
କୁଆଲାଲମ୍ପୁର, ୧୭।୧(ପି.ଟି.)- ଭାରତୀୟ ଷ୍ଟାର୍ ଶଟ୍ଲର ସାଇନା ନେହ୍ବାଲ ଏଠାରେ ଚାଲିଥିବା ବର୍ଷର ପ୍ରଥମ ସୁପର୍ ୫୦୦ ଟୁର୍ନାମେଣ୍ଟ ମାଲେସିଆ ମାଷ୍ଟର୍ସ ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ୭ମ ସିଡ୍ ସାଇନା ୨୧-୧୪, ୨୧-୧୬ ସିଧାସଳଖ ଗେମ୍ରେ ହଂକଂର ପୁଇ ୟିନ୍ ୟିପ୍ଙ୍କୁ ପରାସ୍ତ କରିଛନ୍ତି। ଅନ୍ତିମ-୮ରେ ସାଇନାଙ୍କ ମୁକାବିଲା ଜାପାନର ନୋଜୋମି ଓକୁହାରାଙ୍କ ସହ ହେବ। ବିଶ୍ୱ ମାନ୍ୟତାର ୯ମ ସ୍ଥାନରେ ରହିଥିବା ସାଇନା ଜାପାନର ଓକୁହାରାଙ୍କ ବିପକ୍ଷରେ ୮-୪ ବିଜୟ-ପରାଜୟ ରେକର୍ଡ ରହିଛି। ଗତବର୍ଷ ସାଇନା ଡେନମାର୍କ ଓ ଫ୍ରେଞ୍ଚ୍ ଓପନ୍ରେ ଲଗାତର ଭାବେ ଓକୁହାରାଙ୍କୁ ହରାଇଥିଲେ। ଗୁରୁବାର ପୁରୁଷ ସିଙ୍ଗଲ୍ସରେ ୭ମ ସିଡ୍ କିଡାମ୍ବୀ ଶ୍ରୀକାନ୍ତଙ୍କ ମୁକାବିଲା ହଂକଂର ଭିନସେଣ୍ଟ ଓ୍ବିଙ୍ଗ୍ କି ଓ୍ବଙ୍ଗ୍ଙ୍କ ସହ ହେବ। ସେହିଭଳି ସାଇନାଙ୍କ ସ୍ବାମୀ ତଥା ପାରୂପଲ୍ଲୀ କାଶ୍ୟପ୍ ଅନ୍ୟ ଏକ ପୁରୁଷ ସିଙ୍ଗଲ୍ସ ମ୍ୟାଚ୍ରେ ଇଣ୍ଡୋନେସିଆର ଆନ୍ଥୋନୀ ସିନିସୁକାଙ୍କୁ ଭେଟିବେ। ମହିଳା ଡବଲ୍ସ ୨ୟ ରାଉଣ୍ଡରେ ଅଶ୍ୱିନି ପୋନାପ୍ପା ଓ ଏନ୍. ସିକ୍କି ରେଡ୍ଡୀ ଯୋଡ଼ି ମଧ୍ୟ ସେମାନଙ୍କ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି।