
ଛତ୍ରପୁର,୨୩ା୧(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ପୋଲିସ ଅଧିକାରୀ ଓ ଥାନା ଆଇଆଇସିମାନଙ୍କୁ ମଧ୍ୟ ନିର୍ବାଚନ ଆଚରଣବିଧି ଓ ଅନ୍ୟାନ୍ୟ ବିଷୟରେ ତାଲିମ ଦିଆଯାଇଛି। ଅତିିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ ଓ ଜିଲା ସହରାଞ୍ଚଳ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚୀ ହୋତା ନିର୍ବାଚନ ପରିଚାଳନା, ମନିଟରିଂ ଏବଂ ଆଚରଣ ବିଧି ଉପରେ ବିସ୍ତୃତ ଭାବେ ପୋଲିସ ଅଧିକାରୀ ଓ ଆଇଆଇସି ମାନଙ୍କୁ ଅବଗତ କରାଇଥିଲେ। ଗଞ୍ଜାମ ଜିଲାରେ ଗୋଟିଏ ସ୍ଥାନରେ ୩ ବର୍ଷରୁ ଊର୍ଦ୍ଧ୍ୱ ଧରି ରହିଥିଲେ ସମ୍ପୃକ୍ତ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯିବ ବୋଲି ସୂଚନା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଜିଲାର ଅଧିକାଂଶ ଓଏଏସ୍, ଓପିଏସ୍ , ଥାନା ଅଧିକାରୀ ଓ ସବଇନ୍ସପେକ୍ଟରଙ୍କ ବଦଳି ହେବା ଏକ ପ୍ରକାର ନିଶ୍ଚିତ। ନିର୍ବାଚନ ବେଳେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ପୋଷ୍ଟିଂ ଓ ବଦଳି ହୋଇପାରିବ ବୋଲି କୁହାଯାଇଥିଲା। ନିର୍ବାଚନ ଆଚରଣବିଧିରେ ଅନେକ ପରିବର୍ତ୍ତନ ହୋଇଥିବା ଅତିରିକ୍ତ ଜିଲାପାଳ କହିବା ସହ ଏହାକୁ କଡାକଡି ଭାବେ ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତିି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ କୌଣସି ନୂଆ କାମ ଆରମ୍ଭ ହୋଇପାରିବନି। ତେବେ ଚାଲିଥିବା କାମ ଉପରେ କୌଣସି କଟକଣା ନ ଥିବା ଡୁଡା ପିଡି ହୋତା କହିଥିଲେ। ଏହି ସମୟରେ ଲାଉଡ ସ୍ପିକର, ରାଲି, ସଭା ପାଇଁ ଅନୁମତି ନେଇ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ପାଳନ କରିବାକୁ କୁହାଯାଇଛି। ଏଥିସହ ମଦ ଦୋକାନ ଓ ମଦ ପ୍ରସ୍ତୁତ ଫ୍ୟାକ୍ଟ୍ରି ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ୨୪ ଘଣ୍ଟା ସିସି କ୍ୟାମେରା ସେଠାରେ ଲାଗିବ। ଏବେଠୁ ବେଆଇନ ମଦ ବିକ୍ରି ଉପରେ ନଜର ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିିରିକ୍ତ ଜିଲାପାଳ କହିଥିଲେ। ଆଚରଣବିଧି ଲାଗୁ ହେବାପରେ ସବୁ ପ୍ରଚାରର ଭିଡିଓଗ୍ରାଫି, ଫଟୋ ଉତ୍ତୋଳନ କରାଯିବ। ଏହାର ରେକର୍ଡିଂ ଡିଭିଡି ୩୦୦ ଟଙ୍କା ଦେଇ ଲୋକେ ନେଇ ପାରିବେ। ଫଳରେ ସ୍ବଛତା ଆସିବ ବୋଲି କୁହାଯାଇଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକାରୀଙ୍କୁ ନୋଟିସ କରାଯିବ। ଷ୍ଟାର କମ୍ପାନୀଗୁଡିକ ନିଜ ପାଖରେ ୧ ଲକ୍ଷ ଟଙ୍କା ରଖିପାରିବେ। ଏଥିରେ ଡିଆରଡିଏ ପିଡି ପ୍ର୍ରିୟରଞ୍ଜନ ପୃଷ୍ଟି, ଡିଏସ୍ପି କେଶବ ଚନ୍ଦ୍ର ବେହେରା, ଛତ୍ରପୁର ଏସ୍ଡିପିଓ ରମେଶ ଚନ୍ଦ୍ର ସେଠୀଙ୍କ ସମେତ ପୋଲିସ ଅଧିକାରୀ ଓ ଥାନା ଆଇଆଇସି ଯୋଗଦେଇଥିଲେ। ପରେ ମାଜିଷ୍ଟ୍ରେଟ ତଥା ତହସିଲଦାରମାନଙ୍କୁ ମଧ୍ୟ ନିର୍ବାଚନ ଆଚରଣବିଧି ଓ ମନିଟରିଂ ଉପରେ ଅବଗତ କରାଯାଇଥିଲା।