
ନୂଆଦିଲ୍ଲୀ,୧୧-୨: ଦେଶର ସବୁ ପରିବାରକୁ ଶୀଘ୍ର ସ୍ବଚ୍ଛ ଇନ୍ଧନ ଯୋଗାଇ ଦିଆଯିବ। ୫୫ ମାସରେ ସରକାର ଏଲ୍ପିଜି କଭରେଜକୁ ୪୦% ବୃଦ୍ଧି କରିବାକୁ ସକ୍ଷମ ହୋଇଛନ୍ତି। ଏହାକୁ ଦେଶର ସବୁ ପରିବାରରେ ଉପଲବ୍ଧ କରାଇବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କେନ୍ଦ୍ର ପେଟ୍ରୋଲିୟମ ତଥା ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କହିଛନ୍ତି।
ଏଠାରେ ଅନୁଷ୍ଠିତ ପେଟ୍ରୋଟେକ-୨୦୧୯ ସମ୍ମିଳନୀରେ ଯୋଗ ଦେଇ ଧର୍ମେନ୍ଦ୍ର କହିଛନ୍ତି, ବର୍ତ୍ତମାନ ଦେଶର ୯୦ପ୍ରତିଶତ ପର୍ଯ୍ୟନ୍ତ ସ୍ଥାନରେ ଏଲ୍ପିଜି ପହଞ୍ଚିଛି। ୨୦୧୪ରେ ଏହା ୫୫% ଥିବା ବେଳେ ଏହା ପରଠାରୁ ଦୃଶ୍ୟପଟରେ ବ୍ୟାପକ ପରିବର୍ତ୍ତନ ଆସିଛି। ସବୁ ଘରକୁ ସ୍ବଚ୍ଛ ଇନ୍ଧନ ସୁବିଧା ଯୋଗାଇବାକୁ ସରକାର ସକ୍ଷମ ହେବେ। ଏଲ୍ପିଜି ସହ ବାୟୋମାସ ଏବଂ ବିକଳ୍ପ ସୂତ୍ରରୁ ଉକ୍ତ ଗ୍ୟାସ୍ ଯୋଗାଣ ହେବ ।
ଉଜ୍ଜ୍ୱଳାର ସଫଳତାକୁ ପ୍ରଶଂସା କରିବା ସହ ଏଥିରେ ୬.୪ କୋଟି ପରିବାର ଉପକୃତ ହୋଇଥିବା ଧର୍ମେନ୍ଦ୍ର ପ୍ରକାଶ କରିଛନ୍ତି। ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ସଂଖ୍ୟା ୮ କୋଟି ଛୁଇଁବ। ପାରମ୍ପରିକ ଜାଳେଣୀକୁ ବାଦ ଦେବା ସହ ପରିବେଶ ସୁରକ୍ଷା ଏବଂ ମହିଳାଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ସ୍ବଚ୍ଛ ଇନ୍ଧନ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ତୈଳ ଏବଂ ଗ୍ୟାସ କ୍ଷେତ୍ର ଦେଶର ଅର୍ଥନୀତିକୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବା ସେ ପ୍ରକାଶ କରିଛନ୍ତି। ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ ବ୍ୟବହାରରେ ଭାରତ ତୃତୀୟ ବୃହତ ଦେଶ ହୋଇଥିବା ବେଳେ ବିଶ୍ୱର ମୋଟ ବ୍ୟବହାର କ୍ଷେତ୍ରରେ ଦେଶର ଅଂଶ ୪.୫% ରହିଛି। ଦେଶର ହାଇଡ୍ରୋକାର୍ବନ ନୀତିରେ ପରିବର୍ତ୍ତନ ଆଣିବା ସହ ଶକ୍ତି ନିରାପତ୍ତାକୁ ସୁନିଶ୍ଚିତ କରାଇବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ସେ ସ୍ପଷ୍ଟ କରିଛନ୍ତି।
ଦେଶର ଉତ୍ପାଦନ ଜୈବ ବିବିଧତାରେ ଉନ୍ନତି ଆଣିବା ବେଳେ ତୈଳ ଓ ଗ୍ୟାସ୍ ଉତ୍ତୋଳନକୁ ପ୍ରୋତ୍ସାହିତ କରିବାକୁ ସରକାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ନୂଆ ରାଜସ୍ବ ବଣ୍ଟନ ମଡେଲ, ହାଇଡ୍ରୋକାର୍ବନ ଲାଗି ୟୁନିଫର୍ମ ଲାଇସେନ୍ସ, ତୈଳ ଏବଂ ବାଷ୍ପ କ୍ଷେତ୍ର ମାର୍କେଟିଂରେ ସ୍ବାଧୀନତା ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏହାବାଦ, ଷ୍ଟେଟ ଅଫ୍ ଆର୍ଟ ଜାତୀୟ ଡାଟା ରିପୋଜିଟୋରୀ ଦ୍ୱାରା ଭାରତ ବିଶ୍ୱସ୍ତରୀୟ ବ୍ୟବସ୍ଥା ଗ୍ରହଣ କରିଛି। ଆରମକୋ, ଆଡନକ ଭଳି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ଭାରତରେ ସେମାନଙ୍କ ଉପସ୍ଥିତି ଜାହିର କରିଥିବା ସେ କହିଛନ୍ତି।