ଫୁରସତ |

କତା କାରିଗରି

କତା କାରିଗରି

ଦିନ ଥିଲା ନଡ଼ିଆକତାକୁ  କେବଳ ଜାଳେଣି ରୂପେ ବ୍ୟବହାର କରାଯାଉଥିଲା। ଏବେ କାରିଗରମାନେ ନଡ଼ିଆକତାରେ ବିଭିନ୍ନ କଳାକୃତିକରି ଜୀବିକା ନିର୍ବାହ କରିପାରୁଛନ୍ତି। ଏହା କେବଳ ଓଡ଼ିଶା ଭିତରେ  ସୀମିତ  ନ ହୋଇ  ପହଞ୍ଚିଛି ସାରା ବିଶ୍ୱରେ...

ମାର୍ଗଶିର ମାସ। ମଧ୍ୟାହ୍ନ ସମୟରେ ଶୀତୁଆ ପାଗରେ ଟାଣଖରା  ଅଳସ ଭାଙ୍ଗୁଥାଏ। ୧୬ ନମ୍ବର ଜାତୀୟ ରାଜପଥର ରାମଶ୍ୱର ଛକଠାରୁ ନୂଆ ଜଗନ୍ନାଥ ସଡ଼କରେ ନିରାକାରପୁର ଦେଇ ଯିବାବେଳେ ରାସ୍ତାର ଦୁଇକଡ଼ରେ ଥିବା ଧାନବିଲରେ କ୍ଷେତ ଅମଳ ପାଇଁ  ନିମଗ୍ନ ଥାନ୍ତି କେତେଜଣ ମହିଳା  ଓ ପୁରୁଷ ଧାନକଟାଳି। ସୁକଳ ଠାରୁ ବାମପଟକୁ ଲମ୍ବିଥିବା  ଅଳଗୁମ୍‌ ଗାଁ ରାସ୍ତାରେ  କିଛି ଦୂର  ଗଲାପରେ ପଡ଼ିଲା ନୂଆ ସୋମେଶ୍ୱରପୁର ଗାଁ। ସାହିରାସ୍ତାର ଘର ସମ୍ମୁଖରେ ଲାଗିଥାଏ ଧାଡ଼ି ଧାଡ଼ି ନଡ଼ିଆ ଓ ଗୁଆଗଛ। ଆଉ କେତେକ ଘର ସମ୍ମୁଖରେ ବନ୍ଧାହୋଇଥାନ୍ତି କିଛି ଗୋରୁ। ପୁଣି ସାହି ରାସ୍ତା ଉପରେ କେହି କେହି ବି ଧାନ ଅମଳ ଉଦ୍ଦେଶ୍ୟରେ ଧାନକଳେଇକୁ ବିଛେଇ ପକାଇଥାନ୍ତି। ଗାଁ ଦୋଳ ମଣ୍ଡପରେ କେତେଜଣ ବୟସ୍କ ବ୍ୟକ୍ତି ତାସଖେଳରେ ମଜ୍ଜିଯାଇଥାନ୍ତି। ସେଠାରେ କିଛି ସମୟ ଅଟକିଯାଇ ପଚାରି ବୁଝିିଥିଲୁ ସାକ୍ଷୀଗୋପାଳ ଯିବାକୁ ରାସ୍ତା। ପରେ ଏକ କେନାଲବନ୍ଧ ରାସ୍ତାରେ ପ୍ରାୟ କିଛି ଦୂର ଯିବା ପରେ ଯାଇ ପହଞ୍ଚି ସାରିଥିଲୁ ବକୁଳବନର ସ୍ମୃତି ପୀଠରେ। ଏହି ପୁଣ୍ୟପୀଠର ଏତିହ୍ୟ, କୀର୍ତ୍ତିରାଜିକୁ ସ୍ମରଣକରି ବାହାରି ପଡ଼ିଥିଲୁ  ମହାପ୍ରଭୁ ସାକ୍ଷୀଗୋପୀନାଥଙ୍କ ଦର୍ଶନ ନିମନ୍ତେ। ଏହାପରେ ଆମ ଅଭିଳାଷିତ ଗାଁ ଅଭିମୁଖେ ଯାଇ  ପହଞ୍ଚି ସାରିଥିଲୁ ନିକଟସ୍ଥ ପଣସପାଟଣା ଗାଁରେ। ସାହି ଭିତରେ ପ୍ରବେଶ ମାତ୍ରେ  ଦୃଷ୍ଟି ଗୋଚର ହୁଏ ନଡ଼ିଆ ଓ ଗୁଆଗଛ ଘେରା ସବୁଜିମାଭରା ପଲ୍ଲୀପ୍ରକୃତିର ନିଆରା ଏକ ରୂପବଣ୍ଣାଳୀ। ଏଠାରେ  ପହଞ୍ଚିଲା ବେଳକୁ ଗାଁର ଲୋକମାନେ ଥିଲେ ଚଳଚଞ୍ଚଳ। ସାହିରେ ପ୍ରଥମେ ଆମେ ଭେଟ ହୋଇଥିଲୁ କତାହସ୍ତଶିଳ୍ପ କାରିଗର ସୌଦାମିନୀ ଦଳାଇଙ୍କୁ। ଏହି କାରିଗରଙ୍କ ଘରେ ଆମର ନଜର ପଡ଼ିଲା କତାରେ ପ୍ରସ୍ତୁତ ହୋଇ ରହିଥିବା  କତାର ବିଭିନ୍ନ କଳାକୃତି।  