
ନୂଆଦିଲ୍ଲୀ,୧୫-୧୧: ରେମଣ୍ଡ ଆପାରେଲର ଅଧ୍ୟକ୍ଷ ପଦରୁ ଗୌତମ ସିଂଘାଣିଆ ଇସ୍ତଫା ଦେଇଛନ୍ତି। କମ୍ପାନୀ ପକ୍ଷରୁ ବୁଧବାର ଏ ସମ୍ପର୍କରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଜଣାଇ ଦିଆଯାଇଛି। ତାଙ୍କ ସ୍ଥାନରେ ବୋର୍ଡ ନିର୍ଦ୍ଦେଶକ ନିର୍ବିକ ସିଂହଙ୍କୁ ରେମଣ୍ଡ ଆପାରେଲର ଅଣ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ଅଂଶୁ ସରିନ ଏବଂ ଗୌତମ ତ୍ରିବେଦୀଙ୍କୁ ବୋର୍ଡ ନିର୍ଦ୍ଦେଶକ କରାଯାଇଛି।
ମାର୍କେଟିଂ ଏବଂ କମ୍ୟୁନିକେଶନ୍ସ ଉଦ୍ୟୋଗର ଶୀର୍ଷ ଅଧିକାରୀ ଭାବେ ଜଣାଶୁଣା ନିର୍ବିକ ବର୍ତ୍ତମାନ ଗ୍ରେ ଗ୍ରୁପ୍ ଏସିଆ ପାସିଫିକ୍ର ମଧ୍ୟପ୍ରାଚ୍ୟ,ଆମେରିକା ଓ ଏସିଆ ପାସିଫିକ୍ର ଅଧ୍ୟକ୍ଷ ତଥା ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ଉକ୍ତ ନିଯୁକ୍ତି ସମ୍ପର୍କରେ ନିଜ ପ୍ରତିକ୍ରିୟାରେ ସିଂଘାଣିଆ କହିଛନ୍ତି ଯେ, ସେ ସର୍ବଦା ପରିଚାଳନା ମାନଦଣ୍ଡ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ସର୍ବଦା କାରବାରରେ ପେସାଦାରି ମନୋଭାବକୁ ପ୍ରୋତ୍ସାହିତ କରିଛନ୍ତି। ନିର୍ବିକଙ୍କୁ ରେମଣ୍ଡ ଆପାରେଲର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିବାରୁ ସେ ଆନନ୍ଦିତ। ଉଲ୍ଲେଖଥାଉ କି, ପାରିବାରିକ ବ୍ୟବସାୟ ଜେକେ ହାଉସକୁ ନେଇ ଗୌତମ ସିଂଘାଣିଆଙ୍କ ସହିତ ତାଙ୍କ ପିତା ବିଜୟପତ ସିଂଘାଣିଆଙ୍କ ଆଇନଗତ ଲଢ଼େଇ ଚାଲିଛି।