
ନୂଆଦିଲ୍ଲୀ, ୨୨ା୧ (ପି.ଟି.)-ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପରେ କ୍ରିକେଟର କେ.ଏଲ୍. ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଅଡୁଆରେ ପଡ଼ିଛନ୍ତି। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ଘଟେ ସେଥିଲାଗି ପ୍ରଶାସକ କମିଟି (ସିଓଏ) ଭାରତୀୟ ଟିମ୍ ପାଇଁ ବ୍ୟବହାରିକ ପରାମର୍ଶ କାର୍ଯ୍ୟକ୍ରମ ପ୍ରଚଳନ ଲାଗି ବିଚାର କରୁଛି। ରାହୁଲ ଓ ପାଣ୍ଡ୍ୟା ଇତିମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦ୍ୱାରା ସସ୍ପେଣ୍ଡ ହୋଇସାରିଛନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଣେ ଅମ୍ବୁଡ୍ସମ୍ୟାନ ଏହି କ୍ରିକେଟରଦ୍ୱୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ପ୍ରସ୍ତାବିତ କାର୍ଯ୍ୟକ୍ରମରେ ସମସ୍ତ ବୟସ ବର୍ଗର ଜାତୀୟ ଦଳ ଏବଂ ଏ’ ଦଳକୁ ସାମିଲ କରାଯିବ। ଭାରତୀୟ ସିନିୟର ଦଳ ସହିତ ଇମର୍ଜିଂ ଏ’ ଦଳ ଏବଂ ୧୯ ବର୍ଷରୁ କମ୍ ଦଳର ଖେଳାଳିମାନଙ୍କୁ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନସିଏ)ଠାରେ ବ୍ୟବହାରିକ ପରାମର୍ଶ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପଡ଼ିବ। ଏଥିରେ ଜଣେ ପ୍ରଫେସନାଲ ଖେଳାଳିଙ୍କ ବ୍ୟବହାର ଆଚରଣ କିଭଳି ହେବା ଉଚିତ ବିଭିନ୍ନ ଦିଗରୁ ସେମାନଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯିବ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ୂ