜା କରାଯାଉଛି। ସ୍ତ୍ରୀ ପ୍ରତି ତାଙ୍କର ଗଭୀର ଭଲପାଇବାକୁ ଏହା ପ୍ରମାଣିତ କରୁଛି।

ଇତିହାସ ଭୁଲନାହିଁ, ଶେଷ ହୋଇଯିବ

ଇତିହାସ ଭୁଲନାହିଁ, ଶେଷ ହୋଇଯିବ

ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ନିକଟରେ ଶେଷ ହୋଇଛି। ଏଥିରେ ଅନେକ ସ୍ଥାନରେ ଭାଜପା ଦ୍ୱାରା ହିଂସା ଘଟାଯାଇଥିବାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଭାଜପା ନେତାମାନେ ଅର୍ଥବଳରେ ଯାହାକୁ ଚାହିଁବେ ତାହାକୁ ନେଇପାରିବେ ବୋଲି ଭାବିପାରନ୍ତି। ଆଜିକାଲି ଯାହା କୁହାଯାଉଛି ଯେ ଅର୍ଥବଳ ନ ହେଲେ ରାଜନୀତି କରିହେବ ନାହିଁ, ତାହାକୁ ବ୍ୟକ୍ତିଗତ ଅଭିଜ୍ଞତାରୁ ଅସ୍ବୀକାର କରିପାରିବି। ବିଜେପୁର ଉପନିର୍ବାଚନ ପ୍ରଚାର ଶେଷ ହେବା ପରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତଙ୍କ ଉପରେ ଯେଭଳି ଆକ୍ରମଣ ହେଲା, ତାହାକୁ ରାଜ୍ୟର ଅନ୍ୟ ସ୍ଥାନରେ ଅଣରାଜନୈତିକ ବ୍ୟକ୍ତି ବିଶ୍ୱାସ କରୁ ନ ଥିଲେ। ସାଧାରଣରେ ଚିନ୍ତା କରାଯାଉଥିଲା ଯେ ଉଭୟପଟର ଗୁଣ୍ଡା ମାରପିଟରେ ସାମିଲ ହୋଇଥିବେ। କିନ୍ତୁ ସୁଶାନ୍ତ ସିଂଙ୍କ ଭାଇଙ୍କ ଡ୍ରାଇଭର ଦିଲେଶ୍ୱର ସାହୁଙ୍କର କଟକ ଏସ୍‌ସିବି ବଡ଼ମେଡିକାଲରେ ମୃତ୍ୟୁ ଘଟିବା ପରେ ଚିତ୍ର ସ୍ପଷ୍ଟ ଜଣାପଡ଼ିଗଲା। ହିଂସା କେବେହେଲେ ଓଡ଼ିଶାବାସୀଙ୍କ ଦ୍ୱାରା ଗ୍ରହଣୀୟ ହୁଏନାହିଁ। ଓଡ଼ିଶାର ରାଜନୈତିକ ଇତିହାସ ଜାଣିଥିବା ବ୍ୟକ୍ତି ଏହି କଥା ସହିତ ସମ୍ପୂର୍ଣ୍ଣ ଏକମତ ହେବେ। ଭାଜପାର ଆକ୍ରମଣରେ ମୃତ୍ୟୁବରଣ କରିଥିବା ଦିଲେଶ୍ୱର ସାହୁଙ୍କ ପରିଚୟ ଅଜଣା ଥିଲା। ଜଣେ ନିରୀହ ଡ୍ରାଇଭରଙ୍କ ହତ୍ୟା ଅପରପକ୍ଷର ରାଜନୈତିକ ଦଳ ପାଇଁ ଅତ୍ୟନ୍ତ ମହଙ୍ଗା ପଡ଼ିବ। ପ୍ରଥମେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ମଞ୍ଚକୁ ଜୋତାଫିଙ୍ଗା ଏବଂ ପରେ ଦିଲେଶ୍ୱରଙ୍କ ହତ୍ୟାର କୁପ୍ରଭାବ ଭାଜପାର ଦୀର୍ଘମିଆଦୀ ଅକ୍ଷମଣୀୟ ରାଜନୈତିକ ତ୍ରୁଟି ସାଜିପାରେ। ଏହାର କ୍ଷତିଭରଣା କରିବା ପାଇଁ ସେହି ଦଳକୁ ଅନେକ ପିଢ଼ି ଲାଗିପାରେ।

