ବାଣିଜ୍ୟ

ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରୀଭଡ଼ା ହ୍ରାସ

ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରୀଭଡ଼ା ହ୍ରାସ

ନୂଆଦିଲ୍ଲୀ, ୧୭-୪ ରାଜଧାନୀ, ଶତାବ୍ଦୀ, ଦୂରନ୍ତୋ, ଗତିମାନ ତଥା ତେଜସ ଭଳି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ରେଳ ଭଡ଼ା ପୂର୍ବତୁଳନାରେ ଏଥର କମ ହେବ। ଇଣ୍ଡିଆନ୍‌ ରେଲ୍‌ଓ୍ବେ କ୍ୟାଟେରିଂ ଆଣ୍ଡ୍‌ ଟୁରିଜମ କର୍ପୋରେଶନ (ଆଇଆରସିଟିସି) ଖାଦ୍ୟ ପଦାର୍ଥ ଉପରେ ଏପ୍ରିଲ୍‌ ୧୬ରୁ ଜିଏସ୍‌ଟି ହ୍ରାସ କରିଥିବାରୁ ଏହି ସୁବିଧା ଯାତ୍ରୀମାନେ ଲାଭ କରି ପାରିବେ।

ଦେଶରେ ସବୁଠୁ ଅଧିକ ବେତନ ଦେଉଛି ବାଙ୍ଗାଲୋର

ଦେଶରେ ସବୁଠୁ ଅଧିକ ବେତନ ଦେଉଛି ବାଙ୍ଗାଲୋର

ନୂଆଦିଲ୍ଲୀ,୧୬-୪ ଭାରତରେ ସବୁଠାରୁ ଅଧିକ ବେତନ ପ୍ରଦାନ କରୁଥିବା ସହର ହେଉଛି ବାଙ୍ଗାଲୋର। ସେହିପରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ସବୁଠାରୁ ଅଧିକ ବେତନଭୋଗୀ। ରାଣ୍ଡଷ୍ଟାଡ୍‌ ଇନ୍‌ସାଇଟ୍ସ ଗବେଷଣା ସଂସ୍ଥା ଏକ ରିପୋର୍ଟରେ ଏହା ଦର୍ଶାଇଛି। ଏଥିରେ କୁହାଯାଇଛି, ବାଙ୍ଗାଲୋରଭିତ୍ତିକ କମ୍ପାନୀଗୁଡିକ ବିଭିନ୍ନ କ୍ଷେତ୍ର ଓ ବର୍ଗର ଟ୍ୟାଲେଣ୍ଟ୍‌ ପାଇଁ ବର୍ଷକୁ ପାଖାପାଖି ୧୦ ଲକ୍ଷ ୮ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ପଛକୁ ପୁଣେ, ନୂଆଦିଲ୍ଲୀ, ବମ୍ବେ, ମାଡ୍ରାସ, ହାଇଦ୍ରାବାଦ ଏବଂ କଲିକତା ଭଳି ସହର ଅଛନ୍ତି। ଏହି ସହରଗୁଡିକ ଯଥାକ୍ରମେ, ୧୦.୩ ଲକ୍ଷ, ୯.୯ ଲକ୍ଷ, ୯.୯ ଲକ୍ଷ, ୯.୨ ଲକ୍ଷ, ୮ ଲକ୍ଷ, ୭.୯ ଲକ୍ଷ ଏବଂ ୭.୨ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।

ଇ-ଯାନ ଚାର୍ଜିଂ ଷ୍ଟେଶନ ପାଇଁ ଲୋଡା ନାହିଁ ଲାଇସେନ୍ସ

ଇ-ଯାନ ଚାର୍ଜିଂ ଷ୍ଟେଶନ ପାଇଁ ଲୋଡା ନାହିଁ ଲାଇସେନ୍ସ

ନୂଆଦିଲ୍ଲୀ, ୧୬-୪(ପି.ଟି.) ବିଦ୍ୟୁତ୍‌ ଚାଳିତ ଯାନ ବା ଇ-ଭେଇକିଲ୍‌ ଗୁଡିକ ପାଇଁ ଚାର୍ଜିଂ ଷ୍ଟେଶନ ହେଉଛି ଏକ ପ୍ରମୁଖ ଆବଶ୍ୟକତା। ଏହି ଚାର୍ଜିଂ ଷ୍ଟେଶନ ପାଇଁ କୌଣସି ପ୍ରକାର ଲାଇସେନ୍ସ ଆବଶ୍ୟକ ନାହିଁ। ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଇଲେକ୍ଟ୍ରିସିଟି ଆକ୍ଟ ଅନୁସାରେ ବିଦ୍ୟୁତ୍‌ ସଂଚାରଣ, ବିତରଣ ଏବଂ ବ୍ୟବସାୟ ପାଇଁ ଲାଇସେନ୍ସ ଆବଶ୍ୟକ। କିନ୍ତୁ ଉପରୋକ୍ତ ତିନୋଟି ଶ୍ରେଣୀରେ ଚାର୍ଜିଂ ଷ୍ଟେଶନ ଅନ୍ତର୍ଭୁକ୍ତ ନୁହେଁ ବୋଲି ମନ୍ତ୍ରଣାଳୟ ପ୍ରକାଶ କରିଛି।

ଶ୍ରୀନିବାସନ ଭେଙ୍କଟକ୍ରିଷ୍ଣନ୍‌ ବେଦାନ୍ତ ରିସୋର୍ସେସ୍‌ ସିଇଓ

ଶ୍ରୀନିବାସନ ଭେଙ୍କଟକ୍ରିଷ୍ଣନ୍‌ ବେଦାନ୍ତ ରିସୋର୍ସେସ୍‌ ସିଇଓ

ନୂଆଦିଲ୍ଲୀ,୧୬-୪(ପି.ଟି.) ଅନିଲ ଅଗ୍ରଓ୍ବାଲଙ୍କ ନେତୃତ୍ୱାଧୀନ ବେଦାନ୍ତ ରିସୋର୍ସେସ୍‌ ଏହାର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ(ସିଇଓ) ଭାବେ ଶ୍ରୀନିବାସନ୍‌ ଭେଙ୍କଟକ୍ରିଷ୍ଣନ୍‌ଙ୍କ ନାମ ଘୋଷଣା କରିଛି। ମଧ୍ୟବର୍ତ୍ତୀକାଳୀନ ସିଇଓ କୁଲ୍‌ଦୀପ କୌରାଙ୍କ ସ୍ଥାନରେ ଭେଙ୍କଟକ୍ରିଷ୍ଣନ୍‌୍‌ ଅବସ୍ଥାପିତ ହେବେ। ସେ ବର୍ତ୍ତମାନ ଜୋହାନ୍ସବର୍ଗଭିତ୍ତିକ କମ୍ପାନୀ ଆଙ୍ଗ୍‌ଲୋଗୋଲ୍‌ଡ ଆଶାନ୍ତି ଲିମିଟେଡ୍‌ର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ଆଙ୍ଗ୍‌ଲୋଗୋଲ୍‌ଡ ଆଶାନ୍ତି ବିଶ୍ୱର ଏକ ପ୍ରମୁଖ ସୁନା ଉତ୍ପାଦନକାରୀ ଭାବେ ଜଣା।

ନକ୍ସଲ ଅଞ୍ଚଳରେ ବସିବ ୪,୦୭୨ ମୋବାଇଲ ଟାଓ୍ବାର

ନକ୍ସଲ ଅଞ୍ଚଳରେ ବସିବ ୪,୦୭୨ ମୋବାଇଲ ଟାଓ୍ବାର

ନୂଆଦିଲ୍ଲୀ,୧୬-୪(ପି.ଟି.) ଓଡ଼ିଶା ସମେତ ଦଶଟି ରାଜ୍ୟର ନକ୍ସଲ ଉପଦ୍ରୁତ ଅଞ୍ଚଳରେ ସରକାର ୪,୦୭୨ ମୋବଇଲ ଟାଓ୍ବାର ବସାଇବା ପାଇଁ ଯୋଜନା କରୁଛନ୍ତି। ଏହା ମାଧ୍ୟମରେ ଏସବୁ ଅଞ୍ଚଳରେ ଟେଲିକମ୍‌ ନେଟ୍‌ଓ୍ବର୍କକୁ ସୁଦୃଢ଼ କରିବାର ଲକ୍ଷ୍ୟ ରଖାଯାଇଛି। ମୋବାଇଲ ଟାଓ୍ବାର ଫେଜ୍‌-୨ ସ୍କିମ୍‌ ଅଧୀନରେ ଏହି ପ୍ରସ୍ତାବକୁ ଟେଲିକମ୍‌ ଆୟୋଗ ମଞ୍ଜୁରୀ ଦେଇଛି। ଏବେ ଏହାକୁ କ୍ୟାବିନେଟ୍‌ ମଞ୍ଜୁରୀ ପାଇଁ ପଠାଯାଇଛି। ଖୁବ୍‌ଶୀଘ୍ର ଏହାକୁ ମଞ୍ଜୁରୀ ମିଳିପାରେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।

ଜିଏସ୍‌ଟି ପ୍ରଭାବ ଯୋଗୁ ପରିବର୍ତ୍ତନ ହୋଇପାରେ ବେତନ ପ୍ୟାକେଜ୍‌

ଜିଏସ୍‌ଟି ପ୍ରଭାବ ଯୋଗୁ ପରିବର୍ତ୍ତନ ହୋଇପାରେ ବେତନ ପ୍ୟାକେଜ୍‌

ନୂଆଦିଲ୍ଲୀ, ୧୬-୪(ପି.ଟି.) ଭାରତୀୟ କମ୍ପାନୀଗୁଡ଼ିକୁ ସେମାନଙ୍କ କର୍ମଚାରୀଙ୍କ ଦରମା ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ପଡ଼ିବ। ନଚେତ ସେମାନଙ୍କୁ ଅତିରିକ୍ତ ପରୋକ୍ଷ ଟିକସ ବୋଝ ମୁଣ୍ଡାଇବାକୁ ପଡିପାରେ। ମାନବ ସମ୍ବଳ ସୁବିଧା ବା କମ୍ପେନ୍‌ସେସନ ପ୍ୟାକେଜ୍‌ ବ୍ୟବସ୍ଥାକୁ ପୁନଃ ସଂରଚନା ନ କଲେ କମ୍ପାନୀଗୁଡ଼ିକୁ ବର୍ତ୍ତମାନ ତୁଳନାରେ ଅଧିକ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବହନ କରିବାକୁ ପଡିପାରେ। ଟିକସ ବିଶେଷଜ୍ଞମାନେ ଏଭଳି ଅନୁମାନ କରୁଛନ୍ତି।

ଭୋଡାଫୋନ୍‌-ଆଇଡିଆ ମିଶ୍ରଣରେ ଛଟେଇ ହେବେ ୫,୦୦୦ କର୍ମଚାରୀ

ଭୋଡାଫୋନ୍‌-ଆଇଡିଆ ମିଶ୍ରଣରେ ଛଟେଇ ହେବେ ୫,୦୦୦ କର୍ମଚାରୀ

ନୂଆଦିଲ୍ଲୀ,୧୬।୪- ଦେଶର ଦୁଇ ପ୍ରମୁଖ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭୋଡାଫୋନ୍‌ ଏବଂ ଆଇଡିଆ ସେଲ୍ୟୁଲାର ଶୀଘ୍ର ଗୋଟିଏ କମ୍ପାନୀରେ ରୂପାନ୍ତରିତ ହେବେ। ଦୁଇ କମ୍ପାନୀରେ ପ୍ରାୟ ୨୧,୦୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ କର୍ମଚାରୀ ଛଟେଇ ହେବାର ସମ୍ଭାବନା ରହିଛି ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ଏହା ସୂଚନା ଦେଇଛନ୍ତି।

ଆମ୍ରିରେ ଖୋଲିଲା ଲିଭର ଟ୍ରିଟ୍‌ମେଣ୍ଟ ଓପିଡି କ୍ଲିନିକ

ଆମ୍ରିରେ ଖୋଲିଲା ଲିଭର ଟ୍ରିଟ୍‌ମେଣ୍ଟ ଓପିଡି କ୍ଲିନିକ

ଭୁବନେଶ୍ୱର, ୧୬-୪(ବ୍ୟୁରୋ) ଯକୃତଜନିତ ରୋଗର ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲ୍‌ରେ ଏକ ବହିର୍ବିଭାଗ ବ୍ୟବସ୍ଥା କରାଯାଇଛି। ଦିଲ୍ଲୀଭିତ୍ତିକ ମଲ୍ଟି-ସ୍ପେଶିଆଲିଟି ମେଡିକାଲ ଇନ୍‌ଷ୍ଟିଚ୍ୟୁଟ ‘ମେଦାନ୍ତ-ଦି ମେଡିସିଟି’ର ମିଳିତ ସହଯୋଗରେ ଏହି ‘ଲିଭର ଟ୍ରିଟ୍‌ମେଣ୍ଟ ଓପିଡି କ୍ଲିନିକ୍‌’ ଏପ୍ରିଲ୍‌ ୧୫ରୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଆମ୍ରି ହସ୍ପିଟାଲ୍‌ ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କୁହାଯାଇଛି ଯେ, ଯକୃତଜନିତ ରୋଗରେ ପୀଡିତଙ୍କ ପାଇଁ ଏହି ବହିର୍ବିଭାଗ ମାସକୁ ଥରଟିଏ ଖୋଲା ରହିବ।

ଫ୍ଲିପ୍‌କାର୍ଟରେ ଆହୁରି ଶସ୍ତା ହେବ ସାମଗ୍ରୀ

ଫ୍ଲିପ୍‌କାର୍ଟରେ ଆହୁରି ଶସ୍ତା ହେବ ସାମଗ୍ରୀ

ନୂଆଦିଲ୍ଲୀ,୧୬।୪- ଅନ୍‌ଲାଇନ୍‌ରେ ବିଭିନ୍ନ ସାମଗ୍ରୀ କିଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଦିନକୁଦିନ ବଢୁଛି। ଏହାକୁ ଦୃଷ୍ଟିରେ ରଖି ଅନ୍‌ଲାଇନ୍‌ ସାଇଟ୍‌ଗୁଡିକ ଗ୍ରାହକଙ୍କୁ ବିଭିନ୍ନ ରିହାତି ଦେଉଛନ୍ତି। ପ୍ରମୁଖ ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ ଭିନ୍ନଭିନ୍ନ ସାମଗ୍ରୀ ଉପରେ ଗ୍ରାହକଙ୍କୁ ବିଭିନ୍ନ ଅଫର ପ୍ରଦାନ କରୁଛି। ଫଳରେ ଗ୍ରାହକ ଏଠାରୁ ଆହୁରି ଶସ୍ତାରେ ଭିନ୍ନଭିନ୍ନ ସାମଗ୍ରୀ ପାଇପାରିବେ।

ଇପିଏଫଓ ସୁଧହାର ନେଇ ଅର୍ଥମନ୍ତ୍ରଣାଳୟ ସହ ନାହିଁ ମତଭେଦ

ଇପିଏଫଓ ସୁଧହାର ନେଇ ଅର୍ଥମନ୍ତ୍ରଣାଳୟ ସହ ନାହିଁ ମତଭେଦ

ନୂଆଦିଲ୍ଲୀ,୧୬।୪- ଦେଶରେ ୫କୋଟିରୁ ଉର୍ଦ୍ଧ୍ୱ ରିଟାୟାରମେଣ୍ଟ ଫଣ୍ଡ ବଡି କର୍ମଚାରୀ ଭବିଶ୍ୟନିଧି ସଙ୍ଗଠନ(ଇପିଏଫ୍‌ଓ)ର ଉପଭୋକ୍ତା ରହିଛନ୍ତିି। ସେମାନଙ୍କ ଉଦ୍ଦେଶ୍ୟରେ ୨୦୧୭-୧୮ ଆର୍ଥତ୍କବର୍ଷ ପାଇଁ ୮.୫୫% ସୁଧହାର ଦିଆଯିବା ନେଇ ହୋଇଥିବା ଚୁକ୍ତିକୁ ନେଇ ଅର୍ଥମନ୍ତ୍ରଣାଳୟ ସହ କୌଣସି ପ୍ରକାର ମତଭେଦ ହୋଇନାହିଁ ବୋଲି ଶ୍ରମ ମନ୍ତ୍ରୀ ଗଙ୍ଗଓ୍ବାର କହିଛନ୍ତି।

କର୍ମଚାରୀଙ୍କ ପାଇଁ ଖୁସି ଖବର, ଚଳିତ ବର୍ଷ ଦରମାବୃଦ୍ଧି ଆଶା

କର୍ମଚାରୀଙ୍କ ପାଇଁ ଖୁସି ଖବର, ଚଳିତ ବର୍ଷ ଦରମାବୃଦ୍ଧି ଆଶା

ନୁଆଦିଲ୍ଲୀ,୧୬।୪- ଚଳିତ ଆର୍ଥତ୍କ ବର୍ଷରେ କର୍ମଚାରୀଙ୍କର ହାରାହାରି ବେତନରେ ୯-୧୨% ବୃଦ୍ଧି ହୋଇପାରେ। ଅପର ପକ୍ଷରେ ଅନୁଷ୍ଠାନଗୁଡିକ ନିଜର ପ୍ରମୁଖ କର୍ମଚାରିଙ୍କୁ ଅନୁଷ୍ଠାନରେ ରଖିବ। ତେଣୁ ସେମାନଙ୍କ ବେତନରେ ହରାହାରି ୧୫% ବୃଦ୍ଧି ଘଟିବ ବୋଲି ମାନବ ସମ୍ବଳ ବିଶେଷଜ୍ଞ ମାନେ ମତ ରଖିଛନ୍ତି। କମ୍ପାନିଗୁଡିକ ନିଜ ଅନୁଷ୍ଠାନର ଉନ୍ନତ ପ୍ରଦର୍ଶନକାରୀ ଏବଂ ମଧ୍ୟମ ପ୍ରଦର୍ଶନକାରୀଙ୍କୁ ଦୁଇ ଭାଗରେ ବିଭକ୍ତ କରିବା ସହିତ ସେମାନଙ୍କ ଭିତରେ ରହିଥିବା ପାର୍ଥକ୍ୟକୁ ସୂଚାଇବା ପାଇଁ ପରିବର୍ତ୍ତନ ବେତନ, ବେତନ ବୃଦ୍ଧି ଏବଂ କ୍ୟାରିୟର ସୁଯୋଗ ଭଳି ଉପାୟ ଲାଗୁ ଉପରେ ଧ୍ୟାନ ଦେଇଛନ୍ତି। ଚଳିତ ବର୍ଷ ଏଫ୍‌ଏମ୍‌ସିଜି, ରିଟେଲ୍‌, ମିଡିଆ ଓ ବିଜ୍ଞାପନ ଭଳି କ୍ଷେତ୍ରକୁ ସକରାମକ ମୂଲ୍ୟାଙ୍କନ ମିଳିଛି।

ଖୁଚୁରା ବ୍ୟବସାୟ ଜାତୀୟ ନୀତି ଆଣିବାକୁ ଶିଳ୍ପ ସଂଘର ଦାବୀ

ଖୁଚୁରା ବ୍ୟବସାୟ ଜାତୀୟ ନୀତି ଆଣିବାକୁ ଶିଳ୍ପ ସଂଘର ଦାବୀ

ନୂଆଦିଲ୍ଲୀ,୧୬।୪- ରିଟେଲ୍‌ ବ୍ୟବସାୟ ପାଇଁ ଜାତୀୟ ନୀତି ଏବଂ ଦେଶ ମଧ୍ୟରେ ଆଭ୍ୟନ୍ତରୀଣ ବ୍ୟବସାୟ ପାଇଁ ଏକ ସ୍ବତନ୍ତ୍ର ମନ୍ତ୍ରଣାଳୟ ଗଠନ କରିବାକୁ ଅଖିଳ ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି। ବାଣିଜ୍ୟ ମନ୍ତ୍ରଣାଳୟ ପରିବର୍ତ୍ତେ ବର୍ହିବ୍ୟାପାର ମନ୍ତ୍ରଣାଳୟକୁ ବିଦେଶ ବ୍ୟାପାର ଦାୟିତ୍ୱ ପ୍ରଦାନ କରିବାକୁ ସିଏଆଇଟି କହିଛି। ଏହି ପଦକ୍ଷେପ ଦ୍ୱାରା ଘରୋଇ ବଜାରରେ ବ୍ୟବସାୟ ମଜବୁତ ହେବା ସହିତ ଦେଶର ରପ୍ତାନୀରେ ମଧ୍ୟ ସୁଧାର ଆସିବ ବୋଲି ସଂଘ ଦାବି କରିଛି।

ଆଇସିଆଇସିଆଇ ଋଣ ମାମଲାରେ କୌଣସି ଜାଲିଆତି ପାଇ ନ ଥିଲା ଆର୍‌ବିଆଇ

ଆଇସିଆଇସିଆଇ ଋଣ ମାମଲାରେ କୌଣସି ଜାଲିଆତି ପାଇ ନ ଥିଲା ଆର୍‌ବିଆଇ

ବମ୍ବେ, ୧୬-୪(ପି.ଟି.) କ୍ଷତିରେ ଚାଲିଥିବା ଭିଡିଓକନ କମ୍ପାନୀକୁ ଆଇସିଆଇସିଆଇ ବ୍ୟାଙ୍କ ଦେଇଥିବା ଋଣ ସଂକ୍ରାନ୍ତରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଦୁଇବର୍ଷ ପୂର୍ବରୁ ଯାଞ୍ଚ କରିଥିଲା। କିନ୍ତୁ ଏଥିରେ କୌଣସି ପ୍ରକାର ଲାଞ୍ଚ ମିଛ ବା ପାରସ୍ପରିକ ଫାଇଦା ଉଠାଇଲା ଭଳି ଜାଲିଆତି କାରବାର ଆର୍‌ବିଆଇ ହାତରେ ଲାଗି ନ ଥିଲା। ଆର୍‌ବିଆଇ ଡକ୍ୟୁମେଣ୍ଟରୁ ଏଭଳି ଖବର ସାମ୍ନାକୁ ଆସିଛି। ଭିଡିଓକନ ଗ୍ରୁପ୍‌ର ମାଲିକ ବେଣୁଗୋପାଳ ଧୂତଙ୍କ ଠାରୁ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦୀପକ କୋଚ୍ଚର ବେଆଇନ୍‌ ଭାବେ ଫାଇଦା ଉଠାଉଛନ୍ତି।

ପୁଣି ୮୦୦୦ କୋଟିର ଏନ୍‌ପିଏ ବୋଝ

ପୁଣି ୮୦୦୦ କୋଟିର ଏନ୍‌ପିଏ ବୋଝ

ନୂଆଦିଲ୍ଲୀ,୧୫-୪(ପି.ଟି) ବ୍ୟାଙ୍କିଙ୍ଗ ଶିଳ୍ପ ସାମ୍ନାରେ ଅନାଦେୟ ପରିସମ୍ପତ୍ତି (ଏନ୍‌ପିଏ)ଏକ ଚିନ୍ତାର କାରଣ ହୋଇଥିବା ବେଳେ ଦିନକୁ ଦିନ ଏହା ବଢି ଚାଲିଛି। ୨୦୧୭-୧୮ ଆର୍ଥତ୍କ ବର୍ଷର ମାର୍ଚ୍ଚ ୩୧ ତ୍ରୈମାସ ଶେଷ ସୁଦ୍ଧା ବ୍ୟାଙ୍କଗୁଡିକ ପ୍ରଦାନ କରିଥିବା ୮୦୦୦ କୋଟି ଟଙ୍କାର ଋଣ ଏନ୍‌ପିଏରେ ପରିଣତ ହୋଇଥିବା ଜଣାଯାଇଛି। ବୃହତ୍‌ ଋଣ ଘୋଟାଲାରେ ସମ୍ପୃକ୍ତ ମେହୁଲ ଚୋକ୍‌ସୀଙ୍କୁ ପ୍ରଦାନ କରାଯାଇଥିବା ଅଗ୍ରୀମ ଏନ୍‌ପିଏରେ ରୂପାନ୍ତରିତ ହୋଇଛି। ବର୍ତ୍ତମାନ ବ୍ୟାଙ୍କଗୁଡିକ ଏନ୍‌ପିଏ ସମସ୍ୟା ଦେଇ ଗତି କରୁଛନ୍ତି, ଏଣୁ ସେମାନଙ୍କ ଉପରେ ଏହା ଆଉ ଏକ ବୋଝ ସଦୃଶ ହୋଇଛି। ବ୍ୟାଙ୍କଗୁଡିକ କେବଳ ଗୀତାଞ୍ଜଳି ଗ୍ରୁପକୁ ୮ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ଚୋକ୍‌ସୀଙ୍କୁ ପରିଚାଳନା ପୁଞ୍ଜି ଭାବେ ପ୍ରଦାନ କରାଯାଇଥିବା ଏହି ଋଣ ଉପରେ ଗତ ଆର୍ଥତ୍କ ବର୍ଷର ଚତୁର୍ଥ ତ୍ରୈମାସରେ କୌଣସି ସର୍ଭିସିଂ ହୋଇ ନ ଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ବ୍ରାଡି ହାଉସ ଶାଖା ଷ୍ଟାଚ୍ୟୁଟୋରି ଅଡିଟରଙ୍କୁ ନୋଟିସ୍‌

ବ୍ରାଡି ହାଉସ ଶାଖା ଷ୍ଟାଚ୍ୟୁଟୋରି ଅଡିଟରଙ୍କୁ ନୋଟିସ୍‌

ବମ୍ବେ,୧୫-୪(ପି.ଟି) ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ୧୩,୦୦୦ କୋଟି ଋଣ ଘୋଟାଲା ମାମଲାରେ ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ୍‌ ଇଣ୍ଡିଆ(ଆଇସିଏଆଇ)ବ୍ରାଡି ହାଉସ ଶାଖାର ସମସ୍ତ ଷ୍ଟାଚ୍ୟୁଟୋରି ଅଡିଟରଙ୍କୁ ନୋଟିସ ଜାରି କରିଛି। ଡିସିପ୍ଲିନାରୀ ବୋର୍ଡ ସାମ୍ନାରେ ହାଜର ହେବା ଲାଗି ନୋଟିସରେ ଆଇସିଏଆଇ ନିର୍ଦ୍ଦେଶ ଦେଇଛି। ୨୦୧୧-୧୨ଠାରୁ ୨୦୧୬-୧୭ ମଧ୍ୟରେ ବ୍ରାଡି ହାଉସ ଶାଖାରେ କାର୍ଯ୍ୟ କରିଥିବା ଅଡିଟରଙ୍କର ଏକ ତାଲିକା ପ୍ରସ୍ତୁତ କରାଯିବା ସହ ହାଜର ହେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଷ୍ଟାଚ୍ୟୁଟୋରି ଅଡିଟରମାନେ ଆଇସିଏଆଇର ସଭ୍ୟ ରହିଥିବା ବେଳେ ସେମାନଙ୍କୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଆଇନ୍‌ ୧୯୪୯ ମୁତାବକ ବୋର୍ଡ ଅଫ୍‌ ଡିସିପ୍ଲିନ୍‌ ସାମ୍ନାରେ ହାଜର ହେବା ଲାଗି ନିର୍ଦ୍ଦେଶ ରହିଥିବା ଆଇସିଏଆଇ କମିଟିର ସଭ୍ୟ ଏସ୍‌.ବି. ଜଓ୍ବାରେ ସୂଚନା ଦେଇଛନ୍ତି।

ଖିମ୍‌ଜୀରେ ଦି ଗ୍ରେଟ ଅକ୍ଷୟ ତୃତୀୟା ସେଲ୍‌

ଖିମ୍‌ଜୀରେ ଦି ଗ୍ରେଟ ଅକ୍ଷୟ ତୃତୀୟା ସେଲ୍‌

ଭୁବନେଶ୍ୱର,୧୫-୪ ପ୍ରମୁଖ ଜୁଏଲେରୀ ଷ୍ଟୋର ଖିମ୍‌ଜୀ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଦି ଗ୍ରେଟ ଅକ୍ଷୟ ତୃତୀୟା ସେଲ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି। ଏହି ଅବସରରେ ଶୋ’ରୁମ ପକ୍ଷରୁ ସୁନା ଗହଣାର ମୋଟ ମୂଲ୍ୟ ଉପରେ ଫ୍ଲାଟ୍‌ ୫.୪% ରିହାତି ପ୍ରଦାନ କରାଯାଉଛି। ସେହିଭଳି ହୀରା ଗହଣା ଉପରେ ୨୦% ପର୍ଯ୍ୟନ୍ତ ରିହାତି, ରୁପା ପ୍ରସ୍ତୁତ ଗହଣା ତଥା ଅନ୍ୟାନ୍ୟ ପ୍ରଡକ୍ଟ ଗଢା ମଜୁରି ଉପରେ ଫ୍ଲାଟ ୫୦% ରିହାତି, ୧୮ ସିଜେଡ୍‌ ଜୁଏଲେରୀ ଉପରେ ଫ୍ଲାଟ ୧୦%, ଘଣ୍ଟା ଉପରେ ୩୦% ପର୍ଯ୍ୟନ୍ତ ଏବଂ ଫ୍ୟାଶନ ଜୁଏଲେରୀ ଉପରେ ୨୦% ରିହାତି ଘୋଷଣା କରାଯାଇଛି। ଏହି ଅଫରର ଅବଧି ଚଳିତ ମାସ ୧୪ରୁ ୨୨ ଯାଏ ବୈଧ ରହିବ।

ବ୍ରାଣ୍ଡେଡ୍‌ ପୋଷାକ ମେଳାରେ ନୂଆ ଓ୍ବେଡିଂ କଲେକ୍ସନ

ବ୍ରାଣ୍ଡେଡ୍‌ ପୋଷାକ ମେଳାରେ ନୂଆ ଓ୍ବେଡିଂ କଲେକ୍ସନ

ଭୁବନେଶ୍ୱର,୧୫-୪ ହୋଟେଲ ନ୍ୟୁ ମାରିଅନରେ ଚାଲିଥିବା ବ୍ରାଣ୍ଡେଡ ପୋଷାକ ମେଳାରେ ବିସ୍ତୃତ ବର୍ଗର ରେଡିମେଡ ପୋଷାକ ଗ୍ରାହକଙ୍କ ଲାଗି ଉପଲବ୍ଧ ହେଉଛି। ଏହି ପୋଷାକଗୁଡିକ ଆକର୍ଷଣୀୟ ମୂଲ୍ୟରେ ମିଳୁଛି। ଗ୍ରୀଷ୍ମ ତଥା ବିବାହ ଋତୁକୁ ଧ୍ୟାନରେ ରଖି ମେଳାରେ ନୂତନ ଷ୍ଟକ ସଂଯୋଗ କରାଯାଇଛି। ବିଭିନ୍ନ ବର୍ଗର ପୋଷାକ ଉପରେ ପ୍ରାୟ ୯୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି।

 ୩୦,୦୦୦ କୋଟି ହେଲା ନାବାର୍ଡର ଅଧିକୃତ ପୁଞ୍ଜି

୩୦,୦୦୦ କୋଟି ହେଲା ନାବାର୍ଡର ଅଧିକୃତ ପୁଞ୍ଜି

ନୂଆଦିଲ୍ଲୀ,୧୫-୪(ପି.ଟି) ଜାତୀୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ(ନାବାର୍ଡ)ର ଅଧିକୃତ ପୁଞ୍ଜି ୬ ଗୁଣ ବୃଦ୍ଧି ହୋଇ ୩୦,୦୦୦ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୨ ସୁଦ୍ଧା କୃଷକଙ୍କ ଆୟକୁ ଦୁଇ ଗୁଣ ବୃଦ୍ଧି କରିବା ଲକ୍ଷ୍ୟରେ ସରକାର ଏହି ଅଧିକୃତ ପୁଞ୍ଜିକୁ ବୃଦ୍ଧି କରିଥିବା ଜଣାଯାଇଛି। ନାବାର୍ଡର ଅଧିକୃତ ପୁଞ୍ଜି ପୂର୍ବରୁ ୫ ହଜାର କୋଟି ଟଙ୍କା ରହିଥିବା ବେଳେ ଏଥିରେ ବୃଦ୍ଧି ଯୋଗୁ ଋଣ ପ୍ରଦାନ ତ୍ୱରାନ୍ବିତ ହେବ।

ଚାଇନା-ୟୁଏସ୍‌ ବାଣିଜ୍ୟ ବିବାଦରେ ନିରପେକ୍ଷ ରହିବ ଭାରତ

ଚାଇନା-ୟୁଏସ୍‌ ବାଣିଜ୍ୟ ବିବାଦରେ ନିରପେକ୍ଷ ରହିବ ଭାରତ

ବେଜିଂ,୧୫-୪(ପି.ଟି) ଚାଇନା ଏବଂ ଆମେରିକା ମଧ୍ୟରେ ବାଣିଜ୍ୟକୁ ନେଇ ବିବାଦୀୟ ସ୍ଥିତି ଉପୁଜିଥିବା ବେଳେ ଭାରତ ଏପରି ସ୍ଥିତିରେ ନିରପେକ୍ଷ ରହିବ। ଏପରି ସ୍ଥିତିରେ ଭାରତ ନିରପେକ୍ଷ ନୀତି ଗ୍ରହଣ କରିବ ବୋଲି ରବିବାର ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି। ବିଭିନ୍ନ ସାମଗ୍ରୀ ଉପରେ ଟାରିଫ୍‌କୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ବିବାଦ ଉପୁଜିଛି।

