
ବଇଣ୍ଡା, ୨୮।୧୨(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜର ବାଲିଆମ୍ବ, ମାମୁରିଝରଣ, ମଧପୁର, ଅଁଳବେରେଣୀ, କଣ୍ଟେଇକୁଳିଆ, ଇଚ୍ଛାପୁର ଆଦି ଗ୍ରାମରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି। ଖାଦ୍ୟାଭାବରୁ ହାତୀପଲ ଜଙ୍ଗଲରୁ ଗ୍ରାମାଭିମୁଖୀ ହେଉଛନ୍ତି। ପ୍ରତି ସନ୍ଧ୍ୟାରେ ୪ରୁ ୫ ହାତୀ ଗ୍ରାମକୁ ଆସି ବେଙ୍ଗଳା ପାଇଁ ଖଳାରେ ଗଦା ହୋଇଥିବା ଧାନ ଖାଇ ନଷ୍ଟ କରୁଛନ୍ତି। ଏଥିସହ ପନିପରିବା ଚାଷ ପାଦରେ ଦଳି ନଷ୍ଟ କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ନେଇ ବନ ବିଭାଗ କର୍ମଚାରୀଙ୍କୁ ଅବଗତ କରାଇବା ସତ୍ତ୍ୱେ ପଦକ୍ଷେପ ନିଆଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ଗ୍ରାମବାସୀ ରାତି ଉଜାଗର ରହି ବାଣ ଫୁଟାଇ ହାତୀ ଘଉଡାଉଛନ୍ତି। ତୁରନ୍ତ ସମସ୍ତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଯୋଗାଇବା ସହ ହାତୀପଲଙ୍କୁ ଘଉଡାଇବାକୁ ଦାବି ହୋଇଛି। ଏ ସମ୍ପର୍କରେ ହଣ୍ଡପା ରେଞ୍ଜର ଚେତନ୍ୟ ବେହେରା କୁହନ୍ତି, ହାତୀ ଘଉଡାଇବାକୁ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରାଯାଇଛି। ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯାଇ କ୍ଷତିପୂରଣ ଦିଆଯିବ।