
ଉଲୁଣ୍ଡା, ୬ା୧୨ (ଡି.ଏନ.ଏ.) : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କେସିସି, କୁକିଆ ପକ୍ଷରୁ ଆୟୋଜିତ ଦ୍ୱିତୀୟ ଉଷାଦେବୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଗୁରୁବାର ଉଦ୍ଘାଟିତ ହୋଇଯାଇଛି। ସ୍ଥାନୀୟ ପତ୍ରା ଗାର୍ଡେନ ପଡିଆରେ ହୋଇଥିବା ଉଦ୍ଘାଟନୀ ମ୍ୟାଚରେ ଏସ୍ଡିସିଏ ସୋନପୁର ଦଳ ୩୪ ରନରେ କେସିଟି ଲୁତୁରପଙ୍କ ଦଳକୁ ପରାସ୍ତ କରିଛି। ଟସ୍ ଜିଣି ଲୁତୁରପଙ୍କ ଦଳ ସୋନପୁରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ପୁରୁଷୋତ୍ତମ ପାତ୍ରଙ୍କ ୩୧ ଓ ଆକାଶ ସାହୁଙ୍କ ୩୦ରନ ବଲରେ ସୋନପୁର ନିର୍ଦ୍ଧାରିତ ୨୦ଓଭରରେ ୧୪୭ରନ କରି ଅଲଆଉଟ ହୋଇଯାଇଥିଲା। ବିପକ୍ଷ ବୋଲର ଆଶିଷ ମହାକୁର ୪ଟି ଉଇକେଟ ଅକ୍ତିଆର କରିଥିଲେ। ୧୪୮ ରନର ବିଜୟ ଲକ୍ଷ୍ୟ ନେଇ ଖେଳି ଲୁତୁରପଙ୍କ ୨୦ଓଭରରେ ୪ ଉଇକେଟ ହରାଇ ୧୧୩ ରନ କରି ପରାସ୍ତ ହୋଇଥିଲା। ଲୁତୁରପଙ୍କ ଦଳର ଜୟପ୍ରକାଶ ସାହୁ ୪୭ ଓ ଜଦୁଲାଲ ନନ୍ଦ ୩୧ ରନ କରିଥିଲେ। ଉଦଘାଟନୀ ଖେଳକୁ ଶ୍ୟାମସୁନ୍ଦର ପଣ୍ଡା ଓ ଶିବରାମ ପୁରୋହିତ ପରିଚାଳନା କରିଥିଲେ। ସକାଳେ ଆୟୋଜକ ସଭାପତି ଆଦିତ୍ୟ ପୁରୋହିତଙ୍କ ଅଧ୍ୟକ୍ଷତା ଓ ବିସିଏ ସଂଯୋଜକ ଉରୁକ୍ରମ ପାଣ୍ଡିଆଙ୍କ ସଂଯୋଜନାରେ ହୋଇଥିବା ଉଦ୍ଘାଟନୀ ଉତ୍ସବକୁ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ପଣ୍ଡା, ସ୍ଥାନୀୟ ସରପଞ୍ଚ ରେବତୀ ବିଶ୍ୱାଳ ଓ ପୂର୍ବତନ ସରପଞ୍ଚ କୈଳାସ ପୁରୋହିତ ଯୋଗଦେଇ ଟୁର୍ନାମେଣ୍ଟକୁ ଉଦ୍ଘାଟନ କରିଥିଲେ। ସତ୍ୟନାରାୟଣ ପଧାନ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଆଦର୍ଶ ନାୟକ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ସୋନପୁର ଦଳର ଆକାଶ ପାତ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚର ପୁରସ୍କାର ପ୍ରଦାନ କରାଯାଇଥିଲା।