
ଭୁବନେଶ୍ୱର,୬ା୧୨(ବ୍ୟୁରୋ):ଦେଶର ସର୍ବୋଚ୍ଚ ଆଇନ ପ୍ରଣୟନ ସଂସ୍ଥା ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭା ଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଉ। ଏହି ମର୍ମରେ ସରକାର ବିଧାନସଭାରେ ସର୍ବସମ୍ମତ କ୍ରମେ ସଂକଳ୍ପ ପ୍ରସ୍ତାବ ଗୃହୀତ କରିଛନ୍ତି। ଏହାକୁ ଖୁବ୍ଶୀଘ୍ର ଆଇନରେ ପରିଣତ କରିବାର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। ଏହାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ଉକ୍ତ ପ୍ରସଙ୍ଗରେ ଦେଶର ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି। ପାର୍ଲାମେଣ୍ଟରେ ଏସଂକ୍ରାନ୍ତ ପ୍ରସ୍ତାବକୁ ସମର୍ଥନ ପାଇଁ ବିଜେଡି ପକ୍ଷରୁ ୭ ଜାତୀୟ ଏବଂ ୧୫ ଆଞ୍ଚଳିକ ଦଳକୁ ଭେଟାଯିବା ନେଇ ନିଷ୍ପତ୍ତି ହୋଇଛି। ବିଜେଡିର କେଉଁ ପ୍ରତିନିଧି କେଉଁ ଦଳକୁ ଭେଟିବେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ସେ ସମ୍ପର୍କିତ ଏକ ତାଲିକା ପ୍ରକାଶ କରିଛନ୍ତି। ତାଲିକା ଘୋଷଣା ପୂର୍ବରୁ ଦଳର ସଭାପତିଙ୍କ ଅଧ୍ୟକ୍ଷତାରେ ବିଜେଡି ଉପସଭାପତି ଏବଂ ସାଧାରଣ ସମ୍ପାଦକମଣ୍ଡଳୀର ବୈଠକ ବୁଧବାର ନବୀନ ନିବାସରେ ଅନୁଷ୍ଠିତ ହୋଇଯାଇଛି।
ଗଣମାଧ୍ୟମ ପ୍ରତିନିଧିଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ବିଜୁ ବାବୁ ହିଁ ତୃଣମୂଳସ୍ତରୀୟ ନିର୍ବାଚନରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ କରିଥିଲେ। ପରେ ରାଜ୍ୟ ସରକାର ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ନାରୀ ସଶକ୍ତୀକରଣ ହିଁ ରାଷ୍ଟ୍ର ଉନ୍ନତିର ମୂଳଭିତ୍ତି। ତେଣୁ ନୀତି ପ୍ରଣୟନରେ ସେମାନଙ୍କ ସହଭାଗିତା ପାଇଁ ସଂରକ୍ଷଣ ଦାବି ଯଥାର୍ଥ। ଆଗାମୀ ଦିନରେ ଯୋଗ୍ୟ ଏବଂ ଜିତିବା ସମ୍ଭାବନା ଥିବା ମହିଳାଙ୍କୁ ଦଳ ନିର୍ବାଚନ ଲଢିବାକୁ ସୁଯୋଗ ଦେବ ବୋଲି ଦେବୀ କହିଛନ୍ତି।
କେନ୍ଦ୍ରରେ କ୍ଷମତାରେ ଥିବା ଭାଜପାକୁ ଭେଟିବା ପାଇଁ ପ୍ରସନ୍ନ ଆଚାର୍ଯ୍ୟ, ବେଦ ପ୍ରକାଶ ଅଗ୍ରୱାଲ, ଭର୍ତ୍ତୃହରି ମହତାବ ଏବଂ ସରୋଜିନୀ ହେମ୍ବ୍ରମଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ମୁଖ୍ୟ ବିରୋଧୀ କଂଗ୍ରେସକୁ ତଥାଗତ ସତପଥୀ, ବେଦପ୍ରକାଶ ଅଗ୍ରୱାଲ,ପିନାକୀ ମିଶ୍ର ଏବଂ ପ୍ରସନ୍ନ ପାଟ୍ଟଶାଣୀ ଭେଟିବେ।
ଅନ୍ୟମାନଙ୍କ ମଧ୍ୟରେ ସୌମ୍ୟରଞ୍ଜନ ପଟ୍ଟନାୟକ, ଅନନ୍ତ ଦାସ ଏବଂ ଅରବିନ୍ଦ ଢାଲି ତୃଣମୂଳ କଂଗ୍ରେସ, ଶଶିଭୂଷଣ ବେହେରା, ଅନଙ୍ଗ ଉଦୟ ସିଂଦେଓ ଏବଂ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବହୁଜନ ସମାଜବାଦୀ ପାର୍ଟି(ବିଏସ୍ପି), ସିପିଆଇ/ସିପିଏମ୍କୁ କଳିିକେଶ ନାରାୟଣ ସିଂ ଦେଓ,କୁଳମଣି ସାମଲ ଏବଂ ରୀତା ତରାଇ ଭେଟିବେ। ବଦ୍ରିନାରାୟଣ ପାତ୍ର,ଅରୂପ ପଟ୍ଟନାୟକ ଏବଂ ଶକୁନ୍ତଳା ଲାଗୁରୀ ଏନ୍ସିପି, ସୂର୍ଯ୍ୟ ନାରାୟଣ ପାତ୍ର, ଅନୁଭବ ମହାନ୍ତି ଏବଂ ପ୍ରଭାସ ସିଂ ଆମ୍ ଆଦ୍ମୀ ପାର୍ଟି(ଏଏପି), ଦେବୀ ପ୍ରସାଦ ମିଶ୍ର ଏବଂ ସିଦ୍ଧାନ୍ତ ମହାପାତ୍ର ଡିଏମ୍କେ ଓ ଏଆଇଏଡିଏମ୍କେକୁ ଭେଟି ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ନେଇ ସମର୍ଥନ ମାଗିବେ। କିଶୋର ମହାନ୍ତି ଏବଂ ଯୋଗେନ୍ଦ୍ର ତ୍ରିପାଠୀ ଆଇଏନ୍ଏଲ୍ଡି , ଜେଡି(ଏସ୍) ଏବଂ ଜେଡି(ୟୁ)କୁ ନଗେନ୍ଦ୍ର ପ୍ରଧାନ ଏବଂ ରବୀନ୍ଦ୍ର ଜେନା, ନ୍ୟାଶନାଲ କନଫେରେନ୍ସ(ଏନ୍ସି) ଏବଂ ପିପୁଲ୍ସ ଡେମୋକ୍ରେଟିକ ପାର୍ଟି(ପିଡିପି)କୁ ପିନାକୀ ମିଶ୍ର ଏବଂ ଲଡୁ କିଶୋର ସ୍ବାଇଁ ଭେଟିବେ ବୋଲି ସ୍ଥିର କରାଯାଇଛି। ସେହିପରି ଜେଏମ୍ଏମ୍କୁ ଅନୁଭବ ମହାନ୍ତି, ଝିନ୍ନ ହିକ୍କା ଏବଂ ବିମ୍ବାଧର କୁଅଁର, ଆରଜେଡିକୁ ପ୍ରସନ୍ନ ଆଚାର୍ଯ୍ୟ, ସରୋଜିନୀ ହେମ୍ବ୍ରମ, ଶିରୋମଣି ଅକାଳି ଦଳକୁ ତଥାଗତ ସତପଥୀ ଏବଂ ସୂର୍ଯ୍ୟ ନାରାୟଣ ପାତ୍ର, ଶିବସେନାକୁ ଅରୂପ ପଟ୍ଟନାୟକ ଏବଂ ବଳଭଦ୍ର ମାଝୀ ଭେଟିବେ। ଅନ୍ୟମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟିକୁ ଭର୍ତ୍ତୃହରି ମହତାବ ଏବଂ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ଟିଡିପି ଏବଂ ଟିଆରଏସ୍କୁ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଏନ୍ ଭାସ୍କର ରାଓ ଭେଟି ସମର୍ଥନ ମାଗିବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।