
ନୟାଗଡ଼ ଅଫିସ,୭ା୧୨- ନୟାଗଡ଼ ବ୍ଲକ ଇଟାମାଟି ଥାନା ନୋତର ପଞ୍ଚାୟତ ଶଙ୍ଖେଇ ଗ୍ରାମରେ ଶୁକ୍ରବାର ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟ ଗଣ୍ଡଗୋଳ ହୋଇଛି। ଏଥିରେ ୫ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଗୋଟିଏ ପରିବାରର ଅରକ୍ଷିତ ବରାଡ଼ ଓ ତାଙ୍କ ସ୍ତ୍ରୀ ବିଦୁଲତା ଏବଂ ଅନ୍ୟ ପରିବାରର ସାବିତ୍ରୀ ବରାଡ଼, ଲକ୍ଷ୍ମୀ ବରାଡ଼ ଓ ସୁକାନ୍ତି ପଲେଇ। ସୁକାନ୍ତିଙ୍କ ଅଭିଯୋଗ ଅନୁସାରେ ସନ୍ଧ୍ୟା ସମୟରେ ସାବିତ୍ରୀ ଓ ଲକ୍ଷ୍ମୀ ଘରେ ଥିବା ସମୟରେ ଅରକ୍ଷିତ ଓ ବିଦୁଲତା ଏକ ଖଣ୍ଡା ଆଣି ସେମାନଙ୍କୁ ଆକ୍ରମଣ କରିଥିଲେ। ସେ ବାରିପଟୁ ଆସି ପ୍ରତିରୋଧ କରିବା ସମୟରେ ଖଣ୍ଡାଟି ବୁଲିଯାଇ ଅରକ୍ଷିତଙ୍କ ମୁଣ୍ଡରେ ବାଜିଥିଲା ଓ ସେ ଆହତ ହୋଇଥିଲେ। ଏଥିରେ ତାଙ୍କ ସ୍ତ୍ରୀ ମଧ୍ୟ ଆହତ ହୋଇଥିଲେ। ସେମାନେ ପ୍ରଥମେ ଆକ୍ରମଣ କରିଥିବା ସୁକାନ୍ତି ପ୍ରକାଶ କରିଛନ୍ତି। ଅରକ୍ଷିତ ବରାଡ଼ଙ୍କ ପୁଅ ରାଜେନ୍ଦ୍ରଙ୍କ କହିବାନୁସାରେ ୫ତାରିଖରେ ସେ ଭୁବନେଶ୍ୱରରେ କଂଗ୍ରେସ ଦଳର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ଏହାକୁ ବିରୋଧ କରି ଅପରପକ୍ଷ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଫଳରେ ତାଙ୍କ ବାପା, ମା’ ଗୁରୁତର ହୋଇଛନ୍ତି। ଅରକ୍ଷିତ ଓ ସାବିତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଅନ୍ୟମାନଙ୍କ ହାତ ଓ ଦେହରେ ଆଘାତ ଲାଗିଛି। ସମସ୍ତେ ବର୍ତ୍ତମାନ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରୁଛି। ଏ ନେଇ ଇଟାମାଟି ଥାନା ଅଧିକାରୀ ସରୋଜ କୁମାର ସାହୁ କହନ୍ତି, ବର୍ତ୍ତମାନ ସୁଦ୍ଧା ଥାନାକୁ କୌଣସି ଅଭିଯୋଗ ଆସିନାହିଁ। ଅଭିଯୋଗ ହେଲେ ମାମଲା ରୁଜୁ କରାଯିବ। ରାଜନୈତିକ ନୁହେଁ ଜମିବାଡ଼ି ଘଟଣାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଥିବା ଥାନା ଅଧିକାରୀ ସାହୁ ପ୍ରକାଶ କରିଥିଲେ। ପ୍ରକାଶ ଯେ, ନଭେମ୍ବର ୧୧ ତାରିଖରେ ଉକ୍ତ ଗ୍ରାମରେ ରାଜନୈତିକ କାରଣରୁ ଗଣ୍ଡଗୋଳ ହୋଇ ୪ଜଣ ଆହତ ହୋଇଥିଲେ।