ଅଭିବ୍ୟକ୍ତିର ଅଧିକାର

ଅଭିବ୍ୟକ୍ତିର ଅଧିକାର

ପ୍ରଦୀପ୍ତ ନାୟକ/ଭାରତୀୟ ବିଧି ବ୍ୟବସ୍ଥାରେ ଅଭିବ୍ୟକ୍ତି ବା କଥା କହିବାର ଅଧିକାର ଏକ ମୌଳିକ ଅଧିକାର। ସମ୍ବିଧାନର ତୃତୀୟ ଅନୁଚ୍ଛେଦ ଧାରା ୧୯ (୧) (କ) ଉପଧାରାରେ ପ୍ରତ୍ୟେକ ନାଗରିକର ମୁକ୍ତ ଭାବରେ ମତ ବ୍ୟସ୍ତ କରିବା ମୌଳିକ ଅଧିକାର। ପ୍ରତିବନ୍ଧକହୀନ ମୁକ୍ତ ବକ୍ତବ୍ୟ ହେଉଛି ବାକ୍‌ ସ୍ବାଧୀନତାର ମୁଖ୍ୟ ଉତ୍ସ। ଏହା ନାଗରିକର ମୁଖର ସମ୍ଭାଷଣ ହୋଇପାରେ, ଲେଖନୀ ମାଧ୍ୟମରେ ହୋଇପାରେ, ପୁସ୍ତକ, କଳା ସ୍ଥାପତ୍ୟ କିମ୍ବା ମଞ୍ଚକଳାରେ ହୋଇପାରେ। କେବଳ ଭାରତର ସମ୍ବିଧାନ ନୁହେଁ, ମଣିଷର ଏହି ଦୁର୍ମୂଲ୍ୟ ଅଧିକାର ଜାତିସଂଘର ବିଭିନ୍ନ ଆନ୍ତର୍ଜାତିକ ସନନ୍ଦ, ଘୋଷଣା ପତ୍ର, ଦଲିଲ ଯଥା ସାର୍ବଜନୀନ ମାନବିକ ଅଧିକାର ବିଶ୍ୱ ଘୋଷଣାନାମା, ନାଗରିକର ରାଜନୈତକ ଅଧିକାର ନିମନ୍ତେ ଆନ୍ତର୍ଜାତିକ ସନନ୍ଦ ପତ୍ର, ମାନବାଧିକାର ନିମନ୍ତେ ୟୁରୋପିଆନ ସନନ୍ଦ ପତ୍ର ଇତ୍ୟାଦିରେ ସ୍ଥାନ ପାଇଛି, ଯାହା ଆମ ଦେଶ ଦ୍ୱାରା ପୂର୍ଣ୍ଣ ସ୍ବୀକୃତି ପାଇଛି। ବାକ୍‌ ସ୍ବାଧୀନତା ମଣିଷର ଭାବନା, ବୁଦ୍ଧିମତ୍ତା ଓ କର୍ମ କୁଶଳତାର କେବଳ ପରିପ୍ରକାଶ ନୁହେଁ। ବରଂ ଏହା (୧) ଜଣେ ବ୍ୟକ୍ତିର ପୂର୍ଣ୍ଣତା ଆଣିବାରେ ସାହାଯ୍ୟ କରେ, (୨) ସତ୍ୟ ଉନ୍ମୋଚନ କରିବାର ବାଟ ଫିଟାଏ, (୩) ମଣିଷର ଅନ୍ତର୍ନିହିତ ଶକ୍ତି ବୃଦ୍ଧି କରେ, (୪) ସମାଜରେ ସ୍ଥିରତା ଏବଂ ପରିବର୍ତ୍ତନରେ ସମ୍ଭାବ୍ୟ ସର୍ବସମ୍ମତ ଦିଗଗୁଡ଼ିକ ପ୍ରତିପାଦିତ କରେ। ଶିକ୍ଷାର ବିକାଶ ସହିତ ରାଜନୈତିକ ଆଲୋଚନା ପର୍ଯ୍ୟାଲୋଚନା ବିନା କୌଣସି ସଂଗଠନ କିମ୍ବା ଜନଦରଦୀ ସରକାର ଠିକ୍‌ ଭାବରେ ଚାଲିପାରେ ନାହିଁ। ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୧୨୪ (କ) ବ୍ୟକ୍ତିକୁ ରାଷ୍ଟ୍ରଦ୍ରୋହ ଅପରାଧୀ ଭାବେ ଚିତ୍ରିତ କରିଥାଏ, ଯାହା ସମ୍ବିଧାନର ବାକ୍‌ ସ୍ବାଧୀନତା ଧାରା ୧୯ (୧) (କ)କୁ ବିରୁଦ୍ଧାଚରଣ କରୁଛି। ଯଦି କେହି ଭିନ୍ନମତ ପୋଷଣ କରେ କିମ୍ବା ସାମୂହିକ ଭାବରେ ଦାବି ଉପସ୍ଥାପନ କରନ୍ତି, ପୋଲିସ୍‌ ବଳ ପ୍ରୟୋଗ କରି ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଲଗାଉଛି। ୧୯୫୦ ଜାନୁୟାରୀ ୨୬ ତାରିଖରେ ଭାରତ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେବା ପରେ ଅନେକ ସମୟରେ ବିଭିନ୍ନ ବ୍ୟକ୍ତି, ଗୋଷ୍ଠୀ କିମ୍ବା ଅନୁଷ୍ଠାନର ବାକ୍‌ ସ୍ବାଧୀନତା ଅପହୃତ ହେବାର ଦେଖାଯାଇଛି। ପରେ ମାନ୍ୟବର ଅଦାଲତଙ୍କ ହସ୍ତକ୍ଷେପରେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ଗୋଷ୍ଠୀ ତାଙ୍କର ଅଧିକାର ଫେରିପାଇଛନ୍ତି। ମାତ୍ର ଏହାର ବେଗ ୨୦୧୪ରେ ଭାଜପା ସରକାର ଆସିବା ପରେ ଖୁବ୍‌ ତୀବ୍ରତର ହୋଇଛି। ଲେଖକ, କବି, ଚିତ୍ରକର, ସାମ୍ବାଦିକ ଓ ଖବର ପରିବେଷଣ ସଂସ୍ଥାମାନଙ୍କ ଉପରେ ଆକ୍ରମଣ ତୀବ୍ରତର ହୋଇଛି।

ବଦଳିଗଲାଣି ଗାଁ

ବଦଳିଗଲାଣି ଗାଁ

ଡା. ବାସୁଦେବ ପ୍ରଧାନ/ମା’ବାପା ଆଗପଛ ହୋଇ ଆରପାରିକୁ ଚାଲିଗଲେ। ସେମାନଙ୍କ କଥା ପୁଅର ସବୁବେଳେ ମନେପଡ଼େ। ସମୟକ୍ରମେ ଅନ୍ୟମାନଙ୍କ କଥା ଭୁଲିହେବ, ହେଲେ ମା’ର ସ୍ନେହ, ବାପାଙ୍କ ପରାମର୍ଶ ସହଜରେ ଭୁଲିହୁଏନି। ବାପା ସିନା କୋଉ ସ୍କୁଲ କଲେଜରେ ପଢି ନ ଥିଲେ, ହେଲେ ପୋଥି, ପୁରାଣ, ଭାଗବତ ତାଙ୍କ ତୁଣ୍ଡରେ ଥିଲା। ଗାଁଲୋକ ଶୀଘ୍ର ଶୁଅନ୍ତି ଶୀଘ୍ର ଉଠନ୍ତି। ମନ୍ଦିରରେ ମଙ୍ଗଳ ଆରତି ନ ହେଉଣୁ ପାହାନ୍ତାପହରୁ ବାପାଙ୍କ କଣ୍ଠରୁ ସୁମଧୁର ଭଜନ, ଛାନ୍ଦ, ଚଉତିଶା ଶୁଭୁଥିଲା। ତାଙ୍କ ପରାମର୍ଶ ଗୀତା ଭାଗବତ ବାଣୀଠାରୁ ଅଧିକ ମୂଲ୍ୟବାନ ଥିଲା। ପୁଅ ସେ ସବୁ ମନେ ମନେ ଘୋଷିହୁଏ। ଥରେ ବାପା ପୁଅକୁ କହିଲେ, ଯେତେ ଦୁଃଖ ଆସିଲେ ବି ଘରଡିହ ବିକିବୁନି। ଇଏ ସାତପୁରୁଷର ଘର। ଛାଆଛପର କରିବୁ। ଇଷାଣଙ୍କୁ ପୂଜା କରିବୁ। ନ ହେଲେ କୁକୁର ବିଲୁଆ ନାଟ କରିବେ। ଦୋଳମେଳଣ ବେଳେ ଦୁଆରେ ଠାକୁରଙ୍କୁ ପଂନ୍ତିଭୋଗ ବାଢିବୁ। ସବୁ ପର୍ବପର୍ବାଣି ତାକୁ ଶକ୍ତି ମୁତାବକ ପାଳିବୁ। ଅଧିକ ନ ହେଲା ନାହିଁ ଫଳେପୁଷ୍ପେ ପାଳନ କରିବୁ। ବିପଦ ଆପଦ ପଡିଲେ ନୃସିଂହ ପୁରାଣ ଲଗେଇବୁ।

ହଜି ଯାଉଥିବା ମଣିଷପଣ

ହଜି ଯାଉଥିବା ମଣିଷପଣ

ଦ୍ୱିତୀ ଚନ୍ଦ୍ର ସାହୁ/ବୋହି ଯାଉଥିବା ଝରଣା ପାଣି ପରି ନା କେବେ ଅଟକୁ ନ ଥିବା ପବନ ପରି ଆମ ସମ୍ପର୍କ। ଧରିପାରୁ ନ ଥିବା ଛାଇ ପରି ଅଳୀକ ନା କାଚକେନ୍ଦୁ ପାଣି ପରି ସ୍ବଚ୍ଛ। ସମ୍ପର୍କ ଗୋଟିଏ ଆତ୍ମିକ ଅନୁଭବ। ହୃଦୟର ପରିଭାଷା। ମନର ଭାବ। ସମ୍ପର୍କକୁ ସହଜରେ ଗଢ଼ି ହୁଏନା କି ଭାଙ୍ଗି ହୁଏନା। ସମ୍ପର୍କ ଗଢ଼ିବାକୁ ଲୋଡା ଦୃଢ଼ ବିଶ୍ୱାସ। ଆତ୍ମବିଶ୍ୱାସର ପ୍ରତ୍ୟୟ ଜାଗ୍ରତ ହେଲେ ସମ୍ପର୍କ ଦୃଢ଼ୀଭୂତ ହୁଏ। ଅନାବିଳ ଆବେଗ ତିଆରି ହୁଏ। ଆକର୍ଷଣର ଡୋରି ସୃଷ୍ଟି ହୁଏ। ସମ୍ପର୍କ ତିଆରି ହୋଇଥିବା ପରିବାର କି ବ୍ୟକ୍ତି ପ୍ରତି ମନରେ ଭାବାନ୍ତର ତିଆରି ହୁଏ। ପ୍ରତିଦାନ ସ୍ବରୂପ ବ୍ୟକ୍ତି ବା ପରିବାର ଅପରପକ୍ଷ ଲାଗି କିଛି କରିବାକୁ, କିଛି ଦେବାକୁ ବ୍ୟଗ୍ର ହୋଇଥାଏ। ଏପରିକି ନିଜର ତଥା ପରିବାରର ସ୍ବାର୍ଥକୁ ପଛକୁ ଠେଲି ସେହି ବ୍ୟକ୍ତି ତଥା ପରିବାର ପ୍ରତି ଦୁର୍ବଳତା ତିଆରି ହୁଏ। ସେହିପରି ପ୍ରତିପକ୍ଷର ମଧ୍ୟ ଅନୁରୂପ ମାନସିକତା ତିଆରି ହୁଏ। ନିରନ୍ତର ଯୋଗାଯୋଗ ଯୋଗୁ ସମ୍ପକର୍ର୍ର ଘର ତିଆରି ହୁଏ। ବେଳେ ବେଳେ କେଉଁ ଏକ ଅସତର୍କ ମୁହୂର୍ତ୍ତର ଦେଖା ସାକ୍ଷାତ ହେଉ କିମ୍ବା କିଛି ମିନିଟର ଆଲୋଚନା, ପରେ ସମ୍ପର୍କର ସେତୁବନ୍ଧ ଲାଗି ପ୍ରଶସ୍ତ ପଥ ଯୋଗାଏ। କିଛି ମୁହୂର୍ତ୍ତ ହିଁ କାଳ କାଳ ପାଇଁ ସମ୍ପର୍କ ତିଆରି କରିପାରେ। ଏମିତିକି ସବୁବେଳେ ଦେଖା ସାକ୍ଷାତ ହେଉଥିବା ସବୁ ମଣିଷ ସହିତ ବି ସମ୍ପର୍କ ତିଆରି ହୋଇପାରେନା। ଅଥଚ କେବେ ଦେଖିି ନ ଥିବା ମଣିଷ ସହ ପ୍ରଥମ ଦେଖାରୁ ସମ୍ପର୍କ ତିଆରି ହୋଇପାରେ। ସମାଜରେ ଏମିତି କିଛି ସମ୍ପର୍କ ତିଆରି ହୋଇଯାଏ ଆପେ ଆପେ। କିଛି କାରଣ, କିଛି ଅନୁଭବ, କିଛି ଘଟଣା ଦୁର୍ଘଟଣା ସମ୍ପର୍କ ତିଆରି କରେ ଏବଂ ସମ୍ପର୍କ ଭାଙ୍ଗି ଦେଇପାରେ।

ଏଇ ଭାରତରେ

ନିଶା ଉଜାଡିଦେଉଛି ସଂସାର। ସ୍ବାମୀ, ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି କରୁଛି। ଉଜୁଡିଯାଉଛି ଦାମ୍ପତ୍ୟ ସମ୍ପର୍କ। ଏଥିପାଇଁ କେବଳ ଦାରିଦ୍ର୍ୟ ଦାୟୀ ନୁହେଁ, ଧନିକ ପରିବାରରେ ମଧ୍ୟ ଅଶାନ୍ତି ସୃଷ୍ଟି କରୁଛି ମଦ। ସ୍ତ୍ରୀ ଉପରେ ଅତ୍ୟାଚାର, ନିର୍ଯାତନାର କାହାଣୀ ଶୁଣିବାକୁ ମିଳୁଛି ପ୍ରାୟ ପ୍ରତିଦିନ। ଅତିଷ୍ଠ ସ୍ତ୍ରୀ ହୁଏତ ଚରମ ନିଷ୍ପତ୍ତି ନେଇଯାଉଛି କିମ୍ବା ପୋଲିସ, ଅଦାଲତର ଆଶ୍ରୟ ନେଉଛି। କିନ୍ତୁ ପ୍ରଥମ କରି ତେଲେଙ୍ଗାନା ରାଜ୍ୟର କରିମ୍‌ନଗର ଜିଲାରେ ଘଟିଛି ଭିନ୍ନ ଏକ ଘଟଣା। ବାପାଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ତାଙ୍କର ୧୧ବର୍ଷର ପୁଅ ଏମ୍‌. ଶଶିକୁମାର ପୋଲିସରେ ଫେରାଦ ହୋଇଛନ୍ତି। ଜାମିକୁନ୍ତା ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି ଯେ, ବାପା ଏମ୍‌.ଶ୍ରୀନିବାସ ତାଙ୍କୁ ଗତ କେତେମାସ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି। ପିଲାଟିର ଏହି ଅଭିଯୋଗ ଆଧାରରେ ପୋଲିସ ଆଇପିସି ଏବଂ ଜୁଭେନାଇଲ ଆଇନରେ ମକଦ୍ଦମା ରୁଜୁ କରି ଶ୍ରୀନିବାସଙ୍କୁ ଗିରଫ କରିଛି। ବାପାଙ୍କ ନିର୍ଯାତନାରେ ଶିଶୁଟି ଏତେମାତ୍ରାରେ ଭୟଭୀତ ଯେ ସେ ଘରେ ରହିବାକୁ ଅମଙ୍ଗ।

ଗୁଜରାଟ ମଡେଲର ଭିନ୍ନ ରୂପ

ଗୁଜରାଟ ମଡେଲର ଭିନ୍ନ ରୂପ

ଆକାର ପଟେଲ/ ନୀରବ ମୋଦି ନିଜକୁ ହର୍ଷଦ ମେହେଟ୍ଟା, ହିତେନ୍‌ ଦଲାଲ, ଯତୀନ ମେହେଟ୍ଟା ଓ କେତନ ପାରେଖ ପ୍ରମୁଖ ଗୁଜରାଟୀ ଧୂର୍ତ୍ତମାନଙ୍କ ତାଲିକାରେ ସାମିଲ କରିପାରିଛନ୍ତି, ଯେଉଁମାନେ ଗତ କେଇ ବର୍ଷ ଭିତରେ ଟିକସଦାତାଙ୍କର ହଜାର ହଜାର କୋଟି ଟଙ୍କା ଚଳୁ କରିଦେଇଛନ୍ତି। ଏଠାରେ ଟିକସଦାତା ବୋଲି କହିବାର ଅର୍ଥ ହେଲା, ଏହି ଟଙ୍କା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରୁ ହଡ଼ପ କରାଯାଇଥିଲେ ମଧ୍ୟ ପରୋକ୍ଷରେ ଏହା ଦେଶର ନାଗରିକମାନଙ୍କର ହିଁ ଟଙ୍କା। ଗୁରୁବାର ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ କହିଛି ଯେ ଏହା ନିଜର ଶେୟାରଗୁଡ଼ିକୁ ୧୬୩ ଟଙ୍କା ହିସାବରେ ବିକି ସରକାରଙ୍କଠାରୁ ୫୫୦୦ କୋଟି ଟଙ୍କା ଆଣିବ। ବର୍ତ୍ତମାନ ଶେୟାରଗୁଡ଼ିକର ବଜାର ଦର ୧୧୩ ଟଙ୍କା ଅଛି ଓ ତାହା କମି କମି ଯାଉଛି। ପୁଣି ଆମେ ଏପରି ଏକ ଅଯୋଗ୍ୟ ବ୍ୟାଙ୍କରେ ନିବେଶ ପାଇଁ ଶେୟାର ପିଛା ୫୦ ଟଙ୍କା ପ୍ରିମିୟମ୍‌ ଦେଉଛୁ, ଯିଏ କି ସେହି ଟଙ୍କା ମନଇଚ୍ଛା ଅସଦ୍‌ବିନିଯୋଗ କରୁଛି। ଆମକୁ ଆଶ୍ୱାସନା ଦିଆଯାଉଛି ଯେ, ବ୍ୟାଙ୍କରେ ଟଙ୍କା ରଖିଲେ ନିରାପଦ ରହିବ। କିନ୍ତୁ ଏ ଆଶ୍ୱାସନା ମିଛ ବୋଲି ବାରମ୍ବାର ପ୍ରମାଣ ମିଳି ସାରିଲାଣି ଏବଂ ଆଗକୁ ବି ଏପରି ଘଟଣା ନିଶ୍ଚୟ ଘଟିବ। ଷ୍ଟକ୍‌ ମାର୍କେଟ୍‌ ଦୁର୍ନୀତି ବିଷୟରେ ଆମେ ଯାହା ଜାଣୁ ତାହା ହେଉଛି ପ୍ରକୃତରେ ବ୍ୟାଙ୍କ ଜାଲିଆତି, ନୀରବ ମୋଦି ଓ ଯତୀନ ମେହେଟ୍ଟାଙ୍କ ଜାଲିଆତି ପରି। ସାମ୍ବାଦିକ ଦେବାଶିଷ ବସୁ ଓ ସୁଚେତା ଦଲାଲ ଏକ ପୁସ୍ତକ ଲେଖିଛନ୍ତି, ଯାହାର ନାମ ‘ଦ ସ୍କାମ୍‌: ଫ୍ରମ୍‌ ହର୍ଷଦ ମେହେଟ୍ଟା ଟୁ କେତନ ପାରେଖ’। ସେମାନେ ପରେ ‘ଅଲ୍‌ସୋ ଇନ୍‌କ୍ଲୁଡ୍ସ ଜେପିସି ଫିଆସ୍କୋ ଆଣ୍ଡ୍‌ ଗ୍ଲୋବାଲ ଟ୍ରଷ୍ଟ ବ୍ୟାଙ୍କ ସ୍କାମ୍‌’ ନାମ ଦେଇ ଏହାକୁ ସଂଶୋଧନ କରିଛନ୍ତି। ମୁଁ ଭାବୁଛି ସେମାନେ ଏହାକୁ ଏମିତି ସଂଶୋଧନ କରିଚାଲିଥିବେ କାରଣ ଏ ଦେଶରେ ବଡ଼ ଧରଣର ବ୍ୟାଙ୍କ ଦୁର୍ନୀତିର ଅଭାବ ନାହିଁ, ଯାହା ସମୟାନ୍ତରରେ ଘଟି ଚାଲିଛି। ହର୍ଷଦ ମେହେଟ୍ଟା ପ୍ରସଙ୍ଗରେ ବସୁ ଓ ଦଲାଲ ଲେଖିଛନ୍ତି- ଦୁର୍ନୀତି ଏତେ ବଡ଼ ଯେ, ତା’ ଆଗରେ ଲକ୍ଷ ଲକ୍ଷ ଟଙ୍କା ରେଜା ପଇସା ପରି ଲାଗିବ। ଏହାର ପରିମାଣ ଆମ ଦେଶର ସ୍ବାସ୍ଥ୍ୟ ଓ ଶିକ୍ଷା ବଜେଟ୍‌ଠାରୁ ବି ଅଧିକ। ଏହା ବୋଫର୍ସ ଦୁର୍ନୀତିର ୫୦ ଗୁଣ ହେବ। ମେହେଟ୍ଟା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପାଇଁ ଯେଉଁ ସିକ୍ୟୁରିଟିଜ୍‌ କ୍ରୟ କରିଥିଲେ, ତାହାକୁ ସେ ସ୍ପେକୁଲେଶନରେ ବିନିଯୋଗ କରିଥିଲେ। ଏହି କାମରେ ତାଙ୍କୁ ସାହାଯ୍ୟ କରିଥିଲେ ଏଏନ୍‌ଜେଡ୍‌ ଗ୍ରିଣ୍ଡଲେଜ୍‌ ବ୍ୟାଙ୍କ ଏବଂ ନ୍ୟାଶ୍‌ନାଲ ହାଉସିଂ ବ୍ୟାଙ୍କ। ଉଭୟ ବ୍ୟାଙ୍କ ବିନା ବାଧାରେ ହର୍ଷଦଙ୍କ ଆକାଉଣ୍ଟକୁ ଚେକ୍‌ କ୍ରେଡିଟ୍‌ କରିଥିଲେ। ଦୁର୍ନୀତିର ଏହି ସଂକ୍ରମଣ ସାରା ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ବ୍ୟାପିଯାଇଛି। ଏଥିପାଇଁ ବ୍ୟାଙ୍କର ଜଣେ ଦୁଇଜଣ କର୍ମଚାରୀଙ୍କୁ ଦୋଷ ଦେବା ଠିକ୍‌ ନୁହେଁ। ଏ ରୋଗର ଏକମାତ୍ର ନିଦାନ ହେଉଛି ଆଇନର ଶାସନକୁ ସୁନିଶ୍ଚିତ କରିବା। ଏହା କୌଣସି ଗୋଟିଏ କ୍ଷେତ୍ରରେ ନୁହେଁ, ସବୁ କ୍ଷେତ୍ରରେ- ଟ୍ରାଫିକ୍‌ ନିୟମ ଉଲ୍ଲଂଘନଠାରୁ ଆରମ୍ଭ କରି ନରହତ୍ୟା ପର୍ଯ୍ୟନ୍ତ। ଆପରାଧିକ ନ୍ୟାୟ ବ୍ୟବସ୍ଥା ଠିକ୍‌ଭାବେ କାର୍ଯ୍ୟ କରିବା ଦରକାର। କିନ୍ତୁ ହାଇ ପ୍ରୋପାଇଲ ଅପରାଧ ଓ ଦୁର୍ନୀତି ଘଟଣାରେ ସରକାର ଠିକ୍‌ଭାବେ ଏ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି କି? ...

‘ପ୍ୟାଡ୍‌ମ୍ୟାନ୍‌’ର ସନ୍ଦେଶ

‘ପ୍ୟାଡ୍‌ମ୍ୟାନ୍‌’ର ସନ୍ଦେଶ

ପ୍ରକାଶ ତ୍ରିପାଠୀ/ ସମାଜ ଓ ସିନେମା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ସିନେମାର ପ୍ରଭାବ ସମାଜ ଉପରେ ଓ ସମାଜର ପ୍ରଭାବ ସିନେମା ଉପରେ ଥିଲେ ମଧ୍ୟ ପ୍ରଥମ ଉକ୍ତିଟିର ଯଥାର୍ଥତା ଟିକେ ଅଧିକ। ଏଥିପାଇଁ କେତେବେଳେ ସିନେମାକୁ ମିଳେ ପ୍ରଶଂସା ତ କେତେବେଳେ ମିଳେ ନିନ୍ଦା। ତେବେ ସମାଜକୁ ବଦଳାଇବାରେ, ସଂସ୍କାର ଆଣିବାରେ ସିନେମାର ଭୂମିକାକୁ ଅଣଦେଖା କରାଯାଇ ନ ପାରେ। ଏହି ପ୍ରସଙ୍ଗରେ ସମ୍ପ୍ରତି ଚର୍ଚ୍ଚାରେ ଥିବା ହିନ୍ଦୀ ସିନେମା ‘ପ୍ୟାଡ୍‌ମ୍ୟାନ୍‌’ ସମ୍ପର୍କରେ କିଛି ଆଲୋଚନା କରାଯାଇପାରେ। ଏକ ସତ୍ୟ ଘଟଣା ଆଧାରରେ ନିର୍ମିତ ‘ପ୍ୟାଡ୍‌ମ୍ୟାନ୍‌’ ଏକ ସଂସ୍କାରଧର୍ମୀ ଚଳଚ୍ଚିତ୍ର। ପ୍ୟାଡ୍‌ମ୍ୟାନ୍‌ର କାହାଣୀ ତାମିଲନାଡୁର ଅରୁଣାଚଳମ୍‌ ମୁରୁଗାନାଥମ୍‌ଙ୍କ ଜୀବନୀ ଉପରେ ପର୍ଯ୍ୟବସିତ। ଅରୁଣାଚଳମ୍‌ ହିଁ ବାସ୍ତବରେ ପ୍ୟାଡ୍‌ମ୍ୟାନ୍‌ ଭାବେ ପରିଚିତ, ଯିଏ କି ମହିଳାମାନେ ମାସିକ ଧର୍ମ ସମୟରେ ବ୍ୟବହାର କରୁଥିବା ପ୍ୟାଡ୍‌ ଉପରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଅରୁଣାଚଳମ୍‌ଙ୍କୁ ଏ ଦିଗରେ କାର୍ଯ୍ୟ କରିବାର ପ୍ରେରଣା ମିଳିଥିଲା ସେତିକିବେଳେ ଯେତେବେଳେ କି ତାଙ୍କ ପତ୍ନୀଙ୍କ ସେହି ଅସୁବିଧା ଦିନଗୁଡିକୁ ସେ ନିଜେ ଆଖିରେ ଦେଖିଲେ ଓ ପତ୍ନୀଙ୍କ ପୀଡା ଓ ବ୍ୟଥାକୁ ଅନୁଭବ କଲେ। ବିବାହ ପରେ ତାଙ୍କ ପତ୍ନୀ ଶାନ୍ତିଙ୍କୁ ମାସିକ ଧର୍ମ ସମୟରେ ଘରର ଗୋଟିଏ କୋଣରେ ବସିବାକୁ କୁହାଯାଉଥିଲା। କେହି ତାଙ୍କୁ ସ୍ପର୍ଶ କରୁ ନ ଥିଲେ କି ସେ ବି କାହାକୁ ସ୍ପର୍ଶ ନ କରିବାକୁ କୁହାଯାଇଥିଲା, ନା ସେ ରୋଷେଇ କରିପାରୁଥିଲେ ନା ଠାକୁରଘରକୁ ଯାଇପାରୁଥିଲେ। ଏପରି କି ପଲଙ୍କ ଉପରେ ଶୋଇବାକୁ ବି ବାରଣ କରାଯାଇଥିଲା। ଖାଦ୍ୟପଦାର୍ଥ, ଗଛପତ୍ର ବି ଛୁଇଁବାକୁ ଥିଲା ବାରଣ। ସମ୍ପୂର୍ଣ୍ଣ ଅସ୍ପୃଶ୍ୟ ହୋଇଯାଉଥିଲେ ସେ କିଛିଦିନ। ତାଙ୍କୁ ଯେଉଁ କପଡା ବ୍ୟବହାର କରିବାକୁ ଦିଆଯାଉଥିଲା ତାହା ଥିଲା ଘରର ପରିତ୍ୟକ୍ତ କପଡ଼ା। ଏପରି କି ସେହି କପଡା ସାଇକେଲ ପୋଛିବା ପାଇଁ ବି ଅନୁପଯୁକ୍ତ ଥିଲା ବୋଲି କୁହନ୍ତି ଅରୁଣାଚଳମ୍‌। ସାମାଜିକ କଟକଣା ପାଇଁ ସେ ଯେତିକି ବ୍ୟଥିତ ନ ଥିଲେ, ତା’ଠାରୁ ଅଧିକ ଚିନ୍ତା ଥିଲା ପତ୍ନୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନେଇ। ସେତେବେଳେ ସେ କୌଣସି କର୍ମନିଯୁକ୍ତି ପାଇ ନ ଥିଲେ। ମାର୍କେଟରୁ ଦାମିକିଆ ନାପ୍‌କିନ୍‌ ବି କିଣି ପତ୍ନୀଙ୍କୁ ଦେବାକୁ ସେ ସକ୍ଷମ ନ ଥିଲେ। ଏହି ଦୁରବସ୍ଥାର ସମାଧାନ ପାଇଁ ଚିନ୍ତାକଲେ ଅରୁଣାଚଳମ୍‌। କିପରି କମ୍‌ ଖର୍ଚ୍ଚରେ ପରିଷ୍କାର, ସ୍ବାସ୍ଥ୍ୟପ୍ରଦ ପ୍ୟାଡ୍‌ ତିଆରି କରାଯାଇପାରିବ ସେ ବିଷୟରେ ଦିନରାତି ଚିନ୍ତା କରିବାକୁ ଲାଗିଲେ। ପ୍ୟାଡ୍‌ର ତିଆରି କୌଶଳ ବି ଅନୁଧ୍ୟାନ କଲେ। ନିଜେ କମ୍‌ ଖର୍ଚ୍ଚରେ କିପରି ନାପ୍‌କିନ୍‌ ପ୍ରସ୍ତୁତ କରିପାରିବେ ସେଥିପାଇଁ ଦିନରାତି ଏକ କରିଦେଲେ। ସେଥିପାଇଁ ସେ ସମାଜରୁ ପାଇଛନ୍ତି ଅନେକ କଟୁ ମନ୍ତବ୍ୟ, ତାଚ୍ଛଲ୍ୟ ଓ ଉପହାସ। କିନ୍ତୁ କୌଣସିଥିରେ ଦବି ନ ଯାଇ ନିଷ୍ଠାର ସହ ଉଦ୍ୟମ ଜାରି ରଖିଲେ ଓ ଶେଷରେ ସଫଳ ହେଲେ। ସାନିଟାରୀ ପ୍ୟାଡ୍‌ ତିଆରି ମେଶିନ ଉଦ୍ଭାବନ ସହ କମର୍ସିଆଲ ପ୍ୟାଡ୍‌ ଦାମ୍‌ର ଏକତୃତୀୟାଂଶ ମୂଲ୍ୟରେ ସେ ପ୍ରସ୍ତୁତ କଲେ ପ୍ୟାଡ୍‌। ଯେଉଁମାନେ ଅରୁଣାଚଳମ୍‌ଙ୍କୁ ଉପହାସ କରୁଥିଲେ ସେହିମାନେ ହିଁ ତାଙ୍କୁ ଶେଷରେ ପ୍ରଶଂସା କଲେ। ସମ୍ମାନ ଜଣାଇଲେ। ଅରୁଣାଚଳମ୍‌ଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ରାତାରାତି ପ୍ରସିଦ୍ଧି ବି ମିଳିଗଲା। ହାଓ୍ବାର୍ଡ ବିଶ୍ୱବିଦ୍ୟାଳୟ, ଆଇଆଇଟି, ବମ୍ବେ ଓ ଆଇଆଇଏମ୍‌, ବାଙ୍ଗାଲୋର ପକ୍ଷରୁ ନିଜ ଉଦ୍ଭାବନ ସମ୍ପର୍କରେ ବିଦ୍ୟାର୍ଥୀମାନଙ୍କୁ ପଢାଇବା ପାଇଁ ଆମନ୍ତ୍ରଣ ଆସିଲା। ୨୦୧୪ ମସିହାରେ ଟାଇମ୍ସ ମାଗାଜିନ ପକ୍ଷରୁ ବିଶ୍ୱର ୧୦୦ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଅରୁଣାଚଳମ୍‌ଙ୍କ ନାମ ବି ପ୍ରକାଶ ପାଇଲା। ଭାରତ ସରକାର ବି ତାଙ୍କୁ ସମ୍ମାନିତ କରିବାକୁ ଭୁଲିନାହାନ୍ତି। ୨୦୧୬ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଅରୁଣାଚଳମ୍‌ଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଛି ପ୍ୟାଡ୍‌ମ୍ୟାନ୍‌ ଚଳଚ୍ଚିତ୍ର। ତାଙ୍କ ଚରିତ୍ରକୁ ଅତି ସୁନ୍ଦର ଭାବେ ଫୁଟାଇଛନ୍ତି ଅକ୍ଷୟ କୁମାର ଲକ୍ଷ୍ମୀକାନ୍ତ ଚୌହାନ ଭୂମିକାରେ। ଅକ୍ଷୟ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଟୁଇଙ୍କିଲ ଖାନ୍ନା ଜଣେ ଉଚ୍ଚସ୍ତରର ଲେଖିକା ଓ ସ୍ତମ୍ଭକାର। ଅନେକ ଇଂଲିଶ ପତ୍ରପତ୍ରିକାରେ ଗତ କିଛିବର୍ଷ ହେବ ସେ ନିୟମିତ ସ୍ତମ୍ଭ ଲେଖୁଛନ୍ତି। ସେହିସବୁ ଆଲେଖ୍ୟକୁ ନେଇ ଗତବର୍ଷ ପ୍ରକାଶ ପାଇଥିଲା ତାଙ୍କର ଏକ ସଂକଳନ ‘ଦି ସାନିଟାରୀ ମ୍ୟାନ୍‌ ଅଫ୍‌ ସାକ୍ରେଡ୍‌ ଲ୍ୟାଣ୍ଡ୍‌’। ଏହି ସଂକଳନରେ ପ୍ୟାଡ୍‌ମ୍ୟାନ୍‌ ଅରୁଣାଚଳମ୍‌ଙ୍କ ସମ୍ପର୍କରେ ଗୋଟିଏ ଲେଖା ରହିଛି, ଯାହା ଆଧାରରେ ନିର୍ଦ୍ଦେଶକ ଆର୍‌. ବାଲ୍‌କି ‘ପ୍ୟାଡ୍‌ମ୍ୟାନ୍‌’ ସିନେମା ପ୍ରସ୍ତୁତ କରିଛନ୍ତି। ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଏହା ଖୁବ୍‌ ଶିକ୍ଷଣୀୟ ଓ ଉପାଦେୟ ହୋଇପାରିଛି। ମାସିକ ଧର୍ମର ଗୁରୁତ୍ୱକୁ ସୁନ୍ଦର ଭାବେ ଉପସ୍ଥାପିତ କରାଯିବା ସହ ଏହି ସମୟରେ ମହିଳାମାନଙ୍କୁ ଅଛୁଆଁ ଓ ନୂ୍ୟନ ମଣିବା ବଦଳରେ ଆଦର, ଯତ୍ନ ଓ ସମ୍ମାନ ଦେବା ଆବଶ୍ୟକ ବୋଲି ଏଥିରେ ସନ୍ଦେଶ ରହିଛି।...

