
ନୂଆଗାଁ,୩୦ା୧୨ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡା ପଞ୍ଚାୟତର ବିଭିନ୍ନ ସମସ୍ୟା ସମାଧାନ ପାଇଁ ପଞ୍ଚାୟତବାସୀ ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କୁ ଗୁହାରି କରିଆସୁଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ପରେ ସେମାନେ ବିଡିଓଙ୍କୁ ଭେଟି ଦାବିପତ୍ର ଦେବା ସହ ତୁରନ୍ତ ସମାଧାନ ନ ହେଲେ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରିବା ନିଷ୍ପତ୍ତି ବିଷୟରେ ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ ଶନିବାର ଜାକେଡା ପଞ୍ଚାୟତ କାର୍ଯ୍ୟାଳୟରେ ଜିଲାପାଳଙ୍କ ମହାସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ଡ. ଏନ୍. ଥିରୁମାଲା ନାୟକଙ୍କ ସମେତ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷୀ ସାହୁ, ଜିଲା ଓ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ। ଜାକେଡା ସରପଞ୍ଚ ତ୍ରିଲୋଚନ ସାହୁ ସମସ୍ୟା ବିଷୟରେ ଜଣାଇବା ପରେ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ଡାକି ସମାଧାନର ବାଟ ବାହାର କରିଥିଲେ। ପଞ୍ଚାୟତର ମୁଖ୍ୟ ସମସ୍ୟା ହେଉଛି ରାସ୍ତା। ୨୪ ଗ୍ରାମ ମଧ୍ୟରୁ ୨୦ଟିକୁ ସବୁଦିନିଆ ରାସ୍ତା ନାହିଁ। ବର୍ତ୍ତମାନ ଏତେଗୁଡିଏ କରିବା ସମ୍ଭବ ନୁହେଁ, କିଛି ରାସ୍ତା ଏମ୍ଜିଏନ୍ଆର୍ଇଜିଏସ୍ ମାଧ୍ୟମରେ କରାଇବା ପାଇଁ ଜିଲାପାଳ କହିଥିଲେ। ଶିକ୍ଷା ସମସ୍ୟା ବିଷୟରେ ଶୁଣି ଜିଲାପାଳ କ୍ଷୁବ୍ଧ ହେବା ସହ ଶିବିରରେ ବ୍ଲକ ଶିକ୍ଷାଧିକାରୀଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସ୍କୁଲ ଗୃହ ନିର୍ମାଣ ପାଇଁ ଆସିଥିବା ଟଙ୍କାକୁ ଜଣେ ଶିକ୍ଷକ ହଡ଼ପ କରିଥିବା ନେଇ ସରପଞ୍ଚ ଅଭିଯୋଗ କରିଥିଲେ। ଏହାର ତଦନ୍ତ ସହ ଶିକ୍ଷା ବିଭାଗର ଅଧିକାରୀମାନଙ୍କ ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲା ଶିକ୍ଷାଧିକାରୀ ଡ. ଅଭୟ କୁମାର ମଲ୍ଲିକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ଓ ପାନୀୟଜଳ ବିଷୟରେ ଅଭିଯୋଗ ପରେ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଉଥିଲେ ମଧ୍ୟ ତାହା କରାଯାଉ ନାହିଁ। ଏହାକୁ ନେଇ ଜିଲାପାଳ ବିଡିଓଙ୍କ ସମେତ ଅନ୍ୟମାନଙ୍କ ଉପରେ କ୍ଷୁବ୍ଧ ହେବା ସହ ୮ଦିନ ମଧ୍ୟରେ କାର୍ଯ୍ୟ କରିବା ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବଲୋଚନ ପାଣିଗ୍ରାହୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆବାସ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କ ନାମ ତାଲିକା ପଞ୍ଚାୟତ କାନ୍ଥରେ ଲେଖାଯାଇ ନ ଥିବାରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମଚରଣ ବିଶ୍ୱାଳଙ୍କ ଉପରେ ଜିଲାପାଳ ବର୍ଷିଥିଲେ। ଗୁମୀ ପଞ୍ଚାୟତର ଶାରୀରିକ ଅକ୍ଷମ ସୁରେଶ ଚନ୍ଦ୍ର ସାହୁ ୨୦୧୨ ମସିହାରୁ ଭତ୍ତା ପାଇଁ ଆବେଦନ କରିଆସୁଥିଲେ ସୁଦ୍ଧା ସୁଫଳ ପାଇନାହାନ୍ତି। ଦୁଇଦିନ ମଧ୍ୟରେ ତାଙ୍କୁ ଭତ୍ତା ଦେବା ବ୍ୟବସ୍ଥା କରିବାକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ସ୍ବାଇଁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉଦ୍ୟାନ ବିଭାଗ ଲୋକଙ୍କୁ ଏମ୍ଜିଏନ୍ଆର୍ଇଜିଏସ୍ରେ କାଜୁ ଗଛ ଲଗାଇବା ପାଇଁ କହି ଟଙ୍କା ଦେଉ ନ ଥିବା ଅଭିଯୋଗ ହୋଇଥିଲା। ଏ ବିଷୟରେ ସନ୍ତୋଷଜନକ ଉତ୍ତର ନ ପାଇ ଜିଲାପାଳ କ୍ଷୁବ୍ଧ ହୋଇଥିଲେ। ପ୍ରତି ଜନଶୁଣାଣିରେ ଚାଷୀମାନେ ଏପରି ଅଭିଯୋଗ କରୁଥିବା ନେଇ ଜିଲାପାଳ ଉଦ୍ୟାନ ବିଭାଗ ଜିଲା ଡେପୁଟି ଡାଇରେକ୍ଟର ଡ. ଭାଗୀରଥି ପ୍ରଧାନଙ୍କୁ ବର୍ଷିଥିଲେ। ସହଯୋଗ ଭିତ୍ତିରେ ସମସ୍ତ ସମସ୍ୟା ସମାଧାନ କରିବା ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ।