
ଭୁବନେଶ୍ୱର,୨୦-୧(ବ୍ୟୁରୋ):ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣ ସଗରିଆଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଏନେଇ ଶନିବାର ବିଳମ୍ବିତ ରାତିରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଦଳ ବିରୋଧରେ ବାରମ୍ବାର ମନ୍ତବ୍ୟ ଦେବା ଏବଂ ଦଳୀୟ ପଦାଧିକାରୀଙ୍କୁ ନୂ୍ୟନ କରି କହିବା ଯୋଗୁ ସେମାନଙ୍କୁ ବିଦା କରାଯାଇଥିବା ଉପସଭାପତି ଅନନ୍ତ ସେଠୀ କହିଛନ୍ତି। କିଛିଦିନ ପୂର୍ବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଉକ୍ତ ବୈଠକରେ ଶ୍ରୀକାନ୍ତ ଏବଂ ସଗରିଆଙ୍କୁ ବହିଷ୍କାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପରେ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)କୁ ସୁପାରିସ କରାଯାଇଥିଲା। ଦଳର ଏହି ନିଷ୍ପତ୍ତି ଏବଂ ନିଜର ପରବର୍ତ୍ତୀ ଆଭିମୁଖ୍ୟ ନେଇ ଶ୍ରୀକାନ୍ତ ରବିବାର ଗଣମାଧ୍ୟମକୁ ସୂଚନା ଦେବେ ବୋଲି ଜଣାପଡିଛି।
ଗତବର୍ଷ ଏପ୍ରିଲରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଭାବେ ନିଯୁକ୍ତ ହୋଇଥିଲେ। ଏହି ସମୟରେ ଶ୍ରୀକାନ୍ତଙ୍କୁ ପିସିସି ନିର୍ବାଚନ ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା। ଇସ୍ତାହାର ମୁଖବନ୍ଧ ପ୍ରସ୍ତୁତ କରିବାକୁ ଯାଇ ସେ ୩ଟି ମୌଳିକ ପ୍ରସ୍ତାବ ରଖିଥିଲେ, ଯାହା ନିରଞ୍ଜନଙ୍କ ଏକନାୟକତ୍ୱ ପ୍ରତି ବିପଦ ସୃଷ୍ଟି କରିଥିଲା। ଶ୍ରୀକାନ୍ତ ପ୍ରଥମ ପ୍ରସ୍ତାବରେ ଏସ୍ସି, ଏସ୍ଟି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ ମଧ୍ୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ୨ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଉ ବୋଲି କହିଥିଲେ। ସେହିପରି ଦ୍ୱିତୀୟରେ ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ଶିକ୍ଷା ଓ ନିଯୁକ୍ତିରେ ୨୭% ସଂରକ୍ଷଣ, ଏସ୍ସି ଏବଂ ଏସ୍ଟିଙ୍କୁ ଡାକ୍ତରୀ ଏବଂ ବୈଷୟିକ ଶିକ୍ଷାରେ ସଂରକ୍ଷଣ ବୃଦ୍ଧି ଦାବି କରିଥିଲେ। ତୃତୀୟରେ ଶାହ କମିଶନ ରିପୋର୍ଟ ଆଧାରରେ ରାଜ୍ୟ ଖଣିଜ ସମ୍ପଦ ଲୁଟ୍ କରିଥିବା କମ୍ପାନୀଗୁଡିକ ବିରୋଧରେ ତଦନ୍ତ କରିବା ସହ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହାକୁ ନିରଞ୍ଜନ ହଜମ କରିପାରି ନ ଥିବା ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ଶ୍ରୀକାନ୍ତଙ୍କ ପ୍ରସ୍ତାବକୁ ପିସିସି ପକ୍ଷରୁ ଗ୍ରହଣ କରାଯାଇ ନ ଥିଲା। ଏମିତିକି ଶ୍ରୀକାନ୍ତଙ୍କୁ ରାତାରାତି ଇସ୍ତାହାର କମିଟିରୁ ବାଦ୍ ଦିଆଯାଇଥିଲା। ଏହାପରେ ଶ୍ରୀକାନ୍ତ ଦିଲ୍ଲୀ ଗସ୍ତ କରି ପିସିସିର ବିଭିନ୍ନ ପଦପଦବୀରୁ ଇସ୍ତଫା ଦେଇଥିଲେ।
ସେହିପରି କୁନ୍ଦୁଲି ଗଣବଳାତ୍କାର ଘଟଣାର ପୀଡ଼ିତାଙ୍କୁ ରାଜ୍ୟ ପ୍ରଶାସନ ନ୍ୟାୟ ଦେବାରେ ବିଫଳ ହୋଇଥିବା ଅଭିଯୋଗ କରି କୃଷ୍ଣ ସଗରିଆ ଗତ ନଭେମ୍ବରରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ସେ ଦଳର ସାଧାରଣ ସମ୍ପାଦକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। କୃଷ୍ଣ ମଧ୍ୟ ନିରଞ୍ଜନଙ୍କ ଏକାଧିକ କଥାରେ ସମ୍ମତି ପ୍ରକାଶ କରି ନ ଥିଲେ, ଯାହାର ପ୍ରତିଶୋଧ ନେବା ପାଇଁ କୃଷ୍ଣଙ୍କୁ ଏସ୍ସି ସେଲ୍ ଅଧ୍ୟକ୍ଷ ପଦରୁ ବିଦା କରାଯାଇଥିଲା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏହା ପୂର୍ବରୁ ଶ୍ରୀକାନ୍ତ ଏବଂ କୃଷ୍ଣଙ୍କ ବହିଷ୍କାର, ନବ ଓ ଯୋଗେଶଙ୍କ ଦଳରୁ ଇସ୍ତଫା କଂଗ୍ରେସକୁ ବ୍ୟାକ୍ଫୁଟ୍କୁ ନେଇଥିବା ଆଲୋଚନା ହେଉଛି।