
ଛେଣ୍ଡିପଦା,୭।୧୨(ଡି.ଏନ.ଏ.)- ଅନୁଗୋଳ ବନଖଣ୍ଡ ଜରପଡା ଫରେଷ୍ଟ ରେଞ୍ଜ ନାଉପଦା ମାଟିଗାଡିଆସାହି ଗ୍ରାମ ଇଲାକାରେ ଗତ ୨ ଦିନ ଧରି ଏକ ଦନ୍ତାହାତୀ ଉପଦ୍ରବ ଚଳାଇଛି। ନିକଟସ୍ଥ ଜଙ୍ଗଲରୁ ଦନ୍ତାଟି ଗ୍ରାମାଭିମୁଖୀ ହୋଇ ଧାନ ଫସଲ ଖାଇ ନଷ୍ଟ କରୁଛି। ଶୁକ୍ରବାର ଦନ୍ତାଟିକୁ ସ୍ଥାନୀୟ ଲୋକେ ବନ ବିଭାଗ କର୍ମଚାରୀଙ୍କ ସହାୟତାରେ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ଦନ୍ତାଟି ପାଲଟା ଆକ୍ରମଣ ପାଇଁ ଲୋକମାନଙ୍କୁ ଗୋଡାଇଥିଲା। ଦନ୍ତା ଉତ୍ପାତ ଯୋଗୁ ପୁଟଗାଡିଆ, ବକଳା, ଦୁର୍ଗାପୁର, ପିତାଚରୀ, ବଡମୂଳ, ଡାହିମାଳ, ସାପପାଳ, ବାଲିପଟା, କିସିଣ୍ଡା ଆଦି ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ନାଉପଦା ମାଟିଗାଡିଆସାହି ଗ୍ରାମର ରଞ୍ଜନ ସାହୁ, ଉଗ୍ରସେନ ସାହୁ, ଅଶୋକ ସାହୁ, ରମେଶ ସାହୁ ପ୍ରମୁଖଙ୍କ ଧାନ ଫସଲ ନଷ୍ଟ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ସେହିପରି ଅନେକ ଚାଷୀଙ୍କ ଧାନ, କଦଳୀ, ପନିପରିବା ଖାଇ ପାଦରେ ଦଳିଚକଟି ନଷ୍ଟ କରିଥିବା ଜଣାପଡିଛି। ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇଦେବା ସହ ଦନ୍ତାହାତୀକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।