
ନୂଆଦିଲ୍ଲୀ,୨୩-୧: ଅଟୋ ଇନ୍ଧନ ଓ ଏଲ୍ପିଜି ବ୍ୟବହାର ବୃଦ୍ଧି କାରଣରୁ ଭାରତ ୨୦୧୯ରେ ଅଶୋଧିତ ତୈଳ ଚାହିଦାରେ ଚାଇନାକୁ ପଛରେ ପକାଇ ଆମେରିକା ପରେ ବିଶ୍ୱର ବିଶ୍ୱର ଦ୍ୱିତୀୟ ଦେଶ ହେବାକୁ ଯାଉଛି। ଏ ସମ୍ପର୍କରେ ରିସର୍ଚ୍ଚ ଆଣ୍ଡ୍ କନସଲଟାନ୍ସି ଗ୍ରୁପ୍ ଉଡ଼୍ ମ୍ୟାକେଞ୍ଜି ପକ୍ଷରୁ ମଙ୍ଗଳବାର ଏକ ରିପୋର୍ଟ ପ୍ରକାଶ କରାଯାଇଛି।
ଏଥିରେ କୁହାଯାଇଛି ଯେ, ୨୦୧୮ରେ ବିମୁଦ୍ରୀକରଣ ଓ ଜିଏସ୍ଟି ଲାଗୁ ହେବାର ପ୍ରଭାବରୁ ଭାରତ ବାହାରି ଆସିଥିବା ମନେହେଉଛି। କାରଣ ଗତବର୍ଷରୁ ଭାରତର ତୈଳ ଚାହିଦା ଆଶାତୀତ ଭାବେ ବଢ଼ିଥିବା ଦେଖାଯାଇଛି। ଫଳରେ ଭାରତ ବିଶ୍ୱ ଚାହିଦା ବୃଦ୍ଧିରେ ୧୪% ଯୋଗଦାନ ଦେଇଛି, ଯାହାକି ଦୈନିକ ୨,୪୫,୦୦୦ ବ୍ୟାରେଲ ଥିଲା। ଚଳିତ ବର୍ଷ ମଧ୍ୟ ଗତବର୍ଷ ଭଳି ସମାନ ହାରରେ ଭାରତର ତୈଳ ଚାହିଦା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଫଳରେ ଏହା ତୈଳ ଚାହିଦାରେ ବିଶ୍ୱରେ ଦ୍ୱିତୀୟ ସ୍ଥାନକୁ ଉଠିଆସିବ ଏବଂ ଚାଇନାକୁ ପଛରେ ପକାଇବ। ତେବେ ଆମେରିକା ଶୀର୍ଷ ସ୍ଥାନରେ ରହିବା ସହ ଚାଇନା ତୃତୀୟ ସ୍ଥାନକୁ ଖସି ଆସିବ। ପରିବହନରେ ବ୍ୟବହୃତ ପେଟ୍ରୋଲ ଓ ଡିଜେଲ ଏବଂ ରୋଷେଇ ଇନ୍ଧନ ଏଲ୍ପିଜି ଚାହିଦାର ମୁଖ୍ୟ ବାହକ ହେବ। ଆମେରିକାର ଏନର୍ଜି ଇନଫରମେଶନ ଆଡମିନିଷ୍ଟ୍ରେଶନର ରିପୋର୍ଟ ଅନୁଯାୟୀ ତୈଳ ଆମଦାନୀକାରୀ ଦେଶ ତାଲିକାରେ ବର୍ତ୍ତମାନ ଆମେରିକା ଓ ଚାଇନା ପଛରେ ଭାରତ ରହିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଏହା ୨୦୬.୨ ମିଲିୟନ ଟନ(୪୦ଲକ୍ଷ ବ୍ୟାରେଲ ପ୍ରତିଦିନ) ଅଶୋଧିତ ତୈଳ ଉପଯୋଗ କରିଥିଲା। ଏପ୍ରିଲ-ଡିସେମ୍ବର ମଧ୍ୟରେ ପେଟ୍ରୋଲିୟମ ପଦାର୍ଥର ବ୍ୟବହାର ୧୫୭.୪ ମିଲିୟନ ଟନରେ ପହଞ୍ଚତ୍ଥିଲା, ଯାହାକି ପୂର୍ବ ବର୍ଷ ତୁଳନାରେ ୨.୫% ଅଧିକ। ୨୦୪୦ସୁଦ୍ଧା ଦୈନିକ ୫.