
ଛତ୍ରପୁର,୧୧ା୨(ଡି.ଏନ.ଏ)- ପଡ଼ୋଶୀ ଆନ୍ଧ୍ରପ୍ରଦେଶର କିଛି ବ୍ୟକ୍ତି ଗଞ୍ଜାମ ଜିଲାରେ ରହି ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଘଟଣାର ପର୍ଦ୍ଦାଫାଶ କରିଛି ଛତ୍ରପୁର ପୋଲିସ। କିଛି ଦିନ ଛତ୍ରପୁର ଏନଏସି କଲେନୀ ନିକଟରେ ଅସ୍ଥାୟୀ ଭାବେ ରହି ନିକଟସ୍ଥ ୨ ମନ୍ଦିରରୁ ଚୋରି କରିବା ସହ ଜଣେ ପୂଜକଙ୍କୁ ଆକ୍ରମଣ ଘଟଣାରେ ଆନ୍ଧ୍ରର ୩ ଜଣଙ୍କୁ ପୋଲିସ ରବିବାର ଗିରଫ କରିଛି। ସେମାନେ ହେଲେ ଶ୍ରୀକାକୁଲମ ଜିଲା କାସିବୁଗା ଥାନା ଅଧୀନ ଶିବ କଲୋନୀର ଜି. ରାମମୂର୍ତ୍ତି, ଇନ୍ଦିରା କଲୋନୀର ଜୟଦୀପ ଲିମା, ମଣ୍ଡାସ ଥାନା ଅଧୀନ ଖିଲେ କଲୋନୀର ଡି. ପ୍ରଶାନ୍ତ। ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ୫,୫୦୦ ଟଙ୍କା, ମାରଣାସ୍ତ୍ର, ଗୋଟିଏ ମୋବାଇଲ, ଗୋଟିଏ ସୁନା ମୁଦି ଜବତ କରିଛି ା ଛତ୍ରପୁରର ବିରେଶ୍ୱର ମନ୍ଦିରରୁ ଚୋରି ଓ ଲଣ୍ଡାବାଉଁଶ ନିକଟ ଉଗ୍ରତାରା ମନ୍ଦିରର ହୁଣ୍ଡି ଲୁଟ୍ ସହ ପୂଜକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ନେଇ ( ନଂ.୮,୧୫/୧୯) ଏବଂ ୨୦୧୮ରେ ହୋଇଥିବା ୨ଟି ଚୋରି ଘଟଣା ନେଇ ( ନଂ.୧୩୧,୨୧୭/୧୮) ପୋଲିସ ମାମଲା ରୁଜୁ କରିଥିଲା। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ା