ଅନଗୁଳ-ଢେଙ୍କାନାଳ

ଜାତୀୟ ଟ୍ରେଡ୍‌ ୟୁନିୟନଙ୍କ ମିଳିତ ଧର୍ମଘଟ: ଦ୍ୱିତୀୟ ଦିନରେ ବି ଜୋର୍‌ଦାର ପ୍ରଭାବ

ଜାତୀୟ ଟ୍ରେଡ୍‌ ୟୁନିୟନଙ୍କ ମିଳିତ ଧର୍ମଘଟ: ଦ୍ୱିତୀୟ ଦିନରେ ବି ଜୋର୍‌ଦାର ପ୍ରଭାବ

ଅନୁଗୋଳ ଅଫିସ, ୧୦।୧: କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ଦ୍ୱିତୀୟ ଦିନ ବୁଧବାର ମଧ୍ୟ ଅନୁଗୋଳରେ ଦେଖିବାକୁ ମିଳିଛି। ଏହି ଧର୍ମଘଟ କାରଣରୁ ସହରରେ ଥିବା ବିଭିନ୍ନ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଡାକଘର ଆଦି ବନ୍ଦ ରହିଥିଲା। ଶ୍ରମିକ ସଙ୍ଗଠନ ଗୁଡ଼ିକର କର୍ମକର୍ତ୍ତାମାନେ ଶୋଭାଯାତ୍ରା କରି ବିଭିନ୍ନ କାର୍ଯ୍ୟାଳୟ ବନ୍ଦ କରାଉଥିବା ପରିଲକ୍ଷିତ ହୋଇଥିଲା। ଏପରି କି ସହରରେ ପୂର୍ବାହ୍ନରେ ଗାଡ଼ି ଚଳାଚଳ ଏକ ରକମ ବନ୍ଦ ହୋଇଯାଇଥିବା ଦେଖାଯାଇଥିଲା।

୧୨ ଦଫା ଦାବିରେ କରାଯାଇଥିବା ଏହି ଧର୍ମଘଟର ଦ୍ୱିତୀୟ ଦିନରେ ଆନ୍ଦୋଳନକାରୀମାନେ ଅନୁଗୋଳ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ଏଆଇୟୁଟିୟୁସି ଜିଲା ସମ୍ପାଦକ ବ୍ରଜବନ୍ଧୁ ସାହୁ, ସିଆଇଟିୟୁ ନେତା ଉପେନ୍ଦ୍ର ଶର୍ମା, ଏଚ୍‌ଏମ୍‌ଏସ୍‌ର ପବିତ୍ର କୁମାର ବିଶ୍ୱାଳ, ତ୍ରିଲୋଚନ ପ୍ରଧାନ, ଏସ୍‌ୟୁସିଆଇ (କମ୍ୟୁନିଷ୍ଟ)ର ସୁବାସ ପ୍ରଧାନ, ମାନସ ପାଳ, ଏଆଇସିସିଟିୟୁର ଜିଲା ସଙ୍ଗଠକ ତପନ କୁମାର ମହାନ୍ତି, ବସନ୍ତ କୁମାର ପଟ୍ଟନାୟକ, ଯୁବ ସଙ୍ଗଠକ ବିଷ୍ଣୁ ସାହୁ, ନିରଞ୍ଜନ ନାୟକ, ପ୍ରଭାସୀ ସ୍ବାଇଁ, ନାରାୟଣ ନାୟକ, ନିରୂପମା ନାୟକଙ୍କ ସମେତ ବହୁ କର୍ମୀ ଏଥିରେ ସାମିଲ ହୋଇଥିଲେ। ସେହିପରି ଅନୁଗୋଳ ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟରତ ବାବା ଚମ୍ପେଶ୍ୱର ବିଦ୍ୟୁତ୍‌ କର୍ମଚାରୀ ସଂଘ ସଭ୍ୟମାନେ ଧର୍ମଘଟକୁ ସମର୍ଥନ କରି ସ୍ଥାନୀୟ ଡିଭିଜିନାଲ ଅଫିସ ସମ୍ମୁଖ ଧାରଣାସ୍ଥଳକୁ ବାଇକ୍‌ ଶୋଭାଯାତ୍ରାରେ ଆସିଥିଲେ। ସଂଘ ସଭାପତି ସୁକାନ୍ତ ସାହୁ, ସମ୍ପାଦକ ଦୀପକ କୁମାର ସିଂ, ପ୍ରତାପ ସାହୁ, ଦିଲୀପ ବିଶ୍ୱାଳ, ରଜତ ମହାନ୍ତି, ବାଉରିବନ୍ଧୁ ବେହେରା, ପ୍ରସନ୍ନ ସେନାପତି ଓ ସରୋଜ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଅଖିଳ ଭାରତ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘର ସୂର୍ଯ୍ୟକାନ୍ତ ସାହୁ, ପୋଷ୍ଟମ୍ୟାନ ଓ ଏମ୍‌ଟିଏସ୍‌ ସମ୍ପାଦକ ପ୍ରଭାସ ଚନ୍ଦ୍ର ସାହୁ, ବରିଷ୍ଠ ତୃତୀୟ ଶ୍ରେଣୀ କାର୍ଯ୍ୟକର୍ତ୍ତା ଆଦିତ୍ୟ ପ୍ରସାଦ ପଣ୍ଡା, ଉପେନ୍ଦ୍ର ସାହୁ, ଗ୍ରାମୀଣ ଡାକ ସେବକ ସଂଘ କର୍ମକର୍ତ୍ତା ସନ୍ତୋଷ ପ୍ରଧାନ, ଅମୀୟ ସାହୁ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏଥିରେ ଜିଲାର ସମସ୍ତ ଡାକ କର୍ମଚାରୀ ଓ ଗ୍ରାମୀଣ ଡାକ ସେବକ ସାମିଲ ହୋଇଥିଲେ। ସମଗ୍ର ଜିଲାରେ ଡାକ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏହି ଧର୍ମଘଟ ଓ ବନ୍ଦ ପାଳନ ଯୋଗୁ ଅନୁଗୋଳ ବସ୍‌ଷ୍ଟାଣ୍ଡ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇପଡ଼ିଥିଲା। କୌଣସି ଗୋଟିଏ ଗାଡ଼ି ନ ଥିବାରୁ ସେଠାରେ କ୍ରିକେଟ ଖେଳ ଚାଲିଥିବା ଦେଖିବାକୁ ମିଳିଥିଲା।

ଅପରପକ୍ଷରେ ଧର୍ମଘଟକୁ ଅନୁଗୋଳ ଜିଲାବାସୀ ସମସ୍ତ ଦିଗରୁ ସଫଳ କରିଥିବାରୁ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନର ଜିଲାସ୍ତରୀୟ କର୍ମକର୍ତ୍ତାମାନେ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଦାବି ପୂରଣ ପର୍ଯ୍ୟନ୍ତ ମିଳିତ ଆନ୍ଦୋଳନକୁ ମଜଭୁତ କରିବାକୁ ଆଇଏନ୍‌ଟିୟୁସି ସହବନ୍ଧିତ ନାଲ୍‌କୋ ଶ୍ରମିକ କଂଗ୍ରେସ ସମ୍ପାଦକ ପରେଶ ଜେନା, ସହ ସମ୍ପାଦକ ବିଭୂତି ଭୂଷଣ ଶତପଥୀ, ଏନ୍‌ଇଇଏସ୍‌ର ସମ୍ପାଦକ ନିର୍ମଳ ସାମଲ, ଏଚ୍‌ଏମ୍‌ଏସ୍‌ର ତ୍ରିଲୋଚନ ପ୍ରଧାନ, ପବିତ୍ର କୁମାର ବିଶ୍ୱାଳ, ମାଙ୍ଗିଲାଲ ସାମଲ, ସିଆଇଟିୟୁ ଜିଲା ସଭାପତି ନାରାୟଣ ସେଠୀ, ସମ୍ପାଦକ ଉପେନ୍ଦ୍ର ଶର୍ମା, ଏଆଇଟିୟୁସିର ଚତୁର୍ଭୂଜ ଦାସ, ଏଆଇୟୁଟିୟୁସି ଜିଲା ସଭାପତି ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ସମ୍ପାଦକ ବ୍ରଜବନ୍ଧୁ ସାହୁ, ଏଆଇସିସିଟିୟୁର ଜିଲା ସଙ୍ଗଠକ ତପନ କୁମାର ମହାନ୍ତି, ବସନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଆହ୍ବାନ ଦେଇନ୍ତି।