ମେଟ୍ରୋ

ବେଆଇନ କରତକଳ ଉପରେ ଚଢାଉ, ଯନ୍ତ୍ରାଂଶ ଜବତ

ବେଆଇନ କରତକଳ ଉପରେ ଚଢାଉ, ଯନ୍ତ୍ରାଂଶ ଜବତ

କାକଟପୁର, ୩୦।୩(ଡି.ଏନ୍‌.ଏ.): କାକଟପୁର ଅଞ୍ଚଳର ମେଡିକାଲ ଛକ, କଟକଣା, ଶୁକପୋଖରୀ, ବାଜପୁର ପ୍ରଭୃତି ସ୍ଥାନରେ ଦୀର୍ଘଦିନ ହେବ ବେଆଇନ ଭାବେ ଚାଲୁଥିବା କରତକଳ ଉପରେ ଶୁକ୍ରବାର ପୁରୀ ବନବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବହୁ ଯନ୍ତ୍ରାଂଶ ଜବତ ହୋଇଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅସ୍ତରଙ୍ଗ ରେଞ୍ଜର କହିଛନ୍ତି।

ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ

ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ

ପୁରୀ ଅଫିସ, ୩୦।୩: ପୁରୀ ଜିଲା ଶିଶୁ ସୁରକ୍ଷା ଶାଖା, ଜିଲା ପ୍ରଶାସନ ପୁରୀ ଓ ପୁରୀ ଜିଲା ଆଇନ ସେବା ପ୍ରାଧିକରଣର ମିଳିତ ସହଯୋଗରେ ଜିଲା ଆଇନ ସେବା ପ୍ରାଧିକରଣ ସମ୍ମିଳନୀ କକ୍ଷରେ ଶୁକ୍ରବାର ଏକ ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ପ୍ରାୟ ୬୦ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ।

ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର ଚୋରି

ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର ଚୋରି

କଟକ ରୋଡ, ୩୦।୩(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ବିଡିଏ କଲୋନୀ ଷ୍ଟେଜ୍‌-୪ରେ ଥିବା ତାରିଣୀ ସଫ୍ଟଓ୍ବେର ସଲ୍ୟୁଶନ ନାମକ ସଂସ୍ଥାରୁ ଶୁକ୍ରବାର ଭୋର ୪ଟାରେ ବହୁ ସଂଖ୍ୟାର କମ୍ପ୍ୟୁଟର ଓ ଲାପ୍‌ଟପ୍‌ ଚୋରି ହୋଇଛି। ଏ ନେଇ ସଂସ୍ଥା ମାଲିକ ସଂଗ୍ରାମ ବରାଳ ଥାନାରେ ଅଭିଯୋଗ କରିଛନ୍ତି। ଚୋରି ସାମଗ୍ରୀ ମଧ୍ୟରେ ୩ କମ୍ପ୍ୟୁଟର, ସିପିୟୁ, ପ୍ରିଣ୍ଟର, ହାର୍ଡଡିକ୍ସ, ୟୁପିଏସ୍‌ ଓ ଲାପ୍‌ଟପ୍‌ ଆଦି ରହିଥିବା ଏତଲାରେ ଦର୍ଶାଯାଇଛି।

ଜମିଦେବା ଆଳରେ ଠକେଇ: କୋଟିପତି ଅମିନ ଗିରଫ

ଜମିଦେବା ଆଳରେ ଠକେଇ: କୋଟିପତି ଅମିନ ଗିରଫ

ଭୁବନେଶ୍ୱର, ୩୦।୩(ବ୍ୟୁରୋ): ଜମି ଦେବାକୁ କହି ଏକାଧିକ ଲୋକଙ୍କୁ ଠକିବା ଅଭିଯୋଗରେ ଶୁକ୍ରବାର ନୟାପଲ୍ଲୀ ଥାନା ପୋଲିସ ଦ୍ୱାରା ଜଣେ ଗିରଫ ହୋଇଛି। ସେ ହେଲେ ନୟାପଲ୍ଲୀସ୍ଥିତ ଆଇଆର୍‌ସି ଭିଲେଜ ଏନ୍‌-୫ରେ ରହୁଥିବା ବିଡିଏ ଅମିନ ଦିଲୀପ ସ୍ବାଇଁ।

ରୁପା ଇଟା ଶ୍ରୀମନ୍ଦିରକୁ ଫେରାଇବା ଦାବିରେ ସିଂହଦ୍ୱାର ସମ୍ମୁଖରେ ଧାରଣା

ରୁପା ଇଟା ଶ୍ରୀମନ୍ଦିରକୁ ଫେରାଇବା ଦାବିରେ ସିଂହଦ୍ୱାର ସମ୍ମୁଖରେ ଧାରଣା

ପୁରୀ ଅଫିସ,୩୦।୩: ଏମାର ମଠରୁ ଜବତ ହୋଇଥିବା ରୁପା ଇଟାକୁ ରତ୍ନଭଣ୍ଡାରକୁ ଅଣାଯିବା ଦାବିରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶୁକ୍ରବାର ସିଂହଦ୍ୱାର ସମ୍ମୁଖରେ ଧାରଣା ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ମଠ ସମ୍ପତ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର।

ତାହିରଙ୍କୁ ଗୁଳିମାଡ଼ ଘଟଣା: ଜଳସମ୍ପଦ କ୍ବାର୍ଟରରୁ ଅପରାଧ ଷଡ଼ଯନ୍ତ୍ର, ଭର୍ତ୍ତି ହୋଇଥିଲା ଗୁଳିବନ୍ଧୁକ

କଟକ ଅଫିସ, ୨୯।୩- ଟେଣ୍ଡର ମାଫିଆଙ୍କ କବ୍‌ଜାରେ ରହିଛି ଜଳସମ୍ପଦ ବିଭାଗ କ୍ବାର୍ଟର। ଏହି କ୍ବାର୍ଟର ଭିତରୁ ପ୍ରସ୍ତୁତ ହେଉଛି ଟେଣ୍ଡର ଫିକ୍ସିଂର ବ୍ଲୁପ୍ରିଣ୍ଟ। କ୍ୱାର୍ଟର ଭିତରେ ଭର୍ତ୍ତି ହୋଇ ରହିଛି ବନ୍ଧୁକ, ଗୁଳି, ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ର। ଏଠାରେ ରହି ଅପରାଧର ଷଡ଼ଯନ୍ତ୍ର କରୁଥିବା ଅପରାଧୀଙ୍କ ସହିତ ସାମିଲ ହୋଇଛନ୍ତି ଜଳସମ୍ପଦ ବିଭାଗର ତଳିଆଙ୍କଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀ। ଗତ ବୁଧବାର ରାତିରେ ତାହିର ଅଲ୍ଲୀ ଖଁାଙ୍କ ଉପରକୁ ଗୁଳିମାଡ଼ ପରେ ପୋଲିସ ତଦନ୍ତରୁ ଏହିସବୁ ତଥ୍ୟ ସାମ୍ନାକୁ ଆଣିଛି। ଏଥିସହିତ ଟେଣ୍ଡର ଫିକ୍ସିଂ ଓ ଦାଦାବଟି ଆଦାୟ କରୁଥିବା ଏକ ବଡ଼ଧରଣର ଅପରାଧୀ ଗ୍ୟାଙ୍ଗ ସମ୍ପର୍କରେ ମଧ୍ୟ ପୋଲିସକୁ ବହୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି।

ଏପ୍ରିଲ ୨ରୁ ସକାଳୁଆ କୋର୍ଟ

ଏପ୍ରିଲ ୨ରୁ ସକାଳୁଆ କୋର୍ଟ

କଟକ ଅଫିସ, ୨୯।୩- ଭୁବନେଶ୍ୱର, ପୁରୀ ସଦର, କୋରାପୁଟ, ବ୍ରହ୍ମପୁର, ଛତ୍ରପୁର ବ୍ୟତୀତ ରାଜ୍ୟରେ ଥିବା ନିମ୍ନ ଅଦାଲତଗୁଡିକ ଆସନ୍ତା ୨ ତାରିଖଠାରୁ ସକାଳୁଆ କାର୍ଯ୍ୟ କରିବ। ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କୋର୍ଟ ଚାଲିବ। ପୂର୍ବାହ୍ନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଅଧଘଣ୍ଟାଏ ବିରତି ରହିବ ବୋଲି ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଜିଲା ଜଜ୍‌ଙ୍କୁ ଗୁରୁବାର ନିର୍ଦ୍ଦେଶ ହୋଇଛି।

ଜାଇକା ନେଲା ଆଉ ଏକ ଜୀବନ: ଡ୍ରେନେଜ କାମବେଳେ କାନ୍ଥ ଭୁଶୁଡ଼ିଲା, ଶ୍ରମିକ ମୃତ

ଜାଇକା ନେଲା ଆଉ ଏକ ଜୀବନ: ଡ୍ରେନେଜ କାମବେଳେ କାନ୍ଥ ଭୁଶୁଡ଼ିଲା, ଶ୍ରମିକ ମୃତ

କଟକ ଅଫିସ, ୨୯ା୩- ପୁଣି ଜାଇକା ନେଇଛି ଜୀବନ। ଗୁରୁବାର ବକ୍ସିବଜାର ନିକଟରେ ଜାଇକାର ଡ୍ରେନେଜ କାର୍ଯ୍ୟ ଚାଲୁଥିବାବେଳେ ଡ୍ରେନ ପାର୍ଶ୍ୱରେ ଥିବା କାନ୍ଥ ଭୁଶୁଡି ପଡ଼ିଥିଲା। ଫଳରେ କାନ୍ଥ ତଳେ ଚାପିହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ଶ୍ରମିକ ହେଉଛନ୍ତି କେରଳର ପୁଷ୍ପକ କୁମାର ରାଓ(୫୨)। ଆହତ ଜଣକ ହେଲେ ଆସାମର ମୋଟା ସିଂ ଅଲ୍ଲି(୪୨)। ଆହତଙ୍କୁ ଚିକିତ୍ସା ନିମନ୍ତେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଷ୍ପକଙ୍କ ମୃତ୍ୟୁକୁ ମିଶାଇଲେ ଗତ ୨ ବର୍ଷ ମଧ୍ୟରେ ଜାଇକା ୫ ଜଣଙ୍କ ମୁଣ୍ଡ ନେଲାଣି। ଜାଇକାର ଏଭଳି ଖାମଖିଆଲି ନୀତିକୁ ବିରୋଧକରି ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ଲାଞ୍ଚ ମାମଲା: ଓଜନ ମାପ ନିରୀକ୍ଷକଙ୍କୁ ୪ବର୍ଷ ଜେଲ୍‌

କଟକ ଅଫିସ, ୨୯।୩- ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି କନ୍ଧମାଳ ଜିଲାର ପୂର୍ବତନ ଓଜନ ମାପ ବିଭାଗର ନିରୀକ୍ଷକ କାଳିପ୍ରସାଦ ନାଗେଶ୍ୱର ସାହୁ। ବର୍ତ୍ତମାନ ସେ ଉକ୍ତ ବିଭାଗର ଜଗତସିଂହପୁର ଜିଲାରେ କାର୍ଯ୍ୟରତ। ଆଗତ ଏକ ଲାଞ୍ଚ ମାମଲାର ଶୁଣାଣି କରି ଗୁରୁବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଅଭିଯୁକ୍ତ ସାହୁଙ୍କୁ ପୃଥକ ଦଫାରେ ଦଣ୍ଡିତ କରିଛନ୍ତି। ପ୍ରଥମ ଦଫାରେ ଅଭିଯୁକ୍ତଙ୍କୁ ୩ବର୍ଷ ଜେଲ୍‌ ଓ ୫ହଜାର ଟଙ୍କା ଜରିମାନା ଦଣ୍ଡ ଦିଆଯାଇଛି। ଜରିମାନା ଅନାଦାୟ ହେଲେ ଅଭିଯୁକ୍ତଙ୍କୁ ଅଧିକ ୩ମାସ ଜେଲ୍‌ ଭୋଗିବାକୁ ପଡିବ। ଅନ୍ୟଏକ ଦଫାରେ ସାହୁଙ୍କୁ ୪ବର୍ଷ ଜେଲ୍‌ ଓ ୧୦ହଜାର ଟଙ୍କାର ଜରିମାନା ଦଣ୍ଡ ଦିଆଯାଇଛି। ଜରିମାନା ଅର୍ଥ ଅନାଦାୟ ହେଲେ ଅଧିକ ୬ମାସ ଜେଲ୍‌ ଭୋଗିବାକୁ ପଡିବ। ତେବେ ଅଭିଯୁକ୍ତଙ୍କ ବିରୋଧରେ ସମସ୍ତ ଦଣ୍ଡ ଏକକାଳୀନ ଲାଗୁ କରାଯିବ ବୋଲି ରାୟରେ ଉଲ୍ଲେଖ ରହିଛି।

ଯନ୍ତ୍ରୀଙ୍କୁ ୩ବର୍ଷ ଜେଲ୍‌, ୩ ଲକ୍ଷ ଜରିମାନା:  ୫୧ହଜାର ଟଙ୍କାର ପୋଷ୍ଟାଲ ଜମା ବାଜ୍ୟାପ୍ତି ଆଦେଶ

ଯନ୍ତ୍ରୀଙ୍କୁ ୩ବର୍ଷ ଜେଲ୍‌, ୩ ଲକ୍ଷ ଜରିମାନା: ୫୧ହଜାର ଟଙ୍କାର ପୋଷ୍ଟାଲ ଜମା ବାଜ୍ୟାପ୍ତି ଆଦେଶ

କଟକ ଅଫିସ, ୨୯।୩- ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି ମୟୂରଭଞ୍ଜ ଜିଲା ସାରସକଣା ବ୍ଲକର କନିଷ୍ଠଯନ୍ତ୍ରୀ ପ୍ରତାପ ଚନ୍ଦ୍ର ରଉତ। ଗୁରୁବାର ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତର ବିଚାରପତି ଅଭିଯୁକ୍ତ ରାଉତଙ୍କୁ ୨ବର୍ଷ ଜେଲ୍‌ ଓ ୩ଲକ୍ଷ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅର୍ଥ ଅନାଦାୟ ହେଲେ ଅଭିଯୁକ୍ତ ରାଉତଙ୍କୁ ଅଧିକ ୧ବର୍ଷ ସଶ୍ରମ ଜେଲ୍‌ ଭୋଗିବାକୁ ପଡିବ ବୋଲି ବିଚାରପତି ରାୟ ଶୁଣାଇଛନ୍ତି। ସେହିପରି ରାଉତଙ୍କ ପୋଷ୍ଟାଲ ଜମା ଥିବା ୫୧ହଜାର ୫୫୮ଟଙ୍କା ୨୦ପଇସା ସହିତ ସୁଧ ଅର୍ଥକୁ ମଧ୍ୟ ବାଜ୍ୟାପ୍ତି କରିବା ପାଇଁ ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି। ଭିଜିଲାନ୍ସର ସୂଚନା ଅନୁଯାୟୀ, କନିଷ୍ଠଯନ୍ତ୍ରୀ ରାଉତଙ୍କ ବିରୋଧରେ ୨୦୦୨ରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା (୧/୨୦୦୨)ରୁଜୁ ହୋଇଥିଲା। ସେତେବେଳେ ସେ ସାରସକଣା ବ୍ଲକରେ ମଧ୍ୟ କନିଷ୍ଠଯନ୍ତ୍ରୀଭାବେ କାର୍ଯ୍ୟ କରୁଥିଲେ। ମାମଲା ରୁଜୁ ହେବା ପୂର୍ବରୁ ଭିଜିଲାନ୍ସ ପକ୍ଷରୁ ୨୦୦୧ ଜୁନ୍‌ ୨୯ରେ ରାଉତଙ୍କ ଘର, ଅଫିସ ଆଦି ସ୍ଥାନରେ ଏକକାଳୀନ ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ସେ ୫ଲକ୍ଷ ୧୧ହଜାର ୧୬୮ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଚାର୍ଜଶିଟରେ ଉଲ୍ଲେଖ କରିଥିଲା। ସ୍ପେଶାଲ ଭିଜିଲାନ୍ସ ପିପି କେ.ସି ଶତପଥୀ ମାମଲା ପରିଚାଳନା କରୁଥିଲେ।

ଓଡ଼ିଶାକୁ କେନ୍ଦ୍ରର ପ୍ରଶଂସା:ଏସ୍‌ସିବିକୁ ୩ ଷ୍ଟାର୍‌ ମାନ୍ୟତା

ଓଡ଼ିଶାକୁ କେନ୍ଦ୍ରର ପ୍ରଶଂସା:ଏସ୍‌ସିବିକୁ ୩ ଷ୍ଟାର୍‌ ମାନ୍ୟତା

କଟକ ଅଫିସ, ୨୯।୩- ଓଡ଼ିଶାକୁ କେନ୍ଦ୍ର ପକ୍ଷରୁ ପୁଣି ମିଳିିଛି ପ୍ରଶଂସାପତ୍ର। କେନ୍ଦ୍ର ନୂତନ ଓ ନବୀକରଣୀୟ ମନ୍ତ୍ରଣାଳୟ ପକ୍ଷରୁ ଏସ୍‌ସିବି ମେଡିକାଲକୁ ୩ ଷ୍ଟାର ମାନ୍ୟତା ମିଳିଛି। ଗ୍ରୀନ୍‌ ରେଟିଂ ଫର୍‌ ଇଣ୍ଟିଗ୍ରେଟେଡ୍‌ ହାବିଟାଟ ଆସେସ୍‌ମେଣ୍ଟ (ଗୃହ) ପକ୍ଷରୁ ଏସ୍‌ସିବିର ଭିତ୍ତିଭୂମିକୁ ନେଇ ଆକଳନ କରାଯାଇଥିଲା। ଗୃହ ହେଉଛି ଉକ୍ତ ମନ୍ତ୍ରଣାଳୟର ଅନୁବନ୍ଧିତ ସଂସ୍ଥା। ଏହି ସଂସ୍ଥା ପକ୍ଷରୁ ଏସ୍‌ସିବି ମେଡିକାଲ କଲେଜର ପ୍ରିନ୍ସିପାଲ ସିଦ୍ଧାର୍ଥ ଦାସଙ୍କ ନିକଟକୁ ଏ ସମ୍ପର୍କିତ ପ୍ରଶଂସାପତ୍ର ପଠାଯାଇଛି।

ସ୍ୟାଟ୍‌ରେ ଖାଲିପଡ଼ିଛି ଗୁରୁତ୍ୱପୂର୍ଣ୍ଣ ପଦବୀ: ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ

ସ୍ୟାଟ୍‌ରେ ଖାଲିପଡ଼ିଛି ଗୁରୁତ୍ୱପୂର୍ଣ୍ଣ ପଦବୀ: ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ

କଟକ ଅଫିସ, ୨୯।୩- ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍‌)ରେ ବିଚାର ବିଭାଗୀୟ ଓ ପ୍ରଶାସନିକ କ୍ଷେତ୍ରରେ ୫ଟି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲିପଡ଼ିଛି। ଫଳରେ ସ୍ୟାଟ୍‌ରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ନେଇ ଆଗତ ମାମଲାରେ ପୂର୍ବ ନିର୍ଦ୍ଦେଶ ମୁତାବକ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଜରିଆରେ ଜବାବ ଦାଖଲ କରାଯାଇଛି। ଏହି ସତ୍ୟପାଠରେ ଦର୍ଶାଯାଇଛି ଯେ, ସ୍ୟାଟ୍‌ ଉଚ୍ଛେଦ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ଅନ୍ୟ ରାଜ୍ୟରେ ସ୍ୟାଟ୍‌ ଉଚ୍ଛେଦ ହୋଇଛି। ଏଣୁ ସରକାର ସ୍ୟାଟ୍‌ ଉଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ଦିଆଯାଇ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମାତ୍ର ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ରାଜ୍ୟ ସରକାର ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ସୁବାସ ଚନ୍ଦ୍ର ପରିଜା ଓ ବିଚାରପତି ଦେବବ୍ରତ୍ତ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସାମୂହିକ ବନ୍ଦେ ଉତ୍କଳ ଜନନୀ ଗାଇବେ ୮ଲକ୍ଷ ଛାତ୍ରୀଛାତ୍ର

ସାମୂହିକ ବନ୍ଦେ ଉତ୍କଳ ଜନନୀ ଗାଇବେ ୮ଲକ୍ଷ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୯।୩(ବ୍ୟୁରୋ)- ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡ଼ିଶା ପକ୍ଷରୁ ଆସନ୍ତା ୧ ତାରିଖ ଉତ୍କଳ ଦିବସ ଅବସରରେ ନୟାପଲ୍ଲୀସ୍ଥିତ କସ୍ତୁରବା ଶିକ୍ଷାଶ୍ରମ(ବିଦ୍ୟାମନ୍ଦିର) ପଡିଆରେ ଉତ୍କଳ ଜନନୀ ପୂଜନ ସମାରୋହ ପାଳିତ ହେବ। ଉତ୍କଳ ଜନନୀ ପୂଜନ ସମିତିର ସାଂସ୍କୃତିକ ସମ୍ପାଦକ ଲକ୍ଷ୍ମୀକାନ୍ତ ପାଲିତ୍‌ଙ୍କ ନିର୍ଦ୍ଦେଶନାରେ ବିଏସ୍‌ଭିଏସ୍‌ କୋରଲ ଗ୍ରୁପ ପ୍ରସ୍ତୁତିରେ ୬ଟି ଭାଷାରେ ଦେଶଭକ୍ତି ସଙ୍ଗୀତ ପରିବେଷଣ କରାଯିବ।

ରାଜ୍ୟରେ ଗବେଷଣା ଚେୟାର ଅକାମୀ

ରାଜ୍ୟରେ ଗବେଷଣା ଚେୟାର ଅକାମୀ

ଭୁବନେଶ୍ୱର, ୨୯।୩(ବ୍ୟୁରୋ)- ଓଡ଼ିଆ ଭାଷାର ବିକାଶ ତଥା ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ରାଜ୍ୟ ବାହାରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଉଛନ୍ତି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ଆରମ୍ଭ କରି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ, ସବୁଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଚେୟାର ପ୍ରତିଷ୍ଠା କରିବା ପାଇଁ ବାରମ୍ବାର ଘୋଷଣା କରାଯାଉଛି।

ଚମତ୍କାର କଲା ‘ଓ୍ବଣ୍ଡର ଓ୍ବିମେନ୍‌’:ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରିବେ ମହିଳା

ଚମତ୍କାର କଲା ‘ଓ୍ବଣ୍ଡର ଓ୍ବିମେନ୍‌’:ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରିବେ ମହିଳା

ଭୁବନେଶ୍ୱର, ୨୯।୩(ବ୍ୟୁରୋ)- ମହିଳାମାନେ କୌଣସି ବି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରିବେ। ଯେକୌଣସି ସମୟରେ ଯେକୌଣସି ପରିସ୍ଥିତିରେ ଚମତ୍କାର କରିବାର ଦକ୍ଷତା ତାଙ୍କ ନିକଟରେ ରହିଛି। ଦୃଢ ମନୋବଳ, ଦୃଢ ଆତ୍ମବିଶ୍ୱାସ ବଳରେ ସେମାନେ ସଫଳତାର ଶୀର୍ଷରେ ପହଞ୍ଚତ୍ପାରିବେ। ଏଭଳି ଏକ ବାର୍ତ୍ତାକୁ ନେଇ ଗୁରୁବାର ସ୍ଥାନୀୟ ରେଲଓ୍ବେ ଅଡିଟୋରିୟମ୍‌ଠାରେ ମଞ୍ଚସ୍ଥ ହୋଇଥିଲା ଭିନ୍ନ ଏକ ସ୍ବାଦର ନାଟକ ‘ନା ମୁଁ କରିପାରିବି’।

କଂଗ୍ରେସରେ ରହିବି: ଭୁଜବଳ

କଂଗ୍ରେସରେ ରହିବି: ଭୁଜବଳ

ଭୁବନେଶ୍ୱର,୨୯।୩(ବ୍ୟୁରୋ): କଂଗ୍ରେସରେ ଥିଲି, ଅଛି, ରହିବି। ଦଳ ଛାଡି ଯିବାର ପ୍ରଶ୍ନ ଉଠୁନାହିଁ। ଏପରି ଅପପ୍ରଚାର ବିଜେଡି କରିଛି ବୋଲି ଡାବୁଗାଁ ବିଧାୟକ ଭୁଜବଳ ମାଝୀ କହିଛନ୍ତି। ସେ କହିଛନ୍ତି ଯେ, ପ୍ରତିଟି ଆଦିବାସୀଙ୍କ ହୃଦୟରେ କଂଗ୍ରେସ ରହିଛି। ଏବେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳ ସୁଦୃଢ଼ ହେଉଛି।

ବିମାନବନ୍ଦରରୁ ୧ କେଜି ସୁନା ବିସ୍କୁଟ ଜବତ

ବିମାନବନ୍ଦରରୁ ୧ କେଜି ସୁନା ବିସ୍କୁଟ ଜବତ

ଭୁବନେଶ୍ୱର,୨୯।୩(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କଷ୍ଟମ ଡିପାର୍ଟମେଣ୍ଟ ଦ୍ୱାରା ଗୁରୁବାର ୧ କେଜିରୁ ଊର୍ଦ୍ଧ୍ୱ ସୁନା ବିସ୍କୁଟ ଜବତ କରାଯାଇଛି। ଏହାର ମୂଲ୍ୟ ପାଖାପାଖି ୩୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ପ୍ରକାଶ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ୧୨ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା।

ବଲାଙ୍ଗିର ଜେଲକୁ ସ୍ଥାନାନ୍ତର ହେବେ ସୁଶାନ୍ତ

ବଲାଙ୍ଗିର ଜେଲକୁ ସ୍ଥାନାନ୍ତର ହେବେ ସୁଶାନ୍ତ

କଟକ ଅଫିସ,୨୯।୩: ଝାରପଡ଼ା ଜେଲରେ ରହୁଥିବା ସୁଶାନ୍ତ ଧଳ ସାମନ୍ତଙ୍କୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରାଯିବ। ଏ ନେଇ କଟକ ଜେଏମ୍‌ଏଫ୍‌ସି(ରୁରାଲ) ଅଦାଲତ ଗୁରୁବାର ଅନୁମତି ପ୍ରଦାନ କରିଛନ୍ତି। ସୁଶାନ୍ତ ଜେଲ କୋଠରିରୁ ଅପରାଧ ନେଟଓ୍ବର୍କିଂ କରୁଛନ୍ତି।

ହାଇକୋର୍ଟରେ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲା: ସର୍ବସାଧାରଣଙ୍କ ପାଇଁ କେବେ ଖୋଲାଯିବ ସେ ନେଇ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ

ହାଇକୋର୍ଟରେ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲା: ସର୍ବସାଧାରଣଙ୍କ ପାଇଁ କେବେ ଖୋଲାଯିବ ସେ ନେଇ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ

କଟକ ଅଫିସ,୨୯।୩: ଶ୍ରୀମନ୍ଦିର ଜଗମୋହନ କେବେ ଖୋଲିବ ସେ ନେଇ ସତ୍ୟପାଠ ଜରିଆରେ ଜଣାଇବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଗୁରୁବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ରତ୍ନଭଣ୍ଡାର ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଛି। ଏହି ମାମଲାର ଶୁଣାଣି ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆପାତତଃ ଏପ୍ରିଲ ୪ରୁ ଗୃହ ଭଣ୍ଡାର ଖୋଲାଯାଇ ପାରେ ବୋଲି କୁହାଯାଇଥିଲା।

ଅସ୍ତରଙ୍ଗ ଉପକୂଳରେ ୧ ହଜାର ୧୦ କଇଁଛଙ୍କ ଅଣ୍ଡାଦାନ

ଅସ୍ତରଙ୍ଗ ଉପକୂଳରେ ୧ ହଜାର ୧୦ କଇଁଛଙ୍କ ଅଣ୍ଡାଦାନ

କାକଟପୁର,୨୯।୩(ଡି.ଏନ୍‌.ଏ.): ଚଳିତବର୍ଷ ଗହୀରମଥାଠାରେ ଅଲିଭ୍‌ରିଡ୍‌ଲେ କଇଁଛମାନେ ଗଣଅଣ୍ଡାଦାନ କରିଛନ୍ତି। ତେବେ ଅସ୍ତରଙ୍ଗ ଦେବୀମୁହାଣଠାରେ ଆଶାନୁରୂପକ ଅଣ୍ଡାଦାନ ହୋଇପାରି ନାହିଁ। ଅସ୍ତରଙ୍ଗ ବନ ବିଭାଗ ସୂତ୍ରରୁ ଜଣାପଡିଛି ଯେ, ଅସ୍ତରଙ୍ଗ ଉପକୂଳ ଅଞ୍ଚଳରେ ଗୁରୁବାର ସୁଦ୍ଧା ୧ ହଜାର ୧୦ ବସା ଠାବ କରାଯାଇ ଥିବା ବେଳେ ସେଥିରୁ ସମୁଦାୟ ୪୧ ହଜାର ୫୦୪ ଅଣ୍ଡା ସଂଗ୍ରହ କରାଯାଇଛି।

ମଧୁପାଟଣା  ଓଭରବ୍ରିଜରେ ସିରିଜ ଦୁର୍ଘଟଣା

ମଧୁପାଟଣା ଓଭରବ୍ରିଜରେ ସିରିଜ ଦୁର୍ଘଟଣା

କଟକ ଅଫିସ,୨୮।୩- ମଧୁପାଟଣା ଫ୍ଲାଏ ଓଭରବ୍ରିଜ ଉପରେ ପୁଣି ଘଟିଛି ଦୁର୍ଘଟଣା। ୫ ଦିନ ତଳେ ଏକ ଟ୍ରକ ଓଲଟିପଡିଥିବା ବେଳେ ବୁଧବାର ଅପରାହ୍ନରେ ଘଟିଛି ସିରିଜ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଟ୍ରକ ଏକ ବୋଲେରୋ ଓ କାରକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଗାଡ଼ି ଦୁଇଟି ଭାଙ୍ଗିରୁଜି ଯାଇଛି। ଏଥିରେ କେହି ମୃତାହତ ହୋଇନାହାନ୍ତି।

ହକି ବିଶ୍ୱକପ୍‌ ପାଇଁ କାଉଣ୍ଟ୍‌ଡାଉନ୍‌:  ଷ୍ଟାର୍‌ ବର୍ଗରେ ସାମିଲ ହେବାକୁ ହୋଟେଲଗୁଡ଼ିକୁ ପରାମର୍ଶ

ହକି ବିଶ୍ୱକପ୍‌ ପାଇଁ କାଉଣ୍ଟ୍‌ଡାଉନ୍‌: ଷ୍ଟାର୍‌ ବର୍ଗରେ ସାମିଲ ହେବାକୁ ହୋଟେଲଗୁଡ଼ିକୁ ପରାମର୍ଶ

ଭୁବନେଶ୍ୱର,୨୮।୩(ବ୍ୟୁରୋ)- ଓଡ଼ିଶା ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଛି। ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଓଡ଼ିଶାରେ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ୧୬ଟି ଦେଶ ଅଂଶଗ୍ରହଣ କରୁଛନ୍ତି। ଖେଳାଳିଙ୍କ ସହ ସେମାନଙ୍କ ଅଫିସିଆଲ୍‌ ଓ ସମର୍ଥକଙ୍କୁ ମିଶାଇ ୧୦ ହଜାରରୁ ଅଧିକ ଲୋକ ଏଠାକୁ ଆସିବେ ବୋଲି ଆକଳନ କରାଯାଉଛି। ହେଲେ ସେମାନଙ୍କ ରହଣି ଲାଗି ଓଡ଼ିଶାରେ ପର୍ଯ୍ୟାପ୍ତ ସଂଖ୍ୟକ ହୋଟେଲ ନାହିଁ। ବିଶେଷକରି ତାରକା ହୋଟେଲ ନ ଥିବାରୁ ଲୋକେ ଆସିବାକୁ ଅମଙ୍ଗ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଅଧିକ ୫ ହଜାର ହୋଟେଲ ରୁମ୍‌ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଓଡ଼ିଶା(ଏଚ୍‌ଆର୍‌ଏଓ)। ଓଡ଼ିଶାରେ ଏବେ ଷ୍ଟାର୍‌ ହୋଟେଲ ଏବଂ ଅତିଥିମାନଙ୍କ ରହିବା ଲାଗି ବ୍ୟାପକ ରୁମ୍‌ର ଆବଶ୍ୟକତା ରହିଛି। ରାଜ୍ୟରେ ଏବେ ବି ଅନେକ ହୋଟେଲ ରହିଛି, ଯେଉଁଗୁଡ଼ିକ ଷ୍ଟାର୍‌ ମାନ୍ୟତା ପାଇବା ଲାଗି ଯୋଗ୍ୟ ହୋଇଥିଲେ ମଧ୍ୟ ତାଲିକାଭୁକ୍ତ ହୋଇପାରିନାହାନ୍ତି। ଏଭଳିସ୍ଥଳେ ସେମାନେ ଷ୍ଟାର୍‌ ହୋଟେଲ ବର୍ଗରେ ସାମିଲ ହେବାକୁ ଆହ୍ବାନ କରାଯାଇଛି।

ସ୍ବର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ସହାୟତା ଅଣ୍ଟୁନି

ସ୍ବର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ସହାୟତା ଅଣ୍ଟୁନି

ପୁରୀ ଅଫିସ,୨୮।୩ : ହରିଶ୍ଚନ୍ଦ୍ର ଯୋଜନାରେ ଶବସତ୍କାର ନିମନ୍ତେ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୨ହଜାର ଟଙ୍କା ସହାୟତା ଦେଉଛନ୍ତି। ପୁରୀ ସ୍ବର୍ଗଦ୍ୱାର ଶ୍ମଶାନରେ ଦ୍ରବ୍ୟ ଓ ସେବା ମାଧ୍ୟମରେ ହିତାଧିକାରୀଙ୍କୁ ଏହି ସହାୟତା ଯୋଗାଇ ଦିଆଯାଉଛି। ହେଲେ ଏବାବଦକୁ ଖର୍ଚ୍ଚ ପ୍ରାୟ ୨୭ଶହ ଟଙ୍କାରୁ ଅଧିକ ହେଉଛି। ଏ ସଂକ୍ରାନ୍ତରେ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି। ସ୍ବର୍ଗଦ୍ୱାର କ୍ଷେତ୍ରରେ ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶିକୁ ୨ହଜାରରୁ ୨୭ଶହ ଟଙ୍କାକୁ ବୃଦ୍ଧି କରିବାକୁ ସେ ଚିଠି (ନଂ.୮୧୫/୨୩ା୩ା୨୦୧୮)ରେ ଜଣାଇଛନ୍ତି।

ବାଣୀବିହାରରେ ଗଣ୍ଡଗୋଳ, ୩ ଆହତ

ବାଣୀବିହାରରେ ଗଣ୍ଡଗୋଳ, ୩ ଆହତ

ଭୁବନେଶ୍ୱର, ୨୮।୩(ବ୍ୟୁରୋ)- ଉତ୍କଳ ବିଶ୍ୱବିଦ୍ୟାଳୟ(ବାଣୀବିହାର)ରେ ବୁଧବାର ରାତିରେ ଗଣ୍ଡଗୋଳ ଘଟିଛି। ୨ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍‌ ହୋଇଥିବାବେଳେ ଛାତ୍ର ନେତା ସୌମ୍ୟରଞ୍ଜନ ମହାପାତ୍ରଙ୍କ ସମେତ ୩ଜଣ ଆହତ ହୋଇଛନ୍ତି।