
ପରଜଙ୍ଗ, ୧୭।୧(ଡି.ଏନ୍.ଏ.) ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି। ଏହାକୁ ନେଇ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବାରେ ଲାଗିଛି। ବିଳମ୍ବିତ ରାତିରେ ହାତୀପଲ ଜନବସତିରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଥିବାବେଳେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ମଙ୍ଗଳବାର ବିଳମ୍ବିତ ରାତିରେ ହାତୀପଲ ଆତଙ୍କ ସୀମା ଟପିଛି। ଜହ୍ନାପଡ଼ା ଗ୍ରାମର ରାଜେନ୍ଦ୍ର ନାୟକ, ମୁଣ୍ଡେଇଲୋର ରାଜକିଶୋର ପରିଡ଼ାଙ୍କ ଘର ଏବଂ ପାଣିଭଣ୍ଡାର ଗ୍ରାମର କଳ୍ପତରୁ ସାହୁଙ୍କ ଘର ପାଚେରି ହାତୀପଲ ଭାଙ୍ଗି ଦେଇଛନ୍ତି। ହାତୀ ଆକ୍ରମଣରେ ନାଉପାଳକାଟେଣୀ ଗ୍ରାମର କାଳିନ୍ଦୀ ବାରିକଙ୍କ ଏକ ଗର୍ଭିଣୀ ଗାଈ ଏବଂ ବଡ଼ ବାଛୁରିର ଜୀବନ ଯାଇଛି। ସେହିପରି ସାଆନ୍ଦା ଗ୍ରାମର ଚାଷୀ ପରମାନନ୍ଦ ପଣ୍ଡାଙ୍କ ଖଳାରେ ପଶି ଅମଳ କରି ରଖାଯାଇଥିବା ୨୦୦ରୁ ଊର୍ଦ୍ଧ୍ୱ ବସ୍ତା ଧାନ ଖାଇବା ସହ କେତେକ ବସ୍ତା ପିଠିରେ ବୋହି ନେଇଛନ୍ତି। ଏଥିସହ ୩ ଏକର ଜମିରେ ହୋଇଥିବା ଆଖୁ ବାଡ଼ ଉଜାଡ଼ି ଦେଇଛନ୍ତି।
ପରଜଙ୍ଗର ବିଭିନ୍ନ ଅଞ୍ଚଳରେ ଶତାଧିକ ହାତୀ ବ୍ୟାପକ ଫସଲ ନଷ୍ଟ କରିଚାଲିଛନ୍ତି। ହାତୀଭୟରେ ସନ୍ଧ୍ୟା ହେଲେ ତାଟିକବାଟ ପଡ଼ିଯାଉଛି। ଲୋକେ ପଦାକୁ ବାହାରିବାକୁ ଭୟ କରୁଛନ୍ତି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଏ ନେଇ ରେଞ୍ଜର ହରମୋହନ ନାୟକ କୁହନ୍ତି, ବନ ବିଭାଗର ସମସ୍ତ ଉଦ୍ୟମ ସତ୍ତ୍ୱେ ହାତୀପଲ ଅଞ୍ଚଳଛାଡ଼ି ଯାଉନାହାନ୍ତି। କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।