
ଆକାର ପଟେଲ
ଏ ଯାବତ୍ ପାକିସ୍ତାନ ତିନୋଟି ସମ୍ବିଧାନ ପାଇଛି। ଏ ତିନୋଟି ଭିତରେ ଗୋଟିଏ ଜିନିଷ ହେଉଛି ସାଧାରଣ ଏବଂ ତାହା ହେଉଛି ସୁଧ ଓ ଆଧୁନିକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ନାପସନ୍ଦ କରିବା। ତେବେ ଏହାର ଇତିହାସ ନିର୍ଦ୍ଦିଷ୍ଟଭାବେ ଇସ୍ଲାମୀୟ ନୁହେଁ। ବାଇବେଲର ପୁରାତନ ନିୟମରେ ମଧ୍ୟ ଅଛି ଯେ ଋଣ ଉପରେ ସୁଧ ନେବା ଉଚିତ ନୁହେଁ। ମୁଦ୍ରା ବିନିମୟକାରୀ ଓ ଋଣଦାତାମାନଙ୍କ ଉପରେ ରାଗି ଯିଶୁ ଏକଦା ସେମାନଙ୍କୁ ଜେରୁଜେଲମ୍ ମନ୍ଦିରରୁ ବାହାର କରିଦେଇଥିଲେ।
ପାକିସ୍ତାନର ୧୯୫୬ ସମ୍ବିଧାନର ଧାରା ୨୮ କହେ, ଯେତେ ଶୀଘ୍ର ସମ୍ଭବ ରିବା (ସୁଧ) ବ୍ୟବସ୍ଥାର ମୂଳପୋଛ କରିଦିଆଯିବା ଉଚିତ। ପରେ ସେ ଦେଶରେ ସମ୍ବିଧାନର ଯେତେଗୋଟି ସଂସ୍କରଣ ହୋଇଛି, ସବୁଥିରେ ଏଇ କଥାଟିକୁ ରଖାଯାଇଛି। ରାଷ୍ଟ୍ରପତି ଆୟୁବ ଖାନ୍ଙ୍କ ସମୟରେ ୧୯୬୦ ଦଶକରେ, ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋଙ୍କ ଅମଳରେ ୧୯୭୦ ଦଶକରେ ଏବଂ ତା’ପରେ ୧୯୮୦ ଦଶକରେ ରାଷ୍ଟ୍ରପତି ଜିଆ ଉଲ୍ ହକ୍ ଓ ୨୦୦୦ ଦଶକରେ ରାଷ୍ଟ୍ରପତି ମୁଶରଫଙ୍କ ଅମଳରେ କରାଯାଇଥିବା ସଂଶୋଧନରେ ଏହି ପ୍ରସଙ୍ଗକୁ ବାଦ୍ ଦିଆଯାଇ ନାହିଁ। ୧୯୯୧ରେ ସୁପ୍ରିମ୍କୋର୍ଟର ଶାରିଆ ଆପେଲେଟ୍ ବେଞ୍ଚ୍ ଘୋଷଣା କଲେ ଯେ, ପାକିସ୍ତାନରେ ବ୍ୟାଙ୍କଗୁଡ଼ିକ ଋଣ ଉପରେ ଯେଉଁ ସୁଧ ଆଦାୟ କରୁଛନ୍ତି, ତାହା ବେଆଇନ। ୧୯୯୯ ମସିହାରେ କୋର୍ଟ ନିଷ୍ପତ୍ତି ନେଲେ ଯେ ଏହି ଆଇନକୁ କାର୍ଯ୍ୟକାରୀ କରାଯିବ। ଅବଶ୍ୟ ଆଧୁନିକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ମୂଳ ହେଉଛି ସୁଧ ଏବଂ ଯଦି ଆଇନ କାର୍ଯ୍ୟକାରୀ ହୋଇଥାନ୍ତା, ତେବେ ପାକିସ୍ତାନର ଅର୍ଥନୀତି ଭୁଶୁଡ଼ିପଡ଼ିଥାନ୍ତା। କିନ୍ତୁ ସୁଧ ନେବା ଯେ ଭୁଲ୍ ଏବଂ ଆଲ୍ଲା ତାହା ପସନ୍ଦ କରନ୍ତି ନାହିଁ, ଏହି ଚିନ୍ତାଧାରା ପାକିସ୍ତାନର ମୁସଲମାନ ସମାଜରେ ବଳବତ୍ତର ରହିଛି। ପାକିସ୍ତାନର ଏକଚ୍ଛତ୍ରବାଦୀ ଶାସକ ମୁଶରଫ କୋର୍ଟକୁ ସୁଧ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରୁ ନିବର୍ତ୍ତାଇ ପାରିଥିଲେ। ତଥାପି ସୁଧବିରୋଧୀ ଚିନ୍ତାଧାରା ସେମିତି ବଳବତ୍ତର ରହିଛି। ୨୦୧୫ ମସିହାରେ ସୁଧ ବିରୋଧରେ ଆଉ ଏକ ବିଲ୍ ଗୃହୀତ ହୋଇଥିଲା। ଯେହେତୁ ସମ୍ବିଧାନରେ ଏହା ରହିଛି, ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ସମୟରେ କାହାରି ନା କାହାରି ଦ୍ୱାରା ଉଦ୍ୟମ ହେଉଥିବ।
ଭାରତର ସମ୍ବିଧାନ ହେଉଛି ଦକ୍ଷିଣ ଏସିଆରେ ଏକମାତ୍ର ଅଣ-ଗରିଷ୍ଠତାମୂଳକ ସମ୍ବିଧାନ, ଯାହା କୌଣସି ନିର୍ଦ୍ଦିଷ୍ଟ ଧର୍ମମତ ଓ ତା’ର ଅନୁଗାମୀମାନଙ୍କ ଅଧିକାରକୁ ଗୁରୁତ୍ୱ ଦିଏ ନାହିଁ। ଆମ ସମ୍ବିଧାନର ଧାରା ୪୮ରେ ଅଛି ଯେ, ଆମ ସରକାର ଆଧୁନିକ ଓ ବୈଜ୍ଞାନିକ ପଦ୍ଧତିରେ କୃଷି ଓ ପଶୁପାଳନକୁ ସଂଗଠିତ କରିବେ ଏବଂ ବିଭିନ୍ନ ପ୍ରଜାତିର ସୁରକ୍ଷା ଓ ଉନ୍ନତି କରିବା ସହ ଗାଈ ଓ ବାଛୁରିଙ୍କ ହତ୍ୟା ତଥା ଅନ୍ୟ ଦୁଧିଆଳୀ ଓ କ୍ଷୀର ଦେଉ ନ ଥିବା ଗୋମହିଷାଦି ପଶୁଙ୍କ ହତ୍ୟାକୁ ବନ୍ଦ କରିବେ। ଏଠାରେ ଦୁଇଟି ଜିନିଷ ଉଲ୍ଲେଖନୀୟ: ତାହା ହେଉଛି ଏକ ବୈଜ୍ଞାନିକ ଓ ଅର୍ଥନୈତିକ ପ୍ରଚେଷ୍ଟା ଯାହା ସହ ଧର୍ମର କୌଣସି ସମ୍ପର୍କ ନାହିଁ। ଦ୍ୱିତୀୟରେ ଦୁଧିଆଳୀ ପ୍ରାଣୀଙ୍କ ଭିତରେ ଉଭୟ ଗାଈ ଓ ମଇଁଷି ଅଛନ୍ତି ଏବଂ କ୍ଷୀର ଦେଉ ନ ଥିବା ପ୍ରାଣୀ କହିଲେ ହଳ କରୁଥିବା ଓ ଶଗଡ଼ ଟାଣୁଥିବା ଗୋରୁ ଓ ମଇଁଷିଙ୍କୁ ବୁଝାଏ। ସମ୍ବିଧାନରେ ଯାହା ଲେଖାଯାଇଛି, ତାହାର ଭାଷା ବୈଜ୍ଞାନିକ ଓ ଅର୍ଥନୈତିକ ହେଲେ ମଧ୍ୟ ସେଥିରେ କିଛି ଧାର୍ମିକ ବିଷୟ ରହିଛି। ପାକିସ୍ତାନ ଯେପରି ଧାରା ୨୮କୁ କାର୍ଯ୍ୟକାରୀ କରିପାରୁନାହିଁ, ଭାରତ ସେହିପରି ଧାରା ୪୮ର ଫାନ୍ଦରେ ପଡ଼ିଛି।
ଫେବୃୟାରୀ ୫ରେ ଏକ ଖବର ପ୍ରକାଶ ପାଇଲା ଯେ, ଗୋହତ୍ୟା ଅଭିଯୋଗରେ ମଧ୍ୟପ୍ରଦେଶରେ ତିନିଜଣ ମୁସଲମାନଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ବଳରେ ଗିରଫ କରାଯାଇଛି। ଅପରାଧ ନ କରି ମଧ୍ୟ ଏନ୍ଏସ୍ଏରେ କୌଣସି ବ୍ୟକ୍ତିଙ୍କୁ ପ୍ରତିକାରାତ୍ମକ ଭାବେ ଜେଲରେ ଅଟକ ରଖାଯାଇପାରେ, ଯାହାଦ୍ୱାରା ସେ ଭବିଷ୍ୟତରେ କିଛି ଅପରାଧ କରିପାରିବ ନାହିଁ। ବିନା ବିଚାରରେ ଏପରି ବ୍ୟକ୍ତିଙ୍କୁ ଏକବର୍ଷ ଯାଏ ଜେଲରେ ରଖାଯାଇପାରେ। ଏହି ଘଟଣାରେ କେତେକ କଂଗ୍ରେସ ନେତା ଉଦ୍ବେଗ ପ୍ରକାଶ କରିଛନ୍ତି ଏବଂ ପ୍ରଶ୍ନ କରିଛନ୍ତି ଯେ ତା’ହେଲେ ଭାଜପା ଓ ତାଙ୍କ ଦଳ ଭିତରେ କ’ଣ ଫରକ ରହିଲା। ଏ ବିଷୟରେ ରାହୁଲ ଗାନ୍ଧୀଙ୍କୁ ପଚାରିବାରୁ ସେ ଚତୁରତାର ସହ କଥାକୁ ଏଡ଼େଇଦେଇ କହିଲେ ଯେ କଂଗ୍ରେସ ଶୀଘ୍ର ଆର୍ଏସ୍ଏସ୍ ଲୋକଙ୍କୁ ପଦପଦବୀରୁ ବାହାର କରିଦେବ।
ଫେବୃୟାରୀ ୮ ତାରିଖରେ ପୁଣି ଏକ ଖବର ପ୍ରକାଶ ପାଇଲା ଯେ, ମଧ୍ୟପ୍ରଦେଶରେ ଦୁଇଜଣ ଲୋକ- ଜଣେ ହିନ୍ଦୁ ଓ ଜଣେ ମୁସଲମାନଙ୍କୁ ବେଆଇନ ଗୋଚାଲାଣ ଅଭିଯୋଗରେ ଏନ୍ଏସ୍ଏରେ ଗିରଫ କରି ଜେଲରେ ରଖାଯାଇଛି। ଏଥିରୁ ଜଣାପଡ଼ୁଛି ଯେ, କଂଗ୍ରେସର ରାଜ୍ୟ ପ୍ରଶାସନ ଉପରେ ପୂରା ନିୟନ୍ତ୍ରଣ ନାହିଁ ଏବଂ ରାହୁଲ ଗାନ୍ଧୀ ଯାହା କହିଲେ ତାହା କାର୍ଯ୍ୟକାରୀ କରିବା କଷ୍ଟକର। ସରକାର ବଦଳିଲେ ପୂରା ରାଜ୍ୟଟା ବଦଳିଯିବ ନାହିଁ। ଆଇନ ଅଛି ଏବଂ ଲୋକଙ୍କ ମାନସିକତା ବି ବଦଳିନାହିଁ, ତେଣୁ ଅଫିସରମାନେ ସେହି ଅନୁଯାୟୀ କାର୍ଯ୍ୟ କରିବେ। ଅସଲ କଥା ହେଲା ମାମୁଲି ଅପରାଧ ପାଇଁ ସେମାନେ ଚରମ ଆଇନଗୁଡ଼ିକୁ ଲାଗୁ କରୁଛନ୍ତି। ୨୦୧୪ ଓ ୨୦୧୫ରେ ଏପରି ଘଟଣା ପାଇଁ ଅନେକ ହିଂସାକାଣ୍ଡ ଘଟିଥିଲା ଏବଂ ସେଥିପାଇଁ ଆମ ଦେଶ ବିଶ୍ୱ ଦରବାରରେ ବଦ୍ନାମ ହୋଇଥିଲା। ଏଭଳି ପରିସ୍ଥିତିରୁ ମୁକୁଳିବା ସହଜ ନୁହେଁ। ବିଚାରପତିମାନଙ୍କ ସମେତ ଅଧିକାଂଶ ଭାରତୀୟ ଧାରା ୪୮ର ବୈଜ୍ଞାନିକ ଓ ଅର୍ଥନୈତିକ ଦିଗକୁ ଦେଖନ୍ତି ନାହିଁ, ସମସ୍ତେ ଧାର୍ମିକ ଦିଗଟିକୁ ଦେଖନ୍ତି। ତେଣୁ ଧାର୍ମିକ ଚିନ୍ତାଧାରାବଶତଃ ଦଙ୍ଗା ହେବାର ଆଶଙ୍କା ଉପୁଜେ ଏବଂ ଏନ୍ଏସ୍ଏ ଲାଗୁ କରିବାର ଆବଶ୍ୟକତା ପଡ଼େ। ଏପରି କି ବୁଢ଼ୀ ଗାଈ ମଧ୍ୟ ଅର୍ଥନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାରପତି ମନେକରନ୍ତି କାରଣ ସେ ଗୋବର ଦେଉଛି। ବୋଧହୁଏ ପାକିସ୍ତାନ ପରି ଆମେ ମଧ୍ୟ ଚରମପନ୍ଥାକୁ ଏହିପରି ଆପଣେଇ ଚାଲିଥିବା।
Email: aakar.patel@gmail.com