
କଟକ ଅଫିସ,୨୪।୧- କଟକରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟର ଚୂଡ଼ାନ୍ତ ଲିଗ ପର୍ଯ୍ୟାୟର ଏକ ମ୍ୟାଚ୍ରେ ବୁଧବାର ଉତ୍କଳ ବିଶ୍ୱବିଦ୍ୟାଳୟ ଦଳ ବିଜୟୀ ହୋଇଛି। ଲିଗ୍ ପର୍ଯ୍ୟାୟରେ ୨ଟି ମ୍ୟାଚ୍ ଖେଳିଥିବା ବେଳେ ଉତ୍କଳର ଏହା ପ୍ରଥମ ବିଜୟ। ଗୁରୁବାର ଏମ.ଜି. କାଶୀ ବିଦ୍ୟାପୀଠ ବିପକ୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅନ୍ତିମ ମ୍ୟାଚ୍ ଖେଳିବ। ଅନ୍ୟପକ୍ଷରେ ଏହି ପର୍ଯ୍ୟାୟରେ ଏମ.ଜି. କାଶୀ ବିଦ୍ୟାପୀଠ ୨ଟି ବିଜୟ ସହ ୮ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛି। ଉତ୍କଳ ଓ ଭିବିଏସ୍ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ଦଳ ଗୋଟିଏ ଲେଖାଏ ମ୍ୟାଚ୍ ଜିତିଛନ୍ତି। ଏଣୁ କାଶୀ ବିଶ୍ୱବିଦ୍ୟାଳୟକୁ ଭଲ ରନରେଟରେ ପରାସ୍ତ କଲେ ଉତ୍କଳ ବିଶ୍ୱବିଦ୍ୟାଳୟ ନିମନ୍ତେ ଜାତୀୟ ବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟରେ ସାମିଲ ହେବାର ସୁଯୋଗ ରହିବ।
ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡ-୨ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ବିନୋବାଭାବେ ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ୍ ରୋମାଞ୍ଚକ ପରିସ୍ଥିତିରେ ଶେଷ ହୋଇଥିଲା। ବିନୋବାଭାବେ ଟସ୍ ଜିତି ଉତ୍କଳକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ନିମ୍ନକ୍ରମର ବ୍ୟାଟ୍ସମ୍ୟାନ ଆଶୁତୋଷ ଦାସଙ୍କ ୩୦ ରନ ସହାୟତାରେ ଉତ୍କଳ ଦଳ ମାତ୍ର ୯୯ ରନ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ବିନୋବାଭାବେ ଦଳ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ବିଜୟଲକ୍ଷ୍ୟଠାରୁ ୩ ରନ ପଛରେ ରହି ପରାସ୍ତ ହୋଇଛି। ରେଭେନ୍ଶା ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡ-୨ରେ ଏମ.ଜି. କାଶୀ ବିଦ୍ୟାପୀଠ ୭ ଉଇକେଟରେ ଭିବିଏସ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟକୁ ହରାଇଛି।