
ନୟାଗଡ଼ ଅଫିସ,୭।୧୨- ୭୮୬ ୟୁଥ୍ କ୍ଲବ ସିନ୍ଦୂରିଆ ଓ ଜିଲା ଆଥ୍ଲେଟିକ ଆସୋସିଏଶନ ମିଳିତ ଆନୁକୂଲ୍ୟରେ ନୟାଗଡ଼ ଖେଳପଡ଼ିଆରେ ସର୍ବଭାରତୀୟ ଫୁଟବଲ୍ ଟୁର୍ନାମେଣ୍ଟ ଚାଲୁରହିଛି। ଶୁକ୍ରବାର ପଞ୍ଚମ ଦିବସରେ କେରଳ ପୋଲିସ ଓ ସିଗ୍ନାଲ୍ ଏଫସି ଗୋଆ ଦଳ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ କେରଳ ୩-୧ ଗୋଲ୍ରେ ବିଜୟୀ ହୋଇ ଫାଇନାଲ୍କୁ ଉନ୍ନୀତ ହୋଇଛି। ପ୍ରଥମାର୍ଦ୍ଧ ଖେଳର ୧ ମିନିଟରେ କେରଳ ଦଳର ୮ନମ୍ବର ଜର୍ସି ଗୋଟିଏ ଗୋଲ୍ ସ୍କୋର କରିଥିଲେ। ପରେ ଗୋଆ ଦଳର ୧୦ନଂ. ଖେଳାଳି ରେସନ୍ ସିଂ ବିପକ୍ଷ ଦଳକୁ ଗୋଟିଏ ଗୋଲ୍ ଦେଇଥିଲେ। ଫଳରେ ଖେଳ ସମାନ ସ୍ଥିତିରେ ରହିଥିଲା। ଦ୍ୱିତୀୟାର୍ଦ୍ଧର ୪୮ ମିନିଟରେ କେରଳର ୧୯ ନମ୍ବର ଖେଳାଳି ଫିରୋଜ ଓ ୭୬ ମିନିଟରେ ୯ ନମ୍ବର ଖେଳାଳି ଜିମି ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ। ଫଳରେ କେରଳ ଦଳ ୩-୧ ଗୋଲରେ ବିଜୟୀ ହୋଇଥିଲା। କେରଳ ଦଳର ରାମ ଜିତଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରାଯାଇଥିଲା। ନୟାଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରତାପ ପ୍ରୀତିମୟ ମୁଖ୍ୟଅତିଥି ଓ ଜିଲା ଶିକ୍ଷା ଅଧିକାରୀ ଡ. ଅଭୟ କୁମାର ମଲ୍ଲିକ, ଜିଲା ଜରୁରିକାଳୀନ ଅଧିକାରୀ ଧୋବା ନାୟକ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ରେଫରି ଭାବେ ରାଜୁ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ଶେଷଦେବ ବେହେରା, ଜ୍ୟୋତିରଞ୍ଜନ ସ୍ବାଇଁ ଓ ସୁଦୀପ୍ତ ଦାଶ ଲାଇନ୍ରେ ସହାୟତା କରିଥିଲେ। ଶନିବାର ଓଡ଼ିଶା ପୋଲିସ କଟକ ଓ ସାଇ ହଷ୍ଟେଲ କଟକ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।