ସମ୍ପାଦକୀୟ |

ଶାଗୁଣା ଓ ଭୋକିଲା ମଣିଷ

ଶାଗୁଣା ଓ ଭୋକିଲା ମଣିଷ

ପ୍ରକାଶ ତ୍ରିପାଠୀ

ଗତ ଜାନୁୟାରୀ ୧୦ ତାରିଖରେ ଗଣମାଧ୍ୟମଗୁଡିକରେ ଏକ ଚିନ୍ତା ଉଦ୍ରେକକାରୀ ଖବରଟିଏ ପ୍ରକାଶ ପାଇଥିଲା। ଖବରଟି ଥିଲା- ୮ହଜାର ଲୋକଙ୍କ ଖାଦ୍ୟକୁ ଫୋପାଡି ଦିଆଗଲା। ବନ୍ଦ ପାଳନ ଯୋଗୁ ଆହାର କେନ୍ଦ୍ରକୁ ଲୋକେ ଆସି ନ ପାରିବାରୁ ରନ୍ଧା ଖାଦ୍ୟ ବଳି ପଡିଥିଲା ଓ ଏହାକୁ ଏକ ଟ୍ରାକ୍ଟରରେ ନିଆଯାଇ ନିକଟସ୍ଥ ଏକ ଡମ୍ପିଂୟାର୍ଡରେ ଫୋପାଡି ଦିଆଯାଇଥିଲା। ଘଟଣାଟି ଘଟିଥିଲା ସମ୍ବଲପୁର ସହରର ଏକ ଆହାର କେନ୍ଦ୍ରରେ। ଚିନ୍ତା ଉଦ୍ରେକକାରୀ କଥାଟି ହେଲା ଗୋଟିଏ ପଟେ ଲୋକେ ଦୁଇଓଳି ପେଟପୂରା ଖାଇବାକୁ ପାଉ ନ ଥିଲା ବେଳେ ଅନ୍ୟ ପଟେ ହଜାର ହଜାର ଲୋକ ଖାଇଲା ଭଳି ଖାଦ୍ୟକୁ ଫିଙ୍ଗିଦିଆଯାଉଛି। କେବଳ ଏଭଳି ଘଟଣା ଓଡିଶାରେ ଘଟୁନାହିଁ, ବିଶ୍ୱସାରା ଏଭଳି ଅପରିଣାମଦର୍ଶୀ କାର୍ଯ୍ୟ ପ୍ରାୟତଃ ଘଟିଥାଏ। ବିଶେଷକରି ସମୃଦ୍ଧିଶାଳୀ ଦେଶଗୁଡିକରେ ଖାଦ୍ୟ ନଷ୍ଟର ମାତ୍ରା ଅଧିକ। ସେଥିପାଇଁ ଧନୀ ରାଷ୍ଟ୍ରଗୁଡିକ ଏ ଦିଗରେ ଯତ୍ନବାନ ହେବାକୁ ଅନ୍ତର୍ଜାତୀୟ ସମୁଦାୟରେ ଅଧିକ ଗୁରୁତ୍ୱାରୋପ କରାଯାଇଥାଏ।

ଏକ ସର୍ବେକ୍ଷଣରୁ ଜଣାପଡେ ଯେ ଧନୀ ରାଷ୍ଟ୍ରଗୁଡିକରେ ମୁଣ୍ଡ ପିଛା ବାର୍ଷିକ ହାରାହାରି ୯୫ରୁ ୧୧୫ କେଜି ଖାଦ୍ୟ ନଷ୍ଟ ହେଉଥିଲା ବେଳେ ଅପେକ୍ଷାକୃତ ଗରିବ ରାଷ୍ଟ୍ରଗୁଡିକରେ ଏହା ହାରାହାରି ୮ରୁ ୧୧ କେଜି ହୋଇଥାଏ। ଉତ୍ପାଦନ ହେଉଥିବା କୃଷିକ୍ଷେତ୍ରଠାରୁ ଆରମ୍ଭ କରି ଅମଳ ସମୟ, ପରିବହନ, ସଂରକ୍ଷଣ, ବିକ୍ରୟସ୍ଥଳ, ପ୍ରକ୍ରିୟାକରଣ ଓ ସର୍ବୋପରି ରନ୍ଧନସ୍ଥଳଗୁଡ଼ିକରେ ଫିଙ୍ଗାଯାଉଥିବା ଖାଦ୍ୟକୁ ଯଦି ରୋକାଯାଇପାରନ୍ତା, ତେବେ ବିଶ୍ୱରେ ଜଣେ ହେଲେ କେହି ଭୋକରେ ରୁହନ୍ତେ ନାହିଁ। ଏହା ବ୍ୟତୀତ ବାର୍ଷିକ ନଷ୍ଟ ହେଉଥିବା ୧୩୦ କୋଟି ଟନ ଖାଦ୍ୟ ଶସ୍ୟ ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିବା ଜମି, ଜଳ, ସାର, ଔଷଧ, ଯାନ୍ତ୍ରିକ ଉପକରଣ, ପରିବହନ ଓ ପ୍ରସ୍ତୁତୀକରଣରେ ବ୍ୟୟ ହେଉଥିବା ଅର୍ଥ, ଶକ୍ତିର ମଧ୍ୟ ଅପଚୟକୁ ରୋକାଯାଇପାରନ୍ତା। ରନ୍ଧାଖାଦ୍ୟକୁ ନଷ୍ଟ ହେବାକୁ ନ ଦେବାକୁ ଇତିମଧ୍ୟରେ ଅନେକ ସାମାଜିକ ସଂଗଠନ ଅଣ୍ଟା ଭିଡିଲେଣି। ବିବାହ-ବ୍ରତ ଆଦି ଉତ୍ସବ, ହୋଟେଲ, ହଷ୍ଟେଲ ଓ ବିଭିନ୍ନ କାର୍ଯ୍ୟକ୍ରମରେ ବଳି ପଡୁଥିବା ଖାଦ୍ୟ ସାମଗ୍ରୀକୁ ସୁରକ୍ଷିତ ଭାବେ ସଂଗ୍ରହ କରି ତାକୁ ଗରିବ ବା ଭୋକିଲାଙ୍କୁ ବାଣ୍ଟି ଦେଉଥିବା ଦେଖାଯାଉଛି। ସରକାରୀ ସ୍ତରରେ ଏସବୁର ବ୍ୟବସ୍ଥା ନ ଥିବାରୁ କିଛି ବ୍ୟକ୍ତିବିଶେଷ, ସାମାଜିକ ଅନୁଷ୍ଠାନ ଏଭଳି ଏକ ମହତ୍‌ କାର୍ଯ୍ୟକୁ ହାତକୁ ନେଉଛନ୍ତି, ଯେପରି ମହୀଶୂରର ଅକ୍ଷୟ ଆହାର ଫାଉଣ୍ଡେଶନ। ଏହାର ପ୍ରତିଷ୍ଠାତା ରାଜେନ୍ଦ୍ର ଥରେ ଏକ ବନ୍ଧୁଙ୍କ ବିବାହ ଭୋଜିକୁ ଯାଇଥିଲେ। ସେଦିନ ଅକସ୍ମାତ୍‌ ବର୍ଷା ହୋଇଯିବାରୁ ଅନେକ ନିମନ୍ତ୍ରିତ ଅତିଥି ଭୋଜିସ୍ଥଳକୁ ଆସି ପାରି ନ ଥିଲେ। ଫଳରେ ଅନେକ ଲୋକଙ୍କ ଖାଦ୍ୟ ବଳି ପଡିଥିଲା। ଅନ୍ୟ ଉପାୟ ନ ପାଇ ସେହି ବଳିଥିବା ଖାଦ୍ୟକୁ ଭୋଜି ଆୟୋଜକ ଶେଷରେ ଏକ ଡଷ୍ଟବିନ୍‌ରେ ଫିଙ୍ଗି ଦେଇଥିଲେ। ରାଜେନ୍ଦ୍ର ଘରକୁ ଫେରୁଥିଲା ବେଳେ ଦେଖିଲେ ଯେ କିଛି ଛୋଟ ଛୋଟ ପିଲା ସେହି ଡଷ୍ଟବିନ୍‌ରେ ଫିଙ୍ଗାଯାଇଥିବା ଖାଦ୍ୟକୁ ସଂଗ୍ରହ କରି ସେମାନଙ୍କ ଘରକୁ ନେଉଛନ୍ତି। ଏହି ଘଟଣାଟି ତାଙ୍କ ମନକୁ ଆନ୍ଦୋଳିତ କଲା। ଗୋଟିଏ ପଟେ ପ୍ରଚୁର ଖାଦ୍ୟ ଅଛି। ଅଥଚ ଖାଇବାକୁ ଲୋକ ନାହାନ୍ତି ତ ଅନ୍ୟପଟେ ଖାଇବାକୁ ଲୋକ ଅଛନ୍ତି, ମାତ୍ର ଖାଦ୍ୟ ନାହିଁ। ଏହା ପରେ ସେ ତାଙ୍କର ଅକ୍ଷୟ ଆହାର ଫାଉଣ୍ଡେଶନ ଆରମ୍ଭ କଲେ ଯାହାର ସ୍ଲୋଗାନ ଥିଲା right to eat, not to waste. ବିଭିନ୍ନ ସ୍ଥାନରୁ ବଳକା ଖାଦ୍ୟ ସଂଗ୍ରହ କରିବା ଓ ତାକୁ ଭୋକିଲାଙ୍କୁ ପରଷିଦେବା ହୋଇଯାଇଥିଲା ତାଙ୍କ ଜୀବନର ବ୍ରତ। ସେହିପରି ବମ୍ବେର ଡବାବାଲା ଆସୋସିଏଶନ ଏହିଭଳି ଏକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛି। ସହରର ବଳକା ଖାଦ୍ୟକୁ ନଷ୍ଟ ହେବାକୁ ନ ଦେଇ ତା’ର ସୁବିନିଯୋଗ କରୁଛି ଏହି ଆସୋସିଏଶନ ଦ୍ୱାରା ଆରମ୍ଭ କରାଯାଇଥିବା ରୋଟି ବ୍ୟାଙ୍କ କାର୍ଯ୍ୟକ୍ରମ। ବର୍ଷକୁ ପ୍ରାୟ ୨୦ ଲକ୍ଷ ଟଙ୍କାର ବଳକା ଖାଦ୍ୟକୁ ନଷ୍ଟ ହେବାକୁ ନ ଦିଆଯାଇ ଭୋକିଲାଙ୍କ ମୁହଁରେ ପରଷିଦିଆଯାଉଛି। ଯଦି କାହାର ଏକ ଉତ୍ସବରେ ଖାଦ୍ୟ ବଳିଯାଏ, ମାତ୍ର ଗୋଟିଏ ଫୋନ କଲ୍‌ରେ ରୋଟି ବ୍ୟାଙ୍କର ସ୍ବେଚ୍ଛାସେବୀମାନେ ପହଞ୍ଚିଯାଆନ୍ତି ଓ ସୁରକ୍ଷିତ ଭାବେ ସଂଗ୍ରହ କରିନିଅନ୍ତି ବଳକା ଖାଦ୍ୟ। ସମ୍ପ୍ରତି ଦେଶର ଅନେକ ଛୋଟବଡ଼ ସହରରେ ଅନେକ ସ୍ବେଚ୍ଛାସେବୀ ସଂଗଠନ ଏପରି ଏକ ମହତ୍‌ କାର୍ଯ୍ୟକୁ ଆପଣେଇବା ସହ ଭୋକିଲାଙ୍କ ମୁହଁରେ ହସ ଫୁଟାଇଲେଣି।

ଭୋକିଲା ମଣିଷ ଓ ଖାଦ୍ୟାଭାବ ସମ୍ପର୍କରେ ଏହି ଆଲେଖ୍ୟ ଲେଖିଲା ବେଳେ ମନେପଡେ ଗତ ନବେ ଦଶକରେ ଏକ ଭୋକିଲା ପିଲାର ଚିତ୍ରକୁ ନେଇ କିପରି ସମଗ୍ର ବିଶ୍ୱ ସ୍ବବ୍ଧ ହେବା ସହ ମାନବିକତାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ୧୯୯୩ ମସିହାରେ ଗୃହଯୁଦ୍ଧ ଓ ଦୁର୍ଭିକ୍ଷକୁ ନେଇ ସୁଦାନ ଚର୍ଚ୍ଚାରେ ଥିଲା। ଏହି ବର୍ଷ ସୁଦାନର ତତ୍କାଳୀନ ସ୍ଥିତି ଉପରେ ବିଶ୍ୱ ସମୁଦାୟର ଦୃଷ୍ଟିଆକର୍ଷଣ କରିବା ପାଇଁ ଜାତିସଂଘ ପକ୍ଷରୁ ଦକ୍ଷିଣ ଆଫ୍ରିକାର ଫଟୋଗ୍ରାଫର କେଭିନ କାର୍ଟରଙ୍କ ସହ କିଛି ସାମ୍ବାଦିକଙ୍କୁ ସେଠାକୁ ପଠାଯାଇଥିଲା। ଦକ୍ଷିଣ ସୁଦାନ ଗସ୍ତ ସମୟରେ ଏକ ମର୍ମଭେଦୀ ଦୃଶ୍ୟକୁ କେଭିନ ନିଜ କ୍ୟାମେରାରେ ବନ୍ଦୀ କରିଥିଲେ। ଗୋଟିଏ କଙ୍କାଳସାର ପିଲାଟିଏ ନିକଟସ୍ଥ ଏକ ଖାଦ୍ୟ ବଣ୍ଟନ କେନ୍ଦ୍ରକୁ ଚାଲି ନ ପାରି ଗୁରୁଣ୍ଡି ଗୁରୁଣ୍ଡି ଯାଉଥିଲା। ମାତ୍ର ଅନେକ ଦିନ ଧରି ଖାଇବାକୁ ପାଇ ନ ଥିବା ସେହି ପିଲାଟି ଆଉ ଗୁରୁଣ୍ଡି ନ ପାରି ଅଚେତ ପ୍ରାୟ ଭୂଇଁ ଉପରେ ହାମୁଡେଇ ହୋଇ ରହିଥିଲା ଓ ସେହି ପିଲାଟିର ମାତ୍ର କେଇଫୁଟ ଦୂରରେ ତା’ର ମୃତ୍ୟୁକୁ ଅପେକ୍ଷା କରି ବସିଥିଲା ଏକ ଶାଗୁଣା। ପିଲାଟି ଆଣ୍ଠେଇପଡି ରହିଥିବା ଓ ତା’ ପଛରେ ଶାଗୁଣାଟିଏ ବସିଥିବା ଫଟୋଟି ଉତ୍ତୋଳନ କରିବା ପରେ ଶାଗୁଣାଟିକୁ ଦୂରକୁ ଘଉଡାଇ ଦେଇଥିଲେ କେଭିନ କାର୍ଟର, ମାତ୍ର ପିଲାଟିକୁ ଉଦ୍ଧାର କରିପାରି ନ ଥିଲେ। ସେ ମୃତପ୍ରାୟ ପିଲାଟିକୁ ସାଥିରେ ନେଇ ଆସିବା ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ସାଥିରେ ଯାଇଥିବା ସହଯୋଗୀମାନେ ତାଙ୍କୁ ସେଥିରୁ ବାରଣ କରିଥିଲେ। ସହଯୋଗୀ ବନ୍ଧୁମାନେ ଆଶଙ୍କାପ୍ରକଟ କରିଥିଲେ ଯେ ଯଦି କେଭିନ ସେ ପିଲାଟିର ପାଖକୁ ଯିବେ, ତେବେ ସେ ପିଲାର ରୋଗ କେଭିନଙ୍କୁ ସଂକ୍ରମିତ ହେବା ସହ ସମସ୍ତ ଟିମ୍‌ ମେମ୍ବରମାନେ ବି ସେଥିରେ ଆକ୍ରାନ୍ତ ହୋଇଯିବେ। କେଭିନଙ୍କୁ ଧରି ତୁରନ୍ତ ହେଲିକପ୍ଟର ଯୋଗେ ସମସ୍ତେ ସେ ସ୍ଥାନ ପରିତ୍ୟାଗ କରିଥିଲେ ଆଉ କଙ୍କାଳସାର ପିଲାଟି ସେଠାରେ ପଡିରହିଥିଲା ମୃତ୍ୟୁକୁ ଅପେକ୍ଷାକରି। ସେହି ପିଲାଟି ସହ ଶାଗୁଣାର ଫଟୋଟି ନ୍ୟୁୟର୍କ ଟାଇମ୍ସର ମାର୍ଚ୍ଚ ୨୬, ୧୯୯୩ ସଂସ୍କରଣରେ ଯେତେବେଳେ ପ୍ରଥମ କରି ପ୍ରକାଶ ପାଇଲା, ସେତେବେଳେ ବିଶ୍ୱର ପ୍ରତି କୋଣରୁ କେଭିନଙ୍କ ଉପରେ ଶୁଭେଚ୍ଛା ଓ ପ୍ରଶଂସା ଅଜାଡି ହୋଇପଡିଲା। ପରେ ମାର୍ଚ୍ଚ ୩୦ ତାରିଖରେ ନ୍ୟୁୟର୍କ ଟାଇମ୍ସରେ ସୁଦାନର ଗୃହଯୁଦ୍ଧ ଓ ଭୋକିଲା ମଣିଷଙ୍କ ଉପରେ ଏକ ସ୍ବତନ୍ତ୍ର ସମ୍ପାଦକୀୟ ପ୍ରକାଶ ପାଇଥିଲା, ଯାହାକୁ ପଢି ଶାଗୁଣା ସମ୍ମୁଖରେ ପଡ଼ିଥିବା ସେ ପିଲାଟିର କ’ଣ ହେଲା ବୋଲି ଅନେକ ପାଠକ ପ୍ରଶ୍ନ କରିଥିଲେ। ସେତେବେଳେ କେଭିନଙ୍କ ପାଖରେ ଏହାର କୌଣସି ଉତ୍ତର ନ ଥିଲା। ଏହି ବିରଳ ଫଟୋ ପାଇଁ ୧୯୯୪ରେ କେଭିନଙ୍କୁ ସମ୍ମାନଜନକ ପୁଲିତ୍‌ଜାର ପୁରସ୍କାର ତଥା ଆମେରିକାନ ମାଗାଜିନ ପକ୍ଷରୁ ପିକ୍‌ଚର ଅଫ୍‌ ଦି ଇୟର ପୁରସ୍କାରରେ ସମ୍ମାନିତ କରାଯାଇଥିଲା ସତ, ମାତ୍ର ଏହାର ଅଳ୍ପ କିଛି ଦିନ ପରେ ଅର୍ଥାତ୍‌ ଜୁଲାଇ ୨୭, ୧୯୯୪ରେ କେଭିନ କାର୍ଟର ଆତ୍ମହତ୍ୟା କରିଦେଲେ। ଆତ୍ମହତ୍ୟାର କାରଣ ବି ଅତି ମର୍ମଭେଦୀ। କେଭିନଙ୍କ ଫଟୋଟି ବିଶ୍ୱବ୍ୟାପୀ ଗଣମାଧ୍ୟମଗୁଡିକରେ ପ୍ରକାଶ ପାଇବା ପରେ ଅନେକ ବ୍ୟକ୍ତି ସେହି ଫଟୋକୁ ନେଇ ମତ ଦେଇଥିଲେ ଯେ, କେଭିନଙ୍କ ଫଟୋରେ ଗୋଟିଏ ଶାଗୁଣା ନୁହେଁ, ଦୁଇଟି ଶାଗୁଣା ଥିଲେ। ଗୋଟିଏ ଶାଗୁଣା ପିଲାଟିର ମୃତ୍ୟୁକୁ ଅପେକ୍ଷା କରିଥିଲା ଓ ଅନ୍ୟ ଶାଗୁଣାଟି ପିଲାଟିକୁ ମରିବାକୁ ଛାଡିଦେଇ ଆସିଲା। ଏହା ନିଃସନ୍ଦେହ ଯେ ଦ୍ୱିତୀୟ ଶାଗୁଣା ଭାବେ ଫଟୋଗ୍ରାଫର କେଭିନଙ୍କୁ ଦର୍ଶାଯାଇଥିଲା। ଏହି ଅଭିଯୋଗ, ନିନ୍ଦା ଓ ସମାଲୋଚନାକୁ ସହ୍ୟ କରି ପାରି ନ ଥିଲେ କେଭିନ ଓ ତାଙ୍କ ବିବେକ ବାରମ୍ବାର ଏହି ପ୍ରଶ୍ନ ପଚାରି ତାଙ୍କୁ କ୍ଷତାକ୍ତ କରିବାକୁ ଲାଗିଲା। ନିଜକୁ ଜଣେ ନିଷ୍ପାପ ଶିଶୁର ହତ୍ୟାକାରୀ ଭାବେ ଭାବି ଭାବି ସେ ମାନସିକ ସ୍ତରରେ ରୁଗ୍‌ଣ ହେବାକୁ ଲାଗିଲେ ଓ ଏହି ଦୁଶ୍ଚିନ୍ତାରୁ ନିଜକୁ ମୁକୁଳାଇ ନ ପାରି ଶେଷରେ ଆତ୍ମହତ୍ୟା କଲେ। କେଭିନଙ୍କ ଆତ୍ମହତ୍ୟା ପରେ ଅନେକ ଖବରକାଗଜ ତାଙ୍କୁ ଜଣେ ସଚ୍ଚା ମଣିଷ ଭାବେ ଚିତ୍ରଣ କରିଥିଲେ, ଯିଏ କି ଜଣେ ଭୋକିଲାକୁ ରକ୍ଷା କରି ନ ପାରିବାର ଆତ୍ମଗ୍ଳାନିରେ ଏ ସଂସାରରୁ ବିଦାୟ ନେଇଗଲେ। ଏଠାରେ ମନରେ ପ୍ରଶ୍ନ ଉଠେ, ଆମ ଚାରି କଡରେ ଏତେ ଭୋକିଲା ମଣିଷଙ୍କ ଗହଳି ଲାଗିଥିଲେ ମଧ୍ୟ ଆମକୁ ଏହା କାହିଁିକି ଆନ୍ଦୋଳିତ କରୁନାହିଁ। ବିଶ୍ୱର ଅର୍ଦ୍ଧେକ ଧନସମ୍ପତ୍ତି ମାତ୍ର ୬ ଭାଗ ଲୋକଙ୍କ ପାଖରେ ମହଜୁଦ ଅଛି। ଯଦି ଏମାନଙ୍କ ମଧ୍ୟରୁ ୧ ଭାଗ ଲୋକ ଚାହିଁବେ, ପୃଥିବୀରେ ଗୋଟିଏ ବି ମଣିଷ ଗୋଟିଏ ଦିନ ବି ଖାଲିପେଟରେ ରହିବେ ନାହିଁ। କେଭିନଙ୍କ ଭଳି ଆମକୁ ବି କାହିଁକି ଶାଗୁଣା କୁହା ନ ଯିବ। ଯଦି ଆମ ପାଖରେ ବଳକା ଖାଦ୍ୟ ଥାଇ ବି ଆମ ଚାରିକଡରେ ଲୋକେ ଖାଲିପେଟରେ ଶୋଇବେ।

ମୋ-୯୪୩୭୨୩୨୪୬୩, ଇମେଲ-prakas.tripathy09@gmail.com

All Right Reserved By

ସମ୍ପାଦକୀୟ |

 ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ପୁଲଓ୍ବାମା ଆକ୍ରମଣର ଦିନକ ପରେ କ୍ଷୁବ୍ଧ ଭାରତ ପାକିସ୍ତାନଠାରୁ ସବୁଠୁ ଅନୁଗୃହୀତ ରାଷ୍ଟ୍ର (ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିନେଇଛି। ଏହି ପଡ଼ୋଶୀ ଦେଶକୁ ଆର୍ଥିକ ଓ କୂଟନୈତିକ ସ୍ତରରେ ଏକଘରିଆ କରିବା ପାଇଁ ଭାରତ ନେଇଥିବା କେତେଗୁଡ଼ିଏ ଆକ୍ରମଣାତ୍ମକ ପଦକ୍ଷେପ ମଧ୍ୟରୁ ଏହା ହେଉଛି ପ୍ରଥମ। ତେବେ ପାକିସ୍ତାନକୁ ଏମ୍‌ଏଫ୍‌ଏନ୍‌ ମାନ୍ୟତା ଦେବା ଓ ତାକୁ ପୁଣି..

ଶିଷ୍ୟତ୍ୱର ପରିଭାଷା

ଶିଷ୍ୟତ୍ୱର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମରୁ ଅଜ୍ଞାନ ଥାଏ। ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ସେ ଅଜ୍ଞାନତାରୁ ମୁକ୍ତ ହୁଏ। ଅଜ୍ଞାନ ଅନ୍ଧକାରରୁ ଜ୍ଞାନାଲୋକକୁ ଯିବା ପାଇଁ ସେ ଜଣେ ପ୍ରାଜ୍ଞ ପୁରୁଷଙ୍କ ଶିଷ୍ୟତ୍ୱ ଗ୍ରହଣ କରେ। ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଅନେକ ସନ୍ଦେହର ସମ୍ମୁଖୀନ ହୁଏ ଏବଂ ତା’ର ନିରାକରଣ ପାଇଁ ସେ ବିନମ୍ରତା ସହ ଅନେକ ପ୍ରଶ୍ନ ପଚାରେ। ଶେଷରେ ସେ ଯେତେବେଳେ ନିଜକୁ ଗୁରୁଙ୍କ ପାଖରେ ସମର୍ପି ଦିଏ, ଗୁରୁ ତାକୁ ସମୁଚିତ ମାର୍ଗଦର୍ଶନ କରାନ୍ତି ଓ ଶିଷ୍ୟ ନିଜ ସନ୍ଦେହ ନିରାକରଣ ହେଲାପରେ ଗୁରୁ..

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଦେବଦତ୍ତ ପଟ୍ଟନାୟକ

ଯେତେବେଳେ କେହି ଭଗବାନ୍‌ କୃଷ୍ଣଙ୍କ କଥା କୁହେ, ସେ ସାଧାରଣତଃ ସୁରଦାସ ଓ ମୀରାବାଈଙ୍କ ପରି ଉତ୍ତରଭାରତୀୟ ପରମ୍ପରା ବା ଆଣ୍ଡାଲ ଓ ଅଲ୍‌ଓ୍ବାରଙ୍କ ଭଳି ଦକ୍ଷିଣଭାରତୀୟ ପରମ୍ପରା ବିଷୟରେ କୁହେ। ଚୈତନ୍ୟ ମହାପ୍ରଭୁ ପୂର୍ବଭାରତରେ କୃଷ୍ଣଭକ୍ତି ପରମ୍ପରାକୁ ଆଗେଇ ନେଇଥିବା ବେଳେ ବଲ୍ଲଭାଚାର୍ଯ୍ୟ ଓ ଧ୍ୟାନେଶ୍ୱର ପଶ୍ଚିମଭାରତୀୟ ପରମ୍ପରାର ମୁଖ୍ୟ ପୁରୋଧା ଥିଲେ। କିନ୍ତୁ ଆମେ କୃଷ୍ଣଭକ୍ତିର ଉତ୍ତରପୂର୍ବ ଭାରତୀୟ (ଆସାମ ଓ ତା’ ଆଗକୁ) ପରମ୍ପରା ପ୍ରତି ସାଧାରଣତଃ କେହି ଧ୍ୟାନ ..

ଏଇ ଭାରତରେ

ଏଇ ଭାରତରେ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଡ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। ଦେବକୀ ଦୁନିଆରେ ନ ଥିଲେ ମଧ୍ୟ ତାଙ୍କ ମହାନ୍‌ ଇଚ୍ଛା ତାଙ୍କୁ ଅମର କରି କରିଛି। ମୃତ୍ୟୁ ପୂର୍ବରୁ ଦେବକୀ ଶର୍ମା ..

ପ୍ରାଣୀ ଦେବତା

ପ୍ରାଣୀ ଦେବତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ବଳିପ୍ରଥା ଏବଂ ଶବରମାନଙ୍କ ପଶୁ ଶିକାର ପ୍ରଥା ଥିଲେ ମଧ୍ୟ ମୋଟାମୋଟି ଭାବେ ଏହା ଏକ ଶାନ୍ତିପୂର୍ଣ୍ଣ ଦେଶ ଥିଲା ଏବଂ ଲୋକମାନେ ପ୍ରାଣୀମାନଙ୍କ ସହ ଏକାଠି ବାସ କରୁଥିଲେ। ଗତ ୫୦ ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ଏବେ ପ୍ରାଣୀମାନଙ୍କୁ ଆଘାତ ଦେବା ବା ମାରିବାକୁ କେହି ଖରାପ ଭାବୁ ନାହାନ୍ତି। ଯେଉଁ ଦେଶର ସରକାର ଆମ ରପ୍ତାନିର ୫୨% ..

ଅତି ଦୃଶ୍ୟମାନ ସରକାର

ଅତି ଦୃଶ୍ୟମାନ ସରକାର

ଡ. ସୁବାସ ଚନ୍ଦ୍ର ପାତ୍ର

ଏକ ସୁସ୍ଥ, ଆଦର୍ଶ ସମାଜ ଚାହେଁ ସରକାରର ଆତ୍ମସମ୍ବରଣ, ବିଲୋପ ନୁହେଁ, ବରଂ ଏକ ଅଦୃଶ୍ୟ ଉପସ୍ଥିତି। ସହଯୋଗ ନାମରେ ଏବେ ସରକାର ସର୍ବତ୍ର ବିଦ୍ୟମାନ, ସଦା ଦୃଶ୍ୟମାନ। ଆଗରୁ ସହରକୁ ଆସିଲେ ସରକାର ଅଛନ୍ତି ବୋଲି ଜଣାପଡୁଥିଲା। ଗାଁ ଗହଳର ଲୋକେ ନିଜ ଭାଗ୍ୟ, ନିଜ ସ୍ବାଭିମାନ, ନିଜ ସୃଜନଶୀଳତା, ନିଜର ଦକ୍ଷତା ଓ ଜିଇବାର କଳା ନେଇ ଅସୁବି..

ଦିବ୍ୟ ଜନନୀଙ୍କ ପ୍ରେରଣା

ଦିବ୍ୟ ଜନନୀଙ୍କ ପ୍ରେରଣା

ମିତାଲି ମହାନ୍ତି

ଏ ବିଶାଳ ଦୁନିଆରେ ଆମ ପରି ସାଧାରଣ ମଣିଷଙ୍କ ପାଇଁ ଶ୍ରୀମାଙ୍କ ଆଧ୍ୟାତ୍ମିକ ଜୀବନ ଏକ ବତିଘର ସଦୃଶ। ଶ୍ରୀମାଙ୍କ ମୂଳ ନାମ ମୀରା ଆଲ୍‌ଫାସା ଓ ତାଙ୍କ ଜନ୍ମସ୍ଥାନ ସୁଦୂର ଫ୍ରାନ୍ସ ହୋଇଥିଲେ ମଧ୍ୟ ଶ୍ରୀଅରବିନ୍ଦଙ୍କ ଆଧ୍ୟାତ୍ମିକ ଦର୍ଶନରେ ଅନୁପ୍ରାଣିତ ହୋଇ ସେ ଭାରତର ପଣ୍ଡିଚେରୀକୁ ନିଜ କର୍ମକ୍ଷେତ୍ର ଭାବେ ଆଦରି ନେଇ ଲକ୍ଷ ଲକ୍ଷ ଅଧ୍ୟାତ୍ମପିପାସୁଙ୍କୁ ଉଦ୍‌ବୁଦ୍ଧ କରିଛନ୍ତି। ..

