
ପରଜଙ୍ଗ, ୧୯।୧୨(ଡି.ଏନ୍.ଏ.)-ମଧୁବାବୁ ପେନ୍ସନ୍ ଯୋଜନାରେ ଭତ୍ତା ମଞ୍ଜୁର ହୋଇଥିଲା। ଏଥିଲାଗି ମନ ଖୁସିରେ ଘରୁ ବାହାରିଥିଲେ। ଅତିଥିଙ୍କ ହାତରୁ ଭତ୍ତା ଟଙ୍କା ମଧ୍ୟ ଗ୍ରହଣ କରିଥିଲେ। ଖବରଦାତାମାନେ ତାଙ୍କର ଫଟୋ ମଧ୍ୟ ଉଠାଇଥିଲେ। ହେଲେ ଟଙ୍କା ନେଇ ଆଉ ଘରକୁ ଫେରିଲେନି। ସଭାସ୍ଥଳରେ ହିଁ ଉଡ଼ିଗଲା ପ୍ରାଣବାୟୁ। ମୃତକ ହେଲେ ପରଜଙ୍ଗ ବ୍ଲକ ଆମ୍ବପଳାସ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାଧରପୁର ସାହିର ଓ୍ବାର୍ଡମେମ୍ବର ଟିକମ ନାୟକଙ୍କ ସ୍ତ୍ରୀ ନେଙ୍କୁରି। ପଞ୍ଚାୟତ କାର୍ଯ୍ୟାଳୟରେ ବୁଧବାର ଆୟୋଜିତ ‘ପିଠା’ ସଚେତନତା କାର୍ଯ୍ୟକ୍ରମରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଅତିଥିଙ୍କଠାରୁ ଭତ୍ତା ବାବଦ ସହାୟତା ରାଶି ଗ୍ରହଣ କରି ନେଙ୍କୁରି ଚୌକିରେ ବସିବାକୁ ଆସୁଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ। ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ସହାୟତାରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବିଡିଓ ବସନ୍ତ ମଲ୍ଲିକ, ତହସିଲଦାର ଅମ୍ରିତ ସରକାର, ଏବିଡିଓ ଅଶୋକ ମିଶ୍ର, ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା, ସରପଞ୍ଚ ପ୍ରିୟଜିତ୍ ସାମଲ, ସମିତିସଭ୍ୟ ନଗେନ ସାହୁ, ଯୁବ ବିଜେଡି ସଭାପତି ସୁବ୍ରତ ଦାସ ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ଥିଲେ। ପିଡି ଡିଆର୍ଡିଏ ନରୋତ୍ତମ ବେହେରାଙ୍କ ଉପସ୍ଥିତିରେ ମୃତକଙ୍କ ପରିବାରକୁ ରେଡ୍କ୍ରସ୍ ପାଣ୍ଠିରୁ ୨୦ ହଜାର ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ସହାୟତା ଦିଆଯାଇଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ସ୍ତ୍ରୀଙ୍କ ସ୍ବାଭାବିକ ମୃତ୍ୟୁ ହୋଇଥିବା ଟିକମ କହିଛନ୍ତି।