
ଦୁବାଇ,୧୧।୨(ପିଟି)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସୋମବାର ନୂଆ ଦଳଗତ ଟି୨୦ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ନ୍ୟୁଜିଲାଣ୍ଡ ଦଳଠାରୁ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ହାରିବା ପରେ ମଧ୍ୟ ଭାରତ ଦ୍ୱିତୀୟ ସ୍ଥାନ ବଜାୟ ରଖିଛି। ହେଲେ ଦୁଇ ପଏଣ୍ଟ ହରାଇବାକୁ ପଡ଼ିଛି। ଅନ୍ୟପକ୍ଷରେ ପାକିସ୍ତାନ ଦଳ ପୂର୍ବଭଳି ଶୀର୍ଷରେ ରହିଛି। ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍ରେ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ର ପ୍ରଭାବ ପଡ଼ିଛି। ଭାରତୀୟ ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ଏହା ତାଙ୍କ ଟି୨୦ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍। ତାଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବୋଲର ଟପ୍ ୧୦ରେ ସ୍ଥାନ ପାଇନାହାନ୍ତି। ଏହି ତାଲିକାରେ ଶୀର୍ଷରେ ରହିଛନ୍ତି ଆଫଗାନିସ୍ତାନ ସ୍ପିନର ରସିଦ ଖାଁ। ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ମାନ୍ୟତାରେ ଅବନ୍ନତି ଦେଖାଯାଇଛି। ସେ ପୂର୍ବ ଅପେକ୍ଷା ୬ଟି ସ୍ଥାନ ତଳକୁ ଖସି ୧୭ତମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ପେସର ଭୁବନେଶ୍ୱର କୁମାର (୧୮ତମ)। ପାକିସ୍ତାନ ବ୍ୟାଟ୍ସମ୍ୟାନ ବାବର ଆଜାମଙ୍କ ନେତୃତ୍ୱାଧୀନ ତାଲିକାରେ ରୋହିତ ଶର୍ମା ୭ମ ସ୍ଥାନରେ ଅଧିକାର କରିଥିବାବେଳେ ଲୋକେଶ ରାହୁଲ ଟପ୍ ୧୦ରୁ ଖସି ଯାଇଛନ୍ତି। ରୋହିତଙ୍କ ଓପନିଂ ପାଟର୍ନର ଶିଖର ଧାଓ୍ବନ ୧୧ତମ ପାଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ନ ଖେଳିବାରୁ ବିରାଟ କୋହଲିଙ୍କ ମାନ୍ୟତା ତଳକୁ ଖସିଯାଇଛି। ଭାରତୀୟ ଅଧିନାୟକ ୪ ସ୍ଥାନ ତଳକୁ ଖସି ଜିମ୍ବାଓ୍ବେର ହାମିଲଟନ ମାସାକାଡ୍ଜାଙ୍କ ସହ ମିଳିତ ୧୯ତମ ର଼୍ୟାଙ୍କିଙ୍ଗ୍ ପାଇଛନ୍ତି। ବାମହାତୀ ସ୍ପିନର କ୍ରୁନାଲ ପାଣ୍ଡ୍ୟା ୩୯ ପାହ୍ୟା ଉପରକୁ ଉଠି ୫୯ ତମ ଅଧିକାର କରିଛନ୍ତି। ଏହା ତାଙ୍କ ପାଇଁ ଶ୍ରେଷ୍ଠ ମାନ୍ୟତା।