ଏଇ ଭାରତରେ

ଏଇ ଭାରତରେ

ଯୌତୁକ ପ୍ରସଙ୍ଗକୁ ନେଇ କନ୍ୟାପିତା ହଟହଟା ହେଉଥିବା ଅନେକ ସମୟରେ ଦେଖିବାକୁ ମିଳେ। ତେବେ ମଧ୍ୟପ୍ରଦେଶର ଦତିଆରେ ଜଣେ କନ୍ୟା ଯୌତୁକଲୋଭୀ ବର ସାଙ୍ଗରେ ଯିବାକୁ ମନାକରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦତିଆନିବାସୀ ଦ୍ୱାରିକା ପ୍ରସାଦ..

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ରାଜଧାନୀରେ ବାଘ ବୁଲୁଛିି ବୋଲି ଫେବୃୟାରୀ ୧୮ରେ କଥା ବ୍ୟାପିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ବିଶେଷକରି ପଳାଶପଲ୍ଲୀ ଅଞ୍ଚଳରେ ଏ ନେଇ କୋକୁଆଭୟ ସୃଷ୍ଟି ହୋଇଥିଲା। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସଠାରୁ  ଚିତାବାଘ ଦୃଶ୍ୟମାନ ହେଉଥିବା  ବ୍ୟକ୍ତିଙ୍କ ଘର ମାତ୍ର ଏକ କିଲୋମିଟର ଅ..

 ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ବିପିନ ବିହାରୀ ମିଶ୍ର 

କଶ୍ମୀରର ପୁଲଓ୍ବାମା ଜିଲାର ଅବନ୍ତିପୁରା ନିକଟରେ ସିଆର୍‌ପି ଗାଡ଼ି ଉପରେ ଯେଭଳି ବିସ୍ଫୋରକ ଦ୍ରବ୍ୟ ଭର୍ତ୍ତିକରି ଏକ କାର ଧକ୍କା ଦେଲା ଓ ସଙ୍ଗେସଙ୍ଗେ ଲୁଚିଥିବା ସନ୍ତ୍ରାସବାଦୀମାନେ ଗୁଳି ଚଳେଇଲେ, ତାହା ସାରା ଦେଶକୁ ବିବ୍ରତ ଓ କ୍ଷୁବ୍ଧ କରିଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌, ରୁଷ୍‌ର ପୁଟିନ୍‌ ଏବଂ ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡର ପ୍ରଧାନମନ୍ତ୍ରୀମାନେ ଏହାର ଘୋର ନିନ୍ଦା କରିଛ..

ଭାଷା, ଜାତି ଓ ଜାତୀୟତା

ଭାଷା, ଜାତି ଓ ଜାତୀୟତା

ଡ. ଅନ୍ତର୍ଯ୍ୟାମୀ ମିଶ୍ର

ଭାଷା ହେଉଛି ବ୍ୟକ୍ତି ଓ ଜାତିର ପରିଚୟ। ଭାଷାକୁ ଆଧାର କରି ପୃଥିବୀର ସକଳ ସଭ୍ୟଜାତି ବିକଶିତ ହୋଇଛନ୍ତି। ଭାଷା ହିଁ ଜାତୀୟତାର ପ୍ରଧାନ ପ୍ରତୀକ। କୌଣସି ବଙ୍ଗାଳି ଓଡ଼ିଆ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ ବା କୌଣସି ଇଂରେଜ ଫରାସୀ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ। ସଭିଏଁ ନିଜ ନିଜ ଭାଷାରେ ଆପଣାକୁ ପ୍ରକାଶ କରିଥାନ୍ତି। କିନ୍ତୁ ଆମ ଓ..

ଏଇ ଭାରତରେ

ଏଇ ଭାରତରେ

ମାନସିକ ପୂରଣ ପାଇଁ କିଏ କେତେ ପ୍ରକାର ପନ୍ଥା ଅବଲମ୍ବନ କରନ୍ତି। କିନ୍ତୁ ଏଥିପାଇଁ ସମାଧିପୀଠରେ ଜୋତାମାଡ କରାଯିବା କଥା ନିଆରା ନିଶ୍ଚୟ। ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ମୁଖ୍ୟ କାର୍ଯ୍ୟାଳୟଠାରୁ ୩ କି.ମି. ଦୂର ଇଟାଓ୍ବା-ବରେଲୀ ରାଜମାର୍ଗ ଉପରେ ଭୋଲୁ ସୟଦ୍‌ଙ୍କର ପୁରୁଣା ମକ୍‌ବରା ରହିଛି। ଏଠାରେ ବାବାଙ୍କ ସମାଧି ଉପରେ ଫୁଲ ନୁହେଁ, ବରଂ ଜୋତାମାଡ଼ କରାଯାଏ। ଶ୍ରଦ୍ଧାଳୁଙ୍କ..