ରାଜ୍ୟ

ସାଲେପୁର ଶିଶୁକନ୍ୟା ବଳାତ୍କାର, ହତ୍ୟା ମାମଲା:୨ ଦିନିଆ ରିମାଣ୍ଡ ୨ ଘଣ୍ଟାରେ ସାରିଲା ପୋଲିସ

ସାଲେପୁର ଶିଶୁକନ୍ୟା ବଳାତ୍କାର, ହତ୍ୟା ମାମଲା:୨ ଦିନିଆ ରିମାଣ୍ଡ ୨ ଘଣ୍ଟାରେ ସାରିଲା ପୋଲିସ

କଟକ ଅଫିସ, ୫।୫- ସାଲେପୁରର ୬ ବର୍ଷିୟା ଶିଶୁକନ୍ୟା ବଳାତ୍କାର ଓ ହତ୍ୟା ମାମଲାର ଅଭିଯୁକ୍ତ ମହମ୍ମଦ ମୁସ୍ତାକଙ୍କୁ ସାଲେପୁର ପୋଲିସ ୨ ଦିନିଆ ରିମାଣ୍ଡରେ ନେଇଥିଲା। ମାତ୍ର ୨ ଘଣ୍ଟା ମଧ୍ୟରେ ଜେରା ସାରି ପୋଲିସ ପୁଣି ମୁସ୍ତାକଙ୍କୁ ସ୍ବତନ୍ତ୍ର କୋର୍ଟରେ ହାଜର କରିଥିଲା। ଉକ୍ତ ଅଦାଲତ ତାଙ୍କୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦେଇଛନ୍ତି। ପୂର୍ବରୁ ସେ ରହୁଥିବା ସାଲେପୁର ଜେଲ୍‌ରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଣୁ ପୋଲିସ ଭୟରେ ତାଙ୍କୁ ଅଧିକ ଦିନ ନ ରଖି କୋର୍ଟରେ ହାଜର କରିଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଏହି ୨ ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତ ମୁସ୍ତାକଙ୍କୁ ଘଟଣାସ୍ଥଳକୁ ନେଇଥିଲା। ପୂରା ଘଟଣାର ଲାଇଭ ଡେମୋ ଦେଖାଇଥିଲେ ମୁସ୍ତାକ। ସେ ଏଭଳି ସ୍ପର୍ଶକାତର ଘଟଣା ମୁସ୍ତାକ କାହିଁକି ଘଟାଇଲେ ସେ ସମ୍ପର୍କରେ ମଧ୍ୟ ପୋଲିସ ତାଙ୍କୁ ପଚରାଉଚରା କରିଥିଲା।

ଉଚ୍ଚତର ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଜୟନାରାୟଣ

କଟକ ଅଫିସ, ୬।୫- ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତା ଜୟନାରାୟଣ ମିଶ୍ର ଉଚ୍ଚତର ଚିକିତ୍ସା ପାଇଁ ଦିଲ୍ଲୀ ଏମ୍‌ସ ଯାଇଛନ୍ତି। ଶନିବାର ସକାଳେ ତାଙ୍କୁ ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ନିଆଯାଇଛି। ତେବେ ଏହାକୁ ନେଇ ଜୟନାରାୟଣ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ଦିଲ୍ଲୀ ପଠାଇବାର ଥିଲା ତେବେ ସିଧାସଳଖ ବୁର୍ଲାରୁ ନ ପଠାଇ ଭାୟା ଏସ୍‌ସିବି ଦେଇ ପଠାଇବା ଘଟଣାକୁ ନେଇ ସେ ପ୍ରଶ୍ନ କରିଛନ୍ତି। ସୂଚନାଥାଉକି, ଜୟନାରାୟଣ ଉଚ୍ଚ ରକ୍ତଚାପ, ମଧୁମେୟ ଓ କିଡ୍‌ନୀ ଜନିତ ରୋଗରେ ଆକ୍ରାନ୍ତ ଅଛନ୍ତି। ଗତ ଫେବୃୟାରୀ ମାସରେ ବରଗଡ଼ ଜିଲା ବନାବିରାଠାରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଜୟନାରାୟଣଙ୍କୁ ପୋଲିସ ଗିରଫ କରିଥିଲା। ଜେଲ୍‌ରେ ଥିବା ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ଜେଲ୍‌ରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଏପ୍ରିଲ ୨୪ରେ ତାଙ୍କୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏସ୍‌ସିବି ନେଫ୍ରୋଲୋଜି ବିଭାଗରେ ତାଙ୍କର ଚିକିତ୍ସା କରାଯାଉଥିଲା। ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ଶଶିଭୂଷଣ ରାଉତଙ୍କ ନେତୃତ୍ୱରେ ଗଠିତ ଏକ ୫ଜଣିଆ ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଥିଲା। ତେବେ ଉଚ୍ଚତର ଚିକିତ୍ସା ଆବଶ୍ୟକ ପଡିବାରୁ ତାଙ୍କୁ ଗତ ସପ୍ତାହରେ ଏମ୍‌ସକୁ ରେଫର କରାଯାଇଥିଲା। ମାତ୍ର ସେ ଶନିବାର ଏସ୍‌ସିବି ଛାଡିଛନ୍ତି।

ରାଜ୍ୟରେ ଆରମ୍ଭ ହେଲା ପୋଲିସ ଡାସ୍‌ବୋର୍ଡ ବ୍ୟବସ୍ଥା:ସୁଇଚ୍‌ ଟିପିଲେ ଜଣାପଡ଼ିବ ଥାନା ହାଲଚାଲ

କଟକ ଅଫିସ,୬।୫- ଅପରାଧୀ ଚିହ୍ନଟକରଣ ଓ ଅପରାଧ ନିୟନ୍ତ୍ରଣ ପ୍ରକ୍ରିୟାକୁ ଅଧିକ ମଜଭୁତ କରିଛି ଓଡ଼ିଶା ପୋଲିସ। ଶନିବାର ରାଜ୍ୟରେ ଆରମ୍ଭ ହୋଇଛି ପୋଲିସ ଡାସ୍‌ବୋର୍ଡ ବ୍ୟବସ୍ଥା। ବରିଷ୍ଠ ପୋଲିସ ଅଧିକାରୀମାନେ ନିଜ କାର୍ଯ୍ୟାଳୟରେ ବସି କମ୍ପ୍ୟୁଟର ସୁଇଚ୍‌ ଟିପିବା ମାତ୍ରେ ଥାନା ସ୍ତରର ଟିକିନିଖି ଖବର ବୁଝି ପାରିବେ। କେଉଁ ଥାନାଞ୍ଚଳରେ କ’ଣ ଅପରାଧ ଘଟୁଛି, ଅପରାଧର ପୃଷ୍ଠଭୂମି ଓ ତଦନ୍ତର ଅଗ୍ରଗତି ସହିତ ଧର୍ତ୍ତବ୍ୟ ଅପରାଧଗୁଡ଼ିକର ସବିଶେଷ ତଥ୍ୟ ମଧ୍ୟ ନିଜ ଅଫିସରେ ବସି ତଦାରଖ କରିପାରିବେ। ଏଥିପାଇଁ ଏସ୍‌ପି ଓ ଡିଆଇଜିମାନଙ୍କୁ ଡିସିଡି (ଡେଲି କ୍ରାଇମ ଡିଜେଷ୍ଟ) ଫର୍ମାଟ ଦିଆଯିବ। ଏହି ବ୍ୟବସ୍ଥା ଦ୍ୱାରା ମାମଲାଗୁଡ଼ିକର ଠିକ ପରିଚାଳନା ସହିତ ଅଭିଯୋଗକାରୀଙ୍କୁ ଉଚିତ୍‌ ନ୍ୟାୟ ପ୍ରଦାନରେ ସହଯୋଗ କରିବ ବୋଲି ଡିଜିପି ଆର୍‌.ପି ଶର୍ମା କହିଛନ୍ତି।

ଜଳାଶୟରେ ପାଣି ଭର୍ତ୍ତି ଆରମ୍ଭ

ଜଳାଶୟରେ ପାଣି ଭର୍ତ୍ତି ଆରମ୍ଭ

ବରଗଡ଼ ଅଫିସ୍‌,୬।୫:ବରଗଡ଼ ସହରରେ ରହିଥିବା ଜଳାଶୟ ଗୁଡ଼ିକର ପୁନରୁଦ୍ଧାର ପାଇଁ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ପୌର ପରିଷଦ ଅଧୀନରେ ରହିଥିବା ବଡ଼ସର, ଫକୀରାବନ୍ଧ, ଅଏଁଲାବନ୍ଧ ଓ ଅଏଁଲାକଟାର ପୁନରୁଦ୍ଧାର କାର୍ଯ୍ୟ ସରିଥିବା ସୂଚନା ଦିଆଯାଇଛି । ପୁନରୁଦ୍ଧାର କାର୍ଯ୍ୟ ସରିବା ପରେ ଶନିବାର ସ୍ଥାନୀୟ ଅଏଁଲାକଟାରେ ପାଣି ଭର୍ତ୍ତି କରାଯିବା ଆରମ୍ଭ କରାଯାଇଛି। ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏହାର ଶୁଭାରମ୍ଭ କରିଥିଲେ । ପୌରାଧ୍ୟକ୍ଷ ପ୍ରଶାନ୍ତ ବେହେରା, ବରଗଡ଼ ନଗର ବିଜେଡ଼ି ସଭାପତି କିଶୋର ମିଶ୍ର, ପୌର ନିର୍ବାହୀ ଅଧିକାରୀ ସୁଶାନ୍ତ ରାଉତ, ଯନ୍ତ୍ରୀ ଅଜୟ ଶାହା ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ପୌର ପରିଷଦ ଅଧୀନରେ ରହିଥିବା ଅନ୍ୟ ଜଳାଶୟ ଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ସମାପନ କରାଯିବା ସହିତ ସେଠାରେ ପାଣି ଭର୍ତ୍ତି କରାଯିବ ବୋଲି ପୌରାଧ୍ୟକ୍ଷ ବେହେରା ସୂଚନା ଦେଇଛନ୍ତି ।

ଆନ୍ତର୍ଜାତିକ ବ୍ୟଙ୍ଗଚିତ୍ର ପ୍ରଦର୍ଶନୀରେ ଗଜପତିର ଏମ.ଶେଖର ରାଓ ପୁରସ୍କୃତ

ଆନ୍ତର୍ଜାତିକ ବ୍ୟଙ୍ଗଚିତ୍ର ପ୍ରଦର୍ଶନୀରେ ଗଜପତିର ଏମ.ଶେଖର ରାଓ ପୁରସ୍କୃତ

ପାରଳାଖେମୁଣ୍ଡି,୬।୫(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରର ସୁପରିଚିତ ବ୍ୟଙ୍ଗ ଚିତ୍ରକାର ଏମ.ଶେଖର ରାଓ ଏକ ଆନ୍ତର୍ଜାତିକ ପ୍ରଦର୍ଶନୀରେ ନିଜ କଳାକୃତି ଯୋଗୁ ପ୍ରଶଂସିତ ଓ ପୁରସ୍କୃତ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତ ଏପ୍ରିଲ ୨୩ତାରିଖ ବିଶ୍ୱ ପୁସ୍ତକ ଦିବସ ଅବସରରେ ତୁର୍କୀର ରାଜଧାନୀ ଇସ୍ତାନବୁଲ୍‌ରେ ଆନ୍ତର୍ଜାତିକ ବ୍ୟଙ୍ଗଚିତ୍ର ଶିଳ୍ପୀ ସଂଘ ପକ୍ଷରୁ ବ୍ୟଙ୍ଗଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏଥିରେ ଏମ.ଶେଖର ରାଓ ନିଜର କଳାକୃତି ପ୍ରଦର୍ଶନ କରିବା ପାଇଁ ସୁଯୋଗ ପାଇଥିଲେ। ଏବେ ଇଣ୍ଟରନେଟ ଓ ଆଣ୍ଡ୍ରଏଡ ଫୋନ ଯୁଗରେ ଲୋକେ ସମସ୍ତ ଘଟଣା ଜାଣିପାରୁଥିବା ବେଳେ ପୁସ୍ତକଗୁଡିକ କିପରି ମୂଲ୍ୟହୀନ ହୋଇପଡୁଛି ସେ ସଂକ୍ରାନ୍ତ ବିଷୟବସ୍ତୁ ଉପରେ ଶେଖର ବ୍ୟଙ୍ଗଚିତ୍ର ପ୍ରଦର୍ଶନ କରିଥିଲେ।

କାଠ ପାଇଁ  ମହିଳାଙ୍କୁ ଅସଦାଚରଣ ଅଭିଯୋଗ

କାଠ ପାଇଁ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ନୟାଗଡ଼ ଅଫିସ,୬।୫-ଜଙ୍ଗଲରୁ ଭାଙ୍ଗିଯାଇଥିବା କାଠକୁ ଆଣୁଥିବାବେଳେ ଗ୍ରାମର ଜଣେ ବ୍ୟକ୍ତି ଶତାଧିକ ମହିଳାଙ୍କୁ ଅସଦାଚରଣ କରିବା ସହ ଗାଳିଗୁଲଜ କରିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି । ଅନୁସାରେ ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମ ନିକଟରେ ରହିଛି ଜାମୁବଣିଆ ଜଙ୍ଗଲ । ଗୁରୁବାର ବିଳମ୍ବିତ ରାତିରେ କାଳବୈଶାଖୀ ଯୋଗୁଁ ଜଙ୍ଗଲରେ ଗୁଡ଼ିଏ ଗଛ ଭାଙ୍ଗି ପଡ଼ିଥିଲା। ଶୁକ୍ରବାର ସକାଳେ ଯଦୁପୁର ଗ୍ରାମର ବହୁ ମହିଳା ଜଙ୍ଗଲରୁ କାଠ ଆଣି ଫେରୁଥିବା ବେଳେ ଗ୍ରାମର ଜଣେ ବ୍ୟକ୍ତି ସେମାନଙ୍କୁ ଅସଦାଚରଣ କରିବା ସହ ଅଶ୍ଲୀଳ ଭାଷା କହିଥିଲେ। ମହିଳାମାନେ କାଠ ନେଇ ଏହାକୁ ନିଲାମ କରି ଗାଁରେ ହେବାକୁ ଥିବା ପୂର୍ଣ୍ଣିମା ଯାତ୍ରାରେ ଖର୍ଚ୍ଚ କରିବେ ବୋଲି କହିଥିଲେ।

ଆଜିଠୁ ଖୋଳାଯିବ ମୃତ ଲୁଣା ନଦୀ

ଆଜିଠୁ ଖୋଳାଯିବ ମୃତ ଲୁଣା ନଦୀ

ମାର୍ଶାଘାଇ,୬।୫:ଏକଦା କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳର ଜୀବନରେଖା ପାଲଟିଥିବା ମୃତ ଲୁଣାନଦୀର ପୁନରୁଦ୍ଧାର କାର୍ଯ୍ୟ ରବିବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଗଁ। ମାର୍ଶାଘାଇର ହଦୁଆ ବନ୍ଧ ଠାରୁ ବାଘଡିଆ ପର୍ଯ୍ୟନ୍ତ ନଦୀ ଖନନ କରାଯିବାର ଯୋଜନା ରହିଛି । ଶୁକ୍ରବାର ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଦୁମୁକା ଗ୍ରାମର ଅଶ୍ରୁଖଳାଠାରେ ଏହାର ଶୁଭାରମ୍ଭ କରିଥିଲେ । ଏହି ନଦୀର ଦୈର୍ଘ୍ୟ ୪.୪୦୦ କି.ମି ପାଇଁ ୧.୩୦କୋଟି ଟଙ୍କା ବିନିଯୋଗ କରାଯିବ । ଏହାଛଡା ନଦୀ ଏପଟରୁ ସେପଟକୁ ଯାତାୟାତ ପାଇଁ ଦୁଇଟି ସ୍ଥାନରେ ପାଦ ଚଲା ପୋଲ ନିର୍ମାଣ କରାଯିବ ବୋଲି କେନ୍ଦ୍ରାପଡା ଜଳ ନିକାସ ବିଭାଗ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ମହାପାତ୍ରଙ୍କ ସୂତ୍ରରୁ ଜାଣିବାକୁ ମିଳିଛି । ଏହି ନଦୀରେ ପୂର୍ବପରି ଜଳ ପ୍ରବାହିତ ହେଲେ ନଦୀ କୂଳବର୍ତ୍ତୀ ମାର୍ଶାଘାଇ, କାନପୁର, ଦୁମୁକା, ବାଘଡିଆ, ଡଅଁରମୁଣ୍ଡ ଓ ଶିଳିପୁର ଆଦି ଗ୍ରାମବାସୀ ଉପକୃତ ହୋଇପାରିବେ । ପ୍ରକାଶ ଯେ, ବ୍ରିଟିଶ ଶାସନ କାଳରେ ଏହି ନଦୀ ଲୁଣାର ଶାଖା ନଦୀ ଥିଲା ।

ବୈଜୟନ୍ତଙ୍କ ନିର୍ବାଚନୀ ସତ୍ୟପାଠ ମାମଲାର  ଶୁଣାଣି ସୋମବାର

ବୈଜୟନ୍ତଙ୍କ ନିର୍ବାଚନୀ ସତ୍ୟପାଠ ମାମଲାର ଶୁଣାଣି ସୋମବାର

କେନ୍ଦ୍ରାପଡ଼ା ଅଫିସ, ୬।୫:କେନ୍ଦ୍ରାପଡ଼ା ଏସଡିଜେଏମ ନିହାର ରଞ୍ଜନ ସାହୁଙ୍କ କୋର୍ଟରେ ଗତ ମାର୍ଚ୍ଚ ୧୫ ତାରିଖରେ ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କ ନାମରେ ହୋଇଥିବା ନିର୍ବାଚନୀ ସତ୍ୟପାଠ ମାମଲାର ଶୁଣାଣି ଆସନ୍ତା ସୋମବାରକୁ ଘୁଞ୍ଚି ଯାଇଛି । ୨୧୭/୧୮ର ଏହି ମାମଲାରେ କଟକ ଜିଲା ହରିଅନ୍ତା ଗ୍ରାମର ଭୋଟର ଗୋପାଳ ଚନ୍ଦ୍ର ଲେଙ୍କା ଏମପି ପଣ୍ଡାଙ୍କ ନିର୍ବାଚନୀ ସତ୍ୟପାଠରେ ସତ୍ୟତା ନ ଥିବା ଦର୍ଶାଇ ଅଭିଯୋଗ କରିଥିଲେ । ଏହି ମାମଲାର ଶୁଣାଣି ଶନିବାର ହେବାର ଥିଲା । ସୂଚନାଯୋଗ୍ୟ ଯେ, ଏହିପରି ଏକ ଅଭିଯୋଗ ସଦର ଥାନା ଅନ୍ତର୍ଗତ ଉଦୟନଗରସ୍ଥ ଦିଲୀପ ଦାସ ଏସଡିଜେଏମ ସାହୁଙ୍କ କୋର୍ଟରେ ଗତ ୧ ତାରିଖରେ କରିଛନ୍ତି । ଏହି ଅଭିଯୋଗକୁ ଏସଡିଜେଏମ ସାହୁ ଟାଉନ ଥାନାରେ ପଞ୍ଜିକୃତ କରି ତଦନ୍ତ ରିପୋର୍ଟ ଆସନ୍ତା ଜୁଲାଇ ୨୫ ତାରିଖ ସୁଦ୍ଧା ଦେବା ପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସରକାରୀ ନିୟମ ମାନୁନାହାନ୍ତି ବିଇଓ, ଚରମ ଚେତାବନୀ ଦେଲେ ଡିଇଓ

ଜଗତ୍‌ସିଂହପୁର ଅଫିସ,୬।୫: କୌଣସି ବେସରକାରୀ ଶିକ୍ଷାନୁଷ୍ଠାନ(୧ମରୁ ୮ମ ଶ୍ରେଣୀ) ଖୋଲିବାକୁ ହେଲେ ଅନୁମୋଦନ ପ୍ରମାଣପତ୍ର(ସାର୍ଟିଫିକେଟ୍‌ ଅଫ ରେକଗ୍‌ନାଇଜେଶନ୍‌) ବାଧ୍ୟତାମୂଳକ। କିନ୍ତୁ ଜଗତ୍‌ସିଂହପୁର ଜିଲାରେ ଏହା ପ୍ରହସନରେ ପରିଣତ ହୋଇଛି। ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ମାନେ ସରକାରୀ ନିର୍ଦ୍ଦେଶକୁ ଫୁ କରି ଦେଉଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ବିଇଓମାନେ ଗତ ମାର୍ଚ୍ଚ ୩୧ ସୁଦ୍ଧା ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକୁ ଯାଇ ତଦନ୍ତ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସୁପାରିଶ କରିବା କଥା। କିନ୍ତୁ ଇତିମଧ୍ୟରେ ଜିଲାର ଜଣେ ବି ବିଇଓ ନିଜ ଅଞ୍ଚଳର ସମସ୍ତ ବେସରକାରୀ ପ୍ରାଥମିକ ବିଦ୍ୟାଳୟର ତଦନ୍ତ ରିପୋର୍ଟ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ପ୍ରଦାନ କରିନାହାନ୍ତି। କେବଳ ବିରିଡ଼ି, ଏରସମା, ତିର୍ତ୍ତୋଲ, ରଘୁନାଥପୁର ବିଇଓମାନେ ଅଳ୍ପ କେତୋଟି ଶିକ୍ଷାନୁଷ୍ଠାନକୁ ଯାଇ ତଦନ୍ତ କରି ରିପୋର୍ଟ ଦେଇଛନ୍ତି।

ବଦଳିଲେ ୮୭ କନଷ୍ଟେବଳ

ବଦଳିଲେ ୮୭ କନଷ୍ଟେବଳ

ଢେଙ୍କାନାଳ ଅଫିସ, ୬।୫-ଢେଙ୍କାନାଳ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଶନିବାର କନଷ୍ଟେବଳସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ଏସ୍‌ପି ସନ୍ତୋଷ କୁମାର ନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ୮୭ଜଣ କନଷ୍ଟେବଳକୁ ବିଭିନ୍ନ ଥାନା, ଫାଣ୍ଡି, ରିଜର୍ଭ ପୋଲିସ ଲାଇନ, ମୁଖ୍ୟ ପୋଲିସ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। ପୋଲିସ ପ୍ରଶାସନକୁ କ୍ରିୟାଶୀଳ କରାଇବା ପାଇଁ ଏପରି ବଦଳି ହୋଇଥିବା ଜଣାପଡ଼ିଛି।

ରେଷ୍ଟୁରାଣ୍ଟରେ ଯାଞ୍ଚ ହେଲା ଖାଦ୍ୟର ମାନ

ରେଷ୍ଟୁରାଣ୍ଟରେ ଯାଞ୍ଚ ହେଲା ଖାଦ୍ୟର ମାନ

ଢେଙ୍କାନାଳ ଅଫିସ, ୬।୫:ଢେଙ୍କାନାଳ ସହରରେ ପ୍ରମୁଖ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକରେ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବା ଖବର ପ୍ରକାଶିତ ହେବା ପରେ ଚେଇଁ ଶୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶନିବାର ପୂର୍ବାହ୍ନରେ ଅନୁଗୋଳରୁ ଖାଦ୍ୟ ନିରୀକ୍ଷିକା ଅନୁଶ୍ରୀ ଖଟୁଆ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ସୂର୍ଯ୍ୟ ହୋଟେଲରେ ଖାଦ୍ୟର ମାନ ଯାଞ୍ଚ କରିଛନ୍ତି।

୪୨୫ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ

୪୨୫ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ

ପରଜଙ୍ଗ, ୬।୫(ଡି.ଏନ୍‌.ଏ.):ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ଜୀବିକା ମିଶନ ଆନୁକୂଲ୍ୟରେ ଶନିବାର କୌଶଳ ବିକାଶ ଦିବସ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ଯୋଗଦେଇ ୪୨୫ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଏଥିସହ ନିର୍ଦ୍ଧାରିତ ସମୟରେ ଗୃହ କାର୍ଯ୍ୟ ଶେଷ କରିଥିବା ୧୬ଜଣଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା।

ବଳାତ୍କାର ପ୍ରତିରୋଧ କରିବାରୁ ହତ୍ୟା

ବଳାତ୍କାର ପ୍ରତିରୋଧ କରିବାରୁ ହତ୍ୟା

ଢେଙ୍କାନାଳ ଅଫିସ, ୬।୫:ଢେଙ୍କାନାଳ ଜିଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି କାଙ୍କଲୁଣ୍ଡା ଗ୍ରାମ ନିକଟରେ ଆଶ୍ରମ କରି ରହୁଥିବା ସନ୍ନ୍ୟାସିନୀ ଗୋଲାପ ସାହୁ (୬୦) ହତ୍ୟାକାଣ୍ଡ ମାମଲାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଭୁବନ ଥାନା ପଳାସପିଠିଆ ଗ୍ରାମର ବିଜୁ ବାରିକ(୨୩)ଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନିକଟରୁ ମୃତ ମହିଳାଙ୍କ ଦୁଇଟି ମୋବାଇଲ ଏବଂ ଘଟଣା ରାତିରେ ଅଭିଯୁକ୍ତ ବ୍ୟବହାର କରିଥିବା ବାଇକ୍‌ (ଓଡି ୦୬-୬୯୭୮) ଜବତ କରାଯାଇଛି। ଅଭିଯୁକ୍ତ ବିଜୁ ପ୍ରଥମେ ସନ୍ନ୍ୟାସିନୀଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଏହାର ପ୍ରତିରୋଧ କରିବାରୁ ତାଙ୍କୁ ଅମାନୁଷିକ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ପୋଲିସ ଆଗରେ ସ୍ବୀକାର କରିଥିବା ଏସ୍‌ପି ସନ୍ତୋଷ କୁମାର ନାୟକ କହିଛନ୍ତି।

୨ଶିଶୁ ଅପପୁଷ୍ଟିର ଶିକାର

୨ଶିଶୁ ଅପପୁଷ୍ଟିର ଶିକାର

ଢେଙ୍କାନାଳ ଅଫିସ, ୬।୫:ମା’ ଏବଂ ଶିଶୁଙ୍କ ସ୍ବାସ୍ଥ୍ୟର ଉନ୍ନତି ପାଇଁ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଛି ଡଜନେରୁ ଊର୍ଦ୍ଧ୍ୱ ଯୋଜନା। ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ପାଇଁ ଦିଆଯାଉଛି ନାରା। ସଚେତନତା କାର୍ଯ୍ୟକ୍ରମ ସହ ଯୋଜନାକୁ ଠିକ୍‌ ମାର୍ଗରେ କାର୍ଯ୍ୟକାରୀ କରାଇବା ପାଇଁ ଜିଲା ପ୍ରଶାସନକୁ ଜାରି କରାଯାଇଛି କଡ଼ା ନିର୍ଦ୍ଦେଶ। ଏହାସତ୍ତ୍ୱେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳାରୁ ପଥଭ୍ରଷ୍ଟ ହେଉଛି ଯୋଜନା। ଆଦିବାସୀ ବହୁଳ ପଛୁଆ ଜିଲାରେ ଏହା ସାଧାରଣ କଥା ହୋଇଥିବାବେଳେ ଶିଳ୍ପ ସମୃଦ୍ଧ ଢେଙ୍କାନାଳ ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। କାମାକ୍ଷାନଗର ବ୍ଲକ ମହୁଲପାଳ ପଞ୍ଚାୟତ କେନ୍ଦୁପଶି ଗ୍ରାମର ୨ ଶିଶୁ ଅପପୁଷ୍ଟିର ଶିକାର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ସମସ୍ତଙ୍କ ସହଯୋଗରେ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ୍‌

ସମସ୍ତଙ୍କ ସହଯୋଗରେ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ୍‌

ଢେଙ୍କାନାଳ ଅଫିସ,୬।୫:ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଶନିବାର ଢେଙ୍କାନାଳ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ (ଡ୍ରିଟ୍‌) ପକ୍ଷରୁ ମାଷ୍ଟର ପ୍ଲାନ ଚିଠା ପ୍ରସ୍ତୁତ ପାଇଁ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଅଧ୍ୟକ୍ଷତା କରିଥିଲେ। ଡ୍ରିଟ୍‌ ଅନ୍ତର୍ଭୁକ୍ତ ଅଞ୍ଚଳର ବୁଦ୍ଧିଜୀବୀ, ବାସିନ୍ଦା, ସରକାରୀ ଅଧିକାରୀ ଏବଂ ଜନ ପ୍ରତିନିଧିଙ୍କ ସହଯୋଗରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଯୋଜନା ପ୍ରସ୍ତୁତ ପୂର୍ବରୁ ସମସ୍ତ ରାଜସ୍ବ ରେକର୍ଡ ତଦାରଖ କରାଯିବ। ଦକ୍ଷିଣ ଭାରତରୁ ମାଲ ପରିବହନ ଉଦ୍ଦେଶ୍ୟରେ ଆସୁଥିବା ଗାଡ଼ିଗୁଡ଼ିକ ଅତ୍ୟଧିକ ପ୍ରଦୂଷଣ ସୃଷ୍ଟି କରୁଛନ୍ତି। ଉକ୍ତ ଭାରିଯାନଗୁଡ଼ିକର ଚଳାଚଳ ବନ୍ଦ କରିବାକୁ ଜିଲାପାଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସ୍ବତନ୍ତ୍ର ଭାବେ ହାତୀ ଚଲାପଥକୁ ଯୋଜନାରେ ଦର୍ଶାଇବା, ସାଇକେଲ ଚାଳନା ପାଇଁ ରାସ୍ତା, ଭେଣ୍ଡିଂ ଜୋନ୍‌, ନୋ ଭେଣ୍ଡିଂ ଜୋନ୍‌, କଂସେଇଖାନା, ପାର୍କିଂ ଜୋନ୍‌, ସ୍ବାସ୍ଥ୍ୟସେବା ଅଞ୍ଚଳ, ନୂଆ ବସ୍‌ଷ୍ଟାଣ୍ଡ ଆଦି ସ୍ଥାନକୁ ପ୍ରମୁଖ ଭାବେ ଉଲ୍ଲେଖ କରିବା, ସରକାରୀ ଜାଗାକୁ ପାଚେରି ଦ୍ୱାରା ଆବଦ୍ଧ କରାଇବା ସହ ନୋ ଡେଭେଲପମେଣ୍ଟ ଅଞ୍ଚଳ ଭାବେ ପ୍ରଦର୍ଶିତ କରାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସ୍ବାମୀଙ୍କ ୨ଟି କିଡ୍‌ନୀ ଅଚଳ:ଦୁଇ ଛୁଆଙ୍କୁ ନେଇ ଚିନ୍ତାରେ ରିନା

ସ୍ବାମୀଙ୍କ ୨ଟି କିଡ୍‌ନୀ ଅଚଳ:ଦୁଇ ଛୁଆଙ୍କୁ ନେଇ ଚିନ୍ତାରେ ରିନା

ତାଳଚେର,୬।୫(ନି.ପ୍ର.)- ସ୍ବାମୀ ଅଟୋ ଚଳାଇଲେ ଘରେ ଚୁଲି ଜଳୁଥିଲା। ୨ଟି ପିଲାଙ୍କୁ ନେଇ କଷ୍ଟେମଷ୍ଟେ ଚଳିଯାଉଥିଲୁ। ଭଲରେ ଗଣ୍ଡେ ଖାଇବାକୁ ଦେଇପାରୁ ନ ଥିଲେ ବି ପିଲା ଦୁଇଟିଙ୍କୁ ମଣିଷ କରିବାକୁ ପଣ କରିଥିଲୁ। ହେଲେ ସ୍ବାମୀଙ୍କ ୨ଟି ଯାକ କିଡ୍‌ନୀ ଅଚଳ ହୋଇଯାଇଥିବା ଡାକ୍ତର କହିବା ପରେ ସବୁ ସ୍ବପ୍ନ ଯେପରି ଭାଙ୍ଗି ଯାଇଛି। ଏଣେ ସ୍ବାମୀଙ୍କ ଚିକିତ୍ସା ପାଇଁ ପାଖରେ ସମ୍ବଳ ନ ଥିବା ବେଳେ ସେଣେ ପିଲା ଦୁଇଟିଙ୍କ ବିକଳ ମୁହଁ ତାଙ୍କୁ ଅସହାୟ କରିଦେଇଛି ବୋଲି କହିଛନ୍ତି ତାଳଚେର ପୌରାଞ୍ଚଳ ନୁହୁରାସାହରି ବ୍ରହ୍ମାନନ୍ଦ ସାହୁ (୩୫)ଙ୍କ ସ୍ତ୍ରୀ ରିନା ସାହୁ। ଜିଲା ପ୍ରଶାସନ ଓ କେହି ସହୃଦୟ ବ୍ୟକ୍ତି ତାଙ୍କୁ ସହାୟତା କଲେ ଉଜୁଡ଼ା ସଂସାର ପୁଣି ସଜାଡ଼ି ହୋଇପାରନ୍ତା ବୋଲି ଲୁହ ଛଳ ଛଳ ଆଖିରେ କହିଛନ୍ତି ରିନା।

ଜଙ୍ଗଲରୁ ଗଛକଟା ନେଇ ବିବାଦ

ଜଙ୍ଗଲରୁ ଗଛକଟା ନେଇ ବିବାଦ

ଛେଣ୍ଡିପଦା,୬।୫(ଡି.ଏନ.ଏ.)- ଛେଣ୍ଡିପଦା ବନାଞ୍ଚଳ ପାଟକୁମୁଣ୍ଡା ପଞ୍ଚାୟତ ପାଟକୁମୁଣ୍ଡା ଗଁ। ଏବଂ ପାଟକମୁଣ୍ଡା ଜଙ୍ଗଲ(ବିଜାପଦା) ଗ୍ରାମ ମଧ୍ୟରେ ଜଙ୍ଗଲ ଜଗାରଖା, ସୀମା ନିର୍ଦ୍ଧାରଣ ଓ ଅଧିକାର ସାବ୍ୟସ୍ତ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି। ବିଶେଷକରି ଶନିବାର ପାଟକୁମୁଣ୍ଡା ଜଙ୍ଗଲ (ବିଜାପଦା) ଗ୍ରାମ ଇଲାକାରେ ଥିବା ଜଙ୍ଗଲରୁ ଗଛ କଟାଯିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବିଜାପୁର ଗ୍ରାମବାସୀ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ଓ ଥାନା ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ବନାଞ୍ଚଳ ଅଧିକାରୀ ଦୁର୍ଗାଚରଣ ସାହୁ, ଫରେଷ୍ଟର ପ୍ରତାପ କେଶରୀ ପ୍ରଧାନ ଏବଂ ଥାନା ଅଧିକାରୀ ନିର୍ମଳା ଗୋଚ୍ଛାୟତଙ୍କ ସହ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ସରଜମିନ ତଦନ୍ତ କରିଥିଲେ।

ଓଡ଼ିଶା ବଜାରରେ ଅଡି ଏ୫ ସ୍ପୋର୍ଟ ବ୍ୟାକ୍‌

ଓଡ଼ିଶା ବଜାରରେ ଅଡି ଏ୫ ସ୍ପୋର୍ଟ ବ୍ୟାକ୍‌

ଭୁବନେଶ୍ୱର,୬-୫(ବ୍ୟୁରୋ):ଜର୍ମାନଭିତ୍ତିକ ଲକ୍‌ଜ୍ୟୁରୀ କାର ନିର୍ମାତା ଅଡି ପକ୍ଷରୁ ଏହାର ନୂଆ ମଡେଲ ଅଡି ଏ୫ ସ୍ପୋର୍ଟ ବ୍ୟାକ୍‌ ଓଡିଶା ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ପାହାଳସ୍ଥିତ ଶୋ’ରୁମ୍‌ରେ ଉକ୍ତ ମଡେଲର ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଶୋ’ରୁମ ପକ୍ଷରୁ ଏକ ଟେଷ୍ଟ ଡ୍ରାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କମ୍ପାନୀ ଉକ୍ତ ମଡେଲକୁ ୭ ବର୍ଷ ତଳେ ବଜାରକୁ ଛାଡିଥିବା ବେଳେ ଏହା ପୁଣି ଥରେ ନୂଆ ରୂପରେ ଆସିଛି। ଏଥିରେ ଅତ୍ୟାଧୁନିକ ଡିଜାଇନ ଏବଂ ଆକର୍ଷକ ଇଣ୍ଟେରିୟର ରହିଛି। ସେହିଭଳି ଉକ୍ତ ମଡେଲରେ ଗ୍ରାହକମାନେ ଉନ୍ନତ ସସ୍‌ପେନସନ, ଉଚ୍ଚ ପରଫର୍ମାନ୍ସ ଡ୍ରାଇଭ୍‌, ଇନ୍‌ଫୋଟେନମେଣ୍ଟ, ଭର୍ଚୁଆଲ କକ୍‌ପିଟ୍‌, ଅଡି ସ୍ମାର୍ଟଫୋନ ଇଣ୍ଟରଫେସ୍‌ ପାଇପାରିବେ। ଏହା ବାଦ୍‌ ଏଥିରେ ୨.୦ ଲିଟରର ଡିଜେଲ ଇଞ୍ଜିନ, ଏସ୍‌-ଟ୍ରୋନିକ ଡୁଆଲ କ୍ଲଚ୍‌ ଟ୍ରାନ୍ସମିଶନ, ଏମ୍‌ଏମ୍‌ଆଇ ନ୍ୟାଭିଗେଶନ ପ୍ଲସ ସମେତ ଅନ୍ୟାନ୍ୟ ପ୍ରମୁଖ ବୈଶିଷ୍ଟ୍ୟ ରହିଥିବା କମ୍ପାନୀ ପ୍ରକାଶ କରିଛି। ମଡେଲଟିର ବଜାର ଦର ୫୪.୦୨ ଲକ୍ଷ ଟଙ୍କା ରହିଛି।

ବ୍ରାଣ୍ଡେଡ ପୋଷାକ ମେଳାରେ ଭିଡ ଜମୁଛି

ବ୍ରାଣ୍ଡେଡ ପୋଷାକ ମେଳାରେ ଭିଡ ଜମୁଛି

ଭୁବନେଶ୍ୱର,୬।୫:ହୋଟେଲ ନ୍ୟୁ ମାରିଅନଠାରେ ଚାଲିଥିବା ବ୍ରାଣ୍ଡେଡ ଗାର୍ମେଣ୍ଟ ମେଳାରେ ଗ୍ରାହକଙ୍କ ଭିଡ ପରିଲକ୍ଷିତ ହେଉଛି। ଗ୍ରାହକଙ୍କ ଲାଗି ଆକର୍ଷଣୀୟ ରିହାତି ଫଳରେ ଏହି ଭଳି ଭିଡ ଲାଗି ରହୁଥିବା ଆୟୋଜକ ସଂସ୍ଥା ପ୍ରକାଶ କରିଛନ୍ତି। ଗ୍ରୀଷ୍ମ ତଥା ବିବାହ ଋତୁକୁ ଧ୍ୟାନରେ ରଖି ଏଠାରେ ନୂଆ କଲେକ୍ସନ ସଂଯୋଗ କରାଯାଇଛି। ବିଭିନ୍ନ ବର୍ଗର ପୋଷାକ ଉପରେ ଗ୍ରାହକମାନେ ଏଠାରେ ୯୦% ପର୍ଯ୍ୟନ୍ତ ରିହାତି ଲାଭ କରିବେ ବୋଲି ଜଣାଯାଇଛି। ପୁରୁଷ, ମହିଳା ଏବଂ ଶିଶୁଙ୍କ ଲାଗି ଏଠାରେ ରେଡିମେଡ ପୋଷାକ ଉପଲବ୍ଧ ହେଉଛି। ଏଠାରେ ଗ୍ରାହକମାନେ ଉନ୍ନତ କ୍ରୟ ଅଭିଜ୍ଞତା ଲାଭ କରିବାକୁ ସକ୍ଷମ ହେବେ ବୋଲି ଆୟୋଜକ ସଂସ୍ଥା ସୂଚନା ଦେଇଛି। ଏଠାରେ ୩୦୦ ଟଙ୍କାରେ ଶାର୍ଟ ଉପଲବ୍ଧ ହେଉଥିବା ବେଳେ ୪୦୦ ଟଙ୍କାରେ ଟ୍ରାଉଜର, ୮୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ବ୍ରାଣ୍ଡେଡ ଜିନ୍ସ, ୨୦୦-୬୦୦ ଟଙ୍କାରେ ଲେଡିଜ ଓ୍ବେର ଉପଲବ୍ଧ ହେଉଛି।

ଫେରିଲେ ନିଖୋଜ ୭ ମତ୍ସ୍ୟଜୀବୀ

ବ୍ରହ୍ମପୁର ଅଫିସ, ୬। ୫:ଗୋପାଳପୁର ଅଞ୍ଚଳରେ କାଳବୈଶାଖୀ ସମୟରେ ସମୁଦ୍ରକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଯାଇଥିବା ୭ ମତ୍ସ୍ୟଜୀବୀ ଶୁକ୍ରବାର କଳକୁ ଫେରିଛନ୍ତି। ସେମାନେ ହେଲେ ଗୋପାଳପୁର ଅଞ୍ଚଳର ବି. ଶଙ୍କର, ବି. ସତ୍ୟମ, ଏ. ନାରାୟଣ, ବି. କୁମାର, ବି. କଲେୟା, ଜି. କଲେୟା, ଏନ. ବାବାଜୀ। ସେମାନେ ବୁଧବାର ପୂର୍ବାହ୍ନରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ରାତିରେ କାଳବୈଶାଖୀ ସମୟରେ ବୁଡି ଯାଇ ନିଖୋଜ ହୋଇଯାଇଥିଲେ। ସୁନାପୁର ଅଞ୍ଚଳର ମତ୍ସ୍ୟଜୀବୀମାନେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା କରିଥିଲେ। ଶୁକ୍ରବାର ଏହି ମତ୍ସ୍ୟଜୀବୀମାନେ ସୁସ୍ଥ ହୋଇ ଗୋପାଳପୁର ଫେରିଥିବା ଗୋପାଳପୁର ମତ୍ସ୍ୟଜୀବୀ ସଂଘ ସଦସ୍ୟ ଇ. ଲୋକନାଥ ସୂଚନା ଦେଇଛନ୍ତି।

ଚୋରି ଭିଡିଓ ଭାଇରାଲ

ଚୋରି ଭିଡିଓ ଭାଇରାଲ

ବ୍ରହ୍ମପୁର ଅଫିସ, ୬।୫:ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ପୁଣିଥରେ ଏକ ଭିଡ଼ିଓ ଭାଇରାଲ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କିଛିମାସ ପୂର୍ବେ ଜଣେ ଲ୍ୟାବ୍‌ ଆଟେଣ୍ଡାଣ୍ଟ ଲାଞ୍ଚ ମାଗିବା ସମୟର ଭିଡିଓ ଭାଇରାଲକୁ ନେଇ ବିବାଦ ଦେଖାଦେଇଥିଲା। ଏଥର ମହାବିଦ୍ୟାଳୟ ପରିସରରୁ ଚୋରି ହେଉଥିବା ଭିଡ଼ିଓ ଭାଇରାଲ୍‌ ହୋଇଛି। ଶନିବାର ଏହା ପଦାକୁ ଆସିଛି। ଏହି ଭିଡିଓରେ ଦୁଇ ଜଣ ଅଣଛାତ୍ର ମହାବିଦ୍ୟାଳୟର ନୂତନ କୋଠାରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ ଚୋରି କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଭିଡ଼ିଓ ପଦାକୁ ଆସିବା ପରେ ଏହା ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଅଜଣା ଜନ୍ତୁ ଆକ୍ରମଣରେ ୧୧ମେଣ୍ଢା ମୃତ

