
ପୁରୁଣା ଭୁବନେଶ୍ୱର,୨୪।୧(ଡି.ଏନ.ଏ.)- ସ୍ଥାନୀୟ ପୋଖରୀପୁଟ ଖେଳପଡ଼ିଆରେ ଚାଲୁଥିବା ବିହାରୀ ଜେନା ମେମୋରିଆଲ କ୍ରିକେଟ୍ ଟୁର୍ନମେଣ୍ଟରେ ଆୟୋଜକ ବିହାରିଲାଲ ଫାଇଟର୍ସ ଚାମ୍ପିୟନ ହୋଇଛି। ବୁଧବାର ଖେଳାଯାଇଥିବା ଫାଇନାଲରେ ଘରୋଇ ଦଳ ଶହୀଦ ସ୍ପୋର୍ଟିଂକୁ ହରାଇ ଟାଇଟଲ ହାସଲ କରିଛି । ଟସ୍ ଜିତି ବିହାରିଲାଲ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଉଇକେଟ୍ ହରାଇ ୧୬୧ରନ ସଂଗ୍ରହ କରିଥିଲା। ୧୬୨ରନର ବିଜୟ ଲକ୍ଷ ରଖି ଶହୀଦ ସ୍ପୋର୍ଟିଂ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୬୧ରନ କରି ପରାସ୍ତ ହୋଇଥିଲା। ବିହାରିଲାଲ ୧୦୦ ରନ ବ୍ୟବଧାନରେ ବିଜୟୀ ହୋଇଥିଲା । ପୁରସ୍କାର ବିତରଣୀ ଉସତ୍ବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୂର୍ବତନ ସ୍ଥାନୀୟ କର୍ପୋରେଟର ହୃଦୟ ବଲ୍ଲଭ ସାମନ୍ତରାୟ ଏବଂ ସମ୍ମାନିତ ଅତିଥିଭାବେ ପୂର୍ବତନ କ୍ରିକେଟ ଖେଳାଳି ରଶ୍ମିରଞ୍ଜନ ପରିଡ଼ା, ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ, ମନୋଜ ବିଶ୍ୱାଳ ଏବଂ ଅକ୍ଷୟ ଜେନା ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ଚାମ୍ପିୟନ ଟିମ୍କୁ ୨୦ ହଜାର ଟଙ୍କା ଏବଂ ଟ୍ରଫି ଓ ରନର୍ସଅପ୍ ଟିମ୍କୁ ୧୫ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ବିଜୟୀ ଦଳର ଦେବାଶିଷ ସାମନ୍ତରାୟ ମ୍ୟାନ୍ ଅଫ ଦି ମ୍ୟାଚ ବିବେଚିତ ହୋଇଥି‘ବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ବେଷ୍ଟ ବୋଲର ଏବଂ ସୁଜିତ ଲେଙ୍କାଙ୍କୁ ବେଷ୍ଟ ବ୍ୟାଟ୍ସମ୍ୟାନ ଭାବେ ପୁରସ୍କୃତ କରାଯାଇଥିଲା। ସେହିଭଳି ରନର୍ସଅପ୍ ଟିମ୍ର ଶୁଭମ ଶତ୍ରୁଜିତ୍ଙ୍କୁ ମ୍ୟାନ ଅଫ ଦି ସିରିଜ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରଦୋଷ କୁମାର ବଳିଆର ସିଂ, ଶଶାଙ୍କ ଶେଖର ଦାସ, ଅଜିତ୍ କୁମାର ପାତ୍ର, ଗଙ୍ଗାଧର ଭଟ୍ଟ ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ ।