
ଭଟ୍ଲି,୪।୧(ଡି.ଏନ୍.ଏ.): ବରଗଡ଼ ଜିଲା ଭଟ୍ଲି ବ୍ଲକ ନିକଟସ୍ଥ ଗୋପାଳପୁର ବ୍ଲକ ନିକଟରେ ଶୁକ୍ରବାର ବରଗଡ଼-ଆମ୍ବାଭୋନା ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି। ମୂଳବାର ଓ ତେଜାଗୋଲା ଗ୍ରାମପଞ୍ଚାୟତର ଶତାଧିକ ଚାଷୀ ସକାଳ ପ୍ରାୟ ୮ଟାରୁ ଏହି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏନେଇ ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାୟଶୋଭା ୩୩/୧୧ କେଭି ଗ୍ରୀଡ଼ ଶୀଘ୍ର କାର୍ଯ୍ୟକ୍ଷମ କରିବା ଦାବିରେ ଏହି ରାସ୍ତା ଅବରୋଧ କରାଯାଇ ଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନାନୁଯାୟୀ, ଉଭୟ ପଞ୍ଚାୟତର ୨୦୦୦ରୁ ଅଧିକ ଗଭୀର ନଳକୂପ ଖନନ କରାଯାଇଛି। ଯାହାକି ଉକ୍ତ ଗ୍ରୀଡ଼ ଉପରେ ନିର୍ଭର କରେ। ତେବେ ଭଟ୍ଲି ଅଞ୍ଚଳ ଅଣଜଳସେଚିତ ହୋଇଥିବା ବେଳେ ଅଞ୍ଚଳର ଚାଷୀ ଚାଷକାର୍ଯ୍ୟ ପାଇଁ ବିଦ୍ୟୁତ ଉପରେ ନିର୍ଭର କରି ଚଳନ୍ତି। ଏହି ଗ୍ରୀଡ଼ ଚାଲୁ ହେଉ ନ ଥିବା ଯୋଗୁ ଚାଷୀମାନଙ୍କର ବ୍ୟାପକ କ୍ଷତି ହେଉଛି। ଏନେଇ ପୂର୍ବରୁ ଚାଷୀମାନେ ବରଗଡ଼ ଜିଲାପାଳ, ଭଟ୍ଲି ତହସିଲଦାର, ବିଦ୍ୟୁତ୍ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୁଖଙ୍କୁ ଲିଖିତ ଭାବେ ଜଣାଇଥିଲେ।