ଖେଳ

ଆଇପିଏଲ୍‌ ବେଟିଂ: ୬ ଗିରଫ

ଆଇପିଏଲ୍‌ ବେଟିଂ: ୬ ଗିରଫ

ରାଜମହେନ୍ଦ୍ରଭରମ୍‌, ୨୧।୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ବେଟିଂ ର଼୍ୟାକେଟ୍‌ରେ ପୋଲିସ ଏଠାରେ ୬ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା, ଦୁଇଟି ସେଲ ଫୋନ୍‌, ଗୋଟିଏ ସେଟ ଟପ୍‌ ବକ୍ସ ଓ ଗୋଟିଏ ଟିଭି ସେଟ୍‌ ଜବତ କରାଯାଇଛି। ଗତ ରାତିରେ ଏକ ଭଡାଘର ଉପରେ ଚଢ଼ାଉ କରି ପୋଲିସ ଏହି ପଦକ୍ଷେପ ନେଇଛି। ତେବେ ଘଟଣାସ୍ଥଳରୁ ଆଉ ୮ଜଣ ଖସି ପଳାଇ ଯାଇଥିଲେ। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

ଏସ୍‌ସିବିକୁ ହରାଇ ସେମିରେ କିସ୍‌

କଟକ ଅଫିସ,୨୧।୪-ୟୁନିୟନ ସ୍ପୋର୍ଟିଂ ଆନୁକୂଲ୍ୟରେ ବୋଷ୍‌ ଗ୍ରାଉଣ୍ଡରେ ଚାଲିଥିବା ୧୩ ତମ ପି.ଭି.ଆର ମୂର୍ତ୍ତି ସ୍ମାରକୀ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟର ୩ୟ କ୍ବାର୍ଟରଫାଇନାଲ ମ୍ୟାଚ୍‌ ଶୁକ୍ରବାର ଖେଳାଯାଇଥିଲା। ଏଥିରେ କିସ୍‌ ୧୨୫ ରନ୍‌ରେ ଏସ୍‌ସିବି ମେଡିକାଲ ପବ୍ଲିକ ସ୍କୁଲକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଏସ୍‌ସିବି ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିଥିଲା। କିସ୍‌ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୨୫ ଓଭରରେ ୬ ଉଇକେଟ ହରାଇ ୧୬୦ରନ୍‌ କରିଥିଲା।

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ:ସମ୍ବଲପୁରକୁ ହରାଇଲା ଜଗତ୍‌ସିଂହପୁର

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ:ସମ୍ବଲପୁରକୁ ହରାଇଲା ଜଗତ୍‌ସିଂହପୁର

ସମ୍ବଲପୁର, ୨୧।୪ (ବ୍ୟୁରୋ)-୭୫ ତମ ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌-୨୦୧୮ ଶୁକ୍ରବାର ସମ୍ବଲପୁର ରିଜର୍ଭ ପୋଲିସ ପଡିଆଠାରେ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ମ୍ୟାଚ ସମ୍ବଲପୁର ଓ ଜଗତ୍‌ସିଂହପୁର ମଧ୍ୟରେ ହୋଇଥିଲା। ଏଥିରେ ଜଗତ୍‌ସିଂହପୁର ୨୫-୧୫ ଓ ୨୫-୨୧ ପଏଣ୍ଟରେ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଅନ୍ତର୍ଜାତୀୟ ରେଫରି ଅଭ୍ରାଂଶୁ ମହାନ୍ତି ଓ ସି.ସି. ଚାନ୍ଦ ମ୍ୟାଚ ପରିଚାଳନା କରିଥିଲେ। ଜେ.କେ. ରାଓ ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ। ଉତ୍ତରାଞ୍ଚଳ ପୋଲିସ ଡିଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାମ୍ପିୟନଶିପ୍‌କୁ ଉଦ୍‌ଘାଟନ କରିଥିଲେ।

ଜଗତ୍‌ପୁର-ଏସିସି ଫାଇନାଲ

କଟକ ଅଫିସ,୨୧। ୪- ବୋଷ୍‌ ଗ୍ରାଉଣ୍ଡରେ ୪ର୍ଥ ପି.ଭି.ଆର୍‌ ମୂର୍ତ୍ତି ସ୍ମାରକୀ ଆନ୍ତଃ କ୍ଲବ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଶୁକ୍ରବାର ଖେଳାଯାଇଥିଲା। ଏଥିରେ ଏସିସି ୧୪୩ ରନ୍‌ରେ ଗୋଲ୍‌ଡେନ ଡ୍ରାଗନ କ୍ଲବକୁ ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି। ପ୍ରଥମ ସେମିଫାଇନାଲରେ ଜଗତ୍‌ପୁର ଆଥ୍‌ଲେଟିକ ଆସୋସିଏଶନ ୬୮ରନ୍‌ରେ ରୟାଲ କ୍ଲବକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଶନିବାର ଏସିସି ଓ ଜଗତ୍‌ପୁର ଆଥ୍‌ଲେଟିକ ମଧ୍ୟରେ ଫାଇନାଲ ମୁକାବିଲା ହେବ।ଏସିସି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା।

ଏଆଇଟିଏ- ଓଟିଏ ଟେନିସ୍‌:  ଅର୍ଜୁନ ଚାମ୍ପିୟନ, ଚିନ୍ମୟ ରନର୍ସଅପ୍‌

ଏଆଇଟିଏ- ଓଟିଏ ଟେନିସ୍‌: ଅର୍ଜୁନ ଚାମ୍ପିୟନ, ଚିନ୍ମୟ ରନର୍ସଅପ୍‌

ଭୁବନେଶ୍ୱର, ୨୦।୪ (ସ୍ପୋଟର୍‌ସ ବ୍ୟୁରୋ)- ଭୁବନେଶ୍ୱର ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟ ଟେନିସ୍‌ କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହୋଇଥିବା ଏଆଇଟିଏ ପୁରୁଷ ୫୦କେ ଟୁର୍ନାମେଣ୍ଟରେ ତାମିଲନାଡୁର ଅର୍ଜୁନ ମହାଦେବନ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଅପରପକ୍ଷରେ ପୁରୁଷ ଡବଲ୍ସ ଇଭେଣ୍ଟରେ କର୍ନାଟକର ନିକଶେପ୍‌ ବି. ରବିକୁମାର ଓ ଆସାମର ସେକ ମହମ୍ମଦ ଇଫତିଖାର ଟାଇଟଲ ଜିତିଛନ୍ତି।

ବେଙ୍ଗାଲୁରୁ ଜିତିଲା ସୁପର କପ୍‌

ବେଙ୍ଗାଲୁରୁ ଜିତିଲା ସୁପର କପ୍‌

ଭୁବନେଶ୍ୱର, ୨୦।୪(କ୍ରୀଡ଼ା ପ୍ରତିନିଧି)- ସର୍ବପ୍ରଥମ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ରୋମାଞ୍ଚକ ପରିସମାପ୍ତି ଘଟିଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ଡବଲ ଗୋଲ ବଳରେ ବେଙ୍ଗାଲୁରୁ ଏଫ୍‌ସି ୪-୧ ଗୋଲରେ ଇଷ୍ଟ ବେଙ୍ଗଲକୁ ହରାଇ ପିନ୍ଧିଛି ବିଜୟ ମୁକୁଟ। ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ଫାଇନାଲରେ ଚେନ୍ନାଇନ୍‌ ଏଫସି ନିକଟରୁ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିବା ବେଙ୍ଗାଲୁରୁ ଏଥର କିନ୍ତୁ ହୋଇଛି ନୂଆ ଚାମ୍ପିୟନ। ୨୧ ଦିନିଆ ଟୁର୍ନାମେଣ୍ଟରେ ପ୍ରଥମଥର ପାଇଁ ଖଚାଖଚ ଭରା ଷ୍ଟାଡିୟମ ଦର୍ଶକ ବେଙ୍ଗାଲୁରୁ ଖୁସିରେ ହୋଇଛନ୍ତି ଉତ୍‌୍‌ଫୁଲ୍ଲିତ। ଇଷ୍ଟ ବେଙ୍ଗଲ ପକ୍ଷରୁ ୨୮ତମ ମିନିଟରେ ଘାନେଫୋ ଅନ୍‌ସୁମାନା କ୍ରୋମାହ ପ୍ରଥମ ଗୋଲଟି ସ୍କୋର କରିଥିବାବେଳେ ବେଙ୍ଗାଲୁରୁ ପକ୍ଷରୁ ଅଧିନାୟକ ସୁନୀଲ ଛେତ୍ରୀ ୬୯ ଓ ୯୦ ମିନିଟରେ ୨ଟି ଏବଂ ୩୯ତମ ମିନିଟରେ ରାହୁଲ ଭିକେ ଏବଂ ୭୨ତମ ମିନିଟରେ ନିକୋଲାସ ଲାଡିସ୍ଲାଓ ଫେଡର(ମିକୁ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ସର୍ବଭାରତୀୟ ଫୁଟବଲ ଫେଡେରେଶନ(ଏଆଇଏଫଏଫ) ଉପସଭାପତି ସୁବ୍ରତ ଦତ୍ତ, ଫୁଟବଲ ଆସୋସିଏଶନ ସଭାପତି ତଥା ବିଧାୟକ ଦେବାଶିଷ ସାମନ୍ତରାୟ, କ୍ରୀଡ଼ା ସଚିବ ବିଶାଲ ଦେବ, ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ସୁନୀଲ ଛେତ୍ରୀ ହିରୋ ଅଫ୍‌ ଦି ମ୍ୟାଚ ଓ ମିକୁ ହିରୋ ଅଫ ଦି ଟୁର୍ନାମେଣ୍ଟ ପୁରସ୍କାର ପାଇଥିଲେ। ଚାମ୍ପିୟନ ବେଙ୍ଗାଲୁରୁ ଏଫସିକୁ ଟ୍ରଫି ସହ ୨୫ ଲକ୍ଷ ଓ ରନର୍ସଅପ୍‌ ଇଷ୍ଟ ବେଙ୍ଗଲକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

ସେମିରେ ଦିମିତ୍ରୋଭ-ନାଡାଲ

ସେମିରେ ଦିମିତ୍ରୋଭ-ନାଡାଲ

ମଣ୍ଟେ କାର୍ଲୋ(ମୋନାକୋ), ୨୦।୪ (ଏଏଫ୍‌ପି)- ବୁଲଗେରିଆନ ଟେନିସ୍‌ ଖେଳାଳି ଗ୍ରିଗୋର ଦିମିତ୍ରୋଭ ଚଳିତ ମେଣ୍ଟ କାର୍ଲୋ ମାଷ୍ଟର୍ସ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେ କ୍ୱାର୍ଟର ଫାଇନାଲରେ ୬ଷ୍ଠ ସିଡ୍‌ ଡେଭିଡ୍‌ ଗଫିନଙ୍କୁ ୬-୪, ୭-୬ ସେଟ୍‌ରେ ହରାଇଛନ୍ତି।

ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌: ଦ. ଆଫ୍ରିକା, ନ୍ୟୁଜିଲାଣ୍ଡ, ତାଇପେ ସହ ଖେଳିବ ଭାରତ

ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌: ଦ. ଆଫ୍ରିକା, ନ୍ୟୁଜିଲାଣ୍ଡ, ତାଇପେ ସହ ଖେଳିବ ଭାରତ

ନୂଆଦିଲ୍ଲୀ,୨୦।୪(ପି.ଟି.)- ଆସନ୍ତା ଜୁନ ୧ରୁ ୧୦ ପର୍ଯ୍ୟନ୍ତ ମୁମ୍ବାଇ ଫୁଟ୍‌ବଲ ଏରିନାଠାରେ ପ୍ରଥମ ଚତୁଃ ରାଷ୍ଟ୍ର ବିଶିଷ୍ଟ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଚାଇନିଜ୍‌ ତାଇପେ ସହ ଭାରତୀୟ ଫୁଟ୍‌ବଲ ଦଳ ଖେଳିବ।

ଅର୍ଜୁନ ସମ୍ମାନ ପାଇଁ ମନିକାଙ୍କ ନାମ ସୁପାରିସ

ଅର୍ଜୁନ ସମ୍ମାନ ପାଇଁ ମନିକାଙ୍କ ନାମ ସୁପାରିସ

ନୂଆଦିଲ୍ଲୀ,୨୦।୪(ପି.ଟି.)- ଭାରତୀୟ ଟେବୁଲ ଟେନିସ୍‌ ମହାସଂଘ (ଟିଟିଏଫ୍‌ଆଇ) ଶୁକ୍ରବାର ମନିକା ବାତ୍ରାଙ୍କ ନାମକୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି। ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏକମାତ୍ର ଭାରତୀୟ ଆଥ୍‌ଲେଟ୍‌ ଭାବେ ୪ଟି ପଦକ ଜିତିଥିଲେ। ”ଆମେ ତାଙ୍କ ନାମକୁ ଶୁକ୍ରବାର ସୁପାରିସ କରିଛୁ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ ଯୋଗୁ କମିଟିକୁ ତାଙ୍କ ନାମକୁ ଉପେକ୍ଷା କରିବା କାଠିକର ହେବ“ ବୋଲି ଟିଟିଏଫ୍‌ଆଇ ପକ୍ଷରୁ କୁହାଯାଇଛି।

ଇଂଲଣ୍ଡ ଗସ୍ତ ପୂର୍ବରୁ ମୁଖ୍ୟ କୋଚ୍‌ ଘୋଷଣା: ସିଏ

ଇଂଲଣ୍ଡ ଗସ୍ତ ପୂର୍ବରୁ ମୁଖ୍ୟ କୋଚ୍‌ ଘୋଷଣା: ସିଏ

ମେଲବର୍ନ, ୨୦।୪(ଏଏଫ୍‌ପି)- ଆସନ୍ତ ଜୁନ୍‌ରେ ଆଗାମୀ ଇଂଲଣ୍ଡ ଗସ୍ତ ପୂର୍ବରୁ ଅଷ୍ଟ୍ରେଲିଆ ଦଳର ନୂତନ ମୁଖ୍ୟ କୋଚ୍‌ଙ୍କ ନାମ ଘୋଷଣା କରାଯିବ ବୋଲି ଅଷ୍ଟ୍ରେଲିଆ କ୍ରିକେଟ୍‌ (ସିଏ) ପକ୍ଷରୁ କୁହାଯାଇଛି। ଏ ନେଇ ନିକଟରେ ଏକ ବୈଠକ ଡକାଯାଇଥିଲା। ଏଥିରେ ଦଳୀୟ ମୁଖ୍ୟକୋଚ୍‌ଙ୍କ ବ୍ୟତୀତ ଅଧିନାୟକ ଓ ଉପ ଅଧିନାୟକଙ୍କ ଚୟନ ସମ୍ପର୍କରେ ଆଲୋଚନା କରାଯାଇଛି।

ପାରା -ଆଥ୍‌ଲେଟ୍‌ ଶ୍ରୀମନ୍ତଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ,୨୦।୪- ଭାରତୀୟ ଆର୍ମରେସଲର ଶ୍ରୀମନ୍ତ ଝା ଚଳିତ ଏସିଆନ୍‌ ଆର୍ମରେସଲିଂ ଚାମ୍ପିୟନ୍‌ଶିପ୍‌ ଟୁର୍ନାମେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। କାଜାକସ୍ତାନଠାରେ ରବିବାର ଉଦ୍‌ଯାପିତ ହେବାକୁ ଥିବା ପ୍ରତିଯୋଗିତାରେ ୨୫ ବର୍ଷୀୟା କୁସ୍ତିଯୋଦ୍ଧା ସିନିୟର ବିଭାଗର ୮୦ କିଗ୍ରା ବର୍ଗରେ ଏହି ସଫଳତା ପାଇଛନ୍ତି।

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିବ ନାହିଁ ଭାରତ

ନୂଆଦିଲ୍ଲୀ,୨୦।୪- ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତ ଓହରିବା ନେଇ ଚାଲିଥିବା ଆଲୋଚନାର ଅନ୍ତ ଘଟାଇଛନ୍ତି ଭାରତୀୟ ଅଲିମ୍ପିକ୍‌ ମହାସଂଘ (ଆଇଓଏ) ସଭାପତି ନରିନ୍ଦର ବାତ୍ରା। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁଟିଂ ଇଭେଣ୍ଟକୁ ବାଦ୍‌ ଦିଆଯାଉଥିବାରୁ ନ୍ୟାଶନାଲ ରାଇଫଲ ଆସୋସିଏଶନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଆର୍‌ଏଆଇ) ସଭାପତି ରନିନ୍ଦର ସିଂ ଭାରତ ଅଂଶଗ୍ରହଣ ନ କରିବା ପାଇଁ ଯୁକ୍ତି କରିଥିଲେ।

ପୁଣେରେ ପହଞ୍ଚତ୍ଲା ହ୍ବିସିଲ ପୋଡୁ ଏକ୍ସପ୍ରେସ

ପୁଣେରେ ପହଞ୍ଚତ୍ଲା ହ୍ବିସିଲ ପୋଡୁ ଏକ୍ସପ୍ରେସ

ପୁଣେ,୨୦।୪- ସ୍ଥାନୀୟ ଏମ୍‌ସିଏ ଷ୍ଟାଡିୟମ୍‌ରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ସମର୍ଥନ ପାଇଁ ପ୍ରଶଂସକଙ୍କ ଟ୍ରେନ ତଥା ହ୍ବିସିଲ ପୋଡୁ ଏକ୍ସପ୍ରେସ ଏଠାରେ ଶୁକ୍ରବାର ପହଞ୍ଚତ୍ ଯାଇଛି। ଏହି ଟ୍ରେନ ମାଡ୍ରାସରୁ ଗୁରୁବାର ବାହାରିଥିଲା। ପୁଣେ ଷ୍ଟେଶନରେ ପହଞ୍ଚତ୍ବା ପରେ ଦଳର ପ୍ରଶଂସକଙ୍କୁ ୨୦ଟି ବସ ଜରିଆରେ ଷ୍ଟାଡିୟମ୍‌କୁ ନିକଟକୁ ନିଆଯାଇଛି।

ହରମିତଙ୍କ ଅଭିଯୋଗ ପୁରସ୍କାର ରାଶିରେ କାଟ୍‌ କରାଯାଇଛି

ହରମିତଙ୍କ ଅଭିଯୋଗ ପୁରସ୍କାର ରାଶିରେ କାଟ୍‌ କରାଯାଇଛି

ଅହମ୍ମଦାବାଦ୍‌,୨୦।୪- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ଟେବୁଲ ଟେନିସ୍‌ (ଟିଟି) ଖେଳାଳି ହରମିତ ଦେଶାଇ ଘୋଷିତ ପୁରସ୍କାର ରାଶିର କେବଳ ଏକ ତୃତୀୟାଂଶ ମିଳିଥିବା ନେଇ ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ଶୁକ୍ରବାର ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କୁ ପତ୍ର ଲେଖିଛନ୍ତି। ରାଜ୍ୟର ସ୍ପୋଟର୍‌ସ, ୟୁଥ ଓ କଲଚରାଲ ଆକ୍ଟିଭିଟିଜ୍‌ ଡିପାର୍ଟମେଣ୍ଟ ପକ୍ଷରୁ ଓ୍ବେବସାଇଟ୍‌ରେ ଦର୍ଶାଯାଇଛି ଯେ, ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ଏକ କୋଟି ପ୍ରଦାନ କରାଯିବାକୁ ଥିବାବେଳେ ରୌପ୍ୟ ଓ ବ୍ରୋଞ୍ଜ ପଦକଧାରୀଙ୍କୁ ଯଥାକ୍ରମେ ୫୦ ଓ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ରଣଜୀ ଡିଭିଜନ ବି’ ପ୍ରତିଯୋଗିତା

ରଣଜୀ ଡିଭିଜନ ବି’ ପ୍ରତିଯୋଗିତା

ନୂଆଦିଲ୍ଲୀ,୨୦।୪- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରଣଜୀ ଡିଭିଜନ ବି’ ପ୍ରତିଯୋଗିତା ଆୟୋଜନ କରିବା ନେଇ ଯୋଜନା କରୁଛି। ଏ ସମ୍ପର୍କରେ ଗତ ଶନିବାର କଲିକତାଠାରେ ଅନୁଷ୍ଠିତ ଟେକନିକାଲ କମିଟି ବୈଠକରେ ଆଲୋଚନା କରାଯାଇଥିଲା। ଯଦି ଏହି ପ୍ରସ୍ତାବକୁ ଆସନ୍ତା ସାଧାରଣ ବୈଠକରେ ଅନୁମତି ମିଳେ, ତେବେ ବିହାର ସମେତ ୫ଟି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଓ ପୁଡୁଚେରୀ ଏହି ପ୍ରତିଯୋଗିତାରେ ଖେଳିବେ।

ଜାତୀୟ ଶିବିରରେ ‘ନୋ ନିଡଲ ପଲିସି’ ସମର୍ଥନରେ ବାତ୍ରା

ଜାତୀୟ ଶିବିରରେ ‘ନୋ ନିଡଲ ପଲିସି’ ସମର୍ଥନରେ ବାତ୍ରା

ନୂଆଦିଲ୍ଲୀ,୨୦।୪- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ‘ନୋ ନିଡଲ ପଲିସି’ ଭଙ୍ଗ କରି ଦେଶକୁ ଅପମାନିତ କରିବା ପରେ ଜାତୀୟ ଶିବିରରେ ସମାନ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ଏ ନେଇ ଭାରତୀୟ ଅଲିମ୍ପିକ୍‌ ମହାସଂଘ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ଗୁରୁବାର ନ୍ୟାଶନାଲ ସ୍ପୋଟର୍‌ସ ଫେଡେରେଶନ୍‌ (ଏନ୍‌ଏସ୍‌ଏଫ୍‌)କୁ ସମସ୍ତ ଜାତୀୟ ଶିବିରରେ ନୋ ନିଡଲ ପଲିସି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜୋକୋଭିକ୍‌ ବାଦ୍‌

ଜୋକୋଭିକ୍‌ ବାଦ୍‌

ମଣ୍ଟେ କର୍ଲୋ(ମୋନାକୋ), ୨୦।୪- ପୂର୍ବତନ ପୁରୁଷ ସିଙ୍ଗଲ୍ସ ବର୍ଗର ଶୀର୍ଷ ର଼୍ୟାଙ୍କଧାରୀ ଖେଳାଳି ନୋଭାକ ଜୋକୋଭିକ୍‌ ଚଳିତ ମଣ୍ଟେ କାର୍ଲୋ ମାଷ୍ଟର୍ସ ଟେନିସ୍‌ ଟୁର୍ନାମେଣ୍ଟର ୩ୟ ରାଉଣ୍ଡରେ ଅଭିଯାନ ଶେଷ କରିଛନ୍ତି। ଗୁରୁବାର ଖେଳାଯାଇଥିବା ମୁକାବିଲାରେ ସେ ୭-୬(୭/୨), ୨-୬, ୩-୬ ସେଟ୍‌ରେ ୫ମ ସିଡ୍‌ ଡୋମିନିକା ଥିଏମଙ୍କ ଠାରୁ ପରାସ୍ତ ହୋଇଛନ୍ତି।

୨୦୨୬ ୟୁଥ୍‌ ଅଲିମ୍ପିକ୍ସ: ବିଡ୍‌ ଦାଖଲ କରିବ ଭାରତ

ନୂଆଦିଲ୍ଲୀ, ୨୦।୪ (ପି.ଟି.)- ଭାରତ ୨୦୨୬ ୟୁଥ୍‌ ଅଲିମ୍ପିକ୍ସ ସମେତ ୨୦୩୨ ଗ୍ରୀଷ୍ପକାଳୀନ ଅଲିମ୍ପିକ୍ସ ଆୟୋଜନ ପାଇଁ ବିଡ୍‌ ଦାଖଲ କରିବ। ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ସଭାପତି ଥୋମାସ ବ୍ୟାକ୍‌ଙ୍କଠାରୁ ଅନୁକୂଳ ମତ ପାଇବାପରେ ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ (ଆଇଓଏ) ଗୁରୁବାର ଏହି ନିଷ୍ପତ୍ତି ନେଇଛି। ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଥୋମାସ୍‌ ବ୍ୟାକ୍‌ଙ୍କ ସହ ଉଦ୍‌ବୋଧନ ଦେଇ ଆଇଓଏ ସଭାପତି ନରିନ୍ଦର ବାତ୍ରା ଏହି ସୂଚନା ଦେଇଛନ୍ତି।

‘ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ବର୍ଜନ ଏକ ଚରମ ନିଷ୍ପତ୍ତି’

ନୂଆଦିଲ୍ଲୀ, ୨୦।୪ (ପି.ଟି.)-ଶୁଟିଂକୁ ସ୍ଥାନ ଦିଆଯାଉ ନ ଥିବାରୁ ଆମେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨କୁ ଯଦି ବର୍ଜନ କରିବା ଲାଗି ନିଷ୍ପତ୍ତି ନେଉ ତାହା ଅତ୍ୟନ୍ତ କଠୋର ହେବ। ଭାରତୀୟ ଅଲିମ୍ପିକ ଆସୋସିଏଶନ ସଭାପତି ନରିନ୍ଦର ବାତ୍ରା ଗୁରୁବାର ଏହା ପ୍ରକାଶ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଶୁଟିଂକୁ ବାଦ୍‌ ଦିଆଗଲେ ଆମେ ଏହି ଗେମ୍ସକୁ ବର୍ଜନ କରିବା ଉଚିତ ବୋଲି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନଆରଏଆଇ) ସଭାପତି ରଣିନ୍ଦର ସିଂ ଚଳିତ ସପ୍ତାହ ଆରମ୍ଭରେ କହିଥିଲେ।

ଫାଇନାଲରେ ଚିନ୍ମୟ

ଫାଇନାଲରେ ଚିନ୍ମୟ

ଭୁବନେଶ୍ୱର, ୨୦।୪(କ୍ରୀଡ଼ା ପ୍ରତିନିଧି)-ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟରେ ଚାଲିଥିବା ଏଆଇଟିଏ-ଓଟିଏ ୫୦କେ ପୁରୁଷ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟର ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ଚିନ୍ମୟ ପ୍ରଧାନ। ଗୁରୁବାର ଅନୁଷ୍ଠିତ ସେମିଫାଇନାଲରେ ସେ କର୍ନାଟକର ନିକ୍ଷେପ ବି.ରବିକୁମାରଙ୍କୁ ୩-୬, ୬-୪, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ଫାଇନାଲରେ ସେ ତାମିଲନାଡ଼ୁର ଅର୍ଜୁନ ମହାଦେବନଙ୍କୁ ଭେଟିବେ। ଦ୍ୱିତୀୟ ସେମିଫାଇନାଲରେ ମହାଦେବନ ନିଜ ରାଜ୍ୟର ଆର୍ଯ୍ୟ କେ.ଏସ.ସିଦ୍ଧାର୍ଥଙ୍କୁ ୭-୬(୫), ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ଡବଲ୍ସ ସେମିଫାଇନାଲରେ କିନ୍ତୁ ଚିନ୍ମୟ ହାରିଯାଇଛନ୍ତି। ଆନ୍ଧ୍ର ପ୍ରଦେଶର ଉମର ଶେଖ୍‌ଙ୍କୁ ସାଥି କରି ଖେଳୁଥିବା ଚିନ୍ମୟ ସେମିଫାଇନାଲରେ ତାମିଲନାଡ଼ୁ ଯୋଡ଼ି ଭରତ ଏନ.କୁମାରନ ଓ ଆର୍ଯ୍ୟ କେ.ଏସ. ସିଦ୍ଧାର୍ଥଙ୍କଠାରୁ ୧-୬, ୫-୭ ସେଟ୍‌ରେ ପରାସ୍ତ ହୋଇଛନ୍ତି।

ଅଲ୍‌ ଓଡ଼ିଶା ଓପନ୍‌ ହ୍ୟାଣ୍ଡିକ୍ୟାପ୍‌ ସ୍ନୁକର ଆରମ୍ଭ

ଅଲ୍‌ ଓଡ଼ିଶା ଓପନ୍‌ ହ୍ୟାଣ୍ଡିକ୍ୟାପ୍‌ ସ୍ନୁକର ଆରମ୍ଭ

ଭୁବନେଶ୍ୱର, ୨୦ ।୪(ପି.ଟି.)-ସ୍ଥାନୀୟ ଭିଣ୍ଟେଜ କ୍ଲବରେ ଅଲ୍‌ ଓଡ଼ିଶା ଓପନ୍‌ ହ୍ୟାଣ୍ଡିକ୍ୟାପ୍‌ ସ୍ନୁକର ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ବେଷ୍ଟ ୩ ଫ୍ରେମ୍‌ରେ ଲିଗ୍‌ ମ୍ୟାଚ୍‌ଗୁଡିକ ଖେଳାଯାଇଥିଲା। ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ପ୍ରଥମେ ସୌଭାଗ୍ୟ ବେହେରା ୨-୧ରେ ଅନୁଜ ପଣ୍ଡାଙ୍କୁ ହରାଇଥିଲେ। ସେହିପରି ଉଦ୍‌ଭାଷ ମହାପାତ୍ର ୨-୦ରେ ମିଶାଲ ସ୍ବାଇଁଙ୍କୁ, ଯଯାତି ପଣ୍ଡା ୨-୦ରେ ଜ୍ଞାନ ଦାସଙ୍କୁ, ଅନୁଜ ପଣ୍ଡା ୨-୧ରେ ଜଗଦୀଶ ମହାନ୍ତିଙ୍କ୍‌ୁ, ମିଶାଲ ସ୍ବାଇଁ ୨-୦ରେ ରାଜ୍ୟର ୧ ନମ୍ବର ଖେଳାଳି ନିଶାନ୍ତ ବିଶ୍ୱାଳଙ୍କୁ, ଜ୍ଞାନ ଦାସ ୨-୦ରେ ରାକେଶ ବାରିକଙ୍କୁ, ଉଦଭାଷ ମହାପାତ୍ର ୨-୧ରେ ନିଶି ପ୍ରକାଶଙ୍କୁ, ସମୀର ଅଲ୍ଲୀ ୨-୦ରେ ସିଦ୍ଧାନ୍ତ ଜେନାଙ୍କୁ, ରାକେଶ ବାରିକ ୨-୦ରେ ଯଯାତି ପଣ୍ଡାଙ୍କୁ, ମିଶାଲ ସ୍ବାଇଁ ୨-୧ରେ ନିଶି ପ୍ରକାଶଙ୍କୁ, ଚନ୍ଦ୍ର ମହାନ୍ତି ୨-୦ରେ ଗଡଓ୍ବିନ କୁଲୁଙ୍କୁ, ରାହୁଲ ନାଏକ ୨-୦ରେ ରଞ୍ଜିତ ପତିଙ୍କୁ, ଅମିୟ ନାଏକ ୨-୦ରେ ସିଦ୍ଧାନ୍ତ ବସ୍ତିଆଙ୍କୁ, ବିରାଜ ଦାସ ୨-୦ରେ ରୋହିତ ଶର୍ମାଙ୍କୁ, ଅବିନାଶ ମହାପାତ୍ର ୨-୧ରେ ରାକେଶ ମହାନ୍ତିଙ୍କୁ, ଜିତେନ ଷଡଙ୍ଗୀ ୨-୦ରେ ତରୁଣ ପଟ୍ଟନାୟକଙ୍କୁ, ରାକେଶ ମହାନ୍ତି ୨-୧ରେ ଶିବାଶିଷ ବିଶ୍ୱାଳଙ୍କୁ, ଅଜୟ ଆଚାର୍ଯ୍ୟ ୨-୧ରେ ସିଦ୍ଧାନ୍ତ ବସ୍ତିଆଙ୍କୁ, ସତ୍ୟଦୀପ୍‌ ଦାସ ୨-୧ରେ ସିଦ୍ଧାନ୍ତ ଜେନାଙ୍କୁ, ଗଡଓ୍ବିନ୍‌ କୁଲୁ ୨-୧ରେ ବିରାଜ ଦାସଙ୍କୁ ଓ ରାକେଶ ଆର. ପ୍ରଧାନ ୨-୧ରେ ଅମିୟ ନାୟକଙ୍କୁ ପରାସ୍ତ କରିଥିଲେ।

ହକି ଇଣ୍ଡିଆ ଜାତୀୟ ଚାମ୍ପିୟନଶିପ୍‌ରେ ନିଶାନ ଅମ୍ପାୟର

ହକି ଇଣ୍ଡିଆ ଜାତୀୟ ଚାମ୍ପିୟନଶିପ୍‌ରେ ନିଶାନ ଅମ୍ପାୟର

ଭୁବନେଶ୍ୱର, ୨୦ ।୪ (ପି.ଟି.)- ଓଡ଼ିଶାର ନିଶାନ ଜ୍ୟୋତି ମହାନ୍ତି ଆଗାମୀ ଅଷ୍ଟମ ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିୟନଶିପ୍‌ (ବି’ ଓ ଏ’ ) ଡିଭିଜନ ପାଇଁ ଅମ୍ପାୟର ନିଯୁକ୍ତ ହୋଇଛନ୍ତି। ଏହି ଟୁର୍ନାମେଣ୍ଟର ବି’ ଓ ଏ’ ଡିଭିଜନ ଭୋପାଳରେ ଯଥାକ୍ରମେ ଏପ୍ରିଲ ୨୧ରୁ ୨୮ ତାରିଖ ଓ ଏପ୍ରିଲ ୨୬ରୁ ମେ ୬ ତାରିଖ ମଧ୍ୟରେ ଆୟୋଜନ ହେବ। ପୂର୍ବରୁ ମଧ୍ୟ ଅଷ୍ଟମ ହକି ଇଣ୍ଡିଆ ସିନିୟର ମହିଳା ଜାତୀୟ ଚାମ୍ପିୟନଶିପ୍‌ ଏ’ ଓ ବି’ ଡିଭିଜନରେ ନିଶାନ ଅମ୍ପାୟର ହିସାବରେ ସଫଳତାର ସହ ମ୍ୟାଚ ପରିଚାଳନା କରିଥିଲେ। ଏହି ଟୁର୍ନାମେଣ୍ଟ ରାଞ୍ଚିରେ ଜାନୁୟାରୀ ୨୬ରୁ ପେବୃୟାରୀ ୧୧ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପୁରୁଷ ଚାମ୍ପିୟନଶିପ୍‌ ପାଇଁ ଅମ୍ପାୟର ନିଯୁକ୍ତ ହୋଇଥିବାରୁ ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀ ନିଶାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୂର୍ବରୁ ମଧ୍ୟ ନିଶାନଙ୍କୁ ହକି ଇଣ୍ଡିଆ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତିକ ଟୁର୍ନାମେଣ୍ଟରେ ଅମ୍ପାୟର ଭାବେ ନିଯୁକ୍ତ କରିଥିଲା।

ଥୋମାସ୍‌ ବ୍ୟାଚ୍‌ଙ୍କୁ ଭେଟିଲେ ଅଧିପ

ଥୋମାସ୍‌ ବ୍ୟାଚ୍‌ଙ୍କୁ ଭେଟିଲେ ଅଧିପ

କଟକ ଅଫିସ,୨୦। ୪- ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି) ସଭାପତି ଥୋମାସ୍‌ ବ୍ୟାଚ୍‌ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଏହି ଅବସରରେ ନୂଆଦିଲ୍ଲୀଠାରେ ଭାରତୀୟ ଅଲିମ୍ପିକ ଆସୋସିଏଶନର ସମସ୍ତ ଅଧିକାରୀ ଓ ସଦସ୍ୟଙ୍କ ସହ ଥୋମାସ୍‌ ଗୁରୁବାର ଆଲୋଚନା କରିଥିଲେ । ଭାରତୀୟ ଅଲିମ୍ପିକ ଆସୋସିଏଶନ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ତଥା ଓଡ଼ିଶା ଅଲିମ୍ପିକ ଆସୋସିଏଶନର କୋଷାଧ୍ୟକ୍ଷ ଅଧିପ ଦାସ ଥୋମାସ୍‌ଙ୍କୁ ଭେଟି ଓଡ଼ିଶାରେ ଅଲିମ୍ପିକର ସ୍ଥିତି ଓ ଏହାର ବିକାଶ ଦିଗରେ ଆଲୋଚନା କରିଥିବା ଜଣାପଡ଼ିଛି।

ପଞ୍ଜାବ ବିଜୟରେ ଗେଲ୍‌ ହିରୋ

ପଞ୍ଜାବ ବିଜୟରେ ଗେଲ୍‌ ହିରୋ

ମୋହାଲି, ୨୦ ।୪(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ମ୍ୟାଚରେ ଘରୋଇ କିଙ୍ଗ୍ସ ଏକାଦଶ ପଞ୍ଜାବ ୧୫ ରନରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ଏଥିସହିତ ପଞ୍ଜାବ ତୃତୀୟ ବିଜୟ ହାସଲ କରିଥିବା ବେଳେ ହାଇଦ୍ରାବାଦ କ୍ରମାଗତ ତୃତୀୟ ବିଜୟ ପରେ ପ୍ରଥମ ପରାଜୟ ବରଣ କରିଛି। ସ୍ଥାନୀୟ ମୋହାଲି ଷ୍ଟାଡିୟମରେ ଗୁରୁବାର ଟସ୍‌ ଜିତି ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ଅଭିଜ୍ଞ ଓପନର କ୍ରିସ୍‌ ଗେଲଙ୍କ ଧୂଆଁଧାର ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୧୯୩ ରନ ସଂଗ୍ରହ କରିଥିଲା। ଜବାବରେ ହାଇଦ୍ରାବାଦ ୪ ଉଇକେଟ ହରାଇ ୧୭୮ ରନରେ ସୀମିତ ରହିବା ସହ ମ୍ୟାଚ ହାତଛଡ଼ା କରିଥିଲା। ଅପରାଜିତ ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଗେଲ୍‌ ମ୍ୟାନ୍‌ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।