ଆକାଶର ରାଣୀ

ଆକାଶର ରାଣୀ

ବ୍ୟକ୍ତିତ୍ୱ-ଜିତେନ୍ଦ୍ର/ ଭାରତର ଅନେକ ରାଜ୍ୟରେ ଝିଅ ଓ ପୁଅ ଅନୁପାତରେ ବହୁ ତଫାତ୍‌ ଲକ୍ଷ୍ୟ କରାଯାଉଛି। କନ୍ୟାଭ୍ରୂଣ ହତ୍ୟା ପଛରେ ମୁଖ୍ୟ ଉଦ୍ଦେଶ୍ୟ ଝିଅକୁ ବୋଝ ଭାବେ ଅନେକେ ଭାବି ନେଉଛନ୍ତି। କିନ୍ତୁ ଆହୁରି ଅନେକେ ଅଛନ୍ତି କନ୍ୟା ସନ୍ତାନକୁ ଠିକ୍‌ ଭାବେ ଲାଳନପାଳନ କରି ଉଚ୍ଚଶିକ୍ଷିତା କରାଉଛନ୍ତି। ପୁଅ ଓ ଝିଅ ଭିତରେ ପାର୍ଥକ୍ୟ ଦେଖୁ ନ ଥିବା ବ୍ୟକ୍ତିଙ୍କୁ ହିଁ ଶେଷରେ ପୁରସ୍କାର ମିଳୁଛି। ଝିଅକୁ ସମାଜ ଆଗରେ ପ୍ରତିଷ୍ଠିତ କରିପାରିଥିବା ଏଭଳି ମାତାପିତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥାନ୍ତି। ମଧ୍ୟପ୍ରଦେଶ ସତନା ଜିଲାର ଦିନାକର ଚତୁର୍ବେଦୀ ଓ ତାଙ୍କ ପତ୍ନୀ କନ୍ୟା ଜନ୍ମ ହେବା ପରେ ତାକୁ ନେଇ ହୁଏତ ଅନେକ ସ୍ବପ୍ନ ଦେଖିଥିବେ। ଝିଅ ନାମ ଅବନୀ ବା ଧରିତ୍ରୀ ଦେଲା ବେଳେ ମାତାପିତା ତାଙ୍କ ଗତିପଥ ଯେ ଆକାଶ ଆଡ଼କୁ ହେବ ଜାଣି ନ ଥାଇପାରନ୍ତି, ମାତ୍ର ସେ ଆଜି ଆକାଶମୁହଁା। କୋଟି କୋଟି ପୁଅ ସାହସ ଦେଖାଇ ଯେଉଁ କାର୍ଯ୍ୟ କରିବାକୁ ଯୋଗ୍ୟ ନୁହନ୍ତି, ସେ ଆଜି ତାହା କରିପାରିଥିବାରୁ ତାଙ୍କ ନାମ ସାଧାରଣ ଜ୍ଞାନ ସ୍ତରକୁ ଯାଇପାରିଛି। ଅବନୀ ଚତୁର୍ବେଦୀ ପାଲଟିଯାଇଛନ୍ତି ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଏକାକୀ ଯୁଦ୍ଧବିମାନ ଉଡ଼ାଇଥିବା ମହିଳା ପାଇଲଟ୍‌। ୨୦୧୮ ଫେବୃୟାରୀ ୧୯ରେ ସେ ମିଗ୍‌-୨୧ ବିସନ ଲଢ଼ୁଆ ବିମାନ ଗୁଜରାଟର ଜାମନଗର ଏୟାରବେସ୍‌ରେ ଉଡ଼ାଇ ଏହି ମାଇଲଖୁଣ୍ଟ ଅତିକ୍ରମ କରିବା ପରେ ଏବେ ତାଙ୍କ ଯାତ୍ରାପଥର କାହାଣୀ ଜାଣିବାକୁ ସମସ୍ତେ ଆଗ୍ରହୀ।