୮ ମିଲିୟନ ବ୍ୟାରେଲ ହିସାବରେ ଭାରତର ତୈଳ ଚାହିଦା ବୃଦ୍ଧି ପାଇବ, ଯାହାକି ବିଶ୍ୱର ମୋଟ୍ ଚାହିଦାର ୪୦% ରହିବ ବୋଲି ଗତବର୍ଷ ଅଗଷ୍ଟରେ ଅଶୋଧିତ ତୈଳ ଉତ୍ପାଦନକାରୀ ଦେଶ ସମୂହ ଓପେକ୍ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା। ମ୍ୟାକେଞ୍ଜି ରିପୋର୍ଟ ଅନୁଯାୟୀ ଭାରତରେ ସବୁଠୁ ଅଧିକ ବ୍ୟବହୃତ ହେଉଥିବା ଡିଜେଲର ଚାହିଦା ଚଳିତ ବର୍ଷ ବର୍ଷକୁ ବର୍ଷ ହିସାବରେ ୬.୪% ହିସାବରେ ଦୈନିକ ୧,୧୨,୦୦୦ ବ୍ୟାରେଲକୁ ବୃଦ୍ଧି ପାଇବ। ୨୦୧୮ରେ ଏହା ୯୩,୦୦୦ ବ୍ୟାରେଲ ରହିଥିଲା। ଭିତ୍ତିଭୂମି ନିର୍ମାଣ ସମାନନ୍ତରରେ ବୃଦ୍ଧି ପାଇବା ସହ ବାଣିଜି୍ୟକ ଯାନର ବିକ୍ରି ବୃଦ୍ଧି ଯୋଗୁ ଡିଜେଲ ଚାହିଦା ବୃଦ୍ଧି ପାଇବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହାଛଡ଼ା ଦେଶରେ ଜିଏସ୍ଟି ଲାଗୁ ହେବା ପରେ ପରିବହନ ସେକ୍ଟରରେ ଟିକସ ଆଧାର ବଦଳରେ ଚାହିଦା ଆଧାରରେ ତୈଳ ବ୍ୟବହାର ବଢ଼ିବାକୁ ଯାଉଛି ବୋଲି ଏଥିରେ ଦର୍ଶାଯାଇଛି। ଆର୍ଥିକ ଦକ୍ଷତା ବୃଦ୍ଧି ପାଇବାକୁ ଯାଇ ଭାରି ଓ ମଧ୍ୟମ ଶକ୍ତିସମ୍ପନ୍ନ ଟ୍ରକ୍ ବିକ୍ରି ବୃଦ୍ଧି ପାଇବ ବୋଲି କୁହାଯାଇଛି। ଏହାଛଡ଼ା ଆସନ୍ତା ମେ’ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାରୁ ଗାଡ଼ି ବ୍ୟବହାର ବଢ଼ିବାକୁ ଯାଉଛି। ଏହି କାରଣରୁ ତୈଳ ଚାହିଦା ଦ୍ୱିଗୁଣିତ ହେବାକୁ ଯାଉଛି। ତେବେ ଅଶୋଧିତ ତୈଳ ଦରରେ କ୍ରମାଗତ ଅସ୍ଥିରତା ଲାଗି ରହିବ ବୋଲି ଦର୍ଶାଇ ରିପୋର୍ଟରେ କୁହାଯାଇଛି ଯେ, ଭାରତ ଭଳି ଦେଶରେ ଅର୍ଥନୀତି ଅଭିବୃଦ୍ଧି ସହ ତାଳ ଦେଇ ପେଟ୍ରୋଲିୟମ ପଦାର୍ଥର ଚାହିଦା ବୃଦ୍ଧି ପାଇବାକୁ ଯାଉଛି। ସେହିପରି ଚଳିତ ବର୍ଷ ଏଲ୍ପିଜି ଚାହିଦା ମଧ୍ୟ ଢ଼େର ବଢ଼ିବ ବୋଲି କୁହାଯାଇଛି। କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନା ଯୋଗୁ ଏଲ୍ପିଜି ଗ୍ରାହକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବ।