
ମେକ୍ଅପ୍ ହେବା ସବୁ ଝିଅଙ୍କୁ ଭଲ ଲାଗେ। ଧୀରେ ଧୀରେ ଏହି ମେକ୍ଅପ୍ ଆର୍ଟର ରୂପ ନେଇଗଲାଣି। ଠିକ୍ ଯେମିତି ନେଲ୍ ଆର୍ଟ, ହେୟାର ଷ୍ଟାଇଲ୍ ଆର୍ଟ, ଲିପ୍ ଆର୍ଟ ଆଦି। ଅଷ୍ଟ୍ରେଲିଆର ଜଣେ ଆର୍ଟିଷ୍ଟ ତ ଏହାକୁ ନେଇ ଓ୍ବାର୍ଲଡ୍ ରେକର୍ଡ ବି କରିଛନ୍ତି। ରଜେଡ୍ରାଫ୍ ଡାଇମଣ୍ଡ ଜୁଏଲର୍ସ ଜଣେ ମଡେଲଙ୍କ ଓଠରେ ୩.୭୮ କୋଟିର ହୀରା ଲଗାଇ ସୁନ୍ଦର ଲିପ୍ ଆର୍ଟ କରିଥିଲେ। ଆଉ ତାହା ପୃଥିବୀର ସବୁଠୁ ଦାମୀ ଲିପ୍ଆର୍ଟ ଭାବେ ରେକର୍ଡ କଲା। ଉକ୍ତ ଲିପ୍ ଆର୍ଟରେ ୧୨୬ଟି ହୀରା ଲାଗିଥିଲା। ଆଉ ଓଠ ହୀରାର ଚମକ୍ରେ ଝଲସିଯାଉଥିଲା। ରଜେଡ୍ରାଫ ଜଣେ ଭଲ ହୀରା ବ୍ୟବସାୟୀ ଭାବେ ପରିଚିତ। ତାଙ୍କର ୫୦ ତମ ଜନ୍ମ ଦିବସକୁ ଖାସ୍ କରିବା ପାଇଁ ଏହି ପ୍ରୟାସ୍ କରାଯାଇଥିଲା। ଆଉ ଏହାକୁ ବାସ୍ତବ ରୂପ ଦେଇଥିଲେ ମେକ୍ଅପ୍ ଆର୍ଟିଷ୍ଟ ଚାର୍ଲେ ମ୍ୟାକ୍। ଏଥିପାଇଁ ତାଙ୍କୁ ଲାଗିଥିଲା ପ୍ରାୟ ଅଢେଇ ଘଣ୍ଟା ସମୟ। ସେ ପ୍ରଥମେ ମଡେଲଙ୍କ ଓଠରେ କଳା ଲିପ୍ଷ୍ଟିକ୍ ଲଗାଇଥିଲେ। ଆଉ ତା’ ଉପରେ ୨୨.୯୨ କ୍ୟାରେଟ୍ର ୧୨୬ଟି ହୀରା ଲଗାଇ ସଜାଇଥିଲେ। ଏହି ହୀରା ସବୁକୁ ରଜେଡ୍ରାଫ୍ ନିଜେ ଡିଜାଇନ୍ କରିଥିଲେ। ହୀରା ଖଚ୍ଚିତ ଓଠକୁ ଜଗିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।