ଅଜଣା ଜନ୍ତୁ ଆକ୍ରମଣରେ ୧୧ମେଣ୍ଢା ମୃତ

ପାଟପୁର,୬।୫(ଡି.ଏନ୍‌.ଏ.):ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୧୧ ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗ୍ରାମର ଏ. କୁରେଶୁ ପାତ୍ରଙ୍କ ଗୁହାଳରେ ଶତାଧିକ ମେଣ୍ଢା, ଛେଳି ଓ ଗୋରୁ ରହିଥିବା ବେଳେ ସେଥିରୁ ୧୧ ମେଣ୍ଢାଙ୍କର ମୃତ୍ୟୁ ଘଟିଛି। ଅଜଣା ଜନ୍ତୁ ଆକ୍ରମଣ କରିଥାଇପାରେ ବୋଲି ଜଣାପଡ଼ିଛି। ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ପରମାନନ୍ଦ ପାଣିଗ୍ରାହୀ, ପ୍ରାଣୀ ସମ୍ପଦ ଅଧିକାରୀ ମୃତ୍ୟୁଞ୍ଜୟ ବେହେରା ପହଞ୍ଚତ୍ ମୃତ ମେଣ୍ଢାଙ୍କ ଶବ ବ୍ୟବଚ୍ଛେଦ କରି ଅନୁଧ୍ୟାନ କରିଛନ୍ତି। ସହାୟତା ରାଶି ପ୍ରଦାନ ଲାଗି ସୂଚନା ଦେଇଛନ୍ତି।

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ସନ୍ଦେହ

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ସନ୍ଦେହ

ତିହିଡ଼ି,୬।୫(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡି ଥାନା ଅଧୀନ ଦପା ଗ୍ରାମଠାରୁ କିଛି ଦୂରରେ ଏକ ନିଛାଟିଆ ବିଲରେ ଥିବା ଏକ ଚାକୁଣ୍ଡା ଗଛରୁ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ଶୁକ୍ରବାର ରାତିରେ ତାଙ୍କୁ ଅପହରଣ କରି ନିଆଯାଇ ବଳାତ୍କାର ପରେ ହତ୍ୟା କରାଯାଇଥିବା ତିହିଡ଼ି ଥାନାରେ ଅଭିଯୋଗ ହୋଇଛିା ପରିବାର ବର୍ଗ ଏନେଇ ପୋଲିସରେ ଅଭିଯୋଗ କରିବା ପରେ ଘଟଣାଟି ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। କଁ।ପଡ଼ା ପଞ୍ଚାୟତ ଅଞ୍ଚଳର ୧୫ବର୍ଷର ଏହି ନାବାଳିକାଙ୍କ ପରିବାର କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି, ଶୁକ୍ରବାର ରାତିରେ ନାବାଳିକାଙ୍କୁ ତାଙ୍କ ଘର ନିକଟରୁ ଅପହରଣ କରି ନିଆଯାଇଥିଲା। ସେମାନେ ଖୋଜାଖୋଜି କରି କିଛି ସନ୍ଧାନ ପାଇ ନ ଥିଲେ। ଶନିବାର ସକାଳେ ବିଲମଝିରେ ଥିବା ଏକ ଗଛରେ ମୃତଦେହ ଝୁଲୁଥିବା ଖବର ପାଇଥିଲେ। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ବଳାତ୍କାର, ହତ୍ୟା ଘଟଣା ବୋଲି ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି। ତିହିଡ଼ି ଥାନା ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ର, ଏସଆଇ ବିଭୂତିଭୂଷଣ ସ୍ବାଇଁ ପ୍ରମୁଖ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇ ନାହିଁ। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

ସହାୟତା ଆଶାରେ ବିତୁଛି ଦିନ

ସହାୟତା ଆଶାରେ ବିତୁଛି ଦିନ

ଆରଡ଼ି,୬।୫( ଡି.ଏନ.ଏ)-ଏକଦା ଭଦ୍ରକ ସମେତ ବିଭିନ୍ନ ଜିଲାରେ ଚର୍ଚ୍ଚାକୁ ଆସିଥିବା ଯାତ୍ରା କଳାକାର ବିକାଶ ବେହୁରିଆ ଆଜି ଅସହାୟ ଅବସ୍ଥାରେ ଝାଟିମାଟି ଘରେ ଦିନ ବିତାଉଛନ୍ତି। ସରକାରଙ୍କଠାରୁ ମିଳୁଥିବା ୫ କିଲୋ ଚାଉଳ ତାଙ୍କର ଏକମାତ୍ର ସମ୍ବଳ। ସରକାରଙ୍କ ତରଫରୁ ଭତ୍ତା କିମ୍ବା ଅନ୍ୟ କୌଣସି ସହାୟତା ମିଳି ନାହିଁ। ୧୯୯୨ରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିବାରୁ ପିଲାଙ୍କ ଲାଳନପାଳନ ଲାଗି ସେ ଅଭିନୟ କଳା ଜଗତରୁ ଦୂରେଇ ଆସିଥିଲେ। ସଂଘର୍ଷମୟ ଜୀବନ ଭିତରେ ବହୁ କଷ୍ଟରେ ଦୁଇ ଝିଅଙ୍କୁ ବିବାହ କରାଇ ଦେଇଛନ୍ତି। ବଡ଼ପୁଅ ଏବେ ବାହାରେ କାମ କରୁଥିବାବେଳେ ସାନପୁଅ ବଡ଼ ଭଉଣୀ ଘରେ ରହି ପାଠ ପଢୁଛି। ବିକାଶ ଏକା ଏକା ପୁରୁଣା ଝାଟିମାଟି ଘରେ ପଡ଼ି ରହିଛନ୍ତି। ସରକାରଙ୍କଠାରୁ ଭତ୍ତା ଓ ସହାୟତା ପାଇବା ଆଶାରେ ସେ ଆଜି ବି ଦିନ ବିତାଉଛନ୍ତି।