
ଭଦ୍ରକ ଅଫିସ, ୧୬।୧ - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଯଶିପୁର ଓ ନୂଆଗଁା ପଞ୍ଚାୟତର ଗରିବ ଚାଷୀମାନେ ବୁଧବାର ସମବାୟ ସମିତି ସହନିବନ୍ଧକ (ଏଆର୍ସିଏସ୍)ଙ୍କୁ ଭେଟି ଯଶିପୁର ସେବା ସମବାୟ ସମିତିରେ ଧାନକିଣାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି। ସରକାରଙ୍କ ନିର୍ଦ୍ଧାରିତ ଦରରେ ସମବାୟ ସମିତି ମାଧ୍ୟମରେ ଧାନ କ୍ରୟ କରିବାକୁ ନିୟମ ରହିଥିବା ବେଳେ ଉକ୍ତ ସମିତିରେ ବ୍ୟତିକ୍ରମ ଦେଖାଦେଇଛି। ସମବାୟ ସମିତିକୁ ରାସ୍ତା ନ ଥିବା ଓ ବିଭିନ୍ନ ଆଳ ଦେଖାଇ ନିର୍ଦ୍ଦିଷ୍ଟ ମନଇଚ୍ଛା ଏକ ଦଳର ଜଣେ ରାଜନେତାଙ୍କ ଘରେ ଧାନକ୍ରୟ କରାଯାଉଛି। ସମବାୟ ସମିତି ନିକଟକୁ ନୂତନ ରାସ୍ତା ତିଆରି ସରିଥିବା ବେଳେ କେଉଁ ସ୍ବାର୍ଥରେ ଜଣେ ଦଳୀୟ ବ୍ୟକ୍ତିଙ୍କ ଘରେ ଧାନକ୍ରୟ କରାଯାଉଛି ବୋଲି ଚାଷୀମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଏଆର୍ସିଏସ୍ ସ୍ବାତୀବାଳା ମହାପାତ୍ର ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି। ସମସ୍ୟାର ସମାଧାନ କରା ନ ଗଲେ ଆସନ୍ତା ୨୦ରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବା ସହ ସମିତି କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି ଚାଷୀ ବୈଲୋଚନ ପଣ୍ଡା, ଅମୂଲ୍ୟ କୁମାର ବଳ, ରାକେଶ କୁମାର ମହାନ୍ତି, ବସନ୍ତ ନାୟକ, ଚିନ୍ତାମଣି ନାୟକ ଓ ସନ୍ତୋଷ ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି।