
ରାଜକୋଟ,୬।୧୨- ସୌରାଷ୍ଟ୍ର ରଣଜୀ ଦଳର ଅଧିନାୟକ ଜୟଦେବ ଶାହ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏଠାରେ କର୍ନାଟକ ବିପକ୍ଷରେ ଚାଲିଥିବା ମ୍ୟାଚ୍ ପରେ କ୍ରିକେଟ କ୍ୟାରିୟରର ଅନ୍ତ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ସେ କ୍ୟାରିୟରର ଅନ୍ତିମ ମ୍ୟାଚ୍ରେ ଅଳ୍ପକେ ଶତକରୁ ବଞ୍ଚତ୍ତ ହୋଇଛନ୍ତି। କର୍ନାଟକ ବିପକ୍ଷ ମ୍ୟାଚ୍ରେ ସେ ୯୭ ରନ୍ କରି ଆଉଟ୍ ହୋଇଛନ୍ତି। ତାଙ୍କ ଇନିଂସ ଯୋଗୁ ସୌରାଷ୍ଟ୍ର ପ୍ରଥମ ଦିବସ ଶେଷ ସୁଦ୍ଧା ୯ ଉଇକେଟ ହରାଇ ୨୮୮ ରନ୍ କରିଛି। ଜୟଦେବ ଏପର୍ଯ୍ୟନ୍ତ ୧୧୯ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି ୩୦ରୁ କମ୍ ହାରରେ ମୋଟ ୫,୦୦୦ ରନ୍ରୁ ଅଧିକ ରନ୍ କରିଛନ୍ତି। ସେ ୬୫ ଲିଷ୍ଟ-ଏ’ ମ୍ୟାଚ୍ରୁ ୧୨୭୭ ରନ୍ କରିଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କ କ୍ୟାରିୟର ସର୍ବଦା ବିବାଦରେ ଘେରି ହୋଇ ରହିଥିଲେ। ତାଙ୍କ ବାପା ଚୟନ କମିଟିର ସଦସ୍ୟ ଥିବାରୁ ଖରାପ ପ୍ରଦର୍ଶନ ସତ୍ତ୍ୱେ ଶାହ ଦୀର୍ଘ ଦିନ ହେଲା ସୌରାଷ୍ଟ୍ର ଦଳର ନେତୃତ୍ୱ ନେଉଛନ୍ତି। ସେ ମୋଟ ୧୧୧ ମ୍ୟାଚ୍ରେ ଦଳର ନେତୃତ୍ୱ ନେଇଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ସର୍ବାଧିକ। ତାଙ୍କ ନେତୃତ୍ୱରେ ସୌରାଷ୍ଟ୍ର ଥରେ ଚାମ୍ପିୟନ (୨୦୦୭-୮) ହୋଇଥିବାବେଳେ ଦୁଇ ଥର ରନର୍ସ ଅପ୍ ହୋଇଥିଲା। ତାଙ୍କୁ ଆଇପିଏଲରେ ରାଜସ୍ଥାନ ରୟାଲ୍ସ, ଡେକାନ ଚାଜର୍ସ, ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଲାୟନ୍ସ ପକ୍ଷରୁ କିଣା ଯାଇଥିଲା। ମାତ୍ର କଦାପି ଖେଳିବାକୁ ସୁଯୋଗ ମିଳି ନ ଥିଲା।