 କମ୍ପାନୀଙ୍କ ସିଏସ୍‌ଆର ଖର୍ଚ୍ଚରେ ୯% ବୃଦ୍ଧି

କମ୍ପାନୀଙ୍କ ସିଏସ୍‌ଆର ଖର୍ଚ୍ଚରେ ୯% ବୃଦ୍ଧି

ନୂଆଦିଲ୍ଲୀ,୧୫-୪(ପି.ଟି) ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ପଞ୍ଜୀକୃତ ହୋଇଥିବା ୧୫୨୨ଟି କମ୍ପାନୀର ମୋଟ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଖର୍ଚ୍ଚ ୨୦୧୬-୧୭ ଆର୍ଥତ୍କ ବର୍ଷରେ ୯% ବୃଦ୍ଧି ହୋଇଛି।

୫ ରାଜ୍ୟରେ ଇଣ୍ଟ୍ରାଷ୍ଟେଟ ଇ-ଓ୍ବେ ବିଲ୍‌ ବ୍ୟବସ୍ଥାର ଆରମ୍ଭ

୫ ରାଜ୍ୟରେ ଇଣ୍ଟ୍ରାଷ୍ଟେଟ ଇ-ଓ୍ବେ ବିଲ୍‌ ବ୍ୟବସ୍ଥାର ଆରମ୍ଭ

ନୂଆଦିଲ୍ଲୀ,୧୫-୪(ପି.ଟି) ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଅନ୍ତର୍ଗତ ରାଜ୍ୟ ଭିତରେ ସାମଗ୍ରୀର ପରିବହନ ଲାଗି ଇ-ଓ୍ବେ ବିଲ୍‌ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଆନ୍ତଃ ରାଜ୍ୟ ସାମଗ୍ରୀ ପରିବହନ ଲାଗି ଏପ୍ରିଲ ପହିଲାରୁ ଇ-ଓ୍ବେ ବିଲ୍‌ ବ୍ୟବସ୍ଥା ଲାଗୁ କରାଯାଇଥିଲା।

ଏୟାର ଓଡ଼ିଶା ନେଟଓ୍ବର୍କରେ ଭାବନଗର, ସୁରଟ

ଏୟାର ଓଡ଼ିଶା ନେଟଓ୍ବର୍କରେ ଭାବନଗର, ସୁରଟ

ନୂଆଦିଲ୍ଲୀ,୧୫-୪(ପି.ଟି) କେନ୍ଦ୍ର ସରକାରଙ୍କ ଆଞ୍ଚଳିକ ସଂଯୋଗୀକରଣ ଯୋଜନା ଉଡାନ୍‌ ଅନ୍ତର୍ଗତ ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଓଡ଼ିଶା ଗୁଜରାଟର ଭାବନଗର ଏବଂ ସୁରଟକୁ ଏହାର ନେଟ୍‌ଓ୍ବର୍କରେ ଯୋଡିଛି।

କେର୍ନ ଏନର୍ଜିକୁ ଆୟକର  ଝଟ୍‌କା

କେର୍ନ ଏନର୍ଜିକୁ ଆୟକର ଝଟ୍‌କା

ନୂଆଦିଲ୍ଲୀ,୧୫-୪(ପି.ଟି) ବ୍ରିଟେନ ଫାର୍ମ କେର୍ନ ଏନର୍ଜି ପିଏଲ୍‌ସିକୁ ଆୟକର ଝଟକା ଲାଗିଛି। କମ୍ପାନୀ ଯୋଗୁ ହୋଇଥିବା ୪୪୦ କୋଟି ଲାଭାଂଶ ଆୟକୁ ଆୟକର ବିଭାଗ ଜବତ କରିଛି। କମ୍ପାନୀ ଉପରେ ରହିଥିବା ବିଭାଗର ୧୦,୨୪୭ କୋଟି ଟଙ୍କାର ଟିକସ ଡିମାଣ୍ଡ ଆଧାରରେ ଏହିଭଳି ପଦକ୍ଷେପ ବିଭାଗ ଗ୍ରହଣ କରିଛି।

ପୂର୍ବତଟ ରେଳପଥ ପକ୍ଷରୁ ପୋଲିଓ ବୁନ୍ଦା ପ୍ରଦାନ

ପୂର୍ବତଟ ରେଳପଥ ପକ୍ଷରୁ ପୋଲିଓ ବୁନ୍ଦା ପ୍ରଦାନ

ଭୁବନେଶ୍ୱର, ୧୫।୪ ପୂର୍ବତଟ ରେଳପଥ ଅନ୍ତର୍ଗତ ସମ୍ବଲପୁର ଓ ଖୋର୍ଦ୍ଧା ରୋଡ ରେଳମଣ୍ଡଳ ପକ୍ଷରୁ ରବିବାର ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି। ଏଥି ସହିତ ବିଭିନ୍ନ ରେଳ ଷ୍ଟେଶନ, ରେଳ ହସ୍ପିଟାଲ୍‌ରେ ମଧ୍ୟ ପୋଲିଓ ବୁନ୍ଦା ପାଇଁ ସୁବିଧା କରାଯାଇଥିଲା।