
ଅତାବିରା, ୨୪।୧(ଡି.ଏନ.ଏ): ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପୋଡବାଡି ନେତାଜୀ କ୍ଲବ ପରିସରରେ ୪୦ତମ କ୍ଲବର ବାର୍ଷିକୋତ୍ସବ ଓ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ କ୍ଲବର ସଭାପତି ଜୀବର୍ଦ୍ଧନ କ୍ଷେତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟ ହସ୍ତତନ୍ତ୍ର ଓ ବୟନ ଶିଳ୍ପମନ୍ତ୍ରୀ ସ୍ନେହାଙ୍ଗୀନି ଛୁରୀଆ, ମୁଖ୍ୟବକ୍ତା ବଲାଙ୍ଗୀର ରାଜେନ୍ଦ୍ର ମହାବିଦ୍ୟାଳୟର ଅଧ୍ୟାପକ ଶେଷନ କୁମାର ବିଶି, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୀତା ସାହୁ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟ ଅତିଥି ସ୍ନେହାଙ୍ଗୀନି ଛୁରୀଆ କହିଥିଲେ, ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ। ନାରୀ ଶକ୍ତି ଓ ମିଶନ ଶକ୍ତି ଉପରେ ଭାଷଣ ଦେବା ସହ ଅନୁଦାନ ଦେବାକୁ ପ୍ରତିଶୃତି ଦେଇଥିଲେ। ଗ୍ରାମର ଶତାଧିକ ମହିଳା ଗୋଷ୍ଠୀର ସଦସ୍ୟାମାନେ ଏହି ସଭାରେ ଉପସ୍ଥିତ ଥିଲେ।