
ଓ୍ବାଶିଂଟନ,୨୪ା୧(ପି.ଟି.):ଆମେରିକା କଂଗ୍ରେସ ବଜେଟ ଅନୁମୋଦନ ନ କରିବା ଫଳରେ ସେଠାରେ ମାସେରୁ ଊର୍ଦ୍ଧ୍ୱ ସମୟ ହେଲା ଅଚଳାବସ୍ଥା ଲାଗି ରହିଛି। ଏହାକୁ ଦୂର କରିବା ଲାଗି ଅଣାଯାଇଥିବା ପ୍ରସ୍ତାବ ଉପରେ ଗୁରୁବାର ଭୋଟିଂ ନିମନ୍ତେ ସିନେଟରମାନେ ରାଜି ହୋଇଛନ୍ତି। ଏଥିପାଇଁ ସିନେଟ୍ରେ ସଂଖ୍ୟାଗରିଷ୍ଠ ଦଳ ନେତା ମିଚ୍ ମେକୋନେଲ ଏବଂ ଡେମୋକ୍ରାଟିକ ନେତା ଚୁକ୍ ଶୁମେର ମଙ୍ଗଳବାର ଏକ ରାଜିନାମା ଘୋଷଣା କରିଥିଲେ। ସରକାରଙ୍କ ସମସ୍ତ ବନ୍ଦ ବିଭାଗକୁ ପାଣ୍ଠି ଯୋଗାଇବା ଲାଗି ଏକ ପ୍ରକ୍ରିୟାଗତ ପଦକ୍ଷେପ ସ୍ବରୂପ ପ୍ରଥମ ଭୋଟ ହେବାକୁ ଥିବାବେଳେ ଏଥିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସୀମାନ୍ତ ପ୍ରାଚୀର ପାଇଁ ପାଣ୍ଠି ଦାବି ଏବଂ ତାଙ୍କ ପ୍ରସ୍ତାବିତ ଦେଶାନ୍ତର ନୀତି ରହିଛି। ଏହା ବ୍ୟତୀତ ଷ୍ଟପ୍-ଗ୍ୟାପ୍ ପଦକ୍ଷେପ ସ୍ବରୂପ ଆସନ୍ତା ଫେବୃୟାରୀ ୮ ପର୍ଯ୍ୟନ୍ତ ସରକାରଙ୍କ ଲାଗି ପାଣ୍ଠି ବ୍ୟବସ୍ଥା ଉପରେ ଭୋଟ ହେବ।