
ଭୁବନେଶ୍ୱର, ୨୦।୧୧(ବ୍ୟୁରୋ): କଂଗ୍ରେସ ଓ ବିଜେଡି ଏକ। ବିରୋଧୀ ଦଳ ନେତା ଶାସକ ଦଳ ଇଙ୍ଗିତରେ ପରିଚାଳିତ ହେଉଛନ୍ତି। ୨୦୧୪ରେ ପୂର୍ବତନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ଯେପରି ନିଜର ଫାଇଦା ପାଇଁ ସରକାର ସହିତ ସାମିଲ ହୋଇଥିଲେ ବର୍ତ୍ତମାନ ମଧ୍ୟ ସେହି ଅବସ୍ଥା ସୃଷ୍ଟି ହୋଇଛି। ରାଜ୍ୟବାସୀଙ୍କ ସ୍ବାର୍ଥକୁ ଅଣଦେଖାକରି ବିରୋଧୀ ଦଳ ନେତା ନିଜର ଫାଇଦା ହାସଲ ଲାଗି ସରକାରଙ୍କ ସହ ଭିତିରି ଯୋଡ଼ି ହୋଇଛନ୍ତି। ଭାଜପା ସଦସ୍ୟମାନଙ୍କୁ ରାଜ୍ୟର ସମସ୍ୟା ଉତ୍ଥାପନ କରିବା ପାଇଁ କଂଗ୍ରେସ ଦଳ ସୁଯୋଗ ଦେଉନାହିଁ। ଯେତେବେଳେ କୌଣସି ବିଷୟ ଉତ୍ଥାପନ ପାଇଁ ଭାଜପା ଚାହିଁଛି ସେତେବେଳେ କଂଗ୍ରେସ ଜାଣିଶୁଣି ଭଣ୍ଡୁର କରୁଛି। ଏଭଳି ଗୁରୁତର ଅଭିଯୋଗ ଆଣି ଭାଜପା ସଦସ୍ୟମାନେ ବିଧାନସଭାରେ ହଟ୍ଟଗୋଳ କରିଥିଲେ। କଂଗ୍ରେସ ଓ ବିଜେଡି ବିରୋଧରେ ସ୍ଲୋଗାନ ଦେବା ସହିତ ଗୃହ କାର୍ଯ୍ୟକୁ ଅଚଳ କରିଦେଇଥିଲେ। ଭାଜପା ଅଭିଯୋଗକୁ ମଧ୍ୟ ବିଜେଡି ଚ୍ୟାଲେଞ୍ଜ କରିଥିଲା। ଶାସକ ଦଳର ସଦସ୍ୟମାନେ ନିଜ ଆସନ ନିକଟରେ ଛିଡାହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ବିଧାନସଭା ରଣକ୍ଷେତ୍ର ପାଲଟିଯାଇଥିଲା। ଅନ୍ୟପକ୍ଷରେ କଂଗ୍ରେସ ସଦସ୍ୟମାନେ ଚୁପ୍ ହୋଇ ବସିଥିବା ଦେଖାଯାଇଥିଲା।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବାଚସ୍ପତି ପ୍ରଦୀପ ଅମାତ ସଭାକାର୍ଯ୍ୟ ଚଳାଇବା ପାଇଁ ଗୃହକୁ ପ୍ରବେଶ କରିଥିଲେ। ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଭାଜପା ସଭ୍ୟ ରବିନାରାୟଣ ନାୟକ ରାଜ୍ୟ ସରକାରଙ୍କ ସହିତ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଭିତିରି ସମ୍ପର୍କ ରହିଥିବା ଗୁରୁତର ଅଭିଯୋଗ ଆଣିଥିଲେ। ଏଥିସହିତ ସେ ଗୃହର ମଧ୍ୟଭାଗକୁ ଆଶି କଡ଼ା ବିରୋଧ କରିଥିଲେ। ତାଙ୍କୁ ସମର୍ଥନ ଜଣାଇ ଦଳର ଅନ୍ୟ ସଦସ୍ୟ ପ୍ରଦୀପ ପୁରୋହିତ, ରାଧାରାଣୀ ପଣ୍ଡା, ନୀତୀଶ ଗଙ୍ଗଦେବ, ଗୋବିନ୍ଦ ସାହୁ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ରାଜ୍ୟ ସରକାର ଓ କଂଗ୍ରେସ ବିରୋଧରେ ସ୍ଲୋଗାନ ଦେଇଥିଲେ। ଗଣତନ୍ତ୍ରକୁ ଖାଇଲା କିଏ? ବିଜେଡି ଓ କଂଗ୍ରେସ ନା ଆଉ କିଏ? ବିଜେଡି, କଂଗ୍ରେସ ଭିତିରି ସାଟ୍ଘାଣ୍ଟ ଚଳିବ ନାହିଁ ଚଳିବ ନାହିଁ.. ସ୍ଲୋଗାନ ଦେଇ ବିଧାନସଭାକୁ କମ୍ପାଇ ଦେଇଥିଲେ। ବାଚସ୍ପତି ସେମାନଙ୍କୁ ଗୃହକାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଭାଜପା ସଦସ୍ୟମାନେ ସ୍ଲୋଗାନ ଦେଉଥିବା ବେଳେ ସମୀର ରଞ୍ଜନ ଦାସ, ସଞ୍ଜୟ ଦାସବର୍ମା, ପ୍ରମୋଦ ମଲିକ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରାସେଶ୍ୱରୀ ପାଣିଗ୍ରାହୀ, ରାଜଶ୍ରୀ ମଲିକ, ପ୍ରିୟଦର୍ଶୀ ମିଶ୍ର, ପ୍ରଶାନ୍ତ ଜଗଦେବ, ପ୍ରୀତିରଞ୍ଜନ ଘଡ଼ାଇ, ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସମେତ ଅନ୍ୟ ସଦସ୍ୟମାନେ କେନ୍ଦ୍ରର ମୋଦୀ ସରକାର ବିରୋଧରେ ସ୍ଲୋଗାନ ଦେବାସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାର ବଢ଼ାଉ ନ ଥିବା ଅଭିଯୋଗ କରି ହୋହଲ୍ଲା କରିଥିଲେ। ଶାସକ ଓ ଭାଜପା ସଦସ୍ୟମାନେ ପରସ୍ପର ଗୋହି ଖୋଳାଖୋଳିରେ ମାତିଥିବା ବେଳେ କଂଗ୍ରେସ ସଦସ୍ୟମାନେ ଚୁପ୍ ହୋଇ ବସି ରହିଥିଲେ। ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତି ଗୃହକୁ ୧୦.୩୩ରୁ ୧୧ଟା ୩୦ ଯାଏ ମୁଲତବୀ ଘୋଷଣା କରିଥିଲେ। ୧୧ଟା ୩୦ରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ପରିସ୍ଥିତିରେ କୌଣସି ସୁଧାର ଆସି ନ ଥିଲା। ଭାଜପା ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପୁଣି ହଟ୍ଟଗୋଳ କରିଥିଲେ। ବାଚସ୍ପତି ବିରୋଧୀ ଦଳ ସଦସ୍ୟଙ୍କୁ କହିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା। ଭାଜପା ସଦସ୍ୟଙ୍କ ଗର୍ଜନରେ ବିଧାନସଭା ହୁଲସ୍ଥୂଲ ହୋଇଥିଲା। ଗୃହର ଅଚଳାବସ୍ଥା ଦୂର କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି। ଏଥିପାଇଁ ଗୃହକୁ ୧୧ଟା ୩୪ରୁ ୩ଟା ପର୍ଯ୍ୟାୟରେ ଅପରାହ୍ନ ୩ଟା ଯାଏ ମୂଲତବୀ ଘୋଷଣା କରାଯାଇଛି।
ଭାଜପା ଆଣିଥିବା ଅଭିଯୋଗ ସମ୍ପର୍କରେ ସୂଚନା ଦେଇ ନରସିଂହ କହିଛନ୍ତି ଯେ, ଭାଜପାକୁ ଗଣତନ୍ତ୍ର ବିଷୟରେ କିଛି ଜଣାନାହିଁ। ଗଣତନ୍ତ୍ରକୁ ହତ୍ୟା କରିବାରେ ଭାଜପା ମାହିର। ରାଜ୍ୟରେ ନିଜର ପରିଚୟ ହଜିଯାଉଥିବାରୁ ଭାଜପା ଏପରି କୌଶଳ ଆପଣାଇଛି। କଂଗ୍ରେସ ଓ ଭାଜପା ମଧ୍ୟରେ ଆକାଶପାତାଳ ପ୍ରଭେଦ ରହିଛି। ତଥାପି ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଲୋଚନାଠାରୁ ଆରମ୍ଭ କରି ବିିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଭାଜପାକୁ ସାଙ୍ଗରେ ନେଇଛି। ଯେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଥା ଉଠେ ଭାଜପା ସଦସ୍ୟମାନେ ମୁହଁ ଖୋଲନ୍ତି ନାହିଁ। ଭାଜପା ବିଜେଡିର ଏକ ଛଦ୍ମଦଳ। ଉଭୟଙ୍କ ମଧ୍ୟରେ ବହୁତ ଆଗରୁ ବୁଝାମଣା ରହିଛି। କେନ୍ଦ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିଜେଡି ଭାଜପାକୁ ସମର୍ଥନ ଦେଇଛି। ବିଜେଡି ନେତାଙ୍କ ବିରୋଧରେ ସିବିଆଇ କାହିଁକି ପଦକ୍ଷେପ ନେଉ ନାହିଁ। ଖଣି ଦୁର୍ନୀତି ନେଇ ଶାହା ରିପୋର୍ଟ ଦେବା ପରେ ମଧ୍ୟ ସିବିଆଇ କାହିଁକି ତଦନ୍ତ କରୁନାହିଁ ଭାଜପା ସଦସ୍ୟମାନେ ଏହାର ଜବାବ ଦେବା ଦରକାର। କଂଗ୍ରେସର ଆଭିମୁଖ୍ୟ ବିଜେଡି ଓ କେନ୍ଦ୍ର ସରକାର କ୍ଷେତ୍ରରେ ସ୍ପଷ୍ଟ ରହିଛି। ସଗରିଆଙ୍କ ଅଭିଯୋଗ ସମ୍ପର୍କରେ ନରସିଂହ କହିଥିଲେ ଯେ, ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର। ଭାଜପାରେ ମଧ୍ୟ ଦିଲୀପ ରାୟ ଓ ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି। ମୁଁ କଂଗ୍ରେସରେ ରହିଛି, ମୋ ଜୀବନର ଶେଷ ଯାଏ ରହିବି ବୋଲି ନରସିଂହ କହିଛନ୍ତି। ଅନ୍ୟପକ୍ଷରେ ଭାଜପା ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓ ଅଭିଯୋଗ କରିଛନ୍ତି ଯେ, ବିରୋଧି ଦଳ ଭାବେ କଂଗ୍ରେସ ତାର ଭୂମିକା ତୁଲାଉ ନାହିଁ। ୨୦୧୪ରେ ଭୂପିନ୍ଦର ସିଂ ସରକାରଙ୍କ ସହ ମିଶି ଯେପରି ବିରୋଧୀ ଦଳ ଭୂମିକା ଗ୍ରହଣ କରୁଥିଲେ ପରେ ସେ ଇସ୍ତଫା ଦେଇ ନିଜର ଫାିଦା ପାଇଁ ବିଜେଡିରେ ଯୋଗ ଦେଲେ। ବିଜେଡି ତାଙ୍କୁ ୨ ବର୍ଷ ପାଇଁ ରାଜ୍ୟ ସଭାକୁ ପଠାଇଲା। ଏ କଥା କାହାକୁ ଅଛପା ନାହିଁ। ବର୍ତ୍ତମାନର ବିରୋଧୀ ଦଳ ନେତା ମଧ୍ୟ ସେହି ଏକା ଫର୍ମୁଲା ଆପଣାଇଛନ୍ତି। ଭାଜପା ସଦସ୍ୟମାନଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ପାଇଁ ବିଧାନସଭାରେ ସୁଯୋଗ ଦିଆଯାଉ ନାହିଁ। ରାଜ୍ୟ ସରକାରଙ୍କ ସହ ତାଙ୍କର ଭିତିରେ ସମ୍ପର୍କ ଥିବା କେବଳ ଆମେ କହୁନାହୁଁ ତାଙ୍କ ଦଳର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଏହାର ପର୍ଦ୍ଦାଫାଶ କରିଛନ୍ତି।