
ମୁମ୍ବାଇ: ବିଶିଷ୍ଟ ଅଭିନେତା ଅନୁପମ ଖେର୍ଙ୍କ ମେଡିକାଲ ଡ୍ରାମା ସିରିଜ୍ ‘ନ୍ୟୁ ଆମଷ୍ଟରଡମ୍’ ସ୍କାଡ୍ ଏ ଟିଭିଫେଷ୍ଟ ୨୦୧୯ରେ ଆଉଟଷ୍ଟାଣ୍ଡିଂ କାଷ୍ଟ ଆଓ୍ବାର୍ଡ ଲାଭ କରିଛି। ଅନୁପମ ଏହି ପୁରସ୍କାର ସ୍ବର୍ଗତ ପିତାଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଆଟଲାଣ୍ଟାଠାରେ ରବିବାର ରାତିରେ ଅନୁପମ ଏହି ପୁରସ୍କାର ଲାଭ କରିଛନ୍ତି।
ଅନୁପମ ଏଥିରେ ଖୁସିହୋଇ ସୋସିଆଲ୍ ମିଡିଆରେ ଟୁଇଟ୍ କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ‘ପିତାଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ପାଳନ ହେଉଥିବା ବେଳେ ତାଙ୍କୁ ଏହି ପୁରସ୍କାର ଉତ୍ସର୍ଗ କରୁଛି। ସେ ମୋର ସର୍ବୋତ୍ତମ ବନ୍ଧୁ ଏବଂ ଖୁବ୍ ବଡ ପ୍ରଶଂସକ।’ ତାଙ୍କ ଘନିଷ୍ଠ ବନ୍ଧୁ ଅନିଲ କପୁର ମଧ୍ୟ ଟୁଇଟ୍ କରି ଲେଖିଛନ୍ତି, ଆମେ ଖୁବ୍ ଆନନ୍ଦ ଓ ଗର୍ବର ସହିତ ଆପଣଙ୍କ ଆସିବା ବାଟକୁ ଚାହିଁ ରହିଛୁ। ସ୍କାଡ୍ ଏ ଟିଭିଫେଷ୍ଟ ୨୦୧୯ରେ ‘ନ୍ୟୁ ଆମଷ୍ଟରଡମ୍’ ସିରିଜ୍ ଆଉଟ୍ଷ୍ଟାଣ୍ଡିଂ କାଷ୍ଟ ଜିତିଥିବାରୁ ଅଭିନନ୍ଦନ।’ ଅନୁପମ ଏହାର ଜବାବ ଦେବା ସହିତ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, ‘ପ୍ରିୟତମ ବନ୍ଧୁ ଅନିଲ, ଆପଣଙ୍କ ଭଲ ପାଇବା ଏବଂ ଗଭୀର ସ୍ନେହ ସଦ୍ଦିଚ୍ଛା ମୋ ପ୍ରତି ଢେର। ମୋତେ ସାହାଯ୍ୟ କରିବା ସହିତ ସର୍ବୋତ୍ତମ ପ୍ରଦର୍ଶନ ଲାଗି ପ୍ରେରଣା ମଧ୍ୟ ଦେଇଥିଲେ।’