
ଆୟୁର୍ବେଦିକ ଡାକ୍ତର ତଥା ଅଭିନେତା ଡା. ଅନନ୍ତ ଆଚାର୍ଯ୍ୟ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...
ନୟାଗଡ଼ ଜିଲାର କନ୍ଧ ନୟାଗଡ଼ ଗାଁରେ ମୋ ଜନ୍ମ। କନ୍ଧ ନୟାଗଡ଼ ୟୁ.ପି ସ୍କୁଲ୍ରୁ ୫ମ ପାସ୍ କରିବା ପରେ ଚାନ୍ଦପୁରସ୍ଥିତ ଯଶୋଦା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ନାଁ ଲେଖାଇଥିଲି। ସେଠାରୁ ୭ମ ପାସ୍ କରି ଆସି ୟୁନିର୍ଭସିଟି ହାଇସ୍କୁଲ୍, ବାଣୀବିହାରରେ ମାଟ୍ରିକ୍ ଯାଏ ପଢିଲି। ୧୯୮୧ରେ ମାଟ୍ରିକ୍ ପାସ୍ କରି ପୁରୀ ଏସ୍ସିଏସ୍ କଲେଜରେ ଆଇ.ଏସ୍ସି. ଆଉ ତା’ପରେ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ କଲେଜରେ ବ୍ୟାଚେଲର୍ ଅଫ୍ ଆୟୁର୍ବେଦିକ ମେଡିସିନ୍ ଆଣ୍ଡ ସର୍ଜରୀ କୋର୍ସ କଲି। ପଢ଼ା ସରିବା ପରେ ମୋର ପୋଷ୍ଟିଂ ସୁନ୍ଦରଗଡ଼ରେ ଆୟୁର୍ବେଦିକ ମେଡିକାଲ୍ ଅଫିସର୍ ଭାବେ ହେଲା। ଦରମା ଦୁଇ ହଜାର ପାଖାପାଖି ମିଳୁଥିଲା। ଘରେ ଆମେ ୫ ଭାଇଭଉଣୀ (୨ ପୁଅ ଓ ୩ ଝିଅ)ମଧ୍ୟରୁ ମୁଁ ଥିଲି ମଝିଆଁ। କର୍ତ୍ତବ୍ୟ ଦୃଷ୍ଟିରୁ ଦରମା ଟଙ୍କା ଘରକୁ ପଠାଉଥିଲି। ଏହିପରି ଭାବେ ସମୟ ବିତି ଚାଲିଲା। ମୋର ବାହାଘର ହେଲା, ପରିବାର ବଢ଼ିଲା। ତା’ସହିତ ଆୟୁର୍ବେଦିକରେ ସ୍ନାତକୋତ୍ତର ଉପାଧି ହାସଲ କଲି। ଆଉ ଏବେ ବି ମୁଁ ସେହି ଜିଲାରେ ଚାକିରି କରୁଛି। ଚାକିରି ଜୀବନ ବାଦ୍ ଲେଖାଲେଖିରେ ରୁଚି ରଖିଛି। ୟା’ଭିତରେ ଓଡ଼ିଆ ଭାଷାରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟଭିତ୍ତିକ ପ୍ରବନ୍ଧ ମୋର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇସାରିଲାଣି। ସେହିପରି ଇଂଲିଶ ଭାଷାରେ ମଧ୍ୟ ୮/୧୦ଟି ପ୍ରବନ୍ଧ ପ୍ରକାଶିତ ହୋଇସାରିଲାଣି। ତା’ଛଡ଼ା ବିଭିନ୍ନ ମଞ୍ଚ, ଅନୁଷ୍ଠାନ, ସ୍କୁଲ୍ ତଥା ସଂଘ ତରଫରୁ ଆୟୋଜିତ ହେଉଥିବା ସ୍ବାସ୍ଥ୍ୟ ସଚେତନତା ଶିବିରରେ ଯୋଗ ଦେଇ ପ୍ରାଥମିକ ଉପଚାରରେ ଆୟୁର୍ବେଦର ଭୂମିକା ତଥା ଉପକାରିତା ବିଷୟରେ ଲୋକଙ୍କୁ ବୁଝାଇବା ସହ ମାଗଣାରେ ବିଭିନ୍ନ ଓଷଧୀୟ ଗୁଳ୍ମଲତା ବାଣ୍ଟୁଛି, ଯାହା ମୋତେ ଖୁବ୍ ଆତ୍ମସନ୍ତୋଷ ଦେଉଛି। ଆଜକୁ ପ୍ରାୟ ୪ ବର୍ଷ ହେବ କ୍ରମାଗତ ଭାବେ ଷ୍ଟେଟ୍ କଳିଙ୍ଗ ହର୍ବାଲ ଫେୟାର୍ରେ ଯୋଗଦେଇ ଆୟୁର୍ବେଦ ଚିକିତ୍ସା ସମ୍ବନ୍ଧୀୟ ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି କରାଇବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ଏସବୁ ବ୍ୟତୀତ ଅଭିନୟ ଦୁନିଆରେ ବି ସକ୍ରିୟ ଅଛି। ପିଲାଦିନେ ସ୍କୁଲ୍ ଡ୍ରାମାରେ ଅଭିନୟ କରୁଥିଲି। ଆଉ ଆୟୁର୍ବେଦ ପାଠପଢ଼ା ସମୟରେ ଅଲ୍ ଇଣ୍ଡିଆ ରେଡ଼ିଓରେ ବିଭିନ୍ନ ସ୍ବାସ୍ଥ୍ୟଭିତ୍ତିକ ତଥା ବିଜ୍ଞାନ ସମ୍ବନ୍ଧୀୟ ପ୍ରବନ୍ଧ ପାଠକରି ଜନାଦୃତ ହୋଇଥିଲି। କ୍ରମେ ସମୟ ବିତି ଚାଲିଲା। ପାଠପଢି ଚାକିରି କଲି ଆଉ ତା’ସହିତ ସମ୍ବଲପୁର ଅଲ୍ ଇଣ୍ଡିଆ ରେଡ଼ିଓର ଜଣେ ସ୍ବୀକୃତିପ୍ରାପ୍ତ ଡ୍ରାମା ଆର୍ଟିଷ୍ଟ ହେବାର ସୌଭାଗ୍ୟ ପାଇଲି। ସେହିପରି ୟା’ଭିତରେ ଅନେକ ଧାରାବାହିକ ତଥା ଚଳଚ୍ଚିତ୍ରରେ ବି ଅଭିନୟ କରିସାରିଲିଣି। ମୋ ଅଭିନୀତ ଧାରାବାହିକ ମଧ୍ୟରେ ‘ସମ୍ରାଟ ଖାରବେଳ’, ଟେନ୍ସନ୍ ଖଲାସ’ ‘କିନ୍ଦିରି କିନ୍ଦିରି ନାଚ୍’, ‘ଅଛୁଆଁ ପାଣି’ ଇତ୍ୟାଦି ଅନ୍ୟତମ। ସେହିପରି ଚଳଚ୍ଚିତ୍ର ମଧ୍ୟରେ ‘ଉଦଣ୍ଡୀ ସୀତା’, ‘ଅ ଆ ଇ’, ‘ସୁନ୍ଦରଗଡ଼ର ସଲ୍ମାନ୍ ଖାଁ’, ‘ଶ୍ରୀମାନ୍ ସୁରଦାସ୍’, ‘ତୋ ପାଇଁ ପାଗଳ ମୁଁ’ ଇତ୍ୟାଦି ଅନ୍ୟତମ। ଅନ୍ୟପକ୍ଷେ ‘କୋୟା’ ନାମକ ଏକ ପ୍ରାମାଣିକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛି। ଅଭିନୟ ବ୍ୟତୀତ ରେଡ଼ିଓ ତଥା ବିଭିନ୍ନ ଟିଭି ଚ୍ୟାନେଲ୍ ତରଫରୁ ହେଉଥିବା ଅନେକ ସ୍ବାସ୍ଥ୍ୟଭିତ୍ତିକ ଆଲୋଚନାଚକ୍ରରେ ମଧ୍ୟ ଭାଗ ନେଇସାରିଲିଣି। ଏ ସମସ୍ତ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୋତେ ବହୁ ପୁରସ୍କାର ଓ ସମ୍ମାନ ବି ମିଳିଛି। ତନ୍ମଧ୍ୟରୁ କବିରାଜ ରଘୁନାଥ ତ୍ରିପାଠୀ ସ୍ମାରକୀ ସମ୍ମାନ, ପ୍ରକୃତିବନ୍ଧୁ ସମ୍ମାନ, ସ୍ବାସ୍ଥ୍ୟ ବିଳାସ ଲେଖକ ସମ୍ମାନ, ଧନ୍ବନ୍ତରୀ ଜୟନ୍ତୀ ସମ୍ମାନ, ଧରିତ୍ରୀ ସମ୍ମାନ ଏବଂ ଇଣ୍ଡିଆନ ପ୍ରୋକ୍ଟୋଲୋଜି ସୋସାଇଟି ଫେଲୋଶିପ୍ ସମ୍ମାନ ଇତ୍ୟାଦି ଅନ୍ୟତମ।