
ଇମ୍ପାଲ,୧୧।୨ (ପି.ଟି.)- ଆଇ- ଲିଗ୍ ଫୁଟବଲ୍ରେ ସୋମବାର ଚେନ୍ନାଇ ସିଟି ଏଫ୍ସି ଓ ନେରୋକା ଏଫ୍ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୩-୩ ଗୋଲରେ ଡ୍ର ରହିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ରେ ପଏଣ୍ଟ ଟେବୁଲ ଶୀର୍ଷରେ ଥିବା ଚେନ୍ନାଇକୁ ପଏଣ୍ଟ ଭାଗ କରିବାକୁ ପଡିଛି। ପ୍ରଥମାର୍ଦ୍ଧରେ ଚେନ୍ନାଇ ୩ଟି ଗୋଲ ସ୍କୋର କରି ୩-୦ରେ ଅଗ୍ରଣୀ ହାସଲ କରିଥିଲା। ଦଳର ତରଫରୁ ପେଡ୍ରୋ ମାଞ୍ଜି ୩ଟି ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଏଥି ସହିତ ସେ ଚଳିତ ସେସନରେ ଚତୁର୍ଥ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ସେ ୩୪, ୪୧ ଓ ୪୬ ତମ ମିନିଟରେ ଗୋଲ ଦେଇଥିଲେ। ତେବେ ଦ୍ୱିତୀୟାର୍ଦ୍ଧ ନେରୋକା ଦୃଢ ପ୍ରଦ୍ୟାବର୍ତ୍ତନ କରି ୩ଟି ଗୋଲ ସ୍କୋର କରି ମ୍ୟାଚ୍କୁ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଥିଲା। ୫୨ ତମ ମିନିଟରେ ଫେଲକ୍ସ ଚିଡି ଦଳ ତରଫରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ୬୮ତମ ମିନିଟ୍ରେ ଚେଞ୍ଚୋ ଗିଲସେନ ଦ୍ୱିତୀୟ ଗୋଲ ଦେଇଥିବା ବେଳେ ୮୭ତମ ମିନିଟ୍ରେ ଆରିନ ଓ୍ବିଲିୟମ୍ସ ତୃତୀୟ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧରେ ଚେନ୍ନାଇ ଓ ଦ୍ୱିତୀୟାର୍ଦ୍ଧରେ ନେରୋକା ପ୍ରଭାବ ବିସ୍ତାର କରି ଖେଳିଥିଲେ। ତେବେ ଉଭୟ ଦଳ କୋତୋଟି ସୁଯୋଗ ହାତଛଡ଼ା କରିଥିଲେ।
ମ୍ୟାଚ୍ ଅମୀମାଂସିତ ରହିଥିଲେ ମଧ୍ୟ ଚେନ୍ନାଇ ୧୬ଟି ମ୍ୟାଚ୍ ଖେଳି ୧୦ ବିଜୟ, ୨ ପରାଜୟ ଓ ୪ଟି ଡ୍ର ସହ ମୋଟ ୩୪ ପଏଣ୍ଟ ପାଇଁ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଅନ୍ୟପଟେ ରିୟଲ କଶ୍ମୀର ୧୬ଟି ମ୍ୟାଚ୍ ଖେଳି ୯ ବିଜୟ, ୨ ପରାଜୟ ଓ ୫ଟି ଡ୍ର ସହ ୩୨ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଚର୍ଚ୍ଚଲ ବ୍ରଦର୍ସ ୧୭ଟି ମ୍ୟାଚ୍ ଖେଳି ୮ ବିଜୟ, ୩ ପରାଜୟ ଓ ୬ଟି ଡ୍ର ସହ ୩୦ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି। ତେବେ ନେରୋକା ୧୭ଟି ମ୍ୟାଚ୍ ଖେଳି ୭ ବିଜୟ, ୫ ପରାଜୟ ଓ ୫ଟି ଡ୍ର ସହ ୨୬ ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ରହିଛି।