
ପ୍ରେମ ଜୀବନରେ କେବେ କିଭଳି ଭାବେ ଆସେ ତାହା କହିବା ଅସମ୍ଭବ । ପ୍ରେମ ନା ଦେଖେ ବୟସ ନା ଦେଖେ ସାମାଜିକ ସ୍ଥିତି। ପ୍ରେମର ମଧ୍ୟ ନ ଥାଏ କୌଣସି ସ୍ବତନ୍ତ୍ର ସଂଜ୍ଞା। ତେବେ ପ୍ରେମ, ଭଲପାଇବାକୁ ନିଜ ପ୍ରିୟଜନଙ୍କ ପାଖେ ଜାହିର କରିବା ଲାଗି ପ୍ରତ୍ୟେକେ ଥା’ନ୍ତି ବ୍ୟଗ୍ର। ସେଥିଲାଗି ସମଗ୍ର ବିଶ୍ୱରେ ଫେବୃୟାରୀ ୧୪ କୁ ଭଲପାଇବା ଦିବସ ଅର୍ଥାତ୍ ‘ଭାଲେଣ୍ଟାଇନ୍ସ୍ ଡେ’ ଭାବେ ପାଳନ କରାଯାଏ...
ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ପରସ୍ପରକୁ ଜୀବନ ସାଥୀ ରୂପେ ଗ୍ରହଣ କରନ୍ତି ସେମାନେ। ସାଥୀକୁ ଦେଇଥିବା ପ୍ରତିଶ୍ରୁତିର ପ୍ରମାଣ ଦେବାକୁ ଯାଇ ତାଙ୍କ ହାତ ଧରନ୍ତି ଚିରଦିନ ପାଇଁ। ଏଭଳି କିଛି ସଫଳ ପ୍ରେମ କାହାଣୀର ଉଦାହରଣ ସୃଷ୍ଟି କରିଥିବା କିଛି ସେଲିବ୍ରିଟିଙ୍କ ମତରେ ଭାଲେଣ୍ଟାଇନ୍ସ ଡେ ମାନେ କ’ଣ ଏବଂ ସେମାନେ ଏହି ଦିନଟିକୁ କିଭଳି ପାଳନ କରିବା ଲାଗି ଯୋଜନା କରୁଛନ୍ତି ସେ ସମ୍ପର୍କରେ।
* ଭଲ ପାଇବାକୁ ଜାହିର କରିବା ଲାଗି କୌଣସି ସ୍ପେଶିଆଲ ଡେ’ର ଆବଶ୍ୟକତା ନାହିଁ: ପ୍ରକୃତ ଭଲପାଇବା ବା ଟ୍ରୁ ଲଭ୍ ଭାଗ୍ୟରେ ଥିଲେ ମିଳେ। ଜୀବନରେ ଯାହାକୁ ପ୍ରକୃତ ଭଲ ପାଇବା ମିଳିଛି ତାହାଠାରୁ ସୁଖୀ ବୋଧେ କେହି ନ ଥିବେ। ମୁଁ ସେଥିପାଇଁ ନିଜକୁ ବହୁତ ଭାଗ୍ୟବାନ ମନେ କରେ। ମୁଁ ଯାହାକୁ ଭଲ ପାଇଲି ତାକୁ ହିଁ ନିଜର ଜୀବନ ସାଥୀ ରୂପେ ପାଇଲି। ପ୍ରେମରେ ପରସ୍ପର ପ୍ରତି ବିଶ୍ୱାସ, ଉତ୍ତମ ବୁଝାମଣା ରହିଲେ ଏହା ସବୁଦିନ ପାଇଁ ଅତୁଟ ହୋଇ ରହିପାରିବ। ତେଣୁ ଭଲ ପାଇବାକୁ ଗୋଟିଏ ଅପ୍ଶନ୍ ବୋଲି କଦାପି ଭାବିବା ଉଚିତ ନୁହେଁ। ଯାହାକୁ ସତମନରେ ଭଲ ପାଉଛନ୍ତି ତାଙ୍କ ପ୍ରତି ବିଶ୍ୱାସଘାତକତା କରନ୍ତୁ ନାହିଁ। ତେବେ ଭଲ ପାଇବାକୁ ସେଲିବ୍ରେଟ କରିବା ଲାଗି କୌଣସି ସ୍ପେଶିଆଲ ଡେ’ ର ଆବଶ୍ୟକତା ନ ଥାଏ। ମୋ ପାଇଁ ସବୁଦିନ ହେଉଛି ଭାଲେଣ୍ଟାଇନ୍ସ ଡେ। ମୁଁ ସବୁଦିନକୁ ଶ୍ରୀମୟଙ୍କ ସହିତ ସେଲିବ୍ରେଟ କରୁଛି। ତାଙ୍କୁ ଭଲଭାବେ ବୁଝିବା ତାଙ୍କର କେୟାର ନେବାକୁ ମୁଁ ମୋର ସେଲିବ୍ରେଶନ୍ ବୋଲି ଭାବେ। ତେଣୁ ଏହି ଭାଲେଣ୍ଟାଇନ୍ସ ଡେ’ କୁ ପାଳନ କରିବା ଲାଗି ସେମିତି କିଛି ଯୋଜନା ନାହିଁ। କିନ୍ତୁ ଶ୍ରୀମୟଙ୍କଠାରୁ କିଛି ସ୍ପେଶିଆଲ ଗିଫ୍ଟ ପାଇବା ପାଇଁ ନିଶ୍ଚୟ ଆଶା ରଖିବି।
- ଏଲି ପାଢୀ, ଅଭିନେତ୍ରୀ
* ଜୀବନ ସାଥୀଙ୍କ ସହ ବିତାଉ ଥିବା ପ୍ରତ୍ୟେକ ଦିନ ହେଉଛି ଭାଲେଣ୍ଟାଇନ୍ସ ଡେ: ମୋ ପାଇଁ ଭଲପାଇବା ହେଉଛି ଜୀବନ। ଜୀବନରେ ପ୍ରେମ ଥିଲେ ସବୁକିଛି ସୁନ୍ଦର ଏବଂ ରଙ୍ଗିନ ଲାଗେ। ଜୀବନ ଜିଇବାର ଆଶା ଦ୍ୱିଗୁଣିତ ହୋଇଯାଏ। ମୁଁ ବହୁତ ଭାଗ୍ୟଶାଳୀ ମୋତେ ସେଭଳି ପ୍ରେମ ଆଶୀର୍ବାଦ ସ୍ବରୂପ ମିଳିଛି। ତେବେ ମୋ ମତରେ ଜୀବନସାଥୀଙ୍କ ସହ ବିତାଉଥିବା ପ୍ରତ୍ୟେକ ଦିନ ହେଉଛି ଭାଲେଣ୍ଟାଇନ୍ସ ଡେ। କିନ୍ତୁ ବ୍ୟସ୍ତ ବହୁଳ ଜୀବନରେ କିଛି ମୁହୂର୍ତ୍ତ ଏକାଠି ବିତେଇବା ପାଇଁ ଆମେ ସ୍ପେଶିଆଲ ଡେ’କୁ ସେଲିବ୍ରେଟ କରିଥାଉ। ଭାଲେଣ୍ଟାଇନ୍ସ ଡେ ହେଉଛି ସେହିଭଳି ଏକ ଦିନ ଯେଉଁଦିନ ଆମେ ଆମ ପ୍ରିୟଜନଙ୍କୁ ନିଜର ଭଲପାଇବା ଜାହିର କରିବାର ସୁଯୋଗ ପାଇଥାଉ। ବାହାଘର ପରେ ଏହା ହେଉଛି ମୋର ଦ୍ୱିତୀୟ ଭାଲେଣ୍ଟାଇନ୍ସ ଡେ। ଏହି ଦିନ ରୁଦ୍ରଙ୍କର ଏବଂ ମୋର ଗୋଟିଏ ସ୍ଥାନରେ ହିଁ ଶୁଟିଂ ଅଛି ତେଣୁ ମୁଁ ବହୁତ ଖୁସି ଯେ ଆମେ ପୂରା ଦିନଟି ଏକାଠି ରହିବୁ ଏବଂ ଉଭୟ ମିଶିକି ଏହି ଦିନଟିକୁ ସେଲିବ୍ରେଟ କରିବୁ। ତେବେ ପରସ୍ପର ମଧ୍ୟରେ ଥିବା ଅତୁଟ ଭଲପାଇବା ହେତୁ ଲୋକମାନେ ଆମକୁ ଆଇଡଲ କପଲ ବୋଲି ମାନୁଛନ୍ତି ସେଥିପାଇଁ ବହୁତ ଖୁସି ଲାଗେ।
-ଜିନା ସାମଲ, ଅଭିନେତ୍ରୀ
* ପ୍ରେମ ଏବଂ
ଭଲପାଇବାକୁ ପ୍ରତ୍ୟେକ ମୁହୂର୍ତ୍ତରେ ସେଲିବ୍ରେଟ କରିବା ଜରୁରୀ: ପ୍ରତ୍ୟେକଙ୍କ ଜୀବନରେ ପ୍ରେମ ବହୁତ ମହତ୍ୱ ରଖେ। କିନ୍ତୁ ଭଲପାଇବା ସେଲିବ୍ରେଶନ୍କୁ କେବଳ ଗୋଟିଏ ଦିନରେ ସୀମିତ ରଖିବା ଆଦୌ ଉଚିତ ନୁହେଁ। ପ୍ରେମ ଏବଂ ଭଲପାଇବାକୁ ପ୍ରତ୍ୟେକ ମୁହୂର୍ତ୍ତରେ ସେଲିବ୍ରେଟ କରିବା ଜରୁରୀ। ଦୀପକଙ୍କ ସହ ବାହାଘର ପରେ ଆମେ ପ୍ରତ୍ୟେକ ମୁହୂର୍ତ୍ତକୁ ମନଭରି ଉପଭୋଗ କରୁଛୁ। କିଚେନ୍ରେ ଦୁହେଁ ମିଶି ରୋଷେଇ କଲାବେଳେ ହେଉ ବା ଏକାଠି ବସି ଖାଇବାବେଳେ ବା ଟିଭି ଦେଖିଲା ବେଳେ ପ୍ରତ୍ୟେକ ମୁହୂର୍ତ୍ତରେ ଥାଏ ଆମର ସ୍ନେହ ଏବଂ ପରସ୍ପର ପ୍ରତି ଭଲପାଇବା। ତେଣୁ ଆମକୁ କୌଣସି ଡେ’ ର ଆବଶ୍ୟକତା ନ ଥାଏ। କିନ୍ତୁ ହଁ ଯେହେତୁ ଭାଲେଣ୍ଟାଇନ୍ସ ଡେ’ ଟି ପ୍ରେମ ପାଇଁ ଉତ୍ସର୍ଗୀକୃତ ତେଣୁ ଏହି ଦିନଟିକୁ ଆମେ ସ୍ବତନ୍ତ୍ର ଭାବେ ପାଳନ କରିବା ଲାଗି ଯୋଜନା କରିଛୁ। ଯେହେତୁ ଦୁଇ ଜଣଙ୍କୁ ଶପିଂ କରିବା ପାଇଁ ଭଲ ଲାଗେ, ତେଣୁ ଏହି ଦିନ ଉଭୟେ ମିଶି ଖୁବ୍ ଶପିଂ କରିବୁ ବୋଲି ଯୋଜନା କରିଛୁ।
-ତପୁ ମିଶ୍ର, ଗାୟିକା
* ଲଙ୍ଗ୍ ଡ୍ରାଇଭ୍ରେ ଯାଇ ଏହି ଦିନଟିକୁ ସେଲିବ୍ରେଟ କରିବୁ: ଦୀର୍ଘ ୧୦ ବର୍ଷର ପ୍ରେମ ସମ୍ପର୍କ ପରେ ରାଜେଶଙ୍କୁ ବିବାହ କରିଲି। ସମୟ ସହିତ ଆମ ଭିତରେ ଥିବା ଉତ୍ତମ ବୁଝାମଣା ଏବଂ ବିଶ୍ୱାସ ଆମ ଭଲ ପାଇବାକୁ ଆହୁରି ମଜଭୁତ କରିଲା। ଶେଷରେ ଆମେ ନିଷ୍ପତ୍ତି ନେଲୁ ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିବା ପାଇଁ। ଶୁଟିଂର ବିଜି ସେଡ୍ୟୁଲ ଭିତରେ ପରସ୍ପରକୁ ଉପଯୁକ୍ତ ସମୟ ଦେବାର ସୁଯୋଗ ମିଳେନି। ତେଣୁ ସବୁବେଳେ ଏମିତି ହିଁ କିଛି ସ୍ପେଶିଆଲ ଡେ ର ଅପେକ୍ଷା ଥାଏ, କିଛି ସ୍ମରଣୀୟ ମୁହୂର୍ତ୍ତକୁ ଏକାସାଙ୍ଗେ ଉପଭୋଗ କରିବା ଲାଗି। ଯାହା ଫଳରେ ଏକ ସୁଯୋଜନା ସହ ଆମେ ଦିନଟିକୁ ଭଲଭାବେ ଅତିବାହିତ କରିପାରିବୁ। ମୋତେ ସରପ୍ରାଇଜ୍ ଦେବାକୁ ଭଲ ଲାଗେ। ଏମିତି ଅକେଜନ୍ରେ ମୁଁ ସବୁବେଳେ ଟ୍ରାଏ କରେ ଅଭିନବ ଉପାୟରେ ରାଜେଶଙ୍କୁ ସରପ୍ରାଇଜ୍ ଦେବା ଲାଗି। ତେବେ ଏହି ଭାଲେଣ୍ଟାଇନ୍ସ ଡେ’ ରେ ଆମେ ଯୋଜନା କରିଛୁ ଲଙ୍ଗ ଡ୍ରାଇଭ୍ରେ ଯିବା ପାଇଁ। ଏହା ବ୍ୟତୀତ ମୋ ଭଉଣୀର ସଙ୍ଗୀତ ସେରିମନି ଯେହେତୁ ଫେବୃୟାରୀ ୧୪ ରେ ପଡୁଛି ତେଣୁ ପୂରା ପରିବାର ଏହି ଦିନଟିକୁ ସେଲିବ୍ରେଟ କରିବା ଲାଗି ଯୋଜନା କରିଛୁ।
-ରିୟା ନନ୍ଦ, ଉପସ୍ଥାପିକା
* ସ୍ପେଶିଆଲ ଗିଫ୍ଟ ସହ ସରପ୍ରାଇଜ୍ ଦେବି ବୋଲି ଯୋଜନା କରିଛି: ପ୍ରଥମେ ବନ୍ଧୁତା ତା’ପରେ ଭଲପାଇବା ଏବଂ ଶେଷରେ ସାତ ଜନମର ସାଥୀ। ଏହା ହେଉଛି ମୋର ଏବଂ ସୁନୀତାଙ୍କ ପ୍ରେମ କାହାଣୀ। ଆମର ୪ ବର୍ଷର ବନ୍ଧୁତ୍ୱ ସମ୍ପର୍କ ମଧ୍ୟରେ ଆମେ ପରସ୍ପରକୁ ଉତ୍ତମ ରୂପେ ବୁଝିଲୁ, ପରସ୍ପରର କେୟାର କରିଲୁ। ତେଣୁ ବିବାହ କଥା ଯେତେବେଳେ ଉଠିଲା ସେତେବେଳେ ଆମେ ନିଷ୍ପତ୍ତି ନେଲୁ ବିବାହ କରିବା ପାଇଁ। ତେଣୁ ମୁଁ ଜୀବନସାଥୀ ରୂପେ ଉତ୍ତମ ବନ୍ଧୁଟିଏ ପାଇଛି। ବିବାହ ପରେ ଏହା ହେଉଛି ଆମର ପ୍ରଥମ ଭାଲେଣ୍ଟାଇନ୍ସ ଡେ। ଏହି ଦିନଟିକୁ ଆମେ ଏକାଠି ରହି ସେଲିବ୍ରେଟ କରିବା ପାଇଁ ଯୋଜନା କରିଛୁ। ମନ୍ଦିର ଯାଇ ଭଗବାନଙ୍କ ଆଶୀର୍ବାଦ ସହ ଏକ ନୂଆ ଜୀବନର ଶୁଭାରମ୍ଭ କରିବୁ। ଏହା ବ୍ୟତୀତ କିଛି ସ୍ପେଶିଆଲ ଗିଫ୍ଟ ଦେଇ ସୁନୀତାଙ୍କୁ ସରପ୍ରାଇଜ୍ ଦେବି ବୋଲି ଯୋଜନା କରିଛି। - ସତ୍ୟରଞ୍ଜନ ନନ୍ଦି, ଅଭିନେତା