
ନୂଆଦିଲ୍ଲୀ,୧୧।୨- ସ୍ଥାନୀୟ ସେଣ୍ଟ ଷ୍ଟିଫେନ ଗ୍ରାଉଣ୍ଡଠାରେ ୨୩ ବର୍ଷରୁ କମ୍ ବୟସ ବର୍ଗର ଟୁର୍ନାମେଣ୍ଟ ଲାଗି ଖେଳାଳି ଚୟନ ପ୍ରକ୍ରିୟା ବେଳେ ପୂର୍ବତନ ଭାରତୀୟ ପେସର ଅମିତ ଭନ୍ଦାରିଙ୍କୁ କେତେ ଜଣ ଅଜଣା ବ୍ୟକ୍ତି ମାଡ଼ ମାରିଛନ୍ତି। ଭନ୍ଦାରି ଏବେ ଦିଲ୍ଲୀ ଜିଲା କ୍ରିକେଟ ଆସୋସିଏଶନ (ଡିଡିସିଏ)ର ସିନିୟର ଚୟନ କମିଟିର ଅଧ୍ୟକ୍ଷ ପଦରେ ଅଛନ୍ତି। ଉକ୍ତ ଘଟଣାରେ ପୂର୍ବତନ କ୍ରିକେଟରଙ୍କ ମୁଣ୍ଡ ଓ କାନରେ ଆଘାତ ଲାଗିଛି। ଚୟନ କମିଟି ସଦସ୍ୟ ସୁଖବିନ୍ଦର ସିଂ ତାଙ୍କୁ ସାନ୍ତ ପରମାନନ୍ଦ ମେଡିକାଲ ଭିର୍ତ୍ତି କରାଇଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ବା ପୂର୍ବରୁ ଦୁର୍ବୁତ୍ତମାନେ ଖସି ପଳାଇଥିଲେ। ଏ ଘଟଣା ସମ୍ପର୍କରେ ଡିଡିସିଏ ଅଧ୍ୟକ୍ଷ ରଜତ ଶର୍ମା ଦୋଷୀମାନଙ୍କୁ ଛଡ଼ା ଜିବ ନାହିଁ। ଆମେ ଘଟଣାର ସବୁ କିଛି ଜାଣିବାକୁ ଚେଷ୍ଟା କରୁଛୁ। ମିଳିଥିବା ସୂଚନା ଅନୁଯାୟୀ, ଜଣେ ଖେଳାଳିଙ୍କୁ ସାମ୍ଭାବ୍ୟ ତାଲିକାରେ ସାମିଲ କରା ନ ଯିବାରୁ, ସେ ଉତ୍ତ୍ୟକ୍ତ ହୋଇ ଏଭଳି ଘଟଣା ଭିଆଇଛି। ଏ ନେଇ ଦିଲ୍ଲୀ ପୋଲିସ କମିଶନର ଅମୁଲ୍ୟ ପଟନାୟକଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇଛି। ଏ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ନିଶ୍ଚିତ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ। ପ୍ରତ୍ୟେକ୍ଷଦର୍ଶୀ ଦିଲ୍ଲୀ ସିନିୟର ଓ ୨୩ ବର୍ଷରୁ କମ୍ ଦଳର ମ୍ୟାନେଜର ଶଙ୍କର ସାଇନିଙ୍କ କହିବା ଅନୁଯାୟୀ, ଚୟନ ଲାଗି ଆସିଥିବା ଦୁଇ ଖେଳାଳି ଭନ୍ଦାରିଙ୍କ ସହ ଯୁକ୍ତତର୍କ ହେବା ପରେ ପ୍ରାୟ ୧୫ରୁ ଅଧିକ ଲୋକ ହକି ଷ୍ଟିକ, ରଡ୍ ଓ ସାଇକେଲ ଚେନରେ ଆକ୍ରମଣ କରିଥିଲେ। ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ଅନ୍ୟ ଖେଳାଳି ଓ ଆମେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲୁ। ହେଲେ ସେମାନେ ଆମକୁ ଗୁଳି କରିବାକୁ ଧମକ ଦେଇଥିଲେ। ଉଲ୍ଲେଖଥାଉ କି, ଭନ୍ଦାରି ୨୦୦୦ ମସିହାରେ ଭାରତ ପକ୍ଷରୁ ୨ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ।