
ନାନ୍ଟେସ (ଫ୍ରାନ୍ସ), ୨୪ା୧ (ଏଏଫ୍ପି)-ପ୍ରିମିୟର ଲିଗ୍ ଫୁଟ୍ବଲ କ୍ଲବ କାର୍ଡିଫ୍ ସିଟି ସହିତ ନିକଟରେ ଏକ ରେକର୍ଡ ଫି’ ବିନିମୟରେ ଚୁକ୍ତି କରିଥିବା ଏମିଲିଆନୋ ସାଲାଙ୍କର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଆର୍ଜେଣ୍ଟିନାର ଏହି ଷ୍ଟ୍ରାଇକର ଶନିବାର ଫ୍ରେଞ୍ଚ୍ କ୍ଲବ ନାନ୍ଟେସରୁ ୧୭ ନିୟୁତ ୟୁରୋ (୧୯.୩ ନିୟୁତ ଡଲାର) ବିନିମୟରେ କାର୍ଡିଫ୍ ସିଟି ଦଳରେ ଯୋଗ ଦେଇଥିଲେ। ଖବର ଅନୁସାରେ, ସେ ସୋମବାର ରାତିରେ ଏକ କ୍ଷୁଦ୍ର ବିମାନରେ କାର୍ଡିଫ ଯାତ୍ରା କରୁଥିଲେ। ମାତ୍ର ଇଂଲିଶ ଚ୍ୟାନେଲ ଅନ୍ତର୍ଗତ ଗୁରେନ୍ସି ଦ୍ୱୀପଠାରୁ ପ୍ରାୟ ୨୦ କିଲୋମିଟର ଉତ୍ତରଭାଗରେ ବିମାନଟିର ରାଡାର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ମଙ୍ଗଳବାର ଦିନ ସାରା ବିମାନଟିର ସନ୍ଧାନ ନିଆଯାଇଥିଲ। ଯଦି ଏହା ଜଳଭାଗରେ ଖସି ପଡ଼ିଥିବ ତେବେ କୌଣସି ଯାତ୍ରୀଙ୍କ ବଞ୍ଚତ୍ବା ସମ୍ଭାବନା କ୍ଷୀଣ। ଗୁରେନ୍ସି ପୋଲିସର କହିବା ଅନୁସାରେ, ଇଂଲିଶ ଚ୍ୟାନେଲର ୩ ହଜାର ବର୍ଗ କିଲୋମିଟରର ଏହି ଅଞ୍ଚଳରେ ଦୀର୍ଘ ୧୫ ଘଣ୍ଟା ଧରି ଛାନ୍ଭିନ୍ ପରେ ଜଳଭାଗରେ କିଛି ଭାସମାନ ବସ୍ତୁ ଦେଖିବାକୁ ମିଳିଥିଲା। ଦୁର୍ଘଟଣାଗ୍ରସ୍ତ ବିମାନଟିରେ ୨୮ବର୍ଷୀୟ ସାଲା ଯାତ୍ରା କରୁଥିବା ଫ୍ରେଞ୍ଚ ବେସାମରିକ ବିମାନ ଚଳାଚଳ ବିଭାଗ ସ୍ପଷ୍ଟ କରିଛି। ବିମାନଟିରେ ଅନ୍ୟ ଜଣେ ଯାତ୍ରୀ ମଧ୍ୟ ଥିଲେ।