ଫୁରସତ |

ପ୍ରେମ

ପ୍ରେମ

ପ୍ରେମ ଶାଶ୍ୱତ ଓ ପବିତ୍ର। ପ୍ରେମରେ ନ ଥାଏ ଜାତି, ଧର୍ମ, ବର୍ଣ୍ଣର ଭେଦଭାବ। ସେ କରେନି ରଙ୍ଗ ରୂପର ବିଚାର। ପ୍ରେମ କରିବାକୁ ଚେଷ୍ଟା କରାଯାଏନି, ହଉ ହଉ ହେଇଯାଏ। ହେଲେ ତାକୁ ଦୁନିଆ ଆଖିରେ ସ୍ବୀକୃତି ଦେବାକୁ ଯାଇ ଅନେକଙ୍କୁ ସହିବାକୁ ହୋଇଥାଏ ଲାଞ୍ଛନା। ସେମିତି କେତେଜଣ ସୁଖୀ ଦମ୍ପତିଙ୍କ ସଂଘର୍ଷପୂର୍ଣ୍ଣ ପ୍ରେମକାହାଣୀକୁ ନେଇ ଏଥରର ଉପସ୍ଥାପନା... 

କୌଣସି ଏକ ପରିସ୍ଥିତିରେ ଦୁଇ ଅଜଣା ଯୁବତୀ ଯୁବକଙ୍କର ଦେଖାହେଲା। ଆଖି ସହ ଆଖି ମିଶିଲା। ପଦେ ଦୁଇ ପଦ କଥାବାର୍ତ୍ତାରେ ଆପଣାପଣ ଅନୁଭବ ହେଲା। ଧୀରେ ଧୀରେ ପରିଚୟ ସହ ଆନ୍ତରିକତା ବଢ଼ିଲା। ପ୍ରଥମେ ବନ୍ଧୁତା, ତା’ପରେ ପ୍ରେମର ରୂପ ନେଲା। ଏହି ପ୍ରେମ ସମ୍ପର୍କକୁ ଦୁନିଆ ଆଖିରେ ସ୍ବୀକୃତି ଦେବାକୁ ସେମାନେ ବିବାହ  କରିବାକୁ ନିଷ୍ପତ୍ତି ନେଲେ। ହେଲେ ଜାତି, ଧର୍ମ, ବର୍ଣ୍ଣର ପ୍ରଭେଦ ସେମାନଙ୍କ ଗନ୍ତବ୍ୟ ପଥରେ ବାଧକ ସାଜିଲା। ବହୁ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଲା ସେ ଦୁହିଁଙ୍କୁ। ତଥାପି ସେମାନେ ଧୈର୍ଯ୍ୟହରା ହେଲେ ନାହିଁ। ସାହସର ସହ ସବୁ ପରିସ୍ଥିତିକୁ ସାମ୍ନା କରି ବାହା ହେଲେ ଆଉ ଖୁସିରେ ଘର ସଂସାର କଲେ। ଏବେ ଆଉ ସେ ସମୟ କି ସେ ପରିସ୍ଥିତି ନାହିଁ ସତ, କିନ୍ତୁ ସମୟ ଚକ୍ରରେ ସେମାନଙ୍କ ସଂସାର ରଥ ଅବିରତ ଭାବେ ଗଡ଼ିଚାଲିଛି ଆଗକୁ ଆଗକୁ। ତେଣୁ ଏଠାରେ ସେମିତି କେତେଜଣ ପ୍ରେମୀ ଯୁଗଳରୁ ଜୀବନସାଥୀ ସାଜିଥିବା ସଫଳ ଦମ୍ପତିଙ୍କ ପ୍ରେମ କାହାଣୀ ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁମାନେ ଦିନେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ...


୧୮ ବର୍ଷ ପରେ ବାପଘରକୁ ଗଲେ:


କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଧାନଡିଆ ଗାଁର ଏକ ବ୍ରାହ୍ମଣ ପରିବାରର ଝିଅ ଥିଲେ ପଙ୍କଜ ମାଳିନୀ ଷଡ଼ଙ୍ଗୀ (ପଙ୍କଜିନୀ)। ୫ ଭାଇଭଉଣୀଙ୍କ ମଧ୍ୟରେ ସେ ଥିଲେ ବଡ଼। ବି.ଏସ୍‌ସି. ପରେ ସେ ଘରଠାରୁ ପ୍ରାୟ ୭ କିମି ଦୂର ମଦନପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ବ୍ରହ୍ମପୁର ୟୁନିଭର୍ସିଟିରେ ଡିଷ୍ଟାନ୍ସରେ ବି.ଇଡି. କରୁଥିଲେ। ଅସ୍ଥାୟୀ ଶିକ୍ଷୟିତ୍ରୀ ହୋଇଥିବାରୁ ଦରମା ମିଳୁ ନ ଥିଲା। ତେଣୁ ସେ ଟ୍ୟୁଶନ କରି ରୋଜଗାର କରୁଥିଲେ। ପ୍ରତିଦିନ ଯା’ଆସ ନ କରି ସ୍କୁଲ୍‌ ପାଖରେ ଏକ ଭଡ଼ାଘର ନେଇ ରହିଲେ, ସାଙ୍ଗରେ ତାଙ୍କ ଜେଜେମା’ ବି ରହୁଥିଲେ। ୧୯୯୪ ମସିହା କଥା। ଦିନେ କେତେଜଣ ପିଲା ଆସି ପଙ୍କଜିନୀଙ୍କ ଘର ପାଖରେ ଆଉ ଏକ ଭଡ଼ାଘର ନେଇ ରହିଲେ। ସେମାନେ ମଦନପୁର ବାଳକ ଉଚ୍ଚ ବିଦ୍ୟାଳୟକୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଆସିଥିଲେ। ତାଙ୍କ ଭିତରୁ ଜଣେ ଥିଲେ ରବୀନ୍ଦ୍ର କୁମାର ରାଉତ, ଯାହାଙ୍କର ଘର ଥିଲା କେନ୍ଦ୍ରାପଡ଼ା, ଆଳିର ମୂଳସାହି ଗାଁରେ। ଘରର ଆର୍ଥିକ ସ୍ଥିତି ସେତେ ଭଲ ନ ଥିଲା। ପାଠରେ ବି ରବୀନ୍ଦ୍ର ଥିଲେ ଖୁବ୍‌ ଦୁର୍ବଳ। ତେଣୁ ୧୯୮୯ ମାଟ୍ରିକ୍‌ ପରୀକ୍ଷାରେ ଫେଲ୍‌ ହୋଇ ସେ ଭୁବନେଶ୍ୱର ଚାଲି ଆସିଲେ କାମ ଅନ୍ବେଷଣରେ। ଜଣଙ୍କ ଘରେ ରହି ବୋଲହାକ କଲେ, କିନ୍ତୁ ମାଲିକ ରବୀନ୍ଦ୍ରଙ୍କୁ ପଇସା ନ ଦେଇ କେବଳ ଖାଇବାକୁ ଦେଉଥିଲେ। ବର୍ଷେ ସେଠାରେ ରହିବା ପରେ ରବୀନ୍ଦ୍ର ଦିଲ୍ଲୀ ଯାଇ ଦିନ ମଜୁରିଆ ଭାବେ ପାଣି ପାଇପ୍‌ କାମ କଲେ। ମଜୁରି ଦିନକୁ ୨୫ ଟଙ୍କା। ମଝିରେ ମଝିରେ ଘରକୁ ବି ପଇସା ପଠାଉଥିଲେ। କିଛିଦିନ ପରେ ରବୀନ୍ଦ୍ରଙ୍କ ବଡ଼ଭାଇ ତାଙ୍କୁ ଚିଠି ଲେଖିଲେ, ”୧୯୯୪ ପରେ ମାଟ୍ରିକ୍‌ କୋର୍ସ ବଦଳିଯିବ। ଏଇଟା ଶେଷ ସୁଯୋଗ। ମୁଁ ଫର୍ମ ଫିଲପ୍‌ କରିଦେଇଛି। ତୁ ଆସି ପରୀକ୍ଷା ଦେଇଦେ“। ସେଥିପାଇଁ ରବୀନ୍ଦ୍ର ଆସିଥିଲେ ପରୀକ୍ଷା ଦେବାକୁ। କିନ୍ତୁ ପାଠ ତ ପଢ଼ି ନ ଥିଲେ, ତେଣୁ ସବୁଦିନ ପରୀକ୍ଷା ହଲ୍‌କୁ କପି ନେଇ ଯାଉଥିଲେ। ଶେଷ ପରୀକ୍ଷା ଦିନ ସ୍କ୍ବାଡ୍‌ ହାତରେ ଧରାପଡ଼ିଲେ। ସ୍କ୍ବାଡ୍‌ ତାଙ୍କ ଆଡ୍‌ମିଟ୍‌ କାର୍ଡ ନେଇଗଲେ। ମନଦୁଃଖରେ ଭଡ଼ାଘରକୁ ଫେରିଲେ ରବୀନ୍ଦ୍ର। ତାଙ୍କୁ ତାଙ୍କ ସାଙ୍ଗମାନେ କହିଲେ, ‘ଏଇ ପାଖରେ ଜଣେ ସ୍କୁଲ୍‌ ଦିଦି ଅଛନ୍ତି, ତାଙ୍କୁ କହିଲେ ସେ ହୁଏତ କିଛି ସାହାଯ୍ୟ କରିପାରିବେ’। ସେହିଦିନ ହିଁ ପ୍ରଥମ ଥର ପାଇଁ ରବୀନ୍ଦ୍ର ଓ ପଙ୍କଜିନୀ ପରସ୍ପର କଥା ହୋଇଥିଲେ। ପରୀକ୍ଷା ସରିବା ପରେ ରବୀନ୍ଦ୍ରଙ୍କର ଦିଲ୍ଲୀ ଫେରିଯିବାର ଥିଲା। ତେଣୁ ସେ ପଙ୍କଜିନୀଙ୍କୁ ନିଜର ଫୋନ୍‌ ନମ୍ବର ଦେଇଥିଲେ ଆଇ କାର୍ଡ ବିଷୟରେ କିଛି ସୂଚନା ମିଳିଲେ, ତାଙ୍କୁ ଟିକେ ଜଣାଇବା ପାଇଁ। ହେଲେ ପଙ୍କଜିନୀ ଫୋନ୍‌ କଲେନି। ରେଜଲ୍ଟ ବାହାରିଲା ପରେ ଜଣାଗଲା, ରବୀନ୍ଦ୍ରଙ୍କର ଏମ୍‌ପି (ମାଲ୍‌ ପ୍ରାକ୍ଟିସ୍‌) ହୋଇଛି। କିଛିଦିନ ପରେ ସେ ଗାଁକୁ ଫେରିଲେ। ଯୋଗକୁ ପଙ୍କଜିନୀଙ୍କ ସହ ତାଙ୍କର ଦେଖା ହୋଇଗଲା। କଥା ପଡୁପଡୁ ପଙ୍କଜିନୀ କହିଲେ, ‘ତୁ ତ ପାଠ ନ ପଢ଼ି କପି କଲୁ, ଫେଲ୍‌ ହେବୁନି ତ ଆଉ କ’ଣ ହେବୁ। ମୁଁ ଏଥିରେ ତତେ କ’ଣ ସାହାଯ୍ୟ କରିଥାଆନ୍ତି।’ ବାସ୍‌ ସେତିକିରେ ସେ କଥାବାର୍ତ୍ତାରେ ପୂର୍ଣ୍ଣଚ୍ଛେଦ ପଡିଲା। କିନ୍ତୁ ରବୀନ୍ଦ୍ରଙ୍କର ମେଳାପୀ ସ୍ବଭାବ ଯୋଗୁ କ୍ରମେ ସେମାନଙ୍କ ଭିତରେ ବନ୍ଧୁତା ସୃଷ୍ଟି ହେଲା। ପଙ୍କଜିନୀଙ୍କଠାରୁ ରବୀନ୍ଦ୍ର ଥିଲେ ୨ ବର୍ଷ ବଡ଼। ସେ ପଙ୍କଜିନୀଙ୍କୁ ‘ତମେ’ ବୋଲି ସମ୍ବୋଧନ କରୁଥିବାବେଳେ ପଙ୍କଜିନୀ କିନ୍ତୁ ତାଙ୍କୁ ‘ତୁ’ ବୋଲି କହୁଥିଲେ। ରବୀନ୍ଦ୍ର ଯେବେ ବି ଦିଲ୍ଲୀରୁ ଫେରୁଥିଲେ, ପଙ୍କଜିନୀଙ୍କ ସହ ଦେଖା କରି ଭଲମନ୍ଦ କଥା ବୁଝି ଦେଇ ଯାଉଥିଲେ। କ୍ରମେ ଉଭୟଙ୍କ ଘରଲୋକେ ସେମାନଙ୍କ ବନ୍ଧୁତା କଥା ଜାଣିଲେ। ଏହି ସମୟରେ ପଙ୍କଜିନୀଙ୍କର ଜଣେ ଟ୍ୟୁଶନ ସାର୍‌ ତାଙ୍କୁ ବିବାହ କରିବାକୁ ଜୋର୍‌ କରୁଥିଲେ। କିନ୍ତୁ ପଙ୍କଜିନୀ ତାଙ୍କୁ ପସନ୍ଦ କରୁ ନ ଥିଲେ। ଏପଟେ ପଙ୍କଜିନୀଙ୍କ ଜଣେ ସମ୍ପର୍କୀୟ ମଉସା ବ୍ରହ୍ମପୁରରେ ଗୋଟେ ପ୍ରସ୍ତାବ ଦେଖିଥିଲେ। ତେଣୁ ସେହି କଥା ପକ୍କା କରିବା ପାଇଁ ପଙ୍କଜିନୀଙ୍କ ବାପା ପଙ୍କଜିନୀଙ୍କ ସହ ରବୀନ୍ଦ୍ରକୁ ବ୍ରହ୍ମପୁରକୁ ପଠାଇଥିଲେ। ହେଲେ ସେମାନେ ପହଞ୍ଚତ୍ଲା ପରେ ଜାଣିଲେ, ସେ ପିଲା କୌଣସି କାମରେ ବାହାରକୁ ଚାଲିଯାଇଛି। ନିରାଶ ହୋଇ ଫେରିଲେ। ବାଟରେ ଆସିଲାବେଳେ ପଙ୍କଜିନୀ ଖୁବ୍‌ କାନ୍ଦିଥିଲେ, କିନ୍ତୁ ରବୀନ୍ଦ୍ର ତାଙ୍କୁ ସାହସ ଦେଇ କହିଥିଲେ, ଏଠି ନ ହେଲେ ଆଉ କେଉଁଠି ବାହାଘର ପ୍ରସ୍ତାବ ଦେଖିବା। ହେଲେ ପଙ୍କଜିନୀଙ୍କର ଡର ଥିଲା, ଏହାପରେ ହୁଏତ ସେ ଟ୍ୟୁଶନ ସାର୍‌ ତାଙ୍କ ଉପରେ ଆହୁରି କିଛି ଚାପ ପକାଇବେ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ସେ ରବୀନ୍ଦ୍ରଙ୍କୁ କୋର୍ଟ ମ୍ୟାରେଜ୍‌ ପାଇଁ ପ୍ରସ୍ତାବ ଦେଲେ। ରବୀନ୍ଦ୍ର ଚମକି ପଡ଼ିଲେ ତାଙ୍କ କଥା ଶୁଣି। ପଙ୍କଜିନୀ କହିଲେ, ‘କୋର୍ଟ ମ୍ୟାରେଜ କରିଦେଲେ ସେ ସାର୍‌ ଆଉ ମୋ’ ଉପରେ ଚାପ ପକାଇ ପାରିବେନି ବାହାହେବା ପାଇଁ। ଏପଟେ ଆମକୁ କିଛି ସମୟ ବି ମିଳିଯିବ ଭଲ ପ୍ରସ୍ତାବ ଦେଖିବା ପାଇଁ। ଯେବେ ମନଲାଖି ପ୍ରସ୍ତାବ ମିଳିଯିବ କୋର୍ଟ ଯାଇ ଆମେ ଡିଭୋର୍ସ ପେପରରେ ସାଇନ୍‌ କରିଦେବା। ସେତେଦିନ ଯାଏଁ ଏକଥା ଲୁଚେଇକି ରଖିବା’। ବନ୍ଧୁତା କରିଛନ୍ତି ଯେତେବେଳେ ବନ୍ଧୁର ବିପଦ ସମୟରେ ତାକୁ ସାହାଯ୍ୟ କରିବାକୁ ତ ହେବ। ସେଥିପାଇଁ ରବୀନ୍ଦ୍ର ରାଜି ହେଲେ ଆଉ ୧୮ ଅକ୍ଟୋବର ୧୯୯୭ରେ ସେମାନେ କୋର୍ଟ ମ୍ୟାରେଜ୍‌ କଲେ। କିନ୍ତୁ ଏହା ସେମାନଙ୍କ ଜୀବନର ଗତିପଥ ବଦଳାଇ ଦେଲା। ପଙ୍କଜିନୀ ଭାବିଲେ, ‘ଯେଉଁ ପିଲା ବିନା କୌଣସି ସ୍ବାର୍ଥରେ ମୋ ପାଇଁ କୋର୍ଟ ମ୍ୟାରେଜ୍‌ କଲା, ପୁଣି ଆବଶ୍ୟକ ପଡ଼ିଲେ ତାକୁ ଭାଙ୍ଗିବାକୁ ବି ପ୍ରସ୍ତୁତ ଅଛି, ସେ ପିଲାର ହୃଦୟ କେତେ ମହାନ୍‌! ରବୀନ୍ଦ୍ରଙ୍କ ପାଖେ ଡିଗ୍ରୀ କିମ୍ବା ପଇସା ନ ଥାଇପାରେ, କିନ୍ତୁ ତାଙ୍କର ସରଳ ମନ ଅଛି, ଯିଏକି ମୋ ଭଲମନ୍ଦ କଥା ସବୁବେଳେ ଚିନ୍ତା କରୁଛି। ତେଣୁ ଆଉ କାହିଁକି କାହା କଥା ଚିନ୍ତା କରିବି, ଏବେ ସେ ହିଁ ମୋ ସ୍ବାମୀ’। ଏହାପରେ ପଙ୍କଜିନୀ ରବୀନ୍ଦ୍ରକୁ ନେଇ ପୁରୀ ଜଗନ୍ନାଥ ମନ୍ଦିର ଗଲେ। ଲକ୍ଷ୍ମୀ ମନ୍ଦିରରୁ ଶଙ୍ଖା, ସିନ୍ଦୂର କିଣି ରବୀନ୍ଦ୍ରକୁ ପିନ୍ଧାଇ ଦେବାକୁ କହିଲେ। ରବୀନ୍ଦ୍ର ପ୍ରଥମେ ରାଜି ହେଉ ନ ଥିଲେ। କାରଣ ପଙ୍କଜିନୀ ବ୍ରାହ୍ମଣ କୁଳର ହୋଇଥିବା ବେଳେ ସେ ଥିଲେ ଅନ୍ୟ ଜାତିର। ତା’ଛଡ଼ା ତାଙ୍କ ଭିତରେ କଥା ଅଲଗା ଛିଡ଼ିଥିଲା। ସେଥିରେ ଶଙ୍ଖା, ସିନ୍ଦୂର କଥା ଉଠି ନଥିଲା। ହେଲେ ପଙ୍କଜିନୀ ରବୀନ୍ଦ୍ରକୁ ସବୁକଥା ବୁଝାଇ ସ୍ତ୍ରୀ ରୂପେ ତାଙ୍କୁ ଗ୍ରହଣ କରିବାକୁ ଅନୁରୋଧ କଲେ। ସେବେଠାରୁ ସେମାନେ ଭଗବାନ୍‌ଙ୍କୁ ସାକ୍ଷୀ ରଖି ସ୍ବାମୀ-ସ୍ତ୍ରୀ ହେଲେ। କିନ୍ତୁ ଉପଯୁକ୍ତ ସମୟ ନ ଆସିଲେ କାହାକୁ ଜଣାଇବେ ନାହିଁ ବୋଲି ନିଷ୍ପତ୍ତି ବି ନେଲେ। ଏହାପରେ ରବୀନ୍ଦ୍ର ଦିଲ୍ଲୀ ଚାଲିଗଲେ। ହେଲେ ପଙ୍କଜିନୀ କଥାଟିକୁ ବେଶୀ ଦିନ ଲୁଚାଇ ନ ପାରି ଜଣେ ସହକର୍ମୀଙ୍କୁ କହିଦେଲେ। ତା’ପରେ କଥାଟି ରାଷ୍ଟ୍ର ହୋଇଗଲା। ପଙ୍କଜିନୀଙ୍କ ଘରଲୋକଙ୍କ କାନକୁ କଥା ଗଲା। ରବୀନ୍ଦ୍ର ଏକଥା ଜାଣିବା ପରେ ଦିଲ୍ଲୀରୁ ଫେରି ଆସିଲେ। ସେ ଯେଉଁଦିନ ଆସି ପହଞ୍ଚତ୍ଲେ, ସେଦିନ ପଙ୍କଜିନୀଙ୍କ ଗାଁରୁ ତାଙ୍କ ବାପା, ଦାଦାଙ୍କ ସମେତ ପ୍ରାୟ ଶହେ ଦୁଇ ଶହ ଲୋକ ଆସି ପଙ୍କଜିନୀଙ୍କ ଭଡ଼ାଘର ଆଗେ ଜମା ହୋଇଗଲେ। ପରିସ୍ଥିତି ଖୁବ୍‌ ଜଟିଳ ହେଲା। ସେମାନଙ୍କୁ ମ୍ୟାରେଜ୍‌ ସାର୍ଟିଫିକେଟ୍‌ ଦେଖାଇବାକୁ ପଡ଼ିଲା। ଅନ୍ୟ ଜାତିରେ ବାହା ହୋଇଥିବାରୁ ପଙ୍କଜିନୀଙ୍କୁ ସମସ୍ତେ ଛି ଛାକର କଲେ। ତାଙ୍କ ବାପା ବି ଝିଅ ସହ ସବୁ ସମ୍ପର୍କ କାଟିଦେଇ ସେଠାରୁ ଚାଲିଗଲେ। ଆଉ କିଛି ଉପାୟ ନ ପାଇ ପଙ୍କଜିନୀଙ୍କୁ ନେଇ ରବୀନ୍ଦ୍ର ତାଙ୍କ ଘର ଆଳିକୁ ଗଲେ। ସେପଟେ ରବୀନ୍ଦ୍ରଙ୍କ ବଡ଼ଭାଇଙ୍କର ବାହାଘର ହୋଇ ନ ଥିବାରୁ ସେମାନେ ବି ଏ ବିବାହକୁ ସ୍ବୀକୃତି ଦେଲେନାହିଁ। ବାଧ୍ୟ ହୋଇ ରବୀନ୍ଦ୍ର ପଙ୍କଜିନୀଙ୍କୁ ପୁଣି ଆଣି ସ୍କୁଲ୍‌ ପାଖ ଭଡ଼ାଘରେ ଛାଡ଼ି ଦିଲ୍ଲୀ ଚାଲିଗଲେ। ଘରସଂସାର କରିବାକୁ ସେମାନଙ୍କ ପାଖେ ପଇସା ନଥିଲା। ରବୀନ୍ଦ୍ର ପାଣି ପାଇପ୍‌ କାମ ଛାଡ଼ି ଏକ ହୋଟେଲ୍‌ରେ ପମ୍ପ୍‌ ଅପରେଟର୍‌ ଭାବେ କାମ କଲେ ଆଉ ଏପଟେ ପଙ୍କଜିନୀ ଟ୍ୟୁଶନ୍‌ କରି ଚଳୁଥିଲେ। ପୂର୍ବପରି ରବୀନ୍ଦ୍ର ନିଜ ଘରକୁ ପଇସା ପଠାଉଥିଲେ। କିଛିଦିନ ପରେ ରବୀନ୍ଦ୍ରଙ୍କ ବଡ଼ଭାଇଙ୍କ ବାହାଘର ଠିକ୍‌ ହେଲା। ସେମାନଙ୍କୁ ବି ଡକା ହେଲା। ଦୁଇଟି ବେଦି ବନ୍ଧାହେଲା। ରବୀନ୍ଦ୍ରଙ୍କ ଗୋତ୍ରରେ ପଶିବା ପାଇଁ ବଡ଼ଭାଇଙ୍କର ବାହାଘର ଦିନ ସେମାନଙ୍କର ମଧ୍ୟ ବେଦି ଉପରେ ବିବାହ କର୍ମ କରାଗଲା। ବାସ୍‌ ତା’ପରଠୁ ସେମାନେ ସ୍ବାମୀ-ସ୍ତ୍ରୀ ଭାବେ ସଂସାର କଲେ। ରବୀନ୍ଦ୍ର ଦିଲ୍ଲୀରେ ରହୁଥିବାବେଳେ ପଙ୍କଜିନୀ କିନ୍ତୁ ରହୁଥିଲେ ତାଙ୍କ ସ୍କୁଲ ପାଖ ଭଡ଼ାଘରେ। ସ୍କୁଲ୍‌ ଛୁଟିହେଲେ ସେ ଦିଲ୍ଲୀ ଯାଉଥିଲେ ବୁଲିବାକୁ। ତା’ରି ଭିତରେ ସେମାନଙ୍କର ଗୋଟିଏ ଝିଅ ଏବଂ ପାଞ୍ଚ ବର୍ଷ ପରେ ଆଉ ଗୋଟିଏ ଝିଅ ହେଲା। ପଙ୍କଜିନୀଙ୍କୁ ଏକାକୀ ପିଲାଙ୍କୁ ସମ୍ଭାଳିବାରେ ଅସୁବିଧା ହେବାରୁ ରବୀନ୍ଦ୍ର ଖୁବ୍‌ ଛୋଟବେଳୁ ସେମାନଙ୍କୁ ନେଇ ନିଜ ପାଖରେ ରଖିଲେ। ସେବେଠାରୁ ପିଲାମାନେ ରବୀନ୍ଦ୍ରଙ୍କ ପାଖେ ରହି ଆସୁଛନ୍ତି। ବାପା ନୁହେଁ ଜଣେ ମା’ ପରି ସେ ପିଲାମାନଙ୍କର ସବୁ କଥା ବୁଝୁଛନ୍ତି। ଏବେ ସେମାନଙ୍କ ବଡ଼ ଝିଅ ରୋଶ୍‌ନୀ ଯୁକ୍ତ ଦୁଇ ପାସ୍‌ କରି ମେଡିକାଲ୍‌ ପାଇଁ ପ୍ରସ୍ତୁତ ହେଉଥିବାବେଳେ ସାନଝିଅ ମେହେକ୍‌ ନବମରେ ପଢୁଛି। ଏପଟେ ପଙ୍କଜିନୀଙ୍କର ଚାକିରି ବି ସ୍ଥାୟୀ ହୋଇ ଦରମା ଠିକ୍‌ଠାକ୍‌ ମିଳିଲାଣି। ଏଣୁ ସେମାନେ ଫରିଦାବାଦରେ ଜାଗା କିଣି ଘର କରିବା ସହ ଓଡ଼ିଶାରେ ବି ଜାଗା କିଣି ସାରିଲେଣି। ତେବେ ପଙ୍କଜିନୀ କେବଳ ନିଜ ସଂସାର କଥା ଚିନ୍ତା କରୁ ନ ଥିଲେ, ବାପାଙ୍କ ଅଗୋଚରରେ ସାନ ଦୁଇ ଭାଇଙ୍କୁ ଗାଁରୁ ଆଣି ସ୍ବାମୀଙ୍କ ପାଖେ ରଖି ସେମାନଙ୍କୁ ରୋଜଗାରକ୍ଷମ କରାଇ ଦେଇଥିଲେ। ଭଉଣୀମାନଙ୍କ ବାହାଘର ପାଇଁ ପରୋକ୍ଷରେ ଅନେକ ସାହାଯ୍ୟ ବି କରିଥିଲେ। କିନ୍ତୁ ଘରକୁ ଯିବାକୁ ତାଙ୍କୁ ଅନୁମତି ନ ଥିଲା। ମା’ବାପାଙ୍କଠାରୁ ପ୍ରାୟ ୧୮ ବର୍ଷ ଦୂରେଇ ରହିବା ପରେ ଥରେ ତାଙ୍କ ଗାଁର କେତେଜଣ ତାଙ୍କୁ ଦେଖା କରି ଗାଁ ମନ୍ଦିର ତିଆରି ପାଇଁ କିଛି ସାହାଯ୍ୟ ମାଗିଥିଲେ। ପଙ୍କଜିନୀ ତାଙ୍କୁ କହିଥିଲେ, ‘ମୁଁ ସାହାଯ୍ୟ କରିବି ସତ, କିନ୍ତୁ ମୋତେ ଆମ ଘରକୁ ନେବାର ବନ୍ଦୋବସ୍ତ ତୁମେମାନେ କର’। ସେମାନେ ପଙ୍କଜିନୀଙ୍କ ବାପାଙ୍କୁ ବୁଝାଇ ତାଙ୍କୁ ଘରକୁ ନେଇଥିଲେ। ହେଲେ ଦୁର୍ଭାଗ୍ୟ, ପଙ୍କଜିନୀଙ୍କ ଘରକୁ ଯିବା ହୁଏତ ତାଙ୍କ ଭାଇମାନଙ୍କର ପସନ୍ଦ ନ ଥିଲା। ଯେଉଁଥିପାଇଁ ପୁଣି ଅଶାନ୍ତି ସୃଷ୍ଟି ହେଲା। ଦିନେ ଯେଉଁ ଭାଇମାନଙ୍କୁ ମଣିଷ କରିବା ପାଇଁ ପଙ୍କଜିନୀ ଆଗେଇ ଆସିଥିଲେ, ଆଜି ସେମାନେ ଯେ ଏମିତି ବଦଳିଯିବେ, ସେକଥା ସେ ଚିନ୍ତା କରି ନ ଥିଲେ। ତଥାପି ସେ ମା’ବାପାଙ୍କ ପ୍ରତି ଝିଅର କର୍ତ୍ତବ୍ୟ ସୂଚାରୁରୂପେ କରି ଚାଲିଛନ୍ତି ଆଉ ଭାଇମାନଙ୍କର ମଙ୍ଗଳକାମନା କରୁଛନ୍ତି। ଏ ନେଇ ଉଭୟ ପଙ୍କଜିନୀ ଓ ରବୀନ୍ଦ୍ର କୁହନ୍ତି, ‘ଭାଗ୍ୟ ଆମକୁ ଏକାଠି କରିଛି। ଆମେ କେବେ କାହାର ଅନିଷ୍ଟ ଚିନ୍ତା କରିନୁ, କେବଳ କର୍ତ୍ତବ୍ୟ କରି ଚାଲିଛୁ। ବାକି ସବୁ କିଛି ଭଗବାନ୍‌ଙ୍କ ଉପରେ ଛାଡ଼ିଦେଇଛୁ’।

ପ୍ରଭୁଙ୍କ ଆଶୀର୍ବାଦରୁ ଏକାଠି ହେଲେ:


ଶେଖ୍‌ ଅବଦୁଲ୍‌ ସଫିକ୍‌ ହେଉଛନ୍ତି ଭୁବନେଶ୍ୱରସ୍ଥ ଏକ କୋଚିଂ ସେଣ୍ଟରର ମାଲିକ। ଆଉ ତାଙ୍କ ସହଧର୍ମିଣୀ ହେଲେ ଗୌରୀ ଗୌଡ଼, ଯିଏକି ଜଣେ ସୁଗୃହିଣୀ। ଦୁହିଁଙ୍କର ସମ୍ପ୍ରଦାୟ ଭିନ୍ନ। ଜଣେ ମୁସଲ୍‌ମାନ ସମ୍ପ୍ରଦାୟର ହୋଇଥିବା ବେଳେ ଆଉ ଜଣେ ହିନ୍ଦୁ। ସେମାନଙ୍କ ଭିତରେ ଥିବା ଭଲ ପାଇବା ହିଁ ଆଜି ସେମାନଙ୍କୁ ଏକ ସୁଖୀ ଦାମ୍ପତ୍ୟ ଜିଇବାର ସୌଭାଗ୍ୟ ଆଣି ଦେଇଛି। ଦିନ ଥିଲା, ସେମାନେ ପରସ୍ପର ଅପରିଚିତ ଥିଲେ। ସଫିକ୍‌୍‌ ଭୁବନେଶ୍ୱରର ନିକୋ ପାର୍କ ନିକଟରେ ସପରିବାର ରହୁଥିବାବେଳେ ଗୌରୀ ପୁରୁଣା ଏଜି କଲୋନୀରେ ରହୁଥିଲେ। ମୋଟାମୋଟି ଭାବେ କହିବାକୁ ଗଲେ ଉଭୟଙ୍କ ଘର ମଧ୍ୟରେ ଦୂରତା ପାଖାପାଖି ୧ରୁ ୨ କି.ମି ଭିତରେ ଥିଲା। ମର୍ନିଂ ଓ୍ବାକ୍‌ କରିବା ଥିଲା ଉଭୟଙ୍କର ଅଭ୍ୟାସ। ତେଣୁ ଦୈନିକ ମର୍ନିଂ ଓ୍ବାକ୍‌ କଲାବେଳେ କେବେ କେମିତି ସେମାନଙ୍କ ମଧ୍ୟରେ ଦେଖାଚାହାଁ ହେଉଥିଲା। ଶାନ୍ତ, ଭଦ୍ର ତଥା ଟିକେ ଲାଜକୁଳା ସ୍ବଭାବର ସଫିକ୍‌ଙ୍କ ବ୍ୟକ୍ତିତ୍ୱ ଗୌରୀଙ୍କୁ ଖୁବ୍‌ ପସନ୍ଦ ଆସୁଥିଲା। ତାଙ୍କ ସହିତ ଟିକେ କଥା ହେବା ପାଇଁ ଇଚ୍ଛା ହେଉଥିଲେ ହେଁ ଝିଅ ହୋଇ ଆଗେ କେମିତି କଥା ହେବେ, ଏଇ କଥା ଭାବି ଗୌରୀ ଟିକେ ଶଙ୍କି ଯାଉଥିଲେ। ହେଲେ କେତେଦିନ ବା ମନକୁ ବୁଝାଇପାରନ୍ତେ! ଦିନେ ସାହସ କରି ଗୌରୀ ପ୍ରଥମେ ସଫିକ୍‌ଙ୍କ ସହ କଥା ହେଲେ। ଗୌରୀଙ୍କର ହସଖୁସିଆ ମିଜାଜ୍‌ ସଫିକ୍‌୍‌ଙ୍କୁ ବି ପସନ୍ଦ ଆସିଲା। କ୍ରମେ ସେମାନଙ୍କ ଭିତରେ ବନ୍ଧୁତା ହେଲା। ଆଉ ଏଇ ବନ୍ଧୁତା ଧୀରେ ଧୀରେ ପ୍ରେମର ରୂପ ନେଲା। ବିବାହ କରିବାକୁ ସେମାନେ ନିଷ୍ପତ୍ତି ନେଲେ। ହେଲେ ସେମାନଙ୍କ ଭିତରେ ଥିବା ଧର୍ମଗତ ପାର୍ଥକ୍ୟ ପାଚେରି ସଦୃଶ ଛିଡ଼ା ହେଲା। ହିନ୍ଦୁ ହୋଇ କେମିତି ଜଣେ ମୁସଲ୍‌ମାନ ଯୁବକକୁ ବିବାହ କରିବ, ସେ ନେଇ ଗୌରୀଙ୍କ ପରିବାର ଲୋକେ ବିରୋଧ କଲେ। ହେଲେ ଗୌରୀଙ୍କର ଗୋଟିଏ ଜିଦ୍‌, ସେ ଯାହାଙ୍କୁ ମନ ଦେଇଛନ୍ତି, ତାଙ୍କୁ ହିଁ ବିବାହ କରିବେ। ଏପଟେ କିନ୍ତୁ ସଫିକ୍‌୍‌ଙ୍କ ପରିବାର ଲୋକେ ଏ ବିବାହ ପାଇଁ ରାଜି ଥିଲେ। କାରଣ ସଫିକ୍‌ଙ୍କ ମା’ବାପାଙ୍କର ଚିନ୍ତାଧାରା ଥିଲା ଟିକେ ଭିନ୍ନ। ପିଲାମାନଙ୍କର ଖୁସିରେ ସେମାନଙ୍କର ଖୁସି। କିନ୍ତୁ ଗୌରୀଙ୍କ ଘରଲୋକେ ରାଜି ନ ଥିବାରୁ ବିବାହ କେମିତି ହେବ, ସେ ନେଇ ଚିନ୍ତା ବଢିଲା। ଶେଷରେ ସଫିକ୍‌ ଓ ଗୌରୀ ନିଷ୍ପତ୍ତି ନେଲେ କୋର୍ଟ ମ୍ୟାରେଜ୍‌ କରିବେ। ଏଥିରେ ସଫିକ୍‌ଙ୍କ ପରିବାର ଲୋକେ ବି ରାଜି ହେଲେ। କାରଣ ସଫିକ୍‌ ଓ ଗୌରୀ ଥିଲେ ସାବାଳକ ଓ ସାବାଳିକା। ତା’ ସହିତ କୋର୍ଟ ମ୍ୟାରେଜ୍‌ କଲେ ପଛରେ ଆଇନତଃ କୌଣସି ସମସ୍ୟା ଉପୁଜିବାର ନ ଥିଲା। ତେଣୁ ୨୦୦୭ରେ ସଫିକ୍‌ ଓ ଗୌରୀ କୋର୍ଟ ମ୍ୟାରେଜ୍‌ କରି ଗୌରୀ ସଫିକ୍‌ଙ୍କ ଘରକୁ ଆସିଲେ। ଏହାପରେ ମୁସଲ୍‌ମାନ ସମ୍ପ୍ରଦାୟରେ ଯେମିତି ବିଧି ଅନୁସାରେ ବିବାହ ହୁଏ, ସେମିତି ସଫିକ୍‌ ଓ ଗୌରୀଙ୍କର ପୁଣିଥରେ ବାହାଘରର ଆୟୋଜନ କରାଗଲା। ନବଦମ୍ପତିଙ୍କୁ ଆଶୀର୍ବାଦ କରିବା ପାଇଁ ଗୌରୀଙ୍କ ମା’ବାପାଙ୍କୁ ସଫିକ୍‌ଙ୍କ ପରିବାର ଲୋକେ ଆମନ୍ତ୍ରଣ କଲେ। ହେଲେ ସେମାନେ ଆସିଲେ ନାହିଁ। ଏପଟେ ମନର ମଣିଷକୁ ସ୍ବାମୀ ଭାବେ ପାଇ ବି ଗୌରୀ ଖୁସି ନ ଥିଲେ। ମା’ବାପାଙ୍କ ଅଭିମାନଭରା ମୁହଁ ତାଙ୍କ ଆଖିରେ ନାଚି ଯାଉଥିଲା। ସେ ପ୍ରଭୁଙ୍କ ପାଖେ ପ୍ରାର୍ଥନା କରୁଥିଲେ, କେମିତି ତାଙ୍କ ମା’ବାପା ସବୁ କିଛି ଭୁଲି ତାଙ୍କୁ ପୁଣି ଆପଣେଇ ନେବେ। ପ୍ରଭୁ ତାଙ୍କ କଥା ଶୁଣିଲେ, ବାହାଘରର ମାତ୍ର ଦିନ କେଇଟା ପରେ ହଠାତ୍‌ ଗୌରୀଙ୍କ ମା’ବାପା ଝିଅ ଓ ଜ୍ୱାଇଁଙ୍କ ପାଇଁ ନୂଆ ଲୁଗା ଓ ମିଠା ଧରି ଗୌରୀଙ୍କ ଶାଶୁ ଘରକୁ ଆସିଲେ। ଆଉ ଝିଅଜ୍ୱାଇଁଙ୍କୁ ଶୁଭାଶୀର୍ବାଦ ଦେଲେ। ସେବେଠାରୁ ସବୁକିଛି ଠିକ୍‌ଠାକ୍‌ ଚାଲିଛି। ୟା’ଭିତରେ ସଫିକ୍‌ ଓ ଗୌରୀଙ୍କର ଝିଅ ଶଗୁପ୍ତା ଷ୍ଟାଣ୍ଡାର୍ଡ-୫ରେ ପଢ଼ିଲାଣି। ଏ ନେଇ ସଫିକ୍‌ ଓ ଗୌରୀ କୁହନ୍ତି, ‘ପ୍ରଭୁଙ୍କ ଆଶୀର୍ବାଦ ହିଁ ଆମ ଦୁହିଁଙ୍କୁ ଏକାଠି କରିଛି ଆଉ ଆମ ସଂସାର ଖୁସିରେ ଚାଲିଛି। ତା’ସହିତ ମା’ବାପାଙ୍କର ସ୍ନେହାଶୀର୍ବାଦ ଆମ ସହିତ ଥିବାରୁ ସବୁ ବାଧାବିଘ୍ନକୁ ସାମ୍ନା କରିବାକୁ ଆମକୁ ସାହସ ମିଳୁଛି’।

ଭଲପାଇବା ଧୈର୍ଯ୍ୟଶକ୍ତି ଶିଖାଇଲା:


କେଜି-୧ ପଢ଼ାବେଳୁ ପରିଚୟ ଥିଲା ବିଜୟ ସାହୁ ଓ ସରିତା ଗୁପ୍ତାଙ୍କର। ଯାଜପୁର ରୋଡ୍‌ରେ ବିଜୟଙ୍କର ପ୍ରକୃତ ଘର ହୋଇଥିବାବେଳେ ସରିତାଙ୍କର ନିଜ ଗାଁ ଥିଲା ଆଗ୍ରାରେ। ହେଲେ ତାଙ୍କ ମା’ବାପା ଆସି ଯାଜପୁର ରୋଡ୍‌ରେ ଜାଗା କିଣି ଘର କରି ରହୁଥିଲେ। ଉଭୟଙ୍କ ଘର ମଧ୍ୟରେ ଦୂରତା ପ୍ରାୟ ୧ କି.ମି ଭିତରେ ଥିଲା। ସରିତା ଥିଲେ ମାରଓ୍ବାଡ଼ି ସମ୍ପ୍ରଦାୟର। କେଜି ପଢ଼ାପରେ ବିଜୟ ଓ ସରିତା ଭିନ୍ନ ଭିନ୍ନ ସ୍କୁଲ୍‌ରେ ପଢିଥିଲେ। କଲେଜ ବି ସେମାନଙ୍କର ଅଲଗା ଥିଲା। ସରିତା ଯାଜପୁରସ୍ଥ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟରେ ପଢୁଥିବାବେଳେ ବିଜୟ ସ୍ଥାନୀୟ ବ୍ୟାସନଗର କଲେଜରେ ପଢୁଥିଲେ। କଲେଜ ଯା’ଆସବେଳେ ସେମାନଙ୍କର ଅନେକ ସମୟରେ ଦେଖା ହେଉଥିଲା। ପିଲାଦିନର ସାଙ୍ଗ ହୋଇଥିବାରୁ ବେଳେବେଳେ ସେମାନେ କଥାବାର୍ତ୍ତା ବି ହେଉଥିଲେ। ସମୟାନୁସାରେ ସେମାନଙ୍କ ବନ୍ଧୁତା ବି ନିବିଡ଼ ହେଉଥିଲା। ଯୁକ୍ତ ତିନି ଦ୍ୱିତୀୟ ବର୍ଷରେ ସେମାନଙ୍କ ବନ୍ଧୁତା ଭଲ ପାଇବାର ରୂପ ନେଲା। କିଛିଦିନ ଭିତରେ ଘରଲୋକେ ସେମାନଙ୍କ କଥା ଜାଣିଗଲେ। ଜାତିଗତ ଭେଦଭାବକୁ ନେଇ ଉଭୟଙ୍କ ପରିବାରରୁ ପ୍ରତିବାଦର ସ୍ବର ଉଠିଲା। ଯୁକ୍ତ ତିନି ପଢ଼ା ସରିବା ପରେ ସରିତାଙ୍କ ଘର ଲୋକେ ସରିତାଙ୍କ ବାହାଘର କରିବାକୁ ତତ୍ପର ହୋଇ ଉଠିଲେ। ହେଲେ ସରିତା ଥିଲେ ଜିଦିରେ ଅଟଳ। ବାହା ହେବେ ତ କେବଳ ବିଜୟଙ୍କୁ, ନଚେତ୍‌ ବାହା ହେବେନି। ଘର ଲୋକେ କିନ୍ତୁ ତାଙ୍କୁ ବାରମ୍ବାର ବିରୋଧ କରୁଥିଲେ। ଅନ୍ୟ କିଛି ଉପାୟ ନ ପାଇ ସରିତା ଘର ଛାଡିଲେ। ସରିତାଙ୍କୁ ବିଜୟ ନେଇ ତାଙ୍କ ଘରକୁ ଗଲେ। ହେଲେ ସେଠାରୁ ବି ତାଙ୍କୁ ଧିକ୍କାର ଶୁଣିବାକୁ ମିଳିଲା। ଶେଷରେ ଗୋଟିଏ ମନ୍ଦିରକୁ ଯାଇ ସରିତାଙ୍କ ମଥାରେ ବିଜୟ ସିନ୍ଦୂର ପିନ୍ଧାଇ ବିବାହ କଲେ ଆଉ ଏକ ଘର ଭଡ଼ା ନେଇ ଅନ୍ୟତ୍ର ରହିଲେ। ରୋଜଗାରକ୍ଷମ ହୋଇ ନ ଥିବାରୁ ସେମାନଙ୍କୁ ଚଳିବାକୁ ବେଶ୍‌ କିଛିଦିନ ବହୁତ ଅସୁବିଧା ହେଲା। ତା’ପରେ ବିଜୟ ଗୋଟିଏ ମାର୍କେଟିଂ ଜବ୍‌ ପାଇଲେ। ଧୀରେଧୀରେ ତାଙ୍କ ଚଳଣିରେ ସୁଧାର ଆସିଲା। ବିଜୟ କାମ କରି ପଇସା ରୋଜଗାର କରିବା ସହ ସରିତାଙ୍କୁ ଉଚ୍ଚଶିକ୍ଷିତା କରିବାକୁ ଅଣ୍ଟା ଭିଡିଲେ। ସରିତାଙ୍କୁ ବି.ଇଡି. ପଢାଇବା ସହ ନର୍ସିଂ ଟ୍ରେନିଂ ବି ଦେଲେ। ଯଦ୍ଦ୍ବାରା ସରିତା ଏବେ ଏକ ଇଂଲିଶ ମାଧ୍ୟମ ସ୍କୁଲ୍‌ରେ ଶିକ୍ଷକତା କରୁଥିବାବେଳେ ବିଜୟ ୧୦/୧୨ଟି ଏଫ୍‌ଏମ୍‌ସିଜି କମ୍ପାନୀ ପ୍ରଡକ୍ଟର ଡିଷ୍ଟ୍ରିବ୍ୟୁଟର୍‌ ଅଛନ୍ତି। ତା’ ସହିତ ସେମାନେ ଘର, ଗାଡ଼ି ସବୁ କିଛି କରିସାରିଲେଣି। ଆଉ ତାଙ୍କ ପୁଅ ରିଷି ଏବେ ଷ୍ଟାଣ୍ଡାର୍ଡ-୬ରେ ପଢୁଛି। ତା’ଛଡ଼ା ବିଜୟଙ୍କ ପରିବାର ଲୋକେ ଏବେ ବିଜୟଙ୍କ ଘରକୁ ଯା’ଆସ କଲେଣି। ବିଜୟ ଥିଲେ ଘରର ବଡ଼ ପୁଅ ଆଉ ତାଙ୍କ ତଳକୁ ତିନି ଭଉଣୀ। ଭଉଣୀମାନଙ୍କର ଯେତେବେଳେ ବାହାଘର ଲାଗିଲା, ବନ୍ଧୁଘର ଭାଇ କଥା ପଚାରିଲେ। ସେଥିପାଇଁ ବାଧ୍ୟ ହୋଇ ବିଜୟଙ୍କ ବାପା ବିଜୟଙ୍କୁ ଘରକୁ ଡାକିଲେ। ବାସ୍‌ ସେବେଠୁ ସେମାନଙ୍କର ପୁଣି ସମ୍ପର୍କ ବଢିଲା। ହେଲେ ଏପର୍ଯ୍ୟନ୍ତ ସରିତାଙ୍କ ଘରଲୋକେ ସେମାନଙ୍କୁ ଗ୍ରହଣ କରିନାହାନ୍ତି କି ସେମାନଙ୍କ ସହ କୌଣସି ସମ୍ପର୍କ ରଖିନାହାନ୍ତି। କିନ୍ତୁ ସରିତା ଓ ବିଜୟ ଉଭୟଙ୍କର ଇଚ୍ଛା ପୁଣିଥରେ ସମସ୍ତେ ଏକାଠି ହୋଇଯିବାକୁ। ଏ ନେଇ ସେମାନେ କୁହନ୍ତି, ‘ଆମ ଭଲପାଇବା ଯୋଗୁ ଆମ ପରିବାର ଲୋକେ ବହୁତ କଷ୍ଟ ପାଇଲେ, ଯେଉଁଥିପାଇଁ ଆମେ ଦୁଃଖିତ। କିନ୍ତୁ ଏହି ଭଲପାଇବା ହିଁ ଆମକୁ ଧୈର୍ଯ୍ୟଶକ୍ତି ଦେଇଛି ଆଗକୁ ବଢିବାକୁ ଆଉ ନିଜ ପରିଚୟ ସୃଷ୍ଟି କରିବାକୁ। ଭଗବାନଙ୍କ ଆଶୀର୍ବାଦରୁ ଆମେ ଖୁସିରେ ଅଛୁ। ଆଉ ଆଶା କରୁଛୁ ସେହି ଭଗବାନ୍‌ ପୁଣି କେମିତି ସବୁକିଛି ଠିକ୍‌ କରିଦେବେ’।

ପ୍ରେମ ପାଇଁ ପାଠପଢ଼ା ଓ ଚାକିରି  ଛାଡ଼ିଥିଲେ :

ଭଦ୍ରକ ଜିଲା ସଦର ବ୍ଲକ ବାଣିତିଆ ପଞ୍ଚାୟତର ମୁକ୍ତାପଦୀ ଗାଁର ଚିନ୍ମୟ କୁମାର ମାଝୀ ସିଆର୍‌ପିଏଫ୍‌ ଯବାନ୍‌ ଭାବେ ଯୋଗ ଦେଇଥିଲେ ଜମ୍ମୁ ଓ କଶ୍ମୀରରେ। ୨୦୦୭ରେ ଅସୀମା ପ୍ରିୟଦର୍ଶନୀ ନାୟକ ନାମ୍ନୀ ଝିଅ ସହ ତାଙ୍କର ପରିଚୟ ହେଲା। ସେବେ ଅସୀମା ଭଦ୍ରକ କଲେଜରେ ମେସରେ ରହି ଯୁକ୍ତ ୨ ପଢୁଥିଲେ। କ୍ରମେ ଚିନ୍ମୟ ଓ ଅସୀମାଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଲା। ଜାତି ଭିନ୍ନ ଜାଣି ସୁଦ୍ଧା ଉଭୟେ ପରସ୍ପରକୁ ଖୁବ୍‌ ଭଲ ପାଉଥିଲେ। ସେମାନଙ୍କ ପ୍ରେମ ସମ୍ପର୍କ ବେଶି ଦିନ ଆଉ ଲୁଚି ରହିଲାନି। ଘର ଲୋକେ ଜାଣିଲେ। ଜାତିଭେଦକୁ ନେଇ ଉଭୟଙ୍କ ପରିବାର ଲୋକେ ଖୁବ୍‌ ବିରୋଧ କଲେ। ଆଉ ଅସୀମାଙ୍କ ଘରଲୋକେ ତାଙ୍କ ପାଠପଢାରେ ରୋକ ଲଗାଇଦେଲେ। ଏପରିକି ଯୁକ୍ତ ୨ ପରୀକ୍ଷାକୁ ମାତ୍ର ୭ ଦିନ ବାକିଥାଏ, ତାଙ୍କୁ ମେସ୍‌ରୁ ଘରକୁ ନେଇଆସିଲେ। ଦିନକୁ ଦିନ ପରିସ୍ଥିତି ଗମ୍ଭୀର ହେଉଥିବା ଦେଖି ବାଧ୍ୟ ହୋଇ ଅସୀମା ଘର ଛାଡିଦେଲେ। ତା’ ପୂର୍ବରୁ ଚିନ୍ମୟଙ୍କୁ ଘଟଣା ସମ୍ପର୍କରେ ସବୁ ଜଣାଇ ଦେଇଥିଲେ। ଯେଉଁଥିପାଇଁ ଚିନ୍ମୟ ଭଦ୍ରକରେ ପହଞ୍ଚତ୍ ଅସୀମାଙ୍କୁ ଦିଲ୍ଲୀ ନେଇଗଲେ ଆଉ ତାଙ୍କୁ ରେଜିଷ୍ଟ୍ରି ମ୍ୟାରେଜ କଲେ। ଏପଟେ ଅସୀମାଙ୍କ ପରିବାର ଅସୀମା ନାବାଳିକା ଥିବା ଦର୍ଶାଇ ଥାନାରେ ମାମଲା ରୁଜୁ କରିଦେଲେ। ଏହି ଖବର ଚିନ୍ମୟ ଓ ଅସୀମା ଜାଣିପାରି ଭଦ୍ରକ କୋର୍ଟରେ ଆସି ଆତ୍ମସମର୍ପଣ କଲେ। ସେତେବେଳକୁ ଅସୀମା ସାବାଳିକା ହେବାକୁ ମାତ୍ର ୩ ମାସ ବାକି ଥାଏ। ଦୁହିଁଙ୍କ ବୟାନକୁ ଭିତ୍ତି କରି କୋର୍ଟ ଅସୀମାଙ୍କୁ ୩ ମାସ ଶିଶୁ ଯନତ୍ ଅନୁଷ୍ଠାନରେ ରହିବାକୁ ନିର୍ଦ୍ଦେଶ ଦେଲେ। ତାଙ୍କୁ ୧୮ ବର୍ଷ ହେବା ପରେ ଦୁହେଁ ବିବାହ କଲେ। ଚିନ୍ମୟଙ୍କ ପରିବାର ଲୋକେ ବିବାହକୁ ସ୍ବୀକୃତି ଦେଇ ପୁଅ ବୋହୂଙ୍କୁ ଘରକୁ ନେଲେ। ହେଲେ ଅସୀମାଙ୍କ ଘରେ ଏହାକୁ ଗ୍ରହଣ କଲେନି। କିଛିଦିନ ପରେ ଅସୀମାଙ୍କର ସାମାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ଚିନ୍ମୟ ୨୦୧୨ରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ଗାଁକୁ ଫେରିଆଥିଲେ। ହସଖୁସିରେ ତାଙ୍କ ସଂସାର ଆଗେଇଲା। ୟା’ଭିତରେ ସେମାନଙ୍କର ଝିଅ ସ୍ନେହା ୮ ବର୍ଷର ଓ ପୁଅ ଆୟୁଷ୍ମାନ ୪ ବର୍ଷର ହୋଇଗଲେଣି। ଆଉ ଚିନ୍ମୟ ରୋଜଗାରର ପନ୍ଥା ଭାବେ ଭିଡିଓଗ୍ରାଫିକୁ ଆପଣେଇ ନେଇଥିବାବେଳେ ଅସୀମା ସୁଗୃହିଣୀ ଭାବେ ଖୁସିରେ ଅଛନ୍ତି। ସେମାନଙ୍କର କେବଳ ଗୋଟିଏ ଦୁଃଖ ରହିଯାଇଛି, କେବେ ଅସୀମାଙ୍କ ବାପଘର ଲୋକେ ସେମାନଙ୍କୁ ଆପଣେଇବେ।

ଶେଷରେ କେବଳ ଏତିକି କୁହାଯାଇପାରେ, ପ୍ରେମ କରିବା କିଛି ଭୁଲ୍‌ ନୁହେଁ କିନ୍ତୁ ଏହାକୁ ଖରାପ ଦିଗରେ ଆଗେଇ ନେବା ହେଉଛି ଭୁଲ୍‌। ଯେଉଁମାନେ ଏହାକୁ ବୁଝି ଠିକ୍‌ ଦିଗରେ ଯାଆନ୍ତି, ସେମାନଙ୍କର ପ୍ରେମ ହୁଏ ସଫଳ। ଆଉ ତାଙ୍କ ସଂସାର ରଥ ସୁରୁଖୁରୁରେ ଗଡ଼ିଚାଲେ ଆଗକୁ ଆଗକୁ।

- ଅମ୍ବ୍ରିତା 

ତଥ୍ୟ ସହାୟତା-ଭାସ୍କର ରାଉତରାୟ, 

ହର୍ଷବର୍ଦ୍ଧନ ବେହେରା, ବିଭୁପ୍ରସାଦ ବେହେରା


All Right Reserved By

ଫୁରସତ |

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ବାକି ଶୁଝିଥିଲି

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ବାକି ଶୁଝିଥିଲି

ଶିକ୍ଷାବିତ୍‌ ତଥା ସାହିତି୍ୟକ ଡ. କୈଳାସ ଚନ୍ଦ୍ର ଟିକାୟତରାୟ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଲାସ୍ୟମୟୀ ମାମା

ଲାସ୍ୟମୟୀ ମାମା

ମଧୁସ୍ମିତା ରାଉତ କହିଲେ ହୁଏତ କେହି ଜାଣି ନ ପାରନ୍ତି। ମାତ୍ର ମାମା ବୋଲି କହିଲେ ସମସ୍ତେ ତାଙ୍କୁ ଚିହ୍ନିଦେବେ। ଜଣେ ଶିଶୁ କଳାକାର ଭାବରେ ମାମା ‘ରୁକ୍ମିଣୀ ଗଣନାଟ୍ୟ’ରେ ଯୋଗଦେଇ ତାଙ୍କର ଯାତ୍ରା ଜୀବନ ଆରମ୍ଭ କରିଥିଲେ। 

‘ମୁଁ କୌଣସି କମ୍ପ୍ରମାଇଜ୍‌ରେ ନାହିଁ’

‘ମୁଁ କୌଣସି କମ୍ପ୍ରମାଇଜ୍‌ରେ ନାହିଁ’

‘ସଙ୍ଗୀତ ମୋର ବନ୍ଧୁ। ସଙ୍ଗୀତ ମୋର ପ୍ରାଣ। ସଙ୍ଗୀତକୁ ମୁଁ ପୂଜା କରେ। ସଙ୍ଗୀତକୁ ମୁଁ ପ୍ରାଣ ଦେଇ ଭଲପାଏ।’ ଏକଥା କହନ୍ତି ଯାତ୍ରା ଇଣ୍ଡଷ୍ଟ୍ରିର ସବୁଠୁ ବ୍ୟସ୍ତ ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା। 

ବଗ୍‌ ଫେଷ୍ଟିଭାଲ

ବଗ୍‌ ଫେଷ୍ଟିଭାଲ

ନିଜ ସଂସ୍କୃତି ଏବଂ ପରମ୍ପରାକୁ ବଜାୟ ରଖିବା ପାଇଁ  ପ୍ରତ୍ୟେକ ସମ୍ପ୍ରଦାୟର ଲୋକେ ବିଭିନ୍ନ ଉତ୍ସବ ଆୟୋଜନ କରିଥାନ୍ତି । 

ମହାକାଶରେ ହେବ ହୋଟେଲ!

ମହାକାଶରେ ହେବ ହୋଟେଲ!

ମହାକାଶକୁ ଯିବା, ସେଠାକାର ଅନୁଭୂତି କିଭଳି ଜାଣିବାର ଇଚ୍ଛା ପ୍ରାୟ ଅନେକଙ୍କର ଥାଏ। ଖାସ୍‌ ସେଇଥିପାଇଁ ଆମେରିକାର କିଛି କମ୍ପାନୀ ଲୋକଙ୍କୁ ମହାକାଶର ଅନୁଭୂତି ଦେବାର ପ୍ରୟାସରେ ଲାଗିଛନ୍ତି।

୩୪ ବର୍ଷରେ ୨୨ ଫୁଟର ନିଶ

୩୪ ବର୍ଷରେ ୨୨ ଫୁଟର ନିଶ

ନିଶକୁ ପୁରୁଷମାନେ ନିଜ ସମ୍ମାନର ପ୍ରତୀକ ଭାବେ ଗ୍ରହଣ କରନ୍ତି। ତେଣୁ ତା’ର ବେଶ୍‌ ଯତ୍ନ ନିଅନ୍ତି। ତେବେ ରାଜସ୍ଥାନ, ବିକାନିର୍‌ରେ ରହୁଥିବା ଗିରିଧର ବ୍ୟାସଙ୍କ ନିଶ ଦେଖିଲେ ଜାଣିହୁଏ ପୁରୁଷଙ୍କ ପାଇଁ ନିଶ କେତେ ପ୍ରିୟ। 

ମାଇକେଲ ଜ୍ୟାକ୍‌ସନ ହେବାର ନିଶାରେ

ମାଇକେଲ ଜ୍ୟାକ୍‌ସନ ହେବାର ନିଶାରେ

ସାରା ପୃଥିବୀରେ ଅଛନ୍ତି ମାଇକେଲ ଜ୍ୟାକ୍‌ସନଙ୍କର ଅନେକ ଫ୍ୟାନ୍‌। ହେଲେ ଆର୍ଜେଣ୍ଟିନା, ବୁଏନ୍ସ  ଏୟାର୍ସରେ ରହୁଥିବା ୨୨ ବର୍ଷୀୟ ଲିଓ ବ୍ଲାଙ୍କୋଙ୍କ କଥା ସମ୍ପୂର୍ଣ୍ଣ ଭିନ୍ନ। 

ଉଲ୍‌ର କଙ୍କାଳ

ଉଲ୍‌ର କଙ୍କାଳ

ଉଲ୍‌ରେ ତିଆରି ହୁଏ ଶୀତବସ୍ତ୍ର। ଏଥିରୁ ଘର ସାଜସଜ୍ଜା ସାମଗ୍ରୀ ବି ପ୍ରସ୍ତୁତ କରାଯାଏ। ଉଲ୍‌ର ଏମିତି ଅନେକ ସାମଗ୍ରୀ ବିଷୟରେ ଜାଣିଥିବେ ଓ ଦେଖିଥିବେ ମଧ୍ୟ। ତେବେ ପାପ୍‌ ନାମକ ଜଣେ ବ୍ୟକ୍ତି ଉଲ୍‌ରେ ଏଭଳି ଜିନିଷ ତିଆରି କରିଛନ୍ତି, ଯାହାକୁ ଦେଖିଲେ ଯେ କେହି ଚକିତ ହୋଇଯିବେ।

ଶୁଭଫଳ ପାଇଁ ଆକ୍ୱାରିୟମ

ଶୁଭଫଳ ପାଇଁ ଆକ୍ୱାରିୟମ

* ଘରର ଦକ୍ଷିଣ-ପୂର୍ବ ଦିଗ ଧନ ସମ୍ପଦ ପାଇଁ ଉଦ୍ଦିଷ୍ଟ। ତେଣୁ ଏହି ଦିଗରେ  ଆରୋଓ୍ବାନା ମାଛର ଆକ୍ୱାରିୟମ ରଖିବା ଦ୍ୱାରା ଧନ ସମ୍ପଦରେ ଅଭିବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି।

ବ୍ରାଇଡାଲ୍‌ ଫୁଟ୍‌ଓ୍ବେର୍‌

ବ୍ରାଇଡାଲ୍‌ ଫୁଟ୍‌ଓ୍ବେର୍‌

ବାହାଘର ପାଇଁ ଫୁଟଓ୍ବେର୍‌ କିଣିବାକୁ ଗଲାବେଳେ କିଛି ଖାସ୍‌ କଥାପ୍ରତି ଧ୍ୟାନ ରଖିବା ନିହାତି ଆବଶ୍ୟକ। ଯେମିତିକି ଭେନ୍ୟୁ, ସିଜନ୍‌ ଆଉ ସବୁଠୁ ଜରୁରୀ ହେଉଛି ଆଉଟ୍‌ଫିଟ୍‌। କାରଣ ବ୍ରାଇଡାଲ୍‌ ଆଉଟ୍‌ଫିଟ୍‌ ସହ ଯଦି ବ୍ରାଇଡାଲ୍‌ ଫୁଟଓ୍ବେର୍‌ ଠିକ୍‌ ମ୍ୟାଚ୍‌ ନ କଲା, ତା’ହେଲେ ଲୁକ୍‌ ସେତେ ଆକର୍ଷଣୀୟ ଲାଗେ ନାହିଁ...

ପିଲାଙ୍କ ଗାନ୍ଧୀ ଅଜା

ପିଲାଙ୍କ ଗାନ୍ଧୀ ଅଜା

ବସ୍ତି ପିଲାଙ୍କର ସେ ଭାରି ପ୍ରିୟ। ତାଙ୍କର ଗୋଟିଏ ଡାକରେ ଦଉଡି ଆସନ୍ତି ସେମାନେ। ଆଉ ଘେରି ଯାଆନ୍ତି ତାଙ୍କୁ। କିଏ ତାଙ୍କୁ ଅଜା ତ କିଏ ଡାକନ୍ତି ମହାତ୍ମା ଗାନ୍ଧୀ। ଅନେକଙ୍କର ତ ସେ ପ୍ରିୟ ଗାନ୍ଧୀ ଅଜା।

ଦୋକାନୀ ନଥିବା ଦୋକାନ

ଦୋକାନୀ ନଥିବା ଦୋକାନ

ଏସବୁ ଏମିତି ଦୋକାନ, ଯେଉଁଠି ଜିନିଷ ଥାଏ। ମୂଲ୍ୟର ଏକ ତାଲିକା ବି ରହିଥାଏ। ହେଲେ ତାକୁ ବିକିବାକୁ ନ ଥାଆନ୍ତି ଦୋକାନୀ। ପାଖରେ ରଖା ଯାଇଥାଏ ଟଙ୍କା ବାକ୍ସଟିଏ। ଗ୍ରାହକ ଏଠାକୁ ଆସନ୍ତି, ଜିନିଷ ଦେଖନ୍ତି। ପସନ୍ଦର ଜିନିଷ ନେଇ ଲିଖିତ ମୂଲ୍ୟ ଅନୁସାରେ ଟଙ୍କା ବାକ୍ସରେ ଗଳାଇ ଚାଲି ଯାଆନ୍ତି...