
ନୟାଗଡ଼ ଅଫିସ,୨୯ା୧୨- ପ୍ରତି ପଞ୍ଚାୟତରେ ଥିବା ଜନସେବା କେନ୍ଦ୍ର (କମନ ସର୍ଭିସିଂ ସେଣ୍ଟର)ରେ ମିଳିବ ସାନିଟାରି ନାପକିନ୍ ପ୍ୟାଡ଼। ମହିଳାମାନେ ଦୋକାନକୁ ଯାଇ ପ୍ୟାଡ଼ ମାଗିବା ବେଳେ ସଙ୍କୋଚ ବୋଧ କରୁଥିବାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି। ଫଳରେ ଜଣେ ମହିଳା ନିସଙ୍କୋଚରେ ଏହି କେନ୍ଦ୍ରରୁ ପ୍ୟାଡ଼ କିଣିପାରିବ। କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନା ପରେ ମହିଳମାନଙ୍କ ସ୍ବଚ୍ଛ ଓ ପରିମଳ ବ୍ୟବସ୍ଥାକୁ ଉନ୍ନତ କରିବା ଲକ୍ଷ୍ୟରେ ଆରମ୍ଭ ହେଉଛି ଉଜ୍ଜ୍ୱଳା ସାନିଟାରି ନାପକିନ୍ ଯୋଜନା। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱରଠାରେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ। ପାଇଲଟ ପ୍ରକଳ୍ପ ଭାବେ ରାଜ୍ୟର ୩୦ ଜିଲାର ୯୩ ବ୍ଲକରେ ୯୩ଟି ଜନସେବା କେନ୍ଦ୍ର ମାଧ୍ୟମରେ ଏହା ଆରମ୍ଭ କରାଯିବ। ଏହି କ୍ରମରେ ନୟାଗଡ଼ ଜିଲାର ୩ ବ୍ଲକର ୩ କେନ୍ଦ୍ରରେ ସାନିଟାରି ନାପକିନ୍ ଉପତ୍ାଦନ କେନ୍ଦ୍ର ଖୋଲାଯିବ। ସେଗୁଡ଼ିକ ହେଲା ନୟାଗଡ଼ ବ୍ଲକ କ୍ରୀଦାଶପୁର ପଞ୍ଚାୟତର ଡିମିରିପାଟଣା ଗ୍ରାମ, ଖଣ୍ଡପଡ଼ା ବ୍ଲକ ବନମାଳୀପୁର ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମ ଓ ରଣପୁର ବ୍ଲକର ନରେନ୍ଦ୍ରପୁର ଗ୍ରାମ। ଶନିବାର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ତୈଳ ବିତରଣ କମ୍ପାନୀର ଜିଲା ନୋଡ଼ାଲ ଅଧିକାରୀ ତୃପ୍ତିରଞ୍ଜନ ସାହୁ। ବିପିସିଏଲ, ଆଇଓସିଏଲ୍, ଏଚପିସିଏଲ ୩ଟି ତୈଳ କମ୍ପାନୀର କର୍ପୋରେଟ ସୋସିଆଲ ରେସପନସିବିଲିଟି (ସିଏସ୍ଆର) ଫଣ୍ଡ ମାଧ୍ୟମରେ ଜିଲାରେ ୩ଟି ଉପତ୍ାଦନକାରୀ କେନ୍ଦ୍ର ଖୋଲାଯାଇଛି। ପ୍ରତି କେନ୍ଦ୍ର ପାଇଁ ୨ ଲକ୍ଷ ୯୪ ହଜାର ଖର୍ଚ୍ଚ ହୋଇଛି। ପ୍ରତିଟି କେନ୍ଦ୍ରରେ ୫ରୁ ୬ଜଣ ତାଲିମପ୍ରାପ୍ତ ମହିଳା ସାନିଟାରି ନାପକିନ୍ ତିଆରି କରିବେ। ଏହା ପରେ ଜିଲାରେ ଥିବା ପାଖାପାଖି ୨୦୦ଟି ଜନସେବା କେନ୍ଦ୍ରରେ ଏହି ପ୍ୟାଡ଼ ବିକ୍ରି କରାଯିବ। ୮ଟି ପ୍ୟାଡ଼ ଥିବା ପ୍ୟାକେଟକୁ ୪୨ ଟଙ୍କା ମୂଲ୍ୟରେ ବିକ୍ରି କରାଯିବ। ଏହା ଦ୍ୱାରା ନିଯୁକ୍ତି ପାଇଥିବା ମହିଳାମାନେ ସଶକ୍ତୀକରଣ ହେବା ସହିତ ଅନ୍ୟ ମହିଳାମାନେ ମାସିକ ଋତୁସ୍ରାବ ସମୟରେ ସ୍ବଚ୍ଛ ରହି ବିଭିନ୍ନ ରୋଗବୈରାଗରୁ ମୁକ୍ତି ପାଇବେ। ଉପତ୍ାଦନ କେନ୍ଦ୍ରରେ ପ୍ରତିଦିନ ୧୨୦୦ରୁ ୨୦୦୦ ପ୍ୟାଡ଼ ତିଆରି କରାଯିବ। ଆଗାମୀ ଦିନରେ ପ୍ରତି ପଞ୍ଚାୟତରେ ଉଜ୍ଜ୍ୱଳା ଦିଦିଙ୍କୁ ନିଯୁକ୍ତି ଦିଆଯାଇ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲା ନୋଡାଲ ଅଧିକାରୀ ରାଜେଶ ମହାନ୍ତି, ଜନସେବା କେନ୍ଦ୍ରର ଜିଲା ପରିଚାଳକ ଆଶୁତୋଷ ଶତପଥୀ, ନୟାଗଡ଼ ଏସ୍ଡ଼ିପି ବାସନ୍ତୀ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।