ଆମେ ଆସିବାର କାରଣ ଜାଣି ସେ ବେଶ୍‌ ଖୁସୀ ହୋଇପଡ଼ିଥିଲେ ଏବଂ ଆଉ କିଛି କଳାକୃତିକୁ  ଆଣି ଆମ ସମ୍ମୁଖରେ ସଜାଇ ରଖିଲେ। ସେ କୁହନ୍ତି, ଏହି କତାଶିଳ୍ପ କଳା କାରିଗରି କାମ ଆଜକୁ ପ୍ରାୟ୨୬ବର୍ଷ ଧରି କରିଆସୁଛି। ଏଥିରେ କତାର ବିଭିନ୍ନ ଖେଳନାଠାରୁ ଆରମ୍ଭକରି ଘର ସାଜସଜ୍ଜା ବି କରିଥାଏ। ଏମିତିରେ ମାସକୁ ପ୍ରାୟ ୭/୮ହଜାର ଟଙ୍କା ରୋଜଗାର ହୋଇଥାଏ। ମୋ ସହିତ ଆଉ କେତେଜଣ ମହିଳା ବି ଏହି କାମ କରିଥାନ୍ତି। ଏହି ହସ୍ତକଳାର ସାମଗ୍ରୀ ବିକ୍ରି ପାଇଁ ବିଶେଷକରି ଦିଲ୍ଲୀର ପ୍ରଗତି ମଇଦାନ, କଟକ ବାଲିଯାତ୍ରା ଏବଂ ତୋଷାଳି ମେଳାକୁ ନେଇଥାଉ। ଅନ୍ୟପକ୍ଷେ ଶୀତଦିନରେ ଏହି ଅଞ୍ଚଳକୁ ଆସୁଥିବା ପର୍ଯ୍ୟଟକମାନେ କତାର ବିଭିନ୍ନ ଖେଳନା  କିଣି ନେଇଥାନ୍ତି। ଏହା ପରେ ଆମେ  ଯାଇ ପହଞ୍ଚିଥିଲୁ ସାକ୍ଷୀଗୋପାଳ ଗେଟ୍‌ବଜାର ନିକଟରେ  ଏକ ଭଡ଼ାଘରେ ଚାଲୁଥିବା କତାର କଳାକୃତି ତାଲିମ କେନ୍ଦ୍ରଠାରେ। ଏହି ତାଲିମ କେନ୍ଦ୍ର ସମ୍ପର୍କରେ ଡଲି ଦାସ କୁହନ୍ତି,  ଏଠାରେ ନଡ଼ିଆକତା କଳାକୃତି ଶିକ୍ଷା ଲାଭ କରୁଥିବା ହାତଗଣତି ମାତ୍ର ୬ଜଣ ଝିଅ କତାରେ ବିଭିନ୍ନ ଖେଳନା ତିଆରି କରି ନିଜସ୍ବ ରୋଜଗାର କରିଥାନ୍ତି। ମୁଁ ପ୍ରାୟ ୧୮ବର୍ଷ ଧରି ଏହି କାମ କରିଆସୁଛି। ପ୍ରାୟ୧୦ଟଙ୍କାରୁ ୩ହଜାର ଟଙ୍କା ପର୍ଯ୍ୟନ୍ତ କତାର ଖେଳନା ବିକ୍ରି  ହୋଇଥାଏ। ଅଧିକାଂଶ ବେପାରୀମାନେ ଏଠାରୁ ଏହି କଳାକୃତିକୁ କିଣି ନେଇଥାନ୍ତି। ଏବେ ଓଡ଼ିଶା ହସ୍ତଶିଳ୍ପ ମହାସଂଘ ସାକ୍ଷୀଗୋପାଳ ଶାଖାର ସଭାପତି ଭାବେ ଦାୟିତ୍ୱ ତୁଲାଉଛି। ପୂର୍ବରୁ କେରଳ ଯାଇ ସେଠାରୁ ପାପୋଛ ଓ ଗାଲିଚା ବୁଣା ଶିଖିଛି। କତା କାମ ଯୋଗୁ ମୋର ମାସିକ ପ୍ରାୟ ୧୫/୧୬ ହଜାର ଲାଭ ହୋଇଥାଏ।  ସେହିପରି ପୁରୀରେ ରହୁଥିତ୍ବା ହରିହର ବାନାର୍ଜୀ  କୁହନ୍ତି, ଆଜକୁ ପ୍ରାୟ ୩୦ବର୍ଷ ଧରି ଏହି କତା କାରିଗରି କାମ କରିଆସୁଛି। ଏପରି କି ୩୫ଟି ସ୍ଥାନରେ ଏହି କତାକାରିଗରି କଳାକୃତି ସମ୍ପର୍କରେ ତାଲିମ ଶିବିର କରି କେତେଜଣଙ୍କୁ ଶିକ୍ଷା ମଧ୍ୟ ଦେଇଛି। ସେମାନେ ଘରୋଇ ଭାବେ ଏହି କଳା କାରିଗରି କାମକରି  କିଛି ରୋଜଗାରକ୍ଷମ ହୋଇ ପରିବାର ପ୍ରତିପୋଷଣ କରିପାରୁଛନ୍ତି। ଓଡ଼ିଶାରେ ଏହି କତା କାରିଗରି ହସ୍ତଶିଳ୍ପର ଚାହିଦା ବି ରହିଛି। ବିଭିନ୍ନ ସ୍ଥାନରେ ପଡ଼ୁଥିତ୍ବା ମେଳା ମହୋତ୍ସବକୁ ଆମ ହାତ ତିଆରି କତାର ବିଭିନ୍ନ ଖେଳନା ବିକ୍ରିପାଇଁ ଯାଇଥାଏ। ପ୍ରାୟ୧୦ଟଙ୍କା ଠାରୁ ଆରମ୍ଭ କରି ୪ହଜାର ଟଙ୍କା ଯାଏ କତାର ବିଭିନ୍ନ କଳାକୃତି ରହିଛି। ଏହା ବ୍ୟତୀତ ଆହୁରି କେତେକ ଗାଁରେ ଏହି ଶିଳ୍ପର କାରିଗର ରହିଛନ୍ତି। ତେବେ ଏହି କଳାକାରିଗରି ପ୍ରସ୍ତୁତିଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ବିଭିନ୍ନ କାଯର୍‌ୟ ରହିଛି।  

ପୁରୀରେ କତା କଣ୍ଢେଇ

୧୯୮୪ରେ ପୁରୀରେ କତା କଣ୍ଢେଇ ବସ୍ତୁତଃ ଜନ୍ମ ନେଇଥିଲା। ଏହା ପୂର୍ବରୁ ଜିଲାର ବିଭିନ୍ନ ସ୍ଥାନରେ କତା ରଶି ଏବଂ ପାପୋଛ ତିଆରି କରାଯାଉଥିଲେ ମଧ୍ୟ କତା କଣ୍ଢେଇ ଶିଳ୍ପ ଆରମ୍ଭ ହୋଇ ନ ଥିଲା। ୧୯୮୮ରେ ପଞ୍ଜୀକୃତ ପୁରୀ କ୍ରିଏଟିଭ ହାଣ୍ଡିକ୍ରାଫ୍ଟ ସମବାୟ ସମିତି ପ୍ରୋତ୍ସାହନରେ କତା କଣ୍ଢେଇ ଶିଳ୍ପର ପ୍ରଥମ କାରିଗର ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ଭାରତ ଭୂଷଣ ପରିଡ଼ା କତା ତନ୍ତୁରେ ସୂତା ଗୁଡେଇ ବିଭିନ୍ନ ପ୍ରକାର ରୂପ ସୃଷ୍ଟି କରିଥିଲେ। ପ୍ରାଥମିକ ସ୍ତରରେ କେବଳ ସୃଜନାତ୍ମକ ରୂପଗୁଡ଼ିଏ କରାଯାଇଥିବାରୁ ଏହାର ବ୍ୟବସାୟିକ ମାନକ ନିର୍ଦ୍ଧାରିତ ହୋଇପାରି ନ ଥିଲା। ୧୯୮୪ ପରଠାରୁ ଏହା କ୍ରମଶଃ ବିକଶିତ ହେବାକୁ ଲାଗିଲା। ୧୯୮୬ରେ ପୁରୀ ସମୁଦ୍ରକୂଳରେ ଥିବା ପାନ୍ଥଭବନ ପରିସରରେ ଏକ କ୍ଷୁଦ୍ର ସ୍ବତନ୍ତ୍ର ପ୍ରଦର୍ଶନୀରେ କେବଳ କତା କଣ୍ଢେଇ ପ୍ରଦର୍ଶିତ ହୋଇଥିଲା। ଓଡ଼ିଶା ହସ୍ତଶିଳ୍ପ ସମବାୟ ନିଗମର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଦାସ ଏହି ଅଭିନବ ଶିଳ୍ପକଳାରେ ବିମୋହିତ ହୋଇ ପ୍ରଥମେ ପରୀକ୍ଷାମୂଳକ ଭାବେ କିଛି ନମୁନାର ବରାଦ ଦେଇଥିଲେ। ସେହି ପ୍ରଥମ ବରାଦ ପ୍ରାଥମିକ ସ୍ତରରେ କାରିଗରଙ୍କୁ ଯଥେଷ୍ଟ ଉତ୍ସାହିତ କରିଥିଲା। ୧୯୮୬ରେ ପୁରୀ ଜିଲା ଶିଳ୍ପକେନ୍ଦ୍ର ଆନୁକୂଲ୍ୟରେ କତା କଣ୍ଢେଇ ଶିଳ୍ପର ସର୍ବପ୍ରଥମ ତାଲିମ ଶିବିର ଆରମ୍ଭ କରାଯାଇଥିଲା। ଏଥିରେ ୧୦ଜଣ ତରୁଣ କାରିଗର ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧୀନରେ ତାଲିମ ନେଲେ। ଧୀରେ ଧୀରେ ପୁରୀରେ କତା କଣ୍ଢେଇ ଶିଳ୍ପ କାରଗରଙ୍କ ସଂଖ୍ୟା ବୃଦ୍ଧି ପାଇଲା। ସେତେବେଳେ ସମିତିରେ ତିଆରି କରାଯାଉଥିଲେ ମଧ୍ୟ ବର୍ତ୍ତମାନ ଅନ୍ୟ ସ୍ଥାନରେ ତିଆରି ହୋଇ ଗଁାଗଣ୍ଡାର ଅନେକ ମହିଳା ସ୍ବାବଲମ୍ବୀ ହୋଇପାରିଛନ୍ତି। ୧୯୯୨-୯୩ରେ କେନ୍ଦ୍ର ସରକାରଙ୍କ ନୋରଡା ଯୋଜନାରେ ପୁରୀରେ ମହିଳାଙ୍କୁ ନେଇ କତା କଣ୍ଢେଇ ଶିଳ୍ପରେ ତାଲିମ ଶିବିର କରାଯାଇଥିଲା। ଏହାପରେ ୧୯୯୫-୯୬ରେ ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ନୂଆଦିଲ୍ଲୀଙ୍କ ସୌଜନ୍ୟରୁ ଏକ ତାଲିମ ଶିବିର ପୁରୀ ନିକଟ ବାଟଗଁାସ୍ଥିତ ହସ୍ତକଳା ବିକାଶ କେନ୍ଦ୍ରଠାରେ କରାଯାଇଥିଲା। ଏପରି ପ୍ରୋତ୍ସାହନ ସତ୍ତ୍ବେ କତା କଣ୍ଢେଇ ଶିଳ୍ପର ଏକ ନିୟମିତ ବଜାର ବ୍ୟବସ୍ଥା ସ୍ଥିରୀକୃତ ହୋଇପାରି ନ ଥିଲା। ୧୯୯୪-୯୫ରେ ପୂର୍ଣ୍ଣଚନ୍ଦ୍ର ମିଶ୍ର ସାତଶଙ୍ଖର ଅନୀଲ କୟର ଇଣ୍ଡଷ୍ଟ୍ରିଜର ନିରମଣୀ ସାହୁଙ୍କ ଅନୁରୋଧକ୍ରମେ କିଛିଦିନ ସେଠାକୁ ଯାଇ ପ୍ରଥମେ କତା କଣ୍ଢେଇ କାମ ଶିକ୍ଷା ଦେଇଥିଲେ। ଏହାପରେ ସେଠାରେ ଉକ୍ତ ଶିଳ୍ପ ଗଢିଉଠିଥିଲା। ସେଥିରୁ ଶାଖା ପ୍ରଶାଖା ମେଲି ବର୍ତ୍ତମାନ ଏହା ମହାଦ୍ରୁମରେ ପରିଣତ ହେଲାଣି। ସାତଶଙ୍ଖ ସହିତ ଚନ୍ଦନପୁର, କାଦୁଆ, ସାକ୍ଷୀଗୋପାଳ ପ୍ରଭୃତି ସ୍ଥାନରେ ଅନେକ ମହିଳା କତା କଣ୍ଢେଇ ଶିଳ୍ପକୁ ଆଦରି ରୋଜଗାରକ୍ଷମ ହୋଇପାରିଛନ୍ତି। ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୧୦୦ କାରିଗର ଏହି କତା କଣ୍ଢେଇ କାମକୁ ରୋଜଗାରର ମୁଖ୍ୟ ପନ୍ଥା ଭାବେ ଗ୍ରହଣ କରିଛନ୍ତି।

ପ୍ରସ୍ତୁତି ପ୍ରଣାଳୀ: ଗୋଦାମଗୁଡ଼ିକରେ ନଡ଼ିଆରୁ କତା ବାହାରକରି ନଡ଼ିଆ ବିକ୍ରୟ କରାଯାଇଥାଏ। ଗୋଦାମରୁ କତାଗୁଡ଼ିକ ସଂଗ୍ରହକରି କତାପାରୁ ବା ତନ୍ତୁ ପ୍ରସ୍ତୁତ କରିବା ନିମନ୍ତେ କତାପାରୁ ଉତ୍ପାଦନ କେନ୍ଦ୍ର ରହିଛି। ଅନ୍ୟପକ୍ଷେ ଗଛରୁ ତୋଳାଯାଉଥିବା ନଡ଼ିଆକୁ ଶୁଖାଯାଇ  କିମ୍ବା ଶୁଖିଲା ନଡ଼ିଆକୁ ମେଶିନ ଦ୍ୱାରା କିମ୍ବା ହାତରେ କତା ଛଡ଼ାଇ ରଖାଯାଇଥାଏ। ଏହାପରେ ନଡ଼ିଆକତାକୁ କିଛିଦିନ ପାଣିରେ ଭିଜାଇ ଏକ କାଠ ପାହାରାଣିରେ ବାଡ଼େଇ ତାକୁ ପରିଷ୍କାର କରି ସେଥିରୁ ତନ୍ତୁ ବାହାର କରାଯାଇଥାଏ। ଏହି ତନ୍ତୁକୁ ପାରୁ କୁହାଯାଇଥାଏ। ପ୍ରଥମେ କତାକୁ ଦୁଇରୁ ତିନିଦିନ ପାଣିରେ ଭିଜାଇବା ପରେ କ୍ରଶରରେ ବାଡେଇ ନରମ କରାଯାଏ। ତନ୍ତୁ ପ୍ରସ୍ତୁତ ମେଶିନରେ କତା ପକାଇବା ପରେ ସେଥିରୁ କତା ପାରୁ ଓ କତାଗୁଣ୍ଡ ଅଲଗା ଅଲଗା ବାହାରିଥାଏ। ପରେ କତା ହସ୍ତଶିଳ୍ପ ସାମଗ୍ରୀ ପାଇଁ ବଣ୍ଡଲ କରାଯାଇ କୁଇଣ୍ଟାଲ ଦରରେ ବିକ୍ରି କରାଯାଇଥାଏ। ତନ୍ତୁ ଆଣିବା ପରେ ଯଦି ନରମ ଥାଏ ତେବେ ଏହାକୁ ଖରାରେ ଶୁଖାଇଥାନ୍ତି। ଏହାକୁ ଭିଣି ସାଇଜ କରିବା ପରେ ସେଥିରେ ସୂତାଗୁଡ଼ାଇ ବିଭିନ୍ନ ରୂପ ତିଆରି କରାଯାଏ। ଆବଶ୍ୟକ ଅନୁଯାୟୀ ପରସ୍ତ ପରସ୍ତ କତା ଦିଆଯାଇ ମୋଟା କରାଯାଏ। କୌଣସି ଏକରୂପ ଶେଷହେବାପରେ ଫେଭିକଲଅଠା ପାଣିରେ ବୁଡାଯାଇ ଶୁଖାଯାଏ। ଯଦି ଦରକାର ପଡ଼େ ତେବେ ସେଥିରେ ରଙ୍ଗ ମଧ୍ୟ ଦିଆଯାଇଥାଏ। ଏମିତି କିଛି କାମ ଅଛି ଯେଉଁଥିରେ ଆଗୁଆ ତନ୍ତୁରେ ରଙ୍ଗ ଦିଆଯାଇ ଶୁଖିଗଲା ପରେ ବିଭିନ୍ନ ପ୍ରକାର ରୂପ ତିଆରି କରାଯାଏ । ପରେ କାରିଗର ବା ଶିଳ୍ପୀ ନିଜ ମନରେ ଯେଉଁ  ଚିତ୍ର କରିବାର ଭାବନା ରଖିଥାଏ ତା’ର ଏକ ନମୁନାକୁ  କତାରେ ପ୍ରସ୍ତୁତ କରାଯାଇଥାଏ। ତା’ପରେ  ପୂର୍ଣ୍ଣାଙ୍ଗ ରୂପ ହେବା ଯାଏ ସେହି କଳାକୃତିକୁ ସୁସଜିତ କରି ସୁନ୍ଦର ଦିଶିବା ପାଇଁ ଆବଶ୍ୟକ ସ୍ଥଳେ ରଙ୍ଗବେରଙ୍ଗ କତା ଓ  ସୂତାର ସାହାଯ୍ୟରେ  ବିଭିନ୍ନ ଡିଜାଇନ୍‌ର କୋଟିକମ କରାଯାଇ କଳାକୃତିଟି ସମ୍ପୂଣ୍ଣ ପ୍ରସ୍ତୁତି କରାଯାଇଥାଏ। ଅନ୍ୟପକ୍ଷେ ବିଦ୍ୟୁତ୍‌ ଚାଳିତ ଯନ୍ତ୍ରାଂଶରେ ସରଳ, ସହଜ ଓ ଉତ୍କୃଷ୍ଟମାନର କତାପାରୁ ପ୍ରସ୍ତୁତ କରାଯିବା ଫଳରେ କତା ହସ୍ତଶିଳ୍ପ ଅଧିକ ଆକର୍ଷଣୀୟ ହୋଇପାରଛି। ଘରେ ଘରେ କତାଶିଳ୍ପ ସାମଗ୍ରୀର ଚାହିଦା ବୃଦ୍ଧି ପାଇ ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ବେଶ୍‌ କାରବାର ହୋଇପାରୁଛି। ପୁରୀ କ୍ରିଏଟିଭ ହାଣ୍ଡିକ୍ରାଫ୍ଟ ସମବାୟ ସମିତିର ଦେବୀପ୍ରସନ୍ନ ନନ୍ଦ କୁହନ୍ତି, ବର୍ତ୍ତମାନ ଏହି ତନ୍ତୁ କି.ଗ୍ରା. ପ୍ରତି ଦାମ୍‌ ରହିଛି ପ୍ରାୟ ୩୦ ଟଙ୍କା। କିନ୍ତୁ  ୧୯୮୪ ମସିହାରେ ଏହି ତନ୍ତୁ  କି.ଗ୍ରା. ପ୍ରତି ୫/୬ ଟଙ୍କାରେ ମିଳୁଥିବା ବେଳେ ବର୍ତ୍ତମାନ ଏହାର ଦାମ୍‌ ବହୁଗୁଣ ହୋଇଯାଇଛି। 

କତାର  କଳାକୃତି: ନଡ଼ିଆକତାରେ ପ୍ରସ୍ତୁତ କଳାକୃତି ପାଇଁ ମୁଖ୍ୟ କଞ୍ଚାମାଲ ହେଉଛି କତାର ତନ୍ତୁ। କତା ପାରୁରେ ବିଭିନ୍ନ ରଶି ହସ୍ତ ଓ ବିଦ୍ୟୁତ୍‌ ଚାଳିତ ଚରଖା ସାହାଯ୍ୟରେ ପ୍ରସ୍ତୁତ କରାଯାଇ ବଜାରରେ ବିକ୍ରୟ କରାଯାଉଛି। କତାପାରୁକୁ ନାଲି, ନେଳି, ବାଇଗଣି, ହଳଦିଆ, ଗୋଲାପି ଓ ଆକାଶି  ଆଦି ରାସାୟନିକ ରଙ୍ଗକୁ  ଗରମ ପାଣିରେ  ମିଶାଇ ନିର୍ଦ୍ଧାରିତ ଅନୁପାତ ଓ ସମୟ ପର୍ଯ୍ୟନ୍ତ ଶିଝାଇ ଛାଇ ସ୍ଥାନରେ ଶୁଖାଇ ବ୍ୟବହାର ଉପଯୋଗୀ କରାଯାଇଥାଏ। ବିଭିନ୍ନ ପ୍ରକାରର ବ୍ରସ୍‌, ପାପୋଛ ପ୍ରସ୍ତୁତି ନିମନ୍ତେ ଗାଲିଚା ସହିତ ଘର ସଜାଇବା ନିମନ୍ତେ କତାର କଣ୍ଢେଇ ତିଆରି କରାଯାଉଛି। କାରିଗରମାନେ କଇଁଚ, କୁମ୍ଭୀର, ମାଛ, ମୟୂର, ବାଘ, ସିଂହ, ଡ୍ରାଗନ, କୁକୁଡ଼ା, ହାତୀ, ଘୋଡ଼ା, ମାଙ୍କଡ଼, ନଡ଼ିଆ ଗଛ, କଦଳୀଗଛ, ବରଗଛ, ବ୍ୟାଗ୍‌, ମନିପର୍ସ, ପେନ୍‌ଷ୍ଟାଣ୍ଡ, ଘର, ବାଇଚଢ଼େଇ ବସା ତାଜମହଲ, ଦେବଦେବୀଙ୍କ ମୂର୍ତ୍ତିଭାବେ  ଗଣେଶ, ଲକ୍ଷ୍ମୀ, ନାଗା, ଶ୍ରୀଜଗନ୍ନାଥ, କାଳୀ, ଇତ୍ୟାଦ ମୂର୍ତ୍ତି, ତିଆରି ନିମନ୍ତେ ଆବଶ୍ୟକ ସାମଗ୍ରୀ ମଧ୍ୟରେ କତାପାରୁ, ଉଲ୍‌, ସୂତା, ଅଠା, ତୁଳା, ଚୁମୁକି, ମାଳି ସହିତ ବିଭିନ୍ନ ପ୍ରକାର ରଙ୍ଗ ପାରୁ ବ୍ୟବହାର କରିଥାନ୍ତି। ଏହାବ୍ୟତୀତ ଏବେ ଆକର୍ଷଣୀୟ ଅଳଙ୍କାର ବି ପ୍ରସ୍ତୁତ ହେଲାଣି। କତା ତିଆରି ଅଳଙ୍କାର ମଧ୍ୟରେ ହାର, କାନଫୁଲ, ଚୁଡ଼ି ଆଦି କତା ସାମଗ୍ରୀ ପାଇଁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିଥାଏ। ସାତଶଙ୍ଖର ସଞ୍ଜୁକ୍ତା ନାମ୍ନୀ ଜଣେ ମହିଳା ଏହିସବୁ ଅଳଙ୍କାର ତିଆରି କରୁଛନ୍ତି। ଦିଲ୍ଲୀର କାରୁ ନାମକ ଏକ ସଂଗଠନ ଏହାର ବିକାଶ ଦିଗରେ ହାତ ବଢ଼ାଇଛି।

କାରିଗରଙ୍କ ଗାଁ: ନଡ଼ିଆକତାରେ ପ୍ରସ୍ତୁତ ହସ୍ତଶିଳ୍ପ କାରୁକାର୍ଯ୍ୟର କାରିଗରମାନେ ପୁରୀ ଜିଲାର ସାକ୍ଷୀଗୋପାଳ, ନିମାପଡ଼ା, ସାତଶଙ୍ଖ, କୋଣାକ, ପୁରୀ ସଦର ବ୍ଲକର ଚନ୍ଦନପୁର, ଜଳକବର, ଜାନକୀଦେଇପୁର, ମାଳତୀ ପାଟପୁର, ବ୍ରହ୍ମଗିରି ବ୍ଲକର ଖଜୁରିଆ ସମେତ ବିଭିନ୍ନ  ଗଁାରେ ଏହି କତାକଣ୍ଢେଇ ତିଆରି  ହେଉଥିବାର ଦେଖିବାକୁ ମିଳେ। ପୁରୀ ଜିଲାର ଗୋପ ବ୍ଲକରେ ୧୨ଟି ସ୍ବୟଂ ସହାୟକ ଗୋଷ୍ଠୀରେ ପ୍ରାୟ ୫୦୦ଜଣ ମହିଳା ଏହି ନଡ଼ିଆ କତା କାରିଗର କାମ କରୁଛନ୍ତି। ଏମାନେ ଘରକାମ ବାଦ୍‌ ତାଙ୍କ ଅବସର ସମୟରେ ଏହି କାମ କରିଥାଆନ୍ତି; ଯେଉଁଥିରେ ତାଙ୍କର ମାସକ ୧୫-୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ ହୋଇଥାଏ। ନଡ଼ିଆକତାରେ ବିଭିନ୍ନ  କଳାକୃତିକରି ଏହି ଅଞ୍ଚଳର କାରିଗରମାନେ ନିଜର ଜୀବିକା ନିର୍ବାହ କରିଥାନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା କାରିଗର। ପୁରୀ ଏବଂ ଏହାର ଆଖାପାଖ ଅଞ୍ଚଳରେ ପ୍ରାୟ ଶତାଧିକ କାରିଗର ଏହି କତା କଣ୍ଢେଇ କାମକୁ ରୋଜଗାରର ମୁଖ୍ୟ ପନ୍ଥା ଭାବେ ଗ୍ରହଣ କରିଛନ୍ତି। ସାକ୍ଷୀଗୋପାଳ ନିକଟବର୍ତ୍ତୀ ସାତଶଙ୍ଖ, ତେଇଶିପୁର, ବୀରପ୍ରତାପପୁର, ରଘୁରାଜପୁର, ବୀରହରେକୃଷ୍ଣପୁର, ପ୍ରତାପ ପୁରୁଷୋତ୍ତମପୁର, ଅଳଗୁମ, ରାୟଚକ୍ରଧରପୁର, କାଦୁଆ, ଶ୍ରୀରାମଚନ୍ଦ୍ରପୁର, ବୀରଗୋବିନ୍ଦପୁର, ବଳପୁର, ବୀରରାମଚନ୍ଦ୍ରପୁର, ପଣସପାଟଣା, ଗେଟ୍‌ ବଜାର, ମଠସାହି, ମହାମୟୀସାହି, ବିଶ୍ୱନାଥପୁର, ପାଣିଭଣ୍ଡାର, ବରାଳ, ଚଣାଗୋରଡ଼ା, ବଣିଆସାହି, ବାସୁକେରା ଆଦି ଗ୍ରାମରେ କତା ହସ୍ତଶିଳ୍ପ କୁଟୀର ଶିଳ୍ପ ଭାବରେ ଗଢ଼ି ଉଠିଛି।  

ବିକ୍ରି ବ୍ୟବସ୍ଥା: ମୁଖ୍ୟତଃ କତା କଣ୍ଢେଇ ବିଭିନ୍ନ ପ୍ରଦର୍ଶନୀ, ମେଳାରେ ବିକ୍ରି କରାଯାଇଥାଏ। ରାଜ୍ୟ ଭିତରେ ହେଉଥିବା ବିଭିନ୍ନ ମହୋତ୍ସବରେ ମଧ୍ୟ ଏହା ବିକ୍ରି ହେଉଥିବା ଦେଖିବାକୁ ମିଳେ। ଓଡ଼ିଶାର ଏହି କତା କଣ୍ଢେଇ ଶିଳ୍ପ ଏବେ ଆଉ ଆମ ରାଜ୍ୟ ଭିତରେ ସୀମିତ ନାହିଁ। ରାଜ୍ୟ ବାହାରକୁ ରପ୍ତାନୀ ଏବଂ ବିକ୍ରି ପାଇଁ ଯାଉଛି। ଭୁବନେଶ୍ୱରର ତୋଷାଳୀ ହସ୍ତଶିଳ୍ପ ମେଳା, ଆଦିବାସୀ ମେଳା, ସରସ ମେଳା, ପୁରୀର ପଲ୍ଲିଶ୍ରୀ ମେଳା, କ୍ରାଫ୍ଟସ ବଜାର, କୃଷିମେଳା, ବେଳାଭୂମିରେ ବିଭିନ୍ନ ସମୟରେ ଅନୁଷ୍ଠିତ ମହୋତ୍ସବ, କଟକ ବାଲିଯାତ୍ରା, ଢେଙ୍କାନାଳ ଲକ୍ଷ୍ମୀପୂଜା, ଅନୁଗୋଳ ବିଶ୍ୱକର୍ମା ପୂଜା, ପାରାଦୀପ ବାଲିଯାତ୍ରା, କୋରାପୁଟର ମଣ୍ଡେଇ,  କଳାହାଣ୍ଡିର ପରବ, ସମ୍ବଲପୁରର ଶୀତଳଷଷ୍ଠୀ ପ୍ରଭୃତି ସ୍ଥାନକୁ କାରିଗରମାନେ କତା କଣ୍ଢେଇ ନେଇ ବିକ୍ରି କରିଥାନ୍ତି। ଏହାବ୍ୟତୀତ କାରିଗରଙ୍କୁ ଅର୍ଡର ଦେଇ ସେମାନଙ୍କଠାରୁ ଏହାକୁ କିଣି ଅନ୍ୟମାନେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ରିବଟା କରୁଛନ୍ତି। ପୁରୀ ବଡ଼ଦାଣ୍ଡ, ବେଳାଭୂମି ମାର୍ଗ, କୋଣାର୍କ ହସ୍ତଶିଳ୍ପ ବଜାର ସମେତ ଭୁବନେଶ୍ୱର ଏକାମ୍ର ହାଟରେ ଏହା ଦୈନନ୍ଦିନ ଉପଲବ୍ଧ ହୋଇଥାଏ। ସେହିପରି ଦିଲ୍ଲୀରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ମଧ୍ୟ ଓଡ଼ିଶାର କତା କଣ୍ଢେଇ ବିକ୍ରି କରାଯାଏ।

ସର୍ବଭାରତୀୟ ସ୍ତରରେ କତାଶିଳ୍ପକୁ ଭୌଗୋଳିକ ସୂଚକ (ଜିଆଇ) ଅଧୀନରେ ପଞ୍ଜୀକୃତ କରାଯାଇଛି। ମାତ୍ର ସେଥିରେ ଓଡ଼ିଶାର କତା କଣ୍ଢେଇ ସ୍ଥାନ ପାଇନାହିଁ। ରାଜ୍ୟ ବାହାରକୁ ଏହାର ରପ୍ତାନୀ ବୃଦ୍ଧି କରିବା ଲାଗି ପ୍ରୟାସ କରାଯାଉଛି। ଏହି କତା କଣ୍ଢେଇ ଜିଆଇରେ ସ୍ଥାନ ପାଇଲେ ଏଥିରେ ସମ୍ପୃକ୍ତ କାରିଗରମାନେ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ପାଇପାରିବେ। କିନ୍ତୁ ଏକଥା ସତ ଯେ, ଏହି କତା କାରିଗରି ପୁରୀ ତଥା ଏହାର ଆଖପାଖ ଅଞ୍ଚଳର ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇ ନିଜ ଗୋଡ଼ରେ ନିଜେ ଠିଆ ହେବାର ବାଟ ଦେଖାଇଛି।


-ରୋଜାଲିନ ମହାନ୍ତି, ବନବିହାରୀ ବେହେରା

ତଥ୍ୟ ସହାୟତା: ହେମନ୍ତ ନାୟକ, କିଶୋର ମହାପାତ୍ର 

ଫଟୋ: ଯଜ୍ଞେଶ୍ୱର ମହାନ୍ତି 


All Right Reserved By

ଫୁରସତ |

ସବୁଦିନ ଗାଧୋଇବା ମନା...

ସବୁଦିନ ଗାଧୋଇବା ମନା...

ସବୁଦିନ ଗାଧୋଇବା ସ୍ବାସ୍ଥ୍ୟ ଲାଗି ହାନୀକାରକ। କଲମ୍ବିଆ ବିଶ୍ୱବିଦ୍ୟାଳୟର ନର୍ସିଂ ବିଭାଗରେ ହୋଇଥିବା ଗବେଷଣା ରିପୋର୍ଟରେ ଏହା କୁହାଯାଇଛି। ସବୁଦିନ ଗାଧୋଇଲେ ଦେହ ଓ ମନ ସୁସ୍ଥ ରହିଥାଏ ବୋଲି କୁହାଯାଇଥାଏ। ତେବେ ସବୁଦିନ ଗାଧୋଇବାକୁ ଏହି ଗବେଷଣା ରିପୋର୍ଟରେ ମନା କରାଯାଇଛି।

ଉପହାରରେ କେବେ ବି  ଦିଅନ୍ତୁନି ରୁମାଲ୍‌...

ଉପହାରରେ କେବେ ବି ଦିଅନ୍ତୁନି ରୁମାଲ୍‌...

ଉପହାର ଦେବା ସମୟରେ ସର୍ତକ ରହିବା ଆବଶ୍ୟକ। କାରଣ ଏଭଳି ଉପହାର ଅଛି ଯାହାକୁ ଉପହାର ଦେଉଥିବା ଏବଂ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଉପହାର ଦେବା ସମୟରେ ସତର୍କ ହେବା ଜରୁରୀ। ତେବେ ଏହି ଉପହାର ସମ୍ପର୍କରେ ଜ୍ୟୋତିଷ ଶାସ୍ତ୍ର ତଥା ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି।

ନିଜ ରକ୍ତରେ ପ୍ରସ୍ତୁତ ମଶ୍ଚରାଇଜର, କ୍ରିମ୍‌ ବ୍ୟବହାର କରନ୍ତି ଏହି ଲୋକପ୍ରିୟ ସେଲିବ୍ରିଟି

ନିଜ ରକ୍ତରେ ପ୍ରସ୍ତୁତ ମଶ୍ଚରାଇଜର, କ୍ରିମ୍‌ ବ୍ୟବହାର କରନ୍ତି ଏହି ଲୋକପ୍ରିୟ ସେଲିବ୍ରିଟି

ପ୍ରକୃତ ବୟସର ଛାପ ଲୁଚାଇବା ଲାଗି ଆଜିକାଲିର ଯୁବତୀ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ତେବେ ପ୍ରସାଧନ ସାମଗ୍ରୀ କିଣିବା ହେଉ ଅଥବା ପାର୍ଲର ଯାଇ କିଛି ଚିକିତ୍ସା ଗ୍ରହଣ କରିବା, ଏହା ଏବେ ମାମୁଲି ଘଟଣା ପାଲଟିଲାଣି। 

ଫୁଟବଲ ତାରକା ବେକହମ୍‌ଙ୍କ କୁକୁର ଘୋଡ଼େଇ ହୁଏ ସାଢ଼େ ୪ ଲକ୍ଷ ଟଙ୍କାର କମ୍ବଳ

ଫୁଟବଲ ତାରକା ବେକହମ୍‌ଙ୍କ କୁକୁର ଘୋଡ଼େଇ ହୁଏ ସାଢ଼େ ୪ ଲକ୍ଷ ଟଙ୍କାର କମ୍ବଳ

ଶୀତଦିନେ କମ୍ବଳ ଘୋଡ଼ାଇ ହୋଇ ଶୋଇବାକୁ କିଏ ବା ଭଲ ନ ପାଏ। ଶୀତଦିନ ଆରମ୍ଭ ହେବା ପୂର୍ବରୁ ଅନେକ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି। ଶୀତବସ୍ତ୍ର ସହ ଭଲ କମ୍ବଳ କିଣାଯାଇଥାଏ। ବଜାରରେ ମଧ୍ୟ ବିଭିନ୍ନ ଦାମ୍‌ର କମ୍ବଳ ଉପଲବ୍ଧ ହୁଏ।

ହଜାରେ କୋଟିଙ୍କ ପାଇଁ ଖାଦ୍ୟ ସମସ୍ୟା

ହଜାରେ କୋଟିଙ୍କ ପାଇଁ ଖାଦ୍ୟ ସମସ୍ୟା

ନୂଆଦିଲ୍ଲୀ: ୨୦୫୦ ସୁଦ୍ଧା ବିଶ୍ୱର ୧୦୦୦କୋଟି ଲୋକଙ୍କ ପାଇଁ ଖାଦ୍ୟ ସମସ୍ୟା ସୃଷ୍ଟି ହେବ। ମାନବ ଜଗତ ପାଇଁ ଏହା ଏକ ମୁଖ୍ୟ ସମସ୍ୟା ହୋଇଥିବାବେଳେ ଏହାର ସମାଧାନ ପାଇଁ ବୈଜ୍ଞାନିକମାନେ ଏକ ସମାଧାନର ବାଟ ପାଇଥିବା ଦାବି କରନ୍ତି। ସେମାନଙ୍କ କହିବାନୁଯାୟୀ, ଖାଦ୍ୟ ଉତ୍ପାଦନ ପାଇଁ ପୃଥିବୀର ପରିସର ସୀମିତ।

ଫିଲ୍ମ ସଂଗ୍ରହାଳୟ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ଫିଲ୍ମ ସଂଗ୍ରହାଳୟ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନ୍ୟାଶନାଲ ମ୍ୟୁଜିୟମ ଅଫ୍‌ ଇଣ୍ଡିଆନ ସିନେମା (ଏନ୍‌ଏମ୍‌ଆଇସି) ଉଦ୍‌ଘାଟନ କରିବେ। ଦେଶର ଫିଲ୍ମ ରାଜଧାନୀରେ ପ୍ରତିଷ୍ଠିତ ଊନବିଂଶ ଶତାବ୍ଦୀର ଐତିହାସିକ ବଙ୍ଗଳା ଏବଂ ଆଧୁନିକ ଭବନ ଉଦ୍‌ଘାଟିତ ହେବ। ଉଦ୍‌ଘାଟନୀ ଉତ୍ସବରେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ସଲମାନ୍‌ ଖାନ୍‌, ଏ.ଆର. ରହମନ୍‌, ଡାଭିଡ ଧାଓ୍ବନ, ରୋହିତ ଶେଟ୍ଟୀ, ଓ୍ବାହିଦା ରହମନ୍‌, ଜିତେନ୍ଦ୍ର କପୁର, ଆଶା ପରେଖ, ରବିନା ଟଣ୍ଡନ, ପଙ୍କଜ କପୁର, ରାକେଶ ମେହରା ଏବଂ ଅନ୍ୟମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

ଏହି ରାଶିର ବ୍ୟକ୍ତି ଜୀବନରେ ହୁଅନ୍ତି କୋଟିପତି...

ଏହି ରାଶିର ବ୍ୟକ୍ତି ଜୀବନରେ ହୁଅନ୍ତି କୋଟିପତି...

ଅନେକ କମ୍‌ ପରିଶ୍ରମରେ ଧନ ଲାଭ କରୁଥିବାବେଳେ କେତେକଙ୍କୁ ଏଥିଲାଗି ଦିନରାତି ପରିଶ୍ରମ କରିବାକୁ ପଡ଼ିଥାଏ। ଧନ ପ୍ରତି ସମସ୍ତଙ୍କର ରହିଥାଏ ଲୋଭ। ତେବେ ଜ୍ୟୋତିଷ ଶାସ୍ତ୍ରରେ କେତେକ ନିଦ୍ଦିଷ୍ଟ ରାଶିର ଲୋକ ସୌଭାଗ୍ୟଶାଳୀ ହୋଇଥାନ୍ତି ବୋଲି ଉଲ୍ଲେଖ ଅଛି।

ପ୍ରେମୀ ଯୁଗଳଙ୍କୁ ଓ୍ବେବସାଇଟ୍‌ ଯୋଗାଇ ଦେଉଛି ସୁରକ୍ଷିତ ରୁମ୍‌

ପ୍ରେମୀ ଯୁଗଳଙ୍କୁ ଓ୍ବେବସାଇଟ୍‌ ଯୋଗାଇ ଦେଉଛି ସୁରକ୍ଷିତ ରୁମ୍‌

ପ୍ରେମୀ ଯୁଗଳଙ୍କୁ ଏକାଠି ରହିବାରେ ରହିଛି ଅନେକ କାଇଦା କଟକଣା। ଏମାନଙ୍କ ଉପରେ ଥାଏ ପୋଲିସର କଡା ନଜର। ହେଲେ ଏବେ ଏହି ପ୍ରେମୀ ଯୁଗଳଙ୍କୁ  ସୁରକ୍ଷିତ ରୁମ୍‌ ଯୋଗାଇ ଦେଉଛି Stay uncle ନାମକ ଏକ ଓ୍ବେବ ସାଇଟ୍‌।

ଏଠି ବିଲେଇଙ୍କ ପାଇଁ ଚାଲିଲା ସ୍ବତନ୍ତ୍ର ଟ୍ରେନ୍‌

ଏଠି ବିଲେଇଙ୍କ ପାଇଁ ଚାଲିଲା ସ୍ବତନ୍ତ୍ର ଟ୍ରେନ୍‌

ଜାପାନର ଲୋକେ ବିଲେଇକୁ ଅଧିକ ପସନ୍ଦ କରନ୍ତି। ଏଠାରେ ପ୍ରାୟ ପ୍ରତ୍ୟେକ ଲୋକଙ୍କ ପାଖରେ ବିଲେଇ ରଖିଥାଆନ୍ତି। ନିକଟରେ ଏହି ବିଲେଇଙ୍କ ପାଇଁ ଚାଲିଥିଲା ଏକ ସ୍ବତନ୍ତ୍ର ଟ୍ରେନ୍‌। ଏହାର ଉଦ୍ଦେଶ୍ୟ ଥିଲା ଏମାନଙ୍କୁ ସୁରକ୍ଷା ଦେବା ଓ ଏମାନଙ୍କର ବଂଶ ବୃଦ୍ଧି କରିବା।

ଏ ବୟସରେ କାହିଁକି ଆଖିରୁ ହଜେ ନିଦ...

ଏ ବୟସରେ କାହିଁକି ଆଖିରୁ ହଜେ ନିଦ...

ଜୀବନର ଏକ ନିର୍ଦ୍ଦିଷ୍ଟ ବୟସରେ ମଣିଷ ମନରେ ବିପରୀତ ଲିଙ୍ଗଙ୍କ ପ୍ରତି ସୃଷ୍ଟି ହୋଇଥାଏ ଆକର୍ଷଣ। ସେହି ନିର୍ଦ୍ଦିଷ୍ଟ ବୟସ ପୂର୍ବରୁ କିମ୍ବା ପରେ ବିପରୀତ ଲିଙ୍ଗଙ୍କ ସହିତ ମିଳନ ପାଇଁ ସେତେଟା ଉନ୍ମାଦନା ମନରେ ଆସି ନ ଥାଏ । ସାମାଜିକ ଶାସ୍ତ୍ରରେ ଉଲ୍ଲେଖ ଅଛି ୧୪ ବର୍ଷଠାରୁ କିଶୋରୀ କିଶୋର ଖୋଜି ବସିଥାନ୍ତି ସାଥୀକୁ।

ସୌଭାଗ୍ୟ ଆଣେ କାନଫୁଲ...

ସୌଭାଗ୍ୟ ଆଣେ କାନଫୁଲ...

କାନଫୁଲ ସୌନ୍ଦର୍ଯ୍ୟ ବଢାଇବା ସହିତ ସୌଭାଗ୍ୟ ଆଣିଥାଏ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଳେଖ ରହିଛି। ଏହା ଶରୀର ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇଥାଏ। କାନଫୁଲ ଦ୍ୱାରା ପ୍ରଜନନ ଓ ମାସିକ ଋତୁସ୍ରାବ ସମସ୍ୟାକୁ ଦୂର ହୁଏ। 

ସୁନାମୀ ସମୟରେ ସମୁଦ୍ରରେ ଫସିଥିଲୁ

ସୁନାମୀ ସମୟରେ ସମୁଦ୍ରରେ ଫସିଥିଲୁ

୨୦୦୫ର କଥା। ଭାରତର ୨୫ଜଣ ଡାକ୍ତର ଏକ କନଫରେନ୍ସରେ ଯୋଗଦେବା ପାଇଁ ମାଳଦ୍ୱୀପ ଯାଇଥାଉ। ସମୁଦ୍ର ଭିତରେ ନୌକାବିହାର କରିବାକୁ ଇଚ୍ଛା ହେଲା। ଏକ ଛୋଟ ଜଳ ଜାହାଜରେ ଆମେ ସମସ୍ତେ ସମୁଦ୍ର ଭିତରକୁ ଯାଇଥିଲୁ। ଅନେକ ବାଟ ଯିବା ପରେ ହଠାତ୍‌ ଆମ ଜାହାଜଟି ଢେଉରେ ଭୟଙ୍କରଭାବେ ଦୋହଲିବାକୁ ଲାଗିଲା।