
ସାମାଜିକ ଚଳଣି ବିରୋଧରେ କିଛି କାର୍ଯ୍ୟ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାସନ୍ଦ କରାଯାଇଥାଏ। କିନ୍ତୁ ସମୟକ୍ରମେ ଉକ୍ତ ବାସନ୍ଦକୁ କୋହଳ କରାଯିବାର ଦେଖାଯାଏ। ମାତ୍ର ଛତିଶଗଡ଼ର ରାୟପୁର ନିକଟସ୍ଥ ମନିନ୍ଦ୍ରଗଡ଼ରେ ପ୍ରେମ ବିବାହ କରିଥିବା ଜଣେ ଲୋକଙ୍କ ମୃତ୍ୟୁ ପରେ ବି ତାଙ୍କ ଉପରୁ ସାମାଜିକ ବାସନ୍ଦ ଉଠିପାରିଲା ନାହିଁ। ଫଳରେ ମୃତ୍ୟୁର ୭ଦିନ ପରେ ତାଙ୍କ ସ୍ତ୍ରୀ ଘର ପଛପଟେ ଗାତ ଖୋଳି ସ୍ବାମୀଙ୍କୁ ପୋତିଛନ୍ତି। ଘଟଣାଟି ଏପରି, ମନିନ୍ଦ୍ରଗଡ଼ରେ ବାସ କରୁଥିବା ଜଣେ ମହିଳା ୨୫ବର୍ଷ ତଳେ ନିଜ ସ୍ବାମୀ ଓ ପୁଅକୁ ଛାଡ଼ି ଜଣେ ରିକ୍ସାବାଲାଙ୍କୁ ପ୍ରେମ ବିବାହ କରିଥିଲେ। ଫଳରେ ଗ୍ରାମବାସୀ ଉକ୍ତ ମହିଳା ଏବଂ ତାଙ୍କ ପ୍ରେମିକ ଶିବନାଥଙ୍କୁ ସମାଜରୁ ବାସନ୍ଦ କରିଥିଲେ। ଗତ କିଛିଦିନ ହେଲା ଶିବନାଥ ଅସୁସ୍ଥ ଥିଲେ। ସପ୍ତାହେ ତଳେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ କାଳେ ସାମାଜିକ ବାସନ୍ଦ ଉଠିଯିବ ଏବଂ ସ୍ବାମୀଙ୍କ ଶବସଂସ୍କାର କରିବାରେ ଗ୍ରାମବାସୀ ସହଯୋଗ କରିବେ ଏହା ଭାବି ଉକ୍ତ ମହିଳା ପଡ଼ୋଶୀଙ୍କୁ ନିବେଦନ କରିଥିଲେ। ମାତ୍ର ତାଙ୍କ କଥା କେହି ଶୁଣି ନ ଥିଲେ। ଫଳରେ ସେ ବାଧ୍ୟହୋଇ ସ୍ବାମୀଙ୍କ ମରଶରୀର ନିକଟରେ ବସି ରହିଥିଲେ। ୬ଦିନ ପର୍ଯ୍ୟନ୍ତ ମୃତ ଶରୀର ଘର ଭିତରେ ରହିବାରୁ ଏଥିରୁ ଦୁର୍ଗନ୍ଧ ବାହାରିଥିଲା। ପଡ଼ୋଶୀମାନେ ଦୁର୍ଗନ୍ଧ ସମ୍ଭାଳି ନ ପାରି ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ କରାଇଥିଲା। ପୋଲିସ ମୃତଦେହ ହସ୍ତାନ୍ତର କରିବା ପରେ ମହିଳା ଜଣକ ଅନ୍ୟ କିଛି ଉପାୟ ନ ପାଇ ଘର ପଛପଟେ ଶବକୁ ପୋତିଦେଇଛନ୍ତି।