
ଭୁବନେଶ୍ୱର,୭।୧୨(ବ୍ୟୁରୋ): ମହିଳାଙ୍କ ଲାଗି ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ ଆରମ୍ଭ କରିଛନ୍ତି। ମହିଳା ସଂରକ୍ଷଣ ବିଲ୍ ଦୀର୍ଘଦିନ ହେବ ପାର୍ଲାମେଣ୍ଟର ଅନୁମୋଦନ ସକାଶେ ପଡ଼ିରହିଛି। ଏ ନେଇ ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନଭେମ୍ବର ୪ରେ ଚିଠି ଲେଖିଥିବା ବେଳେ ବୁଧବାର ୭ ଜାତୀୟ ଓ ୧୫ ଆଞ୍ଚଳିକ ଦଳର ମୁଖ୍ୟମାନଙ୍କୁ ଭେଟି ସମର୍ଥନ ହାସଲ କରିବା ପାଇଁ ଦଳୀୟ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ୨୯ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଦେଶ ଓ ସମାଜ ଗଠନରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମହିଳାମାନେ ସଶକ୍ତ ହେଲେ ଦେଶ ସଶକ୍ତ ହେବ ଏବଂ ବିକାଶ ପ୍ରକ୍ରିୟା ତ୍ୱରାନ୍ବିତ ହୋଇପାରିବ। ମହିଳାମାନେ ସଶକ୍ତ ନ ହେଲେ କୌଣସି ପରିବାର, କୌଣସି ସମାଜ, କୌଣସି ରାଜ୍ୟ ବା ଦେଶ ଅଗ୍ରଗତି କରିପାରିବ ନାହିଁ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ଲୋକସଂଖ୍ୟାର ଅର୍ଦ୍ଧେକ ହେଉଛନ୍ତି ମହିଳା। ତେଣୁ ବିକାଶ ପ୍ରକ୍ରିୟା ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସେମାନଙ୍କ ଯୋଗଦାନ ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବ। ୧୯୯୦ରେ ପ୍ରବାଦପୁରୁଷ ବିଜୁବାବୁ ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁବାବୁ ହିଁ ସାରାଦେଶରେ ପ୍ରଥମେ ମହିଳାମାନଙ୍କ ପାଇଁ ବିଭିନ୍ନ ପଞ୍ଚାୟତ, ପୌର ପରିଷଦ ସମେତ ସରକାରୀ ଚାକିରିରେ ୩୩% ସ୍ଥାନ ସଂରକ୍ଷଣ ଆରମ୍ଭ କରିଥିଲେ। ଏହା ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରିଛି। ଏହି ସଫଳତାକୁ ଦୃଷ୍ଟିରେ ରଖି ୨୦୧୧ରେ ମୋ ସରକାର ମହିଳାଙ୍କ ପାଇଁ ପଞ୍ଚାୟତ ଓ ପୌର ପରିଷଦର ସ୍ଥାନ ସଂରକ୍ଷଣକୁ ୫୦%କୁ ବୃଦ୍ଧି କରିଛନ୍ତି। ଆମ ସମ୍ବିଧାନ ଲିଙ୍ଗଗତ ବୈଷମ୍ୟ ଦୂର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଆମେ ସମସ୍ତେ ପ୍ରତିବଦ୍ଧତାର ସହ ଉଦ୍ୟମ ଜାରି ରଖିବା ଆବଶ୍ୟକ। ମହିଳାମାନଙ୍କ ପାଇଁ ପାର୍ଲାମେଣ୍ଟ ଓ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ଦେବା ସପକ୍ଷରେ ଓଡ଼ିଶା ବିଧାନସଭା ଏକ ସଙ୍କଳ୍ପ ପାରିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି।