
ଅନୁଗୋଳ ଅଫିସ, ୧୬।୧-ଅନୁଗୋଳ ଜିଲା ମହୋତ୍ସବ ପ୍ରଶଂସନୀୟ। ଜୀବନରେ ବହୁ ମଞ୍ଚରେ ଅତିଥି ଭାବେ ଯୋଗ ଦେଇଛି। କିନ୍ତୁ ଏଭଳି ମଞ୍ଚ ପ୍ରଥମ ଥର ପାଇଁ ଦେଖୁଥିବାରୁ ଖୁସି ଅନୁଭବ ହେଉଛି। ଏହି ମଞ୍ଚରେ ଲୁପ୍ତ ହେବାକୁ ବସିଥିବା କଳାକୁ ଦେଖି ବେଶ୍ ଆନନ୍ଦ ଲାଭ କରୁଛି। ବିଶେଷକରି କଟକ ଜିଲା ମାହାଙ୍ଗା ଅଞ୍ଚଳର ବୈଷ୍ଣବ ପାଣି ଗୀତିନାଟ୍ୟ ଦଳ ଦ୍ୱାରା ପରିବେଷିତ ‘କର୍ଣ୍ଣ ବଧ’ ବେଶ୍ ପ୍ରଭାବିତ କରିଛି। ଅନୁଗୋଳ ଷ୍ଟାଡିୟମ ଠାରେ ଚାଲିଥିବା ସପ୍ତମ ଜିଲା ମହୋତ୍ସବର ମଙ୍ଗଳବାର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଥିବା ତଥା ଅନୁଗୋଳ ଗୌରବ ସମ୍ମାନରେ ସମ୍ମାନିତ ହୋଇଥିବା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ନ୍ୟାୟାଧୀଶ ବୀରକିଶୋର ମିଶ୍ର ଏହି ମତବ୍ୟକ୍ତ କରିଛନ୍ତି। ସେ କହିଥିଲେ ଯେ, ଏହି ମାଟିରେ ସମ୍ମାନିତ ହୋଇଥିବାରୁ ଉକ୍ତ ସମ୍ମାନ ଏହି ମାଟିର। ମୋର କର୍ମଭୂମି କଟକ ହେଲେ ବି ଜନ୍ମଭୂମି ଅନୁଗୋଳ ହୋଇଥିବାରୁ ଗର୍ବିତ ମନେକରୁଛି। ଏହି ଅବସରରେ ସେ ନିଜ ହାଇସ୍କୁଲ ସମୟର ସ୍ମୃତିକୁ ମନେ ପକାଇଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ କହିଥିଲେ, ଯାହାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଯେତେ ସଦୃଢ଼, ସେହି ଜିଲା ବା ରାଜ୍ୟ ସେତିକି ସମୃଦ୍ଧ। କିନ୍ତୁ ଏବେ ଆଧୁନିକ ସଂସ୍କୃତି ଦ୍ୱାରା ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି। ଏହା ଆଦୌ ଶୁଭ ସଙ୍କେତ ନୁହେଁ। ତେଣୁ ନିଜ ପୂର୍ବଜ ତଥା ପୂର୍ବ ସଂସ୍କୃତିକୁ ବଞ୍ଚାଇ ରଖିବା ନିହାତି ଆବଶ୍ୟକ ବୋଲି ସେ କହିଥିଲେ। ସମ୍ମାନିତ ଅତିଥିଭାବେ ଉପସ୍ଥିତ ଏସ୍ପି ମିତ୍ରଭାନୁ ମହାପାତ୍ର କହିଥିଲେ, ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଣିଷକୁ ମେଶିନ୍ କରିଦେଉଛି। ସେଥିପାଇଁ ନିଜ ଭାଷା, କଳା, ସଂସ୍କୃତି ଓ ଇତିହାସକୁ ମଣିଷ ପାଶୋରି ଯାଉଛି। ତେଣୁ ନିଜ ସଂସ୍କୃତିକୁ ଉଜ୍ଜୀବିତ ରଖିବାକୁ ଏସ୍ପି ଯୁବପିଢ଼ିଙ୍କୁ ଅନୁରୋଧ କରିଥିଲେ। ନାଲ୍କୋ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜକିଶୋର ମିଶ୍ର କହିଥିଲେ, ୧୭ ହଜାର କୋଟି ଟଙ୍କାରେ ନାଲ୍କୋର ସ୍ମେଲଟର, ପାୱାରପ୍ଲାଣ୍ଟ ଓ ଆଲୁମିନିୟମ ପାର୍କ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ଜିଲାବାସୀ ଉପକୃତ ହେବେ। ସେହିପରି ତାଳଚେର ଗ୍ରୁପ୍ର ସୁପର ଥର୍ମାଲ ପାୱାର ଷ୍ଟେଶନ ମୁଖ୍ୟ ମହାପ୍ରବନ୍ଧକ ସନ୍ତୋଷ ଜେମ୍ସ ଯୋଗଦେଇ କଳା ସଂସ୍କୃତିକୁ ପ୍ରଶଂସା କରିଥିବା ବେଳେ ଜେଏସ୍ପିଏଲ ମୁଖ୍ୟ ପରିଚଳନା ଅଧିକାରୀ ପଙ୍କଜ ଗୌତମ ଜିଲାବାସୀ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ଧନ୍ୟବାଦ ଜଣାଇଥିଲେ। ଜିଲାପାଳ ଅନିଲ କୁମାର ସାମଲ ସଭାପତିତ୍ୱ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିବାବେଳେ ଉପଜିଲାପାଳ ବାସୁଦେବ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରତ୍ୟୁଷରେ ମହୋତ୍ସବ ପଡ଼ିଆରେ ଯୋଗ ପ୍ରାଣାୟମ ଶିବିର ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ଏହାକୁ ଉଦ୍ଘାଟନ କରିଥିଲେ। ପତଞ୍ଜଳି ଯୋଗ ସମିତି ଜିଲା ପ୍ରଭାରୀ ଯୋଗାଚାର୍ଯ୍ୟ ଅଭୟ ରାୟ ସମସ୍ତଙ୍କୁ ଯୋଗ ଓ ପ୍ରାଣାୟମ ଅଭ୍ୟାସ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀ, ବିଜୟ କୁମାର ମୋଦି ଓ ବୈଦ୍ୟନାଥ ସାମଲ, ନାରାୟଣ ଚନ୍ଦ୍ର ପଣ୍ଡା, ସୁବୋଧ କୁମାର ମିଶ୍ର, ଅମୀୟ କର ପ୍ରମୁଖ ଉପସ୍ଥିତ ଥିଲେ।